Unknown

 

 

 

 

 

 

 

 

 

 

 

ଭୂଦାନ

ଶ୍ରୀ ବାଳମୁକୁନ୍ଦ ପଟ୍ଟନାୟକ

 

ଭୂଦାନ

-ଏକ-

 

ରାଧାମୋହନ ଜୀଉଙ୍କ ମନ୍ଦିରରେ ଘଣ୍ଟା କାହାଳୀ ବାଜୁଥାଏ । ଗାଁ ତିମୁଣ୍ଡି ଆମ୍ବତୋଟାର ପତ୍ର ଗହଳ ଡାଳରେ ବସି କୋଇଲି କଣ୍ଠ ମାଜୁଥାଏ; ପ୍ରାଚୀଦିଗ୍‌ବଧୂ କଳାଝିମାରୀ ଶାଢ଼ି ପିନ୍ଧି ଶିରରେ ନାଲି ସିନ୍ଦୂର ଟୋପା ଘେନିବ ବୋଲି ସିନ୍ଦୂର ପେଡ଼ି ଫିଟାଇ ବେଶ ସାଜୁଥାଏ । ଏପରି ସମୟରେ ପଞ୍ଜାଏ ବୁଢ଼ା, ଅଧୁଆଡ଼ୀ ମାଇପେ ଆଉ ଅବିହାଡ଼ୀ ଝିଅ, ନୂଆ ନୂଆ ବୋହୂ ଭୁଆଷୁଣୀ ନଈରେ କାର୍ତ୍ତିକ ବୁଡ଼ ଶେଷ କରି ଥରୁ ଥରୁ ହୋଇ ଆସି ଯେଝା ଘରେ ପହଞ୍ଚିଲେ । ଶୁଖିଲା ଲୁଗାପଟା ବଦଳି କେହି କେହି ଆସି ଦୋଳମଣ୍ଡପ ତୁଳସୀ ଚଉରା ପାଖେ ଗଲେଣି ।

 

ଲଣ୍ଠନରେ ମଇଳା କାଚ ନ ପୋଛି ଲଗାଇଲା ବେଳେ ମଇଳା ଯେପରି ଉଭେଇ ଉଭେଇ ଯାଏ ଠିକ୍‌ ସେହିପରି ପୂର୍ବ ଦିଗରେ ସିନ୍ଦୂରା ଫାଟି ଫାଟି ଆସିଲା । ଚାହୁଁ ଚାହୁଁ ଗଛପତ୍ର ଘର ଚାଳ ଉପରେ ବାଳ ସୂର୍ଯ୍ୟର ସୁନେଲି କିରଣ ବିଛେଇ ହୋଇଗଲା ।

 

କଟକ ଜିଲା ନୂଆଗାଁ ଜଗନ୍ନାଥପୁର ଶାସନ ଗୋଟାଏ ବଡ଼ ଗାଁ । ଡାକ ନା ଜଗନ୍ନାଥପୁର ଶାସନ । ଅବଶ୍ୟ ପୁରୀ ଜିଲାର ଷୋଳଶାସନ ଛତିଶ କରବାଡ଼ି ମଧ୍ୟରେ ଗଣ୍ୟ ନ ହେଲେ ମଧ୍ୟ ଏହା ଏକ ବଡ଼ ଶାସନ ନାମରେ ଖ୍ୟାତ । ଏହିପରି ଆମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ଅନେକ ଶାସନ ଥିବାର ଦେଖାଯାଏ । ପଶ୍ଚିମରେ ରାଧାମୋହନ ଜୀଉଙ୍କ ମନ୍ଦିର, ପୂର୍ବମୁଣ୍ଡରେ ଗୁପ୍ତେଶ୍ୱର ମହାଦେବଙ୍କ ଖଣ୍ଡିଆ ଦେଉଳ । ଦେଉଳର ଅଳ୍ପଦୂରରେ ଗୁପ୍ତିମୁଣ୍ଡିଆ । ପୂର୍ବ ପଶ୍ଚିମକୁ ଲାଗି କେତୋଟି ଟାଙ୍ଗରା ପାହାଡ଼ ବି ଲାଗି ରହିଛି । ଗୁପ୍ତିମୁଣ୍ଡିଆ ପାଖରୁ ଗୋଟିଏ ଚିରସ୍ରୋତା ଝରଣା ବହି ଯାଉଛି । ବଡ଼ ନଈଟା ଟିକିଏ ଦୂରକୁ । ଦେଉଳକୁ ଲାଗି ଚତରାଦାନୀ ପୋଖରୀଟା ଚିଙ୍ଗୁଡ଼ିଆ ଦଳରେ ଭରା । ପାଣିକୁଆଗୁଡ଼ାକ ପୋଖରୀର ମଝିଆମଝି ଟୁବ ମାରୁଥାନ୍ତି-। ଖଣ୍ଡିଆ ଦୀପଦାଣ୍ଡୀ ଉପରେ ବସି ପାରା କେତୋଟି ‘ହୁମ୍‌ରେ ହୁମ୍‌ରୁ’ ଘୁମୁରୁ ଥାନ୍ତି-। ଅତୁଠ ପାଣିକୁ ଲାଗି ହିଞ୍ଜଳଗଛ ଡାଳରେ ବସି ବଗ ବଗୁଲି ମଉନୀ ଯୋଗୀଙ୍କ ପରି ଏକଧ୍ୟାନରେ ପାଣିଭିତରକୁ ବିକଳ ଦୃଷ୍ଟିରେ ଅନାଇ ରହିଥାନ୍ତି । ମନେ ହେଉଥାଏ ଯେପରି ପାଞ୍ଚଦିନ ପଞ୍ଚୁକ ପାଳି ଭୋକ ଉପାସରେ ପଡ଼ି ରହିଥିଲେ; ଏବେ କୋରାଣ୍ଡି କି ମହୁରାଡ଼ିଟିଏ ପାଇଲେ ବ୍ରତ ଉଜାଇଁବେ, ଛାଡ଼ଖାଇ କରିବେ ।

 

ମନ୍ଦିରର ଅଳ୍ପ ଦୂରରେ ଦୋଳବେଦୀ ଉପରେ ପଞ୍ଝାଏ ହବିଷିଆଳୀ ବିଧବା ମାଇପେ ମୁରୁଜ ପକାଇବାରେ ବ୍ୟସ୍ତ । କିଏ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ଠାକୁରାଣୀଙ୍କର ତିନିରଥ ଟାଣିସାରି, ବଡ଼ଦେଉଳର ନୀଳଚକ୍ରରେ ଛାଡ଼ି ଯାଇଥିଲେ ବାନା ନାଲିମୁରୁଜ ଦେଇ ରଙ୍ଗେଇବାରେ ବ୍ୟସ୍ତ । କେଉଁଠି ସାତ ସାଧବ ବୋଇତ ବନ୍ଦାଇବା ପାଇଁ ସାତଦୀପ ଧରୁଥାନ୍ତି । କିଏ ରାସ କୁଞ୍ଜରେ ଶୁଆସାରୀ ବସାଇଦେଇ କାପତା କାପତୀ ଉଡ଼ାଇବାରେ ଲାଗିଥାଏ । କିଏ ବା ପାଲିଙ୍କି ଉପରେ ପାଟଛତା ଟାଣି, ବରକନିଆଙ୍କୁ ମଝିରେ ବସାଇ ପାଲିଙ୍କି ଦଣ୍ଡାତଳେ ଠିଆ ହୋଇଥିବା ଆପଟଙ୍କ ଠେକା ଉଡ଼ିବାରେ ହାତ ଲଗାଇଥାଏ । କେଉଁଠି ବା ଜଳନ୍ଧର ବଧ ହେଲାପରେ ଶୋକବିହ୍ୱଳା ବୃନ୍ଦାବତୀ ମନମାରି ଠିଆ ହୋଇଥାଏ ।

 

ଚକୁଳିଆ ପଣ୍ଡାଟାଏ ଅଣ୍ଟାରେ ଚାଦରଟିଏ ଗୁଡ଼ାଇ ଖଣ୍ଡିଏ ପାକଲା ଗାମୁଛା କାନ୍ଧରେ ପକାଇ, ବାଁ ହାତରେ ବଡ଼ ତାଳପତ୍ର ଛତା ଓ ଡାହାଣ ହାତରେ ଭିକ୍ଷା ଥାଳଟିଏ ଧରି, କାନ୍ଧରେ ଚାଉଳ ଯାଉଁଳି ପକାଇ କପାଳ ମଝିରେ ମସ୍ତବଡ଼ ଚନ୍ଦନ ଟୋପାଟିଏ ମାରି ଦାଣ୍ଡ ମଝିରେ ଗାଁର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ପାଟିକରି ଚାଲିଯାଉଛି କାହାକୁ କିଛି ନ ମାଗି । କିଏ ଚାଉଳ ମୁଠାଏ ଦେଉଛି ତ କିଏ ଦେଉନାହିଁ । କିନ୍ତୁ ସେ ଗାଇ ଗାଇ ଚାଲିଛି । ‘‘ଆହେ, ଏମନ୍ତ ଭାଗ୍ୟବନ୍ତ ଧନବନ୍ତ ଜନ କର୍ଣ୍ଣଦାତା କିଏ ଥିବହେ, ବ୍ରାହ୍ମଣ ହସ୍ତରେ ଭିକ୍ଷାଥାଳରେ ଦାନଦେଇ ପୂଣ୍ୟ ଅର୍ଜନ କରିବ, ଆହେ ଦେବ ଦିଆଇବା ଦାତା ପଣକୁ ଭାର୍ଜନ ହୋଇବ । ଆହେ ମହା-କାର୍ତ୍ତିକ ମାସରେ ମହାପୂଣ୍ୟ ଅର୍ଜନ କରିବ— ଆହେ ଦେବ ଦିଆଯିବା ଦେ ପଦ ବୋଲାଇବ ।’’ ପାଖଘରୁ ଝିଅ ପିଲାଟିଏ ଆସି ତାଟିଆରେ ଆଣିଥିବା ଚାଉଳଗଣ୍ଡିକ ଦେଇଗଲା ।

 

ଦୋଳବେଦୀ ହବିଷିଆଳୀଙ୍କ ମେଳରେ କମ୍ପୁଥାଏ । ହେଲେ ସମସ୍ତଙ୍କ ମନରେ ଘୋର ଦୁଃଖର ଛାୟା । କାହାରି ମନରେ ହର୍ଷ ନାହିଁ । ଗୁଣ୍ଡିଚା ନାନୀର ଅନୁପସ୍ଥିତିହିଁ ସମସ୍ତଙ୍କର ଦୁଃଖର କାରଣ । ଗୁଣ୍ଡିଚା ନାନୀ ବା ଆସିବ କିପରି ! ସମସ୍ତେ ପୁନିଅ ଉଚ୍ଛବରେ ମାତିଥିଲେ ବେଳେ ସେ ବିଚାରୀ ନୀରବରେ ଘର କୋଣରେ ବସି ଦୁଇଆଖିରୁ ଧାର ଧାର ଲୁହ ଗଡ଼ାଇବାରେ ଲାଗିଛି । କେତେବେଳେ ବି କୋହ ସମ୍ଭାଳି ନ ପାରି ବଡ଼ ପାଟିକରି ବାହୁନି ବାହୁନି ଘର କମ୍ପାଇ ଦେଉଛି । ଆଜି ପୁନିଆଁ ପରାଦିନ । ହେଲେ ଗୁଣ୍ଡିଚାର ଆଜି ଘୋର ଉଆଁସ ରାତି । ତାକୁ ଚାରିଆଡ଼ ଅନ୍ଧାର ଦିଶୁଛି । ସେ ନିଜପାଇଁ ଯେତେ ଭାବୁଛି ବେଶୀ ଭାବୁଛି ତାର ଅଭାଗିନୀ ଝିଅ ପାରି କଥା ମନେ ପକାଇ । ସାଇପଡ଼ିଶା ଲୋକେ, ଗାଁ ମାଇପେ, ଭାଇବନ୍ଧୁ ବିରାଦର ଯିଏ ଯେତେ ବୁଝାଇଲେ ଅବୁଝାମନ ବୁଝେ କେତେକେ ? କିନ୍ତୁ କ’ଣ କରାଯାଏ । ‘ଯାହା କରିବେ ସାଇଁ ନା ତା କହାରି ହାତରେ ନାହିଁ ।’ ଦୁଃଖୀ ଭାଗ୍ୟରେ ବିଧାତା କି ଜାଣି ଚିରକାଳ ଦୁଃଖ ଖଞ୍ଜି ରଖିଛି । ଗୁଣ୍ଡିଚା ନ ଖାଇ ନ ପିନ୍ଧି ଏତେ ଅଭାବରେ ପଡ଼ି ସୁଦ୍ଧା କେତେ ଗେହ୍ଲାରେ ବଢ଼ାଇ ଥିଲା ତାର ଏକମାତ୍ର କନ୍ୟା ପାରିକୁ । ଆଜି ପାରିର ଅକାଳ ବାଳୁତ ବୈଧବ୍ୟ ଗୁଣ୍ଡିଚାର ଅଣ୍ଟା ଏକାବେଳେକେ ଭାଙ୍ଗି ଦେଇଛି । ସେ ମଲାଗଲା ହୋଇ ପଡ଼ିରହିଛି । କଥାକଥାକେ କପାଳରେ କର ତାଡ଼ୁଛି, ବିଧାତାକୁ ଗାଳି ଦେଉଛି । ପଛକଥା ଆଗକଥା ଭାବି ହୃଦ ତା’ର ଫାଟି ଯାଉଛି । ତା’ର ଦୁଃଖ କିଏ ଜାଣିବ, କିଏ ସାନ୍ତ୍ୱନା ଦେବ । ତା’ ମନକଥା କିଏ ବୁଝିବ ? ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି କିନ୍ତୁ ମନ ପୋଡ଼ିଗଲେ ଜାଣିବ କିଏ ?

 

ପାରି ତ ସାତବର୍ଷର ପିଲାଟା । ଏ ପର୍ଯ୍ୟନ୍ତ ଦୁଧଦାନ୍ତ ପଡ଼ିନାହିଁ । ତେଣୁ ତା’ର କେଉଁ କଥାକୁ ଘୋରଘମ୍‌ ନାହିଁ । ସେ ଧୂଳିଘର କରି ସାହୀର ସାଥୀଝିଅମାନଙ୍କ ସଙ୍ଗେ ଖେଳରେ ମାତିଛି-। ନିରୀହା ନିରପରାଧା ସପ୍ତବର୍ଷୀୟା ଅଜ୍ଞାନ ବାଳିକା ସେ, କ’ଣ ବୁଝିବ ବୈଧବ୍ୟର ଅସହ୍ୟ ମନୋବେଦନା, ସମାଜର କଠୋର ନୀତି ନିୟମ, କ୍ରୂର କଷାଘାତ । ପାରିକୁ ତାର ଭବିଷ୍ୟତ ଜୀବନର ସୁଖଶାନ୍ତି ସର୍ବସ୍ୱ ବିସର୍ଜନ କରିବାକୁ ହେବ, ତ୍ୟାଗ କରିବାକୁ ହେବ ସମଜାର ତୀବ୍ର ତାଡ଼ନାରେ । ହାୟରେ ସମାଜ !

 

-ଦୁଇ-

 

ଜଗନ୍ନାଥପୁର ଶାସନ ମଝିରେ ବଡ଼ ଚଉଡ଼ା ରାସ୍ତା । ରାସ୍ତା ଦୁଇ ପାଖରେ ଘରକୁ ଲାଗି ଘର । ଘର ଦ୍ୱାର ସାମନାରେ ଛୋଟ ବଡ଼ ନଡ଼ିଆ ଗଛ । ବାରି ପଟକୁ ଡେଙ୍ଗା ଡେଙ୍ଗା ପୁରୁଣା ନଡ଼ିଆ ଗଛମାନ ଧାଡ଼ି ଧାଡ଼ି ହୋଇ ଶୋଭା ପାଉଛି । ଘର ବାରି ତରଫରେ ଏକ ପାଖରେ ଗୋଟାଏ ବଡ଼ ଜୋରରେ ପାଣି ବହି ଯାଉଛି । ଅନ୍ୟ ପାଖରେ ଛୋଟ ଛୋଟ ଗଡ଼ିଆ ଦଳରେ ପୂରି ରହିଛି । ସାରୁକିଆରି, ଶାକସବଜିକୁ ପାଣି ମଡ଼ାଇବା ପାଇଁ କାହାରି କାହାରି ଗଡ଼ିଆ ପାଖରେ ତେଣ୍ଡା ବାଉଁଶ ପୋତା ହୋଇ ରହିଛି ମାସ ମାସ ବରଷ ବରଷ ଧରି ।

 

ଗାଁର ମଝି ରାସ୍ତାଟା ଏକାବେଳକେ ସିଧା ଓ ଫରଚା । ଗାଁ ଗୋଟିଏ ମୁଣ୍ଡରୁ ରାଧାମୋହନଙ୍କ ଗରୁଡ଼ ଖମ୍ବ ପାଖେ ଠିଆ ହୋଇ ଅନାଇଲେ ଆର ମୁଣ୍ଡର ଗୁପ୍ତେଶ୍ୱରଙ୍କ ବାସୁଆ ବଳଦର ଚୂଳ ବି ପରିଷ୍କାର ଦେଖାଯାଉଛି । ଗାଁ ମଝିଆ ମଝି ବଡ଼ ମଠ ନାମରେ ଗୋଟିଏ ମଠ ଅଛି । ସେଠାରେ ଚାଳଘରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ମୂର୍ତ୍ତି ବିଜେ କରିଛନ୍ତି । ବୁଢ଼ା ବୁଢ଼ା ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ ଯେ ଜଗନ୍ନାଥଙ୍କ ଦେଉଳ ହେବାର ଯେତିକି ବରଷ ଏ ଗାଁ ବସିବାର ତେତିକି ହେବ । ଗ୍ରାମର ଇତିହାସ ବିଷୟରେ କୌଣସି ସଠିକ ଓ ବିଶ୍ୱାସଯୋଗ୍ୟ ବିବରଣୀ ଏ ପର୍ଯ୍ୟନ୍ତ ମିଳିନାହିଁ ।

 

ଗୁପ୍ତେଶ୍ୱରଙ୍କ ଭଗ୍ନ ଓ ଜରାଜୀର୍ଣ୍ଣ ମନ୍ଦିରର ଗଠନ ଓ ନିର୍ମାଣ ଚାତୁରୀ ଏବଂ କାରୁକାର୍ଯ୍ୟରୁ ପ୍ରାୟ ଅନୁମିତ ହୁଏ ଯେ ତାହା ନିଶ୍ଚୟ କେଶରୀ ବଂଶୀୟ ରାଜାମାନଙ୍କର କୀର୍ତ୍ତି ହୋଇ ପାରିଥିବ । ରାଧାମୋହନଙ୍କ ମନ୍ଦିରଟି ବହୁତ ପରେ ନିର୍ମିତ ହୋଇଅଛି । ଯେତେଦୂର ସମ୍ଭବ ବୈଷ୍ଣବ ଧର୍ମର ପ୍ରଚାର ସମୟରେ ଏହାର ନିର୍ମାଣ କାର୍ଯ୍ୟ କରାଯାଇଥିବ । କିନ୍ତୁ ଗ୍ରାମର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହରେ ଥିବା ଗ୍ରାମର ନାମକରଣ ଫର୍ଦ୍ଦରେ ଉଲ୍ଲେଖ ଥିବା ବିବରଣୀ ଅଧିକ ବିଶ୍ୱାସଯୋଗ୍ୟ ମନେ ହେଉଥିବାରୁ ତାର ଅବିକଳ ନକଲ ଏଠାରେ ଦିଆଗଲା ।

 

‘ଗ୍ରାମର ନାମକରଣ ଫର୍ଦ୍ଦ’

 

ବହୁଦିନ ପୂର୍ବେ ଏହି ଗ୍ରାମ ଏକ ଘୋର ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ପୂର୍ବଦିଗରେ ଛୋଟ ବୁଦିବୁଦିକା ବଣ ଓ ଗ୍ରାମର ଅଳ୍ପ ଦୂରରେ ଗ୍ରାମ ସୀମାକୁ ଲାଗି ରହିଥିବା ଗୁପ୍ତିମୁଣ୍ଡିଆରୁ ଏବଂ ପଶ୍ଚିମରେ ଥିବା ଆରେଣୀପଦା ନାମକ ବିସ୍ତୃତ ପ୍ରାନ୍ତରରୁ ଅନୁମିତ ହୁଏ ଯେ ଏହି ଗ୍ରାମ ଏକ ସମୟରେ ଅରଣ୍ୟ ମାତ୍ର ଥିଲା । ଭୁବନେଶ୍ୱଠାରୁ ଅଳ୍ପ ଦୂରରେ ଗ୍ରାମର ଅବସ୍ଥିତି ହେତୁ ଭଗ୍ନ ଶିବ ମନ୍ଦିରଟି କେଶରୀବଂଶୀୟ କୀର୍ତ୍ତି ବୋଲି ମନେ ହୁଏ । ଶିବ ମନ୍ଦିର ସଂଲଗ୍ନ ଚତରା ପୋଖରୀ ନାମ ଦାନୀ ପୋଖରୀ । ସ୍ଥାନୀୟ କିମ୍ବଦନ୍ତୀରୁ ବୁଝାପଡ଼େ ଯେ ଜନୈକ ଶିବଭକ୍ତ ବଣିକ ଏହି ଦାନୀ ପୋଖରୀ ଖୋଳାଇଥିଲେ । ମୁଣ୍ଡିଆ ପାଖରେ ଝରଣାଟିଏ ବହି ଯାଉଛି । ମୁଣ୍ଡିଆ ଅର୍ଥାତ୍‌ ଗଛଲତା ଶୂନ୍ୟ ନଣ୍ଡା ପାହାଡ଼ର ନାମ ଗୁପ୍ତମୁଣ୍ଡିଆ । ଲୋକେ କହନ୍ତି ପତିତପାବନୀ ଗଙ୍ଗା । ଗୁପ୍ତେଶ୍ୱରଙ୍କ ସେବା ପାଇଁ ଏହି ମୁଣ୍ଡିଆର କେଉଁ ଅଜଣା ସ୍ଥାନରେ ଗୁପ୍ତରେ ବିଜେ କରିଛନ୍ତି ।

 

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅରଣ୍ୟସ୍ଥଳୀଟି ଅତୀବ ମନୋହର । କାଳକ୍ରମେ ଏ ସ୍ଥାନର ସୌନ୍ଦର୍ଯ୍ୟ, କୃଷି ଉପଯୋଗୀ ଜମି ଆବାଦି କରିବାରେ ସୁଯୋଗ ଓ ଜଳସେଚନର ସୁବିଧା ଥିବାର ଦେଖି ନିକଟବର୍ତ୍ତୀ ଗ୍ରାମରୁ ସାହସୀ ଏବଂ ପରିଶ୍ରମୀ ଲୋକେ କ୍ରମେ କ୍ରମେ ଏଠାରେ ଜଙ୍ଗଲ ସଫା କରି ଘର ଓ ବସତି କରିବାକୁ ଆରମ୍ଭ କଲେ ।

 

ଜଗନ୍ନାଥପୁର ଶାସନ ମୌଜାର ଗ୍ରାମ ନକ୍‌ସା ଦେଖିଲେ ଜଣାଯାଏ ଯେ ଏହା ତିନୋଟି ସିଟ୍‌ ବା ଫର୍ଦ୍ଦରେ ବିଭକ୍ତ । ପ୍ରଥମରେ ଜଗନ୍ନାଥପୁର ଶାସନ, ଦ୍ୱିତୀୟରେ ନୂଆଗାଁ ଏବଂ ତୃତୀୟରେ ପଦାସାହି ବା ସାହିର ପଦା ଅର୍ଥାତ୍‌ ପଡ଼ା । ପ୍ରଥମେ ଜଙ୍ଗଲ ସଫା କରି ଯେଉଁ ବସତି ବସିଲା ତାହା ନୂଆଗାଁ । ସେଠାରେ ସବୁ ଶ୍ରେଣୀର ଲୋକେଥିବାରୁ ଏହା ବିଶ୍ୱାସଯୋଗ୍ୟ । ଜଗନ୍ନାଥପୁର ଶାସନଟି ପଛରେ ବସିଲା । ଏଠାରେ ଅଳ୍ପ କେତେକ ଘର ଛାଡ଼ି ଅଧିକାଂଶ ବ୍ରାହ୍ମଣ ଘର । ପଦା ଗାଁରେ କେତେକ ହରିଜନ ଓ ମୁସଲ୍‍ମାନ ବସ୍ତି ଛଡ଼ା ଖାଲି ବିଲ ଦେଖାଯାଏ ।

 

ବଡ଼ ମଠ ମହନ୍ତଙ୍କ ପୂର୍ବ ଗୋସାଇଁମାନଙ୍କର କୃଷିନାମାରୁ ଜଣାଯାଏ ଯେ ଜଗନ୍ନାଥ ପ୍ରଭୁପାଦ ଦାସ ଗୋସ୍ୱାମୀ ସଦାବ୍ରତ ମଠର ସ୍ଥାପୟିତା । ଚୈତନ୍ୟ ମହାପଭ୍ରୁଙ୍କ ପଞ୍ଚସଖା ଅତିବଡ଼ି ଜଗନ୍ନାଥଙ୍କର ସେ ଥିଲେ ଜଣେ ଶିଷ୍ୟ । ଏ ସ୍ଥାନର ରମଣୀୟତାରେ ମୁଗ୍‌ଧ ହୋଇ ସେ ଏଠାରେ ମଠ କରି ରହିଲେ । ସେ ଚିରକୌମାର ଅର୍ଥାତ୍‌ ଆଜନ୍ମ ବ୍ରହ୍ମଚାରୀ ବ୍ରତ ପାଳନ କରିଥିଲେ । ନୂଆ ଗ୍ରାମର ମୁଖିଆ ଲୋକମାନେ ମଠ ପାଇଁ କିଛି କିଛି ଭୂମି ଦାନ କରିଦେଲେ । କ୍ରମେ ମଠର ସମ୍ପତ୍ତି ବୃଦ୍ଧି ପାଇଲା । ମଠର ସ୍ଥାପୟିତା ତାଙ୍କର ଗୁରୁ ଗୋସେଇଁ ଅତିବଡ଼ି ଜଗନ୍ନାଥ ଦାସଙ୍କ ନାମ ଚିରସ୍ମରଣୀୟ କରିବା ପାଇଁ ନୂଆଗାଁ ନାମ ସହିତ ଜଗନ୍ନାଥପୁର ନାମଟି ଯୋଡ଼ି ଦେଲେ । ଶିବ, ରାଧାମୋହନ ଓ ଜଗନ୍ନାଥ, ସେବାପୂଜା ପାଇଁ ଅନେକ ଶ୍ରୋତ୍ରିୟ ବ୍ରାହ୍ମଣଙ୍କୁ ଏ ଗ୍ରାମରେ ସୁବିଧା ମିଳିଲା । କାରଣ ଯେଉଁ ଗ୍ରାମରେ ବ୍ରାହ୍ମଣ ନାହାନ୍ତି ସେ ଗ୍ରାମ ଗ୍ରାମରେ ଲେଖା ନୁହେଁ । ତେଣୁ ଶାସ୍ତ୍ରାକାରମାନେ ଯଥାର୍ଥରେ କହିଛନ୍ତି ଯେ—

 

ଶ୍ରୋତ୍ରିୟ ବଣିକୋ ରାଜନ୍‌, ନଦୀ ବୈଦ୍ୟ ତୁ ପଞ୍ଚମ ।

ପଞ୍ଚ ଯତ୍ର ନ ବିଦ୍ୟତେ ତତ୍ର ବାସ ନ କାରୟେତ୍‌ ।

 

ଯାହା ହେଉ ମହନ୍ତ ପ୍ରଭୁପାଦ ଏହି ଗ୍ରାମର ନାମ ଜଗନ୍ନାଥପୁର ରଖିଥିବା ଖୁବ୍‌ ବିଶ୍ୱାସଯୋଗ୍ୟ । ଏଠାରେ ବହୁତ ବ୍ରାହ୍ମଣ ବସତି ବସିବାରୁ ଏହା ପରିଶେଷରେ ନୂଆଗାଁ ଜଗନ୍ନାଥପୁର ଶାସନ ନାମରେ ଅଭିହିତ ।’’ ଇତି ।

 

ଶ୍ରୀ ଦୁଃଖୀଶ୍ୟାମ ମିଶ୍ର

ପ୍ରଧାନ ଶିକ୍ଷକ,

ଜଗନ୍ନାଥପୁର ଆଦର୍ଶ ଉ: ପ୍ରା : ବିଦ୍ୟାଳୟ

 

ତିନି

 

ଗାଁ ମଝିରେ ସଦାବ୍ରତ ବଡ଼ ମଠ । ତାକୁ ଘରେ କି ଦି’ଘର ଛାଡ଼ି ଦୁଃଖୀଶ୍ୟାମ ମିଶ୍ରଙ୍କ ଘର । ଗାଁ ପରିମଳ ଧୋବା ତୁଠରୁ । ଗାଁର ସଫାସୁତରା ଧୋବା ତୁଠରୁ ଜଣାପଡ଼େ । ସେହିପରି ଘରର ମର୍ଯ୍ୟାଦା, ସମ୍ମାନ, ସମୃଦ୍ଧି, ପରମ୍ପରା ଘର ପିଣ୍ଡା ବା ସାମନାରୁ ଜଣାପଡ଼େ । ମିଶ୍ରଙ୍କର ଉଚ୍ଚ ମାଙ୍କଡ଼ା ପଥର ପିଣ୍ଡା । ପିଣ୍ଡା ଉପରେ କୁଣ୍ଡା ଓ ମୁଗୁନି ପଥର ସ୍ତମ୍ଭ କେତୋଟି ଶୋଭା ପାଉଛି । ସ୍ତମ୍ଭ ଓ ଦାଣ୍ଡଘର ବାହାର ଓ ଭିତର କାନ୍ଥଗୁଡ଼ିକ ନାନାପ୍ରକାର ସୂକ୍ଷ୍ମ କାରୁକାର୍ଯ୍ୟରେ ଖଚିତ । କେଉଁଠି ନାଗରମଣୀ ପରସ୍ପର ଛନ୍ଦିହୋଇ ପଡ଼ିଛନ୍ତି ତ କେଉଁଠି ବାଳକୃଷ୍ଣ କାଳିନ୍ଦୀ ହ୍ରଦରେ ସପ୍ତଫେଣାଯୁକ୍ତ କାଳୀୟ ଦଳନ କରୁଅଛନ୍ତି । କେଉଁଠାରେ ଦିବ୍ୟାଭରଣ ବିଭୂଷିତା କେଶରୀ ମଧ୍ୟା ଆଭିରୀ ନାରୀବୃନ୍ଦ ତୈଲଙ୍ଗ ବକ୍ରଜୁଡ଼ା ଉପରେ ଦଧିଭାଣ୍ଡ ବହନପୂର୍ବକ ଗମନୋଦ୍ୟତା, କେଉଁଠି ବିରହବିଧୂରା ଜନକତନୟା କୁରୁପା କୌଣପ କାମିନୀଙ୍କ ଦ୍ୱାରା ପରିବେଷ୍ଟିତା ହୋଇ ବିଷଣ୍ଣ ବଦନରେ ଉପବିଷ୍ଟା, କେଉଁଠି ଘୋର ଅରଣ୍ୟ ମଧ୍ୟରେ ଶୀକାରରତ ନୃପବର ଗଣବଣା ଏଣୀର ପଶ୍ଚାତ୍‌ଧାବନରେ ବ୍ୟାପୃତ, କେଉଁଠି ଦୀର୍ଘ ପକ୍ୱକେଶ ଯୋଗୀବର ବ୍ୟାଘ୍ରଚର୍ମୋପରି ମୁକ୍ତ ପଦ୍ମାସନରେ ଉପବିଷ୍ଟ ହୋଇ ଉର୍ଦ୍ଧ୍ୱନେତ୍ରରେ ଭ୍ରୂମଧ୍ୟ ବିନ୍ଦକୁ ଏକାଗ୍ରଚିତ୍ତରେ ଦୃଷ୍ଟିନିକ୍ଷେପ କରିଅଛନ୍ତି, କେଉଁଠି ବ ଯମୁନା ନଦୀ ତଟବର୍ତ୍ତୀ କେଳିକଦମ୍ବ ବୃକ୍ଷ ଡାଳରେ ବୃନ୍ଦାବନଚନ୍ଦ୍ର ଉଲଗ୍ନା, ଜଳକେଳି ନିରତା ଗୋପାଙ୍ଗନାମାନଙ୍କର ବସ୍ତ୍ର ହରଣ କରି କଦମ୍ବ ବୃକ୍ଷ ଶାଖାରେ ଝୁଲାଇ ସ୍ନାନରତା ଗୋପନାରୀମାନଙ୍କର ଅନୁପମ ରୂପଲାବଣ୍ୟ ନିରୀକ୍ଷଣ କରି ବଂଶୀବାଦନ କରୁଅଛନ୍ତି । କୁନ୍ଦନ ଏବଂ ଖୋଦନ କଳା ପରିଚାୟକ ଦାଣ୍ଡଘର ଯାଉଁଳି କବାଟ ମିଶ୍ରଙ୍କ ପିତାମହ, ପ୍ରପିତାମହ କି ବୃଦ୍ଧ ପ୍ରପିତାମହଙ୍କ ଅମଳରୁ ରହି ଆସିଛି ତା ଜାଣିବାର ଯୁ ନାହି । ପାଁଶେଣିଆ ମହୁଡ଼ମରା ଘର । ରୁଅ, ଓରା, ଶେଣୀ ସବୁ କାଠରେ । ତାଳ, ଶାଳ କାଠ ଛଡ଼ା ଆଉ କିଛି ନାହିଁ । ତିନିପୁରୁଷ ଗଲାଣି ଅଥଚ ବଜ୍ର ହୋଇ ରହିଛି । ସେଇଥିପାଇଁ କହିଥାନ୍ତି ଉଭା ତାଳ, ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତାଳ ସେ ଘର ଯାଏ ଅପାର କାଳ ।’’

 

ମିଶ୍ରଙ୍କ ନନା ଥିଲାବେଳେ ତଳସାହୀଲା ଭାଙ୍ଗି ଯାଇଥିଲା । କେବଳ ବାହାର ଗୋଟିଏ ସାହାଲା ବର୍ତ୍ତମାନ ରହିଛି । ଏତେ ଘର ରଖି ପ୍ରତିବର୍ଷ ଛପରବନ୍ଦୀ କରିବା କି ଦରକାର ! ସେଇ ଘରକୁ ତ ମଣିଷ ନାହାନ୍ତି । ପରିବାର ମଧ୍ୟରେ ମିଶ୍ରେ ଆପଣେ ଆଉ ତାଙ୍କ ଘର ମଣିଷ ଶ୍ରୀମତୀ ଗୁଣ୍ଡିଚା । ମିଶ୍ରଙ୍କ ଘର ସାମନାକୁ ଦେଖିଲେ ଯେ କେହି ଅଜଣା ଲୋକ ଭାବିବ ଏ ଜଣେ ଥିଲାବାଲାଙ୍କ ଘର । ଏପରି ଅନୁମାନ କରିବା ସ୍ୱାଭାବିକ । କିନ୍ତୁ ପ୍ରକୃତ ଭିତରି କଥା କିଏ ଜାଣୁଛି-? କର୍ପୂର ଉଡ଼ିଯାଇ କନା ପଡ଼ିଛି । ବାସ୍ତବିକ ମିଶ୍ରଙ୍କର ବଡ଼ ଘରୁଆ ଘର ଥିଲା । ସମୟ ଥିଲା ଯେତେବେଳେ ତାଙ୍କର ପୁରୁବାପୂରୁବ ନନା ଗୋସେଇଁ ବାପମାନେ ଖୁବ ନାମ କମେଇଥିଲେ-। ସେହିପରି ବସ୍ତିର ଧନଦଉଲତ, ଜମିବାଡ଼ି, ବାଗବଗିଚା, ଘରଦ୍ୱାର, ଆସବାପତ୍ର କରିଥିଲେ-। ଦାନ ସୂତ୍ରରେ ପ୍ରଚୁର ଦେବୋତ୍ତର ବାହେଲ ଜମିର ମାଲିକ ହୋଇଥିଲେ । ମିଶ୍ରଙ୍କର ଜେଜଗୋସେଇଁ ବାପା କେହି ଜଣେ ମହାପଣ୍ଡିତ ଥିଲେ । ସେ ସଙ୍ଗୀତ, ସାହିତ୍ୟ, ଜ୍ୟୋତିଷ ବିଦ୍ୟାରେ ବିଶେଷ ପାରିଦର୍ଶିତା ଲାଭ କରିଥିଲେ । ସେ ବାରବର୍ଷ କାଳ କାଶୀଧାମରେ ସଂସ୍କୃତ ଶିକ୍ଷା କରି ମହା ପଣ୍ଡିତ ବୋଲାଇଲେ । ସଂସ୍କୃତରେ ତାଙ୍କର ବେଶ ଦକ୍ଷତା ଥିଲା । ସେ ପଣ୍ଡିତମାନଙ୍କର ସଭା ସମିତିରେ ସଂସ୍କୃତରେ ଅନର୍ଗଳ ବକ୍ତୃତା ଓ ଭାଷଣମାନ ଦେଇ ପାରୁଥିଲେ-। ସେ ମଧ୍ୟ ବଡ଼ ଧରଣର ଚଣ୍ଡୀ ସାଧକ ଥିଲେ ଏବଂ ଗୁଣିଗାରେଡ଼ି ବିଦ୍ୟା ମଧ୍ୟ ଜାଣୁଥିଲେ-। ସୁତରାଂ ସେ ତାଙ୍କ ସମକାଳୀନ ରାଜା, ମହାରାଜା, ଧନୀ, ଜମିଦାରମାନଙ୍କ ଦ୍ୱାରା ବିଶେଷ ସମ୍ମାନିତ ହେଉଥିଲେ ଉପରନ୍ତୁ ବାଜପେୟୀ ଉପାଧିରେ ଭୂଷିତ ହୋଇଥିଲେ ।

 

ବାସ୍ତବିକ୍‌ ସମୟ ଥିଲା ଯେତେବେଳେ ଆମ ଦେଶର ରାଜା, ମହାରାଜା, ଶେଠ, ଜମିଦାରମାନେ ବଡ଼ ଗୁଣଗ୍ରାହୀ ଥିଲେ ଏବଂ ଗୁଣୀ ଲୋକମାନଙ୍କୁ ଯଥାର୍ଥ ଆଦର କରୁଥିଲେ । ଫଳରେ ଦେଶରେ କବି, ଲେଖକ, ପଣ୍ଡିତ, ଶିଳ୍ପୀ, ସଙ୍ଗିତଜ୍ଞ, ସୈନିକ, କଳାବିତ୍‌, ଗୁରୁ, ବ୍ରାହ୍ମଣମାନେ ବିଶେଷ ଆଦୃତ, ପୁରସ୍କୃତ ଓ ସମ୍ମାନିତ ହେଉଥିଲେ । ଫଳତଃ ଚଉଷଠି କଳାରେ ଉନ୍ନତ ଆମର ଉତ୍କଳ ରାଜ୍ୟ, ସ୍ୱନାମଧନ୍ୟ ହୋଇପାରିଥିଲା, ନାମର ସାର୍ଥକତା ହାସଲ କରିଥିଲା-। ସେ ରାମ ନାହାନ୍ତି କି ସେ ଅଯୋଧ୍ୟା ନାହିଁ । କେହି କେହି ଧନୀ ଜମିଦାର, ରାଜା ମହାରାଜା ଭୋଗବିଳାସ, ସ୍ୱାର୍ଥସାଧନରେ ଲିପ୍ତ । କେହି ବା ଅଭାବଗ୍ରସ୍ତ ଦୀପ୍ତିହୀନ; କାହାର ବା କ୍ଷମତାରବି ଅସ୍ତମିତ ହୋଇଗଲେଣି । ସେମାନେ ଆଉ କଳାର ମର୍ଯ୍ୟାଦା ବୁଝେବେ କେଉଁଠୁ-? ସାଧାରଣ ଲୋକଙ୍କ କଥା ଛାଡ଼ ।

 

ବାଜପେୟୀ ଏତେ ପଇସା କଉଡ଼ି, ଧନ ଦଉଲତ କମେଇ ଥିଲେ, ଯେ ତାଙ୍କପରି ଧନଶାଳୀ ସେ ଗ୍ରାମରେ ଆଉ କେହି ନଥିଲେ, କେବଳ ବଡ଼ ମଠ ମହନ୍ତଙ୍କୁ ଛାଡ଼ି । ବଡ଼ମଠ ସଙ୍ଗେ ବାଜପେୟୀ ପୂଜା, ପର୍ବ ପର୍ବାଣୀ, ଦାନଧର୍ମ, ସଦାବ୍ରତ ସବୁଥିରେ ପ୍ରତିଦ୍ୱନ୍ଦିତା କରୁଥିଲେ । ପ୍ରତିବର୍ଷ ଯାଗଯଜ୍ଞର ବ୍ୟବସ୍ଥା ମଧ୍ୟ ହେଉଥିଲା । ତାଙ୍କ ନାମ ଅନୁସାରେ ମିଶ୍ରଙ୍କ ଘରକୁ ପଣ୍ଡିତ ଘର ବୋଲି କୁହାଯାଉଛି । ତେବେ ଆଗର ଅବସ୍ଥା ଆଉ କାହିଁ ? ମାନ ମହତ୍‌ ଜଗି, ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି, ଦାନ, ଧର୍ମ, ଅତିଥି ଅଭ୍ୟାଗତରେ ମିଶ୍ରଙ୍କର ପୂର୍ବ ମହାଜନମାନେ ପୈତୃକ ସମ୍ପତ୍ତି ସବୁ ସାରିଯାଇଛନ୍ତି । ଦୁଃଖୀଶ୍ୟାମ ମିଶ୍ରଙ୍କ ଅମଳକୁ ଆଉ କିଛି ନାହିଁ ଯାହା କହନ୍ତି ଶୂନ୍ୟ ଶୂନ୍ୟ ସର୍ବ ଶୂନ୍ୟ । ବସି ଖାଇଲେ ନଈବାଲି ସରେ । ପଣ୍ଡିତ ବାଜପେୟୀଙ୍କ ସ୍ୱର୍ଗାରୋହଣ ପରେ ତାଙ୍କର ଉତ୍ତରାଧିକାରୀମାନେ ଆଉ ସେପରି ପଣ୍ଡିତ କେହି ହୋଇ ପାରିଲେ ନାହିଁ । ବରଂ କେହି କେହି ବାହା ବ୍ରତରେ, ଭାଙ୍ଗ ଭୋଜିରେ, ମୌଜ ମଜଲିସରେ, ବେୟାଡ଼ା ଖର୍ଚ୍ଚ କରିବାରେ ପଣ୍ଡିତ ହେଲେ ଅଥବା ଖାଇ ଖୁଆଇ ଏତେ ବଡ଼ ସମ୍ପତ୍ତି ନଷ୍ଟ କରିଦେଲେ । ଦୁଃଖୀ ମିଶ୍ରଙ୍କ ବେଳକୁ ଆଉ କିଛି ନାହିଁ । କେବଳ ଦୁଃଖ ଅଛି କହିଲେ ଚଳେ । ବିଶେଷତଃ ଦାନ ଧର୍ମ, ଅତିଥି ଅଭ୍ୟାଗତ ଚର୍ଚ୍ଚାରେ ଅମାପ ଖର୍ଚ୍ଚ କରି ପଣ୍ଡିତ ଘର ନଷ୍ଟହୋଇ ଯାଇଛି ବୋଲି ଗାଁ ଲୋକେ କହନ୍ତି । ଏଥିରେ ସଭ୍ୟତା ଢେର ଅଛି । ବାଜପେୟୀଙ୍କ ଭାବୀ ବଂଶଧର ବା ଉତ୍ତରାଧିକାରୀମାନେ ଆଉ ତ ସମ୍ପତ୍ତି କମେଇ ନ ଥିଲେ ଗମେଇ ଥିଲେ । ଏ ଯୁଗରେ ତ ଦାତା ଦରିଦ୍ର କୃପଣ ଧନାଢ଼୍ୟ । ବିନା କୃପଣ ନହେଲେ ବହୁଧନ ସଂଚୟ କରିବା ଅସମ୍ଭବ । ସଂଚୟଶୀଳ ନହେଲେ ଲୋକ ନିଶ୍ଚୟ ଅଭାବଗ୍ରସ୍ତ ହେବ । ପକ୍ଷାନ୍ତରେ ସନ୍ତୋଷ ରୂପକ ଅମୃତ ପାନ କରିବା ସମସ୍ତଙ୍କ ଦ୍ୱାରା ହୋଇପାରେ ନାହିଁ କି ସମସ୍ତେ ସୁଦାମା, ଧ୍ରୂବ ପ୍ରହ୍ଲାଦ ଭକ୍ତଙ୍କ ପରି ଗରିବ ହୋଇ ରହିବାପାଇଁ ଭଗବାନଙ୍କୁ ବର ମାଗି ପାରିବେ ନାହିଁ ।

 

ବାଜପେୟୀଙ୍କ ପରେ ପରେ ତାଙ୍କର ଉତ୍ତରାଧିକାରୀମାନଙ୍କ ଦୋଷରୁ ଖାନଦାନ ଘର ଛାରଖାର ହେଲା । ଅନ୍ୟ ପକ୍ଷରେ ଖୁବ୍‌ କଞ୍ଜୁସ୍‌ ପଣିଆ କରି, ଠାକୁରଙ୍କ ନୀତି, ପୂଜା ଅର୍ଚ୍ଚନା, ଦାନ ଧର୍ମ, ଅଭ୍ୟାଗତି ସଂକୋଚ କରି ବଡ଼ ମଠର ସମ୍ପତ୍ତି କ୍ରମଶଃ ବୃଦ୍ଧି ପାଇଲା । ପ୍ରାୟ ମିଶ୍ରଘର ସମ୍ପତ୍ତିର ପନ୍ଦରଣା ମଠ ଗୋସେଇଁମାନେ ଆସ୍ତେ ଆସ୍ତେ କିଣି ନେଲେ । ଦୁଃଖୀଶ୍ୟାମ ମିଶ୍ରଙ୍କ ପୈତୃକ ସମ୍ପତ୍ତି ଆଉ ରହିଥିଲା ମାତ୍ର ଏକ ଏକର । ସେତକ ବି ହାତ ଚାଷ ନ ଥିଲା । ଧୂଳିଭାଗରେ ଜଣେ କହି ଚଷା ଯାହା ଦେଉଥିଲା ସେତିକିରେ ଭରଣପୋଷଣ କରିବାକୁ ପଡ଼ୁଥିଲା-। ମିଶ୍ରଙ୍କ ବାପା ଥିଲାବେଳେ କଷ୍ଟେ ମଷ୍ଟେ ହଳହଡ଼ା ରଖି ଚାଷ କରୁଥିଲେ-। ବ୍ରାହ୍ମଣିଆ ଚାଷ କେବଳ ମୂଲିଆ ପୋଷିବା ସାର । ତେଣୁ ଜମିତକ ଭାଗ ଲଗାଇ ଦେଇ ଯାହା ମିଳିଲା ସେତିକିରେ ଗୁଜରାଣ ମେଣ୍ଟାଇବାକୁ ପଡ଼ୁଥିଲା ।

 

‘କାଳସ୍ୟ କୁଟୀଳା ଗତି ।’ ସମୟ ଥିଲା ଯେତେବେଳେ ମିଶ୍ରଘର ଘୁ ଘୁ କମ୍ପୁଥିଲା । ବିସ୍ତର ବିଲବାଡ଼ି ବାଗ ବଗିଚାରୁ ଢେର ଆୟ ବି ହେଉଥିଲା । ଘରୁ ଦୁଧ, ଦହି, ଘିଅ, ନହୁଣୀ କେତେବେଳେ ଛାଡ଼ ନଥିଲା । ସବୁ ସମ୍ପତ୍ତି ଗଲା । ହଳ ହଡ଼ା ଗଲେ, ଭାଗଚଷା ଯାହା ହେଲେ ଆଉ ଗ୍ରାମ ଜଜମାନୀ ବୃତ୍ତିରୁ ଯାହା ମିଳୁଥିଲା ସେତିକି ମାତ୍ର ସମ୍ବଳ କରି ଘର ଚଳାଇବା କଥା ।

 

ଲକ୍ଷ୍ମୀ ତ ଚଞ୍ଚଳା; କେତେବେଳେ ରହନ୍ତି ପୁଣି କେତେବେଳେ ଯାନ୍ତି କିଏ କଳନା କରିବା ଲକ୍ଷ୍ମୀ ଆସିଲାବେଳେ ନଡ଼ିଆ ଭିତରେ ପାଣି ପରି ଆସନ୍ତି ଏବଂ ଗଲାବେଳେ ହାତୀ କଇଁଥ ଖାଇଲା ନ୍ୟାୟରେ ଯାନ୍ତି ।

 

ଦୁଃଖୀଶ୍ୟାମଙ୍କୁ ଯେତେବେଳେ ସାତବର୍ଷ ତାଙ୍କ ବାପା ଅଗାଧୁ ମିଶ୍ରଙ୍କର ଦେହାନ୍ତ ହୋଇଗଲା । ବିଧବା ମା’ଟି ପିଲାକୁ ବହୁ କଷ୍ଟରେ ପାଳି ବଞ୍ଚାଇ ରଖିଲା । ଦୁଃଖୀଶ୍ୟାମ ଗାଁ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପଢ଼ାପଢ଼ି କଲା । ଆଉ ବଡ଼ ମଠରେ ଥିବା ସଂସ୍କୃତ ଟୋଲରେ ମଧ୍ୟ ଯୋଗଦେଲା । ନିକଟରେ କୌଣସି ମଧ୍ୟଇଂରାଜୀ ବା ଉଚ୍ଚ ଇଂରାଜୀ ବିଦ୍ୟାଳୟ ନଥିଲା । ସୁତରାଂ ଗ୍ରାମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସଂସ୍କୃତ ପ୍ରଥମ ଖଣ୍ଡ ପାସ୍‌ କଲା । ତା’ ପରେ ଅନ୍ୟ ଉପାୟ ନ ଦେଖି ପାଞ୍ଚ ଟଙ୍କା ବୃତ୍ତିରେ ଗୁରୁଟ୍ରେନିଂ ସ୍କୁଲରେ ପଢ଼ିଲା । ପଢ଼ିସାରି ଗାଁ ସ୍କୁଲରେ ମାସିକ ଦଶଟଙ୍କା ବେତନରେ ଦ୍ୱିତୀୟ ଶିକ୍ଷକ ପଦରେ ନିଯୁକ୍ତ ହେଲା । ଘରେ ବିଧବା ମା’ଟି ଆଉ ସେ ଏପରି ଦୁଇଜଣ । ବଡ଼ ଅଭାବରେ ଭୋକ ଉପାସରେ ଦିନ ଯାଉଥାଏ । ଦୁଃଖୀଶ୍ୟାମ ମିଶ୍ରେ ଦେଖିବାବୁ ବେଶ ପସନ୍ଦଦାର ଚଉହତା ମରଦ । ଦେହର ବର୍ଣ୍ଣ ଚମ୍ପାଫୁଲ ପରି-। ସୁନ୍ଦର ସୁଗୋଲ ମୁଖ ମଣ୍ଡଳ । କପାଳରେ ବଡ଼ ଚନ୍ଦନ ଟୋପା ଆଉ ବେକରେ ରୁଦ୍ରାକ୍ଷ ମାଳାଟି ଶୁଦ୍ଧ ସାତ୍ୱିକ ମନୋଭାବର ପରିଚୟ ଦେଉଥାଏ ପୁଣି ସତେ ଯେପରି ବ୍ରହ୍ମତେଜ ଫୁଟି ଉଠୁଛି-

 

ଥରେ ସନ୍ଧ୍ୟାବେଳେ ମାଆ ପୁଅ ଦୁହେଁ ଦାଣ୍ଡ ଚାନ୍ଦେନୀ ଉପରେ ବସିଥାନ୍ତି । କଥା ନହସରେ ମା ବୁଢ଼ୀ କହି ବସିଲା, ‘ହଇରେ ଦୂଖା ତୋତେ ତ ଆସି କୋଡ଼ିଏ ତେର ବରଷ ହେଲାଣି ଆଉ କେତେ ଦିନ ବସି ରହିବୁ । ତୋର ହାତକୁ ଦିହାତ ହୋଇଗଲେ ମୋ ଆଖି ଦେଖନ୍ତା । ମୁଁ ବା ଆଉ କେଇଟା ଦିନ ବଞ୍ଚିବି ? ଏଣିକି ମାଟି ଖୋଜି ବସିଲିଣି ? ଦୁଃଖୀଶ୍ୟାମ ହଠାତ୍‌ କହି ପକାଇଲା, ‘ହଁ ପାଖରେ ନ ଥାଏ ଧନ ନା ପୁଅ ବାହା କରି ମନ ।’ କଥାଟି ସିନା କହି ପକାଇଲା କିନ୍ତୁ ମା ବୁଢ଼ୀ କଥାଟା ମନ ମଧ୍ୟରେ ଗୋଟାଏ ଆଲୋଡ଼ନ ସୃଷ୍ଟି କଲା । ସଙ୍ଗେ ସଙ୍ଗେ ଦୁଃଖୀଶ୍ୟାମ ମା’କୁ ବୁଝାଇ ବସିଲା, ‘‘ହେଉ ଏହି ଆସନ୍ତା ମଗୁଶୀରବେଳକୁ ଦେଖି ବ୍ୟବସ୍ଥା କରିବା ।’’

 

ବୁଢ଼ୀ ମନ ଲାଗିଥାଏ । ସେ ସାହୀର ଲେଖାଯୋଖା ଦିଅର ନାରଣ ଷଡ଼ଙ୍ଗୀଙ୍କୁ ବହୁତ ଅନୁନୟ ବିନୟ ହୋଇ କହିଥାଏ ଷଡ଼ଙ୍ଗୀଙ୍କୁ ଏ ସବୁ ବାହା ବ୍ରତ, ବରକନ୍ୟା ଯୁଟାଯୁଟି ପାତ୍ର ପାତ୍ରୀ ଠିକଣା କରିବାରେ, ପ୍ରଜାପତି ଘଟସୂତ୍ର ଧରିବାରେ ବଡ଼ ଧୁରନ୍ଧର । ଦୁଃଖୀଶ୍ୟାମକୁ ବି ଏ ମଧ୍ୟରେ ବହୁବାର ନାରଣ କକେଇଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଲା । ଦିନେ ଷଡ଼ଙ୍ଗୀୟେ ଆସି ଦୁଃଖା ବୋଉକୁ ଡାକି କହିଲେ, ‘ହଇ ହେ ଭାଉଜ, ଆଜିକାଲି ତ ଦେଖୁଛ କନ୍ୟାସୁନା ବଢ଼ିଯାଇଛି । ତା’ ପରେ ତମର ତ ଦୁରବସ୍ଥା; ଏପରି ସ୍ଥଳେ କ’ଣ କରାଯିବ । ଯଦି କିଛି କନିଆ ସୁନା ଦେବ ତ ତେବେ ଏତେ ଦୂର କାହିଁକି, ଆମର ସାହୀର ବାଇଧର ଶତପଥୀଙ୍କ ଝିଅ ବିଷୟରେ ମୁଁ କଥା ସ୍ଥିର କରିଦେବି । ପାତ୍ରୀଟି ବଡ଼ ସୁନ୍ଦର ଆଉ ସ୍ୱଭାବ ଭଲ । ତା’ର ଚାଲିଚଳନରୁ ଘରକରଣା ଢଙ୍ଗ ହେବାର ବି ଜଣାପଡ଼ୁଛି, କିନ୍ତୁ ଶତପଥୀଙ୍କ ଡାକ ଟିକିଏ ସମ୍ଭାଳି ପାରିଲେ ହେଲା । ତାଙ୍କୁ ନଗଦ ପାଁଶ ଟଙ୍କା ଦେଲେ ସେ ତିନିଶ ଟଙ୍କା ମହାଜନ ସୁଝି ବାକୀ ଦୁଇଶ ଟଙ୍କାରେ ଝିଅ ବୋଝ ଉଠାଇବେ । ପରିବ ତ ?’ ଏକଥା ଶୁଣି ଦୁଃଖିଆ ବୋଉ ହାଁ କରି ଉପରକୁ ଅନାଇ ରହିଲା । ହେଲେ ଦୁଃଖୀଶ୍ୟାମ ସାହସ ବାନ୍ଧି କହି ବସିଲା, ‘କକେଇ, ବୁଝ ଯେମିତି ହେଉ କରିଦେବି ।’

 

ଶୁଭକାର୍ଯ୍ୟ ଯୋଗଥିଲେ ଶୀଘ୍ର ହୋଇଯାଏ । ବାଧାବିଘ୍ନ ଆସେ ସତ କିନ୍ତୁ କାମ ରହେ ନାହିଁ । ଯେତେବେଳେ କକେଇଙ୍କୁ ଜବାବ ଦେଇସାରିଛି ସେତେବେଳେ ଦୁଃଖୀଶ୍ୟାମ ଆଉ ପଛେଇବା ଲୋକ ନୁହେଁ । ସେ ତାଙ୍କର ଏକ ଏକର ଜମିରୁ ଅଧ ଏକର ଦଖଲ ବନ୍ଧକ ଦେଇ ଆପଣା ଗ୍ରାମର ମହାଜନ ଆରତବନ୍ଧୁ ତିଆଡ଼ୀଙ୍କଠାରୁ ପାଁଶ ଟଙ୍କା କରଜବୟ କଲା ଏବଂ ମଙ୍ଗଳକୃତ୍ୟଟି ଯେନ ତେନ ପ୍ରକାରେଣ ଉଠାଇ ନେଲା ।

 

ବାଇଧର ଶତପଥୀ ନିଜର ମହାଜନ ଦେଣା ତିନିଶ ଟଙ୍କା ସୁଝି ବାକୀ ଦୁଇଶ ଟଙ୍କାରେ କନ୍ୟାର ଗୁଣ୍ଡିଚାକୁ ଦୁଃଖୀଶ୍ୟାମଙ୍କୁ ଦାନ କଲେ । ଗୁଣ୍ଡିଚା ଆଉ ଦୁଃଖୀଶ୍ୟାମଙ୍କ ବସୟର ତାରତମ୍ୟ ଢେର ଥିବାର ଜାଣି ଗାଁର ନାନା ଲୋକ ନାନାପ୍ରକାର ଗଳ୍ପ, ନାନାପ୍ରକାର ଆଲୋଚନା କଲେ; କିନ୍ତୁ କାଳର ଗତିରେ ସେସବୁ ସମସ୍ତଙ୍କ ମନରୁ ବିସ୍ତୃତ ହୋଇଗଲା । ମା’ ବୁଢ଼ୀର ଆନନ୍ଦର ସୀମା ରହିଲା ନାହିଁ । ସେ ଘାଟରେ ବାଟରେ ବୋହୂର ପ୍ରଶଂସା ସବୁବେଳେ ଗାଇ ବୁଲିଲା ।

 

ମିଶ୍ରଙ୍କର ବାହାଘର ହେବାର ଅନେକ ଦିନ ହୋଇଗଲା । ମା ବୁଢ଼ୀ ବିବାହର ପାଞ୍ଚ କି ଛଅ ବର୍ଷ ପରେ ଇହଧାମ ଛାଡ଼ି ଚାଲିଗଲେ ।

 

ଶ୍ରୀଗୁଣ୍ଡିଚା ଦିନ ଜନ୍ମ ହୋଇଥିବାରୁ ବାପ ମା ଝିଅର ନାମ ରଖିଥିଲେ ଗୁଣ୍ଡିଚା । ଗୁଣ୍ଡିଚା କି ରୂପରେ, କି ଗୁଣରେ, କି ଘର କରଣାରେ ସବୁଥିରେ ପ୍ରଶଂସା ଅର୍ଜନ କରିପାରିଥିଲା । ଗାଁର ସାହୀ ଝିଅ ବୋହୂ, ବୁଢ଼ୀ ସମସ୍ତଙ୍କ ମୁହଁରେ ଗୁଣ୍ଡିଚାର ଭୂରି ଭୂରି ପ୍ରଶଂସା ଶୁଣାଗଲା । ସେ ଯେପରି ପତିପରାୟଣା, ସେହିପରି ସହନଶୀଳା, ସ୍ନେହମୟୀ, ମିଷ୍ଟଭାଷିଣୀ ଏବଂ ମେଳାପି ସ୍ତ୍ରୀ ଥିଲା । ଦୁଃଖିଶ୍ୟାମ ମିଶ୍ର ଗୁଣ୍ଡିଚା ପରି ଗୁଣବତୀ ପତ୍ନୀଟିଏ ପାଇ ମହାସୁଖରେ ଦିନ କାଟିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ହେଁ କୌଣସିମତେ ଦିନଗୁଡ଼ିକ ସୁରୁଖୁରୁରେ କଟିଯିବାକୁ ଲାଗିଲା ।

 

ଚାରି

 

ଦୁଃଖିଶ୍ୟାମ ମିଶ୍ରେ ବଡ଼ କର୍ତ୍ତବ୍ୟନିଷ୍ଠ ଓ ପରିଶ୍ରମୀ । ଗ୍ରାମ ବିଦ୍ୟାଳୟରେ ହେଡ଼ ପଣ୍ଡିତ ମହାଶୟଙ୍କ ତିରୋଧାନ ପରେ ଦୁଃଖିଶ୍ୟାମ ନିଜର କର୍ମକୁଶଳତା ଏବଂ କର୍ତ୍ତବ୍ୟନିଷ୍ଠା ଫଳରେ ମାସିକ ୧୨ ଟଙ୍କା ବେତନରେ ଗ୍ରାମ୍ୟ ନି: ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦକୁ ଉନ୍ନୀତ ହେଲେ । ବର୍ଷ କେତୋଟି ମଧ୍ୟରେ ତାଙ୍କର ପ୍ରଚେଷ୍ଟାରେ ଗ୍ରାମ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଗୋଟିଏ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇପାରି ସମଗ୍ର ଜିଲାରେ ପ୍ରସିଦ୍ଧ ଲାଭ କଲା । ବର୍ଷକୁ ବର୍ଷ ମିଶ୍ରଙ୍କ ଛାତ୍ରମାନେ ଉ:ପ୍ରା: ବୃତ୍ତି ପାଇବାକୁ ଲାଗିଲେ । ଏହା ବ୍ୟତୀତ ସାଧାରଣ ପାଠପଢ଼ା, କ୍ରୀଡ଼ା, ବ୍ୟୟାମ, ଉଦ୍ୟାନ କାର୍ଯ୍ୟ, ହସ୍ତକର୍ମ ସବୁଥିରେ ମିଶ୍ରଙ୍କ ବିଦ୍ୟାଳୟ ଆଦର୍ଶ ସ୍ଥାନୀୟ ହୋଇପାରିଲା । ବିଭାଗୀୟ ପରିଦର୍ଶକ କର୍ମଚାରୀମାନେ ମିଶ୍ରଙ୍କ କାର୍ଯ୍ୟରେ ଅତିଶୟ-ପ୍ରୀତ ହୋଇ ତାଙ୍କର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ । ପ୍ରଶଂସା ଅର୍ଜନ କରିବା ପାଇଁ ମିଶ୍ରଙ୍କଠାରେ ବହୁତ ମୌଳିକ ଗୁଣ ମଧ୍ୟ ଥିଲା । ମିଶ୍ରେ ଉତ୍ତମରୂପେ ବୁଝିଥିଲେ ଯେ କେବଳ ପିଲାଙ୍କୁ ବହି ଘୋଷାଇ ପୁସ୍ତକଗତ ଜ୍ଞାନ ପ୍ରଦାନ କରିବା ଅପେକ୍ଷା ଛାତ୍ରମାନଙ୍କୁ ପ୍ରକୃତରେ ଜ୍ଞାନୀ, ଚରିତ୍ରବାନ୍‌ ଏବଂ ଉତ୍ତମ ନାଗରିକ ରୂପେ ତାଲିମ କରାଇବା ଅଧିକ ମାନବୋଚିତ ଅଟେ । ତେଣୁ ମିଶ୍ରଙ୍କର ଛାତ୍ରମାନେ ତାଙ୍କଠାରୁ ଶିକ୍ଷାଦାନ ପାଇବା ସଙ୍ଗେ ସଙ୍ଗେ ଯେଉଁ ମୂଲ୍ୟବାନ ଉପଦେଶ ପାଉଥିଲେ ତଦ୍ଦ୍ୱାରା ସେମାନେ ଭବିଷ୍ୟତରେ ମଣିଷ ପରି ମଣିଷ ହୋଇ ପାରୁଥିଲେ । ମିଶ୍ରଙ୍କ ତାଲିମ ଛାତ୍ରମାନେ ଜୀବନରେ ବିଭିନ୍ନ କର୍ମକ୍ଷେତ୍ରରେ ଖୁବ୍‌ ସୁନାମ ଅର୍ଜନ କରିବାରେ ସକ୍ଷମ ହେଲେ ।

 

ସୁତରାଂ ମିଶ୍ରଙ୍କୁ ବିଭାଗୀୟ କଡ଼ା ନିୟମ କାନୁନ ଓ କଟକଣା ଭିତରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନ, ଛାତ୍ରଭିଭାବକମାନଙ୍କ ସହିତ ସଦ୍‌ଭାବ ସ୍ଥାପନ କରିବାକୁ କାର୍ଯ୍ୟ ଏବଂ ସମାଜ ସଂସ୍କାର ଦିଗରେ ମଧ୍ୟ ଦୃଷ୍ଟିଦେବାକୁ ପଡ଼ୁଥିବାରୁ ତାଙ୍କୁ ବିଶେଷ ପରିଶ୍ରମ କରିବାକୁ ହେଉଥିଲା ।

 

ବିଭାଗୀୟ କର୍ମଚାରୀମାନେ ବିଦ୍ୟାଳୟ ପରିଦର୍ଶନକୁ ଆସି ମିଶ୍ରଙ୍କ ବ୍ୟବହାର ଏବଂ ଆତିଥ୍ୟରେ ମୁଗ୍‌ଧ ହୋଇ ଗୋଟିଏ ଗୋଟିଏ ଦଫାରେ ପାଞ୍ଚ ସାତ ଦିନ ଏହି ଜଗନ୍ନାଥପୁର ଶାସନ ଆଦର୍ଶ ଉ: ପ୍ରା: ବିଦ୍ୟାଳୟରେ କଟାନ୍ତି । ଅନ୍ୟ ଯେ କେହି ଭଦ୍ରବ୍ୟକ୍ତି ତାଙ୍କ ବିଦ୍ୟାଳୟକୁ ଆସିଲେ ମିଶ୍ରେ ତାଙ୍କୁ ଯର୍ଥାଥ ସମ୍ମାନ ଦେଖାଇବା ସଙ୍ଗେ ସଙ୍ଗେ ଯଥାଯୋଗ୍ୟ ଆତିଥ୍ୟ ମଧ୍ୟ ପ୍ରଦାନ କରିଥାନ୍ତି । ସମସ୍ତଙ୍କ ସହିତ ସହୃଦୟତା ଓ ସଭାବ ଥିବାରୁ ମିଶ୍ରଙ୍କର ଅଭାବ ଆର୍ଥିକ ଦୂର ହୋଇଯାଉଥାଏ । ବିଭାଗୀୟ କର୍ମଚାରୀମାନେ ମିଶ୍ରଙ୍କୁ କେବଳ ମୌଖିକ ଏବଂ ଲିଖିତ ପ୍ରଶଂସାମାନ ଶୁଣାନ୍ତ କିନ୍ତୁ ତାଙ୍କର ଆର୍ଥିକ ଉନ୍ନତି ଦିଗରେ କିଛି ହେଲେ କରିପାରନ୍ତି ନାହିଁ । ମିଶ୍ରେ ବି ଉତ୍ତମ ରୂପେ ଜାଣି ରଖିଥାନ୍ତି ଯେ ଶିକ୍ଷକଙ୍କ ଆର୍ଥିକ ଉନ୍ନତ ଦିଗରେ ସେମାନେ କିଛି କରିପାରିବେ ନାହିଁ । କାରଣ ମିଶ୍ର କହିଥାନ୍ତି, ଥରେ ତାଙ୍କ ଶିକ୍ଷା ବିଭାଗୀୟ ଉଚ୍ଚତମ କର୍ମଚାରୀ ତାଙ୍କ ବିଦ୍ୟାଳୟ ପରିଦର୍ଶନ କରି ମିଶ୍ରଙ୍କର ସ୍କୁଲ କାର୍ଯ୍ୟ, ଶିକ୍ଷାଦାନ, ସମାଜ ସେବା, ଛାତ୍ରଙ୍କ ଚରିତ୍ର ଗଠନ ଦିଗରେ ବହୁ ଆଳକାଂରିକ ଶବ୍ଦରେ ମନ୍ତବ୍ୟମାନ ଲିପିବଦ୍ଧ କରି ଦୁଇଟଙ୍କା ବେତନ ବୃଦ୍ଧି କରିବାକୁ ନିର୍ଭର ଜବାବ ଦେଇ ମଧ୍ୟ ଜବାବ ରକ୍ଷା କରିପାରି ନଥିଲେ ।

 

ମିଶ୍ରଙ୍କ ବିଦ୍ୟାଳୟରେ ଛାତ୍ରମାନଙ୍କ ହସ୍ତକୃତ ପଙ୍ଖା, ବ୍ୟାଗ, ବାକ୍‌ସ, କାଗଜର ଅଭଙ୍ଗା କଣ୍ଢେଇ , ପାପୋଛ, ଗାଲିଚା, ସପ ମଶିଣା, ସଢ଼େଇ ଓ ସିପ ବୋତାମ, ଖଡ଼ି କାମ, ସୂତା ଓ ସିଲେଇ କାମ ସମଗ୍ର ଜିଲାରେ ସୁନାମ ଅର୍ଜନ କରିଥିଲା । ମିଶ୍ରଙ୍କର ସ୍କୁଲ ଉଦ୍ୟାନରେ ଉତ୍ପନ୍ନ ହେଉଥିବା ମୂଳା, କୋବି, କଦଳୀ, ବାଇଗଣ, ଦେଶୀ ଆଳୁ, ଲଙ୍କାମରିଚ ପ୍ରଭୃତି କୃଷି ଓ ଶିଳ୍ପ ପ୍ରଦର୍ଶନୀମାନଙ୍କରେ ପ୍ରଦର୍ଶିତ ହୋଇ ବିଦ୍ୟାଳୟର ଖ୍ୟାତି ପ୍ରକାଶ କରୁଥିଲେ । ସେ ଏଥିପାଇଁ ବହୁବାର ସ୍ୱର୍ଣ୍ଣପଦକ ଓ ଅର୍ଥ, ଉପହାରମାନ ମଧ୍ୟ ପାଇଥିଲେ । ଗ୍ରାମରେ ବା ଗ୍ରାମ ନିକଟସ୍ଥ ମେଳା, ମହୋତ୍ସବ, ମେଳଣ ଜନସମାଗମରେ ଦୁଃଖିଶ୍ୟାମ ମିଶ୍ରେ ସେବା କାର୍ଯ୍ୟରେ ଭାର ନିଜ ମୁଣ୍ଡରେ ମୁଣ୍ଡାଇବାକୁ ସବୁବେଳେ ପ୍ରସ୍ତୁତ । ସବୁଥିରେ ମିଶ୍ରଙ୍କର ମନ ପ୍ରଫୁଲ୍ଲି ଥାଏ । କିନ୍ତୁ ଗୋଟାଏ କଥା ନେଇ ସେ ସମୟେ ସମୟେ ଚିନ୍ତିତ ହୋଇପଡ଼ୁଥିଲେ । ତା’ ହେଉଛି ମିଶ୍ରଙ୍କର କୌଣସି ପିଲାଛୁଆ ନଥାନ୍ତି । ତାଙ୍କୁ ଅନେକ ଲୋକ କହିଲେ, ‘ତୁମେ କିଛି ଉପାୟ କର’ । ମିଶ୍ରଙ୍କ ମନ ଏଥିରେ ମାନେ ନାହିଁ । ସେ ଏ ସବୁ କୁ କୁସଂସ୍କାର ଭାବି ସେ ଦିଗରେ ମନ ଦିଅନ୍ତି ନାହିଁ । କିନ୍ତୁ ଗୁଣ୍ଡିଚା ବିଚାରି ଏଥିପାଇଁ ବାର ମାସରେ ତେର ଓଷା ବ୍ରତ ଉପବାସ କରୁଥାଏ । ଦିଅଁ ଦେବତା ପୂଜା କରୁଥାଏ; ଅତିଥି ଅଭ୍ୟାଗତ ସେବା କରୁଥାଏ । ପ୍ରତିଦିନ ରାତି ନ ପାଉଣୁ କୁଆଁତରା ଥାଇ ଗୁଣ୍ଡିଚା ଦାନୀ ପୋଖରୀରେ ଗାଧୋଇ ଗୁପ୍ତେଶ୍ୱରଙ୍କ ଗମ୍ଭୀର ଓଳାଇ ପକାଏ । ଠାକୁରଙ୍କ ପାଇଁ ଫୁଲ ତୋଳି ଆଣି ଠିଆ ହେଲାବେଳକୁ ମହାଦେବଙ୍କ ସେବକ ଗଙ୍ଗୁ ପଣ୍ଡା ପ୍ରାତଃକର୍ମ ସାରି ମହାପ୍ରଭୁଙ୍କ ପହଡ଼ି ଫିଟାଏ । ଯାହାହେଉ ଈଶ୍ୱର ପାର୍ବତୀଙ୍କ ପାଖେ ଗୁଣ୍ଡିଚାର ଅଚଳା ଭକ୍ତି, ଦୃଢ଼ ବିଶ୍ୱାସ । ଦୃଢ଼େ ତରନ୍ତି କି ମୂଢ଼େ ତରନ୍ତି । ଗୁଣ୍ଡିଚାର ଏକନିଷ୍ଠ ବ୍ରତ ସତେ ସଫଳ ହେବ ତାହା କିଏ କହିବ ? ଯାହାର ମନ ଯେଡ଼େ ତାର ପ୍ରଭୁ ତେଡ଼େ ।

 

ପାଞ୍ଚ

 

ନୂଆଗାଁ ଜଗନ୍ନାଥପୁରଶାସନ ମୌଜାର ଅନ୍ତର୍ଗତ । ଆଗରୁ କୁହାଯାଇଛି ଯେ ନୂଆଗାଁଟି ଜଗନ୍ନାଥପୁର ଶାସନଠାରୁ ପୁରାତନ । ସେଠାରେ ସବୁଜାତି ଓ ସବୁ ସମ୍ପ୍ରଦାୟର ବସତି ଅଛି । ସେ ଗାଁର ଅଧିକାଂଶ ଲୋକ ଚାଷୀ ମୁଲିଆ । ପଢ଼ିଲା ଶୁଣିଲା ଲୋକ ଖୁବ୍‌ କମ୍‍ । ଅନେକ ଲୋକ କଲିକତା, କାଳିମାଟି, ରେଙ୍ଗୁନ୍‌ ଓ ଆସାମରେ ଯାଇ ଚଟକଳ, ପାଟକଳ, ଚା’ ବଗିଚାରେ କୁଲିକାମ କରନ୍ତି । ସେପରି ବଡ଼ ଧରଣର ଚାଷୀଙ୍କ ସଂଖ୍ୟା ଖୁବ୍‌ କ’ମ । ଅବଶ୍ୟ କେତେ ଘର ଯେ ଭଲରେ ନ ଚଳନ୍ତି ଏମନ୍ତ ନୁହେଁ । ଏ ସାଇର ବିଶିଷ୍ଟ ଲୋକଙ୍କ ମଧ୍ୟରେ ସାମନ୍ତ ରାଘବାନନ୍ଦ ବୀର ବଳିଆର ସିଂ ଆଉ ସୁଲୋଚନ ବିଧାର ପଟ୍ଟନାୟକଙ୍କ ଘର ଉଲ୍ଲେଖ ଯୋଗ୍ୟ । ଏକସମୟରେ ସାମନ୍ତ ଘର କୁଲ୍‌ ମୌଜାର ଜମିଦାର ଥିଲେ । ତାଙ୍କର ଭାରି ଦୀପ୍ତି ଥିଲା । ଯାହା କହନ୍ତି ଘିଅରେ ଗୋଡ଼ଧୁଆ ହେଉଥିଲା । ନିଶାପାଣି, ମଉଜମଜଲିସ୍‌, ନାଟତାମସା, ବେଆଡ଼ା ଖର୍ଚ୍ଚ, ବାହାଉତ୍ସବ, ପୁନିଅ ପର୍ବ, ମାଲି ମୋକଦ୍ଦମାରେ ସାତପୁରୁଷୀ ଖାମ୍‌ଦାନ ସାଆନ୍ତ ଘର ଖିନ୍‌ଖିରାପ ହୋଇଗଲା । ଜମିଦାରୀ ବି ଚାଲିଗଲା— ସାଉ ମହାଜନଙ୍କଠାରୁ କରଜ ବୟରେ । ହେଲେ ନିଜଚାଷ ଯେତେକ ରହିଗଲା ସେତକ ବି କମ୍‌ ନୁହେଁ । ବର୍ଷକର ନିକିବଦି କାମ ଖେଇ ଖର୍ଚ୍ଚ ଚଳି କିଛି ବି ବଳିପଡ଼େ । ଅବସ୍ଥା ଖରାପ ହୋଇ ଯାଇଥିଲେ ମଧ୍ୟ ଆଦର ଖାତିରି ମାନ୍‌ମର୍ଯ୍ୟାଦା ବଜାୟ ରହିଛି; ଦାଣ୍ଡ ସନମାନରେ ତ୍ରୁଟି ଘଟି ନାହିଁ, କାରଣ ଘରର ନାମକୁ ଚାହି କାମ । ସାଆନ୍ତଘର ସବୁ ଜମିଦାରୀ ବଡ଼ ମଠ ମହନ୍ତ ଆଉ ଶାସନର କେହି କେହି ଧନୀ ଲୋକଙ୍କ ହାତକୁ ଚାଲିଯାଇଛି । କେତେ ବି ସାଆନ୍ତ ଘର ଦୋଳ, ଦଶରା, ରଥଯାତ୍ରା ଆଦି ପର୍ବପର୍ବାଣୀ, ଯାନିଯାତ୍ରା ବିଧିମତ ପାଳିତ ହେଉଥାଏ । ବାହୁଡ଼ା ଯାତ୍ରାକୁ ଶାସନ ଜଗନ୍ନାଥ ମହାପ୍ରଭୁ ନୂଆଗାଁ ସାନ୍ତରାଙ୍କ ପରିଚାଳିତ ମାଉସୀ ମା ଘରେ କିଛି ସମୟ ବିଜେ କରନ୍ତି ।

 

ସାଆନ୍ତଙ୍କ ଘରକୁ ଲାଗି ତାଙ୍କର ଭାଇ ବିରାଦର ଅନ୍ୟାନ୍ୟ ଖଣ୍ଡେଇତମାନଙ୍କ ଘର । ଅଧିକାଂଶ ଚାଷବାସ କରି ଦୁଃଖେ ସୁଖେ ଚଳନ୍ତି । ସାହୀର ଅନ୍ୟ ତରଫରୁ ସୁଲୋଚନ ବିଧାର ପଟ୍ଟନାୟକଙ୍କ ଘର । ଗାଁର ଗୋଟାଏ ମାତ୍ର କରଣ ଘର । ବିଧାରଙ୍କ ପୂର୍ବପୁରୁଷର କେହି ସଜ୍ଜନଙ୍କୁ ଖୋରଧା ଅଞ୍ଚଳରୁ ଅଣାଇ ସା’ନ୍ତଘର ପଟୁଆରୀ ବେବର୍ତ୍ତାକ ଜାଗିରୀ ଦେଇ ରଖିଥିଲେ— ଜମିଦାରୀ ସିରସ୍ତାରେ କାମ କରିବା ପାଇଁ । ବିଧାରଙ୍କ ଘରକୁ ବେବର୍ତ୍ତା ଘର ବୋଲି ଗାଁରେ ସମସ୍ତେ ଜାଣନ୍ତି । କେତେ ପୁରୁଷରୁ ବେବର୍ତ୍ତାଙ୍କର ସ୍ଥାନୀୟ ସାନ୍ତଘରେ ବେବର୍ତ୍ତେଇ କରି କଟିଛି । ସେ ଜମିଦାରଙ୍କ ମୁଖ୍ୟ ଗୁମାସ୍ତା ବା ମନ୍ତ୍ରୀଭାବେ ପୁରୁଷାନୁକ୍ରମେ କାମ କରି ଆସୁଥିଲେ । ଜମିଦାର ଘର ଖିନିଖରାପ ହୋଇଗଲା । ସେମାନେ ତ ଆଉ ବଡ଼ ବଡ଼ କର୍ମଚାରୀ ରଖି ପାରିଲେ ନାହିଁ । ଜମିଦାରୀ ତ ଗଲା ଆଉ ଗୁମାସ୍ତା ରହି ବା କ’ଣ କରିବେ । ତାଙ୍କୁ ବାଧ୍ୟହୋଇ ମାସିକ ତିନିଟଙ୍କା ବେତନର ଗୁମାସ୍ତାଗିରୀ ମୌରସୀ ଚାକିରୀ ଛାଡ଼ିବାକୁ ପଡ଼ିଲା । ଅନ୍ୟ ଆଜୀବିକା ଦେଖିବାକୁ ପଡ଼ିଲା । କରଣ ଜାତି ସମୁଦ୍ର ଢ଼େଉ ଗଣି ପଇସା କମେଇବା ବାଲା । କଲମ ଧଇଲେ ଅବଶ୍ୟ ଦି ପଇସା ଅଣ୍ଟାରେ ମାରିବେ । ସୁଲୋଚନା ବେବର୍ତ୍ତା ଗାଁର ବଡ଼ ମାମଲତକାର । ଗାଁ ଲୋକଙ୍କ ଭିତରେ ମାଲିମୋକଦ୍ଦମା ହେଲେ ସେ ସବୁଥିରେ ଭାଗ ନିଅନ୍ତି । ଲୋକଙ୍କୁ ପରାମର୍ଶ ଦିଅନ୍ତି, ମକଦ୍ଦମ ତଦ୍‌ବିର କରନ୍ତି; ଅବଶ୍ୟ ଅନ୍ୟାୟ ଅବାଟରେ ଯିବାକୁ ମସୁଧା ଦିଅନ୍ତି ନାହିଁ । ଜରୀବ କାମରେ ମଧ୍ୟ ସେ ଧୁରନ୍ଧର । ବନ୍ଦୋବସ୍ତ କାମରେ ଅମିନ ମୋହରୀଠାରୁ ଆରମ୍ଭ କରି ମୁନସରିମ ପର୍ଯ୍ୟନ୍ତ କାମ ବି କରିଛନ୍ତି । ଗାଁ ଚଷାଙ୍କର ଘର, ବାରି ଜମି ଜରୀବ କରିବା ମଧ୍ୟ ହାତରେ ପାଞ୍ଚ ରଖିଥାନ୍ତି । ଦରକାର ପଡ଼ିଲେ ଭାଇତିରି ଜମି ଖନାବାରୀ ବଣ୍ଟୁଆରା ମଧ୍ୟ କରାଇ ଦେଇ ପାରନ୍ତି । ଗାଁର ଭଲମନ୍ଦ, ନ୍ୟାୟ ନିଶାପରେ ଯୋଗ ଦିଅନ୍ତି । ତାଙ୍କର ବିଚାର, ବୁଦ୍ଧି ଓ ସଚ୍ଚୋଟପଣିଆ ଲାଗି ଆଖପାଖର ଗାଁମାନଙ୍କରେ ତାଙ୍କର ଖାତିରି ଥାଏ । ଏହିପରି ନାନା ଫନ୍ଦି ଫିକର କରି ଦି ପଇସା ରୋଜଗାର ହୁଏ । ସେଥିରେ ମହା ନିଶ୍ଚିନ୍ତରେ ଚଳନ୍ତି । ଏହାଛଧା ଗୌଡ଼ଦେଶୀ କୀର୍ତ୍ତନରେ ଗାଁ ଲୋକଙ୍କୁ ଶିକ୍ଷା ମଧ୍ୟ ଦେଇଥାନ୍ତି ।

 

ବିଧାରଙ୍କୁ ଆଜି ଗୋଟାଏ ଶୀକାର ମିଳିଛି । ନୂଆଗାଁରେ ଗୋଟାଏ ବଡ଼ ଗଣ୍ଡଗୋଳ ଉପୁଜି ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇଯାଇଛି । ଭାଇ ଭାଇ ଭିତରେ କଳିଗୋଳ, ମାରପିଟି, ନହୁନୁହାଣ ଯାଏ କଥା ଯାଇଛି । ସେଥିପାଇଁ ଆଜି ନୂଆଗାଁରେ ନିଶାପବସିବ । ଗାଁ ଡଗରା ଘରେ ଘରେ ବୁଲି ତାଗଦା କରି ଯାଇଛି ଯେ ସନ୍ଧ୍ୟାକୁ ମାଉସୀମାଁଙ୍କ ମନ୍ଦିର ପାଖ ସା’ନ୍ତଘର ଚଉପାଡ଼ୀରେ ରାଉତଘର ନିଶାପ ହେବ । ଘରପିଛା ଜଣେ ମୁଖିଆ ଲୋକ ଗାଁ ସଭାକୁ ଯିବେ । ନ ଆସିବାକୁ ଗତି ନାହିଁ, ହୁକୁମ ନୂଆଗାଁ ପଞ୍ଚପରମେଶ୍ୱଙ୍କର ।

 

ଆଗେ ଆମ ଦେଶରେ ପଲ୍ଲୀଗ୍ରାମମାନଙ୍କରେ କୌଣସି ପ୍ରକାର କଳିତକରାଳ, ଅନ୍ୟାୟ ଅତ୍ୟାଚାର ଗ୍ରାମୀୟ ବିବାଦମାନ ଗାଁର ପୁରୁଖା ପୁରୁଖା ଲୋକ ଏକାଠି ବସି ନିଷ୍ପତ୍ତି କରିଦେଉଥିଲେ, ମାଲିମକଦ୍ଦମା କରିବା, କଚିରି ଚଢ଼ିବାକୁ ଘୃଣା କରୁଥିଲା । ଗ୍ରାମର ଶାସନ ଗ୍ରାମଲୋକ ବୁଝି ବିଚାରି ଚଳାଉଥିଲେ । କିନ୍ତୁ ଆଜି ସେ ସମୟ ଆଉ ନାହିଁ । ସବୁ ଘଟଣା ବଦଳି ଯାଇଛି । ବିଦେଶୀ ଶାସନରେ ପଲ୍ଳୀର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗାଁ ଗହଳିରେ ସେ ସୁନାମ, ସୁଖ୍ୟାତି ଆଉ ନାହିଁ । ସୁଖର କଥା ସମୟ ଅତି ନିକଟେଇ ଆସିଲାଣି ଯେତେବେଳେ କି ଅଞ୍ଚଳଶାସନ ସାରା ଦେଶରେ ଜାରିହେବ ଆଉ ଗ୍ରାମର ଲୋକେ ଗ୍ରାମଶାସନର ଯାବତୀୟ ଦାୟିତ୍ୱ ପୂର୍ବପରି ବହନ କରିବେ ।

 

ଯାହା ହେଉ ନୂଆଗାଁରେ ପୂର୍ବରୀତି ଏବେ ମଧ୍ୟ ଚାଲୁଥିବାର ବଡ଼ ସୁଖର କଥା । ତା ବୋଲି ଯେ ଗାଁମାନଙ୍କରେ ଦଳାଦଳି, ମାଲିମକଦ୍ଦମା, ଦଙ୍ଗାହାଙ୍ଗା ନାହିଁ ଏ କଥା କହିହେବ ନାହିଁ । ତଥାପି ପୂର୍ବ ଧରଣର ଗାଁ ପଞ୍ଚାୟତଙ୍କ ଠାରୁ ବଳିଲେ ମାଲି ମକଦ୍ଦମା ଉପରକୁ ଯାଏ । ସରଳ ଗ୍ରାମବାସୀଙ୍କ ବିଶ୍ୱାସ ଯେ ମାଲିମକଦ୍ଦମାରେ କ୍ଷତି ଛଡ଼ା ଲାଭ ନାହିଁ । ମାମଲା ତ ମା-ମଲା ଅଯଥା ଧନ ଅପବ୍ୟୟ ମାନମର୍ଯ୍ୟଦା ହାନି ଯାହା କହନ୍ତି- ଆୟେକ୍ଷତି । ପ୍ରାଣେ ପୀଡ଼ା ।

 

ଗୁଣ୍ଡିଚାବାଡ଼ିରେ ସନ୍ଧ୍ୟା-ଆଳତୀ ଶେଷ ହେଲା । ସମବେତ ଭକ୍ତମାନଙ୍କୁ ସେବକ ଗଙ୍ଗୁ ପଣ୍ଡା ଆଳତୀ ବତୀର ଧୂମ ଆଘ୍ରାଣ କରାଇ ତୁଳସୀ ଓ ପାଦୁକ ପାଣି ଟିକିଏ ଟିକିଏ ଦେଇଗଲା । ଦର୍ଶକ ଭକ୍ତମାନେ ପାଦୁକ ପାଇ ମୁଣ୍ଡରେ ହାତ ବୋଳିଦେଲେ । ସମସ୍ତେ ଯାଇଁ ସା’ନ୍ତଘର ଚଉପାଡ଼ୀରେ ହାଜର ହେଲେ । ତେଣେ ସେବକ ଗଙ୍ଗୁପଣ୍ଡା ଖଦାକାମ ସୁର କରିଦେଲା । ଚାହୁଁ ଚାହୁଁ ଚଉପାଡ଼ୀ ଗାଁ ଲୋକରେ ପୂରିଗଲା । ଆଗରୁ ବେବର୍ତ୍ତା, ବଳିୟାର ସିଂହ, ଜୀବନାନନ୍ଦ ରାଉତରାୟ, ଦୀନବନ୍ଧୁ ସାଉଏ, ଘନଶ୍ୟାମ ରଥେ ଚଉପାରୀ ମଝିରେ ଆସନ ଜମାଇ ଦେଇ ବସିଯାଇ ଥାନ୍ତି । ଚଉପାଡ଼ୀର ଅଳ୍ପ ଦୂରକୁ ତଳକୁ ଲାଗି ଗାଁର ଅନ୍ୟାନ୍ୟ ଲୋକେ ବସି ରହିଥାନ୍ତି । ଚଉପାଡ଼ୀର ଗୋଟିଏ ପାଖକୁ ଯେଉଁ ତିନିଜଣ ଆସାମୀ ଠିଆ ହୋଇଥାନ୍ତି, ସେମାନେ ହେଉଛନ୍ତି ବିଶି ରାଉତ ଓ କାଶି ରାଉତ ଦୁଇଭାଇ, ଆଉ କାଶୀ ରାଉତର ଭେଣ୍ଡା ପୁଅ କାଳିଆ । ବସିଥିବା ଗାଁ ବାଲାଙ୍କ ମଧ୍ୟରେ ନାନା ଫୁସୁରାଫାସର, ଟୁପରଟାପାର ଚାଲିଥାଏ । କିଏ କହୁଥାଏ ଏ ପଞ୍ଚାୟତରେ ନିଷ୍ପତ୍ତି ନ ହୋଇ ପାରିଲେ ଦୋସରା ଗାଁ ପଞ୍ଚାୟତ ଡକାଇବାକୁ ପଡ଼ିବ । କିଏ କହୁଥାଏ ନ ହେଲେ କଚିରିରେ ମୋକଦ୍ଦମା ଲଢଉ କରାଯିବ ।

 

ଏହିପରି ଜନତା ମଧ୍ୟରେ ଯେତେବେଳେ ଗଣ୍ଡଗୋଳ ଓ ପାଟିତୁଣ୍ଡ ଆରମ୍ଭ ହେଲା ସେତେବଳେ ବେବର୍ତ୍ତାଏ ଆଉ ସମ୍ଭାଳି ନ ପରି ଉଠିପଡ଼ି କହିବାକୁ ଆରମ୍ଭ କଲେ, ‘‘ଆପଣମାନେ ଯେ ଆଜି ଆସି ଏଠାରେ ରୁଣ୍ଡ ହୋଇଛନ୍ତି ନିଶାପ ଶୁଣିବା ପାଇଁ ନା ଭାଙ୍ଗିବା ପାଇଁ ? ଧୀର ସ୍ଥିର ଭାବରେ ଆଗ ବସନ୍ତୁ । ତା’ପରେ ଯା’ର ଯା କହିବା କଥା ସେ ଜଣ ଜଣ କରି କହିବେ । କହିବାକୁ ସମସ୍ତଙ୍କୁ ସୁବିଧା ଦିଆଯିବ । ଏଟା ହେଲା ପଞ୍ଚପରମେଶ୍ୱରଙ୍କ ସଭାସ୍ଥଳ । ସଭାକୁ ଉପଯୁକ୍ତ ସନମାନ ଦେବା ଉଚିତ । ଏ ତ କିଛି ଜାତିଆଣ ସଭା ନୁହେ ଯେ ଆପଣମାନେ ବସି କାଉ ପରି ରା ରା କରିବେ ।’’ ଏତିକିରେ ସବୁ ଗୋଳମାଳ ବନ୍ଦ ହୋଇଗଲା ଏକାବେଳେକେ ଚୁପ୍‌ ଚାପ୍‌ ।

 

ତାପରେ ରାଘବାନନ୍ଦ ଉଠି ବକ୍ତୃତା ଆରମ୍ଭ କଲେ । ‘ପଞ୍ଚପରମେଶ୍ୱରଙ୍କ ତରଫରୁ ମୁଁ କହୁଛି ଯେ ଆମ୍ଭମାନଙ୍କର ରାୟ ଯେପରି ଆଗ୍ରହ୍ୟ ନ ହୁଏ । ତେଣୁ ଉଭୟ ବାଦୀ ଓ ପ୍ରତିବାଦୀଙ୍କ ତରଫରୁ ପ୍ରତ୍ୟେକ ପାଁଶ ଟଙ୍କା ମୁଚାଲିକା ଲେଖି ଦେଇ ସାରିଲାପରେ ନିଶାପ ଆରମ୍ଭ ହେବ । ଏଥିରେ ଉଭୟପକ୍ଷ ରାଜି ତ କୁହ ।’

 

ପ୍ରଥମେ ବିଶିରାଉତ ଗାମୁଛା ଖଣ୍ଡିକ ବେକରେ ଗୁଡ଼େଇ ହାତଯୋଡ଼ି ଠିଆ ହୋଇ କହିଲା, ‘‘ଆଗ୍ୟାଁ, ଆପଣମାନେ ପଞ୍ଚପରମେଶ୍ୱର ଧରମ ଗାଦୀରେ ବିଜେ କରିଛ । ଆମେତ ଚଷା ମଷା ମୁରୁଖ ନୋକ । ଆମେ ସିନା ଛେଳି ବାଛୁରୀ ଚରାଇଲାବାଲା, ଆପଣ ଭାତ ମଣିଷ ଚରଉଚିନି । ଆପଣ ଯାହାକି ବିଚାର କରିବା ହେବେ ସେଥିରୁ ବିଶି ରାଉତ ବାହାରି ଯିବନାହିଁ । ମୋର ଚୁଲି ଚାଳ ଘର ଭାଙ୍ଗି ସାଉଁଟିଲେ ପଚାଶ ଟଙ୍କା ହେବନାହିଁ । ମୁଁ କି ପାଁଶ ଟଙ୍କା ଦେବାର ମୁଣ୍ଡ ।’’ ଏହା କହି ବିଶିରାଉତ ଗାମୁଛା କାନିରୁ ଫିଟେଇ ପାହୁଲା, ଅଧଲା, ଅଣି, ଦୋଣି, ସୁକି କରି ପାଁ ସୁକାଟି ପଇସା ଗଣି ଥୋଇଦେଲା । କାଳିଆ ଆପଣା ବାପ କାଶୀ ରାଉତ କଥାକୁ ଅପେକ୍ଷା ନରଖି ଖୋସଣିରେ ରଖିଥିବା ପାଞ୍ଚଟଙ୍କା ଠଣ୍‌ ଠଣ୍‌ କରି ଗଣି ଥୋଇ ଦେଲା ।

 

ବେବର୍ତ୍ତାଏ ରାଗିଯାଇ କହିଲେ ‘ନିଶାପ ଲାଖି ଏ କ’ଣ ହେଲା ! କାହିଁ ପାଁଶ ଟଙ୍କା ଆଉ କାହିଁ ପାଁଚ ଟଙ୍କା । ସେ କଥା ହୋଇପାରିବ ନାହିଁ ରାଉତେ ।

 

ଏପରି ରଦଖଦ ହୋଇ ଶେଷକୁ ପଚିଶ ଟଙ୍କାରେ କଥା ଛାଡ଼ିଲା । କାଶୀ ରାଉତ ନିଜ ଭାଇକୁ ଲକ୍ଷ୍ୟ କରି କହି ପକାଇଲା, ‘ଘର କଳି ଘରେ ନ ଛିଣ୍ଡାଇ ବାହାରକୁ ଆସି ଅକଲ ସଲାମୀ ଦେବାକୁ ପଡ଼ିଲା । ଦାସେ ଫାଣ୍ଡିକୁ ଯିବା ନ୍ୟାୟ ହେଲା ସିନା ? ପରିଶେଷରେ ଦୁହେଁ ପଚିଶ ପଚିଶ ଟଙ୍କା ଏପରି ପଚାଶ ଟଙ୍କା ମୁଚାଲିକା ଥୋଇଲେ । ତାପରେ ନିଶାପ ଆରମ୍ଭ ହେଲା ।

 

ରାଉତ ଦିଭାଇଙ୍କର ମାରପିଟର ପ୍ରକୃତ କାରଣ ଖୋଳିତାଡ଼ି ବୁଝୁ ବୁଝୁ ଅସଲ କଥା ଜଣା ପଡ଼ିଗଲା । ମୋଟ କଥା କ’ଣ ହେଲା ନା ବ୍ରାହ୍ମଣ ଶାସନ ଦୁଖିଶ୍ୟାମ ମିଶ୍ରଙ୍କ ଝିଅ ବର୍ଷିକିଆକୁ ବାଦୀପାଲା ହୋଇଥିଲା । ମିଶ୍ରଙ୍କର ବହୁଦିନ ପରରେ ଝିଅଟିଏ ହୋଇଥିଲା । ଝିଅର ବାର୍ଷିକ ଜୟନ୍ତୀ ଉତ୍ସବ ସେ ବଡ଼ ଜାକଜମକରେ କରିଥିଲେ । ଏଥିପାଇଁ ସେ ଗାଁର ତିଆଡ଼ୀ ଓ ବଡ଼ମଠ ମହନ୍ତଙ୍କଠାରୁ କରଜ ବୟ ବି କଲେ । ବ୍ରାହ୍ମଣ ଭୋଜନି, ବାଳଲୀଳା, ଯୋଗୀ ଭିକାରୀ ଦିଆନିଆ, ଆତାସବାଜି ସାଜସଜାରେ ବହୁତ ଟଙ୍କା ଖର୍ଚ୍ଚ ହେଲା । ମିଶ୍ରଙ୍କର ଏପରି ବଦଖର୍ଚ୍ଚ ଗୁଣଟା ଖରାପ ବୋଲି ଅନେକ କହିଲେ ।

 

ଝିଅ ଜନମ ଦିନରେ ଗୋଟାଏ ବଡ଼ ଧରଣର ବାଦୀପାଲା ମିଶ୍ରେ କରାଇଥିଲେ । ଶ୍ରୀକର ଓ ତାଙ୍କର ପ୍ରତିଦ୍ୱନ୍ଦୀ କହ୍ନେଇନାଥ ଦୁଇ ଦଳ ଠିଆପାଲା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହେଲା । ରାଉତ ଦି ଭାଇ ଶାସନରୁ ପାଲା ଦେଖିସାରି ଫେରୁ ଫେରୁ ପ୍ରାୟ ରାତି ଦିଟା ବାଜିଲା । ଘରକୁ ଫେରିଲା ବାଟରେ ଦି ଭାଇଙ୍କ ଭିତରେ କଥା ପଡ଼ିଲା ‘କେଉଁ ଦଳ ସରସ ବୋଲି’ । ସେହି ବିଷୟ ନେଇ ଦି ଭାଇଙ୍କ ଭିତରେ ଗାଳିଗୁଲଜ ହେବାଯାଏ ଗଲା । ସେମାନେ ଘରକୁ ଆସିଲେ, ଭାତଗୁଣ୍ଡାଙ୍କ ଶୁଖିଶାଖି ଚାଉଳ ହୋଇଯାଇଥାଏ । ଦି ଭାଇ ଖାଇ ବସିଲେ, ଗୁଣ୍ଡାଏ ଦିଗୁଣ୍ଡା ଖାଇଛନ୍ତି କି ନାହିଁ କାଶିରାଉତ କହି ବସିଲା ‘ବୁଝିଲୁ ଭାଇ କରର ବାୟକ ଯେଉଁ ବାଜା ଖଣ୍ଡ ଦେଖାଇ ଦେଲା ସେଥିରେ ନାଥା ଦଳର ବାୟକ ମୁହଁ ନାଜରେ କଳା ପଡ଼ିଗଲା ।’

 

ବିଶି—ତୋର ବୁଝିବା ଭୁଲ । ନାଥ ବାୟକର ତାଳମାନ୍ୟ ଆଗରେ କର ବାୟକ ପାସଙ୍ଗରେ ପଡ଼ିବ ନାହିଁ ।

 

କାଶୀ—ସେ ଯାହାହେଉ । କରର ଜ୍ଞାନଶକ୍ତି ମୁଁ ଖୁବ୍‌ ପରଶଂସା କରୁଛି । ସେ ଯେପରି ବୁଝାଇଲା ଈଶ୍ୱର ଏକ ଏବଂ ଦ୍ୱିତୀୟ ନାସ୍ତି, ରାମ ରହିମାନ, ଈଶ୍ୱର ଆଲ୍ଲା ସବୁ ସମାନ ସମସ୍ତଙ୍କର ସନ୍ଦେହ ଦୂର ହୋଇଗଲା ।

 

ବିଶି—ଏହା କ’ଣ ହୋଇପାରେ । ଆମ ହିନ୍ଦୁ ଧର୍ମକୁ ମୁସଲ୍‍ମାନ ଧର୍ମ ସଙ୍ଗେ ତୁଳନା କରିବା ତାର ଭୁଲ । ତା’ କଥାରେ ତୁ ବିଶ୍ୱାସ କରୁଛୁ । ତୋଠାରୁ ମୂଢ଼ ଆଉ କିଏ ଅଛି ? ନାଥ ଗାୟକ ଯେଉଁ ଦଶ ଅବତାର କଥାଟା ଛାନ୍ଦରେ ଗାଇଲା ସେଥିରେ ତୋ ଅନ୍ଧ ଆଖି କ’ଣ ଖୋଲିଲା ନାହିଁ !

 

ଏହପରି ତର୍କ କରୁ କରୁ ଭାଇ ପୁଣି ରାଗି ଗଲେ । ଭାତ ଖାଇବେ କ’ଣ ? ବିଶି ଉଠି ପଡ଼ି ତା’ ସାନ ଭାଇ କାଶୀକୁ ‘ବୋକା, ବେମାଛ’ କହି ଦି ଚାପୁଡ଼ା ଲଗାଇ ଦେଲା । କାଶୀ ରାଉତ ପୁଅ କାଳିଆ କେଉଁଠି ଥିଲା ଦୌଡ଼ି ଆସି କିଛି ନ ବୁଝି ନ ସୁଝି ତା ବାପକୁ ମାଡ଼ ଖାଇ କାନ୍ଦିବାର ଦେଖି ଖଣ୍ଡେ ଅତଂଛା ବାଉଁଶ ବାଡ଼ିରେ ବିଶି ପିଠିରେ ପାହାର ନଦି ଦେଲା । ବିଶି ପଧାନର ପିଠି ଖଣ୍ଡିଆ ହୋଇ ରକ୍ତ ବୋହିଲା । ସେମାନେ ଆଉ ଖାଇବେ କଣ, ଭାତ ଥାଳୀ ଫିଙ୍ଗାଫିଙ୍ଗି କରି, ଚୁଟି ଧରାଧରି ହୋଇ ଦାଣ୍ଡକୁ ବାହାରି ପଡ଼ିଲେ । ପାଟି ତୁଣ୍ଡ ଶୁଣି ଗାଁ ଲୋକେ ରୁଣ୍ଡ ହୋଇ ଗଲେ-। ଶେଷକୁ ଦି ଭାଇଙ୍କ କଳି କଜିଆ ପାଇଁ ନିଶାପ କରିବାର ସ୍ଥିର କରି ସେମାନଙ୍କୁ ବୁଝାସୁଝା କରାଇ ଦେଲେ । ତା’ ପରଦିନ ନିଶାପ ବସିଲା ।

 

ବେବର୍ତ୍ତା ଶେଷକୁ ନିଶାପର ରାୟ ଶୁଣାଇ ଦେଇ କହିଲେ ‘ଏ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ନ୍ୟାୟ’ ହୋଇଛି । ସାମାନ୍ୟ କଥା ନେଇ ଦି ଭାଇ କଳି କରୁ କରୁ ମାଡ଼ ପିଟାପିଟି, ଖଣ୍ଡିଆ ଖାବରା, ନହୁନୁହାଣ ପର୍ଯ୍ୟନ୍ତ ଗଲା । ବିଶିଆ ମତ ବଡ଼ ଭାଇ । ଯଦିବା ସେ କାଇଲି ଅକାଇଲରେ ସାନ ଭାଇକୁ ଯାବୁଡ଼ାଟାଏ ପକାଇଦେଲା ତେବେ କାଶୀ ସହି ଯାଇ ଭଲଲୋକ ବସାଇ ବୁଝିଥାନ୍ତା; କିନ୍ତୁ ସେ ଓଲଟି ବଡ଼ ଭାଇକୁ ମାରିଲା ! ଫେରେ ତାର ପୁଅ କାଳିଆ କିଛି ନ ବୁଝି ନ ସୁଝି ଟୋକାଟୋକିଆ ମତରେ ବିଶିଆକୁ ନିସ୍ତୁକ ପ୍ରହାର ଛେଚିଲା ! ! ଏଟା ତାର ପୂରା ଦୋଷ ।’

 

କସୁରର ପରିମାଣ ଓ ଅନୁପାତ ନିମ୍ନଲିଖିତ ଭାବେ ନିଷ୍ପତ୍ତି କରାଗଲା । ବିଶିର ଛ ପଣ ଆଉ କାଶୀ ବାପପୁଅଙ୍କର କସୁର ମିଶି ଦଶ ପଣ । ନିଶାପର ରାୟ ସମସ୍ତଙ୍କ ମନକୁ ପାଇଲା । ମୁଚୁଲିକା ରହିଥା ପଚାଶ ଟଙ୍କା ଯେପରି ଭାବରେ ବିନିଯୋଗ କରାଗଲା ଏବଂ ବେବର୍ତ୍ତାଏ ଯେଉଁ ଜମା ଖର୍ଚ୍ଚର ହିସାବ ଫର୍ଦ୍ଦ ତିଆରି କରି ଥୋଇ ଦେଲେ ତାହାର ସତ୍ୟ ନକଲ ସମସ୍ତଙ୍କ ଗୋଚରାର୍ଥେ ନିମ୍ନରେ ପ୍ରକାଶ କରାଗଲା ।

 

ଜମା

 

 

୧.

ମୃଚାଲିକା ବାବଦକୁ ରାଉତ ଦି ଭାଙ୍କର ଅମାନତ ଦେବା ଧନର ମୋଟ ଜମା

ଟ ୫୦

ଖର୍ଚ୍ଚ

୧.

ବିଶିପଧାନଙ୍କୁ ଓ୍ୟାପସୀ

ଟ ୧୦

୨.

ଗଙ୍ଗୁପଣ୍ଡା ପାଦୁକ ପାଣି ଦେବାର ଏବଂ ରୋଷେଇବାସ ପାରିଶ୍ରମିକ

ଟ ୩

୩.

ଶାମ ବାରିକ ଡ଼ଗରା ପିଆଦା ମିଆଦ

ଟ ୧

୪.

ମହାଜନମାନଙ୍କ ଧୂଆଁ ପାନ ଚୂନ ପତ୍ର ବାବଦ ୧

ଟ ୧

୫.

ଗାଁ କୋଠପାଣ୍ଠିକୁ ଦେୟ ୧୦

 

୬.

ପଞ୍ଚପରମେଶ୍ୱରଙ୍କ ଭଲଲୋକୀ ମର୍ଯ୍ୟାଦା

ଟ ୨୫

 

ଗାଏ ଛ’ ପଦକୁ

ଟ ୫୦

 

ରାୟ ଶୁଣାଇଲା ପରେ ଘନ ରଥେ ଦୁଇ ଭାଇଙ୍କ ହାତକୁ ମିଳାଇ ଦେଲେ । ନିଶାପ କାମ ବଢ଼ିଲା ।

 

ସେତେବେଳକୁ ଗଙ୍ଗୁ ପଣ୍ଡା ରୋଷେଇ ସାରି ଠାକୁରଙ୍କ ଧୂପ ବଢ଼ାଇ ଦେଇ କେତେଥର ଆସି ମହାଜନମାନଙ୍କୁ ଇସାରା ଦେଇ ଯାଇଥାଏ । ଶେଷକୁ ପତ୍ରପାଣି ହେଲା । ପଙ୍ଗତ ସରୁ ସରୁ ରାତ୍ର ପ୍ରାୟ ଶେଷ; କାରଣ କୁଆଁ ତରା ଉଠି ଆସିଥିଲା । ପଙ୍ଗତ ସାରି ସମସ୍ତେ ଆନନ୍ଦେକବାର ‘ହରିବୋଲ’ ଆହୁରି ଏକବାର ‘ହରିବୋଲ’ କରି ସଭା ଭାଙ୍ଗି ଯେ ଯାହା ଘରକୁ ଗଲେ ।

 

ଛଅ

 

ଜଗନ୍ନାଥପୁର ଶାସନର ଶେଷ ଭାଗରେ ଆର୍ତ୍ତତ୍ରାଣ ତିଆଡ଼ୀ ବନାମ ଆରତ ତିଆଡ଼ୀଙ୍କ ଘର । ବଡ଼ ମଠକୁ ଛାଡ଼ି ଦେଲେ ତିଆଡ଼ୀଙ୍କର ଗାଁରରେ ସବୁଠାରୁ ବେଶୀ ସମ୍ପତ୍ତି । ବହୁତ ଧାନଜମି, ଧାନ ଦେଢ଼ୀ, ଟଙ୍କା ପଇସାର ମହାଜନୀ କାରବାର ଥାଏ । ତିଆଡ଼ୀଙ୍କର ବୟସ ପ୍ରାୟ ପଚାଶ ବର୍ଷ । ସେ ଦେଖିବାକୁ ଖୁବ୍‌ ପତଳା ଓ ଡେଙ୍ଗା । ବର୍ଣ୍ଣ ଶ୍ୟାମଳ, ମୁଖ ଦନ୍ତୁର । ଦେଢ଼ଚାଖଣ୍ଡେ ପରିମିତ ଚୈତନ ଚୁଟୀ । ତିଆଡ଼ୀଏ ଆଣ୍ଠୁ ନ ଲୁଚିବା ଭଳି ଖଣ୍ଡେ ପଖାଳକାର ଗାମୁଛା ପିନ୍ଧିଥାନ୍ତି ଏବଂ ଆଉ ଖଣ୍ଡେ ପାକଲା ଗାମୁଛା କାନ୍ଧରେ ପକାଇଥାନ୍ତି । ତିଆଡ଼ୀଙ୍କ ଉମର ଗଲା ସେ କେବେ ଗେଞ୍ଜି, ଜାମା କି କୋଟ କାମିଜି କିଣି ପିନ୍ଧି ନାହାନ୍ତି । ଯଦି ମାଲି ମୋକଦ୍ଦମା କି ନାଲିସନୁଲୁସା କାମରେ ପୁରୀ, କଟକ କଚେରୀ ଯିବାକୁ ପଡ଼େ ତେବେ ତିଆଡ଼ୀଏ ତାଙ୍କ ଜେଜ ବାପାଙ୍କ ଅମଳର ସାଇତା ଆମ୍ବକଷିଆ ଧଡ଼ୀର ମଠାଲୁଗା ଓ ରଣପୁରୀ ଦୋସଡ଼ା ଖଣ୍ଡେ ଦଉଡ଼ିରେ ଚାରି ଚଉକସ ବନ୍ଧା ହୋଇଥିବା ବେତ ପେଡ଼ିରୁ ବାହାର କରି ପିନ୍ଧନ୍ତି ।

 

ତିଆଡ଼ୀଏ ପାନ କି ପିକା ଖାଇବାର ଦେଖାଯାଏ ନାହିଁ । ବେଳେବେଳେ ମନ ହେଲେ ପାଚକ ପାଣି ଟିକିଏ ପକାନ୍ତି । କେବଳ ବାହାର ପାଣି ଗଲାବେଳେ ଚୁନୁପତ୍ର ଟିକିଏ କଳରେ ଯାକିଦିଅନ୍ତି । ତାଙ୍କର ଅମଳ ଭିତରେ ଟିକିଏ ନାସ । କାମ ପାଇଟିବେଳେ, ଯିବା ଆସିବାରେ ଲୋକଙ୍କ ସାଙ୍ଗେ କଥାଭାଷା ହେଲାବେଳେ ସେ ଅଣ୍ଟାରେ ମରାଯାଇଥିବା ଗୋଟିଏ ଛୋଟ ଅକରକରା ଦାନୀରୁ ହାତ ତିଆରୀ ନାସଟିକିଏ ବାହାର କରି ଟିପେ କି ଦି ଟିପେ ଦୁଇ ନାକରେ ସୁଙ୍ଘି ନିଅନ୍ତୁ । ଦୁଇ ତିନିଟା ଛୁଙ୍କ ବାହାର କରି ନାକରୁ ପାଣି ସିଙ୍ଗାଣି କରି ପଳେ କି ଦି ପଳ ପୋଛି ପକାନ୍ତି । ନାନା କାମରେ ବ୍ୟସ୍ତ ଥାଇ ଗାଧୋଇ ପ୍ରାୟ ଦିନ ଦିପହର ହୁଏ ।

 

ତିଆଡ଼ିଙ୍କ ପରି ମଖିଚୋଷ ଗାଁଟା ଯାକରେ ନ ଥିବେ । ଦାନ ଧର୍ମ କି ଅତିଥି ଅଭ୍ୟାଗତରେ ସେ ଧାର ଧାରନ୍ତି ନାହିଁ । ଯାହା କୁହନ୍ତି ‘ଦାତା ଦରିଦ୍ର କୃପଣ ଧନାଢ଼୍ୟ’ ତାହାର ସେ ଜ୍ୱଳନ୍ତି ନିଦର୍ଶନ । ଗାଁର ବୁଢ଼ା ବୁଢ଼ୀ ଲୋକେ କହନ୍ତି ତାଙ୍କ ବାପ ବଡ଼ ଗରିବ ଥିଲେ । ସେ ଅଦା ଓ ସାରୁ ବେପାର କରି ପେଟକୁ ନ ଖାଇ ନ ପିଇ ଧନ ସଂଚୟ କଲେ । ‘ବାପ୍‌ସେ ବେଟା ଜ୍ୟାଦା’ । ବାପା ଅମଳରେ ଯାହା କି ବିଲ ବାଡ଼ି ଥିଲା ତିଆଡ଼ିଏ ତାକୁ ଢେର ବଢ଼ାଇ ଦେଲେ । କେବଳ ଧାନ ଦାଦନ ଆଉ ଟଙ୍କା ମହାଜନୀ କାରବାରରେ ଆର୍ତ୍ତତ୍ରାଣ ତିଆଡ଼ିଏ କେତେ ଆର୍ତ୍ତ ଲୋକଙ୍କୁ ଯେ ତ୍ରାଣ କରିଛନ୍ତି ତାର ଢେର ଢେର ଦୃଷ୍ଟାନ୍ତ ଗାଁ ଲୋକଙ୍କୁ ମୁହଁରୁ ଶୁଣାଯାଏ । ନିହାତି ଅସମୟ ନ ପଡ଼ିଲେ କେହି ତିଆଡ଼ିଙ୍କଠାରୁ କରଜ ବୟ କରନ୍ତି ନାହିଁ ଏବଂ କଲେ ସର୍ବସ୍ୱାନ୍ତ ନ ହୋଇ ରହିପାରନ୍ତି ନାହିଁ । ତିଆଡ଼ିଙ୍କ ବାଣ ଭାରି ଟାଣ । ଟଙ୍କାକୁ ସୁଧ ମାସକୁ ଅଣାଏ ଆଉ ଧାନ ଗୌଣିକୁ ବର୍ଷକୁ ଗୌଣିଏ ସୁଧ । ସେ ଲୋକଙ୍କର ଗରଜ ମେଣ୍ଟାଇବା ପାଇଁ ସେମାନଙ୍କର ବହୁମୁଲ୍ୟ ଅଳଙ୍କାର ପତ୍ର ବାସନ କୁସନ ବନ୍ଧା ରଖିଥାନ୍ତି । କମ ଲୋକେ ବନ୍ଧା ଜିନିଷ ମୁକୁଳାଇ ପାରିଥାନ୍ତି । ‘ବନ୍ଧା ରଖେ ଅନ୍ଧା’ ।

 

ନିଜ ଗାଁର ଓ ଆଖ ପାଖର ଗାଁର କେତେ ଲୋକେ ଅସୁବିଧା କି ବିପଦରେ ପଡ଼ି ଆର୍ତ୍ତତ୍ରାଣଙ୍କ ଦ୍ୱାରସ୍ଥ ହୋଇ ଦମ୍ପତ୍ତିରୁ ତ୍ରାହି ପାଇଛନ୍ତି, ନିସ୍ୱ ହୋଇଛନ୍ତି । କେତେ ଲୋକଙ୍କର ଭିଟାମାଟି ଯେ ଉଚ୍ଛନ୍ନ ହୋଇଛି ତା’ର କଳନା ନାହିଁ । କେତେ ଲୋକ ତ୍ରାହି ତ୍ରାହି ଡାକି ହନ୍ତସନ୍ତରେ ଟାଟା, କଲିକତା, ରେଙ୍ଗୁନ ପଳାଇଛନ୍ତି ତା’ର ହିସାବ ନାହିଁ । ଗାଁର ଅଭାବଗ୍ରସ୍ତ ଲୋକେ କିଏ ଯେ ତିଆଡ଼ିଙ୍କ ପାଖରେ ଋଣୀ ନୁହେଁ ଏପରି ନାହିଁ ।

 

ତିଆଡ଼ିଏ ନିଜେ ପେଟକୁ ଭଲ ଖା’ନ୍ତି ନାହିଁ, କି ତାଙ୍କ ପରିବାର ମଧ୍ୟରେ କାହାରିକୁ ଗଣ୍ଡେ ଭଲ ଖାଇବାର ବା ଖଣ୍ଡେ ଭଲ ପିନ୍ଧିବାର ଦେଖି ସହି ପାରନ୍ତି ନାହିଁ । ଖର୍ଚ୍ଚ ଅଧିକ ହେବାର ଜଣା ପଡ଼ିଲେ ତିଆଡ଼ିଆଣୀର ଗାଳି ଶୁଣି ଶୁଣି କାନ ବାର ହୋଇଯାଏ । ଥରେ କୋଠିଆ ଟୋକାକୁ ତିଆଡ଼ିଆଣୀ ବାଢ଼ିଦେଇ ଥିବା ତୋରାଣି-କଂସା ଉପରକୁ ଭାତ ଉଠିଥିବାର ଲକ୍ଷ୍ୟ କରି ତିଆଡ଼ିଙ୍କର ଶୋଧନ କହିଲେ ନ ସରେ । ଶୋଧା ନ କହି ପାରି କେତେଥର ତିଆଡ଼ିଆଣୀ ଦଉଡ଼ି ନଗାଇବାକୁ ବାହାରିଛି ବୋଲି ଗାଁ ମାଇପେ କହନ୍ତି । ଭାତ ଗଣ୍ଡେ, ଡାଲିଟିକିଏ, ନୋହିଲେ ତାଙ୍କ ଭାଗ୍ୟରେ ଜୁଟି ନାହିଁ । ଏହିପରି ପେଟକୁ କାଟି କୌଣସି ଭାବରେ ଚଳି ସେ ବହୁତ ଧନ ସଞ୍ଚୟ କରି ପାରିଥିଲେ ।

 

ଅବଶ୍ୟ ସଂଚୟଶୀଳ ହେବା ପ୍ରତ୍ୟେକ ଲୋକର ଉଚିତ କିନ୍ତୁ ନିଜର ନିତ୍ୟାବଶ୍ୟକ ଜିନିଷର ବ୍ୟବସ୍ଥା ନ କରିବା କି ପେଟକୁ ଗଣ୍ଡିଏ ଭଲ ନ ଖାଇବା ଠିକ୍‌ ନୁହେଁ । ନ ହେଲେ ଧନ ଥାଇ କ’ଣ ସ୍ୱର୍ଗକୁ ନେବ ? ଏପରି ଧନ ଜୀବନରେ କୌଣସି କାର୍ଯ୍ୟରେ ଲାଗିବ ନାହିଁ । କାରଣ ‘କଷ୍ଟେ ଅର୍ଜିତ ଯେତେ ଧନ, ସେ ନୁହେଁସୁଖେ ପ୍ରୟୋଜନ’ । ସ୍ୱଳ୍ପ ସଞ୍ଚୟ ଦ୍ୱାରା ଆର୍ଥିକ ଉନ୍ନତି ଘଟେ । କିନ୍ତୁ ବଦ୍‌ ଖର୍ଚ୍ଚ କଲେ ଲୋକର ଅବନତିର ବାଟ ଫିଟିଯାଏ ।

 

ତିଆଡ଼ିଙ୍କ ପରିବାର ମଧ୍ୟରେ ତାଙ୍କର ସ୍ତ୍ରୀ ଆଉ ଦୁଇ ପୁଅ ହରି ଓ ପରି ଓ ତାଙ୍କର ବିଧବା ପିଉସୀ ମାଳ । ମାଳର ବହୁତ ସମ୍ପତ୍ତି ଥିଲା । ପିଲାପିଲି କିଛି ନ ଥିଲେ । ସ୍ୱାମୀଙ୍କ ମୃତ୍ୟୁ ହେଲା । ମାଳ ବିଧବା ହେଲା । ଧନ ସମ୍ପତ୍ତି ଲୋଭରେ ତିଆଡ଼ିଏ ମାଳକୁ ଭୁଲେଇ ଭାଲେଇ ନିଜ ଘରେ ରଖିଥାନ୍ତି । ଖାଇବା ପିଇବାରେ କଟକଣା ନେଇ ମାଳ ନିଜ ଶାଶୁ ଘରକୁ ଚାଲି ଯିବ ବୋଲି କହେ, କିନ୍ତୁ ଯାଇପାରେ ନାହିଁ ।

 

ବହୁଦିନ ଗଲା । ତିଆଡ଼ିଙ୍କର ପିଲାପିଲି ନ ଥାନ୍ତି । ଲୋକେ କହୁଥାନ୍ତି ତିଆଡ଼ିଙ୍କ ଅନ୍ତେ ତାଙ୍କ ସମ୍ପତ୍ତି ବିନର୍ବୟ ହୋଇଯିବ, ଭୂତ ଖାଇବେ । ତିଆଡ଼ିଏ ଏ କଥାଗୁଡ଼ାକ ଶୁଣନ୍ତି କିନ୍ତୁ ସହ୍ୟ କରି ପାରନ୍ତି ନାହିଁ । ଲୋକଙ୍କ କଥା ଶୁଣି ସେ ଗୋଟିଏ ପୋଷ୍ୟ ପୁତ୍ର କରିବା ଉଦ୍ଦେଶ୍ୟରେ ନିଜର ଭଉଣୀ ସାବିର ପୁଅ ଭଣଜା ହରିହରକୁ ଆଣି ଘରେ ରଖିଲେ । ହରିହର ଆସି ରହିବାର ବରଷକ ପରେ ପରୀକ୍ଷିତର ଜନ୍ମ ହେଲା । ସେ ଦିନଠାରୁ ତିଆଡ଼ିଏ ହରିକୁ ଅନ୍ତର ସହିତ ଭଲ ପାଇଲେ ନାହିଁ କି ତା ନାଁରେ କୌଣସି ଜମିବାଡ଼ି କଲେ ନାହିଁ । ପରି ନାମରେ ବହୁତ ଜମି କିଣି ଚାଲିଥାଏ । ତିଆଡ଼ି ଏବଂ ତାଙ୍କ ସ୍ତ୍ରୀ କେହି ହରିକୁ ଦେଖି ପାରନ୍ତି ନାହିଁ । ସେମାନଙ୍କର ଆନ୍ତରିକ ଇଚ୍ଛା ଯେ ଏପରି ହତମାନ୍ୟ ଓ ହତାଦର କଲେ ସେ ବଳେ ବଳେ ତାଙ୍କ ଘର ଛାଡ଼ି ପଳାଇବ, ତାଙ୍କଠାରୁ ଅନ୍ତର ହୋଇଯିବ ।

 

ତିଆଡ଼ିଙ୍କୁ ଗ୍ରାମରେ କେହି ଆନ୍ତରିକ ଭଲ ପାନ୍ତି ନାହିଁ । କ’ଣ କରାଯାଏ । ଥେଲାବାଲା ଲୋକ ତ ! ସମସ୍ତେ ଉପର ମୁହଁରେ ତିଆଡ଼ିଙ୍କୁ ଦେଖିଲେ ଲମ୍ବା ନମସ୍କାର ପକାଇଥାନ୍ତି ।

 

ହରିହର ବଡ଼ ବୁଦ୍ଧିମାନ୍‌ ଓ ନମ୍ର ସ୍ୱଭାବର ପିଲା । ବଡ଼ ପରିଶ୍ରମୀ । ସେ ଗାଁ ଆଦର୍ଶ ଉ: ପ୍ରା: ସ୍କୁଲରେ ପଢ଼ୁଥାଏ । ଦୁଃଖିଶ୍ୟାମ ମିଶ୍ର ପିଲାଟିର ବୁଦ୍ଧି ବୃତ୍ତି, ସ୍ୱଭାବ ଚରିତ୍ରରେ ବଡ଼ ପ୍ରୀତ ହୋଇ ତା ପ୍ରତି ବିଶେଷ ନଜର ରଖିଥାନ୍ତି । ମନେ ମନେ ଭାବନ୍ତି ପାର୍ବତୀକୁ ହରିହର ସଙ୍ଗେ ବିଭା କରିପାରିଲେ ସେ ସୁଖୀ ହୁଅନ୍ତେ । ପୁଣି ମନରେ ଭାବନ୍ତି ସେ ତ ବଡ଼ଲୋକ ଘରର ପିଲା ଏହା କ’ଣ ସମ୍ଭବ ହୋଇପାରେ ! ପାରୀ ତ ନିହାତ୍‌ ପିଲା । କାହା ଭାଗ୍ୟରେ କ’ଣ ଅଛି କିଏ ଜାଣେ ? ପାର୍ବତୀ ତଳ ଶ୍ରେଣୀରେ ପଢ଼ୁଥାଏ ଏବଂ ହରିହର ତିନି ଶ୍ରେଣୀ ଉପରେ ପଢ଼ୁଥାଏ ।

 

ପରୀକ୍ଷିତ ରୂପରେ ଠିକ୍‌ ବାପଙ୍କର ଦ୍ୱିତୀୟ ଅବତାର । ସେ ବଡ଼ ମୋଟା ବୁଦ୍ଧିଆ ଆଉ ଅଳସୁଆ । ସେ ବି ଗାଁ ସ୍କୁଲରେ ପଢ଼ୁଥାଏ । ବଡ଼ ଅମନୋଯୋଗୀ ପିଲା । ଶିକ୍ଷକ ଯେତେ ବତାଇଲେ ବି ତାର ପାଠ ମନେ ରହେ ନାହିଁ । ପରିଶେଷରେ ହରିହର ମାସିକ ଚାରି ଟଙ୍କା ଉ: ପ୍ରା: ବୃତ୍ତି ପାଇ ନିକଟସ୍ଥ ମାଇନର ସ୍କୁଲରେ ନାମ ଲେଖାଇଲା । ପରୀ ଦୁଇଥର ଉ: ପ୍ରା: ପରୀକ୍ଷାରେ ଫେଲ ହୋଇ ଘରେ ରହିଲା । ଘରେ ରହି ପରୀ ଗାଁ ବଗୁଲିଆ ପିଲାଙ୍କ ସଙ୍ଗରେ ମାତିଲା ।

 

ତିଆଡ଼ିଏ ଦେଖିଲେ ତାକୁ ହାତକୁ ଦି ହାତ ନ କଲେ ଆଉ ରକ୍ଷା ନାହିଁ । ସେ ମନେ ମନେ ଭାବୁଥାନ୍ତି ପାଖରେ ଗୋଟିଏ ପାତ୍ରୀ ମିଳନ୍ତା ତ କରି ନିଅନ୍ତେ । ଖର୍ଚ୍ଚ ବି କମ୍‌ ପଡ଼ନ୍ତା । ପରିଶେଷରେ ତିଆଡ଼ିଙ୍କ ନଜର ପଡ଼ିଲା ଦୁଃଖିଶ୍ୟାମ ମିଶ୍ରଙ୍କ ଝିଅ ପାରୀ ଉପରେ । ସେ ମନେ ମନେ ଭାବି ନେଲେ ଦୁଃଖିଶ୍ୟାମ ତ ତାଙ୍କର ଜଣେ ଖାତକ; ସେ କ’ଣ ତାଙ୍କ କଥାରୁ ବାହାରିଯିବ !

 

ଦିନେ ତିଆଡ଼ିଏ ଦୁଃଖିମିଶ୍ରଙ୍କୁ ନିଜଘରଠାରୁ ଡକାଇ ପଠାଇଲେ । ମିଶ୍ରେ ଶନିବାର ସକାଳୁଆ ସ୍କୁଲ ଛୁଟି କରି ସିଧା ସଳଖ ତିଆଡ଼ିଙ୍କ ଘରେ ଯାଇଁ ହାଜର ହେଲେ । ତିଆଡ଼ିଏ ଗାଉଁଲୀ ହିସାବରେ ଦୁଃଖିଶ୍ୟାମଙ୍କର ବଡ଼ ଭାଇନା । ଦୁଃଖିଶ୍ୟାମ ତିଆଡ଼ିଙ୍କୁ ନମସ୍କାରଟାଏ ହୋଇ ତାଙ୍କ ପାଖରେ ପଡ଼ିଥିବା ପିଢ଼ାପଟା ଖଣ୍ଡକରେ ବସି ପଡ଼ିଲେ ।

 

ତିଆଡ଼ି—କି ଦୁଃଖିଶ୍ୟାମ ଜମି ଅଡ଼ୁଆଟା ଆଜିଯାଏ ନିଷ୍ପତ୍ତି କଲ ନାହିଁ, ଚୁପ୍‌ ହୋଇ ବସି ରହିଲି । ଏଣିକି ମୋର ଦୋଷ ଧରିବ ନାହିଁ ।

 

ଦୁଃଖି—ଅଡ଼ୁଆ ନିଷ୍ପତ୍ତି କରିବାର ଭାର ତ ଆପଣଙ୍କ ହାତରେ । ଆପଣଙ୍କଠାରୁ ମୁଁ ପାଁଶ ଟଙ୍କା କରଜ ନେଇଥିଲି । ସେଥିରୁ ତିନିଶ ପଚାଶ ଟଙ୍କା ନଗଦ ପଇଠ କରିଛି । ବାକି ଦେଢ଼ଶ । ଆପଣ ବର୍ଷ ବର୍ଷ ଜମି ଦଖଲ କରି ଯାହାକି ଲାଭବାନ୍‌ ହୋଇ ସାରିଛନ୍ତି ତା ତ ଏ ଗାଁରେ କିଏ ନ ଜାଣେ ? ଟଙ୍କାକୁ ଚାହିଁ ଜମିର ଢେର ଆୟ ଆପଣ ପାଇଛନ୍ତି । ମୁଁ ଆଉ କିଛି ଦେଇ ପାରିବି ନାହିଁ । ଆପଣ ତ ଏତେ ଦିନ ଭୋଗ ଦଖଲ କଲେ ଏବେ ମୋ ଜମିତକ ମୋତେ ଫେରାଇ ଦିଅନ୍ତୁ । ମୁଁ ତ ଗରିବ ଲୋକ । ଶିକ୍ଷକ କାମ କରି ଓଳିଏ ଉପାସ ଓ ଓଳିଏ ଯଥାତଥା ଖାଇ ଚଳିବା କଥା । ଏଥକୁ ଆପଣଙ୍କର ଯାହା ବିଚାର । ମୋତେ ବର୍ତ୍ତମାନ ବାନ୍ଧି ବାଡ଼େଇଲେ ମଧ୍ୟ ଟଙ୍କାଟିଏ ବାହାରିବ ନାହିଁ । ଯାହା ମିଳେ ନିୟମିତ ନୁହେଁ, ତିନି ଚାରି ମାସରେ ଥରେ । ମିଳିଲେ ବି ତା ଛେଳି ବିଆଣକୁ ବୋଦା କାଢ଼ିଆରେ ଯାଉଛି । ଅବସ୍ଥା କେବେ ସୁଧୁରିବ ନା ମୁଁ ଆଉ ଟଙ୍କା ଶୁଝି ପାରିବି । ମୁଁ ଜମିର ଆଶା ସମ୍ପୂର୍ଣ୍ଣ ପରିତ୍ୟାଗ କରିଛି ।

 

ତିଆଡ଼ି—ତାହା ହେବ ନାହିଁ ଦୁଃଖିଶ୍ୟାମ । ମୋର କ‘ଣ ଜମିର ଅଭାବ ଅଛି କି ? ମୋର ଟଙ୍କା ଦରକାର । ପୁଅର ବିଭାଘର ଆସନ୍ତାକୁ କରିବା ମସୁଧା ଅଛି ।

 

ଦୁଃଖି—କା’ର ହରିହରର ? ସେ କ’ଣ ଫେରିଲାଣି ତାର ସବୁ ଭଲ ତ ?

 

ତିଆଡ଼ି—ତା’ କଥା ମୁଁ କହୁନାହିଁ । ପରୀ କଥା ନା ! ସେ—ସେ ତ ପଳାଇଛି ।

 

ଦୁଃଖି—ହରିହରର ଖବର କିଛି ନେଇଛ ? ସେ କୁଆଡ଼େ ଗଲା, କେଉଁଠି ରହିଲା କିଛି ବୁଝିନାହିଁ ?

 

ତିଆଡ଼ି—ସେ ସବୁ ମୋର ବୁଝିବାକୁ ତର କାହିଁ ? ସେ ଯୁଆଡ଼େ ମନ ସିଆଡ଼େ ଯାଉ-। ମୋର ତ କିଛି ନିଜର ଜନମ କଲା ପିଲା ନୁହେଁ ଯେ ମୁଁ ତା’ ପାଇଁ ଏତେ ବ୍ୟସ୍ତ ହୋଇପଡ଼ିବି-। ପୋଷାପୁଅ ଗୁଞ୍ଜାରୁଅ ।

 

ଦୁଃଖିଶ୍ୟାମ ମନେ ମନେ ଭାବିଲେ ତିଆଡ଼ି ହରିହର ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ତା ତାଙ୍କୁ ଅଳପେ ବହୁତେ ମାଲୁମ ଅଛି; ଆଉ ସେ ବିଷୟରେ ଯୁକ୍ତିତର୍କ କରି ଲାଭ କ’ଣ ?

 

ତିଆଡ଼ି—ଦୁଃଖିଶ୍ୟାମ ! ମନେ ମନେ ଭାବୁଛ କ’ଣ ? ତମକୁ ଟଙ୍କା ଦେବାକୁ ହେବ । ନଚେତ୍‌ ଆଉ ଗୋଟିଏ ପ୍ରସ୍ତାବ ମୁଁ ଆଣୁଛି, ଯେଉଁଥିରେ କି ତୁମକୁ ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ ।

 

ଦୁଃଖି—କି ପ୍ରସ୍ତାବ ।

 

ତିଆଡ଼ି—ପରୀ ପାଇଁ ଦୂରକୁ କନିଆ ଖୋଜି ଯିବା ଦରକାର କ’ଣ ? ତମ ପାରୀ ବିଷୟରେ ତ ଭଲ ହୁଅନ୍ତା ? ପିଲାଟି ବଡ଼ ଅଣ ହିପାଜତରେ ଅଛି, ରହିବାର କଥା । ତୁମେ ତ ଗରିବ ଲୋକ, ଆଉ କେମିତି ଚଳାନ୍ତ । ଦେଖୁଛ ମୋର ଆଉ କିଏ ଅଛି ? ଅଚଳାଚଳ ସମ୍ପତ୍ତି, ସବୁତ ପରୀର । କ’ଣ ତୁମର ଇଚ୍ଛା ? ତମକୁ ବି କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଯେଉଁ ଅଧ ଏକର ଜମି ବନ୍ଧକ ଦେଇଛ ସେତିକି ଦାନ କଲେ ହେଲା ।

 

ଦୁଃଖି—ମୋର ଇଚ୍ଛା ଭଗବାନ ଜାଣନ୍ତି । ମୁଁ ବର୍ତ୍ତମାନ ଆପଣଙ୍କୁ ଏ ବିଷୟରେ କିଛି ଜବାବ ଦେଇପାରିବି ନାହିଁ ।

 

ତିଆଡ଼ି—ହେଉ ଏ ବିଷୟ ଭାବି ଚିନ୍ତି ତମ ଘରେ ପରାମର୍ଶ କରି ମୋତେ ଶେଷକଥା ଜଣାଇବ ।

 

‘ହେଉ, ମୁଁ ତେବେ ଆସୁଛି’ କହ ଦୁଃଖିଶ୍ୟାମ ତିଆଡ଼ିଙ୍କଠାରୁ ବିଦାୟ ନେଇ ଘରକୁ ଫେରିଲେ ।

 

ସାତ

 

ବିଧାତାର ବିଧାନ ବଡ଼ ବିଚିତ୍ର । ମନୁଷ୍ୟ ଗର୍ବ କରେ, ଅହଂକାର କରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ, ଚେଷ୍ଟା କରେ ପ୍ରକୃତିର ନିୟମକୁ ଲଙ୍ଘନ କରିବାକୁ; ପ୍ରକୃତି ସଙ୍ଗେ ପ୍ରତିଯୋଗିତା କରେ ଜୀବନ ସଂଗ୍ରାମର ବାହାନାରେ ହେଉ ବା ଅନ୍ୟ ପ୍ରଭାବରେ ହେଉ । ଦେଖାଯାଏ ମନୁଷ୍ୟହିଁ ପ୍ରକୃତିର ନିୟମ ଲଙ୍ଘନ କରିବାକୁ ଆଗଭର ହୋଇପଡ଼େ ।

 

ପର ଦୁଃଖରେ ଦୁଃଖୀ ପର ସୁଖରେ ସୁଖୀ ହେବା ଲୋକ ଏ ଦୁନିଆରେ ଖୁବ୍‌ କମ୍‌ । ଅସମତା ଧରାପୃଷ୍ଠରୁ ଦୂର କରିବାକୁ ଶତଚେଷ୍ଟା ଯେ ବିଫଳ ହୋଇଛି ଏହାର ଦୃଷ୍ଟାନ୍ତ ବହୁତ ମିଳେ । ମନୁଷ୍ୟ ଧନ ଦଉଲତ, କ୍ଷମତା ବଳରେ ଯଥେଚ୍ଛାଚାର କରେ ସତ କିନ୍ତୁ ପରିଣାମ ଦୁଃଖାବହ ହୋଇପଡ଼େ । ତେଣୁ କଥାରେ କହନ୍ତି ଯାହା କରିବେ ସାଇଁ ନା ତା’ କାହାରି ହାତରେ ନାହିଁ ।

 

କେଉଁଠି କିଏ ସାରାଜୀବନ ଦୁଃଖରେ କଟାଉଛି ତ କିଏ ସୁଖରେ କଟାଉଛି । କାହାରି କାହାରିକୁ ଦୁଃଖ ସୁଖ ଉଭୟର ଯୁଆର ଭଟ୍ଟାର ଉବେଇ ଟୁବେଇ ହେବାକୁ ପଡ଼ୁଛି । ମନୁଷ୍ୟକୁ କର୍ମଫଳର ଭୋଗିବାକୁ ହିଁ ହେବ; ଜନ୍ମାନ୍ତରରେ ବିଶ୍ୱାସ ନ କରି ରହି ହେବ ନାହିଁ ।

 

ଆଜିକାଲି ଲୋକ ଚରିତ୍ର, ନୈତିକତାର ମାନ କ୍ରମଶ ନିମ୍ନଗାମୀ ହେବାର ଦେଖାଯାଉଛି । ଜଣକର ବିପଦରେ ଅନ୍ୟ ଜଣେ ନିଜର ଲାଭ ଉଠାଇବା ପାଇଁ ବା ସ୍ୱାର୍ଥ ସାଧନା ପାଇଁ ଅତି ଅମାନୁଷିକ କାର୍ଯ୍ୟ କରିବାରେ ପଛାଉ ନାହିଁ । ସାରା ଗାଁଟା ଯାକରେ ଆଜି ଭାରି ହଟଚମଟ ଲାଗିଛି । ଗାଁରେ ତ ତିନି ଦଳ । ଦଳାଦଳିରେ କେତେଯେ ମାମଲା ସୃଷ୍ଟି ହୋଇଛି, କେତେ ଟାଉଟର ଯେ ତାଲିମ ପାଉଛନ୍ତି ତା’ର ଠିକଣା ନାହିଁ । କେହି ରକ୍ଷଣଶୀଳ, ସ୍ୱାର୍ଥା-ନ୍ୱେଷୀ ତ କେହି ସଚ୍ଚୋଟ ପଣିଆ ଦେଖାଇ ନିଜ ସ୍ୱାର୍ଥ ପାଇଁ ବାଗ୍ମିତା ଓ ଯୁକ୍ତିତର୍କ ବଳରେ ବଳୀୟାନ୍‌ ହୋଇଛନ୍ତି । ଅର୍ଦ୍ଧଶିକ୍ଷିତ ପଲ୍ଲୀ ଯୁବକ ଦଳ ଯୁବକ ସଂଘନାମରେ ଅଳ୍ପ ସମୟ ଲୋକଭୁଲାଣିଆ କାମ ଦେଖାଇବାରେ ବ୍ୟସ୍ତ । ଗ୍ରାମର ରାଜନୀତି ଏକ ବିଷମ ଆକାର ଧାରଣ କରି ପଲ୍ଲୀକୁ ଛାରଖାର କରିବାକୁ ବସିଲାଣି । ଯେ କେତେକ ସଂଖ୍ୟା ଲଘିଷ୍ଠ ତଥାକଥିତ ଉଚ୍ଚ ଶିକ୍ଷିତ ବୋଲାଉଛନ୍ତି ସେମାନେ ନିଜ ଗାଁକୁ ବିଦେଶରେ ପରିଣତ କଲେଣି । ଏପରି ଅବସ୍ଥାରେ ଗ୍ରାମରେ ଉନ୍ନତି ତ ଦୂରର କଥା ଅବନତିର ଯେ କ୍ରମୋନତି ଘଟୁଛି ତାହାହିଁ ବିଚିତ୍ର ।

 

ଗୁଣ୍ଡିଚାର ଦୁଃଖ କାହାଣୀ ଗାଇଲେ ସରିବ ନାହିଁ । ବଡ଼ ହୀନ କପାଳୀ ସେ । ସ୍ୱାମୀଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହେବାର ମାସେ ହୋଇଛି କି ନାହିଁ ତା ଉପରେ ପୁଣି ଆଉ ଏକ ବିପଦ । ଗୁଣ୍ଡିଚାର ଘର ସାମନାରେ ଦାଣ୍ଡ ମଝିରେ ଲୋକ ଜଣ ରୁଣ୍ଡ ହୋଇଛନ୍ତି । କେତେ ଖଣ୍ଡ ଚୌକିରେ ଜିଲା ପୁଲିସ ସାହେବ, ଡି.ଏସ୍‌.ପି ଓ ଦାରୋଗା ବସିଛନ୍ତି । ପ୍ରତି ପାଞ୍ଚ ମିନିଟରେ ପୁଲିସ ସାହେବ ଅଗ୍ନିମୁଖ ହେଉଛନ୍ତି ଅର୍ଥାତ ସିଗାରେଟର ସଦ୍‌ବ୍ୟବହାର କରିବାରେ ଲାଗିଛନ୍ତି । ମଡରକେସର ତଦାରଖରେ ମୁଣ୍ଡଟା ଗରମ ହୋଇ ଯାଉଥିବାରୁ ଗରମକୁ ଗରମ କାଟିଲା ପରି ତାଙ୍କର ଟେବୁଲ ଉପରେ ଥୁଆ ହୋଇଥିବା ନାଭିକଟ ମାର୍କା ସିଗାରେଟ ଡବାଟା ଅଧାଅଧି ହୋଇଗଲାଣି । ଡି. ଏସ୍‌. ପି. ସାହେବ ଫାଇଲଟାକୁ ଓଲଟ ପାଲଟ କରିବାରେ ବ୍ୟସ୍ତ । ଦାରୋଗା ଆଉ ମୁନସି ଆଟେନସନରେ ଠିଆହୋଇ ରହିଛନ୍ତି । ନାଲି ପଗଡ଼ିଧାରୀ ପାଁ-ସାତ ସିପେଇ ଆଜ୍ଞାକୁ ଅବଧାନ ପରି ଦଣ୍ଡାୟମାନ । ଗାଁର ମୁଖିଆ ମୁଖିଆ ଲୋକେ ବିଛା ଯାଇଥିବା ଦରି ଉପରେ ମାଛିକୁ ମ ନ କହିଲା ପରି ନୀରବରେ ବସି ରହିଛନ୍ତି । ଜଣକ ପରେ ଆଉ ଜଣେ ଗୁହା ଜମାନବନ୍ଦୀ ଚାଲିଛି । ଗାଁର ଆଉ ଆଉ ଦେଖଣାହାରୀ ଲୋକେ ବି ରୁଣ୍ଡ ହୋଇ ସବୁ କାନେଇ ଶୁଣୁଛନ୍ତି ।

 

ଜଗନ୍ନାଥପୁର ଶାସନର ଶିବ ବିବାହ ଉପଲକ୍ଷେ ହୋଇଥିବା ଶୀତଳ ଷଷ୍ଠୀ ଯାତ୍ରାକୁ ସବୁ ଅନର୍ଥ ବାହାରିଛି । ଜଗନ୍ନାଥପୁରରେ ଶୀତଳ ଷଷ୍ଠୀକୁ ଘମାଘୋଟ ଯାତ୍ରା ହୁଏ । ବହୁତ ଆତାସବାଜି ମରେ । ଆଖ ପାଖ ଗାଁରୁ ପ୍ରାୟ ସହସ୍ରାଧିକ ଦେଖଣାହାରୀ ରୁଣ୍ଡ ହୁଅନ୍ତି । ବାଣ ମରାମତିରେ ଗ୍ରାମର ବିଭିନ୍ନ ସାହୀ ଓ ବିଭିନ୍ନ ଦଳ ତରଫରୁ ପ୍ରତିଯୋଗିତା ହୁଏ । ତୋପବାଜି, ବମ୍ବାଜୀ, କାଠଚକ୍ରୀ, ହାବେଳୀ, ଚେଙ୍ଗ ହାବେଳୀ, ଆକାଶ-ମଲ୍ଲୀ, ଚନ୍ଦ୍ର ଉଦିଆ, ମହତାପରେ ପୃଥିବୀ ଆକଶ କମ୍ପିଯାଏ । ବାଣ ପ୍ରଦର୍ଶନୀରେ ପ୍ରତିବର୍ଷ କିଛି ନା କିଛି ଅନିଷ୍ଟ ଯେ ନ ଘଟେ ଏମନ୍ତ ନୁହେଁ । ଗଲା ବର୍ଷ କଡ଼ା ପୁଲିସ ପହରା ରହି ମଧ୍ୟ ତିନି ଚାରିଟା ଲୋକ ଖଣ୍ଡିଆ ଖାବରା ହୋଇଗଲେ । ଏ ସନ ବି କି ଅଶୁଭ ଲଗ୍ନରେ ହରପାର୍ବତୀଙ୍କ ବିବାହ ମହୋତ୍ସବ ହେଲା ଯେ ସେଥିରେ ପଚିଶ ବଖରା ଘର ପୋଡ଼ିଲା, ଜଣେ ପିଲା ଓ ଜଣେ ଭେଣ୍ଡା ପ୍ରାଣ ହରାଇଲେ । ତିଆଡ଼ିଙ୍କ ଘରୁ ପାଁଶ ଟଙ୍କା ମୂଲ୍ୟର ଜିନିଷପାତି ଚୋରି ହୋଇଗଲା । ପୁଲିସ ବହୁତ ଧୁମ୍‌ଧାମରେ ଇନକ୍ୱାରୀ କଲେ । ଶେଷକୁ କିଛି ଫଳ ହେଲା ନାହିଁ । ଏବେ ମାସଟାଏ ପୂରିଛି କି ନାହିଁ ଗାଁରେ ପାଲା । ଗ୍ରାମରୁ ବେନାମୀ ସ୍ୱାନାମା ଆପତ୍ତି ଦରଖାସ୍ତ ପଡ଼ିଲା ଏବେ ତାର ଇନକ୍ୱାରୀ ଆସିଛି ।

 

କଥା ହେଲା କ’ଣ । ଶଙ୍କର ଷଡ଼ଙ୍ଗୀଙ୍କ ଘରେ ବାଣ ପଡ଼ି ନିଆଁ ଲାଗିଲା । ନିଆଁ ହୁ ହୁ ଘରକୁ ଘର ମାଡ଼ି ଚାଲିଲା । ଶତ ଚେଷ୍ଟା କରି ଲୋକେ ଲିଭାଇ ପାରିଲେ ନାହିଁ । ଦାଣ୍ଡିମାଳିଆ ଘର । ବିଶେଷତଃ ଖରାଦିନେ ଯଦି ଦୈବୀ ଦୁର୍ବିପାକରେ ନିଆଁ ଲାଗିଗଲା ତ ସାରା ଗାଁଟା ସଫା । ମଫସଲ ଜାଗା, ନିଆଁ ଲିଭାଇବାର କିଛି ସୁବିଧା ନାହିଁ । ଖରାଦିନେ ପୋଖରୀ ଗଡ଼ିଆ ଶୁଖିଯାଏ, ସହରମାନଙ୍କରେ ସିନା ଦମ୍‌କଳ, ନିଆଁଲିଭାଳି ଦଳ ଥାନ୍ତି ଯେ ଲୋକେ ଘରପୋଡ଼ିରୁ କେବେ କେବେ ରକ୍ଷା ପାଇଯାନ୍ତି । କିନ୍ତୁ ଏ ସୁଦୂର ମଫସଲ ଅଞ୍ଚଳକୁ କାହାର ଆଖି ପଡ଼ୁଛି ।

 

ଶାସନରେ ନିଆଁ ଲିଭାଇବାକୁ ବଡ଼ କଠିନ ହୋଇ ପଡ଼ିଲା । ସେତିକିବେଳକୁ ପବନ କାହୁଁ ଆସି ପିଟିଲା । ଦୁଃଖିଶ୍ୟାମ ତ ବଡ଼ ସାହାସୀ ଓ ପରୋପକାରୀ ଲୋକ । ସେ ବିକଳ ସହି ନପାରି ଶଙ୍କର ଷଡ଼ଙ୍ଗୀଙ୍କ ଘର ନିଆଁ ଲିଭାଇବା ପାଇଁ ଏବଂ ତାଙ୍କର କେତେକ ଚାଉଳ ମୁଗ ବିରି ଓଳିଆ ଟାଣି ଆଣୁ ଆଣୁ ଜଳନ୍ତା ଆଟୁ ଛିଣ୍ଡିପଡ଼ି ତାଙ୍କ ଦେହରେ ପଡ଼ିଲା । ସେ ଅର୍ଦ୍ଧ ଦଗ୍‌ଧ ଅବସ୍ଥାରେ ଘରକୁ ବୁହା ହୋଇଗଲେ । ବହୁତ ଯତ୍ନ ଓ ଦେଶୀୟ ଚିକିତ୍ସା କରିବା ସତ୍ୱେ ଦିନ ଦୁଇଟା ପରେ ତାଙ୍କର ଜୀବନଲୀଳା ଶେଷ ହୋଇଗଲା । ଗୁଣ୍ଡିଚାର ସଂସାର ସରିଗଲା ।

 

କହନ୍ତି ମଲା ଅପେକ୍ଷା ଘୋଷରା ବେଶୀ କାଟେ । ସବୁ ଗାଁରେ ତ କଜିଆ ଖୋର, ତୋଖଡ଼, କୁପ୍ରକୃତିର ଲୋକ ଥାନ୍ତି । ଏବେ ଦୁଃଖିଶ୍ୟାମର ଶୁଦ୍ଧିଶ୍ରାଦ୍ଧ ଶେଷ ହେବାର ଦିନ କେଇଟା ମାତ୍ର ଯାଇଛି କି ନା ଗାଁର ଦୁର୍ବୃତ୍ତ ଲୋକେ ଦରଖାସ୍ତ କଲେ ଯେ ଦୁଃଖିଶ୍ୟାମ ମିଶ୍ର ଆତ୍ମହତ୍ୟା କରିଛନ୍ତି । କେତେକ ଦରଖାସ୍ତ କଲେ ତାଙ୍କୁ ହତ୍ୟା କରାଯାଇଛି । ଚୋରୀରେ ମଧ୍ୟ ସେ ସମ୍ପୃକ୍ତ ବୋଲି ଅଭିଯୋଗ କରାଯାଇଥିଲା । ଏସବୁ କାରଣରୁ ବର୍ତ୍ତମାନ ଇନ୍‌କ୍ୱାରୀ ବସିଛି ।

 

ପୁଲିସ ସାହେବ ଗାଁର ଓ ଆଖପାଖ ଗାଁର ଲୋକଙ୍କଠାରୁ ସାଖୀ ଗୁହା ନେଲେ । ମଡ଼ର କେଶରେ କିଛି ପ୍ରଣାମ ମିଳିଲା ନାହିଁ । ଦୁଃଖିଶ୍ୟାମଙ୍କର ମୃତ୍ୟୁର କାରଣ ଆକସ୍ମିକ ଦୁର୍ଘଟଣାରୁ ଉପୁଜିଛି ବୋଲି ପ୍ରମାଣିତ ହୋଇଗଲା । ଆରତି ତିଆଡ଼ିଙ୍କ ତହବିଲ ଚୋରୀ ମିଥ୍ୟା ବୋଲି ସନ୍ଦେହ କରାଗଲା । ଯେହେତୁ ସେ ଅପହୃତ ଟଙ୍କା ଓ ଦ୍ରବ୍ୟର ସଠିକ ତାଲିକା ଦେବାରେ ସକ୍ଷମ ହେଲେ ନାହିଁ । ସନ୍ଦେହରେ ବନ୍ଧା ହୋଇ ଯାଇଥିବା ନିରୀହ ଲୋକଙ୍କୁ ତ୍ରାହି ମିଳିଲା । ଅନ୍ୟ ପକ୍ଷରୁ ଯଥେଷ୍ଟ ଘୁଷ୍‌ଖାଇ ଏ ମିଥ୍ୟା ପୁଲିସ କେଶ ଚଳାଇଥିବାରୁ ପୂରା ସନ୍ଦେହ କରି ଇନ୍‌ସପେକ୍ଟର ଓ ସବଇନ୍‌ସପେକ୍ଟରଙ୍କୁ ପୁଲିସ ସାହେବ ସସ୍‌ପେଣ୍ଡ କରି ରଖିଲେ ।

 

ଝିମିଟି ଖେଳରୁ ମହାଭାରତ ହେଲାପରି ଜଗନ୍ନାଥପୁର ଶାସନରେ ଶୀତଳଷଷ୍ଠୀକୁ ଯେଉଁ ବାରୁଦ କାମର ଆତସ ବାଜି ପ୍ରଦର୍ଶନୀ ହେଲା, ସେଥିରୁ ଏସବୁ ଘଟଣା ଉପୁଜି ସବୁ ଅନର୍ଥ ସୃଷ୍ଟି ହେଲା । ଯେ କୌଣସି କଳା ବା ବିଜ୍ଞାନ କୁହ ସେ ସବୁ ଯଦି ମାନବର ହିତପାଇଁ ବ୍ୟବହୃତ ହୁଏ ତେବେ ତାହା କଳା ବା ବିଜ୍ଞାନର ସାର୍ଥକତା ହାସଲ କଲା ବୋଲି କହିବାକୁ ହେବ । ପକ୍ଷାନ୍ତରେ ତାହା ଯଦି ମାନବର ବ୍ୟକ୍ତିଗତ ବା ସାମାଜିକ ଅନିଷ୍ଟ ସାଧନାରେ ବ୍ୟବହୃତ ହୁଏ ବା ସଭ୍ୟତାକୁ ଧ୍ୱଂସ ମୁଖକୁ ଟାଣି ଆଣେ ତା କଳା ନୁହେଁ କି ବିଜ୍ଞାନ ନୁହେଁ । ଆଣବିକ ବୋମା ବା ଉପାଦାନ ବୋମା ବିଜ୍ଞାନର ପରକାଷ୍ଠା ଦେଖାଇପାରେ; କିନ୍ତୁ ତାହାର ଅପବ୍ୟବହାର ଯଦି ମାନବ ସଭ୍ୟତା ଧ୍ୱଂସ ବା ନଷ୍ଟ ହୋଇଯାଏ ତେବେ ସେପରି ଉଭାବନର ଆଦୌ କିଛି ମୂଲ୍ୟ ନାହିଁ । ସୁତରାଂ ଉଚ୍ଚକୋଟୀର ବୌଜ୍ଞାନିକ ପଣ୍ଡିତମାନେ ଆଣବିକ ବୋମାକୁ ମାନବ ଜାତ ଓ ଦେଶର କଲ୍ୟାଣ ପାଇଁ ବିନିଯୋଗ କରିବାରେ ବରାବର ମତ ଦେଇ ଆସୁଛନ୍ତି । ବାରୁଦ କାମରେ ଆତସବାଜିର ଚତ୍ମକାରିତା ଦେଖାଇବା ସଙ୍ଗେ ସଙ୍ଗେ ତାହା ଯଦି ସାବାଧାନତା ସହକାରେ ବ୍ୟବହୃତ ବା ପ୍ରଦର୍ଶିତ ନ ହୁଏ ତେବେ ଏହା ଅନିଷ୍ଟ ଛଡ଼ା ଇଷ୍ଟ ସାଧନା କରିବ ନାହିଁ । କ୍ଷଣିକ ଆମୋଦ ପ୍ରମୋଦ ପାଇଁ ଗାଁରେ ବାଣମରାରୁ ଏ ଯେଉଁ କନ୍ଦଳ ଓ ଅନିଷ୍ଟ ଜାତ ହେଲା ଏହା ସହଜରେ ଉପଲବ୍‌ଧ କରାଯାଇପାରେ ।

 

ପଲ୍ଲୀଗ୍ରାମରେ ନିରାଶ୍ରୟ ବିଧବା ଗୁଣ୍ଡିଚାର ଯେ ଆମରଣ ଅପୂରଣୀୟ କ୍ଷତି ହେଲା ତାହା କଥାରେ କହି ହେବ ନାହିଁ ।

 

ଆଠ

 

ବେଳଥିଲା ଯେତେବେଳେ ଆମ ଗାଁ ଗଣ୍ଡାରେ ସୁଖ ଶାନ୍ତି ପୂରାମାତ୍ରାରେ ବିରାଜୁଥିଲା-। କେହି କାହାରି ଅନିଷ୍ଟ ଚିନ୍ତା କରୁ ନଥିଲେ । ଯେଝା ଦୁଃଖରେ ଯିଏ ଲାଗି ପଡ଼ୁଥିଲା-। କାହାରି ଉନ୍ନତିରେ କେହି ହିଂସା ପରବଶ ନ ହୋଇ ଆନନ୍ଦ ଅନୁଭବ କରୁଥିଲେ । ଯେଝା ମୁଣ୍ଡକୁ ଚାହିଁ ଯେ କାମରେ ବ୍ୟସ୍ତ ରହୁଥିଲେ । ରାତି ପାହିଲା ତ ନିଜ ଦୁଃଖରେ ସମସ୍ତେ ଧାଇଁଲେ, ହାଡ଼ ଭାଙ୍ଗି କାମ କଲେ; ନିଜ କର୍ମକୁ ଆଦରି ପଡ଼ି ରହିଲେ । ସନ୍ଧ୍ୟା ହେଲେ ଗାଁରେ ଜାଣିଲା ଶୁଣିଲା ଲୋକେ କି ପାଠୁଆ, ଦରପାଠୁଆ, ଅପାଠୁଆ ସମସ୍ତେ ନିଜ ନିଜ ସୁବିଧାମତେ ଆସି ଗାଁରେ ଭାଗବତ ଟୁଙ୍ଗୀ ବା ଚଉପାଡ଼ିରେ ବସି ରାମାୟଣ, ମହାଭାରତ, ହରିବଂଶ, ଭାଗବତ ପ୍ରଭୃତି ପୁରାଣ ପାଠ ଓ ଚର୍ଚ୍ଚାରେ ରାତି କଟାଇ ଘରେ ଆସି ସୁଖ ନିଦ୍ରା ଯାଉଥିଲେ । କାହାରି ବିପଦ, ଆପଦ, ଭଲମନ୍ଦରେ ପଚରା ଉଚରା ହେଉଥିଲା , ଗାଁର ମୁଖିଆ ମୁଖିଆ ଲୋକେ ପରାମର୍ଶ ଚାହୁଁଥିଲେ-। ଗାଁର ଗଣ୍ୟମାନ୍ୟ ଲୋକେ ମଧ୍ୟ ନିଃସ୍ୱାର୍ଥ ଭାବରେ ଆପଣାର ଭାଇ ବନ୍ଧୁ କୁଟୁମ୍ବ, ସାହି ପଡ଼ିଶାଙ୍କୁ ଭରସା ହେଉଥିଲେ । ଧାନରେ ହେଉ କି ଧନରେ ହେଉ ଦରକାର ପଡ଼ିଲେ ଭଲ ମନ୍ଦରେ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରୁଥିଲେ ।

 

କିନ୍ତୁ ସେ ଦିନ ଆଉ ନାହିଁ । ଏବକାର ହାଲ ଏକାବେଳକେ ନିଆରା । ଯେଉଁ ଗାଁକୁ ଯାଅ ଦେଖିବ ଅଶାନ୍ତି । ୟା ମୁହଁ ୟାଡ଼କୁ ତ ତା ମୁହଁ ସ୍ୟାଡ଼କୁ । ଗାଁ, ଗାଁକେ, ସାଇ ସାଇକେ ଦଳାଦଳି, ମତଭେଦ, ବିଗିଡ଼ା ବିଗିଡ଼ି, କଳିକଜିଆ, ନଇଲେ ମାଲିମାମଲା କିଛି ନା କିଛି ଲାଗି ରହିଛି । ବାପର ଗୋଟାଏ କଥା ତ ପୁଅର ଆଉ ଗୋଟଏ କଥା । ବଡ଼ ଭାଇର ଗୋଟାଏ ଢଙ୍ଗ ତ ସାନ ଭାଇର ଆଉ ଗୋଟିଏ ନିଆରା । ମାଇପି ମାଇପିରେ ମନ ଫଟାଫଟି, ଛୁଆ ଛୁଆରେ ତୁଚ୍ଛାକୁ ନେଇ କଳି । ସାମାନ୍ୟ କଥାରୁ ନାନା ଅନର୍ଥ ଓ କନ୍ଦଳ ସୃଷ୍ଟି । ଆପଣାର ସ୍ୱାର୍ଥ ସାଧନ ପାଇଁ କିଏ କ’ଣ ଯେ ନ କରୁଛି ତା’ର ଠିକଣା ନାହିଁ । ଲୋଭ, ଲାଭ, ସ୍ୱାର୍ଥ ନେଇ ସମସ୍ତେ ବ୍ୟସ୍ତ । କାହାରି ମୁହଁକୁ କେହି ଆଡ଼ ଆଖିରେ ଅନାଉ ନାହାନ୍ତି ।

 

ନୂଆଗାଁ ଜଗନ୍ନାଥପୁରରେ ସେଇ କଥା । ଆଜି ଗଦେଇ ସାହୁ ବାଡ଼ିରେ ବିଦେଇ ସାହୁର ହଡ଼ା ବଳଦ ଖଡ଼ା ଖାଇଗଲା ତ ସେଥିପାଇଁ ମାଡ଼ ମରାମରି । କାଲି ଶ୍ୟାମ ଜେନା ବିଲରୁ ଦାମ ଜେନା ହିଡ଼ କାଟି ପାଣି ନେଇଗଲା ତ ନ୍ୟାୟ ନିଶାପ । ସାଧୁଆ ବେହେରା ମଧୁଆ ଭୋଇର ବାରିଆଡ଼କୁ ଚାଖଣ୍ଡେ ହଟାଇ ବାଡ଼ ଦେଇଛି ତ ସିଭିଲ କୋର୍ଟ ମୋକଦ୍ଦମା ଓ ଅମିନ ପିଛା ଶହ ଶହ ଉଡ଼ିଗଲାଣି । ସଞ୍ଜ ବାଜିଲ ଇୟା ପିଣ୍ଡାରେ ସାତ ପାଞ୍ଚ ତ ତା ପିଣ୍ଡାରେ ତିନି ଚାରି ଜଣ ବସି ଟୁପୁରୁ ଟାପୁରୁ, ଫୁସ୍‌ଫାସ୍‌ । ଖାଲି ପରର ଅନିଷ୍ଟ ଚିନ୍ତା । ଏସବୁ କାମରେ ଆଗେଇ ନେବା ପାଇଁ ଗାଁରେ ଅଛନ୍ତି ଟାଉଟର, ନିଶାଖୋର, ଜୁଆଚୋର, ଚଗଲାବାଜି, ହାମବାଡ଼, ଅଧାପାଠୁଆ ମାମଲତକାରୀ । ପାଠ ନଥିଉ ଶାଠ ନ ଥାଉ ଶ୍ରୀ ଅକ୍ଷର ବରୁଣେଇ ପାହାଡ଼ ଜାଣି ସୁଦ୍ଧା ଯେ କହି ବୋଲି ପାରିଲା ସେ ହେଲା ଗାଁର ସିଆଣିଆ ମରଦ । କେହି ନ ଲୋଡ଼ିଲେ ବି ସେ ଆପେ ଆପେ ପରାମର୍ଶ ଶୁଣାଇବାକୁ ହାଜର ।

 

ଜଗନ୍ନାଥପୁରରେ ଏପରି ଲୋକର ଅଭାବ ନାହାନ୍ତି । ସପନି ମିଶ୍ରେ ସେମାନଙ୍କ ମଧ୍ୟରେ ପ୍ରଧାନ । ତାଙ୍କ ଉମର ଗଲାଣି ଖାଲି ମାଲିମକଦ୍ଦମା ନ୍ୟାୟ ନିଶାପ କରି । ୟା ଘର କଳି ତା’ ଘରେ ତା’ ଘର କଳି ୟା ଘରେ । ଯେତେ ପ୍ରକାର ମାଲି ମୋକଦ୍ଦମା ତଦ୍‌ବୀର କରିବାକୁ ମିଶ୍ରେ । ଭାଇ ଭାଇ କଳି ଲଗାଇ ନିଶାପ କରି କଳି ଭାଙ୍ଗିବାକୁ ଭଲ ଲୋକ ମିଶ୍ରେ, ମହାଜନଠାରୁ କରଜବୟ କରିଥିବା ଟଙ୍କାକୁ ଉଡ଼ାଇ ଦେବାରେ, ଖାତକକୁ କୁପରାମର୍ଶ ଦେବାରେ ଧୁରନ୍ଧର ସେଇ ମିଶ୍ରେ । ସପନି ମିଶ୍ରେଙ୍କର ଦୌରାତ୍ମ୍ୟ କିଛି କମ୍‌ ନୁହେଁ । ତାରଣ, ମାରଣ ସବୁ ନୀତି ତାଙ୍କୁ ଜଣା । ଭଲ ଲୋକଙ୍କ ସଙ୍ଗେ ଗୋଟାସୁଧା ତୁଳସୀ ତ ଗୁଣ୍ଡାଙ୍କ ସଙ୍ଗେ ପୂରାପୂରି ଦୋସ୍ତ ଗୁଣ୍ଡା ସରଦାର । ଗାଁ ଫୌଜଦାରୀ ଦଙ୍ଗାହଙ୍ଗାରେ ସମସ୍ତଙ୍କ ଆଗୁଆ ଓ ଗାଁ ସଂକୀର୍ତ୍ତନ ଦଳରେ ବଡ଼ ଗାୟକ ସପନି ମିଶ୍ରେ । ମିଶ୍ରେ ତିଆଡ଼ିଙ୍କୁ ନିର୍ଭର ଜବାବ ଦେଇଛନ୍ତି ଯେ ସେ ପରୀର ବିବାହ ପ୍ରସଙ୍ଗଟି ନିଶ୍ଚୟ ଠିକଣା କରିଦେବେ । ମିଶ୍ରେ ଯେ ମୋଫତରେ ଏ କାମ କରିଦେବେ ତା ନୁହେଁ । ଏଥିରେ ବି ତାଙ୍କର ମତଲବ ଅଛି । ତିଆଡ଼ିଙ୍କୁ ସେ ପୂରାପୂରି ଅକତିଆର କରି ନେଇଛନ୍ତି । ଯଦି ସେ ବାହାଘରଟା ବୁଝି ଦିଅନ୍ତି ତେବେ ବହୁଦିନର ହ୍ୟାଣ୍ଡନୋଟ୍‌ ଦେଇ ଆଣିଥିବା ପଚାଶ ଟଙ୍କା କରଜ ବୟରୁ ସେ ରକ୍ଷା ପାଇଯିବେ । ଏହି ଉଦ୍ଦେଶ୍ୟରେ ସେ ଯାଇ ଗୁଣ୍ଡିଚା ନାନୀ ଘରେ ଅଚାନକ ପହଞ୍ଚିଗଲେ । ଲେଖା ଯୋଖାରେ ସପନି ହେଲେ ଗୁଣ୍ଡିଚାର ଭାଇ ।

 

ଗୁଣ୍ଡିଚା—କି, ସପନି ! ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୁନିଆକୁ ମାଇଁ । କୁଆଡ଼େ ଆସିଲ ! କ’ଣ ଖବର ! ତୁମକୁ ଦେଖି ମତେ କାହିଁକି ଛାନିଆଁ ଲାଗୁଛି ।

 

ସପନୀ—ନାନୀ, ଭୟର କାରଣ କ’ଣ ଅଛି ଯେ ତୁ ସନ୍ଦେହ କରି ଏପରି କହୁଛୁ । ତୁ ତ ଜାଣୁ ମୁଁ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ । ଟିକିଏ ସମୟ ମିଳେନା ଆପଣାର ବନ୍ଧୁବାନ୍ଧବ ଭାଇ ଭାବୁସୀଙ୍କ ସଙ୍ଗେ ସୁଖଦୁଃଖ ହେବାକୁ । ଦୁଃଖୀଶ୍ୟାମ ଭାଇନା ଥିଲେ ସେ ମୋତେ ଚିହ୍ନନ୍ତେ । ସେ ଗଲାଦିନୁଁ ମୁଁ ଆଉ ଏଠାକୁ ଆସିବାକୁ ମନ ବଳାଏ ନାହିଁ ।

 

ଗୁଣ୍ଡିଚା—ହେଉ ଏବେ କ’ଣ ପାଇଁ ଆସିଛ କୁହ ।

 

ସପନୀ—ଅବଶ୍ୟ ତୋର ଭଲ ପାଇଁ ଗୋଟାଏ ପ୍ରସ୍ତାବ ଘେନି ଆସିଛି । ତୁ ସେଥିରେ ରାଜି ହେବାକୁ ପଡ଼ିବ । ଭାଇନା ଥିବାବେଳେ ମଧ୍ୟ ଏ କଥା ଉଠିଥିଲା । ତୁମର ତ ଅବସ୍ଥା ଏପରି-। ବ୍ରାହ୍ମଣ ଘର, ଆଉ ଝିଅଟିକୁ ଘେନି କେତେ ଦିନ ବସିବ । ଝିଅ ଘିଅ ବେଶୀ ଦିନ ସାଇତି ରଖିବା ଠିକ୍‌ ନୁହେଁ ।

 

ଗୁଣ୍ଡିଚା—ମୋର କିଏ ଅଛି ଏ କଥା ବୁଝିବ ! ମୋର ତ କାନ୍ଦି କାନ୍ଦି ଦିନ ସରୁ ନାହିଁ । କେବଳ ଗୁପ୍ତେଶ୍ୱର ଭରସା ।

 

ସପନୀ—କାହିଁକି ? ତୁମର କିଛି ଚିନ୍ତା କରିବା ଦରକାର ନାହିଁ । ଦୁଃଖୀଶ୍ୟାମ ଭାଇନା ଆଗରୁ ସେ କଥା ନିଜେ ମୋ ସମ୍ମୁଖରେ ସ୍ଥିର କରି ଯାଇଛନ୍ତି । ଆରତ ତିଆଡ଼ିଙ୍କ ଏକମାତ୍ର ପୁଅ ପରୀକ୍ଷିତ । ଅଚଳାଚଳ ସମ୍ପତ୍ତିର ମାଲିକ ସେ ହବେ । ତୁମର ପାରୀକୁ ପରୀକ୍ଷିତ ସଙ୍ଗେ ବିବାହ ଦେବା ପାଇଁ ତୁମର ସ୍ୱାମୀ ତ ବଚନ ଦେଇଛନ୍ତି ।

 

ଗୁଣ୍ଡିଚା—ସେ ତ ମୋତେ କେବେ ହେଲେ ଏ କଥା କହି ନାହାନ୍ତି ?

 

ସପନୀ—କହିବେ କିପରି ? ଯେ ପର୍ଯ୍ୟନ୍ତ କଥାଟା ପକ୍‌କା ନ ହୋଇଛି ସେ ପର୍ଯ୍ୟନ୍ତ ସେ ତାହା ଗୁପ୍ତରେ ରଖିଥିଲେ । ସେ ଚତୁର ଲୋକ ନା ? ଏପରି କି ନିଜର ସ୍ତ୍ରୀକୁ ମଧ୍ୟ କହି ନ ଥିଲେ ।

 

ଗୁଣ୍ଡିଚା—ହେଉ, ତୁମେ ତ ଆମ ଭଲ ପାଇଁ କହୁଛ । ତେବେ କିପରି ମାମଲତଟି ଉଠିବ ତାର ତତ୍ତ୍ୱ କିଏ ନେବ ?

 

ସପନୀ—କିଛି ଚିନ୍ତା କରନା ନାନୀ । ସବୁ ହୋଇଯିବ । ଆମେମାନେ ଥାଉଁ ଥାଉଁ ତୋତେ କ’ଣ ଭସାଇ ଦେବୁ । ତେବେ ଗୋଟାଏ କଥା । ତିଆଡ଼ିଏ ତ ବଡ଼ଲୋକ, ମୁଁ ତାଙ୍କୁ କଳେ ବଳେ କଉଶଳେ ମଙ୍ଗାମଙ୍ଗି କରିଛି । ତାଙ୍କ ସାଙ୍ଗେ ବନ୍ଧୁତା କରିବାକୁ ହେଲେ ଆମକୁ କିଛି ତ୍ୟାଗ ସ୍ୱୀକାର କରିବାକୁ ହେବ ।

 

ଗୁଣ୍ଡିଚା—ତିଆଡ଼ି ତ ଜାତିରେ ଊଣା । ମୋର ସିନା କପାଳ ଛୋଟ । ଆଜି ଅବସ୍ଥା ଏପରି ହେଲା ବୋଲି ତୁମେ ଏ ପ୍ରସ୍ତାବ ପକାଉଛ । ମୁଁ ଆଖି ବୁଜି ରାଜି ହେଉଛି । ସେ ଥିଲେ କ’ଣ —

 

ସପନୀ—ଛି ଛି ନାନୀ । ଗୋଟାଏ ଶୁଭ କଥାର ଠିକ୍‌ଠାକ୍‌ ବେଳକୁ ଏପରି ଲୁହ ଗଡ଼ାଇବା ଭଲ ନୁହେଁ । ଆଉ ଜାତି ଗୋତ୍ର କଥା ଆଜିକାଲି କିଏ ପଚାରେ ? ସେ ସବୁ ତ ଉଠିଗଲାଣି । ପୁରୀର ଷୋଳ ଶାସନ ବତିଶ କରବାଡ଼ରେ କେତ ବଡ଼ ବଡ଼ ମହାଜନ ଗୋସେଇଁମାନେ ତ ଅଦାବିକା ସାରୁଆ ବ୍ରାହ୍ମଣଙ୍କ ଘରେ ବସି ଗଲେଣି ଆଉ ତମ ଆମ କଥା ପଚାରେ କିଏ ? ପଇସା— ପଇସା । ପଇସା କ’ଣ ନ କରେ । ତେବେ ତିଆଡ଼ିଏ ଯେ ରାଜି ହୋଇଛନ୍ତି ଏ ଆମ ବହୁ ଭାଗ୍ୟର କଥା । ଆମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସେ ସବୁ ଯଥାକଥା ଚଳେଇ ନେବେ । ହେଲେ ତୁମେ ଯେତେବେଳେ କନ୍ୟାଟିଏ ଦାନ କରିବ କିଛି ଦକ୍ଷିଣା ନ ଦେଲେ ଚଳିବ ?

 

ଗୁଣ୍ଡିଚା—ମୋର କ’ଣ ଅଛି ଯେ ଦେବି ।

 

ସପନୀ—ଗୋ, କାଞ୍ଚନ, ଭୂମି କିଛି ଗୋଟାଏ ଦାନ ନ କଲେ ମଙ୍ଗଳ ହେବ ନାହିଁ । ତେଣୁ ତମର ଯେଉଁ ଅଧ ଏକର ଜମି ଅଛି, ସେତକ ଝିଅକୁ ଦାନ କରିଦେଲେ ହୋଇଯିବ ।

 

ଗୁଣ୍ଡିଚା—ସେ ତ ମଠ ଗୋସେଇଁଙ୍କ ପାଖେ ଦଖଲ ବନ୍ଧକ ପଡ଼ିଛି ।

 

ସପନୀ—ଓହୋ ! ସେଟା କ’ଣ ମୁକୁଳେଇ ଅଣା ହୋଇପାରିବ ନାହିଁ ? ସେ ଅଧ ଏକର ଜମିର ମୂଲ୍ୟ କମ୍‌ ନୁହେଁ, ହସ୍ତିନା, ବାରୁଣା ପରି ଜମି । ତାକୁ ମୋଟେ ଟଙ୍କା ଷୋଳଟାକୁ ଦେଇଛ । ମୁଁ ତିଆଡ଼ିକୁ କହି ସେଟା ମୁକୁଳାଇ ଆଣିବି । ସପନିକି ତା ବଳେଇବ ନାହିଁ । ଅଧ ଏକର ଜମି ତ ତାଙ୍କ ପାଖରେ ବନ୍ଧା ଅଛି । ଅବଶିଷ୍ଟ ଅଧ ଏକର ମୁକୁଳେଇ ଆଣି ସବୁ ଜମିତକ ପାରୀ ନାଁରେ ଦାନପତ୍ର ଲେଖିଦେଲେ ବିଭାଘର ନିର୍ବିଘ୍ନରେ ହୋଇଯିବ । ସେ ସବୁ ଖର୍ଚ୍ଚ କରି କାମ ଉଠାଇ ନେବେ ।

 

ଗୁଣ୍ଡିଚା—ତୁମେ ତ ପାରିବ ମାମୁଁ, ଆଉ କଣ ତୁମେ ପର ଯେ ମୁଁ ତୁମକୁ କହିବି । ଯାହା ଭଲ ହେବ ତା କର । ମୋର ଆଉ ବେଶି ଦିନ ନାହିଁ । ପାରିଟିକୁ ଉଠାଇଲେ ମୁଁ ତ୍ରାହି ମଧୂସୁଦନ । ତେବେ ଜମି ଖଣ୍ଡି ଦେଇ ଦେଲେ ମୁଁ ଚଳିବି କିପରି ? ସେଥିରୁ ସିନା ଯାହା ଧାନ ମୁଗ ଗଣ୍ଡାଏ ପାଉଥିଲି, ଘର ଖଣ୍ଡିକ ଛପର କରୁଥିଲି । ସେତକ ଗଲେ କ’ଣ କରିବି ?

 

ସପନୀ—ସବୁ ତିଆଡ଼ିଏ ଚଳେଇ ନେବେ । ତୁମର ଆଉ କିଛି ଅଭାବ ରହିବ ନାହିଁ । ନାନୀ, ତୁ ବୃଥାରେ ଏ କଥା ସେ କଥା ଚିନ୍ତା କରନା । ଏକ ଏକର ଭୂମିଦାନ ସହ କନ୍ୟାଟି ଦାନ କଲେ ତୋର ସବୁ ସୁବିଧା ହୋଇଯିବ । ସବୁ ଅଭାବ ଦୂର ହୋଇଯିବ । ସେତେବେଳେ ସିନା ବୁଝିବୁ ସପନି ସତ କହୁଥିଲା ନା ମିଛ । ହେଉ ମୁଁ ଯାଉଛି ସବୁ ଠିକ୍‌ଠାକ୍‌ କରିବି ।

 

ଗୁଣ୍ଡିଚା ମନେ ମନେ ଭାବିଲା, ‘ଜମି ଖଣ୍ଡିକ ପଛେ ଗଲେ ଯାଉ । ତାର ବା କିଏ ଅଛି-? ସେ ଭିକ ମାଗି ଧାନକୁଟି, ସାତ ଖିଜିମତ କରି କ’ଣ ତା ପେଟ ଚାଖଣ୍ଡକ ପୂରାଇ ପାରିବ ନାହିଁ-। ପାରି ଯଦି ସୁଖରେ ରହିଲା ତେବେ ସେ ଖୁସି ।

 

ନଅ

 

ପାର୍ବତୀର ବିବାହ କାର୍ଯ୍ୟ ଶେଷ ହୋଇଗଲା । ବାଲ୍ୟ ବିବାହ ହେତୁ ପାର୍ବତୀ ନିଜର ମା ଗୁଣ୍ଡିଚା ପାଖରେ ଥାଏ । ସେତେବଳକୁ ତାର ବୟସ ଛଅ ବରଷ ମାତ୍ର । ପରୀକ୍ଷିତର ବୟସ ପନ୍ଦର । ସେ ତ ଆଉ ପଢ଼ାପଢ଼ି କଲା ନାହିଁ । ବାପର ତ ସମ୍ପତ୍ତି ଢେର ଆଉ ପରବା କଣ ? କେତେକ ଗାଁ ବଗୁଲିଆ ଟୋକାଙ୍କ ସଙ୍ଗେ ନଈ ପହଁରିବା, ନଇଲେ କେଉଁଠି ଗଛରେ ଚଢ଼ି ଗୋବରା ଚଢ଼େଇ ଧରିବା, କେବେ କେବେ ଆଖ ପାଖ ଗାଁରେ ନାଟ ତାମସା କି ପାଲା ହେଉଛି ଦେଖିବା ଏହିପରି ସମୟଟା କଟାଉଥାଏ । ଗୋଟାଏ ବୋଲି ପୁଅ । ତିଆଡ଼ିଏ ପରିକୁ କିଛି କହନ୍ତି ନାହିଁ । କିନ୍ତୁ ତାଙ୍କ ମନରେ ସବୁବେଳେ ଭୟ ଓ ସନ୍ଦେହ ଥାଏ ଯେ ପରୀକ୍ଷିତ ଏ ଅଚଳାଚଳ ସମ୍ପତ୍ତି ସମ୍ଭାଳିବ କିପରି ?

 

ଗାଁର ଅଧେ ଲୋକଙ୍କର ଭୂସମ୍ପତ୍ତି, ଡିହବାରି ତ ତିଆଡ଼ିଙ୍କର ହୋଇଛି । ତିଆଡ଼ିଙ୍କର କରଜ ଦେଣା ଶୁଝି ନ ପାରି ଗାଁର କେତେ କୁଟୁମ୍ବ ଘର ଛାଡ଼ି ଭିଟାମାଟି ଉଚ୍ଛନ୍ନ କରି, ଗାଁ ଛାଡ଼ି ଦରିଆ ପାର ହୋଇଛନ୍ତି । ଏତେ ସମ୍ପତ୍ତିର ମାଲିକ ହୋଇ ତିଆଡ଼ିଙ୍କର ଅର୍ଥପିପାସା, ସମ୍ପତ୍ତି ଲୋଭ ମେଣ୍ଟିପାରିଲା ନାହିଁ । ପରିଶେଷରେ ତାଙ୍କର ବହୁଦିନର ମନକାମନା ପୂର୍ଣ୍ଣ ହୋଇଛି । ତାଙ୍କ ଷୋଳମାଣ ଚକକୁ ଲାଗି ଦୁଃଖିଶ୍ୟାମଙ୍କର ଯେଉଁ ହସ୍ତିନା ବାରୁଣା ପରି ଜମି ଏକରକ ବାକି ଥିଲା, ତାହା ତାଙ୍କର ହସ୍ତଗତ ହୋଇଛି । ଏ ସତର ମାଣ ଚକ ପୂର୍ବେ ଦୁଃଖିଶ୍ୟାମଙ୍କର ପୂର୍ବପୁରୁଷ ବାଜପେୟୀ ଅର୍ଜନ କରିଥିଲେ ଦାନ ସୂତ୍ରରେ ତାଙ୍କର ପାଣ୍ଡିତ୍ୟ ପାଇଁ । କାଳକ୍ରମେ ସେଥିରୁ ଷୋଳମାଣ ତିଆଡ଼ିଙ୍କ ବାପା ଅରକ୍ଷିତ ତିଆଡ଼ି ଖରିଦ କରିନେଇ ଯାଇଥିଲେ ।

 

ତିଆଡ଼ିଙ୍କର ହତାଦର ଏବଂ କୁବ୍ୟବହାରରେ ହରିହର ଅଗତ୍ୟା ଘର ଛାଡ଼ି ଚାଲିଗଲା । ତାର ଜନ୍ମକଲା ମା ତ ଆଗରୁ ମରି ଯାଇଥିଲା । ଘର ଡିହ ଖଣ୍ଡି ଭାଙ୍ଗି ପଡ଼ିଥିଲା । ସେ ବା ଏବେ ଯାଉଛି କେଉଁଠିକି ? ହରିହର ତ ବୁଦ୍ଧିମାନ ପିଲା । ତାକୁ ସେତେବେଳକୁ ଶୋଳ ସତର ବରଷ ହେଲାଣି । ସେ ଭାବିଲା, ‘ଭଗବାନ ନିରୀହ ଅଜ୍ଞାନ ପଶୁପକ୍ଷୀଙ୍କୁ ଅଧାର ଦେଉଛନ୍ତି ତା ପାଇଁ କ’ଣ କିଛି ବ୍ୟବସ୍ଥା କରି ନ ଥିବେ । ତାର ମୁଣ୍ଡ, ହାତ ଗୋଡ଼ ଅଛି । ସେ ପରିଶ୍ରମ କରିବ । ପରିଶ୍ରମର ଫଳ ନିଶ୍ଚୟ ପାଇବ ।’ ଏହିପରି ମନରେ ଦମ୍ଭ ବାନ୍ଧି ଅନ୍ୟତ୍ର ଯିବାକୁ ସ୍ଥିର କଲା । ନିକଟବର୍ତ୍ତୀ ଗ୍ରାମର ମି: ଇ: ସ୍କୁଲ ବୋର୍ଡ଼ିଂରେ ଟଙ୍କା ଚାରିଟା ବୃତ୍ତିରେ ଚଳିବା କଠିନ ହୋଇପଡ଼ିଲା-। ତେଣୁ ସେ ଘର, ଗାଁ, ସ୍କୁଲ ଛାଡ଼ି ବାହାରିଲା । ତା’ ନିଜ ଗାଁ ଗୋବିନ୍ଦପୁରର ବହୁତ ଲୋକ କଲିକତାରେ ଥାନ୍ତି । କିଏ ଚଟକଳରେ, କିଏ ପାଟକଳରେ, କିଏ ଜାହାଜରେ କିଏ ବା ପୂଝାରୀ କାମରେ ରହିଥାନ୍ତି । ତା’ ଗାଁର ବିଶି ପଣ୍ଡା କଲିକତାରେ ଠାକୁର୍‌ କାମ କରନ୍ତି । ହରିହର ବିଶି ପାଖରେ ପହଞ୍ଚିଲା । ଦିନ ଦଶ ବାରଟା ରହିଲା ପରେ ତାକୁ ଗୋଟିଏ କାମ ମିଳିଲା-। ସେ ଜନୈକ ବଙ୍ଗାଳୀ ଭଦ୍ର ବ୍ୟକ୍ତିଙ୍କ ଘରେ ସାତ ଟଙ୍କା ମାସିକ ମଇନାରେ ରୋଷେଇ କାମରେ ରହିଲା-। କାମ ଦାମ ସାରି ଯେଉଁ ସମୟତକ ମିଳେ ହରିହର ତାହା ବୃଥା କଟାଏ ନାହିଁ-। ବଙ୍ଗାଳୀବାବୁଙ୍କର ପିଲାମାନେ ଇସ୍କୁଲେ ପଢ଼ନ୍ତି । ସେ ପିଲାମାନଙ୍କ ପାଖରେ ସମୟେ ସମୟେ ବସେ । ସେମାନଙ୍କ ବହି ପଢ଼େ । କ୍ରମେ କ୍ରମେ ଘରେ ଘରେ ପଢ଼ି ସେ ଘରୋଇ ଭାବରେ ମାଇନର ଷ୍ଟାଣ୍ଡାର୍ଡ଼ ପର୍ଯ୍ୟନ୍ତ ଜ୍ଞାନ ଅର୍ଜନ କଲା । ଏପରିକି ବାବୁ ବାଡ଼ିର ପିଲାମାନଙ୍କଠାରୁ ତାର ଜ୍ଞାନ ଢେର ବେଶୀ ହୋଇଗଲା । ଏଥିରେ ବାଡ଼ିର ଦିଦିମା ଓ ମା’ଜୀ ପ୍ରଭୃତିଙ୍କ ଆଖିରେ ଏ କଥା ସୁହା ଗଲା ନାହିଁ । ସେ ହରିହରକୁ ଅନେକ ଥର ଏଥିପାଇଁ ତାଗଦା କରି ଦେଲେଣି-। ଥରେ ରୋଷେଇ ଡେରି ହୋଇଯିବାରୁ ମା ଠାକୁରାଣୀ ଉଗ୍ରଚଣ୍ଡୀ ହୋଇ ଉଠିଲେ ଏବଂ ହରିହରକୁ ଡାକି ସଫା ସଫା କହିଲେ, ‘ହର ଠାକୁର୍‌ ! ତୋମାର କାଜ ରନ୍ଧନ ଟନ୍ଧନ କରା । ତୁମି ଏଠାକୁ ପାଠ ପଡ଼ିତେ ଆସି ନାହଁ । ତୋମାକେ ଆମି ଶେଷବାର ତାକିଦ କରେ ଦାଉଛି । ଆର ଏକବାର ବହି ପଢ଼୍‍ତେ ଦେଖିଲେ ବାବୁକେ ବଲି ତୁକୁ ତଡ଼ିୟା ଦିବ ।’

 

ଏଥିରେ ହରିହର ମନରେ ବଡ଼ କଷ୍ଟ ହେଲା । ସେ ଭାବିଲା, ‘ମୁଁ, ତ କାମରେ କିଛି ଖଇଚା କରୁନାହିଁ, ତଥାପି ଏ ବଙ୍ଗାଳୁଣୀ ମୋ ପଢ଼ାପଢ଼ି ଦେଖି ସହି ପାରୁନାହିଁ । ହେଉ ସବୁ ଲଜ୍ଜା, ଅପମାନ, ଗାଳି ଗଞ୍ଜଣା ସହିବାକୁ ତ ହେବ । ଆଉ ଦିନକର ଘଟଣା । ହରିହର କଥାପ୍ରସଙ୍ଗରେ ବାଡ଼ିର କର୍ତ୍ତାଙ୍କ ସଙ୍ଗେ କହୁ କହୁ ଓଡ଼ିଆ ଭାଷାର କବି ଉପଇନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ, ଜଗନ୍ନାଥ, ଜୟଦେବଙ୍କ ରଚନାର ପ୍ରଶଂସା ଗାଇ ବସିଲା । ବାବୁ ମହାଶୟ ବିଗିଡ଼ି ଯାଇ ବଙ୍ଗଭାଷାରେ ପ୍ରୌଢ଼ୀ ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିର ନିନ୍ଦା କରିବାରୁ ହରିହର ତାଙ୍କୁ ମୁହେଁ ମୁହେଁ ଉପଯୁକ୍ତ ପ୍ରତ୍ୟୁତ୍ତର ଦେବା ଫଳରେ କାର୍ଯ୍ୟରୁ ଅନ୍ତର ହେଲା ।

 

ମନ ଥିଲେ ଉପାୟ ଆପେ ଆପେ ଆସେ । ହରିହର ବଙ୍ଗାଳୀ ବାଡ଼ିରୁ ବିଦାୟ ଘେନି କଲିକତା ସହରରେ ବୁଲୁଥାଏ । ଦିନେ ଦୌବାତ୍‌ ଜଣେ ଖ୍ରୀଷ୍ଟଧର୍ମ୍ମର ମିସିନାରୀ ରେଭରେଣ୍ଡ ଥୋମାସ୍‌ ସାହେବଙ୍କ ସଙ୍ଗେ ସାକ୍ଷାତ ହେଲା । ସାହେବ ପିଲାଟିର ଚେହେରା, କଥାବାର୍ତ୍ତା ଓ ବୃଦ୍ଧି ବୃତ୍ତି ଦେଖି ବଡ଼ ପ୍ରୀତ ହେଲେ । ଯୁବକଟିର ପାଠପଢ଼ିବା ପ୍ରତି ବିଶେଷ ଆଗ୍ରହ ଥିବାର ଦେଖି ତାକୁ ଯଥାଯୁକ୍ତ ସାହାଯ୍ୟ କରିବେ ବୋଲି ସ୍ୱତଃ ପ୍ରତିଶ୍ରୁତି ଦେଲେ । ତାଙ୍କରି ସାହାଯ୍ୟ, ସହାନୁଭୂତି ହରିହର ଜୀବନରେ ଘୋର ପରିବର୍ତ୍ତନ ଆଣିଲା । ହରିହର ଆମେରିକାନ ବାପ୍‌ଟିଷ୍ଟ ମିସନ ଫଣ୍ଡରୁ ସାହାଯ୍ୟ ପାଇ ମାଟ୍ରିକ ପାସ କଲା ଏବଂ କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ପାଇ ବୃତ୍ତି ହାସଲ କଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ସେ ବଙ୍ଗଦେଶର ବାସିନ୍ଦା ନ ହୋଇଥିବାରୁ ବୃତ୍ତିରୁ ବଞ୍ଚିତ ହେଲା । ହେଲେହେଁ ଥୋମାସ୍‌ ସାହେବଙ୍କ ଅନୁଗ୍ରହରୁ ସେ ମିସନ ମେଡ଼ିକାଲ କଲେଜରେ ଭର୍ତ୍ତି ହେଲା ।

 

ହରିହର ଭାବିଥିଲେ ତାର ଜଗତରେ ଆପଣାର ବୋଲି କେହି ନାହିଁ । ସୁତରାଂ ସଂସାର ପ୍ରତି ମାୟା ନ ରଖି ସେ ତା’ର ଜୀବନଟି ଜନନସେବାର କଟାଇଦେବାର ସିଦ୍ଧାନ୍ତ କଲା । ଡାକ୍ତରୀ ଶିକ୍ଷା ପାଇଲେ ସେ ଜନସେବା କରିବାରେ ଯଥେଷ୍ଟ ସୁଯୋଗ ପାଇବ ମନେକରି ମେଡ଼ିକାଲ ଲାଇନଟି ବାଛି ନେଲା । ମେଡ଼ିକାଲ କଲେଜରେ ପଢ଼ିଲେ ତ ବହୁତ ଖର୍ଚ୍ଚ ତାର ପିତୃପ୍ରତିମ ଥୋମାସ୍‌ ସାହେବ କାର୍ଯ୍ୟୋପଲକ୍ଷେ ଅନ୍ୟ ସ୍ଥାନକୁ ବଦଳି ହୋଇଗଲେ । ଥୋମାସଙ୍କ ଉତ୍ତରାଧିକାରୀ ସାହେବ ସାହାଯ୍ୟ ରହିତ କରିଦେଲେ । ସାହାଯ୍ୟ ବନ୍ଦ କରିବାର କାରଣ ଥିଲା ଢେର । ମିସନ ତରଫରୁ ସାହାଯ୍ୟ ପାଇବାକୁ ହେଲେ କେତେ ଗୁଡ଼ିଏ ସର୍ତ୍ତ ପାଳନ କରିବାକୁ ପଡ଼େ । ତା ମଧ୍ୟରେ ରବିବାର ଦିନ ନିୟମିତ ଯାଇ ଗିର୍ଜା ପ୍ରାର୍ଥନା ସଭାରେ ଯୋଗ ଦେବା, ବାଇବ୍‌ଲ ପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ଥାଏ । ହରିହର ନିଜର ଉଦ୍ଦେଶ୍ୟ ସାଧାନାରେ ଏ ସବୁ କରୁଥାଏ । ଏ ମଧ୍ୟରେ ତାର କେତେ ଜଣ ସଙ୍ଗୀ ମଧ୍ୟ ଖ୍ରୀଷ୍ଟଧର୍ମ ଗ୍ରହଣ କରି ନେଲେ । ଖ୍ରୀଷ୍ଟାନ୍‌ ଲେଡ଼ି ବିବାହ କରି ବଡ଼ ବଡ଼ ଚାକିରୀ ମଧ୍ୟ ପାଇଗଲେ । ହରିହରଙ୍କୁ ମଧ୍ୟ ନାନା ପ୍ରକାର ପ୍ରଲୋଭନ ଦେଖାଇ ଦିଆଯାଇଥିଲା । କିନ୍ତୁ ହରିହର ବଡ଼ ବୁଦ୍ଧିମାନ ପିଲା । ସେ ଭାବିଲା—ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ ।

 

ସେତେବେଳକୁ ତାର ଡାକ୍ତରୀ ପଢ଼ା ସାରିବାକୁ ଆହୁରୀ ଦୀର୍ଘ ଦୁଇବର୍ଷ ଥାଏ । କ’ଣ କରିବ । ଏହି ସମୟରେ ବଙ୍ଗଦେଶ କାହିଁକି ଭାରତବର୍ଷ ସାରା ଘୋର ରାଜନୌତିକ ଆନ୍ଦୋଳନ ଚାଲିଥାଏ । ପ୍ରବଳ ପରାକ୍ରମ ବ୍ରିଟିଶ କେଶରୀଙ୍କୁ ଭାରତରୁ ନିକାଲିବା ପାଇଁ ମହାତ୍ମା ଗାନ୍ଧିଙ୍କ ଅହିଂସ ସମର ଚାଲିଥାଏ । ସ୍କୁଲ କଲେଜର ବହୁତ ଛାତ୍ରଛାତ୍ରୀ ପାଠ ପଢ଼ାପଢ଼ି ଛାଡ଼ି ଆନ୍ଦୋଳନରେ ଯୋଗ ଦେବାକୁ ଲାଗିଲେ । ହରିହର ତ ସେମାନଙ୍କ ପରି ଜଣେ ଛାତ୍ର । ଛାତ୍ରମାନଙ୍କର ରାଜନୌତିକ ଉନ୍ମାଦନା ଦେଖି ତା ମନ ମଧ୍ୟରେ ତୀବ୍ର ଆନ୍ଦୋଳନ ଖେଳିଗଲା । ସେବାଭାବ ପ୍ରଣୋଦିତ ଯୁବକ ହରିହର ଉକ୍ତ ରାଜନୌତିକ ଆନ୍ଦୋଳନ ବହ୍ନିରେ ନିଜକୁ ଝାସ ଦେବା ପାଇଁ କେତେଥର ବିଚାରିଲା । ପୁଣି ଭାବିଲା ମାହାତ୍ମାଜୀ ତ ତାଙ୍କର ବକ୍ତୃତାମାନଙ୍କରେ ବରାବର ଉପଦେଶ ଦେଇଥାନ୍ତି, ଛାତ୍ରମାନେ ସକ୍ରିୟ ରାଜନୀତିରେ ଅନୁଚିତ । କେବଳ ରାଜନୀତି କ୍ଷେତ୍ରରେ ଯୋଗଦେଲେ ଯେ ଦେଶସେବା ଜନସେବା କରିହେବ, ଅନ୍ୟ ଉପାୟରେ ହେବ ନାହିଁ ଏମନ୍ତ ନୁହେଁ । ରାଜନୈତିକ ଆନ୍ଦୋଳନରେ ଯୋଗ ନ ଦେଇ ଅନେକେ ପ୍ରକୃତ ଦେଶସେବା କରିପାରୁଛନ୍ତି । କେତେକ କେବଳ ନାମ କମାଇବା ବା ନିଜର କିଛି ଅଭୀଷ୍ଟ ସାଧନ କରିବା ଉଦ୍ଦେଶ୍ୟ ରଖି ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାର ଭୂରି ଭୂରି ଦୃଷ୍ଟାନ୍ତ ମଧ୍ୟ ସେ ଦେଖିବାକୁ ପାଇଲା । ପରିଶେଷରେ ବହୁତ ଚିନ୍ତାକରି ସ୍ଥିର କରିନେଲା ନା— ସେ ଛାତ୍ର ଅବସ୍ଥାରେ ରାଜନୀତିରେ ଯୋଗ ନ ଦେଇ ନିଜକୁ ବିଜ୍ଞ, ଶିକ୍ଷିତ ଏବଂ ଉପଯୁକ୍ତ ନାଗରିକ ଗଢ଼ି ସାରିଲା ପରେ ଯାହା କିଛି କରିବ ।

 

ପାଠ ତ କହୁଚି ‘ଏ ମନ ପାଂଚୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’ । କଲିକତା ସହରରେ ନାନା କାର୍ଯ୍ୟ ଉପଲକ୍ଷେ ଓଡ଼ିଶାର ଲକ୍ଷଲକ୍ଷ ଲୋକେ ନାନା କାର୍ଯ୍ୟରେ ରହିଥାନ୍ତି । ପ୍ରବାସୀ ଉତ୍କଳ ଶ୍ରମିକ ସଂଘ ବୋଲି ଗୋଟିଏ ବଡ଼ ଅନୁଷ୍ଟାନ ଗଢ଼ି ଉଠିଥାଏ । ହରିହର ଅନୁସନ୍ଧାନ କରି କରି ଉକ୍ତ ସଂଘ ଅଫିସରେ ଉପସ୍ଥିତ ହେଲା ଏବଂ ସଂଘର ବୈତନିକ ସହକାରୀ ସମ୍ପାଦକରୂପେ କାର୍ଯ୍ୟ ଖଣ୍ଡେ ପାଇଲା । ରାତି ଆଠଟାଠାରୁ ସଂଘ ଅଫିସରେ ତାକୁ ଗୋଟାଏ ବଖରା ରହିବାପାଇଁ ମାଗଣା ମିଳିଥାଏ । ସୁତରାଂ ହରିହରକୁ ଡାକ୍ତରୀ ପଢ଼ିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ ।

 

ହରିହରର ଡାକ୍ତରୀ ଶେଷ ପରୀକ୍ଷା ସମାପ୍ତ ହେଲା । ସେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ତରଫରୁ ଗୋଟିଏ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଲା । ଅନେକ ଥର ତାକୁ ଚାକିରୀ ମିଳିଥିଲା କିନ୍ତୁ ସେ ଚାକିରୀ କଲା ନାହିଁ । ଚାକିରୀ ପ୍ରତି ତାର ବହୁଦିନରୁ ଘୃଣା ଜନ୍ମିଥାଏ । ସେ ବୁଝିଛି କିପରି ଆଜିକାଲି ଚାକିରୀର ଅବସ୍ଥା । ଚାକିରୀରେ ଉନ୍ନତି କରିବାକୁ ହେଲେ ନାନା କୌଶଳ, ତୋସା ମୋଦ ଓ ବିବେକବିରୁଦ୍ଧ କାର୍ଯ୍ୟ କରିବାକୁ ପଡ଼େ । କେତେକ ସ୍ଥଳେ ମିଥ୍ୟାର ଆଶ୍ରୟ ନେବାକୁ ହୁଏ ଓ ନୈତିକତା ହରାଇ ଉତ୍କୋଚ ଗ୍ରହଣ କରିବାକୁ ମନ ଆକୃଷ୍ଟ ହୁଏ । ସଚ୍ଚୋଟ, ସତ୍ୟବାଦୀ, ନିର୍ଭୀକ, ଧର୍ମଭୀରୁ, ନିଃସ୍ୱାର୍ଥ ସ୍ପଷ୍ଟବାଦୀ କର୍ମୀ ଆଜିକାଲି ଦୁନିଆରେ କେତେ ଜଣ ? ହରିହର ଜାଣିଛି ତା ମାମୁଁ ଘର ଗାଁର ମଧୁସୂଦନ ମହାନ୍ତି ଏମ: ଏ: ବି: ଇଡ଼ି: ପଢ଼ି ପଚିଶ ବରଷ ଚାକିରୀକରି ବୁଢ଼ା ହୋଇ ପେନସନ ପାଇଲେ ଅଶୀ ଟଙ୍କା ଆଉ ଲଛମନ ସିଂହ ମାଟ୍ରିକ ପାସକରି ଚାକିରୀ ଶେଷକରୁ ପୁଲିସ ଏସ୍‌. ପି ରେ ଅବସର ନେଇ ପାଉଛି ତିନିଶ ଅଠଚାଳିଶି ବାରଣା । ହରିହର ବହୁବାର ତାର ପାଠ ପଢ଼ୁଆ ସଂଗୀମାନଙ୍କୁ କହିଥିବ ଯେ କେବଳ ଚାକିରୀ ପାଇଁ ଲକ୍ଷ୍ୟ ରଖି ପାଠ ପଢ଼ିବା ଉଚିତ ନୁହେଁ । ଦିନକୁ ଦିନ ତଥାକଥିତ ଶିକ୍ଷିତଙ୍କ ସଂଖ୍ୟା ତ ବୃଦ୍ଧି ପାଇବାରେ ଲାଗିଛି । ଏତେ ଲୋକଙ୍କୁ ଚାକିରୀ ଯୋଗାଇବ ବା କିଏ ? ଜୀବିକା ନିର୍ବାହର ପନ୍ଥା ବହୁମୁଖୀ । ତେଣୁ ଦେଶର ଶିକ୍ଷିତ ଯୁବକ କେବଳ ଚାକିରୀ ଉପରେ ଆଶା ନ ରଖି ବିଭିନ୍ନ କର୍ମପନ୍ଥା ବାଛି ନେବା ଉଚିତ ।

 

ହରିହର ଡାକ୍ତରୀ ପାସ କରିଲା ପରେ ମଧ୍ୟ ସଂଘର ଅବୈତନିକ ସମ୍ପାଦକ ରୂପେ ରହି ଘରୋଇ ଭାବରେ ଚିକିତ୍ସା ଆରମ୍ଭ କଲା । ଉତ୍କଳୀୟ ଶ୍ରମିକମାନେ ହେଲେ ତାହାର ମୁଖ୍ୟ ଗ୍ରାହକ-। ଯେ ଯାହା ଦେଲା ଖୁସି । ଅନ୍ୟାନ୍ୟ ଡାକ୍ତରମାନଙ୍କ ପରି ଫିସ୍‌ ହେଲେ ଯିବି ନଇଲେ ନାହିଁ ଏ ଭାବନା ତା ମନେ କେବେହେଲେ ସ୍ଥାନ ପାଇ ନ ଥିଲା । ଶ୍ରମିକମାନଙ୍କର କାହାରି କିଛି ଦେହପା ବେମାର ହେଲେ ହରିହର ଡାକ୍ତରକୁ ଡାକନ୍ତି । ଡାକ୍ତର ହରିହର ଅକୁଣ୍ଠିତ ଚିତ୍ତରେ ରୋଗୀସେବା କରେ । ଅଳ୍ପଦିନ ମଧ୍ୟରେ ହରିହର ଶ୍ରମିକ ମହଲରେ ଏପରି କି ଆଖ ପାଖର ସାଧାରଣ ଜନତା ମଧ୍ୟରେ ବଡ଼ ଲୋକପ୍ରିୟ ହୋଇ ଉଠିଲା । ଡାକ୍ତର ହରିହର ନିଜର ଅତ୍ୟାବଶ୍ୟକ ଖର୍ଚ୍ଚ ବାଦ୍‌ ଅବଶିଷ୍ଟ ଟଙ୍କା ସଂଘର ଚାନ୍ଦା, ଗରିବ ଛାତ୍ର ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ ଦେବାରେ ବ୍ୟୟ କରେ । ସେ ବଡ଼ ସରଳ, ନିରାଡ଼ମ୍ବର ଜୀବନ ଅତିବାହିତକରି ଜନସେବାରେ ନିଜକୁ ନିୟୋଜିତ କରିବାକୁ ଲାଗିଲା ।

 

ଦଶ

 

ନୂଆସାହିରୁ ଗଲେ ପନ୍ଦର । ପଠାଣ ସାହିରୁ ପାଞ୍ଚ । ହରିଜନ ସାହିରୁ ପିଲା, ମାଇପେ, ଯବାନ୍‌ ମିଶି ତିନି ଦିନରେ ତେର ଗଲେଣି । ଗାଁ ଚୌକିଦାର ଦିନା ମାଳିକର ଭେଣ୍ଡା ପୁଅ, ବୁଢ଼ା ମା ଓ ଦାଦିପୁଅ ଭାଇ ବିକେଇ ମଳିକ ଦିନକ ଭିତରେ ଚାଲିଗଲେ, ଦିନା ମୁଣ୍ଡପିଟି ନହୁନୁହାଣ ହୋଇ ପାଗଳ ପରି ବୁଲୁଛି । ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ ହୋଇ ଯାଉଛି । ଚାରିଆଡ଼େ ଶୁନ୍‌ଶାନ୍‌ । କାହା ଦୁଆରକୁ କେହି ଆସିବାକୁ ନାହିଁ । ଯେପରି କି କୋକୁଆ ଭୟ ମାଡ଼ି ଆସୁଛି । ଗାଁର ବୁଢ଼ା ବୁଢ଼ୀ ଲୋକେ କହି ବୁଲୁଛନ୍ତି ସେମାନଙ୍କ ଜନମ ହେଲା ଦିନଠୁଁ ଏପରି ଘଟଣା କେବେ ହୋଇ ନ ଥିଲା । ଏ କି ଝାଡ଼ାକଇ ଆସିଛି, କେତେ ଘର ଧୋଇ ନେଲାଣି । କାହାର ଘରକରଣା ଏକାବେଳକେ ସରିଯାଇଛି ।

 

ଦି ଦିନ ତଳେ ରାଘବାନନ୍ଦ ସା’ନ୍ତଙ୍କ ଶଶୁର ଘରୁ ପୁନିଆ ଭାର ବେଭାର ଘେନି ଆସିଥିବା ସାତ ଜଣ ବେହେରା ଓ ଦୁଇଜଣ ବାରିକ ମଧ୍ୟରୁ ଦି ଜଣ ବେହେରା ଓ ଜଣେ ଭେଣ୍ଡିଆ ବାରିକ ପିଲା ଗାଁ ମୁଣ୍ଡରେ ଭେଟଣା ହୋଇ ଗୋଟାଏ ଝାଡ଼ା ଗୋଟାଏ ବାନ୍ତିରେ ଶେଷ ହୋଇଗଲେ ।

 

ଶାସନଟା ତ ଲୋକଗହଳି ସାହି । ସେଠୁ ପିଲା ବଡ଼ ହୋଇ ଗଲେଣି ସତର କି ଅଠର-। ଆହୁରି ଗଡ଼ୁଛନ୍ତି ପାଞ୍ଚ କି ସାତ । ବଡ଼ ମଠର ତିନି ଜଣ ମାତାଙ୍କୁ ଏକ ସଙ୍ଗେ ହଇଜା ଧଇଲା-। ମହନ୍ତ ବହୁତ ଟଙ୍କା ଖର୍ଚ୍ଚ କରି ଗୋଟିଏ ଯୁବତୀ ମାତାଙ୍କର ଚିକିତ୍ସା ପାଇଁ କଟକକୁ ଡାକ୍ତର ମଗାଇଲେ । ଚିକିତ୍ସା କରାଇ ମଧ୍ୟ ଜଣେ ବୁଢ଼ୀ ମାତା ବଞ୍ଚିଗଲା । ଆଉ ଦୁଇ ଜଣଯାକ ଯୁବତୀ ମାତା ସ୍ୱର୍ଗକୁ ବାଟ ସୁଧାରିଲେ ।

 

ଆଖ ପାଖ ଗାଁରୁ ଜଗନ୍ନାଥପୁରକୁ ସାଧାରଣ ଲୋକଙ୍କର ଯିବା ଆସିବା କେତେ ଦିନ ହେଲା ଏକାବେଳକେ ବନ୍ଦ । ଲୋକେ ପୋକ ମାଛି ପରି ମରି ଯାଉଛନ୍ତି ।

 

ଆହା ! ପଲ୍ଲୀ ଗ୍ରାମର ଏ ଦୃଶ୍ୟ କି କରୁଣ ଓ ମର୍ମନ୍ତୁଦ । ଆମ ଏ ପଲ୍ଲୀବହୁଳ ଦେଶରେ ଅଧିକାଂଶ ଗ୍ରାମର ସ୍ୱାସ୍ଥ୍ୟ ଅପ୍ରୀତିକର । ସହରମାନଙ୍କରେ ନାନାପ୍ରକାର ଚିକିତ୍ସା ଓ ସ୍ୱାସ୍ଥ୍ୟୋନ୍ନତିର ସୁବିଧାମାନ ଥାଇ ମଧ୍ୟ ସହରର ଜନଗହଳି ଏବଂ ଜଟିଳ ଜୀବନଯାତ୍ରା ସମୟେ ସମୟେ ମହାମାରୀ, ବସନ୍ତ , କୁଷ୍ଠ, ଯକ୍ଷ୍ମା ପ୍ରଭୃତି ଅସାଧ୍ୟ ରୋଗ ଯେପରି ଭାବରେ ବ୍ୟାପୁଛି ତାହା ବଡ଼ ଚିନ୍ତା ଓ ଉଦ୍‌ବେଗର ବିଷୟ । ତା’ ସାଙ୍ଗକୁ ସହରର ନାଳ ନର୍ଦ୍ଦମା କଳ କାରଖାନା ଦ୍ୱାରା ଦୂଷିତ ବାୟୁମଣ୍ଡଳ, ସିନେମା, ଥିଏଟର, ହୋଟେଲ, ଖାଦ୍ୟ ପାନୀୟ ସାମଗ୍ରୀ ସହରର ସ୍ୱାସ୍ଥ୍ୟୋନ୍ନତିରେ ନାନା ଜଟିଳତା ସୃଷ୍ଟି କରୁଛି ।

 

ଏ ଦୃଷ୍ଟିରୁ ଦେଖିଲେ ପଲ୍ଲୀର ସରଳ, ନିରାଡ଼ମ୍ବର ଶ୍ରମିକ ଜୀବନ ମୁକ୍ତ ବାୟୁ, ସୁଖାଦ୍ୟ ଅବଶ୍ୟ ଅପେକ୍ଷାକୃତ ସୁଖମୟ ହେଲେ ହେଁ ସମୟେ ସମୟେ ପଲ୍ଲୀଗ୍ରାମମାନଙ୍କର ଯେଉଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ଉପୁଜେ ତାହାର ନିରାକରଣ ଅତୀବ କଷ୍ଟସାଧ୍ୟ ହୋଇପଡ଼େ ।

 

ଯଦି ପାଠକେ ବର୍ଷାଦିନେ ଆମର କୌଣସି ସୁଦୂର ପଲ୍ଲୀଗ୍ରାମରେ ଭ୍ରମଣ କରିବାର ଅବସର ପାଇଥାନ୍ତି ତେବେ ସେମାନେ ଉତ୍ତମରୂପେ ଅନୁଧ୍ୟାନ କଲେ ବୁଝିପାରିବେ ଯେ ପଲ୍ଲୀଗ୍ରାମର ନଳା, ନର୍ଦ୍ଦମା, କର୍ଦ୍ଦମମୟ ଯାତାୟତ ପଥ, ବାସଗୃହର ସମ୍ମୁଖ, ଗାଈ ଗୋରୁ, ମଇଁଷି, ଛେଳି, ମେଣ୍ଢା ରହିବା ଗୁହାଳ ଘର, ଗାଁ କୂଅ, ପୋଖରୀ ଦୂରବସ୍ଥା କିପରି ହୁଏ । କେଉଁଠି ଗାଁର ବିଚ୍‌ ରାସ୍ତା କଡ଼ରେ କିଏ ଝାଡ଼ା ଫେରେଛି ତ କେଉଁଠି ପୋଖରୀ ହୁଡ଼ାରେ ଏତେ ମଇଳା ଯେ ପାଦ ପକାଇବାକୁ ରାହା ନାହିଁ । ଛିଣ୍ଡା ଅପରିଷ୍କାର କନା, ଘଷା ଦାନ୍ତକାଠି, ଜିଭ ଛେଲା ପାଣି କୂଳରେ ଭାସୁଛି । କେଉଁଠି ପୁଣି ଅଧିକାଂଶ ଗାଁ ଗଡ଼ିଆ କର୍ଦ୍ଦମ ଏବଂ ଚୁଙ୍ଗୁଡ଼ିଆ ବା କଲିକତି ଦଳରେ ପରିପୂର୍ଣ୍ଣ ହୋଇ ମଶକକୁଳର ବୃଦ୍ଧିରେ ସହାୟତା କରୁଛି । କେଉଁଠି ଖାଦ୍ୟ ପଦାର୍ଥ ଉପରେ ମାଛି ବସି ଶହ ଶହ ଅଣ୍ଡା ପ୍ରସବ କରିଗଲେଣି ।

 

ଗାଁର ଅଧିକାଂଶ ପିଲାଗୁଡ଼ାକଙ୍କର ଦେହ, ମୁଖ, ନାକ, ନଖ କେବଳ ଅପରିଷ୍କୃତିର ପରିଚାୟକ । କେତେକ ବୟସ୍କ ପଲ୍ଲୀ ନରନାରୀମାନଙ୍କ ପରିଧାନ ବସନ ଏତେ ଅପରିଷ୍କୃତ ଯେ ଧୋଇଲେ ପୋଖରୀଟାଯାକର ପାଣି ଗୋଳିଆ ହୋଇଯିବ । ରହିଲା ଶୋଇଲା ଘରେ ବଡ଼ ବଡ଼ କବାଟ ଓ ଝରକା ଅଭାବରୁ ଅନ୍ଧକାର ଅନ୍ଧାରି ବିଜେ କରିଛନ୍ତି । ବାୟୁ ଓ ଆଲୋକର ଗମନାଗମନ ପଥ ଏକାବେଳକେ ରୁଦ୍ଧ । ଯେଉଁ ପୋଖରୀରୁ ଲୋକେ ପିଇବା ଓ ରାନ୍ଧିବା ପାଇଁ ପାଣି ବ୍ୟବହାର କରୁଛନ୍ତି ସେଥିରେ ଗୋରୁ ମଇଁଷି ଗାଧୋଉଛନ୍ତି, ଲୋକେ ଝାଡ଼ାଫେରି ପାଣି ଘେନୁଛନ୍ତି, ଦାନ୍ତ ଘଷୁଛନ୍ତି ଏବଂ ଅପରିଷ୍କୃତ ଲୁଗାପଟା ଧୁଆଧୋଇ କରୁଛନ୍ତି । ଧୋବା ଓ ଧୋବଣୀ ଯାବତୀୟ ମଇଳା ଲୁଗାସବୁ କାଚୁଛନ୍ତି । କୁଷ୍ଠ ଓ ଯକ୍ଷ୍ମାରୋଗୀ ଗାଧୋଉଛନ୍ତି । ଗାଁ ହାଟ କେବଳ ଅସ୍ୱାସ୍ଥ୍ୟକର ପରିସ୍ଥିତିର ପ୍ରଦର୍ଶନୀ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏ ପରିସ୍ଥିତିରେ ପଲ୍ଲୀଗ୍ରାମରେ କୌଣସି ପ୍ରକାର ସଂକ୍ରାମକ ରୋଗ ଆରମ୍ଭ ହୋଇଗଲେ ଅବସ୍ଥା ଯେ କେତେ ଅଣଆୟତ୍ତ ହୋଇପଡ଼ିବ ତାହା ଅତି ସହଜେ ଅନୁମାନ କରାଯାଇ ପାରିବ । ଗାଁରେ ସାଧାରଣତଃ କୌଣସି ରୋଗ ବୈରାଗର ସୁଚିକିତ୍ସା କରିବାର ସୁବିଧା ନାହିଁ । କାଁ ଭାଁ ଯେ କେତେ ଜଣ ବଟୁଆଜକା ଅଧାପାଠୁଆ ବଇଦ ଅଛନ୍ତି ସେମାନଙ୍କ ଜ୍ଞାନ, ଗରିମା, ବିଦ୍ୟା ଗବେଷଣା ଏବଂବିଧ ପରିସ୍ଥିତିକୁ ସମ୍ଭାଳିବା କ’ଣ ସମ୍ଭବପର ?

Unknown

 

ପ୍ରତିବର୍ଷ ଆମ ଦେଶର ପଲ୍ଲୀଗ୍ରାମମାନଙ୍କରେ ସଂକ୍ରାମକ ରୋଗର ତାଣ୍ଡବଲୀଳା ସହରରେ ପ୍ରକାଶିତ ସମ୍ବାଦପତ୍ରଗୁଡ଼ିକୁ ଯଥେଷ୍ଟ ଖାଦ୍ୟ ଯୋଗାଏ ଏ କଥା କିଏ ଭଲା ଅସ୍ୱୀକାର କରିବ ? ଅଳ୍ପ କେତୋଟି କେନ୍ଦ୍ର ସ୍ଥାନରେ ଥିବା ଡାକ୍ତରଖାନା ବା କରିରାଜି ଔଷଧାଳୟର ଯେଉଁ ବ୍ୟବସ୍ଥା ତାହା କେବଳ ସମୁଦ୍ରକୁ ଶଙ୍ଖେ ପଣା ନ୍ୟାୟରେ ହୋଇଛି ସିନା । ଅନ୍ତରଃ ପକ୍ଷେ ପ୍ରତି ଦୁଇ ହଜାର କି ପାଞ୍ଚ ହଜାର ଲୋକଙ୍କ ପାଇଁ ଗୋଟିଏ ଲେଖାଏଁ ଚିକିତ୍ସା ବା ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଗଲେ ପଲ୍ଲୀସ୍ୱାସ୍ଥ୍ୟ ଉନ୍ନତିଲାଭ କରନ୍ତା !

 

ଆମ କୃଷିପ୍ରଧାନ ଦେଶର ପ୍ରଧାନ ସମ୍ବଳ ଗୋଜାତିମାନଙ୍କର ଅବସ୍ଥା ମଧ୍ୟ କମ୍‌ ଖରାପ ନୁହେଁ । ଗୋ ମଡ଼କରେ ଗାଁର ଗୋଧନାଦି ନଷ୍ଟ ହୋଇଯାଉଛି । ପଲ୍ଲୀମାନଙ୍କରେ ସାଧାରଣ ସ୍ୱାସ୍ଥ୍ୟୋନ୍ନତି କରିବାକୁ ଗଲେ ଶିକ୍ଷା ପ୍ରଚାର, ଚିକିତ୍ସାଳୟ, ଡାକ ତାର ବ୍ୟବସ୍ଥା, ରାସ୍ତାଘାଟର ସୁବ୍ୟବସ୍ଥା ଏକାନ୍ତ ପ୍ରୟୋଜନ । ପଲ୍ଲୀବାସୀ ଅତି ସରଳ ଏବଂ ଅଶିକ୍ଷିତ । ସେମାନଙ୍କର ଆର୍ଥିକ ବା ଅର୍ଥନୈତିକ ଦୈନ୍ୟ ଦୂର ନ ହେଲେ ପଲ୍ଲୀବାସୀ ଉନ୍ନତି ଲାଭ କରିବାରେ ଯଥେଷ୍ଟ ସନ୍ଦେହ ରହିଛି । ଶିକ୍ଷାସଂସ୍କୃତି ବିହୀନ ପଲ୍ଲୀର ଧନଶାଳୀ ଲୋକେ ମଧ୍ୟ ଲୋଭ ଏବଂ ବ୍ୟୟକୁଣ୍ଠା ଯୋଗୁଁ ନାନାବିଧ ରୋଗର କରାଳ କବଳରେ ପତିତ ହେଉଅଛନ୍ତି ।

 

ଜଗନ୍ନାଥପୁର ଶାସନ ବିସୂଚିକାର ତାଣ୍ଡବଲୀଳା କ୍ଷେତ୍ରରେ ପରିଣତ ହୋଇଛି । ଶାସନର ବିଶିଷ୍ଟ ଧନୀ ବ୍ୟକ୍ତି ଆରତ ତିଆଡ଼ିଙ୍କ ସ୍ତ୍ରୀ ଓ ପିଉସୀ କଲେରାରେ ଚାଲିଗଲେ । ତାଙ୍କ ପଛେ ପଛେ ଦିନ ଚାରି ଛ’ଟା ଯାଇଛି କି ନାହିଁ ତାଙ୍କର ଏକମାତ୍ର ପୁତ୍ର ଏବଂ ବିପୁଳ ଧନ ସମ୍ପତ୍ତିର ଉତ୍ତରାଧିକାରୀ ପରୀ ଏବେ କଲେରାରେ ଭୀଷଣ ଭାବରେ ଆକ୍ରାନ୍ତ । ଗାଁ ବଇଦ ବାଇଧର ନାୟକର ସକଳ ଚେଷ୍ଟା ଫସରଫାଟି ଗଲା । ଯେତେ ରକମର ଜଡ଼ିବୁଟି, ଝଡ଼ା ଫୁଙ୍କା, ଗୁଣି ଗାରଡ଼ି ଯେ ଯାହା କହିଲା ସବୁ ବ୍ୟବସ୍ଥା କରି ମଧ୍ୟ ପରୀକ୍ଷିତର ଜୀବନ ସଙ୍କଟାପନ୍ନ ହୋଇ ପଡ଼ିଲା । ଗାଁର କେତେକ ମୁଖିଆ ମୁଖିଆ ଜଣାଶୁଣା ଲୋକେ ତିଆଡ଼ିଙ୍କୁ ପରାମର୍ଶ ଦେଇଥିଲେ କଟକରୁ ଡାକ୍ତର ଡକାଇ ଚିକିତ୍ସା କରିବା ପାଇଁ କିନ୍ତୁ ତିଆଡ଼ିଏ ଅର୍ଥହାନି ଭୟରେ ସେ ସବୁ ପ୍ରସ୍ତାବ ଆଗ୍ରାହ୍ୟ କଲେ । ଗାଁ ଟାଉଟର ସପନି ମିଶ୍ରଙ୍କ ପରାମର୍ଶ ତିଆଡ଼ିଙ୍କ ମନକୁ ମାନିଲା । ପରୀର ଆରୋଗ୍ୟ ଲାଭ ପାଇଁ ସନ୍ଧ୍ୟାକୁ ଗ୍ରାମଦେବତୀ ଜାଗୁଳେଈ ଠାକୁରାଣୀ ନିକଟରେ ମାଜଣା ଓ କାଳିଶୀ ନଗାଇବାର ବ୍ୟବସ୍ଥା ଦେଇ ସପନି ମିଶ୍ରେ ତିଆଡ଼ିଙ୍କ ନାସଦାନୀରୁ ଟିପେ ନାସ ନେଇ ଯଥାସମୟରେ ଆସିବାକୁ କହି ଚାଲିଗଲେ ।

 

ଗାଁର ଶେଷ ମୁଣ୍ଡକୁ ଗାଁ ଠାକୁରାଣୀ ଜାଗୁଳେଈଙ୍କ ପ୍ରାୟ ଗମ୍ଭୀରା । ଗମ୍ଭୀରା ଏବଂ ତତ୍‌ସଂଲଗ୍ନ ସ୍ଥାନର ଆୟତନ ଆଡ଼ ଦୀର୍ଘରେ ପ୍ରାୟ ତିନି ଚାରି ଏକର କି ତହିଁରୁ ଅଧିକ ପଛେ ଊଣା ହେବ ନାହିଁ । ଏହି ସ୍ଥାନଟି ଜଙ୍ଗଳର ଗୋଟିଏ କ୍ଷୁଦ୍ର ଆଦର୍ଶ । କିଆ, ସିଜୁ, ବେତବୁଦା, ଧଳାଙ୍କୁ, କଷି, ଡିମ୍ବିରି, ସଲରା, କରଞ୍ଜ, ନିମ୍ବ, ସାହାଡ଼ା, କାଠଚମ୍ପା, ଅମରପୋଇ, ବଜ୍ରମୂଳୀ ପ୍ରଭୃତି ଆଉ ଆଉ ଅଜାତିଆ ଗଛମାନଙ୍କରେ ଭର୍ତ୍ତି । ସୁଆଁ, ପାଞ୍ଚଅଙ୍ଗୁଳି, କୋଇଲିସୂତା, ନିର୍ମୂଳୀ, ଶିଆଳୀ ପ୍ରଭୃତି ଲତା-ଜାତୀୟ ଉଦ୍ଭିତ ଏବଂ ଅନ୍ୟାନ୍ୟ ନାନାବିଧ ଔଷଧ ଗଛଲଟାମାନଙ୍କରେ ଭରା । ଗଧିଆ, ବିଲୁଆ, କୋକି, ଗାତୁଆ ମୂଷା, ଗୁଣ୍ଡିଚା, ନେଉଳ, ସାପ, କଇଁଚ ପ୍ରଭୃତି ଜୀବଜନ୍ତୁ ଏବଂ ମାଟିଆଚିଲ, କାଣ୍ଟିବଗ, ବଣି, ଗୁହୁକାଳିକା, ଡାହୁକ, କୁମ୍ଭାଟୁଆ ପ୍ରଭୃତି ପକ୍ଷୀମାନଙ୍କର ବାସସ୍ଥଳୀ ଏହି ଜାଗୁଳେଈ ଠାକୁରାଣୀଙ୍କ ଗମ୍ଭୀର ଠାକୁରାଣୀଙ୍କ ବିଜେସ୍ଥଳୀ । ଏଥିରେ ଏକ ସୁବୃହତ୍‌ ଓହଳପୂର୍ଣ୍ଣ ଝଂକୃତ ବଟବୃକ୍ଷର ନିମ୍ନଦେଶରେ ପୀତ କନିଅର ଗୋଡ଼ିବାଣ ନାଗଅଇରୀ ପ୍ରଭୃତି ପୁଷ୍ପ ବୃକ୍ଷଦ୍ୱାରା ପରିବୃତ,କ୍ଷୁଦ୍ର ଓ ଘଞ୍ଚ ସାହାଡ଼ା ବୃକ୍ଷ ମଧ୍ୟସ୍ଥିତ ଚାରିଖଣ୍ଡ କୁଣ୍ଡାଗୋଳା ପଟାପଥର ଦ୍ୱାରା ନିର୍ମିତ ମନ୍ଦିର ମଧ୍ୟରେ ମା ଜାଗୁଳେଈଙ୍କ ଆସ୍ଥାନ ବିଦ୍ୟମାନ । ଠାକୁରାଣୀଙ୍କ ଆସ୍ଥାନକୁ ଲାଗି ନିମ୍ବ ଓ ସାହାଡ଼ା ଗଛ ଦେହରେ କେଜାଣି କେଉଁ ଭଟ୍ଟ ଅମଳରୁ ସିନ୍ଦୂର ଲାଗି ଆସିଛି, ତା ଗାଁର ବୁଢ଼ା ବୁଢ଼ୀ ବି କହିପାରିବେ ନାହିଁ । ଗମ୍ଭୀର ଭିତରଟ ଟିକିଏ ଅନ୍ଧାରୁଆ ଓ ବର୍ଷର ଅଧିକାଂଶ ସମୟ ସନ୍ତସନ୍ତିଆ ଥାଏ । ବର୍ଷାଦିନରେ ଗଛ ଲଟା ମାଡ଼ି ଯାତାୟାତର ପଥ ବନ୍ଦ ହୋଇଯାଏ । ଖରାଦିନରେ ସ୍ଥାନଟି ଅବଶ୍ୟ ବଡ଼ ଆରାମଦାୟକ ହୋଇଥାଏ । ସାଧାରଣ ରାସ୍ତାଠାରୁ ଜଣେ ମଣିଷ ଚାଲିପାରିଲା ଭଳି ବାଟଟିଏ ଠାକୁରାଣୀଙ୍କ ଆସ୍ଥାନ ପାଖକୁ ପଡ଼ିଛି । ସେ ବାଟଟି ଭଙ୍ଗା ମାଠିଆ, ହାଣ୍ଡି ଖପରାରେ ଭରା । ସେହି ବାଟେ ଠାକୁରାଣୀଙ୍କ ସେବକ, ମାଳୀ ଓ ଭଣ୍ଡାରୀ ସମୟେ ସମୟେ ଆସି ଧୂପ, ଦୀପ ନୈବେଦ୍ୟ ଦେଇଯାନ୍ତି । ଠାକୁରାଣୀଙ୍କ ନୀତି ଓ ପୂଜା ପାଇ ସେମାନେ ପୁରୁଷାନୁକ୍ରମେ ସାମାନ୍ୟ କେତେ ଖଣ୍ଡ ଜମି ଭୋଗ ଦଖଲ କରି ସେବାୟତ ଜାଗିରୀ ଭୋଗ କରି ଆସୁଥିଲେ ହେଁ ତଦ୍ଦ୍ୱାରା ସେମାନଙ୍କର କୁଟୁମ୍ବ ପ୍ରତିପୋଷଣ କରିବାର ଯଥେଷ୍ଟ ହେଉ ନ ଥିବାରୁ ସେବାୟତ ବଂଶର ଲୋକେ କଲିକତା ଓ କାଳିମାଟିରେ କୁଲି କାମ କରିବାଟାକୁ ମୁଖ୍ୟ ଜୀବିକା କରି ଠାକୁରାଣୀଙ୍କ ସେବାପୂଜା ଗୌଣଉପଜୀବିକା ରୂପେ ଧରି ନେଇଛନ୍ତି । ସୁତରାଂ ଗ୍ରାମଦେବତୀଙ୍କର ଦୈନିକ ସେବା ପୂଜା ନୀତି ହୋଇପାରୁ ନାହିଁ । ଛମାସ ବରଷକେ ଯଦି କାହାର ଆପତ୍ତି ବିପତ୍ତି ପଡ଼ିଲା ତ ସେ ଠାକୁରାଣୀଙ୍କ ପୂଜାରେ ମନ ବଳାଇଳା । ‘‘ଆତଙ୍କ ପଡ଼ିଲେ ଯାଚନ୍ତି କୁକୁଡ଼ା ଆତଙ୍କ ସରିଲେ ଦିଅନ୍ତି ନେଫଡ଼ା ।’’

 

ଖରାଦିନେ ଗାଈ ଜଗୁଆଳ ଟୋକାମାନେ ଆସ୍ଥାନ ପାଖାପାଖି ଜାଗା ସଫାକରି ଗୁଲି, ଡାଗର ପୁଆ ବା ଗୁଚିତାଣ୍ଡୁ, କଉଡ଼ି କାଞ୍ଜିଗାତୀ, ବାଘ ବିକ୍ରି, ଡ଼ୁଡ଼ୁ ନୁଣୁଚୋରୀ, ବୋହୁଚୋରୀ ଇତ୍ୟାଦି ଖେଳ ଖେଳିଥାନ୍ତି । ଏତଦ୍‌ବ୍ୟତୀତ ଠାକୁରାଣୀଙ୍କ ବିଜେସ୍ଥଳୀ ଅନ୍ୟ ସମୟମାନଙ୍କରେ ଏକ ଭୀତିପ୍ରଦ ସ୍ଥାନ ବୋଲି ବିଶେଷତ ଗାଁ ମାଇପେ ଓ ଛୁଆମାନଙ୍କର ମନ ମଧ୍ୟରେ ଦୃଢ଼ ଧାରଣା ଥାଏ । ଗାଁରେ ବାହା ନିମିତ ହେଲେ ଠାକୁରାଣୀ ମଙ୍ଗୁଳେଇବା ପାଇଁ ଗାଁ ମାଇପେ ସାତ ସତର ସାଥି ହୋଇ ଗମ୍ଭୀରକୁ ଯାନ୍ତି । ବାରିକିଆଣୀ ସୋରିଷ ମାଲପା ଗୋଳା ହଳଦୀ ଠାକୁରାଣୀଙ୍କୁ ଲଗାଇ ଦେଇ ଗାଧୋଇ ଦିଏ ଏବଂ ସିନ୍ଦୁର ଚିକଣ କରି ବୋଳି ଦେଇଥାଏ । ଏପରି ଚାଲିଯାଏ କେତେ ଦିନ । ଯେମନ୍ତି ‘ଅକାଳେ ମାଇଲି ଘାଏ ନା ଗଲା ଶିରାବଣ ଯାଏ ।’

 

ଜାଗୁଳେଈଙ୍କ ବୁଢ଼ା କାଳିଶୀ ବିଦେଇ ଦେହୁରୀ ଉମର ଗଲା କାଳିଶୀ ପଣିଆ କରି । ତାକୁ ଲୋକେ ଭାରି ମାନ୍ୟ କରୁଥିଲେ । ଗାଁର ବୁଢ଼ୀ ମାଇପୀଙ୍କ ଠାରୁ ଶୁଣା ଯାଉଥିଲା ଯେ ବିଦେଇ କାଳିସୀ ଡାକିଲେ ଜାଗୁଳେଈ ଠାକୁରାଣୀ ଓ କରୁଥିଲେ । ତାକୁବି ବହୁତ ଗୁଣୀ ଗାରେଡ଼ୀ ମନ୍ତ୍ର ଯନ୍ତ୍ର, ଝାଡ଼ା ଫୁଁ କା ମାଲୁମ ଥିଲା । ତାର ବଂଶରେ ଏବେ ପାଣି ଦେବାକୁ କେହି ନାହିଁ । ବୀରପେଶା, ଗୁଣୀ ଗାରେଡ଼ୀ ମନ୍ତ୍ର ଜାଣିଲେ କୁଆଡ଼େ କୁଳରେ କେହି ରହନ୍ତି ନାହିଁ ବୋଲି ଗାଁ ଲୋକଙ୍କର ବିଶ୍ୱାସ । ସେ ଯାହାହେଉ ବିଦେଇର ବର୍ତ୍ତମାନ ଉତ୍ତରାଧିକାରୀ ତାର ଭାଣିଜୀ ଜ୍ୱାଇଁ ପବନା ଘର ଜ୍ୱାଇଁ ହିସାବରେ ଆସି ରହିଥିଲା । ବିଦେଇ ଦେହୁରୀ ମୃତ୍ୟୁପରେ କାଳିସୀ ହେବାର ଭାର ପଡ଼ିଲା ପବନା ଦେହୁରୀ ଉପରେ । ସେ ଅନେକ ଥର ଅରୁଆ ଉପାସ ରହି ଠାକୁରାଣୀଙ୍କ ପାଖରେ ଅଧ୍ୟା ପଡ଼ି ଫେରିଲା । ଠାକୁରାଣୀ ତା ପୂଜା ଘେନିଲେ ନାହିଁ କି ଡାକ ଶୁଣିଲେ ନାହିଁ । କେହି କେହି କହିଲେ ବିଦେଇ ଦେହୁରୀର ଜଣେ ଦୋଷ୍‌ମନ ଗୁଣି ବିଦ୍ୟା ବଳରେ ଠାକୁରାଣୀଙ୍କୁ କିଳି ଦେଇଥିବାରୁ ମା ଆଉ ବୋଲ ଶୁଣୁ ନାହାନ୍ତି । ସେବଠାରୁ ଲୋକମାନଙ୍କ ମନରେ ଅବିଶ୍ୱାସ, ସନ୍ଦେହ ସ୍ଥାନ ପାଇବାକୁ ଆରମ୍ଭ କଲା । ତଥାପି ଉଆଁସ ପୁନିଅ ପର୍ବରେ ପବନା ଶୀରରେ ମସ୍ତ, ବଡ଼ ସିନ୍ଦୂର କଲି ମାରି ଠାକୁରାଣୀଙ୍କ ପାଲଟା କଳାଶାଢ଼ି ମୁଣ୍ଡରେ ବାନ୍ଧି, ଯାଉଁଳୀ ବେତ ହାତରେ ଧରି କାହାରି ଦୁଆରେ ପହଞ୍ଚିଯାଏ ତ ସେତେବେଳେ ଲୋକଙ୍କର ତା ପ୍ରତି ଭୟ ଭକ୍ତି ଜାତ ହୁଏ । କିଏ ଚାଉଳ ସେରେ ତ କିଏ ପନିପରିବା ଦିଟା, କିଏ ଚୂଡ଼ା ଉଖୁଡ଼ା ଡାଲାଏ ତ କିଏ ପଇସା ଅଣାଏ ନ ଦେବ ଏମନ୍ତ କଥା ନୁହେଁ । ଗାଁର ଅବିଶ୍ୱାସୀ ଟୋକାଟୋକେଳିଆ କେତେଟା ପବନାକୁ ନାପସନ୍ଦ କଲେ ସଙ୍ଗେ ସଙ୍ଗେ ଅନ୍ୟମାନେ ଜ୍ୱଳନ୍ତ ଉଦାହରଣ ଦେଇଥାନ୍ତି । କେହି କେହି ଗାଁ ଲୋକେ କହନ୍ତି ଧୋବୀ ମା ଭେଣ୍ଡୋଉଣୀ ଏବେ ବି ବଞ୍ଚିଛି, ତାକୁ ପଚାରିଲେ ସେ କହିବ । ବହୁଦିନ ତଳେ ସେ ଶାସନରୁ ଠିଆପାଲା ଦେଖି ଫେରୁଥିଲା ବେଳେ ବହୁତ ରାତି ହୋଇଗଲା । ସେ ଗାଁ ମୁଣ୍ଡରେ ଚମକି ପଡ଼ି ଭେଟଣା ହେଲା । କିନ୍ତୁ ତାଆର ଦିନ ପବନା କାଳିସୀ ନାଗି ବଞ୍ଚିଗଲା । ଏ ଘଟଣାଟା ଯୋଗୁ ପବନି ବିଚରା ମୁଣ୍ଡଟେକି ରହିଛି । ତାର ଦୁର୍ନାମ ରଟନା କରିବାକୁ କେହି କ୍ୱଚିତ୍‌ ସାହସ କରନ୍ତି ।

 

ସପନି ମିଶ୍ରେ ତିଆଡ଼ୀଙ୍କୁ ପରାମର୍ଶ ଦେଇ ନିଶ୍ଚିନ୍ତ ହୋଇ ନାହାନ୍ତି । ସେ ଗାଁ ଲୋକଙ୍କୁ ମତାଇ ଦେଇଥିବାରୁ ସମସ୍ତେ ଗାଧୁଆ ବେଳରୁ ନାଗିପଡ଼ି ଜାଗୁଳେଈଙ୍କ ଗମ୍ଭୀରା ସଫା ସୁତରା କରି ସାରିଛନ୍ତି । ପବନୀ ଦେହୁରୀକୁ ଅରୁଆ ଖୁଆଇ ଉପାସ ରଖାଇବାାର ବ୍ୟବସ୍ଥା କରାଯାଇଛି । ଠିକ୍‌ ଡାହାଣିଆ ଖରାବେଳକୁ ଗାଁର ବହୁଲୋକେ ଜାଗୁଳେଈ ବେଢ଼ାରେ ଜମା ହୋଇ ରହିଛନ୍ତି । ହରିବୋଲ ହୁଳହୁଳିରେ ଗାଁ କମ୍ପିଯାଉଛି । ଢୋଲର ଚମକପ୍ରଦ ଢାଉଁ ଢାଉଁ ଶବ୍ଦ ଏବଂ ମହୁରୀର ମନ୍ଦ ମଦ୍ର କରୁଣ ଧ୍ୱନିରେ ଶରୀରର ଲୋମ ଶିହରି ଉଠୁଛି । ଧର୍ମଦେବ ମା କୋଳକୁ ଯାଇ ନାହାନ୍ତି । ଝଙ୍କା ବରଗଛ ଡାଳପତ୍ରର ଫାଙ୍କ ବାଟେ ଡାହାଣିଆ ଖରା ମିଞ୍ଜି ମିଞ୍ଜି ହୋଇ ଗମ୍ଭୀରା ଭିତରେ ପଡ଼ୁଛି । ଠାକୁରାଣୀଙ୍କର ସିନ୍ଦୂର ଭରା ଶୀର ଅସ୍ତରବିଙ୍କ ଅରୁଣ କିରଣରେ ଜାଜ୍ୱଲ୍ୟମାନ ହୋଇ ଉଠୁଛି ।

 

ପବନା କାଳିସୀ ସକାଳୁ ଶୀତଳ ଖାଇ ରହିଥିଲା । ସେ ହଠାତ୍‌ ଆସି ଗମ୍ଭୀରା ଭିତରେ ପଶିଗଲା । ସେ ଖଣ୍ଡେ ମଇଳା ଗାମୁଛା ପିନ୍ଧିଥାଏ, ଆଉ ଖଣ୍ଡେ ବେକରେ ପକାଇଥାଏ । ପ୍ରଥମେ ଆସି ଠାକୁରାଣୀଙ୍କୁ ମୁଣ୍ଡିଆ ମାରିଲା ଏବଂ ମୁଖାମୁଖି ଚେକାପାରି ବସିଗଲା । ସଙ୍ଗେ ସଙ୍ଗେ ଢୋଲ ମହୁରୀର ଶବ୍ଦ ତୀବ୍ରତର ହୋଇ ବାଜି ଉଠିଲା । ହୁଳୁହୁଳି, ହରିବୋଲ, କରତାଳିରେ ଆକାଶ ଅବନୀ କମ୍ପି ଉଠିଲା । ଝୁଣା ଗୋଗୁଳ ଧୂଆଁରେ ଚାରିଆଡ଼େ ମହକି ଗଲା । କାଳିସୀ କିଛି ସମୟ ନୀରବରେ ଆଖି ବୁଜି ବସିଲା । ପ୍ରାୟ ପାଞ୍ଚ ମିନିଟି ବସିଛି କି ନାହିଁ ହଠାତ୍‌ ଭୂଇଁତଳେ ଗଡ଼ାଗଡ଼ା ହୋଇ ଉଠି ପଡ଼ିଲା । ଠାକୁରାଣୀଙ୍କ ସାହାଡ଼ା ଡାହିକୁ ଜୋରରେ ହଲାଇ ଦେଇ ଅସ୍ଥାନ ପାଖରେ ଥୁଆ ହୋଇଥିବା ନୂଆଁ ଯାଉଁଳି ବେତବାଡ଼ିକୁ ଧନୁ ଆକାରରେ କେତେବେଳେ ବେକରେ, କେତେବେଳେ ଅବା ମୁଣ୍ଡ ଉପରେ ବୁଲାଇ ବୁଲାଇ ଆଖି ବୁଜି ‘ଉଁହୁଁ ଉଁହୁଁ’ ହୋଇ ଝୁଲିବାକୁ ଲାଗିଲା । ଧୋବାଲୀ ବାରିକ ମାଠିଆକୁ ମାଠିଆ ଏପରି ଚାରି ପାଞ୍ଚ ମାଠିଆ ପାଣି କାଳେସୀଙ୍କ ହାତକୁ ବଢାଇ ଦେଲା । କାଳିସୀ ସେତକ ମୁଣ୍ଡ ଉପରେ ଢାଳି ଦେଇ ସାରିଲା ପରେ ପୁଣି ଭୂଇଁ ତଳେ ଗଡ଼ାଗଡ଼ି ଦେଇ ଉଭା ହୋଇ ପୂର୍ବପରି ‘ଉଁହୁଁ, ଉଁ-ହୁଁ’ ହୋଇ ଯାଉଁଳୀ ବେତରେ ଭୂଇଁ ତଳକୁ କେତେ ବେଳେ ସାହାଡ଼ ଗଛକୁ ପାହାର ଦେଇ ଝୁଲିବାକୁ ଲାଗିଲା । ଏତେବେଳେ ଲୋକେ ଅନୁମାନ କଲେ ଯେ ଠାକୁରାଣୀ ଠିକ୍‌ ଉଭା ହେଲେ । ତା’ ପରେ ଆରମ୍ଭ ହେଲା ବଚନିକା ।

 

ଠାକୁରାଣୀ—(ଦୋହଲି ଦୋହଲି) ଉହୁଁ, ଉହୁଁ । ଆଁ—ଉହୁଁ—ଉହୁଁ—ଉହୁଁ । (ପ୍ରକାଶ୍ୟେ) ଧୋବଲି—ଉହୁଁ—ଉହୁଁ—ଆଁ—ଉହୁଁ—ହୁଁ—ହେ ଧୋବଲି ବାରିକ—ଡାକ୍‌ ସେ ସପନି ମିଶ୍ରକୁ । ଉହୁଁ—ଉହୁଁ—ହୁଁ ।

 

ଧୋବଲୀ—ମା, ସପନି ସାଆନ୍ତେ ପରା ଏଠି ହାଜିର ଅଛନ୍ତି ।

 

ଠାକୁରାଣୀ—ହେ ସପନି ମିଶ୍ର । ଉହୁଁ—ଉହୁଁ—ଉହୁଁ—ହୁଁ ମୋତେ କାହିଁକି ଉଭା କଲୁ କହ ।

 

ସପନି—(ବେକରେ ଦୋସଡ଼ା ପକାଇ କାନ୍ଦ କାନ୍ଦ ସ୍ୱରରେ ଛଳନା କରି)

 

ମା’ ତୋତେ କେଉଁ କଥା ଅଜଣା ଅଛି ଯେ ମୋତେ ପଚାରୁଛୁ ! ତୁ କ’ଣ ଜାଣୁ ନାହୁଁ ମା ଏ ଗାଁରୁ କେତେ ମୁଣ୍ଡ ଗଲେଣି । ତୁ ରଖିବୁ ତ ରଖ ନୋଇଲେ ଏ ଗାଁ ଉଚ୍ଛନ ହେଲା । ଏହି ତୋ ସାମାନାରେ ଆରତି ତିଆଡ଼ି ଗୁହାରୀ କରି ପଡ଼ିଛି ଶୁଣ—ମା ।

 

ସେତେବେଳେକୁ ଆରତି ତିଆଡ଼ୀ ବେକରେ ପାଳ ଦଉଡ଼ି ପକାଇ ଲମ୍ବ ହୋଇ ଭୂଇଁରେ ପଡ଼ ରହିଥାନ୍ତି ।

 

ଉହୁଁ—ଉହୁଁ ହୁଁ—ଉଠ୍‌—ଉଠ୍‌ ।

 

(ତିଆଡ଼ି ଉଠି ପଡ଼ିବା ଓ ଯୋଡ଼ହାତ ହୋଇ ଠିଆହେବା)

 

କ’ଣ କହୁଛୁ କହ ।

 

ଆରତ—ମୋ ପରୀକୁ ରକ୍ଷା କର ମା— ଏ ମୁଣ୍ଡ ରଖିଲେ ଦି ମୁଣ୍ଡ (ବୋଦା) ଦେବି ।

 

ଠାକୁରାଣୀ—(ବାଜା ଶିଥିଳ ହେବାରୁ କ୍ରୋଧରେ) ବଜାରେ ବାଜା । ଢୋଳ କାହାଳୀ ଖୁବ୍‌ ଜୋରରେ ବାଜି ଉଠିଲା । ହରିବୋଲ ହୁଳୁହୁଳୀ କମ୍ପିଲା । ଗମ୍ଭୀରା ଭିତର ସରଗରମ ହୋଇ ଉଠିଲା । ଠାକୁରାଣୀ ପୁଣି ଥରେ ତଳେ ଗଡ଼ିଯାଇ ଉଭା ହୋଇ ପଡ଼ିଲେ । ଧୋବଳୀ ପାଣିଭରା ନୂଆ କଳସୀଟା କାଳିସୀ ହାତକୁ ଟେକି ଦେଲା । ଠାକୁରାଣୀ ସେତକ ଢାଳି ହୋଇ ପଡ଼ିଲେ । ଦେହ ଶିତେଇ ଉଠିଲା । ଥରୁ ଥରୁ ହୋଇ ଠାକୁରାଣି ଗୁଣି ଅବତରେଇ କହିଲେ ।

 

ଠାକୁରାଣୀ—ହେ ଆରତ ! ଠାକୁରାଣୀ ତୋ କଥା ଶୁଣୁନାହିଁ । ହୁଁ–ଉହୁଁ–ଉହୁଁ–ହୁଁ-

 

ଆରତ—ଆହୁରି ଦି ମୁଣ୍ଡ ଦେବି—ରକ୍ଷା ରକ୍ଷଣ କର ମା, ନେହୁରା ହେଉଛି—ଗୋଡ଼ତଳେ ପଡ଼ୁଛି, ଦାନ୍ତରେ କୁଟା ହେଉଛି ।

 

ଠାକୁରାଣୀ—ଯା—ଯା । ଠାକୁରାଣୀ ସବୁ ବୁଝିବ । କାଲି ପାହାନ୍ତାରେ ଠାକୁରାଣୀକୁ ଗାଧୋଇ ଦେଇ କଳା ଶାଢ଼ି ପିନ୍ଧାଇ ପଣାପାଣି ଦେବୁ ଯା—ଆଉ କଟାଳ କରନା । ରାତି ପାହିଲାବେଳକୁ ସବୁ ଠିକ୍‌ ଠାକ୍‌ ହୋଇଯିବ । ଯା ଯା । ମୋର ସାତ ଭଉଣୀ ଆସିଥିଲେ ଏ ଗାଁ’କୁ-। କାଲିଠାରୁ ସେମାନଙ୍କୁ ବିଦାୟ କରି ଦେବି । ଗାଁ ସୁସ୍ଥି ହେବ । ହେ ଧୋବଳି । କାଳିସୀକୁ ମୋର ଭାରି କଷ୍ଟ ହେଲାଣି । କାଳିସୀ ବାହୁଡ଼ିଯିବ ଏଥର । ଶୀଘ୍ର ବନ୍ଦୋବସ୍ତ କ’ରାହୁଁ—ଉହୁଁ—ଉହୁଁ— ହୁଁ-। ଝୁଲି ଝୁଲି ବୁଲିବା ।

 

ସଙ୍ଗେ ସଙ୍ଗେ ଧୋବଳୀ ବାରିକ ପାଚିଲା କଦଳୀ ପାଞ୍ଚ ଗଣ୍ଡା, ନବାତ ଅଧସେର, ଦୁଧଛେନା ଦେଢ଼ ପା ନୂଆ ବଡ଼ ଆଟିକାରେ ଚକଟି ତହିଁରେ ଗୋଲମରିଚ ଗୁଣ୍ଡ ଅଛଟାଙ୍କିଏ ପକାଇ ଟିକିଏ କପୁର ଗୁଣ୍ଡା ମିଶାଇ ଦେଲା । ନୂଆ କଳସୀରେ ବେକ ପର୍ଯ୍ୟନ୍ତ ପଣା ପୂର୍ଣ୍ଣ ହୋଇ ରହିଲା । କଳସୀ ଦେହରେ ମେଞ୍ଚାଏ ସୁନ୍ଦର ବୋଳାଗଲା ଏବଂ ଖଣ୍ଡେ ନାଲି ମନ୍ଦାର ଫୁଲର ମାଳ ଗୁଡ଼ିଆ ଗଲା ।

 

ଠାକୁରାଣୀଙ୍କ ଆଦେଶରେ ସପନି ମିଶ୍ରେ ପଣା ମାଠିଆ ଧରିଲେ । ସେତେବଳକୁ ପ୍ରାୟ ରାତ୍ର ନ’ଟା । ଅଧବାଟ ଯାଏ ବାଜା ମଧ୍ୟ ସଙ୍ଗରେ ଗଲା । ଗାଁ ମୁଣ୍ଡରୁ ସମସ୍ତେ ଫେରିଲେ । କେବଳ ଠାକୁରାଣୀ, ସପନି ମିଶ୍ରେ ଓ ଧୋବଳୀ ବାରିକ ମଶାଣିଆ ଜଙ୍ଗଲ ଭିତରକୁ ପଶିଗଲେ ଠାକୁରାଣୀଙ୍କ ସାତ ଭଉଣୀକୁ ତଡ଼ିଦେଇ ଆସିବା ପାଇଁ । ସେମାନଙ୍କ ସାଙ୍ଗରେ ଯିବା ପାଇଁ ଆଉ କାହାରି ବହପ ପାଇଲା ନାହିଁ । ଧୋବଳୀ ଅଣ୍ଟାରେ ଚାଖଣ୍ଡେ ଲମ୍ବର ଚିଲମ ଓ କାଗଜରେ ଗୁଡ଼ିଆ ହୋଇଥିବା ମସଲା (ଗଞ୍ଜେଇ କଲି) ଖୋସା ହୋଇ ରହିଥାଏ । ସେ ହାତରେ ନିଆଁ ଅଟା ଓ ଲଣ୍ଠଣଟା ଧରି ଆଗେ ଆଗେ ଚାଲିଲା ।

 

ପ୍ରାୟ ଦୁଇଘଣ୍ଟା ପରେ ଠାକୁରାଣୀ ତାଙ୍କର ସାତ ଭଉଣୀଙ୍କୁ ବିଦାଦେଇ ସଦଳବଳେ ଗମ୍ଭୀରରେ ହାଜର ହେଲେ । ତା’ପରେ ବାହୁଡ଼ା ବିଜେ କରି ଝାଡ଼ିଝୁଡ଼ି ହୋଇ ବସିଲେ । ଠାକୁରାଣୀଙ୍କ ଆସ୍ଥାନା ପାଖରେ ନୌବେଦ୍ୟ ଦିଆ ହୋଇଥିବା ଦୋସରା ପଣାହାଣ୍ଡିରୁ ସମସ୍ତେ ଟୋପିଏ ଟୋପିଏ ପ୍ରସାଦ ପାନକଲେ । ସମସ୍ତେ ଶେଷଥର ପାଇଁ ହରିବୋଲ ଦେଇ ଯେଝା ଘରକୁ ଗଲେ । ଅଣ୍ଡିରା ବିଲୁଆଟା ଭୋଓ ଭୋଓ ରଡ଼ି ଛାଡ଼ୁଥାଏ ।

 

ତହିଁଆର ଦିନଠାରୁ ଗ୍ରାମରେ ସତକୁ ସତ ଝାଡ଼ାବାନ୍ତି ବନ୍ଦ ହୋଇଗଲା । କିନ୍ତୁ ପୂର୍ବଦିନ ରାତ୍ର ବାର ଘଣ୍ଟାରେ ପରୀକ୍ଷିତ ବୃଦ୍ଧ ତିଆଡ଼ିଙ୍କୁ ଶୋକ ସାଗରରେ ଭସାଇ ଦେଇ କେଉଁ ଅଜଣା ରାଇଜକୁ ଚାଲିଗଲା ତା ଜାଣିବାର କାହାରି କୁ ରହିଲା ନାହିଁ ।

 

ଏଗାର

 

ରେଙ୍ଗୁନ ସହରରେ ଅନତି ଦୁରରେ ଏକ ଅନୁଚ୍ଚ ପାହାଡ଼ର ପାଦ ଦେଶରେ ଗୋଟିଏ କ୍ଷୁଦ୍ର ଜନଗହଳୀ ଗାଁ । ଠିକ୍‌ ପଲ୍ଲୀ ଗ୍ରାମ ନୁହେଁ । ଗାଁଟି ନୂତନ ବସିଛି, ଏହା ଶ୍ରମିକମାନଙ୍କର ଏକ ବସତି, ଲେବର କଲୋନି ।

 

ଆସାମର ଚା ବଗିଚାରେ କାମ କରି ପେଟ ପୋଷିବା ପାଇଁ ଭାରତର ନାନାସ୍ଥାନରୁ ଶ୍ରମିକମାନେ ଆସି କିଏ ରେଙ୍ଗୁନ, କିଏ ସିଲଙ୍ଗ କିଏ କେଉଁଠି କୁଡ଼ିଆ କରି ପଲାମାରି ରହିଥାନ୍ତି । ଏମାନଙ୍କ ମଧ୍ୟରୁ କେହି କେହି ନିଜର ଘରଦ୍ୱାର, ଜ୍ଞାତି, କୁଟୁମ୍ବ ଛାଡ଼ି ଏ ଅଞ୍ଚଳରେ ଘର ତୋଳି, ଜମିବାଡ଼ି, ବାଗବଗିଚା କରି ସ୍ଥାୟୀ ବାସିନ୍ଦା ହୋଇ ଗଲେଣି । ଆଉ କେତେକ ପାଞ୍ଚ ବର୍ଷ, ସାତ ବର୍ଷ ଏପରିକି ଦଶ ବାର ବର୍ଷରେ ଥରେ ନିଜ ଜନମ ସ୍ଥାନଙ୍କୁ ଯାନ୍ତି ।

 

ଏ ଯେଉଁ ପଲ୍ଲୀଗ୍ରାମ କଥା ଏଠାରେ କୁହାଯାଉଛି ଏହା ପ୍ରକୃତରେ ଆଗରୁ ନଥିଲା । ବର୍ଷ କୋଡ଼ିଏ ପଚିଶ ମଧ୍ୟରେ ଏ ଗ୍ରାମଟି ଗଢ଼ି ଉଠିଛି । କେତେ ଜଣ ଚା ବଗିଚାର ବିଦେଶୀ କୁଲିଙ୍କୁ ନେଇ ପ୍ରଥମେ ଗ୍ରାମଟି ମନକୁ ବସିଥିଲା । କ୍ରମଶଃ ତାର ଘର ଓ ଜନସଂଖ୍ୟା ବୃଦ୍ଧି ହୋଇ ଶେଷରେ ଗୋଟିଏ ଆର୍ଦଶ ପଲ୍ଲୀ ଗ୍ରାମରେ ପରିଣତ ହେଲା । ସ୍ଥାନଟିର ଭୌଗୋଳିକ ଅବସ୍ଥିତି, ପ୍ରାକୃତିକ ଦୃଶ୍ୟ, ଉର୍ବର ମୃତ୍ତିକା ଏବଂ ଅପେକ୍ଷାକୃତ ସୁସ୍ଥ ଜଳବାୟୁ ହେତୁ ଅନେକ ଲୋକ ସ୍ୱତଃ ଆକୃଷ୍ଟ ହୋଇ ଏହି ସ୍ଥାନରେ ବସତି କରିବାକୁ ପ୍ରଲୋଭିତ ହେଲେ । ଗ୍ରାମର ଅଧିବାସୀମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା ଓ ମାନ୍ଦ୍ରାଜର ଓଡ଼ିଆ ଓ ତେଲେଙ୍ଗା ଲୋକ । ଅଳ୍ପ ସଂଖ୍ୟକ ଖୋଲିଟା (ପଞ୍ଜାବୀ ଓ ମହାରାଷ୍ଟ୍ର), ମୁସଲ୍‍ମାନ ଓ ଖୀରସ୍ତାନ ମଧ୍ୟ ଥାଆନ୍ତି । ଅଧିକାଂଶ ପ୍ରାୟ ଶ୍ରମିକ ଶ୍ରେଣୀର ସେମାନେ ପାହାଡ଼ ଜଙ୍ଗଲ କାଟି ଚାଷ ଜମି ଆବାଦ କରିଛନ୍ତି । ସୁତରାଂ ଗ୍ରାମ ଲୋକଙ୍କର ସାଧାରଣ ଜୀବୀକା ହେଲା ଚାଷ ଏବଂ ଚା ବଗିଚାରେ କୁଲିଗିରୀ ।

 

ଗ୍ରାମଟିର ନାମ ସେବାଧାମ । ଏହି ସେବାଧାମର ପିତା ବା ସ୍ଥାପୟିତା ଥିଲେ ଜଣେ ବ୍ରହ୍ମଚାରୀ । ତାଙ୍କର ଡାକ ନାମ ‘ବିନିବାବା’ । ସେବାଧାମର ଇତିହାସ ସହିତ ଏ ମହାତ୍ମାଙ୍କର ଜୀବନ ଓତଃପ୍ରୋତଃ ଭାବରେ ଜଡ଼ିତ । ସୁତରାଂ ତାଙ୍କର ପୂର୍ଣ୍ଣ ପରିଚୟ ନ ଦେଲେ ଚଳିବ ନାହିଁ । ‘ବିନିବାବା’ ଙ୍କର ପ୍ରକୃତ ନାମ ବିନୟ ଭୂଷଣ ପାହାଡ଼ୀ । ଘର ଥିଲା ଆଧୁନିକ ପଶ୍ଚିମ ବଙ୍ଗ କଣ୍ଟେଇ ସବ୍‍ଡିଭିଜନ ତମଲୁକ ଗ୍ରାମରେ । ତାଙ୍କର କଥିତମତେ ତାଙ୍କ ଅଣ ଗୋସେଇଁ ବାପ ଚକ୍ରପାଣୀ ପାଢ଼ୀ କଟକ ଜିଲ୍ଲା ଯାଜପୁର ସବ୍‍ଡିଭିଜନ ଶିବାଦାସପୁର ଗ୍ରାମରୁ ଆସି ଏଠାରେ ରହି ଥିଲେ । କାଳକ୍ରମେ ‘ପାଢ଼ୀ’ ସଂଜ୍ଞାଟି ‘ପାହାଡ଼ୀ’ରେ ପରିଣତ ହୋଇଗଲା । ଏପରି ହେବାର କେତେକ ରାଜନୌତିକ କାରଣ ଅଛି ।

 

ବ୍ରିଟିଶ ରାଜତ୍ୱର ଅବ୍ୟବହିତ ପୂର୍ବରୁ ମୋଗଲ ରାଜତ୍ୱର ଶେଷ ଭାଗରୁ ଉତ୍କଳ ଜନନୀର ଅଙ୍ଗହାନୀ ଘଟିଲା । ଯେଉଁ ଉତ୍କଳ ଦିନେ ଗଙ୍ଗାର ଦଶାଶ୍ୱମେଧ ଘାଟରୁ ଗୋଦାବରୀ କଳିଙ୍ଗ ପତନ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲେ ତାହା କ୍ରମଶଃ ରାଜନୌତିକ ଆକ୍ରମଣ ଫଳରେ ଏବଂ ତତ୍‌କାଳୀନ ଶାସକ ଗୋଷ୍ଠୀଙ୍କର ଖାମଖ୍ୟାଲ ନୀତି ଅନୁସାରେ ଛିନ୍ନବିଚ୍ଛିନ୍ନ ହେବାକୁ ଲାଗିଲା । ଓଡ଼ିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ସୀମାମାନ କ୍ରମଶଃ ତତ୍‌କାଳୀନ ବଙ୍ଗ, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ପ୍ରଦେଶରେ ରହିଗଲା । ତା’ ଫଳରେ ବିଭିନ୍ନ ପ୍ରାଦେଶିକ ସରକାରଙ୍କ ଚାପା ପଡ଼ିବାରୁ ପ୍ରକୃତ ଓଡ଼ିଆ ଅଧିବାସୀ ନିଜର ସ୍ଥାୟିତ୍ୱ, ଆତ୍ମରକ୍ଷା ଓ ସୁବିଧା ପାଇଁ ନିଜ ନିଜର ଭାଷା, ବ୍ୟବହାର, ଚାଲିଚଲଣ ଓ ନାମ ସଜ୍ଞାରେ ମଧ୍ୟ ପରିବର୍ତ୍ତନ ଆଣବାକୁ ବାଧ୍ୟ ହୋଇଥିଲେ । ସେହି ସମୟରୁ ହିଁ ମାହାନ୍ତି-ମାଇତି, ସାମଲ, ସାସମଲ; ପାଢୀ, ପାହାଡ଼ୀ;ରାଉତ, ରାଉ; ମହାରଥୀ, ମୂର୍ତ୍ତି; ଚଉ ପଟନାୟକ, ରାଉ ପଟନାୟକ; ନାମ ଧାରଣ କଲେ । ନାମ ସଜ୍ଞାରେ ପରିବର୍ତ୍ତନ ଘଟିଥିଲେ ହେଁ ଏମାନଙ୍କର ଶିକ୍ଷା, ସଂସ୍କୃତି, ଚାଲିଚଲଣ, ବିଭ୍ରାବ୍ରତ, କଥାବାର୍ତ୍ତା ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସଂସ୍କୃତି ସଙ୍ଗେ ଖାପ ଖାଇ ରହିଛି ଏବଂ ରହିବ । ଛାଡ଼ ସେ କଥା ।

 

ଆମ୍ଭମାନଙ୍କର ବିନିୟଭୂଷଣ ଥିଲେ ବଡ଼ ଗରିବ । ସେ ପିଲାଦିନୁଁ ପିତାମାତାଙ୍କର ସ୍ନେହସୁଖରୁ ବଞ୍ଚିତ ହୋଇଥିଲେ । ସେ ତାଙ୍କର ଲେଖାଯୋଖା କାମିନୀ କାକାଙ୍କ ବସାରେ ରହି କଲିକତାଠାରେ ପାଠ ପଢ଼ୁଥିଲେ । ମାଟ୍ରିକୁଲେଶନ ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ବିଦ୍ୟସାଗର କଲେଜରେ ଭର୍ତ୍ତି ହେଲେ । ସେ ଖୁବ୍‌ ବୁଦ୍ଧିମାନ୍‍ ଛାତ୍ର ନ ଥିଲେହିଁ ତାଙ୍କର ସ୍ୱାଭାବ, ଚରିତ୍ର, ନିୟମିତ ଉପସ୍ଥାନରେ କଲେଜରେ ଅଧ୍ୟାପକମାନେ ତାଙ୍କୁ ଆଦର କରୁଥିଲେ । କଲେଜରେ ସଭା ସମିତି, ତର୍କସଭା, ବକ୍ତୃତା ପ୍ରତିଯୋଗିତାରେ ବିଶେଷ ଖ୍ୟାତି ଅର୍ଜନ କରିଥିବାରୁ ସେ ଅନ୍ୟାନ୍ୟ କଲେଜର ଛାତ୍ର, ଅଧ୍ୟାପକମାନଙ୍କର ଦୃଷ୍ଟିରେ ପଡ଼ିଲେ । ଛାତ୍ର ମହଲରେ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବିନୟ ବାବୁ ‘ବିନିଦା’ ବୋଲି ପରିଚିତ ଥିଲେ । ବିନିଦାଙ୍କର ଥିଲା ସୁନ୍ଦର ଚେହେରା, ସୁଗୋଲ ମୁଖମଣ୍ଡଳ, ବଳିଷ୍ଠ ଏବଂ ସୌଷ୍ଠବ ଅଙ୍ଗ ଗଠନ । ସ୍ୱଭାବରେ ସେ ଥିଲେ ବିନୟୀ, ମଧୁରଭାଷୀ ଓ ହସହସ ମୁଖ । ବେଶ ତାଙ୍କର ଥିଲା ଅତି ସରଳ । ଖଣ୍ଡିଏ ମୋଟା ଦେଶୀ ଧୋତି ଓ ମୋଟା ଚାଦର ଥିଲା ତାଙ୍କର ପୋଷାକ । ସେ କେବେ ଚଟି କି ଚୁପୁଲି କି ଯୋତା ପିନ୍ଧିବାର ଦେଖାଯାଇ ନଥିଲା । ବିନିଦା ଥିଲେ ଛାତ୍ର ଜୀବନର ଜଣେ ନିରାଡ଼ମ୍ବର, କର୍ମପ୍ରବଣ ଏବଂ ପରିଶ୍ରମୀ ଯୁବକ । ତାଙ୍କର ହୃଦୟରେ ଯେଉଁ ସ୍ନେହ, କରୁଣା ଏବଂ ମୈତ୍ରୀଭାବର ସଞ୍ଚାର ହୋଇଥିଲା ତାହା ଜନ୍ମଗତ ଏବଂ ସ୍ୱଭାବଗତ । ତାଙ୍କଠାରେ ଛାତ୍ରବସ୍ଥାରୁ ଏସବୁ ଭାବର କ୍ରମବିକାଶ ଲକ୍ଷ କରାଯାଇଥିଲା । କାରଣ ସେ ଛାତ୍ରବସ୍ଥାରୁ ଦୀନ, ପ୍ରପୀଡ଼ିତ, ବୃଭୁକ୍ଷୁ, ରୁଗ୍‌ଣ ଏବଂ ଅଜ୍ଞାନର ଦୁଃଖରେ ଅଧୀର ହୋଇ ପଡ଼ୁଥିଲେ । ସେମାନଙ୍କର ଅବସ୍ଥା ଦେଖି କାତର ହୋଇ ପଡ଼ୁଥିଲେ । ନିଜର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିଲେ ମଧ୍ୟ କିପରି ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରିବେ ସେଥିପାଇଁ ଯତ୍ପରୋନାସ୍ତି ଚେଷ୍ଟା କରୁଥିଲେ । ଏହାର ପ୍ରମାଣ ତାଙ୍କର କେତେକ କାର୍ଯ୍ୟକଳାପରୁ ଅକ୍ଳେଶରେ ଜଣାପଡ଼େ । କାରଣ ବିନିଦା ଥିଲେ କଲେଜ ଆଲୋଚନା ସଭାର ସେକ୍ରେଟେରୀ, କଲେଜ ମାଗାଜିନର ସହକାରୀ ସେକ୍ରେଟେରୀ, ଛାତ୍ର ସ୍ୱେଚ୍ଛାସେବକ ବାହିନୀର ସଭାପତି, ଉଦୟ ପତ୍ରିକାର ସହକାରୀ ସମ୍ପାଦକ, ଆଞ୍ଚଳିକ ବନ୍ୟା ସାହାଯ୍ୟ କମିଟିର ଯୁଗ୍ମ ସମ୍ପାଦକ, ଅନାଥାଶ୍ରମରେ ଅନାହାରୀ ସମ୍ପାଦକ ।

 

ବିନିଦାଙ୍କର ଛାତ୍ର ଜୀବନର ଗୋଟିଏ ଘଟଣା ତାଙ୍କସାରା ଜୀବନର ଗତି ଓଲଟାଇ ଦେଲା । ସେତେବେଳେ ଖାଲି କଲିକତା ସହର କାହିଁକି ବମ୍ବେ, ମାନ୍ଦ୍ରାଜ, ଦିଲ୍ଲୀ, କାନପୁର, ଲକ୍ଷନଉ ପ୍ରଭୃତି ବଡ଼ ବଡ଼ ସହର ଲକ୍ଷପତି ଏବଂ କୋଟିପତିଙ୍କ ଦାଉରେ ଥରହର ହେଉଥିଲା । ମିଲମାଲିକମାନଙ୍କର ଲାଭ ଲୋଭରେ ସୀମା ନ ଥିଲା । ଗରିବ ଶ୍ରମିକ ଆଜୀବନ ଖଟି ଖଟି କୁଡ଼ିଆ ଘରେ ଓଳିଏ ଖାଇ ଓଳିଏ ଉପାସ ରହି ଦିନ କାଟୁଥିଲା ବେଳେ ମିଲମାଲିକ କୋଟିପତି ବଣିକ ବ୍ୟବସାୟୀ ଅପୂର୍ବ ସ୍ୱର୍ଗସୁଖ ଉପଭୋଗ କରିବା ସଙ୍ଗେ ସଙ୍ଗେ କ୍ୱଚିତ୍‌ ଏ ମଳିମୁଣ୍ଡିଆ ଶ୍ରମିକମାନଙ୍କର ସୁଖ ଦୁଃଖ ବାସ ଗ୍ରାମ ପ୍ରତି କୃପାଦୃଷ୍ଟି ପକାଉଥିଲେ । ଯେଉଁ ଶତ ଶତ ଶ୍ରମିକମାନଙ୍କ ଶରୀର ଶ୍ରମ ଦାନରେ ସେମାନେ ଲକ୍ଷପତି, କୋଟିପତି, ବଣିକ ରାଜ, ଠିକାଦାର, କଣ୍ଟ୍ରାକ୍ଟର ସାଜିଥିଲେ ସେମାନଙ୍କର କ’ଣ ଏ ଗରିବମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ନ ଥିଲା ? କେବଳ କଣ ଦୈନିକ ଅତ୍ୟଳ୍ପ ମଜୁରୀ ଦେଇଦେଲେ ହୋଇଗଲା ।

 

ଆଧୁନିକ ସମାଜରେ ଏ ଯେଉଁ ଜାତିବିଭାଗ ଅର୍ଥାତ୍‌ ଧନୀ ନିର୍ଦ୍ଧନ, ବଡ଼ଲୋକ ସାନ ଲୋକ, ବାବୁ ଚାକର, ମାଲିକ ଶ୍ରମିକ, ହାକିମ ପିଅନ ଏ ଯେଉଁ ଭେଦ ନୀତି ଏହା ଏ ଯୁଗରେ କେତେ ଦିନ ବା ଉଧେଇବ । ଉଦୟ ପତ୍ରିକାରେ ଏସବୁ ବିଷୟ ଧାରାବାହିକରୂପେ ପ୍ରକାଶିତ ହେଲା । ଲେଖକମାନଙ୍କ ମଧ୍ୟରେ ବିନିଦା ଥିଲେ ମୁଖ୍ୟ । ଏପରି ଲେଖା ଓ ସମାଲୋଚନା ଦ୍ୱାରା ଶ୍ରମିକମାନଙ୍କ ମଧ୍ୟରେ ଗୋଟାଏ ଜାଗରଣ ଖେଳି ଉଠିଲା । ବିଭିନ୍ନ ସ୍ଥାନର ବିଭିନ୍ନ କଳ କାରଖାନାରେ କାମ କରୁଥିବା ଶ୍ରମିକ ନେତାମାନେ ବିନିଦାଙ୍କ ପରାମର୍ଶ ଲୋଡ଼ିଲେ । ବିନିଦା ହେଲେ ମିଲ ମାଲିକ, ବଡ଼ ବଡ଼ ବଣିବ ବ୍ୟବସାୟୀମାନଙ୍କର ଚକ୍ଷୁଶୂଳ ।

 

ଦିନକର ଘଟଣା । ଥରେ କଲିକତା ସହରର କୌଣସି ଗୋଟିଏ ମିଲରେ କାମ କରୁଥିବା ଜନୈକ ଗରିବ ଶ୍ରମିକର ଛୋଟ ପୁଅ ଦୁଇଦିନ ଉପାାସ ଭୋକରେ ଥାଏ । ସେ ମାଲିକଙ୍କ ପାଇଁ ଥୁଆ ହୋଇଥିବା ଜଳପାନ ଖାଇ ଦେବାରୁ ମାଲିକ କ୍ରୋଧ ସମ୍ବରଣ ନ କରି ପିଲାଟିକୁ ଏ ବ୍ରହ୍ମ ଚାପୋଡ଼ାରେ ଯମ ମନ୍ଦିରକୁ ପଠାଇଦେଲେ । ଏ ଘଟଣା ନେଇ ଭାରି ଆନ୍ଦୋଳନ ହେଲା । ଶ୍ରମିକମାନେ ଏକଜୁଟ ହୋଇ ହରତାଳ କଲେ । କଳ କାରଖାନାମାନଙ୍କରେ କାମ ବନ୍ଦ ରହି ଅଚଳ ଅବସ୍ଥା ସୃଷ୍ଟି ହେଲା । ଶ୍ରମିକମାନେ ଏକ ବିରାଟ ସାଧାରଣ ସଭା କରି ସେଥିରେ ବିନିଦାଙ୍କୁ ସଭାପତି ମନୋନୀତ କଲେ । ବାରଗୋଟି ସର୍ତ୍ତ ବିଶିଷ୍ଟ ସଭାର ପ୍ରସ୍ତାବ ମିଲ ମାଲିକ ସଂଘ ସଭାପତି ଏବଂ ସରକାରଙ୍କ ନିକଟକୁ ପଠାଯାଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଦାବି କରାଗଲା । ପ୍ରସ୍ତାବ ମଧ୍ୟରେ ପ୍ରଧାନ ଦାବି ଥିଲା ଦୀନ ଶ୍ରମିକ ଶିଶୁର ହତ୍ୟାପାଇଁ ମାଲିକଙ୍କର ଆଇନ ଅଦାଲତରେ ବିଚାର, ଶ୍ରମିକମାନଙ୍କର ଶ୍ରକ ମଜୁରୀର ଅଢ଼େଇ ଗୁଣ ବୃଦ୍ଧି ଓ ସେମାନଙ୍କର ବାସଗୃହର ବ୍ୟବସ୍ଥା ।

 

ଏ ବିଷୟ ନେଇ ସହରରେ ଘମାଘୋଟ ଉତ୍ତୋଜନା ସୃଷ୍ଟି ହେଲା । ଉଦୟ ପତ୍ରିକାର ସମ୍ପାଦକ ଏବଂ ସହକାରୀ ସମ୍ପାଦକଙ୍କ ସମେତ କେତେଜଣ ସାଧାରଣ ନାଗରିକ ଓ କଲେଜ ଛାତ୍ର ଆରେଷ୍ଟ ହୋଇ କରାବରଣ କଲେ । ପୁଲିସ କଡ଼ା କଡ଼ି ତଦାରଖା ଓ ଅନୁସନ୍ଧାନ ଚଳାଇଲେ । ଶେଷରେ ସମସ୍ତେ ବିନା ଦୋଷରେ କେହି ବା ସନ୍ଦେହରେ ଖଲାସ ହେଲେ । ଶେଷ ଫଳ ହେଲା କଲେଜ ଛାତ୍ର ବିନୟଭୂଷଣ ଏ ସବୁ ଗଣ୍ଡଗୋଳ ପାଇଁ ଦାୟୀ । ସେ ସରକାରଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି, ସେ ରାଜନୀତିରେ ଯୋଗ ଦେଇ ସକ୍ରିୟ ଆନ୍ଦୋନଳ ଚଳାଇଛି ଏବଂ ନିରକ୍ଷର ଶ୍ରମିକ ନେତାଙ୍କୁ ବିପଥଗାମୀ କରାଇ, ଭୁଲବାଟରେ ନେତୃତ୍ୱ ଦେଇଛି । ଧନୀ ବ୍ୟବସାୟୀଙ୍କର ସାଧାରଣ ଜୀବନ ଯାପନରେ ବିଶୃଙ୍ଖଳା ସୃଷ୍ଟିକରି ପ୍ରଭୃତ କ୍ଷତି ଘଟାଇଥିବାରୁ ସରକାରଙ୍କ ଆଦେଶରେ ବିନୟ ଭୂଷଣ କଲେଜରୁ ରଷ୍ଟିକେଟ ପୁରସ୍କାର ପାଇଲେ । ତାଙ୍କୁ କଲେଜରୁ ବାହାର କରି ଦିଆଗଲା । ଖାଲି ଏତିକି ନୁହେଁ । ତାଙ୍କୁ କଲିକତା ସହର ଚବିଶ ଘଣ୍ଟା ମଧ୍ୟରେ ଛାଡ଼ି ଚାଲିଯିବାକୁ ଆଦେଶ ହୋଇଗଲା ।

 

ଏତେ ବଡ଼ ଶ୍ରମିକ ଆନ୍ଦୋନଳ ସବୁ କେଉଁଆଡ଼େ ଉଭେଇ ଗଲା । ସମସ୍ତେ ନୀରବ ରହିଲେ । କେତେକଙ୍କ ଉପରେ ପୁଲିସ ୧୪୪ ଧାରା କଡ଼ା ଆଇନ ମଧ୍ୟ ଜାରି କଲା । ଶ୍ରମିକ ଶିଶୁର ହତ୍ୟା ମୋକଦ୍ଦମା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହେଲା ।

 

ପରେ ଗୁପ୍ତରେ ଖବର ମିଳିଲା ଯେ ପୋଲିସ ଇନକ୍ୱାରିଠାରୁ ଆରମ୍ଭ କରି ଉପର କୋର୍ଟ ବିଚାରପତିଙ୍କ ପର୍ଯ୍ୟନ୍ତ ଯାହାକି ମିଲ ମାଲିକମାନଙ୍କ ମୋକଦମାରେ ବ୍ୟୟ ହୋଇଥିଳା ତାହା ଓକିଲ, ବାରିଷ୍ଟର, କୋଟଫିସ ଇତ୍ୟାଦି ଖର୍ଚ୍ଚ ଛାଡ଼ି ଅନ୍ୟାନ୍ୟ ହାକିମ ହୁକୁମାଙ୍କ ପୁରଷ୍କାର ବାବଦକୁ ଖର୍ଚ୍ଚ ହୋଇଥିଲା ସତୁରୀ ହଜାରରୁ କିଛି କମ୍‌ । ଅବଶ୍ୟ ବିନିଦାଙ୍କୁ ପ୍ରଲୋଭନ ଦେଖାଇ ହାତ କରିବାପାଇଁ ଯେଉଁ ପଚିଶ ହକାର ଉତ୍କୋଚ ଯଚା ଯାଇଥିଲା ତାହା ଉପଯ୍ୟୁକ୍ତ ସତୁରି ହଜାରରୁ ବାହାରେ ।

 

ପରିଶେଷରେ ଘଟନା ଚକ୍ରରେ ପଡ଼ି ସକଳ ପ୍ରଲୋଭନ ଏଡ଼ି ଶ୍ରମିକମାନଙ୍କ ଶ୍ରଦ୍ଧେୟ ବିନିଦା କଲିକତା ସହର ଛାଡ଼ି ରେଙ୍ଗୁନ ଯାତ୍ରା କଲେ । ଆଉ ସେ ତାଙ୍କ ଜୀବନରେ କଲିକତା ଫେରି ନ ଥିଲେ । ସେବାଧମ ଆଦର୍ଶ ପଲ୍ଲୀର ସ୍ଥାପୟିତା ସେହି ବିନିଦା ।

 

ବାର

 

ସେ ବର୍ଷ କକଡ଼ା ବାଇଶ ଦିନ ଯେଉଁ ଲଗାଣ ଲଗାଇଲା ନାହିଁ ନ ଥିବା । ଲଗାତର ତେର ଦିନ ବିତିଗଲା । ଝଡ଼ ବରଷା ଟିକିଏ ହେଲେ କମିଲା ନାହିଁ । ତୁହାକୁ ତୁହା ମେଘ ବରଷି ଯାଉଛି । ବେଳେ ବେଳେ ଘଡ଼ଘଡ଼ି ଚଡ଼ଚଡ଼ି ମାରୁଛି । ଚତରା ପୋଖରୀ ପାଣିରେ ପୂରିଯାଇ ଗାଁ ମଝିଦାଣ୍ଡରେ ପାଣିର ସୁଅ ଛୁଟିଛି । କୁଅ, ଗଡ଼ିଆ, ଗୋବର, ଖାତ, ଖାଲ, ନାଳ ସବୁ ପାଣିରେ ଭରାଭର । କାହାର କାନ୍ଥ ପଡ଼ିଗଲାଣି ତ କାହାର ଚାଳ ଗୋଟା ସୁଦ୍ଧା ଉଡ଼ିଯାଉଛି । ଗୁହାଳରୁ ଗାଇ, ଗୋରୁ ଛେଳି ମେଣ୍ଢାଗୁଡ଼ାକ ଖୁଣ୍ଟରୁ ନ ଫିଟି ବନ୍ଧାହୋଇ ରହିଛନ୍ତି । ନଡ଼ା, କୁଟା, ପାଳ ଯେ ଯାହା ସାଇତି ରଖିଥିଲା ସବୁ ଶେଷ । ବିଲବାଡ଼ି ପଡ଼ିଲା ପଦର ସବୁ ଚିଲିକାମୟ ଘାସ ତିରଣ ମିଳିବ ବା କେଉଁଠୁ । ଗାଁ ଲୋକେ କୁହାକୋହି ହେଉଛନ୍ତି ଏ ଝଡ଼ି ନୁହେଁ ଯେ ବୁଢ଼ା ହଡ଼ାଙ୍କୁ ଝାଡ଼ି ନେବାକୁ କେଉଁଠୁ କାଳ ଆସିଛି । ନୂଆ ଗାଁ ଜଗନାଥପୁରରୁ କେତେ ହଡ଼ା ବଳଦ ମରିଗଲେଣି । ଢିପ ପଡ଼ିଆରେ ମଢ଼ଗୁଡ଼ାକ ସଢ଼ି ଦୁର୍ଗନ୍ଧରେ ବାଟୋଇଙ୍କ ନାମକ ଫଟେଇ ଦେଉଛି କାଉ ବିଲୁଆ କୁକୁର, ଆଉ ଶାଗୁଣାଗୁଡ଼ାକ କିଳ୍‌କିଳା ଶବ୍ଦ କରି ମଢ଼ଗୁଡ଼ାକ ଟଣା ଓଟରା କରୁଛନ୍ତି ।

 

ରାଘବ ସା’ନ୍ତଙ୍କ ବୈଠକଖାନାର ଫାଳେ ଛପର ଉଡ଼ି ଯାଇଛି । ଆଉ ଫାଳକ ଇଟା କାନ୍ଥ ଭୁଷୁଡ଼ି ପଡ଼ିଛି । ଅନ୍ୟ ଗରିବ ଗୁରୁବାଙ୍କ କଥା ପଚାରେ କିଏ ? ରାଘବକନ୍ଦଙ୍କ ବହୁଦିନର ପୋଷା ସାରୀଟା ପିଞ୍ଜରା କବାଟ ଫିଟିଯିବାରୁ କେଉଁଆଡ଼େ ଉଡ଼ିଗଲା ଯେ ତାଙ୍କ ସରଦାର ଚାକର ଚେମା ପଇଡ଼ା ବା’ ବତାସୀ ପାଣି ପବନକୁ ନ ମାନି ଖୋଜି ଖୋଜି ନୟାନ୍ତ ହେଲାଣି ।

 

ସୁଲୋଚନ ବିଧାରଙ୍କ ଚଉରାଶୀ ବରଷର ବୁଢ଼ୀମା ଝଡ଼ି ବତାସରେ ସୁକୁସୁକୁ ଅବସ୍ଥାରେ ପଡ଼ି ରହିଛି । କେତେବେଳେ କ’ଣ ହେବ କହି ହେଉ ନାହିଁ ।

 

ବଡ଼ ମଠର ଗୁହାଳ ଘର କାନ୍ଥ ପଡ଼ି ପଟେ ହାତୀ ପରି ଦକ୍ଷିଣୀ ବଳଦ ଆଉ ଦୁଇଟା କଅଁଳା ବାଛୁରୀ ପଟ୍‌ପାଟ୍‌ ମରିଗଲେ ।

 

ତିଆଡ଼ି ଘର କୋଠିଆ ବାଉରୀ କୁସୁନୁ ଭୋଇ ବିଚାରା ନିଜ ଇଚ୍ଛା ବିରୁଦ୍ଧରେ ଖାଉଁଦଙ୍କ ଗାଳି ତୋଡ଼ ମୋଡ଼ ନ ସମ୍ଭାଳି ଅଧ ମାଣେ ଢିପ ଜମି କାଦୁଅ କରି ଅଛରା ପକାଇଦେଲା । ମୁହଁ ସଞ୍ଜବେଳକୁ ଘରେ ଫେରୁଥିଲା । ସପନି ମିଶ୍ରଙ୍କ ବାଡ଼ିକୁ ଲାଗିଥିବା ହୁଁକା ପାଖରେ ନଅ ଛୁଇଲା । ଗୋଡ଼ ଝିମ୍‌ ଝିମ୍ ଲାଗୁଥାଏ, ଘରେ ପହଞ୍ଚି ବେହୋସ ହୋଇ ପଡ଼ି ରହିଲା । ଘରେ ଭୁଆସୁଣୀ ମାଇପିଟା କରେ କ’ଣ ! କିଏ କହିଲା କଙ୍କଡ଼ା ବିଛା, କିଏ କହିଲା ଗୋଖୁର ଆଉ ବା କିଏ କହିଲା କଳାନାଗ । ବାଉରୀ ସାହିର ମାଇପେ ମରଦେ କିଏ କେତେ କଥା କହି ବସିଲେ । କେହି କେହି କହୁଥାନ୍ତି— ବଞ୍ଚିବା ଆଶା କମ୍‌ । ଆଉ କିଏ ସତ ଫଳେଇ କହି ବସିଲା ସେଠି ଦିନେ ପରା ଗୋଟାଏ ଅଢ଼େଇ କିଆରିଆ ତମ୍ପ ସେ ସୋଚକ୍ଷୁରେ ଦେଖିଥିଲା । ପୁଣି କିଏ ବାହାରିପଡ଼ି କହି ପକାଇଳା ଯେ ସେ ଗୋଟାଏ ମସ୍ତବଡ଼ ବୋଡ଼ା ଗଲା ପରିଦିନ ଦେଖିଥିଲା । ସମସ୍ତେ ଖାଲି ସେଇ କଥା କହି ବସିଲେ । ତେଣେ ଭୋଇଆଣୀ କିଛି ଉପାୟ ନ ଦେଖି ସାଇ ପଡ଼ିଶାର ଦିଅର ହିସାବ ଆନନ୍ଦ ଭୋଇକୁ ଯାଇଁ ନେହୁରା ହୋଇ କହିଲା । ଆନନ୍ଦ ଭୋଇ ବଡ଼ ହେମତ -ଦାର ଲୋକ । ସେ ଶୁଣିଲାମାତ୍ରେ ଦୌଡ଼ିଲା ଗାଁର ଜଣାଶୁଣା ଗୁଣିଆ ଭରତ ଜେନାଙ୍କ କତିକି । ଜେନାଏ ସଙ୍ଗେ ସଙ୍ଗେ ପହଞ୍ଚିଗଲେ । ତାଙ୍କୁ ଦେଖି ଆନ୍ଦିଆ ମାଇପ କାନ୍ଦ କାନ୍ଦ ହୋଇ କହିଲା ‘କକା ସାଆନ୍ତେ, ୟାଙ୍କୁ ନ ବଞ୍ଚାଇଲେ ମୋର ସଂସାର ସରିଲା’ । ଜେନାଏ କିଛିକ୍ଷଣ ଟୁପୁଟୁପୁ ହୋଇ ଡାହାଣ ହାତ ଆଙ୍ଗୁଠିରେ ଫୁଟୁକି ମାରି ମାରି ରୋଗୀର ଦେହ ଆଉଁସି ଦେଲେ । ତା’ପରେ ଏକା ବ୍ରହ୍ମ ଚାପୋଡ଼ାରେ ସର୍ପ ବିଷ ଝଡ଼ାଇ ଦେଲେ । ବାଁ କାନ୍ଧରେ ଝୁଲାଇଥିବା ଫୁଲିଲଗା ବଟୁଆରୁ ଟିକିଏ କ’ଣ ଗଦ ଖାଇବାକୁ ଦେଇ ଚାଲିଗଲେ । କୁସୁନ ବିଚରା ଚେତା ପାଇ ଉଠି ବସିଲା ସତ କିନ୍ତୁ ଛ ସାତ ଦିନ କାଳ କତରାଲାଗି ହୋଇ ପଡ଼ି ରହିଲା ଗୋଡ଼ଟା ଫୁଲି ଯାଇଛି, ବଥା କମୁ ନାହିଁ ।

 

ଟିକିଏ ବରଷା ଛାଡ଼ିଲା ତ ପୁଣି ତୁହାକୁ ତୁହା ମେଘ ଉଠେଇ ପାଣି ଗାଳି ଦେଉଛି । ଆକାଶରେ କଳା ବଉଦମାଳକୁ ମାଳ ଭାସି ଚାଲିଛି । ଟିକିଏ ଫରଚା ହେବାକୁ ନାହିଁ ।

 

ସପନି ମିଶ୍ରଙ୍କ ମା ମାଛିଆ ପାତକରେ ମରିଗଲା । ଏକାଦଶାହ ଦିନ ପ୍ରାୟଶ୍ଚିତ୍ତ ଓ ଅନ୍ୟାନ୍ୟ କାମ ହେବାର ଥିଲା । ଯୋଗୀଭିକାରୀ କେହି ଆସିଲେ ନାହିଁ । ବ୍ରାହ୍ମଣ ଭୋଜନ ମଧ୍ୟ ହୋଇପାରିଲା ନାହିଁ । ଏ ଦୁର୍ଦ୍ଦିନିରେ ବ୍ରାହ୍ମଣ ପଣିଆ କରିବାକୁ ଆସିବ କିଏ ? ଘରୁ ବାହାରିବା ତ ମୁସ୍କିଲ । ସେ ସନେଇ ବାରିକକୁ ଡାକି ମୁହଁରେ ବଢ଼ିଲା ଦାଢ଼ୀ ହଜାମତ ହୋଇ ପଞ୍ଚାମୃତ ଟିକିଏ ଖାଇ ଶୁଦ୍ଧକାମ ବଡ଼ାଇ ଦେଲେ ।

 

କିଏ ଦି ତିନି ଓଳି ଉପାସ ତ କିଏ ଭୋଗ ବିକଳରେ ଆଟୁପାଟୁ ହେଉଛନ୍ତି । ଭଲା’ ଝଡ଼ି ବରଷା ବନ୍ଦ ହୋଇଯାଆନ୍ତା । ଟିକିଏ ଆଶ୍ୱସନା ମିଳନ୍ତା । ଝଡ଼ିପୋକଗୁଡ଼ାକ ଉଇହୁଙ୍କା, ପିଣ୍ଡା ଫାଟିରୁ ଉଠି ଆକାଶ ଛାଇ ଦେଲେଣି । କାହିଁ ? ପାଗ ଯେମିତି କି ସେମିତି । ଏତେ ଅସମୟରେ ମଧ୍ୟ ଲୋକେ କଳି ତକରାଳ କରିବାରେ ଭୁଲି ନାହାନ୍ତି । ଉଚ୍ଛବ ଗୁରୁ, ହାଡ଼ୁ ବେହେରା ବଜା ଛଡ଼େଇ ନେଇ ତାକୁ ଉଚ୍ଚବାର କରିବାରୁ ସେ ଗାଁ ପଞ୍ଚୁ ପରମେଶ୍ୱରଙ୍କ ଆଗରେ ଗୁହାରି କରିବା ପାଇଁ ଓଦା ସାଡ଼ୁ ସାଡ଼ୁ ହୋଇ ଧାଇଁଛି ରାଘବାନନ୍ଦ ଆଉ ସୁଲାଚନାଙ୍କ ଘରଆଡ଼କୁ-। ବରଷା ନ ଛାଡ଼ିଲେ ନିଶାପ ନା ଫିଶାପ । ଘନ ରଥେ ଏ ଦୁର୍ଣ୍ଣୟରେ ଘରୁ ବାହାରିବାକୁ ନାସ୍ତି କରିଦେଲେ ।

 

ଏପରି ଦୁର୍ଣ୍ଣୟ ଝଡ଼ି, ନାହିଁ ନ ଥିବା ବରଷା କହିଲେ ନ ସରେ । ଗାଁର ଅତି ବୁଢ଼ା ବିଦେଇ ମହାନ୍ତି । ତାର ବୟସ ଚାରି କୋଡ଼ି ଉପର ବୋଲି ସେ କହେ । ତା’ର ହେତୁ ହେବା ସମୟରୁ ଏପରି ଝଡ଼ି ବରଷା ସେ କେବେ ଦେଖି ନ ଥିଲା ।

 

ତୋଫାନ ପାଣିରେ ଯେ କ୍ଷତି ହୋଇଗଲା ତା କଳନା କରି ହେବ ନାହିଁ । ଗାଁ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘରର ଛପର ତ ଉଡ଼ିଗଲା । ବରଷାରେ ସବୁ କାନ୍ଥଗୁଡ଼ାକ ପଡ଼ି ଏକାବେଳକେ ଭୂମିସାତ୍‌ । କେହି କାହା ପିଣ୍ଡାରୁ ଓହ୍ଲାଇବାକୁ ନାହିଁ । ଇସ୍କୁଲ ଘର କଥା ବା ପଚାରେ କିଏ ? ଦୁଃଖିଶ୍ୟାମ ମିଶ୍ରେ ଥିଲେ ଯେ ସେ ସ୍କୁଲଘରକୁ ନିଜ ଘରଠାରୁ ବଳି କରି ଯତ୍ନ ନେଉଥିଲେ । ଏବେ ଯେଉଁମାନେ ଅଛନ୍ତି ସେମାନଙ୍କର ସେତେ ନଜର ନାହିଁ । ଟାଇମ ଅନୁସାରେ ଉପସ୍ଥିତ ହୋଇ ଯଥାତଥ କାମ ସାରି ଦେଇ ଘରକୁ ପଳାନ୍ତି । କେବଳ ତୃତୀୟ ଶିକ୍ଷକଟି ବିଚାରା ସ୍ଥାନୀୟ ଲୋକ ହୋଇଥିବାରୁ ଘୋର ଝଡ଼ି ବରଷାରେ ପକ୍ଷିଆଟି ମୁଣ୍ଡରେ ଥୋଇ ସ୍କୁଲର କେତେକ ମୂଲ୍ୟବାନ୍‌ ଅସବାବ; କାଗଜପତ୍ର ଆଣି ଘରେ ରଖିଛି । ବହୁତ ଜିନିଷ କାନ୍ଥତଳେ ପଡ଼ି ଭାଙ୍ଗି ରୁଜି ଛାରଖାର ହୋଇଯାଇଛି । ଗରିବଗୁରୁବାଙ୍କର ତ ସର୍ବସ୍ୱ ଯାଇଛି କହିଲେ ଚଳେ । କାହାରି କାହାରି ତିନି ଦିନରେ ଥରେ ହେଲେ ଚୁଲି ଜଳୁଛି କି ନାହିଁ ସନ୍ଦେହ । ଚେମେଇ ସେଠୀର ନୂଆ ଘର ଫାଳେ ଉଡ଼ିଯାଇ ବାକି ଫାଳେ ଥିଲା । ଘରକୁ ଲାଗି ଝଙ୍କା ବରଗଛଟା ତୋଫାନରେ ଉପୁଡ଼ି ପଡ଼ି ଘରର ଆଉ ଫାଳେ ଚାଳ ଉପରେ ମାଡ଼ି ବସିଲା । ସେ ବିଚାରା ପିଲା କବିଲା ନେଇ ଗାଁ ସ୍କୁଲ ଘରେ ଆଶ୍ରୟ ନେଇଥିଲା । ସ୍କୁଲ ଘର କାନ୍ଥ ପଡ଼ୁ ପଡ଼ୁ ସେ ମାସକର କଅଁଳା ପିଲା ଓ ପୋଖତି ମାଇପିଟିକୁ ନେଇ ରାଘବାନନ୍ଦଙ୍କ ଚଉପାଢ଼ୀରେ ଆଶ୍ରା ନେଇଛି ।

 

ଗାଈ ଗୋରୁ ମଇଁଷିଗୁଡ଼ାକ ପଟ୍‌ପାଟ୍‌ ମରି ଯାଉଛନ୍ତି । ସଦେଇ ବେହେରାର ଦୁହାଁଳିଆ ଗାଈ ଦି ଦିନ ତଳେ ମରିଗଲା । ଗାଈଟି ଦିନକୁ ଏଓଳି ଦେଢ଼ ସେର ସେଓଳି ଦେଢ଼ ସେର ଓଖର ଦେଉଥିଲା । ସେଥିରେ ସଦେଇ ପାଂଚ ପ୍ରାଣୀ କୁଟୁମ୍ବଙ୍କର ଗୁଜୁରାଣ ମେଣ୍ଟଉଥିଲା । ଗାଈଟି ମରିଯିବାରୁ ସେ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଯେ ଯାଉଛି ତା’ ଆଗରେ ଗାଈ ଗୁଣ ବାହୁନି କାନ୍ଦି ପକାଉଛି ।

 

ମେଘ ଟିକିଏ ଛାଡ଼ିଲା । ଆକାଶ ସଫା ଦିଶିଲା । ଖରା ବି ଟାଣ ହେଲା । ହେଲେ ବିପଦ ଉପରେ ବିପଦ ତ ଅନେକ ସମୟରେ ଲାଗି ରହିଥାଏ । ବରଷା ସିନା ଛାଡ଼ିଗଲା, ପରେ ପରେ ମାଡ଼ି ଆସିଲା ନଈରେ ବଢ଼ି । ଖରାପାଗ ଦେଖି ଗାଁ ଲୋକେ ସନ୍ଦେହ କରୁଥିଲେ ଯେ ଏଭଳି ଖରାପାଗ ବଡ଼ ବଢ଼ିର ଆଗା । ଟାଣୁଆ ବଢ଼ିଟାଏ ହେବାର ସୂଚନା ସବୁ ଜାଣାଗଲା । ସତକୁ ସତ ଦିନ ଦିଟାରେ ନଈରେ ଭୀଷଣ ବଢ଼ି ମାଡ଼ି ଆସିଲା । ନଈ ଦିକୂଳ ଖାଉ ଥାଏ । ଡଙ୍ଗା ପଟୁଆଗୁଡ଼ାକ କେତେ କୁଆଡ଼େ ଭାସି ଗଲା । ସନ୍ଧ୍ୟାବେଳେ ବିସୁନୁ ମାଝୀ ନୂଆ ପଟତନଟାକୁ ନଈକୂଳରେ କୀଳା ପୋତି ମୋଟା ରସିରେ ବାନ୍ଧ ଦେଇ ଯାଇଥିଲା । ଭୋରକୁ ଦେଖେ ତ ଦଉଡ଼ି ଛିଣ୍ଡି ପଟତନଟା ସୁଅରେ କୁଆଡ଼େ ଭାସିଯାଇଛି । ଏପାରି ଲୋକ ଏପାରି, ସେପାରି ଲୋକ ସେପାରି । ଘାଟ ନାଆ ଆଉ ଫିଟିବାକୁ ନାହିଁ । ଏ ଦୁର୍ଣ୍ଣୟରେ କିଏ ବା ପାରି କରିବାକୁ ସାହିସ କରିବ ?

 

ଗାଁ ମାଇପେ ଆଚମ୍ବିତ ହୋଇ ପରସ୍ପର କହି ହେଉଛନ୍ତି ଏପରି ଦୁର୍ବଳ (ପ୍ରବଳ ଅର୍ଥରେ) ବଢ଼ି କେବେ ଦେଖା ନଥିଲା । ନଈ ବନ୍ଧ ଉପରେ ଲୋକେ ବହୁତ ରାତି ଯାଏ ବୁଲାଚଲା କରୁଥାନ୍ତି । ନଈ ସୁଅର ତୋଡ଼ କହିଲେ ନ ସରେ । ଫେଣ ଉପରେ ଫେଣ ଭାସି ଚାଲିଛି । ଅସଂଖ୍ୟ ଶୁଖିଲା କାଠ, ଡାଙ୍ଗ, କଞ୍ଚ ଡାଳ ପତ୍ର, ବଡ଼ ବଡ଼ ଦ୍ରୁମ ନଈ ମଝି ସୁଅରେ ଭାସି ଯାଉଛି । ନଈକୂଳକୁ ଲାଗି ଅଗଣିତ ଜନ୍ଦା ପିମ୍ପୁଡ଼ି ଧାରକୁ ଧାର ଲାଗିଛନ୍ତି । ମୁହଁ ସନ୍ଧ୍ୟାବେଳେ ଘନ ରଥେ ନଈକୂଳକୁ ବାହାର ପାଣି କରିବାକୁ ଆସି ଖଣ୍ଡେ କାଠି ପାଣି ଧାରକୁ ଲାଗି ପୋତି ଦେଇ ଯାଇଥିଲେ । ସନ୍ଧ୍ୟାବେଳକୁ ମାପି ଦେଖିଲେ ନଈ ତିଖରେ ହାତେ କି ଦେଢ଼ହାତ ବଢ଼ି ଗଲାଣି । ରଥେ ମମେ ମନେ ଭାବିଲେ ନଈ ଯେପରି ବଢ଼ି ଚାଲିଛି ଯଦି ଏପରି ସାରା ରାତି ଚାଲେ ତ ତେବେ ପ୍ରଳୟ କରିଦେବ । ସେ ବଡ଼ ସନ୍ଦିଗ୍‌ଧମନରେ ଘରକୁ ଫେରିଲେ ।

 

ତହିଁ ଆରଦିନ ସକାଳେ ଲୋକେ ଦେଖିଲେ ନଈ ଦି’କୂଳ ଖାଉଛି । ଖରାପାଗ ଟିକିଏ ଥିଲା । ସେ ବି ବଦଳିଯାଇ ପୁଣି ମେଘ ଘୋଡ଼େଇ ବେଳେ ବେଳେ ତୁହାକୁ ତୁହା ବରଷି ଯାଉଛି । ରାତି ଗୋଟାଏ ବେଳେ ବଡ଼ ନଈ ବନ୍ଧ ଭାଙ୍ଗି ଯାଇ ଅଧ ମାଇଲି ଘାଇ କରି ପକାଇଲା । ଏପରି ନଦୀ ଘାଇ ଭାଙ୍ଗି ପ୍ରଳୟ ସୃଷ୍ଟି କରିବାର ଲୋକେ କେବେ ଦେଖି ନଥିଲେ କି ସେମାନଙ୍କର ଧୋଇଆ ଅଞ୍ଚଳ ଲୋକଙ୍କ ପରି ବନ୍ୟାର ଅଭିଜ୍ଞତା ନ ଥିଲେ । ହଠାତ୍‌ ପ୍ରଳୟଙ୍କାରୀ ପ୍ରବଳ ବନ୍ୟା ମାଡ଼ିଆସି କେତେ ଯେ କ’ଣ ନଷ୍ଟ ଭ୍ରଷ୍ଟ କରିଦେଲା ତାହା କଥାରେ କହିହେବ ନାହିଁ । ଅସଂଖ ଗୋରୁ ଗାଈ, ଛେଳି ମେଣ୍ଢା, ମଇଁଷି ମରି ଭାସିଗଲେ । ଶହ ଶହ ଘର ଭାଙ୍ଗି, କାନ୍ଥ ଭୁଷୁଡ଼ି ପଡ଼ିଲା-। କେତେ ସ୍ତ୍ରୀ ବାଳକ, ବୁଢା, ବୁଢ଼ୀ, ଯବାନ ଭେଣ୍ଡା ପ୍ରାଣ ହାରଇଲେ ତାର ହିସାବ କିଏ ରଖୁଛି-। ଯେଝା ଦୁଃଖ ଯାହାକୁ ବଳେଇଛି । ବାଡ଼ି ବଗିଚାର ପନିପରିବା, ଗଛ ବୃଛ, ବିଲର ଧାନ ଫସଲ ସମୂଳେ ନଷ୍ଟ ହୋଇଗଲା । କେତେ ବିଲଯେ ବାଲିଚର ହୋଇଗଲା ତାର ଠିକଣା କଣ-! ଲୋକଙ୍କର ଦୁଃଖ ଦେଖିଲେ, ସେ ପ୍ରଳୟ ଦୃଶ୍ୟ, ସେ କରୁଣ କାହାଣୀ ବୟାନ କଲେ ଆଖିରେ ନୁହ ରହିବ ନାହିଁ ।

 

ଲୋକେ ସତର୍କ ନଥିଲେ । କର୍ତ୍ତୃପକ୍ଷ ତେତେଟା ସଜାଗ ନଥିଲେ । ଅଚାନକ ଏପରି ବିପତ୍ତି ଆସି ପଡ଼ିଗଲା ଯେ ଏକାବେଳକେ ଆଣାୟତ୍ତୀ । ବନ୍ଧ ଭାଙ୍ଗିଲା ପରେ ପ୍ରାୟ ଦୁଇ ତିନିଦିନ ଘାଇ ମୁହଁରେ ପ୍ରବଳ ଜଳସ୍ରୋତ ଚାଲି ଚାରିଆଡ଼େ ଚିଲିକାମୟ କରିଦେଲା । କିଏ ଚାଳଉପରେ ବସି ଭାସି ଯାଉଛି, କିଏ ଗଛ ଡାଳଧରି ଓହଳି ପଡ଼ିଛି, କିଏ ବଣବୁଦାରେ ଲାଗି ପ୍ରାଣ ହରାଇଛି । ସେ କରୁଣ ଚିତ୍ର ଏକାବେଳକେ ବର୍ଣ୍ଣନାତୀତ । ପରେ ପରେ ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସରକାରୀ ବେସରକାରୀ ଅନୁଷ୍ଠାନମାନ, ସ୍ୱଚ୍ଛା ସେବକ, ସ୍ୱୟଂସେବକଦଳ, ସ୍କୁଲ, କଲେଜ, ମେଡ଼ିକାଲ କଲେଜର ଛାତ୍ରମାନେ, ପ୍ରାଇମେରୀ ଶିକ୍ଷକ ସେବାସଂଘ ସାହାଯ୍ୟ ଦେବାପାଇଁ ପହଁଞ୍ଚିଲେ । ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥାଏ । ଯାହାକି ସାହାଯ୍ୟ ଲୋକଙ୍କୁ ମିଳିଲା ତାହା ସମୁଦ୍ରକୁ ଶଙ୍ଖେ ପଣା କରି ହେଲା । କେତେ ଲୋକଙ୍କର ସର୍ବସ୍ୱ ଗଲା । କାହାର ଯେ କେତେ ଘର କରଣା ସରି ଗଲା ତାର ଇୟତ୍ତା ନାହିଁ ।

 

ଅନ୍ୟାନ୍ୟ ଗ୍ରାମମାନଙ୍କ ପରି ଏହି ନୂଆଗାଁ ଜଗନ୍ନାଥପୁର ଶାସନର ମଧ୍ୟ ତଦ୍ରୁପ ଅବସ୍ଥା ହେଲା । ପ୍ରବଳ ବଢ଼ି ଓ ନଈ ଘାଇରେ ମାରାତ୍ମକ ପ୍ରଭାବରୁ ଏ ଗାଁର ଲୋକେ ମଧ୍ୟ ରକ୍ଷା ପାଇଲେ ନାହିଁ ।

 

ବଢ଼ି ଛାଡ଼ିଲା । ଘର ଗଲା, ଦ୍ୱାର ଗଲା, ଗାଈଗୋରୁ ଗଲେ । ଫସଲ ସମୂଳେ ଗଲା । ସବୁତ ଗଲା ବଞ୍ଚିବେ ଲୋକେ କିପରି ? କିଏ କେତେ ବା ସାହାଯ୍ୟ କରିବ ।

 

ବିଧାତାର ଇଚ୍ଛା । ପ୍ରକୃତିର ତାଣ୍ଡବଲୀଳା କଳ୍ପନାତୀତ । ଲୋକେ ବହୁ କଷ୍ଟରେ କାଳାତିପାତ କଲେ । ବିପଦ ଉପରେ ବିପଦ ଆସିଲା । ସରକାର ତଗାବୀ ଋଣ ବାଣ୍ଟିଲେ । କୃଷି ବିଭାଗ ସାର, ଶାକସବଜି ମଞ୍ଜି, ରବି ବିହନ ଯୋଗାଇଲେ ସତ କିନ୍ତୁ ତାହା ଯଥେଷ୍ଟ ହେଲା ନାହିଁ-

 

ବଢ଼ି ପଛକୁ କିଛିଦିନ ପରେ ଆସିଲା ବୁଢ଼ୀ । ମଫସଲ ଗାଁରେ ବାଡ଼ୀକୁ ‘ବୁଢ଼ୀ’ ବୋଲି କହନ୍ତି । କେହି କେହି ‘ମା’ ବୋଲି ମଧ୍ୟ କହିଥାନ୍ତି । ସେମାନଙ୍କର ଧାରଣା ଯେ କେତେଦୂର ସତ୍ୟ ବା ମିଥ୍ୟା ତାହା ସଠିକ ଭାବେ କୁହାଯାଇ ପାରିବ ନାହିଁ । ବଢ଼ି ଛାଡ଼ିବା ପରେ ଗାଁଏ ଗାଁଏ ଯେଉଁ ଅଭାବ ଅସୁବିଧା ଖାଦ୍ୟ ପାନୀୟର ଅଭାବ, ଅସ୍ୱାସ୍ଥ୍ୟକର ରାସ୍ତାଘାଟ, ପଚା ପାଣି, ଦୁର୍ଗନ୍ଧ ପବନ, ଅଖାଦ୍ୟ ସବୁ ମିଶି ଡାକି ଆଣିଲା ବାଡ଼ୀ । ଗାଁକୁ ଗାଁ ଲାଗିଗଲା କଲେରୀ, ଝାଡ଼ାବାନ୍ତି, ନାଳରକ୍ତ ମଇଦାନ, ଆନ୍ତ୍ରିକ ଜ୍ୱର, ବସନ୍ତ ମହାମାରୀ । ହଇଜାରେ ଲୋକେ ମଲେ ପୋକ ମାଛି ପରି । ଠାଏ ଠାଏ ଲୋକେ ଅନ୍ଧବିଶ୍ୱାସରେ ଠାକୁରାଣୀ ଲଗାଇ ମନ ବୁଝାଇଲେ । ଉପଯୁକ୍ତ ଚିକିତ୍ସା ଏବଂ ଅର୍ଥାଭାବର ଅନେକ ଲୋକ କଲୋରାରେ ପ୍ରାଣ ହରାଇଲେ । ଅଭାଗିନୀ ଗୁଣ୍ଡିଚା ବିଚାରୀ ମଧ୍ୟ ଏଥିରୁ ବାଦ ଗଲା ନାହିଁ ।

 

ଝଡ଼ି, ବଢ଼ି, ବାଡ଼ୀ ତା’ ପଛକୁ ହାଜର ହେଲା ମରୁଡ଼ି । ‘ମୂଳୁ ମାଇଲେ ଯିବ ସରି ଦେବଙ୍କ ଲାଗି କିମ୍ପା କଳି’ । ଲୋକେ ଘୋର ଖାଦ୍ୟଭାବ ଅନୁଭବ କଲେ । ନୂଆଗାଁ ଜଗନାଥପୁର ଗାଁରେ କେତେକ ଲୋକେ ଏକାବେଳକେ ଉଚ୍ଛନ୍ନ ଦଶାରେ ପହଁଞ୍ଚିଲେ । ବିଶେଷତଃ ମୂଲିଆ, ମଜୁରିଆ, ହରିଜନ ସାହୀର ଲୋକେ ସେମାନଙ୍କ ଭଙ୍ଗା କୁଡ଼ିଆ ଘର, ଭଙ୍ଗା ଡ଼ିହ, ଗାଁ ଗଣ୍ଡା, ସାଇ ପଡ଼ିଶା, ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ ମାୟା ମମତା ତୁଟାଇ କିଏ କେତେ ଆଡ଼େ ଚାଲିଗଲେ ।

 

ଲୋକେ ସବୁ ତ୍ୟାଗ କରିପାରେ, ସହ୍ୟ କରିପାରେ କିନ୍ତୁ ଜଠରଜ୍ୱାଳା ସହ୍ୟ କରିବ କେଉଁଠୁ ? ଯାବତ ନ ପୁରେ ଉଦର ତେଣୁ ମୁଁ ଲୋକେ ଭୟଙ୍କର—ଏ କଥା ତ ଭାଗବତ କହୁଛି । ପେଟ ପାଇଁ ଲୋକେ ଯେ କ’ଣ ନ କରେ ତାହାହିଁ ପ୍ରଶ୍ନ । ପେଟ ପୋଡ଼ିଗଲେ ଲୋକେ ଯେ କୌଣସି ପାପ କାର୍ଯ୍ୟ କରିବାକୁ ପଛାଏ ନାହିଁ । ଜଠର ଅଗ୍ନି ଜଳି ଉଠିଲେ କେହି କେହି ସମ୍ଭାଳି ପାରିବ ନାହିଁ । ନ’ଙ୍କ ସମୟରେ ମା ପିଲାର ମାଉଁସ ଖାଇବା, ବାପ ପୁଅଠୁ ଭାତପତ୍ର ଛଡ଼ାଇ ନେବା ସିନା ଗଳ୍ପ ଉପନ୍ୟାସ ପରି ମନେ ହେଉଥିଲା; ଏବେ ଏ ପ୍ରକାର ଚିତ୍ର ଲୋକଙ୍କର ଆଖି ଦେଖିଲା ।

 

ପେଟ ପୋଷିବା ପାଇଁ ନୂଆଁ ଗାଁ ଜଗନାଥପୁରରୁ କେତେକ ଲୋକ ବିଦେଶ କରି । କିଏ ଗଲା କଲିକତା, କିଏ କାଳିମାଟି, କିଏ ରେଙ୍ଗୁନ ତ କିଏ ଆସାମ ଚାଲିଲେ । ଗାଁ ଏକରକମ ଅଧାଅଧି ଖାଲି ହୋଇଗଲା । କେତୋଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଘର ଛାଡ଼ିଦେଲେ ଦେଖାଯିବ କାହା ଘରେ କେବଳ ବୁଢ଼ୀଟି, କାହା ଘରେ ଭୁଆସୁଣୀ ମାଇପିଟି ଦୀନଦୁଃଖରେ କାଳ କାଟୁଛନ୍ତି । କେତେ ଡିହରେ କେବଳ ଚାକୁଣ୍ଡା, ପୋକସୁଙ୍ଘା, ଅଙ୍କରାନ୍ତି, ଚେତ ପୁରୁଣୀ, ଅଜରଝଟା ଭରିଗଲାଣି । କାହା ଡିହରେ ଭଙ୍ଗା ପଥର, ଖୁଣ୍ଟ ତଳେ ଗାତୁଆ ମୂଷା ଗୋଧି, ନେଉଳ, କଙ୍କଡ଼ା ବିଛା, ବେଳେ ବେଳେ ବୋଡ଼ା, ଗୋଖୁର ସାପ ବି ଆଶ୍ରା କରି ରହିଛନ୍ତି ।

 

ତେର

 

କେତେ ଦିନ ବିତିଗଲାଣି । କଟକ ଜଜ୍‌ ସାହେବଙ୍କ ଇଜଲାସରେ ଗୋଟାଏ ବଡ଼ ମୋକଦ୍ଦମା ବିଚାର ପାଇଁ ଆସିଛି । ମୋକଦ୍ଦମାଟା ହେଉଛି ନୂଆଗାଁ ଜଗନ୍ନାଥପୁର ମର୍ଡ଼ର କେଶ୍‌ ବା ନରହତ୍ୟା । କୋର୍ଟ ଘରେ ବହୁତ ଲୋକ ବିଚାର ଶୁଣିବା ପାଇଁ ରୁଣ୍ଡ ହୋଇଛନ୍ତି । ଦୁଇପକ୍ଷଙ୍କ ତରଫରୁ ବଡ଼ ବଡ଼ ଓକିଲ ବାରିଷ୍ଟରମାନେ ଦୂରଦୂରନ୍ତାରୁ ଆସି ଲଢ଼ୁଛନ୍ତି । ଯୁନିଅର ଟୋକା ଓକିଲଗୁଡ଼ାକ କେଶ୍‌ର ବିଚାରଣା ଶୁଣିବେ ବୋଲି ମନଧ୍ୟାନ ଦେଇ ବସି ରହିଛନ୍ତି । ଜଜ୍‌ ସାହେବଙ୍କ ଡାହାଣ ପାଖକୁ ଟିକିଏ ଛାଡ଼ି ତିନି ଚାରିଜଣ ଜୁରର ଅମନୋଜୋଗୀ ଛାତ୍ରଙ୍କ ପରି ବସି ରହିଛନ୍ତି । ଅତି ପାଖକୁ ବୁଢ଼ା ପେସ୍କାର ରସ ଫ୍ରେମର ଚଷମାଟାକୁ ନାକ ଅଗରେ ଥୋଇ କ’ଣ ଫାଇଲି ଲେଉଟାଇବାରେ ବ୍ୟସ୍ତ । କୋର୍ଟଘରେ ନୀରବତା ଏବଂ ଗମ୍ଭୀରତା ବେଳେ ବେଳେ ପୁରା ରାଜତ୍ୱ କରୁଥାଏ । କେବଳ ବିଜୁଳୀ ପଙ୍ଖାଟା ‘ଘଉର ଘଉରୁ’ ଶବ୍ଦରେ ଅନବରତ ଘୁରି ଚାଲିଥାଏ-। ମର୍ଡ଼ର କେଶର ତଳ କୋଟରେ ସବୁ ତନ ତନ ହୋଇ ବିଚାର କରାଯାଇ କେତେ ଜଣଙ୍କୁ ଛାଡ଼ି ଦିଆଗଲା । ବାକି ଚାରିଜଣ ମୁଦାଲାଙ୍କୁ ଦୋଷୀ ସାବ୍ୟସ୍ତ କରି କେଶକୁ ସେସନ କୋର୍ଟକୁ ପଠାଗଲା ।

 

ତାରିଖକୁ ତାରିଖ ଗଡ଼ି ଚାଲିଲା କେଶ୍‌ର ବିଚାରଣା । ମୁଦେଇ ମୁଦାଲାମାନଙ୍କ ତରଫରୁ ସାଖୀ ଗୁହା, ଜମାନବନ୍ଦୀ, ଉଭୟ ତରଫରୁ ନଢ଼ୁଥିବା ଓକିଲଙ୍କର ଜେରା, ଯୁକ୍ତିତର୍କ ସବୁ ଶେଷ ହୋଇଯାଇଥାଏ । ଆଜି କେବଳ ହାକିମ ରାୟ ଦେବାର କଥା । ଏଥିପାଇଁ କିଏ କେତେ କଥା ବିଚାରି ପକାଉଛି । ଟୋକା ମୋହରୀରଗୁଡ଼ାକ କହି ବୁଲୁଛନ୍ତି, ଚାରି ଚାରି ବର୍ଷରୁ କମ୍‌ ସଜା ହେବ ନାହିଁ କିନ୍ତୁ ବୁଢ଼ା ଅଭିଜ୍ଞାମୋହରିରମାନେ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି । ସେମାନେ ଚିହ୍ନା ପଇଚନ ଥିବା ଦର୍ଶକମାନଙ୍କୁ ଏବଂ ଆପଣା ପକ୍ଷର ଲୋକମାନଙ୍କୁ ବଢ଼େଇ କରି କହୁଛନ୍ତି କେଶଟା ଏକାବେଳକେ ମାଡ଼ ଖାଇଯିବ । କିଛି ଜୋର ନାହିଁ ।

 

ତେଣେ ସପନି ମିଶ୍ରେ ଥାନାରୁ କୋଟ ଦାରୁଗାଙ୍କ ପାଖକୁ, କେତେବେଳେ ପେସ୍କାର ପାଖକୁ ତ କେତେବଳେ ଓକିଲ ବାବୁଙ୍କ ପାଖକୁ ଏପରି ଲଣ୍ଡଭଣ୍ଡ ହୋଇ ଏପାଖ ସେପାଖ ହେଉଛନ୍ତି । ଓକିଲବାବୁଙ୍କ ମୋହରୀର ଦି ତିନିଥର ଆକଟ କରିଦେଲାଣି ଯେ ବାବୁଙ୍କ ଫିସ୍‍ ବାବଦ ବାକି ଟଙ୍କା ବର୍ତ୍ତମାନ ଦେଇଦେବାକୁ ହେବ । ତିଆଡ଼ି ଯାହା ଆଣିଥିଲେ ସବୁ ଶେଷ । ଏବେ ରାସ୍ତା ଖର୍ଚ୍ଚ ପାଇଁ ଟଙ୍କା କେତେଟା ମାତ୍ର ଅଣ୍ଟାରେ ଖୋସିଛନ୍ତି । ତା’ ଉପରେ ରଣପୁରୀ ଦୋସଡ଼ାଟା ମୋଡ଼ିମାଡ଼ି ଅଣ୍ଟାରେ ବାନ୍ଧି ଛପାଇ ରଖିଛନ୍ତି । ସେ ତଳ ମହଲା ପାହାଚ ତଳେ ଖରାକୁ ପିଠିଦେଇ ଚୁପ୍‌ଚାପ୍‍ ବସି ରହିଛନ୍ତି । ମହନ୍ତ ମହାରାଜା ‘ହେଇଟି ଆସୁଛି କହି’ ଏକାବେଳେକ ସଦର ରାସ୍ତା ଛାଡ଼ି କେଉଁ ଗଳି ଭିତରେ ପଶିଛନ୍ତି ତାର ପତ୍ତା ନାହିଁ । ସପନି ସାଥୀରେ ଆଣିଥିବା ରୋଷେୟା ଟୋକାକୁ ମହନ୍ତଙ୍କ ଅନୁସନ୍ଧାନରେ ପଠାଇଥିଲା । ସେ ବିଚାରା ଖୋଜି ଖୋଜି ନ ପାଇ ଫେରି ଆସିଲା । ଆଜି ହାକିମ ରାଏ ଦେଲେ କାଲି ସମସ୍ତେ ଗାଁ କୁ ଯିବେ ଭାରି । ଓକିଲ ମୋହରୀଙ୍କ ଛାଡ଼ିଥିବା ପାଉଣା ତ ସବୁ ଦିଆ ସରିଛି ଆଉ ଖାଲି ପୁରସ୍କାର ବାବଦକୁ କିଛି ଦେବାର କଥା । ସପନି ଏଥିପାଇଁ ଆଉ ଦୁଇଶ ଟଙ୍କାର ହିସାବ ମନେ ମେନ ଯୋଡ଼ି ତିଆଡ଼ି ଏବଂ ମହନ୍ତଙ୍କୁ କାଲିଠାରୁ ଶୁଣାଇ ସାରିଛନ୍ତି । ତାଙ୍କର ଲକ୍ଷ୍ୟ ଶହେ ଟଙ୍କା ଓକିଲ ମୋହରୀର, ପେସ୍କାର, ଚପରାଶିଙ୍କ ମଧ୍ୟରେ ବାଣ୍ଟି ବାକି ଶହେ ଟଙ୍କାର ନିଜର ଘରର ଦଶରା ଖର୍ଚ୍ଚ ଚଳାଇନବେ । କିନ୍ତୁ ତିଆଡ଼ି ଓ ମହନ୍ତ ଉଭୟେ ମଖୀଚୋଷ । ତିଆଡ଼ି ଉଣେଇଶ ହେଲେ ମହନ୍ତେ ବିଶ୍‌ । ବର୍ତ୍ତମାନ କେହି ଧରା ଦେବାକୁ ନାହାନ୍ତି । ସପନି ମିଶ୍ରେ ଖାଲି ବହଳିଆ ମୁହଁରେ କୋର୍ଟ ପାଖରେ ଠିଆ ହୋଇଛନ୍ତି । ମନରେ ଭାରି ଗଉଁ କାରଣ ତାଙ୍କ ପକ୍ଷ ଓକିଲବାବୁ କହିଛନ୍ତି କେଶରେ ହାକିମ ଉଚିତ ବିଚାର କରିବେ ବିଚାରପତିଙ୍କ ନ୍ୟାୟଟା କାହାଆଡ଼କୁ ଢଳିବ ସେତିକି ଦେଖିବାର ବାକି ଅଛି ।

 

ଠିକ୍‌ ବାରଘଣ୍ଟା ବେଳକୁ ଜଜ୍‌ସାହେବ ଇଜାଲାସରେ ଆସି ବସିଗଲେ । ମୁଦାଲାମାନଙ୍କୁ କୋର୍ଟକୁ ଆଣିଗଲା । ସେମାନେ ହେଉଛନ୍ତି ରାଘବାନନ୍ଦ, ସୁଲୋଚନ, ଘନଶ୍ୟାମ, କାଶୀ ମହାନ୍ତି । ମୁଦେଇ ତରଫରୁ କେବଳ ସପନି ମିଶ୍ରେ ଉପସ୍ଥିତ ଥାନ୍ତି ଆଉ ଥାନ୍ତି ଆରତତ୍ରାଣ ତିଆଡ଼ି ଏବଂ ମହନ୍ତ ପ୍ରେମାନନ୍ଦ ଗୋସ୍ୱାମୀ ।

 

ହାକିମ ପରିବେଶରେ ରାୟ ପଢ଼ି ଶୁଣାଇ ଦେଲେ ‘ମୁଦାଲାମାନେ ସଂପୂର୍ଣ୍ଣ ନିର୍ଦ୍ଧୋଷ । ମୁଦେଇ ତରଫରୁ ବହୁତ ଟଙ୍କା ପଇସା ନାଞ୍ଚ ଦେଇ କେଶଟାକୁ ମିଥ୍ୟାରେ ରଚନା କରାଯାଇଛି ଏବଂ ଏହି ମିଥ୍ୟା ମୋକଦ୍ଦମାରେ ପ୍ରଧାନ ସୁତ୍ରଧାର ସପନି ମିଶ୍ର ଏବଂ ଆରତତ୍ରାଣ ତିଆଡ଼ି । ମର୍ଡ଼ରର ଚାକ୍ଷୁସ ସାକ୍ଷୀ ଓ ଉପୁଯୁକ୍ତ ପ୍ରମାଣର ଯଥେଷ୍ଟ ଅଭାବ ରହିଛି । ମୁଦାଲମାନେ ତିଆଡ଼ିଙ୍କ ବିଧବା ବୋହୂକୁ ହତ୍ୟା କରିବାରେ ସେମାଙ୍କର କୌଣସି ଲାଭ ବା ସ୍ୱାର୍ଥ ସିଦ୍ଧି ହେବାର ଜଣା ପଡ଼ୁନାହିଁ । ବରଂ ମୁଦାଲା ପକ୍ଷରୁ କେତେକ ସାକ୍ଷ୍ୟ ପ୍ରମାଣରୁ ଆରତ ତିଆଡ଼ିଙ୍କୁ ଦୋଷୀ ବୋଲି କୁହାଯାଇପାରେ । ଯାହା ହେଉ କେସ୍‍ ସଂମ୍ପୂର୍ଣ୍ଣ ମିଥ୍ୟା ଏବଂ ତଞ୍ଚକତା ମୂଳକ । ପ୍ରମାଣ ଅଭାବରୁ ମୁଦଲାମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଗଲା । ମୁଦଲାମାନେ ଚାହିଲେ ମୁଦେଇମାନଙ୍କ ବିରୁଦ୍ଧରେ ମାନହାନି ଏବଂ କ୍ଷତି ଖେସରା ପାଇଁ ଆପତ୍ତି କରି ପାରନ୍ତି ।

 

ହାକିମ ରାୟ ଶୁଣାଇ ଚାଲିଗଲେ । ମୁଦେଇ ତରଫ ଲୋକେ ଏକାବେଳେକେ ବଜପାତ ହେଲା ବୋଲି ମନେ କଲେ । ସପନି ମିଶ୍ରେ ବାହାରକୁ ଆସି ହାକିମ, ଓକିଲମାନଙ୍କର ଦୋଷ, ଦୁର୍ବଳତା, ଅପାରଗତା ବିଷୟରେ ଆଲୋଚନା କରି ଲାଗିଲେ । ତିଆଡ଼ି ଏବଂ ମହନ୍ତେ ବଡ଼ ବିମର୍ଷରେ ମୁହଁ ଶୁଖାଇ ମୁଣ୍ଡରେ ହାତ ଦେଇ କୋର୍ଟ ବାରଣ୍ଡ ତଳେ ଘଡ଼ିଏ କାଳ ଗୁମ୍‌ ମାରି ବସି ରହିଲେ । ତେଣେ ମୁଦାଲା ତରଫର ଲୋକେ ସଙ୍ଗେ ସଙ୍ଗେ ଗୁଡ଼ିଆ ଦୋକାନରୁ ପାଞ୍ଚଟଙ୍କାର ମିଠେଇ ଆଣି ବାଣ୍ଟି ଦେବାରେ ଲାଗିଲେ । ମୋକଦ୍ଦମା ଶେଷ ହେଲା । ଉଭୟ ପକ୍ଷ ଗାଁକୁ ଫେରିଗଲେ ।

 

ମୋକଦ୍ଦମାର ଗୋଟାଏ ସଠିକ ଓ ସଂକ୍ଷିପ୍ତ ବିବରଣୀ ନ ଦେଲେ ପାଠକମାନଙ୍କ ମନରେ ଅବଶୋଷ ରହିଯାଇ ପାରେ । ରାଏ ନକଲ ମିଳିଲା ପରେ ପାର୍ବତୀ ମର୍ଡ଼ର କେଶର ସଠିକ କଥା ଜଣା ପଡ଼ିଗଲା । ଘଟଣାଟା ହେଉଛି ଏହା । ନୂଆଗାଁ ଜଗନ୍ନାଥପୁର ଝଡ଼ି, ବଢ଼ି, ବାଡ଼ି ମରୁଡ଼ିରେ ଛାରଖାର ହୋଇଗଲା । ଦୁଃଖିଶ୍ୟାମଙ୍କ ବିଧବା ସ୍ତ୍ରୀ ଗୁଣ୍ଡିଚା କଲେରାରେ ମରିଗଲା ପରେ ତାଙ୍କର ଏକମାନ୍ତ୍ର ବାଳୁତ ବିଧବା କନ୍ୟା ପାରୀ ବଡ଼ ଅସହାୟ ହୋଇ ପଡ଼ିଲା । ସେତେବେଳକୁ ପାରିର ବୟସ ପନ୍ଦର । ସେ ଯୁବତୀ ଅବସ୍ଥାର ପ୍ରାରମ୍ଭରେ । ତାର ତତ୍ତ୍ୱ ନେବାକୁ କିଏ ଅଛି ? କେବଳ ଅରକ୍ଷିତକୁ ଦୈବ ସାହା । ତା ବିଷୟ ଭାବିବାକୁ ତାର ଦୁନିଆରେ ଆଉ କେହି ନାହିଁ । ମୌଜାରେ ଦୁଇ ସାହି ମଧ୍ୟରେ ଅନେକ ଦିନରୁ ତ ମତାନ୍ତର ମନାନ୍ତର ରହିଥାଏ । ନୂଆ ଗାଁର ତିନି ଚାରୋଟି ଘର ଛାଡ଼ିଦେଲେ ଅନ୍ୟମାନେ ଗରିବ ଚାଷୀ ମୂଲିଆ, ପରିଶ୍ରମୀ, ସଚ୍ଚୋଟ । ସେମାନଙ୍କ ମଧ୍ୟରେ କିନ୍ତୁ ଏକତା ଥାଏ ।

 

ଶାସନରେ ସବୁ ବଡ଼ବଡ଼ିଆ ଲାଖରାଜ, ଟଙ୍କୀ ବାହେଲଦାର, ଜମିଦାର, ମକଦ୍ଦମ ଧନୀ ମାନିଙ୍କ ଘର । ବଡ଼ ମଠ ମହନ୍ତ, ଆରତ ତିଆଡ଼ି ଓ ଅନ୍ୟାନ୍ୟ ଧନୀ ଲୋକଙ୍କ ଘର ସମେତ କେତୋଟି ଗରିବ ବାହ୍ମଣ ଘର ମଧ୍ୟ ଥାଏ । ଏମାନଙ୍କର କାହାରି ସଙ୍ଗେ କାହାର ଯତି ପଡ଼େ ନାହିଁ-। ସପନି ମିଶ୍ରେ ହେଲେ ପ୍ରଧାନ ମାମଲତକାର; ତିଆଡ଼ି ଓ ପ୍ରେମାନନ୍ଦଙ୍କର ପରମର୍ଶଦାତା, ଡାହାଣ ହାତ । ସପନିଙ୍କ ଗୁଣଗ୍ରାମ ତ ଆଗରୁ କୁହାଯାଇଛି । ସପନି ଯେ କ’ଣ ନ କରିପାରେ ତାହା ହିଁ ଜାଣି ରଖିବା କଥା । ଠାକୁରାଣୀ ଲଗାଇବା, ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନଠାରୁ ଆରମ୍ଭ କରି ଜୁଆଚୋରୀ, ଧପ୍‌ପାବାଜି, ଜାଲ ମୋକଦ୍ଦମା, ହତ୍ୟା ମକଦ୍ଦମା ଗୃହଦାହ ପର୍ଯ୍ୟନ୍ତ ଅପକର୍ମ କରିବାରେ ସେ ଧୁରନ୍ଧର ।

 

ନୂଆ ଗାଁରେ ବହୁକାଳରୁ ଚଳି ଆସୁଥିବା ‘ପଞ୍ଚାୟତ ବିଚାର’ ଆଖ ପାଖ ଗ୍ରାମ ଲୋକଙ୍କୁ ଉତ୍ତମ ରୂପେ ଜଣା । ଗ୍ରାମର ଉଚ୍ଚ ପ୍ରାଇମେରୀ ଆଦର୍ଶ ବିଦ୍ୟାଳୟର ସ୍ଥାପୟିତା, ଗ୍ରାମର ବୁନିଆଦି ବଂଶର ବିଶିଷ୍ଟ ଲୋକ ସ୍ୱର୍ଗୀୟ ଦୁଃଖିଶ୍ୟାମ ମିଶ୍ରଙ୍କୁ ସମସ୍ତେ ଜାଣନ୍ତି । ତାଙ୍କର ହତଭାଗିନୀ ଅସହାୟା ଅତି ବାଳୁତ ବିଧବା କନ୍ୟା ପାର୍ବତୀକୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ବିଚାରବନ୍ତ, ଦୟାଶୀଳ ବ୍ୟକ୍ତି ମାତ୍ରେ ଚିନ୍ତିତ ହେବେ । ପଞ୍ଚାୟତ ତରଫରୁ ରାଘବାନନ୍ଦ, ସୁଲୋଚନ, ଘନଶ୍ୟାମ ଥରେ ଆରତ ତିଆଡ଼ିଙ୍କୁ ଯାଇଁ କହିଲେ ‘ତିଆଡ଼ିଏ ତୁମେ ତ ବର୍ତ୍ତମାନ ନିଅଂଶ । ତମର ଏ ବିପୁଳ ସମ୍ପତ୍ତି ଭୋଗଦଖଲ କରିବାକୁ ଝିଅ ଝିଆଣିଆ, ଦୂରଦୂରାନ୍ତର ଗୋଟିଏ କେହି ନାହିଁ । ପାର୍ବତୀ ବର୍ତ୍ତମାନ ଅସହାୟା । ସେ ଧର୍ମତଃ ତୁମର ପୁନ୍ତ୍ରବଧୁ । ତୁମେ ତାକୁ ଘରେ ନେଇ ରଖ ।’ ଏଥିରେ ତିଆଡ଼ିଏ ସେମାନଙ୍କ ଉପରେ ଭାରି ବିଗିଡ଼ିଲେ । ଭଦ୍ରଲୋକମାନଙ୍କୁ ଏପରି ବେଜିତ୍‌ କରି ଗାଳିଦେଲେ ଯେ ସେମାନେ ନୀରବରେ ଫେରିଲେ । ଜମିଦାରୀ ନଥିଲେ ମଧ୍ୟ ରାଘବାନନ୍ଦ ତ ଜମିଦାର ଛୁଆ ଆଉ ସୁଲୋଚନ କିଛି କମ୍‌ ଆଣ୍ଟୁଆ ଓ ବୁଦ୍ଧିମାନ ନୁହେଁ ! ସେମାନେ ଦୋସଡ଼ା କାନିରେ ଗଣ୍ଠି ପକେଇଲେ ଯେ ଆରତ ତିଆଡ଼ିକୁ ପଟାଟାଏ ଦେଖି ଦେବେ । ଯେତେ ପଇସା ଖର୍ଚ୍ଚ ହେବ ପଛେ ପାର୍ବତୀର ପକ୍ଷ ନେଇ ତିଆଡ଼ିଙ୍କ ବିରୁଦ୍ଧରେ ଉଚିତ ଅଦାଲତର ଆଶ୍ରୟ ନେଇ ପାର୍ବତୀର ମାଲିକ ସତ୍ୱ ସାବ୍ୟସ୍ତ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବେ । ହେଲେ ଆଉ ଥରେ ପଡ଼ିଶା ଗ୍ରାମରୁ ଭଲ ଲୋକ ବସାଇ ଏ କଥାଟା ନିଜ ଗ୍ରାମରେ ନିଷ୍ପତ୍ତି କରିବା ଅଭିଳାଷରେ ରହିଲେ ।

 

ଇତ୍ୟବସରେ ତିଆଡ଼ିଙ୍କର ଶକୁନି ମନ୍ତ୍ରୀ ସପନି ମିଶ୍ର ତାଙ୍କ ମେଲାରେ ତହିଁ ଆରଦିନ ହାଜର ହୋଇ ତିଆଡ଼ିଙ୍କୁ କହିଲେ, ‘କ’ଣ ତୁମେ ଚୁପ୍‍ ହୋଇ ବସିଛ ? ନୂଆ ଗାଁ ବାଲା ତମର ସମସ୍ତ ସମ୍ପତ୍ତି ଅପହରଣ କରିବାକୁ ମସୁଧା କଲେଣି । ମୋତେ ବଗୁଲିଆ ବାରିକ ଗୁପ୍ତ ଖବର ଆଣି ଦେଇଛି । ଶୀଘ୍ର ପ୍ରତିକାର ନ କଲେ ତୁମେ ଉପରକୁ ଚାହିଁ ବସିଥିବ । ତିଆଡ଼ିଏ ଏତକ ଶୁଣି ନିର୍ବେଦ ହୋଇ ଗୁମ୍‌ ଖାଇଗଲେ । କିଛି ସମୟ ତାଙ୍କ ତୁଣ୍ଡରୁ ବାକ୍ୟ ସ୍ଫୁରିଲା ନାହିଁ । କିଛିକ୍ଷଣ ପରେ ତିଆଡ଼ି କହିଲେ, ‘‘ହଇରେ ସପନି ଯଦି ଏ କଥା ସତ ତେବେ ତ ତାର କ’ଣ ଉପାୟ କରାଯିବ କହ ।’ ସପନି ଏକାବେଳକେ ଗୋଟାସୁଦ୍ଧା ନିଜର ପରି କହି ବସିଲା, ‘କକେଇ, ମୁଁ କଣ ପରପୁରା ହୋଇଛି । ମୁଁ କାହିଁକି ମିଛ କହିବି । ତମର ଭଲ ପାଇଁ କହିବାକୁ ଆସିଲି ।’ ତିଆଡ଼ିଏ କହିଲେ ‘ନୂଆ ଗାଁ ଲୋକଗୁଡ଼ାକ ନିହାତ ଦରିଦ୍ର ଆମ ଧନ ସମ୍ପତି ଦେଖି ସହି ପାରୁନାହାନ୍ତି । ଦେଖିଲୁ ତ ପୁଅ ମହନ୍ତଙ୍କୁ ଚେଲା କରାଇ ନ ଦେବାକୁ କେତେ ଯୋଗାଡ଼ ନ କଲେ ! ପ୍ରେମାନନ୍ଦ ଆଖି ବୁଜି ହଜାର ହଜାର ଟଙ୍କା ଖର୍ଚ୍ଚ ନ କରିଥିଲେ କଣ ହୋଇଥାନ୍ତା ! ତାଙ୍କ ମହତ ତଳେ ପଡ଼ିଯାଇ ଥାନ୍ତା ।’ ସପନି କହିଲା, ‘ସେ କଥା ମୋତେ କାହିଁକି କହୁଚ, କକେଇ ! ଏଇ ହାତ ସବୁ ଖର୍ଚ୍ଚ କରିଛି । ସପନିକୁ ସବୁ ଜଣା । ମହନ୍ତଙ୍କ ରକ୍ଷିତା ପୁଅ ଅନାଥ ବନ୍ଧୁକୁ ନୂଆ ଗାଁ ପଞ୍ଚାୟତ ଯେପରି ହାତ କରିନେଇ ଶିକ୍ଷା ଦେଇ ରଖିଲେ ସେଥିରେ ମହନ୍ତ ସହଜରେ ମକଦ୍ଦମା କିଣି ଥାଆନ୍ତେ ! ମୁଁ ଏଥିପାଇଁ ବଡ଼ ବଡ଼ ଓକିଲ ବାରିଷ୍ଟରଙ୍କ ସହିତ ମସୁଧା କରି ମହନ୍ତଙ୍କ ପୁତୁରାକୁ ପୋଷ୍ୟପୁନ୍ତ୍ର ଚେଲା କରଇବାରେ ଯେ ଦୌଡ଼ଧାପଡ଼ ପରିଶ୍ରମ କରିଛି ମହନ୍ତ କଣ ତାହା ଭୁଲି ପାରିବେ । ଅବଶ୍ୟ ମହନ୍ତେ ଯେ:ମୋ ପାରିଶ୍ରମିକ ନ ଦେଇଛନ୍ତି ତାହା ମୁଁ କହୁନାହିଁ । ତାଙ୍କ ଜଙ୍ଗଲରୁ ଶାଳ ଗଛତକ ନ ପାଇଥିଲେ ଚାରିବଖରା ଦୋପୁରି ଘର କରିପାରି ନ ଥାନ୍ତି ।’’

 

ତିଆଡ଼ି ବଡ଼ ଚିନ୍ତାଗ୍ରସ୍ଥ ହୋଇ କହିଲେ, ଏଥକୁ କ’ଣ ପ୍ରତିକାର କରାଯିବ ଭାବିଛି ? ସପନି ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ‘ତୁମେ ନିଶ୍ଚିନ୍ତରେ ବସ କକେଇ । ମୁଁ ତାର ସବୁ ବନ୍ଦୋବସ୍ତ କରୁଛି । ତେବେ ଆମ ଭିତରେ ଯାହା କଥା ହେବ ତାହା ଯେପରି ତୁମ ଆମ ଛଡ଼ା ଆଉ କାହାରି କର୍ଣ୍ଣଗୋଚର ନ ହୁଏ । ଏପରିକି ମହନ୍ତଙ୍କୁ ବି ଜଣାଇବାକୁ ହେବ ନାହିଁ । ବଡ଼ କଠିନ କାମ । ପରିଶ୍ରମ କରିବାକୁ ହେବ । ସେ ଚାହିଁ ଉପଯୁକ୍ତ ପୁରସ୍କାର ନ ଦେଲେ ହେବ ନାହିଁ । ମୁଁ ତ କିଛି ଟଙ୍କା କଉଡ଼ି ଧାନ ଦରବ ମାଗୁନାହିଁ । ଆମେ ତ ଦାନୁଆ ବ୍ରାହ୍ମଣ, ଦାନ ନେବାର ଅଧିକାର ଅଛି । ଦୁଃଖିଶ୍ୟାମଙ୍କ ଯେଉଁ ଜମି ଆପଣଙ୍କୁ ଦାନ ମିଳିଛି ସେତକ ମୋତେ ଦାନ କରି ଦିଅନ୍ତୁ । ଏହା ଦ୍ୱାରା ଆପଣ ରକ୍ଷା ପାଇବେ ।’’ ତିଆଡ଼ିଙ୍କ ମନକୁ ସପନି କଥା ବେଶ ପସନ୍ଦ ହେଲା । ତିଆାଡ଼ିଏ ମନରେ ଭାବିଲେ ଏ ଜମି ଏକରକ ମିଶ୍ର ଘରୁ ଦାନ ଆଣି ମୋର ବଡ଼ ଅମଙ୍ଗଳ ହେଇଛି । ସେ ଅଲକ୍ଷଣୀ ଝିଅ ଦିନକପାଇଁ ଘରେ ଗୋଡ଼ଦେଲା, ମୋର ପୁଅ ଭାରିଜା ମଲେ । ମାଲି ମକଦ୍ଦମାରେ ବହୁତଗୁଡ଼ାଏ ଧନ ବିନର୍ବୟ ହେଲା । ମୋର ବା କ’ଣ ଜମି ନାହିଁ । ସେ ଦାନୁଆ ଜମି ଏକରକ ମୁଁ ଦେବାକୁ ପ୍ରସ୍ତୁତ ଅଛି । ଏ ସବୁ ଗଣ୍ଡଗୋଳ ତୁଟିଗଲେ ସେତକ ଜମି ନିଶ୍ଚୟ ତୋତେ ରେଜେଷ୍ଟ୍ରି କରିଦେଇ ଆସିବି ପୁଅ । ଏବେ ମୋ ସମ୍ପତ୍ତିରେ ଯେପରି ପାର୍ବତୀର ଦାବୀ ସାବ୍ୟସ୍ତ ନ ହେବ ତାର ବ୍ୟବସ୍ଥା ଶୀଘ୍ର କର’ । ହେଉ, ‘‘ଚିନ୍ତା ନାହିଁ’’ କହି ସପନି କକେଇଙ୍କୁ ଲମ୍ବା ଓଳଗିଟାଏ ହୋଇ ତଳକୁ ମୁହଁ ପୋତି ପୋତି ଘରକୁ ଫେରିଲେ ।

 

ଏ ଭିତରେ ପ୍ରାୟ ଆଠ ଦିନ ବିତିଗଲା । ତିଆଡ଼ି ସବୁଦିନ ଚାତକ ପରି ଚାହିଁ ବସିଛନ୍ତି ସପନି ଆସି କଣ ପରାମର୍ଶ ଦେବ । କିନ୍ତୁ ସପନି ସପ୍ତାହେ କାଳ କୁଆଡ଼େ ଅନ୍ତର୍ଦ୍ଧାନ କେହି ଜାଣି ପାରିଲେ ନାହିଁ । ନର ମାୟା ନାରାୟଣଙ୍କୁ ଅଗୋଚର ।

 

ସପନି ମିଶ୍ରେ ଯେ ସାତ ଆଠଦିନ କାଳ ଖାଲି ଚୁପ୍‌ ହୋଇ ବସିଥିଲେ ତା’ ନୁହେଁ । ସେ ଦେଖିଲାକାମ କରି ଦେଇ ଆସିଲେ । ସେ ଯାହା କଲେ ତା କେହି ଜାଣିପାରିଲେ ନାହିଁ । କେବଳ ବଗୁଲିଆ ବାରିକଠାରୁ ପଛରେ ଗାଁର ଅଳ୍ପ ଲୋକେ ଶୁଣିଲେ ଯେ ମିଶ୍ରେ ବହୁଦୂରକୁ କୁଆଡ଼େ ଚାଲି ଯାଇଥିଲେ । ମିଶ୍ରେ ଫେରି ଆସି ତିଆଡ଼ି ଏବଂ ପ୍ରେମାନନ୍ଦଙ୍କ ସଙ୍ଗେ ପରାମର୍ଶ କରି ଲାଗିଲେ । ଗାଁରେ ଚାରିଆଡ଼େ ହୁରି ହେଲା ପାର୍ବତୀକୁ ନୂଆଗାଁବାଲା ହତ୍ୟା କରିଛନ୍ତି । ସଙ୍ଗେ ସଙ୍ଗେ ଥାନାରେ ପୁଲିସକୁ ଖବର ଦିଆଗଲା । ରାତି ନ ପାହୁଣୁ ପୁଲିସ ଦାରୋଗା, ମୁନସି, ରାଇଟର ଆଉ କେତେ ଜଣ ସିପେଇ ଗାଁରେ ଆସି ହାଜର । ସକାଳୁ ପ୍ରାୟ ଦିନ ବାରଟା ପର୍ଯ୍ୟନ୍ତ ଜଗନ୍ନାଥପୁର ଓ ନୂଆ ଗାଁ ଦୁଇ ସାହିରେ କେତେ ଘର ପୁଲିସ ଖାନତଲାସ କଲେ । ନୂଆଗାଁର ଗଳି କନ୍ଦି, ସନ୍ଦେହ ହେଉଥିବା ସ୍ଥାନ, କେତେ ଜାଗାର ମାଟି ବାଲି ସବୁ ପରୀକ୍ଷା କରାଗଲା । ସପନିର ପୂର୍ବ ପ୍ରସ୍ତୁତିମତେ ସେ କେତେଜଣ କନେଷ୍ଟବଳଙ୍କୁ ଚତରା ପୋଖରୀଆଡ଼କୁ ଡକାଇ ନେଇ ସେଠାରେ କେତେ ଖଣ୍ଡ ଦଉଡ଼ି ଓ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବା ଭଙ୍ଗା ପଥର ଦେଖାଇ ଦେଲେ । ପୋଲିସ ସନ୍ଦେହ କରି ସେତକ ସଂଗ୍ରହ କଲେ ଏବଂ କ’ଣ ସବୁ ନକ୍‌ସା କରିନେଲେ । ତାପରେ ସପନିଙ୍କ ଇଙ୍ଗିତରେ ରାଇଟର ବାବୁ ନୂଆ ଗାଁ ରଘବାନନ୍ଦଙ୍କ ଚଉପାଢ଼ୀକୁ ଲାଗି ବୁଦିବୁଦିଆ ଜଙ୍ଗଲରେ ବୁଲୁ ବୁଲୁ ଧଳା ଶାଢ଼ି ରକ୍ତରେ ଛାପି ଛାପି ହୋଇ ପଡ଼ିଥିବାର ଦେଖିଲେ । ସେଟାକୁ ପୁଲିସ ବଡ଼ ଯତ୍ନ ଓ ଆଗ୍ରହ ସହ ଘେନି ଗଲେ । ଯେପରି ମନେ ହେଲା ମର୍ଡ଼ର କେଶଟାର ସନ୍ଧାନ ମିଳିଗଲା । ଗାଁରେ ଚହଳ ପଡ଼ିଗଲା । ପୋଲିସ ଅଫିସର ତିଆଡ଼ିକୁ ପଚାରିଲେ ‘ତୁମର କାହା ଉପରେ ସନ୍ଦେହ ହେଉଛି ?’ ତିଆଡ଼ୀଏ ବା କଣ କହିଥାନ୍ତେ । ‘ଯାହା ଶିଖାଇଛି ଜଟାଧାରୀ,ରେ ବରାଙ୍ଗି ।’ ସପନି ମିଶ୍ରେ ଯାହା ଯାହା ବତାଇଥିଲେ ତିଆଡ଼ିଏ ଥରି ଥରି ପୋଲିସର ପ୍ରଶ୍ନର ଉତ୍ତର ଦେଲେ । ‘ଆଜ୍ଞା ମୋର ପୂରା ସନ୍ଦେହ ନୂଆ ଗାଁ ରାଘବାନନ୍ଦ, ସୁଲୋଚନ ଏବଂ ଘନରଥଙ୍କ ଉପରେ । ଏମାନେ ବରାବର ମୋ ବିପକ୍ଷରେ ଲାଗିଛନ୍ତି । ଆଜ୍ଞା, ଏମାନଙ୍କର ଚିରତ୍ର ମଧ୍ୟ ଭଲ ନୁହେଁ । ବଡ଼ ମଠରେ ଯେଉଁ ଜନାକାରୀ କେସ୍‍ ହୋଇଥିଲା ଏମାନେ ସେଥିରେ ଥିଲେ ବୋଲି ଲୋକଙ୍କର ବିଶ୍ୱାସ । ଆଜ୍ଞା ଆପଣ ଏ ବଦମାସିଆ ଲୋକଙ୍କୁ ଉଚିତ ଦଣ୍ଡ ଦିଅନ୍ତୁ । ମୋର ବିଧବା ବୋହୂ ପାର୍ବତୀକୁ ଏମାନେ ମାରି ପକାଇଥିବା ମୋର ସମ୍ପୂର୍ଣ୍ଣ ବିଶ୍ୱାସ ହେଉଛି ଆଜ୍ଞା’ ।

 

ବେଳେ ବେଳେ ପୋଲିସ ଇନ୍‌କ୍ୱରୀରେ ପ୍ରକୃତ ଘଟଣାଜଣା ପଡ଼େ ନାହିଁ । ଅବଶ୍ୟ ପୋଲିସ ଭୟ ଦେଖାଇ ଚୋରୀ, ଡକାୟତ ଏବଂ ହତ୍ୟା ମୋକଦ୍ଦମାର କେବେ ସନ୍ଧାନ ପାଇପାରନ୍ତି, ହେଲେ ମର୍ଡ଼ର କେସ୍‍ ପ୍ରମାଣ କରାଇବା ପୋଲିସ ପକ୍ଷରେ ବଡ଼ ଦୁରୂହ ବ୍ୟାପାର କାଠିକର ପାଠ ।

 

ଯାହାହେଉ ପୋଲିସ ସନ୍ଦେହରେ ରାଘବାନନ୍ଦ ବଳିୟାର ସିଂହ, ସୁଲୋଚନ ବିଧାର ପଟ୍ଟନାୟକ, ଘନଶ୍ୟାମ ରଥ ଏବଂ କାଶୀ ମହାନ୍ତି ଓଗେରଙ୍କୁ ସଙ୍ଗେ ସଙ୍ଗେ ହାତକଡ଼ି ପକାଇ ନେଇଗଲେ । ପୁଣି ଶାସନ ଓ ନୂଆଗାଁର ଆଉ କେତେ ଜଣଙ୍କୁ ସନ୍ଦେହରେ ନେଇ ପୁଲିସ ଥାନାରୁ କଣ ବିଚାରି ଛାଡ଼ିଦେଲେ । କେଉଁ କାରଣରୁ ଛାଡ଼ିଦେଲେ ତାହା ସଠିକ ଭାବରେ କହିହେବ ନାହିଁ-। ତେବେ ଲୋକଙ୍କ ଫୁସୁରୁ ଫାସରରୁ ଜଣା ପଡ଼ିଲା ଯେ ଗାଁ ଚୌକିଦାର ଜଗବନ୍ଧୁ ମଳିକ ସପନି ମିଶ୍ରଙ୍କ ସହ କଥାବାର୍ତ୍ତା ହୋଇ ଦାରୋଗା ଏବଂ ମୁନିସି ବାବୁଙ୍କ ପାଖରୁ ଯାଉଥାଏ ଆସୁଥାଏ ।

 

ସାରା ଗାଁରେ ଚହଳ ପଡ଼ିଗଲା । ସମସ୍ତଙ୍କ ମୁହଁରେ ଦୁଃଖର ଛାୟା । ଯୋଡ଼ିଏ କଥା । ପାର୍ବତୀ ଗଲା କୁଆଡ଼େ, ଯଦି ତାକୁ ପ୍ରକୃତରେ ହତ୍ୟା କରାଯାଇଛି ତେବେ ତା’ର ଲାସ୍‍ ମିଳୁନାହିଁ କାହିଁକି ? ଏହା ଭିତରେ କି ଗୂଢ଼ ରହସ୍ୟ ଅଛି କେହି ଠିକ୍‌ କରି ପାରିଲେ ନାହିଁ । ସପନିକୁ ବା ଅବିଶ୍ୱାସ କରନ୍ତେ । ସେ ତ ଗାଁରେ ଆଠଦିନ ହେବ ନ ଥିଲା ପୁଣି ସେ ତ ଏକେ ତିଆଡ଼ିଙ୍କ ସଙ୍ଗେ ଆଗୁଆ ହୋଇ ପାର୍ବତୀ ହତ୍ୟାର ଅଭିଯୋଗ କରିବାକୁ ବାହାରି ପଡ଼ିଛି । ତାକୁ ସନ୍ଦେହ କରିବ ବା କିଏ ? ନୂଆ ଗାଁ ଏପରି କି ଜଗନ୍ନାଥପୁର ଶାସନର ପିଲା ମାଇପେ ମଧ୍ୟ ଆଦୌ ବିଶ୍ୱାସ କରିପାରୁ ନାହାନ୍ତି ଯେ ରାଘବାନନ୍ଦ, ସୁଲୋଚନ ଏବଂ ଘନ ରଥଙ୍କ ପରି ସଚୋଟ, ସ୍ପଷ୍ଟବାଦୀ, ନିର୍ଭୀକ ମାମଲତକାରମାନେ ଏପରି ଜଘନ୍ୟ ଅନ୍ୟାୟ ହତ୍ୟା କାର୍ଯ୍ୟ କରିପାରିଥିବେ ।

 

ଯାହାହେଉ ମର୍ଡ଼ର କେଶ ବହୁଦିନ ଧରି ଚାଲିଲା । ତଳ କୋର୍ଟରେ ମୁଦେଇ ମୁଦାଲା ପକ୍ଷରୁ ବହୁତ ସାକ୍ଷୀ ଗୁହା ନିଆଗଲା । ପୋଲିସ, ଡାକ୍ତର କେତେ ଲୋକ ବି ସାକ୍ଷ୍ୟ ଦେଲେ । ତଳ କୋର୍ଟରେ ମୁଦେଇ ପକ୍ଷରୁ ହଜାର ହଜାର ଟଙ୍କା ମୋକଦ୍ଦମା ତତ୍ପରୀ, ନାଞ୍ଚନୁଞ୍ଚା, ଓକିଲ, ମୋହରୀରମାନଙ୍କୁ ଦେବାରେ ଖର୍ଚ୍ଚ ହୋଇ ଗଲାଣି । ନୂଆ ଗାଁ ଲୋକେ ଆପଣା ଭିତରେ ଚାନ୍ଦା କରି ମୋକଦ୍ଦମା ଲଢ଼ିଲେ । ଉଭୟ ପକ୍ଷ ବହୁତ ଜେରବାର ହେଲେ । ଶେଷକୁ ଜଜ୍‍ସାହେବ ରାୟ ଦେଲେ ମୋକଦ୍ଦମା ମିଥ୍ୟା । ପାର୍ବତୀର ହତ୍ୟା ସମ୍ପୂର୍ଣ୍ଣ ସନ୍ଦେହଜନକ । ହତ୍ୟା ଅଭିଯୁକ୍ତ ଆସାମୀମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଗଲା ।

 

ଖଲାସ ହୋଇ ରାଘବାନନ୍ଦ ଓଗେର ଆରତ ତିଆଡ଼ି, ମହନ୍ତ ପ୍ରେମାନନ୍ଦ ଏବଂ ସପନି ମିଶ୍ରଙ୍କ ବିରୁଦ୍ଧରେ ମାନହାନୀ କ୍ଷତି ଖସରା ନାଲିସ୍‍ ଦାଏର କରିଦେଲେ । ମୋକଦ୍ଦମା ଦିନା କେତେ ଚାଲିଲା ।

 

ଚଉଦ

 

ସେବାଧାମର ଅନତିଦୂରରେ ଗୋଟିଏ ଛୋଟ ପାହାଡ଼ । ତା’ ଉପରେ ଗୋଟିଏ ଆଶ୍ରମ । ଆଶ୍ରମର ନାମ ସ୍ୱର୍ଣ୍ଣମୟୀ କଲ୍ୟାଣ କୁଟୀର । ଆଶ୍ରମର ସ୍ଥାପୟିତା ଏବଂ ପ୍ରଧାନ ପରିଚାଳକ ବିନିବାବା । କଲ୍ୟାଣ କୁଟୀରର ସ୍ଥାପନ ପଛରେ ଥିଲା ଏକ ରହସ୍ୟମୟ ଇତିହାସ ।

 

ସ୍ୱର୍ଣ୍ଣମୟୀଙ୍କ ନାମାନୁସାରେ କଲ୍ୟାଣ କୁଟୀର ନାମିତ । ସ୍ୱର୍ଣ୍ଣମୟୀଙ୍କ ପରିଚୟ ପାଇଁ ପାଠକ ପାଠିକାମାନଙ୍କ ମନରେ କୌତୂହଳ ଜାତ ହେବା ଅତି ସ୍ଵାଭାବିକ ।

 

ସ୍ୱର୍ଣ୍ଣମୟୀ ବା ସୁନାମଣି ଥିଲେ କଲିକତା ସହରର ଜନୈକା ଜଣାଶୁଣା ବେଶ୍ୟା । ଜୀବିକା ନିର୍ବାହ ପାଇଁ ସ୍ୱର୍ଣ୍ଣମୟୀ ଏହି ବେଶ୍ୟାବୃତ୍ତି ଆଚରଣ କରିଥିଲେ । ସୁନାମଣି କୌଣସି ବେଶ୍ୟାକୁଳରେ ଜନ୍ମଲାଭ କରି ନଥିଲେ ସତ; କିନ୍ତୁ ଘଟନା ଚକ୍ରରେ ପଡ଼ି ସମାଜର ନିଠୁର ତାଡ଼ନା ଓ କଟୁ ନିର୍ଯ୍ୟାତନା ସହ୍ୟ ନ କରି ପାରି ଦୁର୍ବୃତ୍ତମାନଙ୍କ ପ୍ରରୋଚନାରେ ପଡ଼ିଗଲେ । ଯୌବନର ପ୍ରାକ୍‌କାଳରେ ବାଳୁତବିଧବା ସୁନାମଣିର ରୂପଜୀବ । ବୃତ୍ତିରେ ଜୀବନଯାତ୍ରା ଆରବ୍‌ଧ ହେଲା । ହେଲେହେଁ ତାଙ୍କଠାରେ ଥିଲା ନାରୀସୁଲଭ ଲଜ୍ଜା, କୋମଳତା, ଦୀନ ପ୍ରପୀଡ଼ତଙ୍କ ପ୍ରତି ଦୟା ଓ ସହାନୁଭୂତି । କଲିକତାରେ ତାଙ୍କର ପ୍ରଚୁର ଅର୍ଥୋପାର୍ଜନ ହେଉଥିଲା । ଏପରି କୌଣସି ଲୋକହିତକର ଅନୁଷ୍ଠାନ ନ ଥିଲା ଯେଉଁଥିରେ କି ସେ ଅର୍ଥ ସାହାଯ୍ୟ କରୁ ନଥିଲେ । ସୁନାମଣିଙ୍କ ମୁକ୍ତହସ୍ତ ଦାନରେ ପ୍ରତିପୋଷିତ ହେଉଥିଲେ ଅନେକ ଦୁଃସ୍ଥ ଦରିଦ୍ର ଛାତ୍ର, ଅସହାୟ ନାରୀ ଓ ଶିଶୁ-। ଏସବୁ ଦାନ ଲୋକଚକ୍ଷୁରେ ପଡ଼ୁ ନଥିଲା । ବନ୍ୟା, ଦୁର୍ଭିକ୍ଷ ପାଣ୍ଠି ସଂଗ୍ରହ ଏବଂ ଅନାଥାଶ୍ରମ ପାଇଁ ସାହାଯ୍ୟ ଭିକ୍ଷା ଅବସରରେ ସୁନାମଣିଙ୍କ ପରିଚୟ ହେଲା ବିନୟଭୂଷଣଙ୍କ ସଙ୍ଗେ-। ବିନୟଭୂଷଣଙ୍କର କନ୍ଦର୍ପନିନ୍ଦୀ ଚେହେରା, ସହାସ୍ୟ ବଦନ, ବିନୟ ଭାଷଣ, ମଧୁର ସଂଳାପ, ଦୟାବିଗଳିତ ଚିତ୍ତ ସ୍ୱତଃ ଆକର୍ଷଣ କଲା ସୁନାମଣିଙ୍କ କୋମଳ ପ୍ରାଣକୁ । ଲୋକହିତକର କାର୍ଯ୍ୟାପଲକ୍ଷେ ଚାନ୍ଦା ସଂଗ୍ରହ ଅବସରରେ ଥରକୁ ପାଞ୍ଚ ଥର ପରିଚୟ ପାଇ ସୁନାମଣି ନ୍ତ୍ରସ୍ତ ଓ ସନ୍ଦିଗ୍‌ଧ ମନରେ ବିନୟ ବାବୁଙ୍କଠାରେ ପ୍ରେମଭିକ୍ଷାର କ୍ୱଚିତ୍‌ ସୂଚନା ଦେବାରେ ସାହସିନୀ ହେଲା, କିନ୍ତୁ ବିନୟବାବୁ କୌଣସି ପ୍ରଲୋଭନରେ ଭଳିବା ଲୋକ ନୁହେଁ । ଯେ ମିଲ ମାଲିକମାନଙ୍କର ପ୍ରଭୃତ ଉତ୍କୋଚ ପ୍ରଲୋଭନକୁ ପଦାଘାତ କରିଥିଲେ । ଯେଉଚ୍ଚ ଚାକିରୀ, ପଦ ପଦବୀକୁ ନିଷ୍କପଟ ହୃଦୟରେ ଉପେକ୍ଷା କରିଥିଲେ, ଯାହାଙ୍କର ହୃଦୟ ଦୀନଦୁଃଖୀଙ୍କ ଦୁଃଖ ସହ୍ୟ ନକରି ସତତ ବ୍ୟଥିତ ଏବଂ ଉଦ୍‌ବେଳିତ ହେଉଥିଲା, ଯେ ଜନକଲ୍ୟାଣ କାମନାରେ ଜୀବନ ଉତ୍ସର୍ଗ କରିବାକୁ ବହୁଦିନାବଧି ଦୃଢ଼ସଂକଳ୍ପ, ସେହି ବିନୟଭୂଷଣଙ୍କୁ ରୂପମୋହରେ ଭୁଲାଇବାକୁ ଜନୈକା ଘୃଣ୍ୟା ବାରବୀମା ସକ୍ଷମ ହେବ-ଅସମ୍ଭବ ଅସମ୍ଭବ । ଚତୁରୀ ସୁନାମଣି ନିଜର ଭ୍ରମ ବୁଝିପାରି କ୍ଷମାଭିକ୍ଷା କଲା । ଘନିଷ୍ଠତା ବୃଦ୍ଧି ହେବାକୁ ଲାଗିଲା । ଦୁହେଁ ପରସ୍ପରକୁ ଆନ୍ତରିକ ଭଲ ପାଉଥିଲେ ଏହା ଠିକ୍‌ । ସେ ଭଲ ପାଇବାରେ ନ ଥିଲା ଉତ୍କଟ କାମ ପିପାସା, କିନ୍ତୁ ଥିଲା ଆନ୍ତରିକତା, ଶୁଦ୍ଧ ପ୍ରେମ, ସ୍ନେହ ଓ ସୌହାର୍ଦ୍ଦ୍ୟ । ବିନୟ ବାବୁଙ୍କ ଆର୍ଥିକ ଦୁରବସ୍ଥା ଦେଖି ସୁନାମଣି ବହୁବାର ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚକୁ ଅର୍ଥ ସାହାଯ୍ୟ ଦେବାପାଇଁ ସ୍ୱତଃ ପ୍ରାର୍ଥନା କରିଛି କିନ୍ତୁ ସେ ସବୁ ବିନୟବାବୁ ଉପେକ୍ଷା କରିଛନ୍ତି । ପୁନଶ୍ଚ ସୁନାମଣି କେତେ ଥର ବିନୟବାବୁଙ୍କ ସହକର୍ମିଣୀ ହୋଇ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରତିଥର ବିନୟବାବୁ ଉତ୍ତର ଦେଉଥିଲେ ‘ଭଗିନି, ସେ ସମୟ ଆସି ନାହିଁ । ଆବଶ୍ୟକ ହେଲେ ମୁଁ ଆପେ ଆପେ ଆସିବି ।’

 

କିଛିଦିନ ଗଲା । ଦିନେ ଅର୍ଦ୍ଧରାତ୍ରରେ କେତେକ ଦୁର୍ବୃତ୍ତ, ମଦ୍ୟପ, ଗୁଣ୍ଡାଶ୍ରେଣୀୟ ଲୋକ ସୁନାମଣିର ଘରେ ପଶି ଏକ ଜଘନ୍ୟ ଡକାୟତ କଲେ । ଅନେକ ଆୟ ଅଳଙ୍କାର ଘେନି ପଳାଇବା ସଙ୍ଗେ ସଙ୍ଗେ ସୁନାମଣିକୁ ଏପରି ଖୁଣ୍‌ କଲେ ଯେ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଲା-। ସୁନାମଣିର ଚାକରାଣୀ ବିନୟ ବାବୁଙ୍କୁ ସମ୍ବାଦ ଦେବାରେ ସେ ଆସି ଦେଖନ୍ତି ତ ଅବସ୍ଥା ସାଙ୍ଘାତିକ । ବିନୟ ବାବୁ ଡାକ୍ତର ଡକାଇ ସୁନାମଣିର ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କଲେ ଏବଂ ପୂର୍ଣ୍ଣ ଆରୋଗ୍ୟଲାଭ ହେବା ପର୍ଯ୍ୟନ୍ତ ଜଗି ରହି ସେବା, ସାହାଯ୍ୟ କଲେ । କିନ୍ତୁ ସୁନାମଣିର ବାମ ହାତ ପାପୁଲି ଏବଂ କର୍ଣ୍ଣ କଟି ଯାଇଥିଲା । ମୁଖରେ ଖୁଣ୍‌ ହୋଇ ଅପୂର୍ବ ମୁଖମଣ୍ଡଳ ବିଶ୍ରୀ ହୋଇ ଯାଇଥିଲା । ବହୁଦିନ ଚିକତ୍ସା ଫଳରେ ସୁନାମଣି ଆରୋଗ୍ୟଲାଭ କରି ପୁନର୍ଜନ୍ମ ପାଇଲା-। ଦିନେ ସୁନାମଣି କାନ୍ଦି କାନ୍ଦି କହିଲେ, ‘ଭାଇ, ତୁମେ ମୋର ଜୀବନ ରକ୍ଷା କରିଛ । ମୁଁ ତୁମର ଋଣ ଏ ଜୀବନରେ ଶୁଝି ପାରିବି ନାହିଁ ।’ ବିନୟ ବାବୁ ସମସ୍ତ ପ୍ରକାର ସାହାଯ୍ୟ ସହାନୁଭୁତି ଦେବା ପାଇଁ ପ୍ରତିଶ୍ରୁତି ଦେଲେ ।

 

ସୁନାମଣିଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ବିନୟଭୂଷଣ ନାନା ଆନ୍ଦୋଳନ ଚଳାଇଥିବାରୁ କେତେକ ନ୍ୟସ୍ତସ୍ୱାର୍ଥ ଓ ଧନୀ ଲୋକଙ୍କର ପ୍ରରୋଚନାରେ ଯେ ଏ ଡକେଇତି ଘଟିଥିଲା ସେ ବିଷୟ ବିନୟବାବୁ ଏବଂ ସୁନାମଣି ଉଭୟେ ଉତ୍ତମରୂପେ ବୁଝିପାରି ନୀରବ ରହିଲେ । କେତେ ଦିନ କଟିଗଲା ।

 

ଯେତେବେଳେ ବିନୟ ବାବୁଙ୍କର ଦୁର୍ଦ୍ଦିନ, ଯେତେବେଳେ ତାଙ୍କୁ କଲିକତା ସହର ଚିରକାଳ ପାଇଁ ପରିତ୍ୟାଗ କରିବାକୁ ପଡ଼ିଲା ସେ ଭଗିନୀ ସୁନାମଣିଙ୍କ ଠାରୁ ବିଦାୟ ନେବାପାଇଁ ଆସି ସୁନାମଣିଙ୍କର ବସାଘରେ ଉପସ୍ଥିତ ହେଲେ; ସେତେବେଳେ ସୁନାମଣି ତାର ଦ୍ୱିତଳ ପ୍ରାସାଦ ବିକ୍ରୟକରି ଖଣ୍ଡିଏ ଛୋଟ ଘରେ ଭଡ଼ାଦେଇ ରହିଥାନ୍ତି । ବିନୟ ବାବୁ ତାଙ୍କଠାରୁ ବିଦାୟ ନେବା ସମୟରେ ସୁନାମଣି ତାଙ୍କ ଗଚ୍ଛିତ ପାଣ୍ଠି ଓ ସମସ୍ତ ସୁନା ଅଳଙ୍କାର ବାକ୍‌ସ ବିନୟ ବାବୁଙ୍କ ପାଦତଳେ ଥୋଇଦେଇ ଶରଣ ପସିଲେ ଏବଂ କାନ୍ଦି କାନ୍ଦି କହିଲେ ଭାଇ, ତୁମ ଯୋଗୁ ଏ ଅଭାଗିନୀ ବଞ୍ଚି ରହିଛି କଳଙ୍କ ପସରାକୁ ମୁଣ୍ଡରେ ବହି । ମୁଁ ବର୍ତ୍ତମାନ ଅସହାୟା, ଅସମର୍ଥା । ମୁଁ ଘୋର ଅନୁତାପ କରୁଛି । ମୋର ଲୋଡ଼ା ପ୍ରାୟଶ୍ଚିତ । ତୁମ ବ୍ୟତୀତ ମୋତେ ରକ୍ଷା କରିବାକୁ, ମୋତେ ଆଶ୍ରା ଦେବାକୁ ମୁଁ ଆଉ କାହାରିକୁ ଦେଖୁନାହିଁ । ମୁଁ ତୁମର ଆଶ୍ରାରେ ଜୀବନ କଟାଇବି । ଏ ହତଭାଗିନୀ ଭଉଣୀର ଅନୁରୋଧ, କାକୁତି ମିନତି ରକ୍ଷା ନକଲେ ଆତ୍ମହତ୍ୟା ଛଡ଼ା ତାର ଅନ୍ୟ ଉପାୟ ନାହିଁ ।’’

 

ବିନିଦା ଓ ସ୍ୱର୍ଣ୍ଣମୟୀ କଲିକତା ନଗରୀରୁ ଚିରକାଳ ପାଇଁ ବିଦାୟ ନେଇ ରେଙ୍ଗୁନ ଯାତ୍ରା କଲେ ।

 

କ୍ଷୁଦ୍ର ପାହାଡ଼ ଉପରେ ଯେଉଁ ଆଶ୍ରମ ଗଢ଼ି ଉଠିଛି ତା ସ୍ୱର୍ଣ୍ଣମୟୀଙ୍କ ସଂଚିତ ଧନ ଓ ବିନିଦାଙ୍କ ଯୋଜନାରେ । ଭଗିନୀର ନାମାନୁସାରେ ଆଶ୍ରମ କରାଯାଇ ଦୀନଦୁଖୀ, ରୁଗ୍‌ଣ; ଅସହାୟ, ଅପହୃତା ବାଳିକା ଅନାଥମାନଙ୍କର କଲ୍ୟାଣ ପଥରେ କ୍ରମଗତି କରି ଚାଲିଛି ସେହି କଲ୍ୟାଣ କୁଟୀର । ଜନସେବା, ରୋଗୀ ସେବା ରୂପକ ଅମୀୟ କରୁଣା ଧାରା ଛୁଟିଛି କଲ୍ୟାଣ କୁଟୀରର ନିଭୃତ ଉତ୍ସରୁ । ସେବାଧାମର ଅନାଥାଶ୍ରମ, କଲ୍ୟାଣକୁଟୀର ସଂଲଗ୍ନ ଦାତବ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ କେତେ ଛୋଟ ବଡ଼ ଅନୁଷ୍ଠାନ ପରିଚାଳିତ ହୁଏ ତିନୋଟି ବ୍ୟକ୍ତିଙ୍କ ଦ୍ୱାରା । ସେମାନେ ହେଉଛନ୍ତି ବିନିବାବା, ଭଗ୍ନୀ ସ୍ୱର୍ଣ୍ଣମୟୀ, ସେବିକା ଉମାଦେବୀ । ସେମାନଙ୍କ ଅଧୀନରେ ଜଣ କେତେକ ଡାକ୍ତର, ନର୍ସ, କମ୍ପାଉଣ୍ଡର ମଧ୍ୟ ସ୍ୱଳ୍ପ ବେତନରେ କାର୍ଯ୍ୟ କରନ୍ତି । ଏ ତିନିଜଣଙ୍କ ବ୍ୟତୀତ ସେବାଧାମ ନିବାସୀ ଆଉ ଚାରିଜଣ ବ୍ୟକ୍ତିଙ୍କୁ ନେଇ କଲ୍ୟାଣ କୁଟୀର ପରାମର୍ଶ ଦାତା କମିଟି ଗଠନ କରାଯାଇଛି । ସେମାନେ ହେଉଛନ୍ତି ମଉଜବେଗ, ଟି. ସାନ୍ନାୟା, ଜୋନାଥନ ମିଶ୍ର ଓ ବିଦିଆ ଭୋଇ । ପ୍ରତି ମାସରେ ଥରେ କମିଟିର ସାଧାରଣ ବୈଠକ ବସି ସେବାଧାମର ନାନାବିଧ ଅନୁଷ୍ଠାନର ଉନ୍ନତି ପରିଚାଳନା ବିଷୟରେ ଆଲୋଚନା ଚାଲେ । ସକଳ ଅନୁଷ୍ଠାନମାନ ନ୍ତ୍ରମୋନ୍ନତ ପଥରେ ଗତିକରି ଚାଲିଥାଏ ।

 

ପନ୍ଦର

 

ପୃଥିବୀ ବ୍ୟାପୀ ଦ୍ୱିତୀୟ ମହାସମରର ତାଣ୍ଡବ ଲୀଳା ଚାଲିଲା । ସାରା ପୃଥିବୀରେ ଅଶାନ୍ତି । ନାଜୀ ଜର୍ମାନୀର ଏକଛତ୍ର ଶାସକ ହିଟଲରର ଅତ୍ୟାଚାରରେ ସାରା ପୃଥିବୀ ଥରହର ହୋଇ କମ୍ପି ଉଠୁଛି । ପାଶ୍ଚାତ୍ୟ ଜଗତରେ ସଭ୍ୟ ବୋଲାଉଥିବା ଜର୍ମାନ ଜାତି ହିଟଲରର ନେତୃତ୍ୱରେ ବର୍ବରତାର ଶେଷ ସୀମାଲଙ୍ଘନ କରି ନିର୍ମମ ଭାବରେ ସଗର୍ବରେ ଧ୍ୱଂସ ପତାକା ଉଡ଼ାଇ ଚାଲିଛି ପ୍ରଳୟଙ୍କରୀ ଯୁଦ୍ଧର ବିଭୀଷିକା ସୃଷ୍ଟି କରି । ନାଜୀର ଅଶ୍ରୁତପୂର୍ବ, ଅଦୃଷ୍ଟପୂର୍ବ ଅତ୍ୟାଚାରର ସୀମା କେଉଁଠି ତାହା ସ୍ଥିର କରି ହେଉନାହିଁ । ଓଧ୍ରର ଉପ୍ରୋଧରେ ମାର୍ଜାର ପୁନ୍ତ୍ର ଅର୍ଥାତ୍‌ ଭୂଆ ବିଲେଇ ଦୁଗ୍‌ଧ ପୋଷ୍ୟ ଜାପାନ ଜର୍ମାନ ସଙ୍ଗେ କାନ୍ଧକୁ କାନ୍ଧ ଲଗେଇ ଲଢ଼େଇରେ ଯୋଗ ଦେଇଛି । ପ୍ରବଳ ପରାକ୍ରମ ଶକ୍ତି ରୁଷ ତାର ରକ୍ତ ବାହିନୀ ସାଜି ସତ୍ୟ ଶାନ୍ତି ସାମ୍ୟ, ମନ୍ତ୍ରରେ ଦୀକ୍ଷିତ ହୋଇ ସମର ପ୍ରାଙ୍ଗଣରେ ତାର ଶକ୍ତି ପରୀକ୍ଷା କରୁଛି । ମୃତ୍ୟୁ ବିଭୀଷିକା ହେଉଛି ନାଜୀ ନୀତିର ଶାସ୍ତି ବିଧାନ । ନଗରେ ନଗରେ ନୃଶଂସ ଅଗ୍ନିଶିଖା ଜଳି ଉଠୁଛି । କେଉଁଠି ବା ଶାନ୍ତ, ସରଳ ଶିକ୍ଷକ, କାହିଁ ବା ତରୁଣ ଯୁବକ ଯୂପ କାଷ୍ଠରେ ଝୁଲାଇ ଦିଆଯାଉଛି । କେଉଁଠାରେ ନଗ୍ନ କୃଷକର ଜୀବନ୍ତ ସମାଧି ରଚନା କରିବାରେ ନାରୀ ସୈନ୍ୟ ବ୍ୟସ୍ତ । କେଉଁଠି ବା ରମଣୀର ଶିଶୁ ସନ୍ତାନକୁ ବଳାତ୍କାରେ ତାର କୋଳରୁ ଟାଣି ଆଣି ତାର ଆଖି ଆଗରେ ଜ୍ଵଳନ୍ତ ଅଗ୍ନିରେ ଦୁଗ୍‌ଧ କରି ଦିଆଯାଉଛି, ଜନନୀର କରୁଣ ଆପତ୍ତି କ୍ରନ୍ଦନର ଉତ୍ତର ଦିଆଯାଉଛି ଗୁଳି ଗୁଳାରେ । ସହସ୍ର ସହସ୍ର ତରୁଣ ତରୁଣୀ, ବୃଦ୍ଧ ବାଳକ ଗହନ କାନନ ପ୍ରାନ୍ତରରେ ହାହାକାରରେ ଶୀତରେ ପ୍ରାଣ ହରାଉଛନ୍ତି । କେତେ ଜନକ ଜନନୀଙ୍କ ଚକ୍ଷୁ ସମ୍ମୁଖରେ ନିରୀହ ସନ୍ତାନକୁ ବେତ୍ରା ଘାତରେ ଶମନ ମନ୍ଦିରକୁ ପଠାଇ ଦିଆଯାଉଛି । କେହି ବା ଆମରଣ ବନ୍ଧନରେ ବନ୍ଦୀଶାଳାର ଘନ ତିମିରରେ ଜୀବନ୍ନୃତ ଅବସ୍ଥାରେ ପଡ଼ି ରହିଛି । ସ୍ଥାନେ ସ୍ଥାନେ ବ୍ୟାପକ ହତ୍ୟାକାଣ୍ଡ ସଜାଇବାରେ ନାଜୀ ବ୍ୟସ୍ତ-

 

ସ୍ଵାଧୀନ ରୁଷର ପୁରପଲ୍ଲୀର ନାଗରିକ ଲଣ୍ଡଭଣ୍ଡ ହେଉଅଛନ୍ତି । କେତେ ଯୁବତୀ ଲଜ୍ଜା ଅପମାନରେ ଆତ୍ମହତ୍ୟା ବରଣ କରୁଅଛନ୍ତି । ନାଜୀ ନେତା ଅତ୍ୟାଚାରର ପ୍ରବଳ ବାତ୍ୟା ବୁହାଇ ଦେଉଛି । ହତ୍ୟାର ସାଥୀ ହୋଇ ଠିଆ ହୋଇଛି ଲୁଣ୍ଠନ, ଅଗ୍ନିକାଣ୍ଡ, ମୃତ୍ୟୁ ଆଦେଶ । ସେ କରୁଣ ଚିତ୍ର ଅଙ୍କନ କରିବାକୁ ଲେଖନୀ ଅଚଳ ହୋଇପଡ଼ୁଛି । ଏ ଚକ୍ରଶକ୍ତିଙ୍କ ବିରୁଦ୍ଧରେ ମିତ୍ର ଶକ୍ତି ଇଂଲଣ୍ଡ, ଫ୍ରାନ୍‌ସ, ଆମେରିକା ରୁଷର ସାହାଯ୍ୟ କରୁଅଛନ୍ତି ।

 

ସିଙ୍ଗାପୁର ବନ୍ଦରରେ ଥିବା ବ୍ରିଟିଶର ଦୁଇଟି ସୁବୃହତ୍‌ ଏବଂ ସୁଦୃଢ଼ ଯୁଦ୍ଧ ଜାହାଜ (ସେଣ୍ଟ ଜର୍ଜ ଓ ପ୍ରିନ୍‌ସ ଅଫ୍‌ ଉଏଲସ୍‌) ଜାପାନୀ ବମ୍ବରମାନଙ୍କ ଦ୍ୱାରା ଧ୍ୱଂସପ୍ରାପ୍ତ ହୋଇ ଜଳମଗ୍ନ-। ଏତଦ୍ଦ୍ମାରା ବ୍ରିଟିଶ ଯୁଦ୍ଧ ଜାହାଜର ଯେ ଅପୂରଣୀୟ କ୍ଷତି ହୋଇଗଲା ସେଥିରେ ସାର ବ୍ରିଟିଶ ଜାତି ବ୍ୟଥିତ ।

 

ରେଙ୍ଗୁନ ସହର, ବ୍ରହ୍ମଦେଶ ଉପରେ କେତେ ଥର ବୋମା ବର୍ଷଣ ହୋଇଗଲାଣି । ଜାପାନର ହୀରୋସୀମା ଓ ନାଗାସାକି ଦ୍ୱୀପ ଉପରେ ଆମେରିକା ପରମାଣୁ ବୋମା ନିକ୍ଷେପ ଦ୍ୱାରା ପ୍ରଳୟକଂରୀ ପୃଥିବୀବ୍ୟାପୀ ମହାସମରର ଅବସାନ ହେଲା । ତାର ଅବ୍ୟବହିତ ପୂର୍ବରୁ ସିଙ୍ଗାପୁର, ରେଙ୍ଗୁନ, ବ୍ରହ୍ମଦେଶରେ ରହିଥିବା ଅସଂଖ୍ୟ ଭାରତୀୟ, ଚା ବଗିଚା ଶ୍ରମିକ, ଭାରତୀୟ କୃଷକ, ବଣିକ, ସ୍ୱେଚ୍ଛାସେବକ ବାହିନୀ, ରେଡ଼କ୍ରସ ଅନୁଷ୍ଠାନ, ଡାକ୍ତର, କମ୍ପାଉଣ୍ଡର ସମସ୍ତେ ପ୍ରାଣଘେନି ପଳାଇ ଆସୁଛନ୍ତି ନିଜ ଦେଶ ଅଭିମୁଖେ । ସେମାନେ ନିଜ ଅର୍ଜିତ ଧନ, ସମ୍ପତ୍ତି, ବିଲବାଡ଼ି, କାର୍ଯ୍ୟ ଚଳନ୍ତି ଅଚଳନ୍ତି ସମ୍ପତ୍ତି ଘର, କୋଠାବାଡ଼ି ସବୁର ମାୟା ମମତା ଛାଡ଼ି କେବଳ ପ୍ରାଣରକ୍ଷା ପାଇଁ ପଳାଇ ଆସିବାରେ ଲାଗିଛନ୍ତି । ଦିନ ନାହିଁ ରାତି ନାହିଁ, ବ୍ୟାଘ, ଭଲ୍ଲୁକ, ଗଣ୍ଡାର, ଶ୍ୱେତହସ୍ତୀ ସଂଙ୍କୁଳ ଅରଣ୍ୟାନୀ ଓ ଗିରିପଥ ଦେଇ ଜନସ୍ରୋତ ଚାଲିଛି ଭାରତ ଅଭିମୁଖେ । କିଏ କେତେ ବାଟରେ ମରି ଶୋଉଛନ୍ତି କିଏ ବା ବନ୍ୟଜନ୍ତୁଙ୍କର ଆହାରରେ ପରିଣତ ହେଉଛନ୍ତି ତାର ହିସାବ ରଖୁଛି କିଏ ?

 

ସେବାଧାମରେ ଭାରି ଭିଡ଼ । ଭୀତତ୍ରସ୍ତ ପଳାତକମାନଙ୍କ ଦ୍ୱାରା ସେବାଧାମ ଭରପୂର ହୋଇଯାଉଛି । ସେବାଧାମରେ ଥିବା ବିଭିନ୍ନ ଅନୁଷ୍ଠାନର କାମ ଏତେ ବଢ଼ିଯାଇଛି ଯେ ସମ୍ଭାଳିବା ମୁସ୍କିଲ ବ୍ୟାପାର ହୋଇଛି । ରେଡ଼କ୍ରସ ବିଭାଗରୁ ପ୍ରେରିତ କେତେକ ଆଘାତପ୍ରାପ୍ତ ସାଧାରଣ ନାଗରିକ ଓ କର୍ମଚାରୀ ଏଠାରେ ଚିକିତ୍ସିତ ହେଉଅଛନ୍ତି । କଲ୍ୟାଣ କୁଟୀରର ମୁଖ୍ୟ ବିନିବାବା ସେବିକା ଉମା ଓ ସ୍ୱର୍ଣ୍ଣମୟୀଙ୍କୁ ନିଶ୍ୱାସ ମାରିବାକୁ ଫୁରୁସେତ ମିଳୁନାହିଁ ।

 

ତେଣେ ସେବାଧାମର ଅନ୍ୟତମ କର୍ମୀ ମଉଜବେଗ ଅନାଥାଶ୍ରମର ପରିଚାଳନା ଦାୟିତ୍ୱ ଓ ତତ୍ୱ ନେଉ ନେଉ ରାତି ଅଧ ହୋଇଯାଉଛି । ଏ ମଧ୍ୟରେ ସେ ଗୁଇନ୍ଦା ଖବର ପାଇ କେତେକ ନିରୀହ ଅସହାୟ ବାଳକ ବାଳିକା ଉଦ୍ଧାର କାର୍ଯ୍ୟରେ ଦୌଡ଼ା ଦୌଡ଼ି କରି ଫେରୁଛି । ଅନାଥାଶ୍ରମରେ ନୂତନ ଭର୍ତ୍ତି ହୋଇଥିବା ଛୋଟ ବଡ଼ ପାଞ୍ଚୋଟି ବାଳିକା ଓ ତିନୋଟି ବାଳକଙ୍କର ନୂତନ ବ୍ୟବସ୍ଥା କରିବାରେ ମଉଜବେଗ ବ୍ୟତିବ୍ୟସ୍ତ ହୋଇ ପଡ଼ିଲାଣି । କାରଣ ଅନାଥ ଅନାଥିନୀମାନଙ୍କର ଏତେ ଭିଡ଼ ହୋଇପଡ଼ିଛି ଯେ ସ୍ଥାନାଭାବ ତଥା ଅର୍ଥାଭାବରୁ ସେମାନଙ୍କୁ ଚଳାଇବା ବଡ଼ କାଠିକର ପାଠ ହେଲାଣି । ମଉଜବେଗ କେବଳ ତାର ହାତ ତିଆରି ବଗିଚା ଖଣ୍ଡିକ ବ୍ୟତୀତ ଆବାଦି କରିଥିବା ଜମିତକ ସ୍ଥାନୀୟ ଲୋକଙ୍କୁ ବିକ୍ରି କରିଦେଇ ବିକ୍ରୟ ଲବ୍‌ଧ ଧନ ସବୁ ସେଇ ଅନାଥାଶ୍ରମରେ ବ୍ୟୟ କରିବାରେ ଲାଗିଛି ଅକୁଣ୍ଠିତ ଚିତ୍ତରେ ।

 

ମହାସମର ଫଳରେ ସବୁ ଜିନିଷର ଦରଦାମ ହୁ ହୁ ବଢ଼ି ଚାଲିଛି । ଖାଦ୍ୟଦ୍ରବ୍ୟର ଏତେ ଦୁର୍ମୂଲ୍ୟ ହେଲାଣି ଯେ ଆଉ ବ୍ରହ୍ମ ଦେଶରେ ରହି ଚଳିବା ବଡ଼ କଠିନ ହୋଇ ପଡ଼ିଲାଣି । ଲୋକେ କେବଳ ମନର ଜୋରରେ ଏବଂ କର୍ତ୍ତବ୍ୟର ନିଠୁର ନିୟମମାନି ନିଜ ନିଜ କାର୍ଯ୍ୟରେ ଲାଗି ରହିଛନ୍ତି ।

 

ଷୋହଳ

 

ମୁଖ୍ୟ ସେବିକା ଶ୍ରୀମତୀ ଉମା ଦେଈ ଭୋର ଚାରିଟାରୁ ଉଠି ରୋଗୀ ସେବାରେ ଲାଗି ପଡ଼ିଲେ । ପ୍ରତି ରୋଗୀର ବେଡ଼କୁ ଯାଇ ତନ୍ନ ତନ୍ନ କରି ଦେଖି ଅନ୍ୟାନ୍ୟ ସେବିକାମାନଙ୍କୁ ‘ଏହା ହୋଇ ନାହିଁ, ତା ହୋଇନାହିଁ, ଇୟାକର, ତାକର ଏପରି ନାନାପ୍ରକାର ଉପଦେଶ ଦେଇ ବସାକୁ ଫେରିଲାବେଳକୁ ପ୍ରାୟ ଦିନ ଗୋଟାଏ । ତା’ପରେ ଯାହି ତାହି ଗଣ୍ଡାଏ ଖାଇଦେଇ ପୋଷାକ ପତ୍ର ପିନ୍ଧି ପୁଣି ଧାତ୍ରୀ ତାଲିମ କେନ୍ଦ୍ରରେ ଉପସ୍ଥିତ । ସେଠାରେ ଅପରାହ୍‌ଣ ଦୁଇଘଣ୍ଟାରୁ ଚାରିଘଣ୍ଟା ପର୍ଯ୍ୟନ୍ତ ଶ୍ରେଣୀ ପରିଚାଳନା, ଶିକ୍ଷାଦାନ କାର୍ଯ୍ୟ ଶେଷ କରି ପୁଣି ରୋଗୀଙ୍କ ତତ୍ୱ ନେବାକୁ ବାହାରି ପଡ଼ନ୍ତି ।

 

ଆଜି ରବିବାର । ନର୍ସ କ୍ଲାସ ବନ୍ଦ ଥିବାରୁ ଟିକିଏ ସମୟ ମିଳିଛି । ତେଣୁ ସେ ଜନାନା ମର୍ଦ୍ଦନା ଓ୍ୟାର୍ଡ଼ର କାମ ସାରି ଓ୍ୟାଡ଼ରେ ପହଞ୍ଚିଲାବେଳକୁ ପ୍ରାୟ ସନ୍ଧ୍ୟା ପାଞ୍ଚଟା । ସେ ଦିନ ସେ ଗୋଟିଏ ରୋଗୀ ବେଡ଼ ପାଖରେ ବହୁତ ସମୟ ବସିଗଲେ କାରଣ ସେଦିନ ତ କ୍ଲାସ୍‍ ନ ଥିଲା । ପରନ୍ତୁ ରୋଗୀର ଅନୁରୋଧ ଏଡ଼ି ପାରିଲେ ନାହିଁ । ବହୁତ ସମୟ କଥାବାର୍ତ୍ତ ପରେ ଉମାଦେବୀ ଯାଇ ନିଜ କାମରେ ବ୍ୟସ୍ତ ରହିଲେ । ତହିଁ ଆରଦିନ ପୁଣି ଉମା ଯାଇଁ ଯଥା ସମୟରେ ସେହି ବେଡ଼ ପାଖରେ ପହଞ୍ଚିଲେ ।

 

ସେବିକା—ଡାକ୍ତର ଦାସ, ଆପଣ ଆଜି କିପରି ବୋଧ କରୁଛନ୍ତି ?

 

ଡାକ୍ତର—କାଲି ଅପେକ୍ଷା ଆଜି ଟିକିଏ ଭଲ ଲାଗୁଛି । କ୍ଷତ ସ୍ଥାନ ଯେପରି କନ୍‌କନ୍‌ ମାରି ଦେଉଥିଲା ତାହା ଆଜି ନାହିଁ । କିନ୍ତୁ ମୁଣ୍ଡବ୍ୟଥା ଓ ଭ୍ରମ ଟିକିଏ ବଢ଼ିଛି ।

 

ସେବିକା—ମୁଣ୍ଡବ୍ୟଥା ପାଇଁ ତ ଔଷଧ ଦେଇ ଯାଇଥିଲି । ଆପଣ ବୋଧହୁଏ ମନ ମଧ୍ୟରେ ନାନାକଥା ଚିନ୍ତା କରୁଥିବାରୁ ଏପରି ଘଟିଛି ।

 

ଡାକ୍ତର—ତା’ ପରେ ଅନ୍ୟାନ୍ୟ ସାଙ୍ଘାତିକ ରୋଗୀମାନଙ୍କର ଚିତ୍କାର କରୁଣ ଧ୍ୱନିରେ ମୋର ମଧ୍ୟ କାଲି ଭଲ ନିଦ ହେଲା ନାହିଁ ।

 

ସେବିକା—ଓଃ, ମୁଁ ଜାଣୁଛି, ଆପଣଙ୍କର ଶିର ବ୍ୟଥାର ପ୍ରଧାନ କାରଣ ହେଲା ଅନିଦ୍ରା-। ହେଉ ମୁଁ ବାବାଙ୍କୁ ଏବଂ ସୁପରିଟେଣ୍ଡେଣ୍ଟଙ୍କୁ ଅନୁରୋଧ କରି ଆପଣଙ୍କ ପାଇଁ ଗୋଟାଏ ସ୍ୱତନ୍ତ୍ର କ୍ୟାବିନର ବ୍ୟବସ୍ଥା କରିଦେବି । ଏହି ନିକଟରେ ଗୋଟିଏ କ୍ୟାବିନରୁ ରୋଗୀକୁ ଡିସ୍‌ଚାର୍ଜ କରିଦିଆଯିବ ଯେ ହେତୁ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲାଣି ।

 

ଡାକ୍ତର—କ୍ଷତଗୁଡ଼ିକ ନ ଶୁଖିବାଯାଏ ମୁଁ ତ ଉଠି ବସି ପାରିବାର ସମ୍ଭବ ହେଉ ନାହିଁ ।

 

ସେବିକା—ସମୟ ତ ଲାଗିବ । ହେଉ ତେବେ ମୁଁ ଯାଉଛି ।

 

(ଗମନୋଦ୍ୟତା)

 

ଡାକ୍ତର—ସେବିକା, ତୁମେ ଯାଉଛ । ଟିକିଏ ଶୁଣ । ପୁଣି କେତେ ବେଳକୁ ଆସିବ ?

 

ସେବିକା—ସମୟ ହେଲେ ଆସିବି । ମୁଁ ଠିକ୍‌ କରି କହିବି କିପରି ? ଡିଉଟି ଶେଷ କରି ସମୟ ପାଇଲେ ଆସିବି, ଆସିବି ନିଶ୍ଚୟ । ସେବିକା ଚାଲିଗଲା ତାର ଡିଉଟିରେ । ଡାକ୍ତର ଦାଶଙ୍କ ମନ କାହିଁକି କେଜାଣି ବଡ଼ ଚଞ୍ଚଳ ହୋଇଉଠିଲା । ସେବିକାର ବ୍ୟବହାରରେ ସେ ଏପରି ମୁଗ୍‌ଧ ଯେ ତାକୁ ଦେଖିଲେ ଯେପରି ତାଙ୍କର ସକଳ ରୋଗ ଯନ୍ତ୍ରଣା କିଞ୍ଚିତ ଲାଘବ ହେଉଛି ବୋଲି ମନେ ହେଲା । ଡିଉଟିରେ ଥିବା କେତେ ସେବିକା ଘଣ୍ଟାକୁ ଘଣ୍ଟା ତାଙ୍କ ପାଖକୁ ଆସୁଛନ୍ତି । କିଏ ନାଡ଼ି ଦେଖିଯାଉଛି, କିଏ ଥରମୋମିଟରରେ ଟେମ୍ପରେଚର ଦେଖି ରୋଗୀ ମୁଣ୍ଡପାଖରେ ଥିବା ଟେବୁଲ ଉପରେ ପଡ଼ିଥିବା ରେକର୍ଡ଼ସିଟ୍‌ରେ ରେକର୍ଡ଼ କରି ଯାଉଛି, କିଏ କ୍ଷତ ସ୍ଥାନ ଧୋଇଦେଇ ବ୍ୟାଣ୍ଡେଜ୍‌ କରି ଦେଇଯାଉଛି । ମୁଖ୍ୟା ସେବିକାଠାରୁ ରୂପରେ, ବର୍ଣ୍ଣରେ, ବୟସରେ ଢେର ଢେର ସୁନ୍ଦରୀ ବାଳିକା, କିଶୋରୀ, ଯୁବତୀମାନେ ତ ଅଛନ୍ତି କିନ୍ତୁ ସେବିକା ଉମା ପ୍ରତି ଡାକ୍ତର ଦାଶଙ୍କର ଏପରି ଆକର୍ଷଣ କାହିଁକି କିଛି ଜଣା ପଡ଼ିଲା ନାହିଁ । ତାଙ୍କର ମନେହେଲା ଯେପରି କି ସେବିକା ଉମା ତାଙ୍କର ପୂର୍ବ ପରିଚିତା ।

 

ଏ ମଧ୍ୟରେ ଉମାର ଚେଷ୍ଟାରେ ଡାକ୍ତର ଦାଶଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର କ୍ୟାବିନ ବ୍ୟବସ୍ଥା କରଯାଇ ପାରିଥିଲା । ସେଠାରେ ଆଉ କୌଣସି ରକମର ଗୋଳମାଳ ରହିଲା ନାହିଁ । ଡାକ୍ତର ଦାଶ ଆସି ଆଗରେ ସେ କ୍ୟାବିନରେ ରହିଲେ । ତାଙ୍କୁ ଭାରି ଏକୁଟିଆ ଏକୁଟିଆ ଲାଗିଲା-

 

ତହିଁ ଆରଦିନ ଖୁବ୍‌ ସକାଳ ମୁଖ୍ୟାସେବିକା ଡାକ୍ତର ଦାଶଙ୍କ କ୍ୟାବିନରେ ପହଞ୍ଚିଗଲେ-

 

ସେବିକା—ଡାକ୍ତର ଦାଶ, ଆଜି ଏଠାରେ ଆପଣ କିପରି feel (ଅନୁଭବ) କରୁଛନ୍ତି-?

 

ଡାକ୍ତର—Quite homely (ଘରପରି) ବୋଧ ହେଉଛି, ଉମାଦେବୀ ।

 

ସେବିକା—(ଡାକ୍ତରଙ୍କ ବ୍ୟାଣ୍ଡେଜ୍‌ଟା ଫିଟାଇ) ଏ ଘା’ଟା ଶୁଖିଗଲାଣି । (ଆଉ ଗୋଟିଏ ବ୍ୟାଣ୍ଡେଜ୍‌ ଫିଟାଇ) ଏଟା ଆଉ ଏକ ସପ୍ତାହ ଲାଗିବ । ଏଟା deep wound (ଗହରିଆ କ୍ଷତ) ହୋଇ ଯାଇଥିଲା ନା ! ଶୁଖିବାକୁ ଟିକିଏ ସମୟ ଲାଗିବ ।

 

ଡାକ୍ତର—ସେଟାରେ ଗୋଟାଏ splinter (ତୀକ୍ଷ୍‌ଣକାଚ ଖୁଣ୍ଟା) ପଶି ଯାଇଥିଲା ପରା ।

 

ଉମାଦେବୀ, ତୁମେ ଆଜି ଏତେ ଚଞ୍ଚଳ ଆସିଲ କିପରି ? ସବୁଦିନ ତ ଦଶଟାବେଳକୁ ଆସ ।

 

ସେବିକା—ଟିକିଏ ମୁଣ୍ଡଟା ବଥାଇଲା । ଦେହଟା କାହିଁକି ଭଲ ନ ଲାଗିବାରୁ ଆଜି ଦିନଟା କାଜୁଏଲଲିଭ୍‌ (ଛୁଟି) ନେଇଛି ।

 

ଡାକ୍ତର—ଛୁଟି ନେଇ ତ ବିଶ୍ରାମ କରିବାର କଥା । ପୁଣି ଡିଉଟିରେ ଏଠାକୁ ଆସିଲ କାହିଁକି ?

 

ସେବିକା—ନା, ଅନ୍ୟ ନର୍ସ ମୋ ଡିଉଟିରେ ରହିଛନ୍ତି । ସେ ମଧ୍ୟ ଠିକ୍‌, ସମୟରେ ଆସି ସବୁ ବ୍ୟବସ୍ଥା କରିଦେବେ । ତେବେ ମୁଁ ଟିକିଏ ଘରୋଇ ଭାବରେ ଦେଖିବାକୁ ଆସିଥିଲି ଚାଲି ତେବେ ଯାଉଛି ।

 

ଡାକ୍ତର—ନା, ନା, ଉମାଦେବୀ, Kindly excuse me (ଦୟାକରି ମୋତେ କ୍ଷମା କର) ତୁମେ ଏଠାରେ ବେଶୀ ସମୟ ରହିବା ଦ୍ୱାରା ମୋତେ ବେଶ୍‌ ଆରାମ ବୋଧ ହେଉଛି-। ତୁମେ ଏତେ ଶୀଘ୍ର ଯାଅ ନାହିଁ ‘ଉମାଦେଈ’ ।

 

ସେବିକା—ସେଥିପାଇଁ ତ ଆସିଛି । ଟିକିଏ ରହି ଯିବି ।

 

ଡାକ୍ତର—ଉମାଦେବୀ, ତୁମେ ଟିକିଏ ବସିଲେ ମୁଁ କେତେ କଥାବାର୍ତ୍ତା କରନ୍ତି ।

 

ସେବିକା—ରୋଗୀ ଟିକିଏ ଭଲ ଅବସ୍ଥାକୁ ଆସିଲେ ତାଙ୍କ ସଙ୍ଗେ ବସି କଥାବାର୍ତ୍ତ, ଖୁସିଗପ କଲେ ରୋଗୀର ଉପକାର ହୁଏ ।

 

ଏହା କହି ଉମାଦେବୀ ରୋଗୀର ବେଡ଼୍‍ ପାଖକୁ ଟୁଲଟି ଆସ୍ତେ କରି ଭିଡ଼ି ଆଣି ବସିଲେ । ତା’ ପରେ ଡାକ୍ତର ଆରମ୍ଭ କଲେ ନାନାପ୍ରକାର ଗପଟପ, ମିଲିଟାରୀ ଚାକିରୀର ଅନୁଭୂତି ।

 

ସେବିକା—ଆଚ୍ଛା, ଆପଣ war service (ଯୁଦ୍ଧ ଚାକିରୀ) ରେ କେବେ ଯୋଗ ଦେଲେ ?

 

ଡାକ୍ତର—ଯୁଦ୍ଧ ଲାଗିବାର ଏକବର୍ଷ ପରେ ଅର୍ଥାତ୍‌ ୧୯୪୦ ମସିହାରେ ।

 

ସେବିକା—ତେବେ ଚାରିବର୍ଷ ହେଲା । ଆପଣ କ’ଣ ଚାକିରୀକୁ ଭଲପାନ୍ତି ।

 

ଡାକ୍ତର—ନା, ଉମାଦେବୀ, ଆଦୌ ନୁହେଁ ।

 

ସେବିକା—ତେବେ, ଚାକିରୀ ତ ଚାକିରୀ; ପୁଣି ମିଲଟାରୀ ସରଭିସ୍‌ରେ କାହିଁକି ଯାଇ ଜୀବନ ଏପରି ବିପନ୍ନ କରିଥିଲେ ।

 

ଡାକ୍ତର—ଉମା ଦେବୀ, ଚାକିରୀ କରି ଧନ ସଞ୍ଚୟ କରିବା, ସୁଖ ସ୍ୱାଚ୍ଛନ୍ଦ୍ୟରେ ଘର କରି ରହିବା ଏ ଭାବନା ମୋର ଆଦୌ ନାହିଁ, ପିଲାଦିନରୁ ମଧ୍ୟ ନ ଥିଲା । କେବଳ ଦୀନ, ପ୍ରପୀଡ଼ିତ ଦୁସ୍ଥ ଲୋକଙ୍କର ସେବା କରିବାହିଁ ମୋର ଜୀବନର ବ୍ରତ । ଏପରି ସେବା କରୁ କରୁ ଯଦି ସମର ପ୍ରାଙ୍ଗଣରେ ଢଳି ପଡ଼େ ତେବେ ଜୀବନ ସାର୍ଥକ ମଣିବି ଭାବି ଏଥିରେ ପଶିଗଲି । କିନ୍ତୁ ଯେଉଁ ଦିନ ଜାପାନ ପକ୍ଷରୁ ବ୍ୟାପକ ଆକ୍ରମଣ ହେଲା ସେ ଦିନ ସିଙ୍ଗାପୁରରେ ମୋ ପରି ଅନେକ ଆଘାତ ପାଇଲେ । କିଏ ସଙ୍ଗେ ସଙ୍ଗେ ସେହି ସ୍ଥଳରେ ପ୍ରାଣ ହରାଇଲେ । ସେବା କ୍ୟାମ୍ପରେ ଏକମାତ୍ର ଓଡ଼ିଆ ଡାକ୍ତର ମୁଁ ଜୀବନ ପାଇ ରେଡ଼କ୍ରସ୍‌ ସୋସାଇଟି ଦ୍ୱାରା ଏଠାକୁ ଚିକତ୍ସା ପାଇଁ ପ୍ରେରିତ ହେଲି ।

 

ସେବିକା—ତୁମ ବାପା, ମା, ଭାଇ ଭଉଣୀ, ସ୍ତ୍ରୀ ସମସ୍ତଙ୍କର ନିଶ୍ୱାସ । ତେଣୁ ମହାସଙ୍କଟ ପୂର୍ଣ୍ଣ ରଣ କ୍ଷେତ୍ରରୁ ଆପଣ ଫେରିଆସି ପାରିଛନ୍ତି ।

 

ଆଖି ଛଳ ଛଳ କରି ଡାକ୍ତର ଦାଶ କହି ବସିଲେ ‘ଉମା ଦେବୀ ତୁମେ ଯେଉଁମାନଙ୍କ ନାମ ଉଚ୍ଚାରଣ କଲ ମୋର ସେଥିରୁ ଏ ଦୁନିଆରେ କେହି ଜଣେ ହେଲେ ନାହାନ୍ତି ।’ ‘ମୋର କେବଳ’ ଏତିକି କହି ଡାକ୍ତର କୋହ ସମ୍ବରଣ କରି ନ ପାରି କାନ୍ଦି ପକାଇଲେ ।

 

ଉମାଦେବୀ ତାଙ୍କର ପିନ୍ଧିଥିବା ଶାଢ଼ି ପଣତ କାନିରେ ଲୁହ ପୋଛି ଦେଇ କହିଲେ ଯେ ଡାକ୍ତର ବାବୁ, ଆପଣ ଶିକ୍ଷିତ ଯୁବକ ପୁଣି ଯୁଦ୍ଧ ଫେରନ୍ତା ଡାକ୍ତର । ଏପରି ଅଧୀର ହୋଇପଡ଼ିବା ଆପଣଙ୍କ ପକ୍ଷରେ ଶୋଭନୀୟ ନୁହେଁ । ହେଉ ଆପଣଙ୍କ କଥା ଜାଣିବାକୁ ପଚାରିବାଟା ମୋର ଭୁଲ୍‍ ହୋଇଛି । ମୁଁ ଯାଉଛି ଡାକ୍ତର ବାବୁ ।

 

ଡାକ୍ତର—ଉମାଦେବୀ, ତୁମର ତ ଆଜି ଛୁଟୀ, ତୁମେ ଏତେ ଶୀଘ୍ର ଯିବା ପାଇଁ ବ୍ୟସ୍ତ କାହିଁକି ?

 

ସେବିକା—ନା, ମା’ଙ୍କର ଦେହ ଭଲ ନାହିଁ ବୋଲି ଖବର ପାଇଛି । ତେଣୁ ଯାଉଛି ।

 

ଡା—ତୁମ ମା କେଉଁଠି ଥାନ୍ତି କି ?

 

ସେବିକା—ଏହି ସେବାଧାମରେ । ମୁଁ ଏହି ନର୍ସ ହଷ୍ଟେଲରେ ଥାଏ । ରବିବାର କି ଅନ୍ୟ ଛୁଟି ବା ସମୟ ପାଇଲେ ଟିକିଏ ଯାଇ ଦେଖି ଆସେ ।

 

ଡାକ୍ତର—ତୁମ ଘରେ ଆଉ କିଏ ଅଛନ୍ତି ?

 

ସେବିକା—କାହିଁକି ? ମୋର ମା ଆଉ ବାବା ।

 

ଡାକ୍ତର—ତୁମେ ବଡ଼ ଭାଗ୍ୟବତୀ । ଉମାଦେବୀ

 

ସେବିକା—ଭାଗ୍ୟ ! ମୁଁ ଭାଗ୍ୟରେ ବିଶ୍ୱାସ କରେ ନାହିଁ, ଡାକ୍ତର ବାବୁ । କର୍ମମୟ ଜୀବନ ଯାତ୍ରା ହିଁକେବଳ ମୋର ଲକ୍ଷ୍ୟ । ବର୍ତ୍ତମାନ କାଳରେ ଅର୍ଥାତ୍‌ ଉପସ୍ଥିତ କ୍ଷେନ୍ତ୍ରରେ ଯଥାଶକ୍ତି କାର୍ଯ୍ୟ କରି ଯିବାହିଁ ଜୀବନର ଲକ୍ଷ୍ୟ ହେବା ଦରକାର । ଅତୀତରେ କ’ଣ ଥିଲା, ଭବିଷ୍ୟତରେ କ’ଣ ହେବ ଏସବୁ ଚିନ୍ତା କରିବା ନିରର୍ଥକ ବୃଥାକାଳ କ୍ଷେପଣ ମାତ୍ର, ଆମର ଉପସ୍ଥିତ କର୍ମହିଁ କେତେ ଅତୀତ ଏବଂ ଭବିଷ୍ୟତ ପଥ ନିୟନ୍ତ୍ରଣ କରିବ ।

 

ଡାକ୍ତର—ଉମାଦେବୀ, ମୁଁ ତୁମଠାରୁ ଏ ଫିଲଜଫି (ଦର୍ଶନ) ଶୁଣିବାକୁ ଆଶା କରି ନଥିଲା ।

 

ସେବିକା—ତେବେ ତୁମେ ମୋର ପରିଚୟ ଆଶା କରୁଥିଲ ନା କ’ଣ ?

 

ଡାକ୍ତର—ହ ଉମା ଦେବୀ ।

 

ସେବିକା—ସେ କଥା ସ୍ପଷ୍ଟ ବ୍ୟକ୍ତ କରିଥିଲେ ତ ହୋଇଥାନ୍ତା, ତେବେ ଶୁଣନ୍ତୁ କହୁଚି ।

 

ମୋର ପିତାଙ୍କ ନାମ ମଉଜବେଗ୍‌ ଏବଂ ମାତା ନୁରୁଜାନ । ସେମାନେ ମୋତେ ଶ୍ରଦ୍ଧାରେ ଡାକନ୍ତି ଉମାଜାନ । ସେବାଧାମର ଗୋଟିଏ ଛୋଟିଆ ଚାଳଘରେ ସେମାନେ ଥାନ୍ତି ଏବଂ ଅଧିକାଂଶ ସମୟ ଦୂର ବଗିଚାରେ ନିଜର କାମ କରନ୍ତି । ମୁଁ ମଧ୍ୟ ସେହି ବଗିଚାରେ ପ୍ରଥମେ କାମ କରନ୍ତି ତାଙ୍କୁ ସାହାଯ୍ୟ କରୁଥିଲି । ତା’ପରେ ବାବା ମୋତେ ରେଙ୍ଗୁନ ପଠାଇ ଦେଲେ । ସେଠାରୁ ମୁଁ Midwifery Training Collegeରୁ କୃତିତ୍ୱ ସହ ପାଶ କରି ସ୍ୱଳ୍ପ ବେତନରେ ଏଠାରେ ଚାକିରି କରିଛି ।

 

ଡାକ୍ତର—ତୁମର ସେପରି ଯୋଗ୍ୟତା ଥିଲା ତୁମେ ତ ବଡ଼ ବଡ଼ ସରକାରୀ ଚାକିରୀ ବି ପାଇଁ ପାରିଥାନ୍ତା ।

 

ସେବିକା—ହଁ, ବଙ୍ଗଳା, ଓଡ଼ିଶା, ବିହାର ପ୍ରଭୃତିରୁ ଆମ କଲେଜ Lady Principalଙ୍କ ଜରିଆରେ ମୋ ପାଖକୁ ନିଯୁକ୍ତି ପତ୍ରମାନ ଆସିଥିଲା । ଦରମା ମଧ୍ୟ ବହୁତ ମିଶିଥାନ୍ତା । କିନ୍ତୁ ଅର୍ଥ ବା ମୋର କ’ଣ ହେବ ? ଏଠାରେ ଦୀନ ଦୁସ୍ଥଙ୍କର ସେବାରେ ଅଳ୍ପ ବେତନରେ ମଧ୍ୟ ଯେଉଁ ଆନନ୍ଦ ମିଳୁଛି ତାହାହିଁ ମୋ ଭଳି ଅଭାଗିନୀ ପକ୍ଷରେ ଯଥେଷ୍ଟ । ତା’ପରେ ‘ବିନିବାବା’ଙ୍କ ପରି ରୁଷିପ୍ରାଣ ଅଭିଭାବକ ଓ ମଙ୍ଗଳାକାଂକ୍ଷୀ ଏବଂ ମୋର ପିତାମାତାଙ୍କ ପରି ଆତ୍ମୀୟମାନଙ୍କୁ ଛାଡ଼ି ମୁଁ ବା ଯିବି କୁଆଡ଼େ ? ଆପଣ ପରା ଚାକିରିକୁ ପସନ୍ଦ ନ କରି ଜନସେବାପାଇଁ ଯୁଦ୍ଧକ୍ଷେତ୍ରକୁ ଯିବାକୁ ଦ୍ୱିଧା ମନେ କରି ନଥିଲେ । ତେବେ ମୋତେ ଏପରି ଉପଦେଶ ଦେବା ଅର୍ଥ ?

 

ଡାକ୍ତର—Excuse me ଉମା ଦେବୀ । ମୁଁ ମୋର ସେ ଭୁଲ୍‍ ବୁଝିପାରିଛି ।

 

ଏତିକିରେ ସେବିକା ଉମା ତରତର ହୋର ମାକୁ ଦେଖିବା ପାଇଁ ସେବାଧାମ ଚାଲିଗଲେ । ସେବିକା ଚାଲିଗଲା ପରେ ଡାକ୍ତର ଦାଶ ବଡ଼ ବ୍ୟଥିତ ହୋଇପଡ଼ିଲେ । ସେବିକାଙ୍କର ପରିଚୟ ପାଇବା ପାଇଁ ତାଙ୍କର ମନ ଯେତିକି ବ୍ୟାକୁଳ ହୋଇ ଉଠିଥିଲା ସମ୍ୟକ ପରିଚୟ ପାଇ ସାରିଲାପରେ ତତୋଧିକ ନୈରାଶ୍ୟରେ ଜଡ଼ିତ ହେଲା । ସେ ମନେ ମନେ ଭାବିଲେ ‘ଉମାଜାନ୍‌ର ପିତା ମଉଜ ବେଗ, ତା’ର ମା ନୁରୁଜାନ । ମୋର ଧାରଣା କେଡ଼େ ଭୁଲ । ଉମାଜାନ ତେବେ ମୁସଲ୍‍ମାନ ରମଣୀ ।

 

ହେଲେ ଡାକ୍ତର ଦାଶଙ୍କ ମନ ଯେ ଆଦୌ ବୁଝିଲା ନାହିଁ । ଅବଶ୍ୟ ସେଦିନ ସେବିକା ଉମାର ଅନୁରୋଧରେ ତାର ମାତା ଓ ପିତା ଉଭୟେ ଆସି ଡାକ୍ତର ଦାଶଙ୍କୁ ଦେଖି ଯାଇଥିଲେ । ଉମାର ଶରୀର ଗଠନ, ବର୍ଣ୍ଣ, ସୌନ୍ଦର୍ଯ୍ୟ, କଥାବାର୍ତ୍ତା, ଚାଲିଚଲଣ ଭାବଭଙ୍ଗୀ, ତା’ର ତଥାକଥିତ ପିତାମାତାଙ୍କ ସ୍ୱଭାବ ସଙ୍ଗେ ଆଦୌ ଖାପ ଖାଉ ନାହିଁ; ଏକାବେଳକେ ଆକାଶ; ପାତଳ ପ୍ରଭେଦ, ଆସ୍ମାନ ଜମିନ ଫରକ । ପ୍ରକୃତ କଥା ପଚାରିବାକୁ ଡାକ୍ତର ଦାଶଙ୍କ ମନ ଆଗଭର ହେଉଥିଲେ ହେଁ ଭଦ୍ରତା ବିରୋଧ ବ୍ୟବହାର ପ୍ରତି ସେ ସତର୍କ ହୋଇରହିଲେ ।

 

ତହିଁ ପରଦିନ ସେବିକା ଉମାଦେବୀ ଠିକ୍‌ ଦଶଘଣ୍ଟା ସମୟରେ ନିଜର ଡିଉଟି କରିବାକୁ ଆସି ଡାକ୍ତର ଦାଶଙ୍କ କ୍ୟାବିନ ଭିତରେ ପ୍ରବେଶ କଲେ ।

 

ସେବିକା—ଡାକ୍ତର ଦାଶ, ମୁଁ କାଲି ରାତିରେ ଭାବୁଥିଲି ଯେ ଆପଣଙ୍କ ସ୍ୱାସ୍ଥ୍ୟ ଖୁବ୍‌ ଭଲଥିବ । ଆଜି ଆପଣଙ୍କର ସାଧାରଣ ସ୍ୱାସ୍ଥ୍ୟ ଏବଂ ଚେହେରା ମୋତେ ଟିକିଏ ଭଲ ଦେଖାଯାଉଛି ।

 

ଡାକ୍ତର—Exactlty— ମୁଁ ମଧ୍ୟ ତୁମ କଥା କାଲି ରାତିଯାକ ଭାବୁଥିଲି ।

 

ଉମାଦେବୀ—ନା, ନା, ଉମାଜାନ ।

 

ଉମା—ଡାକ୍ତର ଦାଶ । ତୁମେ ମୋତେ ସେହି ଉମା ବୋଲି ଡାକିଲେ କ୍ଷତି ବା କ’ଣ ? ମୋତେ ମୋ ବାବା ଓ ମା’ଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଉମା ବୋଲି ତ ଫେର୍‌ ଡାକନ୍ତି ।

 

ଆପଣଙ୍କ କଥା ଭାବିବା ତ ମୋ ପକ୍ଷରେ ଅସମ୍ଭବ ନୁହେଁ । ସେବିକା ହିସାବରେ ରୋଗୀ ବିଷୟ ଚିନ୍ତା କରିବାଟା ସ୍ଵାଭାବିକ, ଉଚିତ ମଧ୍ୟ । କିନ୍ତୁ ରୋଗୀ ଜନୈକା ସେବିକା କଥା ଭାବିବା ଅଯୌକ୍ତିକ ଏବଂ କାରଣହୀନ ବୋଲି ମୁଁ ଭାବୁଛି ।

 

ଡାକ୍ତର—ଉମା, ମୁଁ ଯେ କାହିଁକି ତୁମ କଥା ଭାବିଲି ତାର କାରଣ କିଛି କହି ପାରିବି ନାହିଁ ।

 

ଉମା—ମୋପରି ହତଭାଗିନୀର କଥା ଆପଣଙ୍କର ଭାବିବା ଉଚିତ ନ ଥିଲା, ଡାକ୍ତର ବାବୁ !

 

ଏତିକି କହୁଁ କହୁଁ ଉମାର ଆଖି ଛଳ ଛଳ ହୋଇ ଆସିଲା । ଉମା ତାର ରୁମାଲ କାଢ଼ି ଆଖିଲୁହ ପୋଛି ପକାଇ ସଂଯତ ହେବାକୁ ଚେଷ୍ଟା କଲା ।

 

ଡାକ୍ତର—ମୋତେ କ୍ଷମା ଦିଅ, ଉମା ! ମୁଁ ତୁମକୁ ଏସବୁ ବ୍ୟକ୍ତିଗତ ବିଷୟ ପଚାରି ଭୁଲ୍‍ କରି ପକାଇଛି ।

 

ଉମା—ଭୁଲ୍‍ ଆପଣଙ୍କର ନୁହେଁ, ଡାକ୍ତର ବାବୁ ! ଆପଣ ଏପରି ସବୁ ବୃଥା ଭାବନା କଲେ ଆରୋଗ୍ୟ ହେବାର ବିଳମ୍ବ ହେବ; ତେଣୁ ମୁଁ ଆପଣଙ୍କୁ ଏକାନ୍ତ ଅନୁରୋଧ କରେ ଆପଣ ନିଶ୍ଚିନ୍ତରେ ରହି ଆରୋଗ୍ୟ ଲାଭ କଲାପରେ ଘରକୁ ଫେରିଯିବେ ।

 

ଡାକ୍ତର—ଘର ! ଘରକୁ ଫେରିଯିବି ? ମୋର ବା ଘର କାହିଁ ? ଏଠାରେ ତ ମୁଁ ତୁମ ସେବା ଶୁଶ୍ରୂଷା ଓ ଚିକିତ୍ସାରେ ରହି ଏ ସ୍ଥାନକୁ ଘରଠାରୁ ଅଧିକ ମନେ କରୁଛି ।

 

ଉମା—ହେଉ ଡାକ୍ତରବାବୁ, ଆପଣ ଟିକିଏ ବିଶ୍ରାମ ନିଅନ୍ତୁ । ମୁଁ ମୋର ଡିଉଟିରେ ଯାଉଛି ।

 

ଉମା ଏତିକି କହି ତା କାମରେ ଚାଲିଗଲା । ଡାକ୍ତର ବାବୁ ଉମାର କର୍ତ୍ତବ୍ୟ ଜ୍ଞାନ ଓ କର୍ତ୍ତବ୍ୟ ନିଷ୍ଠାରେ ମୁଗ୍‌ଧ ହୋଇ କିଛିକ୍ଷଣ ବିସ୍ମିତ ହେଲେ ଏବଂ ପରେ ପରେ ଉମାର ପ୍ରତ୍ୟାଗମନକୁ ସତୃଷ୍ଣ ନୟନରେ ଚାହିଁ ରହିଲେ ।

 

ସତର

 

ଏ ମଧ୍ୟରେ ପୁରା ବରଷେ କାଳ ବିତିଯାଇଛି । ଡାକ୍ତର ଦାଶ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲାପରେ ସେବାଧାମ ଦାତବ୍ୟ ଚିକିତ୍ସାଳୟର ପ୍ରଧାନ ଡାକ୍ତର (Chief Medical Officer) ଭାବରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି କେବଳ ନିଜର ଖର୍ଚ୍ଚ ଓ ସାମାନ୍ୟ ହାତ ଖର୍ଚ୍ଚ ପାଇଁ ଯେତିକି ଦରକାର ସେତିକି ନେଇ । ଏତେ କମ୍‌ ବେତନରେ କୌଣସି ଡାକ୍ତର ଏଠାରେ ଆଗରୁ ରହି ନଥିଲେ ।

 

Unknown

ଦ୍ୱିତୀୟ ମହାସମରର ବିଭୀଷିକା ସମସ୍ତଙ୍କୁ ଭେଟିବାକୁ ପଡ଼ିଲା । କେତେ ଅପ୍ରତ୍ୟାଶିତ ଅସୁବିଧା ଅଙ୍ଗେ ଅଙ୍ଗେ ନିଭେଇବାକୁ ପଡ଼ିଲା । ଜାପାନ ଓ ରେଙ୍ଗୁନ ସହର ଉପରେ ଉଡ଼ାଜାହାଜ ଆକ୍ରମଣ କରିବା ପୂର୍ବରୁ ଏବଂ ପରେ ସେବାଧାମର ଅଧିକାଂଶ ଲୋକ ଛାଡ଼ି ପଳାଇଗଲେ । କେବଳ ହରିଜନ ପଡ଼ାର ଲୋକଙ୍କ ବ୍ୟତୀତ ଖୁବ୍‌ କମ୍‌ କେତୋଟି ଘର ମାତ୍ର ଥାଆନ୍ତି । ସେବାଧାମର ବିଭିନ୍ନ ଅନୁଷ୍ଠାନ ବଡ଼ ଅଚଳ ଅବସ୍ଥାକୁ ଆସିଗଲା । ବର୍ମା ସରକାରରୁ ମିଳୁଥିବା ସାହାଯ୍ୟ ବନ୍ଦ ହୋଇଗଲା । ଚା’ ବଗିଚାର ଶ୍ରମିକ ସଙ୍ଘ ଯେଉଁ ସାହାଯ୍ୟ ଦେଉଥିଲେ ତାର ପରିମାଣ ଖୁବ୍‌ କମିଗଲା । ନାନାପ୍ରକାର ଅଭାବ ଓ ଅସୁବିଧା ମଧ୍ୟରେ ଅନୁଷ୍ଠାନଗୁଡ଼ିକ ଚଳିବା ସମ୍ଭବପର ହେଲା ନାହିଁ । ଅନେକ ଲୋକ ସେବାଧାମ ଛାଡ଼ି ପଳାଉଥିବାର ଦେଖି ଦିନେ ଚା ବଗିଚା ଶ୍ରମିକମାନଙ୍କର ପୁରୁଖା ନେତା ଟି. ସାନ୍ନୟା ପଡ଼ାର ଲୋକମାନଙ୍କୁ ଡାକି ବୁଝାଇଲେ, ‘‘ଭାଇମାନେ, ତୁମ୍ଭେମାନେ କିଏ କେତେ ଗାଁରୁ ପଳାଇ ଆସି ଏଠି ରହିଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ହାଡ଼ଭଙ୍ଗା ପରିଶ୍ରମ କରି ପେଟ ପାଳୁଅଛ । ଯେଉଁଠିକୁ ଗଲେ ଶ୍ରମ କରିବାକୁ ପଡ଼ିବ । ତୁମେମାନେ ଶ୍ରମର ପ୍ରକୃତ ମୂଲ୍ୟ ବୁଝିଛ । ତେବେ କେବଳ ଯୁଦ୍ଧ ଆକ୍ରମଣକୁ ଭୟ କରି ଅନିର୍ଦ୍ଦିଷ୍ଟ ଭାବରେ କେଉଁଆଡ଼େ ଯିବ ? ଅନେକ ଦିନରୁ ଘର ଦୁଆର, ଜ୍ଞାତି, ବନ୍ଧୁ, କୁଟୁମ୍ବ, ଗାଁଗଣ୍ଡା ଛାଡ଼ି ଆସିଛ । ଏବେ ତୁମକୁ କେହି ପଚାରିବେ ନାହିଁ । ତୁମେ ସେଠାକାର ବର୍ତ୍ତମାନ ପରସ୍ଥିତି ସହିତ ନିଜକୁ ଖାପ ଖୁଆଇ ଚଳି ପାରିବ ନାହିଁ । ସବୁଦିନ କ’ଣ ଏ ଅବସ୍ଥା ଥିବ ? ଏଠାରେ ତୁମ୍ଭେମାନେ ଶ୍ରମ ଓ ଶୃଙ୍ଖଳା ରକ୍ଷାକରି ବେଶ ଆରାମରେ ଅଛ । ମରିବାର ଥିଲେ ଯେଉଁଠାକୁ ଯାଅ ପଛେ ଉଦ୍ଧାର ନାହିଁ । ତେଣୁ ଭଗବାନଙ୍କ ଉପରେ ନିର୍ଭର କରି ନିଜର ଶ୍ରମ ଶକ୍ତି ଖଟାଇ ଏଠାକାର ବିଜ୍ଞ ଏବଂ ଆମର ପ୍ରଧାନ ଚାଳକ ବିନିବାବାଙ୍କ ଅନୁମତି ନ ନେଇ କେହି ପଳାଇ ଯାଅ ନାହିଁ । ମୁହଁମାଡ଼ି ପଡ଼ି ରହ । ମୋର ବିଶ୍ଵାସ, ନିକଟରେ ନିଶ୍ଚୟ ସୁଦିନ ଫେରି ଆସିବ ।’

 

ଲୋକେ ଯେଉଁ ଭୟ ଭୀତ ହେଉଥିଲେ ସେମାନଙ୍କ ମନରେ ବଳ ଆସିଲା । ଛାତି ଟାଣ ହେଲା । ଏହିପରି ଯେତେବେଳେ ଲୋକେ ପଳାଇବାକୁ ଆରମ୍ଭ କରନ୍ତି, ସାନ୍ନାୟା ସେମାନଙ୍କୁ ବହୁତ ବୁଝାନ୍ତି । ପରିଶେଷରେ ଦେଖାଗଲା ଅଳ୍ପ ସଂଖ୍ୟକ ଲୋକଙ୍କ ବ୍ୟତୀତ ଅନ୍ୟମାନେ କିଏ କୁଆଡ଼େ ପଳାଇଗଲେ, ତାର ସଠିକ ହିସାବ କିତାବ ରଖିବା ଏକାନ୍ତ ଅସମ୍ଭବ ।

 

ଜାପାନର ଦୁଇଟି ଦ୍ୱୀପ ହୀରୋସିମା ଓ ନାଗାସାକି ଉପରେ ଆଟମ ବମ୍‌ ପଡ଼ିବା ଦ୍ୱାରା ଯେଉଁ ଧ୍ୱଂସ ଲୀଳା ଦେଖାଗଲା, ତା’ ପରେ ପରେ ମହାସମରର ଅବସାନ ହୋଇ ଆସିଲା-। ଯୁଦ୍ଧ ପରେ ଯେଉଁ ପରିବର୍ତ୍ତନ ଘଟିଲା, ତାହା ଅସମ୍ଭବ ପ୍ରକାରର । ପୃଥିବୀର ପ୍ରବଳ ପରାକ୍ରାନ୍ତ ଶକ୍ତି ଆମେରିକା, ରୁଷ, ବ୍ରିଟିଶ ଏବଂ ଫ୍ରାନ୍‌ସ ଶାନ୍ତିର ଡାକ ଛାଡ଼ିଲେ । ବିଶ୍ୱ ଶାନ୍ତି ହେବା ସବୁ ଜାତିର କାମ୍ୟ । କିଛି ସମୟ ପରେ ଆମ ଭାରତବର୍ଷରେ ମହାମାନବ ମହାତ୍ମା ଗାନ୍ଧିଙ୍କର ଭାରତ ଛାଡ଼ ପ୍ରସ୍ତାବର ଆହ୍ୱାନ ପ୍ରବଳ ପରାକ୍ରମଶାଳୀ ବ୍ରିଟିଶ କେଶରୀ ପକ୍ଷରେ କୋକୁଆ ଭୟ ରୂପେ ପରିଗଣିତ ହେଲା । ଆମ ଜାତିର ସମ୍ମିଳିତ ଶକ୍ତି ଜାଗି ଉଠିଲା ନୂତନ ଉଦ୍ୟମରେ । ସାରା ବିଶ୍ୱର ପରସ୍ଥିତ ଆମର ଅନୁକୁଳ ଓ ସହାୟକ ହୋଇ ଉଠିଲା । ସୁଦୂରଦର୍ଶୀ ବିଚକ୍ଷଣ ବିଦେଶୀବର୍ଗ ଜାଗ୍ରତ ଜାତି ଉପରେ ପ୍ରଭୃତ୍ୱ ବିସ୍ତାର ଓ ରାଜତ୍ୱ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଭାବି ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଆମ ଦେଶ ପରିତ୍ୟାଗ କରି ଚାଲିଗଲେ । ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖ ମୁକ୍ତି ଦିବସର ଶୁଭାଗମନ ହେଲା ବିପୁଳ ଆନନ୍ଦ କୋଳାହଳ ମଧ୍ୟରେ । ଭାରତ ଇତିହାସରେ ନୂତନ ଅଧ୍ୟାୟ ଖୋଲି ଦେଲା ଅଗଷ୍ଟ ପନ୍ଦର ଦିନଟି । କିନ୍ତୁ ଦୁଃଖର କଥା ତୀବ୍ର ସାମ୍ପ୍ରଦାୟିକତାର ଧ୍ୱଂସ ମୁଖୀ ତାଣ୍ଡବ ଲୀଳାରୁ ସୃଷ୍ଟି ହେଲା ବିରାଟ ଆଶ୍ରୟ ପ୍ରାର୍ଥୀ ସମସ୍ୟା-। ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ନିଜର ସମ୍ବଳ, ନିଜର ପ୍ରିୟ ବସ୍ତୁର ମାୟା ମମତା ପଛକୁ ଠେଲି ପ୍ରାଣ ବିକଳରେ ପଳାଇ ଆସିଲେ ଭାରତକୁ । ଲକ୍ଷ ଲକ୍ଷ ବାସ୍ତୁହରାଙ୍କୁ ଯୋଗାଇ ଦିଆଗଲା, ଖାଦ୍ୟ, ବସ୍ତ୍ର, ବାସ, ବ୍ୟବସାୟ ।

 

ବର୍ମା ଲୋକସରକାର ସେବାଧାମର ସାହାଯ୍ୟ ଯେ କେବଳ ବନ୍ଦ କରିଦେଲେ ତା’ ନୁହେଁ, ଏପରି ପରିସ୍ଥିତି ସୃଷ୍ଟି ହେଲା ଯଦ୍ଦ୍ୱରା ସେବାଧାମର ଅଧିବାସୀଙ୍କୁ ସେମାନଙ୍କର ଘରଦ୍ୱାର ଆସବାବପତ୍ର ସବୁ ପରିତ୍ୟାଗ କରିବାକୁ ପଡ଼ିଲା । ଯାହାର ଯାହା ଆର୍ଥିକ ସମ୍ବଳ ଥିଲା ବର୍ମ ସରକାର ସେବାଧାମର ବିଭିନ୍ନ ଅନୁଷ୍ଠାନଗୁଡ଼ିକ କିଣି ନେଇ ସ୍ୱଳ୍ପ ମୂଲ୍ୟ ଦେଲେ । ଶ୍ରମିକମାନେ ସେତକ ସମ୍ବଳ କରି ବିନିବାବାଙ୍କ ସଦୁପଦେଶ, ପରିକଳ୍ପନା ନେଇ ସେବାଧାମର ମାୟା ମମତା ଚିରକାଳ ପାଇଁ ଜଳାଞ୍ଜଳି ଦେଲେ । ସେମାନଙ୍କର ଚିରସ୍ମରଣୀୟା ଭଗିନି ସ୍ଵର୍ଗୀୟା ସ୍ୱର୍ଣ୍ଣମୟୀଙ୍କ ମୃତ୍ୟୁବାର୍ଷିକି ଉତ୍ସବ ଉଦ୍‌ଯାପନ କରି ସେ ସ୍ଥାନ ପରିତ୍ୟାଗ କଲେ ।

 

ସେବାଧାମର ଅବଶିଷ୍ଟ ଅଧିବାସୀ ଯେ ଥିଲେ ସେ ଏକ ବିରାଟ ପରବାର । ପରିବାର ମଧ୍ୟରେ ଥିଲେ ବନିବାବା, ମଉଜ ବେଗ୍‌, ଟି. ସାନ୍ନାୟ, ଯୋନାଥନ ମିଶ୍ର, ବିଦିଆ ଭୋଇ, ଡାକ୍ତର ଦାଶ, ମୁଖ୍ୟ ସେବିକା ଉମା ଦେବୀ, ଅନ୍ୟ ତିନି ଚାରିଜଣ ନର୍ସ ଓ କମ୍ପାଉଣ୍ଡର ଓ ଅନାଥାଶ୍ରମର ସାନ ବଡ଼ ଆଠ ଦଶଟି ବାଳକ ବାଳିକା । ଅନ୍ୟମାନେ ଆଗରୁ ପଳାଇ ଯାଇଥିଲେ । ଏମାନେ କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେବାଧାମରେ ରହିଥିଲେ । କିନ୍ତୁ ଯେତେବେଳେ ଅବସ୍ଥା ଗୁରୁତର ହେଲା ଓ ଆୟତ୍ତାଧୀନ ହୋଇ ନ ପାରିଲା, ସେତେବେଳେ ଏମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇ ସେ ସ୍ଥାନ ଛାଡ଼ି ପଳାଇଗଲେ ।

 

ସେବାଧାମର ଉପର୍ଯ୍ୟୁକ୍ତ ପରିବାର ସେ ନିରୁଦ୍ଦେଶରେ ବା ଆଗରୁ କୌଣସି ଯୋଗାଡ଼ ନ କରି ବାହାରିଥିଲେ, ତାହା ଆଦୌ ନୁହେଁ । ସେମାନଙ୍କର ଥିଲା ଏକ ବିରାଟ ପରିକଳ୍ପନା, ସୁଚିନ୍ତିତ ଯୋଜନା— ଏ ପରିକଳ୍ପନାର ମୂଳରେ ଥିଲା ବିନିବାବା ଏବଂ ମୌଜ ବେଗ୍‌ ଦୁହିଁଙ୍କର ଦୁରଦୃଷ୍ଟି, ବିଚକ୍ଷଣ ବୁଦ୍ଧି, ଅଟଳ ସାହସ, ଅବିଚଳିତ ଧୈର୍ଯ୍ୟ ଏବଂ ମନର ଦୃଢ଼ତା ।

 

ବିନିବାବାଙ୍କ ପୂର୍ଣ୍ଣ ପରିଚୟ ପାଠକେ ଆଗରୁ ଜାଣନ୍ତି କିନ୍ତୁ ମଉଜବେଗ ଏବଂ ଜୋନାଥନ ମିଶ୍ର ଦୁହିଁଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ନିଶ୍ଚୟ ଜାତ ହେଉଥିବ । ସେମାନଙ୍କର ସଂକ୍ଷିପ୍ତ ଜୀବନ ଇତିହାସ ନଦେଲେ ମନରେ ଗୋଟାଏ କିନ୍ତୁ ରହିଯାଇପାରେ ।

 

ମଉଜବେଗର ଘର ଥିଲା ନୂଆଗାଁର ପଠାଣ ବସ୍ତିରେ । ତାର ବାପ ଗୁଲୁବେଗ ଥିଲା ନୂଆଗାଁର ଜନୈକ ଆଦର୍ଶ କୃଷକ । ଗୁଲୁବେଗର କୃଷି କର୍ମ ବିଷୟରେ ଏତେ ଅଭିଜ୍ଞତା ଏବଂ ଦକ୍ଷତା ଥିଲା ଯେ ଗ୍ରାମର ଅଧିକାଂଶ ଲୋକେ କୃଷି ବିଷୟରେ ଗୁଲୁବେଗର ପରାମର୍ଶ ଲୋଡ଼ୁଥିଲେ । ଜମି ଚାଷ କରିବାଠାରୁ ଆରମ୍ଭ କରି ବିହନ ବାନ୍ଧିବା, ମଞ୍ଜି ସଂଗ୍ରହ, ସାର ପ୍ରୟୋଗ ପ୍ରଣାଳୀ, ଗାଈଗୋରୁଙ୍କ ଚିକିତ୍ସା, ଛୋଟ ପିଲାଙ୍କର ଖୁଦୁରି ଝାଡ଼ା ବା ପିହୁଳା ମରାକୁ ଉପାୟ, ସବୁ ବିଷୟ ଭଲରୂପେ ତାଙ୍କୁ ମାଲୁମ ଥାଏ । ଗୁଲୁବେଗର ହଳବଳଦ, ତାର ବାଡ଼ବୁଜା, କ୍ଷେତ କମାଣି ସବୁ ଉଚ୍ଚ ଧରଣର । ସବୁ ପ୍ରକାର ଚାଷ କାର୍ଯ୍ୟରେ ସେ ଆଗ । ଗାଁଟା ଯାକରେ କାହାରି ଭାଡ଼ିରୁ ଧାନ ବିହନ ପଦାକୁ ବାହାରି ନ ଥିବତ ଗୁଲୁ ବିଲରେ ଧାନ ଚଢ଼େଇନୁଚା ହୋଇ ସାରିଥିବ । ଅନ୍ୟ ଚଷା ଆନ୍ଧି କି ଅନାଇ ବିଲ ଅପାଗିଆ ବୋଲି ଉପରକୁ ଚାହିଁ ବସିଲାବେଳେ ଗୁଲୁ ବଡ଼ା ହେମନ୍ତରେ ରବି ବିହନ ତକ ନିଜ ବିଲରେ ଛାଟିଦେଇ ଝାଡ଼ିଝୁଡ଼ି ହୋଇ କାମସାରି ହୁଣ୍ଡିମାରି ବସିଥିବ । ଅନ୍ୟମାନେ ପାଗଯୋଗ ଦେଖି ରାଶି, କୋଳଥ, ବିରି, ମୁଗ, ହରଡ, ଚଣା ବୁଣିଲା ବେଳକୁ ତା’ ବିଲରେ ସବୁ ଚାରି ଚାରି ପତ୍ର ହୋଇ ଯାଇଥିବ । କାରଣ ଗୁଲ ଅଧିକାଂଶ ସମୟରେ ଲୋକଙ୍କୁ କହେ ‘ଚାଷ ତର ତର ବଣିଜ ମଠ’ ।

 

ଅମଳଦାମଳ ବେଳକୁ ମଧ୍ୟ ଦେଖାଯିବ ଯେ ଗୁଲୁ ଯେଉଁ ଜମି ଗୁଣ୍ଠ ତେର ଚଉଦ ଗୌଣି ପାଇଲା ଅନ୍ୟ ଚଷା ଛ କି ସାତ । ଯଦି କାହା ପାଖରେ ବିହନ, ମଞ୍ଜି ନ ଥିବ ତ ସେ ଯାଇଁ ଖୋଜିଲେ ପାଇବ ଗୁଲୁବେଗ ଘରେ । ଯାହା କହନ୍ତି ‘ଅଳପ ଚାଷ ବହୁତ କର୍ଷ (କର୍ଷଣ) ସେ କଥା ଅକ୍ଷରେ ଅକ୍ଷରେ ଠିକ୍‌ । ଲୋକଙ୍କର ବେଶୀ ଜମି ଥାଇ ସେମାନେ ଯାହା ଆବାଦ ନ କରନ୍ତି ଗୁଲୁବେଗ ତାର ପନ୍ଦର ମାଣ ଜମିରୁ ସେମାନଙ୍କ ଠାରୁ ଢ଼େର ଆଦାୟ କରେ, ବହୁ କୁଟୁମ୍ବଙ୍କୁ ଚଳାଇ ସେ ବର୍ଷ ପୁରୁଣା ଏ ବର୍ଷ ଖାଏ । ହେଲେ ବହୁକୁଟୁମ୍ବୀ ଲୋକ । ଯେତେ ଅର୍ଜିଲେ ବି ସମୟେ ସମୟେ ଯେ ଅଭାବରେ ନ ପଡ଼େ ତାହା ନୁହେଁ । ଯେଉଁ ବର୍ଷ ଇନ୍ଦ୍ର ପାଳିଲା ତ ହେଲା ନୋହିଲେ ନାହିଁ । ଚାଷ କଥା ତ ସବୁ ନିର୍ଭର କରେ ବର୍ଷା ଉପରେ । ଓପର ପାଣି ନହେଲେ ଛୋଟ ଗଡ଼ିଆ ପୋଖରୀରୁ କେତେ ବା ପାଣି ମଡ଼ାଇ ବିଲ ଉଠିଆ କରିହେବ । ପୁଣି ଠିକ୍‌ ବେଳ ଜାଣି ବରଷା ନ ହେଲେ ବି ମରୁଡ଼ି ହେଲା ମହରଗ ପଡ଼ିଲା । ସେଇଥିପାଇଁ ପରା କହିଛି ‘ଅନ୍ତରୁ ରୋଗ— ଆକାଶରୁ ମହରଗ’ ।

 

ସବୁବେଳେ ତ ସବୁକଥା ନ ଥାଏ । ଗୁଲୁ ତାର ତିନି ଝିଅଙ୍କୁ ସାଦୀ କରାଇ ଦେଇଥିଲା, ହେଲେ ଦେଣଦାର ହୋଇ ତାକୁ ବହୁତ କ୍ଷତି ସହିବାକୁ ପଡ଼ିଲା । ସେ ଆଗପରି ଆଉ ସୁଖରେ ଚଳି ପାରିଲା ନାହିଁ । ହାତୀ ପରି ବଳଦମାନ ବାନ୍ଧିଥିଲା । ପଟ୍‌ପାଟ୍‌ ଦୁଇ ହଳ ବଳଦ ଫାଟୁଆରେ ମରିଗଲେ । ମରୁଡ଼ି ପଡ଼ିଲା ବର୍ଷ ତା’ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲା । ଗୁଲୁ ତ ପିଲାଦିନରୁ ଭଲ ଖାଇ ଆସିଥିଲା । ଫେର ତାର ତ ନିଶା ପାଣିରେ ଟିକିଏ ଅମଳ ବି ଥାଏ, ଦିନଯାକ କଠିନ ଶ୍ରମ କରିସାରି ଅରଖି ଟିକିଏ କି ତାଡ଼ି ଟୋପିଏ ନହେଲେ ନ ଚଳେ । ଏବେ କଣ କରିବ ବୁଡ଼ା ବୟସକୁ ସବୁ ଅଭାବ ଆସି ପଡ଼ିଲା । ବାଧ୍ୟ ହୋଇ ବଡ଼ ମଠ ମହନ୍ତଙ୍କ ପାଖରେ ଆଠ ମାଣ ଜମି ବନ୍ଧକ ଦେଇ ଟଙ୍କା ତିନିଶ କରଜ ବୟ କଲା । କରଜ ଆଣିଥିବା ଟଙ୍କାତକ ଜୁଆଇଁମାନଙ୍କ ମୋକଦ୍ଦମା ଦେୟରେ ଖର୍ଚ୍ଚ ହୋଇଗଲା । ବାକୀ ଯାହି ଟଙ୍କା କେତେଟା ବଳିଲା ସେତକ ହାତ ଉଧାରି, ଘରଖର୍ଚ୍ଚରେ ସରିଗଲା । ଶେଷକୁ ବୁଢ଼ା ବିଚାର ହା ହତାଶରେ ପ୍ରାଣ ହରାଇଲା । ସେତେବେଳକୁ ତାର ନାବାଳକ ପୁଅ ମଉଜର ବୟସ ଆଠ ବରଷ । ଚାରିବର୍ଷ ପର୍ଯ୍ୟନ୍ତ ବଡ଼ କଷ୍ଟରେ ଚଳିଲା । ଗାଁ ନିମ୍ନ ପ୍ରାଇମେରୀ ସ୍କୁଲରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲା । ଅବସ୍ଥା ଶୋଚନୀୟ । ଆଉ ପାଠ ପଢ଼ିବ କଣ ! ହଳହଡ଼ା ନାହିଁ । ଜମିତକ ବାକ ବୁଢ଼ା ବନ୍ଧା ଦେଇ ଯାଇଥିଲା । ଟଙ୍କା ବା କେଉଁଠୁ ଆଣିବ ଯେ କରଜ ସୁଝି ଜମିତକ ମୁକୁଳେଇବ ହେଲେ ପିଲାଟା ବଡ଼ ପରିଶ୍ରମୀ ଓ ବୁଦ୍ଧିଆ । କୁକୁଡ଼ା ବେପାର କରି ଚଳୁଥାଏ । ଥରେ କ’ଣ ରୋଗ ଆସିଲା ଯେ ସବୁ କୁକୁଡ଼ାତକ ଧୋଇହୋଇ ଗଲେ । ମୂଳ ପାଣ୍ଠି ବୁଡ଼ିଗଲା । ସେହି ସିନା ପଡ଼ିଲା, ପୁଣି ମରୁଡ଼ି ତା ପଛକୁ ଦୁର୍ଭିକ୍ଷ । କେତେ ଘରୁଆ ଘରର ଲୋକେ ଖାଇବାକୁ ନ ପାଇ ଏଣେତେଣେ ପଳାଇଲେ ବିଦେଶ କରି । ମଉଜ କଥା ବା କିଏ ପଚାରୁଛି ।

 

ଶାସନର କେତେ ଘର ବ୍ରାହ୍ମଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଗରିବ କହିଲେ ଚଳେ । କେତେକ କଲିକତାରେ ଯାଇ ରୋଷେଇ କାମ କରି ପେଟ ପୋଷିଲେ । କେହି ବା ଭିକ୍ଷାବୃତ୍ତି ଦ୍ୱାରା ଉଆଁସ, ସଂକରାନ୍ତି, ପୁନିଅ ପରବରେ ଯାହା ସଂଗ୍ରହ କରି ଆଣନ୍ତି ସେଥିରେ ଯଥାକଥା କଷ୍ଟରେ କାଳାତିପାତ କରନ୍ତି । ଶାସନର ଅଗାଧୁ ମିଶ୍ର ଯଜମାନୀ କରି ଚଳୁଥାନ୍ତି । ଏ ଯୁଗରେ ତ ଲୋକଙ୍କର ଧର୍ମବିଶ୍ୱାସ ଢେର କମିଗଲାଣି । ପୂଜାପର୍ବ, ବ୍ରତ ଉପବାସ କେତେ ଜଣ ବା କରୁଛନ୍ତି-! ଶ୍ରାଦ୍ଧ, ମଉଳା, ହୋମ, ଯାଗ ପ୍ରତି ବିଶେଷ ଆସ୍ଥା ଖୁବ୍‌ କମ୍‌ ଲୋକଙ୍କର ଥାଏ-। କେବଳ ଯଜମାନୀ କରି କେତେ ଦିନ ଚଳିହେବ ! ଯାହା ତାଙ୍କ ଉମରଟା ମିଶ୍ରେ କୌଣସି ରକମର କଟେଇ ଦେଇ ଇହସଂସାରରୁ ବିଦାୟ ନେଲେ । ପୁଅ ଜଗନ୍ନାଥ ଛଡ଼ା ତାଙ୍କର ଆଉ କେହି ନ ଥିଲା । ଜଗନ୍ନାଥ ପିଲାଦିନୁ ଚଗଲା । ପାଠଶାଠରେ ମନ ଦେଲା ନାହିଁ କି ଆପଣା ବ୍ରାହ୍ମଣିଆ ବୃତ୍ତି, ହୋମ, ଶ୍ରାଦ୍ଧ, ବ୍ରତପୂଜାଦି କର୍ମକର୍ମାଣି ବିଷୟ ଜାଣିଲା ନାହିଁ । ସମ୍ପତ୍ତି ଭିତରେ ବଖୁରିଏ ଘର-। ସେ ଖାଲି ଦଣ୍ଡାବାଳୁଙ୍ଗା ପରି ବୁଲୁଥାଏ । ଦୁର୍ଭିକ୍ଷ ବର୍ଷ ଖାଇବା ପିଇବାକୁ ନ ପାଇ ଘର ଛାଡ଼ି କୁଆଡ଼େ ପଳାଇଗଲା ଆଉ ଘରକୁ ଫେରିଲା ନାହିଁ । ଗାଁ ଲୋକେ ସମସ୍ତେ ଭାବିଲେ, ଛତରା ଟୋକାଟା ପେଟ ବିକଳରେ କୁଆଡ଼େ ହାଡ଼ିହାତ ହୋଇଗଲା କି ଖାଇବା ବିନା ପ୍ରାଣ ହରାଇଲା-

 

ଚା ବଗିଚାରେ କୁଲି କାମ କରିବା ପାଇଁ ଗୋରା କମ୍ପାନୀ ବହୁତ ଶ୍ରମିକ ଆବଶ୍ୟକ କରୁଥାନ୍ତି । ଏଥିପାଇଁ କେତେକ ସହର ଯାଗାରେ ଡିପୋମାନ ଖୋଲାଯାଇ କମ୍ପାନୀ ତରଫରୁ ଆସାମ, ରେଙ୍ଗୁନ ବର୍ମାକୁ କୁଲି ଚାଲଣ ହେଉଥାନ୍ତି । ଆର୍ଥିକ ଅବସ୍ଥା ଖରାପ ହେଲେ ଖାଇବା ପିଇବାକୁ ନ ମିଳିଲେ ଅନେକ ଗରିବ ନିଃସହାୟ ଶ୍ରମିକ ଶ୍ରେଣୀର ଲୋକ ସେଆଡ଼େ ଚାଲନ୍ତି । ଏଥିପାଇଁ କମ୍ପାନୀ ମଧ୍ୟ ଏଜେଣ୍ଡ ରଖିଥାଏ । ଏଜେଣ୍ଟମାନଙ୍କର ମଫସଲ ପଡ଼ାଗାଁରେ ଦଲାଲମାନେ ଥାନ୍ତି । ଯେଉଁ ବର୍ଷ ଦୁର୍ଭିକ୍ଷ ପଡ଼ିଲା ସେ ବର୍ଷ ବହୁତ ଲୋକ ଚାଲାଣ ହେଲେ । ନୂଆଗାଁ ଜଗନ୍ନାପୁରରୁ ମଉଜ ବେଗ ଏବଂ ଜଗନ୍ନାଥ ମିଶ୍ର ବାଳକଦ୍ୱୟଙ୍କୁ ଟାଉଟର ସପନି ମିଶ୍ରେ କଟକ ରେଙ୍ଗୁନ କୁଲି ଡିପୋରେ ବିକ୍ରି କରି ଦେଇ ଆସିଲେ । ବାଳକଦ୍ୱୟଙ୍କୁ ସପନି ବହୁତ ପ୍ରଲୋଭନ ଦେଖାଇ କଟକ ଘେନି ଆସିଥିଲା । ସେମାନଙ୍କ ମନରେ ଗୋଟାଏ ଧାରଣା ଜନ୍ମାଇଥିଲା ‘ଯେ ସେମାନେ ଯେଉଁଠାକୁ ଯାଉଛନ୍ତି ସେଠାରେ ଖାଇ ପିଇ ମହା ଆରାମରେ ରହିବେ । ବାଳକ ଦୁଇଟିଙ୍କୁ କମ୍ପାନୀ ତରଫରୁ କଲିକତା ନିଆଯାଇ ସେଠାରୁ ଜାହାଜରେ ରେଙ୍ଗୁନ ରମାନା କରିଦିଆ ହେଲା । ସେତେବେଳକୁ ପିଲା ଦୁଇଟିଙ୍କର କଚା ଉମର । ପ୍ରାୟ ତେର ଚଉଦ ବର୍ଷ ହୋଇଥିବାର ଅନୁମାନ । ସେମାନେ ବହୁତ କଷ୍ଟରେ ଆସାମ ଚା ବଗିଚାରୁ ଚାରି ପାଞ୍ଚ ବର୍ଷ କାମ କଲେ । ତା’ ପରେ ଚା ବଗିଚାରୁ ଖସି ପଳାଇ ଆସିଲେ ରେଙ୍ଗନ ସହରକୁ । ସେମାନଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ଜ୍ଞାନ ହେଲା, ଚେତନା ଆସିଲା । ହେଲେ ସେମାନେ ଆଉ ଗାଁ, ଘରଆଡ଼କୁ ମନ ଫେରାଇଲେ ନାହିଁ । ସେମାନେ ଭାବିଲେ, ତାଙ୍କର ବା କି ଘର ଅଛି । ଗାଁକୁ ଯାଇ ବା କରିବେ କ’ଣ ? ଯବାନ ପିଲା ଦିଟା, ହେତୁ ବି ହେଲାଣି । ନିଜ ବାହୁ ପିଟି ନାନାପ୍ରକାର ଶ୍ରମ କରି ରୋଜଗାରର ଫନ୍ଦି କରିବାରେ ଲାଗିଲେ ।

 

ଜଗନ୍ନାଥ ପିଲା ଦିନରୁ ଚଞ୍ଚଳ ଓ ଦୁଷ୍ଟ ପ୍ରକୃତିର ପିଲା ଥିଲା । ସେ ରେଙ୍ଗୁନରେ ଗୋଟିଏ ଖ୍ରୀଷ୍ଟାନ ଗିରିଜା ଘରେ ଘଣ୍ଟା ବଜାଇବା କାମରେ ନିଯୁକ୍ତି ପାଇଲା । କିଛିଦିନ ପରେ ଖ୍ରୀଷ୍ଟିଆନ ମିସନାରୀ ପାଦେଡ଼ୀ ସାହେବଙ୍କ ପ୍ରଲୋଭନରେ ପଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ କଲା । ଡ଼ୁବନ ହେଲା ପରେ ତାର ନାମ ହେଲା ଜୋନାଥନ ମିଶ୍ର । ତା’ ପରେ କିଛିଦିନ ଗଲା । ଶେଷରେ ସେ ଜନୈକା ଖ୍ରୀଷ୍ଟାନ ରମଣୀକୁ ବିବାହ କରି ସେବାଧମରେ ଘରଦ୍ୱାର କରି ରହିଲା ।

 

ମଉଜବେଗ ବଡ଼ ଚଲାଖ ଚତୁର ଯୁବକ । ସେ ରେଙ୍ଗୁନ ସହରରେ ନାନାପ୍ରକାର କାମଦାମ କରି ଛୋଟକାଟ ବେପାର ଆରମ୍ଭ କରିଦେଲା । କୁକୁଡ଼ା ଓ କୁକୁଡ଼ା ଅଣ୍ଡା ବିକ୍ରି, ମାଂସ ଦୋକାନ, ମୁଣ୍ଡରେ ବହି ପନିପରିବା ବିକିବା, ରିକ୍‌ସା ଟଣା, ଗରମ ଚଣାଚୂର ବିକିବା, ଚା, ଖିଲିପାନ ଦୋକାନ ସବୁ ବ୍ୟବସାୟରେ ଗୋଟିକ ପରେ ଗୋଟିଏ ହାତ ଦେଲା । ଶେଷକୁ ବଢ଼େଇ ଓ କମାର କାମ ଶିଖି ସେଥିରେ ବେଶ ଦି ପଇସା ରୋଜଗାର କଲା । ତା’ ପରେ ହାତରେ କିଛି ପାଣ୍ଠି ହୋଇଯିବାରୁ ସବୁ ବେପାର ଛାଡ଼ି ଜମି କିଛି ଖରିଦ କରି ଚାଷବାସ କରିବ ବୋଲି ମନରେ ପାଞ୍ଚ କରିଥାଏ । ସେହି ସମୟରେ ସରକାରଙ୍କ ତରଫରୁ ଆଖପାଖର ଜଙ୍ଗଲ ସଫା, ପଡ଼ିଆ ଜମି ଉଠିଆ କରିବା କାମରେ ଲୋକଙ୍କୁ ଡକରା ହେବାରୁ ମଉଜବେଗ ସେବାଧାମର ନିକଟବର୍ତ୍ତୀ ଗୋଟିଏ ମୁଣ୍ଡିଆ ପାଖରେ କିଛି ଜଙ୍ଗଲଜମି ନିଲାମ ଧଇଲା । ସେଠାରେ ଖଣ୍ଡିଏ ଛୋଟ କୁଡ଼ିଆଘର କରି ଜଙ୍ଗଲ ହାଣିବା, ଜମି ସାରସୁତ କରିବା ଏବଂ ଆବାଦୀ ହେଉଥିବା ଜମିରେ ଧାନ, ବିଲାତିଆଳୁ, ଆଖୁ, ଧୂଆଁ ପତ୍ର, ବାଇଗଣ ପ୍ରଭୃତି ପନିପରିବାର ବଗିଚା ଖଣ୍ଡିଏ ଆରମ୍ଭ କରିଦେଲା । ଚାଷବାସର କାଇଦା ତାକୁ ଭଲ ଜଣାଗଲା ।

 

କଥାରେ କହନ୍ତି ‘ଯାର ବାପ ଚଢ଼େ ଘୋଡ଼ା ତାର ପୁଅ ଥୋଡା ଥୋଡ଼ା’ । ତା ବାପା ଗୁଲ ବେଗ ଥିଲେ ଜଣେ ଆଦର୍ଶ କୃଷକ । ମଉଜବେଗ ତା’ ବାପର କେତେକ ଢାଞ୍ଚା ଆଣିଥିଲା । ବାପ ଅପେକ୍ଷା ସେ ଅଧିକ ଚତୁର କୃଷକ, ଚତୁର ବଢ଼େଇ ଏବଂ ଚତୁର ବେପାରୀ ବନିଗଲା, ଦିନକୁଦିନ ତାର ଚାଷରେ ଉନ୍ନତ ଘଟିଲା । କାହାଁତକ ଏକୁଟିଆ ରହି ଏ ସବୁ କାମ ଚଳେଇବ । ଯୁଆଡ଼େ ନିଜେ ନ ଗଲା ତ ନ ହେଲା । ଅବଶ୍ୟ କେତୋଟି ଦିନ ମଜୁରିଆ ରଖି କାମ ଚଳାଇଥାଏ-। ନିଜର ବୋଲି କେହି ନାହିଁ । ଶେଷକୁ ମସୁଦା କଲା ସାଦୀ ନ କଲେ ଚଳିବ ନାହିଁ-। ନିକଟରେ ଥିବା ଗୋଟିଏ ଗରିବ ମୁସଲ୍‍ମାନ ଘରେ ବିବାହ କଲା । ବର୍ତ୍ତମାନ ଯେଉଁଠାରେ ସେବାଧାମ ନୂତନ ପଲ୍ଲୀ ଗଢ଼ି ଉଠିଛି ସେଠାରେ ଖଣ୍ଡିଏ ଚାଳର ଦୋପରି ଘର ନିଜ ହାତରେ ତିଆରି କଲା । ସେ ଓ ତାର ସ୍ତ୍ରୀ ନୁରୁଜାନ ମହା ଆନନ୍ଦରେ ରହିଲେ । ନୁରୁଜାନ ମଉଜବେଗଠାରୁ ଆହୁରି ରଙ୍ଗରେ କଳା । ତାର ଦୁଇକାନଯାକ ରୂପା ନୋଳିରେ ଗୁନ୍ଥା ହୋଇ ରହିଥାଏ । ହାତରେ ପାଣି ଚୂଡ଼ି ନାକରେ ଝୁରା ଝୁଲ ନାକଦଣ୍ଡୀ । ରୂପ ଓ ଗଠନ ସେତେ ସୁନ୍ଦର ନୁହେଁ । କିନ୍ତୁ ନୁରୁଜାନ ବଡ଼ କର୍ମକୁଶଳା, ପରଦୁଃଖକାତରା ମିଷ୍ଠଭାଷିଣୀ ଓ ପତିପରାୟଣା ଥିଲା ।

 

ମଉଜବେଗ କେବେ କୋଚିତ୍‌ ଗାଁ କଥା ଭାବେ । ଗାଁ ଆଖପାଖର କେହି କେହି ଲୋକକୁ ଦେଖିଲେ ଗାଁ କଥା ଗାଁ ଖବର ସବୁ ପଚାରେ । ଗାଁର ଯେ କେତେ ଜଣ ତାର ହେତୁ ପାଇଲାବେଳକୁ ମନେ ଥିଲା ସେମାନଙ୍କ ବିଷୟ ପଚାରି ବୁଝେ । ସେମାନଙ୍କ ମଧ୍ୟରେ ଆରତ ତିଆଡ଼ି, ରାଘବାନନ୍ଦ, ସୁଲୋଚନ, ବିଶି ପଧାନ, ସପନି ମିଶ୍ର ପ୍ରଭୃତିଙ୍କୁ ସେ ମନରୁ ଭୁଲି ନାହିଁ । ଜୋନାଥନ ସ୍ଥାନୀୟ ମିଶନ ବାଳିକା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମେରୀ ମହାନ୍ତିଙ୍କୁ ବିବାହକଲା ପରେ ସେବାଧାମକୁ ଆସି ବାସ କଲା । ମେରୀ ସ୍କୁଲରେ କାମ କରେ ଏବଂ ଜୋନାଥନ ଗିରିଜାରେ ପାଳକ (Pastor) କାମ କରେ । ଜୋନାଥନ ମଧ୍ୟ ରେଙ୍ଗୁନରେ ଥିଲାବେଳେ ରାଜମିସ୍ତ୍ରୀ କାମରେ ଦକ୍ଷତା ଅର୍ଜନ କରିଥିଲା ।

 

ଅଠର

 

ବିନିବାବା ଯେତେବେଳେ ସର୍ବପ୍ରଥମେ ଆସି ଏହି ଶ୍ରମିକ ବସ୍ତି ବା ଲେବର କଲୋନିରେ ପାଦ ପକାନ୍ତି ସେତେବେଳକୁ ଏହା ଭିନ୍ନ ପ୍ରକାର ଥିଲା ତାଙ୍କର ପରିକଳ୍ପନାରେ ନୂତନ ସେବାଧାମ ଗଢ଼ି ଉଠିଲା । ଦ୍ୱିତୀୟ ମହାସମର ପର୍ଯ୍ୟନ୍ତ ସମୃଦ୍ଧ ହୋଇ ଚଳି ଆସୁଥିଲା । କିନ୍ତୁ ପରିଶେଷରେ ଯୁଦ୍ଧର ଧ୍ୱଂସଲୀଳା ସେବାଧାମର ପରିସ୍ଥିତିକୁ ସଂପୂର୍ଣ୍ଣ ଓଲଟ ପାଲଟ କରିଦେଲା । ଶେଷକୁ ଏପରି ଅବସ୍ଥା ପହଞ୍ଚିଲା ଯେତେବେଳେ ସମସ୍ତେ ସେବାଧାମ ଛାଡ଼ି ପଳାଇ ଯିବାକୁ ବାଧ୍ୟ ହେଲେ ।

 

ପାଠକଙ୍କର ସ୍ମରଣ ଥିବ ଯେ ନୂଆଗାଁ ଜଗନ୍ନାଥପୁରରେ ଦୁଇଟି ଦଳ ସୃଷ୍ଟି ହୋଇ ନାନାପ୍ରକାର ମାଲିମକଦ୍ଦମା କଳି ତକରାଳ ଲାଗି ରହିଥିଲା । ଗୋଟିଏ ଦଳର ପ୍ରାଧନ କାରପଟଦାର ସପନି ମିଶ୍ର, ଆରତ ତିଆଡ଼ି ଏବଂ ବଡ଼ ମଠ ମହନ୍ତ ପ୍ରେମାନନ୍ଦ ଏବଂ ଅନ୍ୟ ଦଳରେ ରାଘବାନନ୍ଦ, ସୁଲୋଚନ ଘନଶ୍ୟାମ । ପାର୍ବତୀ ହତ୍ୟା ମକଦ୍ଦମାରେ ରାଘବାନନ୍ଦ ଓଗେର ଜଜକୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହେଲେ । ରାଘବାନନ୍ଦଙ୍କ ତରଫରୁ ମାନହାନୀ ମୋକଦ୍ଦମା ସୁରୁ କରାଯାଇଥିଲା । ଏହାଛଡ଼ା ଆହୁରି କେତେ ନମ୍ବର ସାନ ବଡ଼ ମୋକଦ୍ଦମା ମଧ୍ୟ ସୁର ହୋଇ ଉଭୟ ପକ୍ଷର ବହୁତ ଅର୍ଥ ବ୍ୟୟ ହୋଇ ଯାଇଥିଲା । ସେ ମୋକଦ୍ଦମା ମଧ୍ୟରୁ ସୁଲୋଚନଙ୍କ ଦ୍ୱାରା ଦାଏର ହୋଇଥିବ । ଗୁଲୁବେଗ ଜମିବନ୍ଧକ ବାବତ୍‌ ମୋକଦ୍ଦମା ଗୋଟିଏ ବିଶେଷ ଉଲ୍ଲେଖ ଯୋଗ୍ୟ ଘଟଣା । ଏ ମଧ୍ୟରେ ସୁଲୋଚନ ମଉଜ ବେଗର ସନ୍ଧାନ ପାଇ ତା’ ସହିତ ଚିଠିପତ୍ରର ଆଦାନ ପ୍ରଦାନ, ଜମି ବେଦଖଲ କରିବାର ସମସ୍ତ ଘଟଣା ମଉଜ ବେଗକୁ ଜଣାଇ ଦେଇଥଲେ ଏବଂ ତାଠାରୁ କ୍ଷମତାପତ୍ର ଦସ୍ତଖତ କରାଇ କେଶ ଚଳାଇଥିଲେ । ମୋକଦ୍ଦମା ତଳ କୋର୍ଟରୁ ଜଜ୍‌କୋଟ ପର୍ଯ୍ୟନ୍ତ ଯାଇ ଶେଷକୁ ସୁଲୋଚନଙ୍କର କେଶରେ ଡିଗ୍ରୀ ହାସଲ ହେଲା । ମଠର ମହନ୍ତ ବହୁତ ଖର୍ଚ୍ଚାନ୍ତ ହୋଇ ମଧ୍ୟ ଭଗ୍ନ ମନୋରଥ ହେଲେ, ଉକ୍ତ ଆଠ ଏକର ଜମି ସୁଲୋଚନ ଦଖଲ କଲେ । ମଉଜ ବେଗେ ଗାଁକୁ ଫେରି ଆସିଲେ ଉକ୍ତ ଜମି ଫେରି ପାଇବ ବୋଲି ମଧ୍ୟ ତାକୁ ଜଣାଇ ଦିଆଯାଇଥିଲା ।

 

ସେବାଧାମର ଅସହାୟ ବହୁତ ପରିବାରର ଥଇଥାନ ପାଇଁ ମଉଜବେଗ ଆଗରୁ ଚିଠିଦ୍ୱାରା ସୁଲୋଚନ ଓ ରାଘବାନନ୍ଦଙ୍କ ସହିତ କଥାବାର୍ତ୍ତା କରି ସାରିଥିଲା । ଏପରିକି ରାଘବାନନ୍ଦଙ୍କର ଗୁପ୍ତି ମୁଣ୍ଡିଆ ଆମ୍ବତୋଟାରେ କେତେ ବଖରା ଅସ୍ଥାୟୀ ଘର ମଧ୍ୟ ତୋଳା ସରିଥିଲା । ଜଗନ୍ନାଥପୁର ବା ନୂଆ ଗାଁ ଦୁଇ ପଡ଼ାର ସାଧାରଣ ଲୋକେ ଏ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । ଚାରିଆଡ଼େ ଖବର ହୋଇଥାଏ ଯେ ଏଠାରେ ଗୋଟାଏ ବଡ଼ ମେଳା ହେବ । ରାଘବ, ସୁଲୋଚନ ଘନଙ୍କ ବ୍ୟତୀତ ଅନ୍ୟ ଚତୁର୍ଥ ବ୍ୟକ୍ତି କେହି ନ ଥିଲେ ଯେ କି ଏ ବିଷୟ ଜାଣନ୍ତା ।

 

ସେବାଧାମର ଅବଶିଷ୍ଟ ଅଧିବାସୀ ସେ ସ୍ଥାନ ଛାଡ଼ି ଆସିବା ପରେ ତାହା ଜାପାନୀ ବୋମା ଆକ୍ରମଣ ଫଳରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଥିଲା । ଏବେ ଆଉ ଏକ ନୂତନ ଧାମ, ନୂତନ ଧାମ, ନୂତନ ସେବାଗ୍ରାମ ଗଢ଼ି ଉଠିଲା ନୂଆ କରି ନୂଆ ଗାଁ ଜଗନ୍ନାଥପୁର ଶାସନରେ । ଏବେ ନୂଆ ଗାଁ କି ଜଗନ୍ନାଥପୁର କି ଶାସନ ବୋଲି ଗାଁ ନାହିଁ ତା ସ୍ଥାନରେ ଅଛି ସେବାଗ୍ରାମ । ଆଲାଦିନର ଆଶ୍ଚର୍ଯ୍ୟ ଦ୍ୱୀପ କାହାଣୀ ପରି ହଠାତ୍‌ ମୁଣ୍ଡ ଟେକି ଉଠିଛି ସେବାଗ୍ରାମ । ଏହା କୁହକ କି ପ୍ରହଳିକା ନୁହେଁ । ଏହା କେତୋଟି ସାଧାରଣ ଶ୍ରମିକଙ୍କର ଶରୀର ଶ୍ରମ ଝାଳରେ ନୂତନ ଆକାରରେ ଗଢ଼ା ହୋଇଛି । ଏହାର କ୍ରମୋନ୍ନତିର ବିସ୍ତୃତ ବିବରଣୀ କ୍ରମଶଃ ପଢ଼ିଲେ ସହଜରେ ଉପଲବ୍‌ଧି କରାଯାଇ ପାରିବ ।

 

ଊଣାଇଶ

 

ଖରା ଦିନ । ଆମ୍ବକ ସମୟ । ରାତି ପ୍ରାୟ ଦୁଇଟା କି ସାଢ଼େ ଦୁଇଟା ହେବ । ସେ ଯୁଆଡ଼େ ଖାଇପିଇ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି । କିଏ ଘର କବାଟ ବନ୍ଦ କରି ବିଚ୍‌ ଦାଣ୍ଡ ମଝିରେ ଶୋଇ ଯାଇଛି । କେହି ବା ଦାଣ୍ଡ ପିଣ୍ଡାରେ ଗାମୁଛା ଖଣ୍ଡକ ବିଛାଇ ଦେଇ ପିଢ଼ାପଟାଟା ମୁଣ୍ଡତଳେ ଦେଇ ଶୋଇ ପଡ଼ିଛି ଦାଣ୍ଡ କବାଟଟା ମେଲା ରଖି ଟିକିଏ ଥଣ୍ଡା ଲାଗିଲେ ଘର ଭିତରକୁ ଯିବ ବୋଲି ମନରେ ପାଞ୍ଚି ଶୋଉ ଶୋଉ ଶୋଇ ପଡ଼ିଛି । ଏକାବେଳକେ ବେସୁର । କେହି କେହି ବୁଢ଼ା ମଣିଷ ଘର ଦୁଆରବନ୍ଧ ଉପରେ ମୁଣ୍ଡ ଦେଇ ଉପରକୁ ମୁହଁକରି ପାଟିଟା ମେଲାକରି ଶୋଇ ଯାଇଛି, ତାର ନିଶ୍ୱାସ କେତେବେଳେ ନାକ ବାଟେ ତ ଆଉ କେତେବେଳେ ପାଟିବାଟେ ଚଳାଚଳ ହେବା ଦ୍ୱାରା ‘ହଁ- ଘଁ, ହଁ ଘଁ’ ଶବ୍ଦ ଶୁଣାଯାଉଛି । କେଉଁଠି ଭୁଆଷୁଣୀ ମାଇପେ ଖଞ୍ଜା ଭତିରେ ଦୁଆର ମଝିରେ ହେଁସଟା ବିଛେଇ ଦେଇ ଘମାଘୋଟ ନିଦରେ ଶୋଇ ଯାଇଛନ୍ତି ଯେ ଚେତା ଚଇତନ ନାହିଁ; ମୁଣ୍ଡରୁ, ଛାତିରୁ ପିନ୍ଧିବା ଶାଢ଼ୀ ଅଲଗା ହୋଇ ପଡ଼ିଛି । କେଉଁଠି ପୋଖରୀ ମାଇପିଟା କନ୍ଥା ଉପରେ କଅଁଳା ପିଲଟିକୁ ଶୁଆଇ ଦେଇ ଦରଦର ନିଦରେ ଘୁମାଇ ପଡ଼ୁଛି ପୁଣି ନିଦ ଭାଙ୍ଗିଲେ ପିଲାଟିକୁ ହାତ ମାରି ମାରି ଦେଉଛି । ବେଳେ ବେଳେ ପୁଣି ଆଖି ବୁଜି ଯିବାରୁ ଗରମକୁ ମାରି ହାତରେ ଧରିଥିବା ବିଞ୍ଚଣାଟା ପିଲା ଉପରେ ପଡ଼ିଯାଉଛି । ପିଲା ଚମକିପଡ଼ି କାନ୍ଦି କନ୍ଦି ରା’ ଧଇଲେ ପୁଣି ନିଦ ଭାଙ୍ଗିଯାଉଛି ।

 

ରାଘବାନନ୍ଦଙ୍କ ଦାଣ୍ଡ ଚଉପାଢ଼ୀ ମେଲାରେ ଗାଁର କେତେ ଲୋକ ଆସି କେହିବା ଗାମୁଛା, କେହିବା ଚାଦର, କେହି ସପ ଖଣ୍ଡେ ତ କେହି ଖଜୁରୀ ପଟି ଖଣ୍ଡେ ଅଥବା ନଡ଼ିଆ ଚାଞ୍ଚ ଖଣ୍ଡେ ଖଣ୍ଡେ ପକାଇ, କିବା ସିମେଟ ଚାନ୍ଦିନୀତଳ ଝାଡ଼ି ବାହାଘର ବରଯାନ୍ତ୍ରୀଙ୍କ ପରି ଶୋଇ ଯାଇଛନ୍ତି । ଚଉପାଢ଼ୀ ଚାନ୍ଦିନୀକୁ ଲାଗି ନଡ଼ିଆଗଛ ଗୁଡ଼ାକ । ସାମନାଟା ଖୋଲାଥିବାରୁ ପବନ ବି ଟିକିଏ ଟିକିଏ ବହୁଛି । ଖରାଦିନ ବୋଲି ଅନେକ ଲୋକ ଏଠାରେ ଆସି ଆରାମରେ ଶୋଇଯାନ୍ତି-। ରାଘବାନନ୍ଦ ନିଜର ଫିତା ଖଟଟା ଆଣି ବାହାର ଖଞ୍ଜା ମେଲାରେ ପକାଇ ଶୋଇଛନ୍ତି-। ବୋହୁ ପାଖରେ ଅଝଟ ହୋଇଥିବା ନାତି ଟୋକାଟାକୁ ଆଣି ପାଖରେ ଶୁଆଇଛନ୍ତି ।

 

ଏହି ସମୟରେ ଘନରଥଙ୍କ ଘରଆଡ଼ୁ ବିକଳିଆ ଡାକ ଶୁଭିଲା । ‘ଧାଇଁପଡ଼ ହୋ, ଧାଇଁ ଆସ ହୋ, ମୋ ଘରେ ନିଆଁ ଲଗିଗଲା ?

 

ଖରାଦିନିଆ ରାତି । ରାତି ପହିଲି ପହରକୁ ତ ସାଧାରଣତଃ ଲୋକଙ୍କୁ ନିଦ ହୁଏ ନାହିଁ-। ଅଧରାତି ଆଡ଼କୁ ନିଦ ଲାଗେ । ରଥଙ୍କ ଡାକ ବା ଶୁଭୁଛି କାହାକୁ । କିଛିକ୍ଷଣ ପରେ ପାଟି ଶୁଣି ଲୋକେ ଦୌଡ଼ାଦୌଡ଼ି ହୋଇ ରଥଙ୍କ ଘରପାଖେ ପହଞ୍ଚିବେଳକୁ ଘରରୁ ଅଧେ ଜଳି ଭସ୍ମିଭୁତ ହୋଇଗଲାଣି । ରଥେ ପ୍ରାଣ ବିକଳରେ ଆଗ ପିଲା ଛୁଆଙ୍କୁ ବାହାରକୁ ଘେନି ଆସିଲେ । ପେଡ଼ି ପେଟରା, ଓଳିଆ କେତେଟା ଛଡ଼ା ଆଉ ଯାହା ଥିଲା ସବୁ ଜଳି ପୋଡ଼ି ଶେଷ । କ୍ରମେ ଲୋକ ଗହଳି ହୋଇ ପାଟିରେ ଗାଁ କମ୍ପିଲା । ସେ ଯେଉଁଠି ଶୋଇଥିଲେ ଉଠି ଆସି ଆଗ ନିଜ ନିଜ ଘର ଚାଳରେ ଚଢ଼ି ଛପର ଓହଳାଇବାରେ ବ୍ୟସ୍ତ ହୋଇ ପଡ଼ିଲେ । କିଏ ଜିନିଷ ପନ୍ତ୍ର ଆଣି ଦାଣ୍ଡ ମଝିରେ ଦୂରକୁକରି ଥୋଇଲାଣି ତ କିଏ ଗରା ମାଠିଆ ଧରି ପାଣିପାଇଁ ଧାଇଁଚି ।’’

 

ରାଘବାନନ୍ଦ ପାକଳ ନିଦରୁ ହାଉଳିଖାଇ ହଠାତ୍‌ ଉଠି ପଡ଼ିଲା ବେଳକୁ ତାଙ୍କ ନାତି ଟୋକାଟା ଖଟିଆରୁ ଗଡ଼ି ପଡ଼ି ଭେଁ ଭେଁ ରଡ଼ି ଛାଡ଼ିଛି । ରାଘବାନନ୍ଦ ଉଠି ଦେଖନ୍ତିତ ନିଆଁ ରଥଙ୍କ ଘର ଟପି ସୁଲୋଚନଙ୍କ ଘର ସମୁଦାୟ ଶେଷ କରି ସାରିଲାଣି । ତା ପାଖକୁ ତାଙ୍କ ଗାଈ ଗୁହାଳ ଓ ଅମାର ଘର । ରାଘବାନନ୍ଦ ପାଟି କରି କରି କଣ୍ଠ ପଡ଼ିଗଲାଣି- ସେ ବିକଳରେ ଚାକରମାନଙ୍କୁ ଡାକ ପକାଇଲେ ‘ଆରେ ପାଣି ଆଣରେ, ପାଣି ଆଣରେ’ । କିଏ କହୁଛି ‘ଗାଈ ବଳଦଗୁଡ଼ାକ ଫିଟାଇଦିଅରେ’ କିଏ ବା କହୁଛି ‘ଆରେ ପିଲା ମାଇପଙ୍କୁ ଦାଣ୍ଡକୁ ବାହାର କରି ଦିଅ ।’ ଅଧିକାଂଶ ଲୋକ ଖାଲି ତୁଚ୍ଛାକୁ ପାଟିତୁଣ୍ଡ କରିବାରେ ଲାଗିଛନ୍ତି । ଅଳ୍ପସଂଖ୍ୟକ କାମୁକା ମରଦ ପାଟିତୁଣ୍ଡ ନ କରି କିଏ ଘରୁ ବାହାରକୁ ଜିନିସପାତି ଟାଣି ଆଣୁଛି, କିଏ ସାହସରେ ସିଢ଼ିରେ ଚଢ଼ିଯାଇ ନିଆଁ ରେ ପାଣି ଢାଳୁଛି । କିଏ ଗରା, ମାଠିଆ, ବାଲଟିରେ ପାଣି ବୁହାଇ ବୁହାଇ ଝାଳନାଳ ହୋଇଗଲାଣି । ସେତିକିବେଳକୁ କେଉଁଠି ଥିଲା ପୂବେଇ ପବନ । ନିଆଁ ଅଣାୟତ ହୋଇଗଲା । ବଡ଼ ବଡ଼ ନିଆଁ ହୁଳାମାନ ପବନରେ ଉଡ଼ି ଘରକୁ ଘର ପୋଡ଼ିବାରେ ଲାଗିଲା । କେବଳ ରାଘବାନନ୍ଦଙ୍କ ଦାଣ୍ଡଖଞ୍ଜା ଏବଂ ଅମାର ଘର ଛଡ ସବୁ ଜଳି ପାଉଁଶ । ଦାଣ୍ଡିମୂଲିଆ ଘର ତା ଉପରେ ଖରାଦିନିଆ ପୂବେଇ ପବନ ନିଆଁ ଲିଭାଇବାର ଜୁ କାହାର ! ଘଣ୍ଟା ଦୁଇଟାରେ ସାରା ସାହୀଟା ଏକାବେଳେ ପୋଡ଼ି ଛାରଖାର ହୋଇଗଲା ।

 

ଆହା ! ପଲ୍ଲୀଗ୍ରାରେ ଘରପୋଡ଼ି କି ଯନ୍ତ୍ରଣା ଦାୟକ ବିପଦ । କଥାରେ କହନ୍ତି ‘ଘୋଡ଼ାଚଢ଼ା ଠାରୁ ସମ୍ପତ୍ତି ନାହିଁ କି ଘରପୋଡ଼ି ଠାରୁ ବିପତ୍ତି ନାହିଁ’ । ପୁରୁଷ ପୁରୁଷ ଧରି, ବରଷ ବରଷ ଲାଗି ଯେଉଁ ଘରକରଣା ଲୋକେ କରିଥିଲେ ସବୁ ଘଣ୍ଟା ଦୁଇଟାରେ ଶେଷ । ସହରମାନଙ୍କ ପରି ମଫସଲ ଗାଁମାନଙ୍କରେ ନିଆଁ ଲିଭାଳୀ ଦଳ ନାହାନ୍ତି କି ଫାୟାର ବ୍ରିଗେଡ଼ ନାହିଁ । ପ୍ରତିବର୍ଷ ବିଶେଷତଃ ଖରାଦିନେ ଯେ କେତେ ଗାଁ ଗଣ୍ଡା ଆକସ୍ମିକ ଭାବରେ ଜଳିଯାଉଛି କେତେ ଧନ, ଜୀବନ, ଗାଈଗୋରୁ, ଛେଳି ମେଣ୍ଢା, କୁକୁଡ଼ା ପୋଡ଼ି ନଷ୍ଟ ହୋଇ ଯାଉଛନ୍ତି ତାର ଇୟତା ନାହିଁ । ଦୈନିକ ଖବର କାଗଜର ସ୍ତମ୍ଭ ଘରପୋଡ଼ି ସମ୍ବାଦରେ ଭରପୁର ହୋଇଯାଉଛି, ଅଗ୍ନିନିର୍ବାପନ ପାଇଁ ପଲ୍ଲୀ ଗ୍ରାମମାନଙ୍କରେ କିଛି ବ୍ୟବସ୍ଥା ନାହିଁ । ଗ୍ରାମଗୋଷ୍ଠୀ, ଜିଲା ଉନ୍ନୟନ ଏବଂ ଜାତୀୟ ସଂପ୍ରସାରଣ ଯୋଜନାରେ, ନିଆଁ ଲିଭାଳୀ ଦଳ ଗଠନ, ସେମାନଙ୍କ ତାଲିମ, ଉପକରଣ ଯଥା ପାଣିପୁଣ୍ଡ ଟବ୍‌, ବାଲଟି, ସିଡ଼ି ପ୍ରଭୃତି ବ୍ୟବସ୍ଥା ହେବା ନିତାନ୍ତ ଦରକାର ।

 

ନୂଆ ଗାଁ ଘରପୋଡ଼ିରେ ବେଶୀ କ୍ଷତିଗ୍ରସ୍ତ ହେଲେ ସୁଲୋଚନ ଓ ଘନରଥ । ସେମାନେ ଏବେ ଅସ୍ଥାୟୀ ଭାବରେ ଆଶ୍ରୟ ନେଲେ ସେବା ଗ୍ରାମ ନୂତନ ଗୃହମାନଙ୍କରେ । ଘରପୋଡ଼ିର କାରଣ ନେଇ ଗ୍ରାମରେ ନାନାପ୍ରକାର କଳ୍ପନା, ଜଳ୍ପନା, ଗପ ମଧ୍ୟ ଶୁଣାଗଲା । କାହାର ଘରୁ ନିଆଁ ଉଠି ଘରପୋଡ଼ି ଯିବାର କାରଣ କିଛି ନଥିଲା । ସମସ୍ତଙ୍କର ବିଶ୍ୱାସ କେହି ଦୋସ୍‌ମନ ଅହନ୍ତାରେ ଏପରି ପାଶବିକ କାଣ୍ଡ ଘଟାଇଛି । ନୂଆ ଗାଁ ଗ୍ରାମବାସୀ ଖାଲି ରକ୍ତଚାଉଳ ଚୋବାଇ ରହିଥାନ୍ତି ଯେପରିକି ଯଦି ଆସାମୀ ଧରା ପଡ଼ନ୍ତା ତାକୁ ଜୀଅନ୍ତା କାମୁଡ଼ି ପକାନ୍ତେ ନଇଲେ ଜଳନ୍ତା ନିଆଁରେ ଛଟପଟ ହୋଇ ମରିଯିବାର ମଜା ଦେଖନ୍ତେ । କିନ୍ତୁ ଚାକ୍ଷୁସ ପ୍ରମାଣର ଅଭାବ । କରମ ଆଦରି ସମସ୍ତେ ଚୁପ୍‌ଚାପ୍‌ ରହିଲେ । ଅନେକ କେବଳ ଅନୁମାନ କଲେ ନୂଆଗାଁ ଓ ଶାସନ ଦୁଇ ସାହି ମଧ୍ୟରେ ମାଲିମକଦ୍ଦମା ଲାଗି ରହିଥିଲା । ହୁଏତ ସେ ସାହିରୁ କେହି ଏପରି କାଣ୍ଡ ନିଶ୍ଚୟ ଘଟାଇଛି । ଜାଣିଶୁଣି ପରର ଗୃହଦାହ କରିବା କମ ଦୁଃସାହସ ଓ ପାପକାର୍ଯ୍ୟ ନୁହେଁ-। ପାପ ବେଶୀ ଦିନ ଲୁଚି ରହେ ନାହିଁ । ଦିନେ ନା ଦିନେ ଏ କଥା ଅବଶ୍ୟ ବାହାରିବ-। ସବୁଦିନ କଣ ଚୋର ଘରେ ଆଲୁଅ ଜଳେ ? ନା, ନିଶ୍ଚୟ ଦିନେ ଅନ୍ଧାର ଘୋଟିବ । ଏ ଅମାନୁଷିକ ତୁମୂଳ ଅଗ୍ନିକାଣ୍ଡ ଯେ ଭିଆଇଲା ତା’ର ଦଣ୍ଡ ତାକୁ ଅବଶ୍ୟ ଦିନେ ନା ଦିନେ ଭୋଗିବାକୁ ପଡ଼ିବ ଏହା ଦେଖେଇ ଦେଖା ।

 

କୋଡ଼ିଏ

 

ଗୁପ୍ତି ମୁଣ୍ଡିଆର ପାଦଦେଶରେ ଗଢ଼ା ଚାଲିଛି ନୂତନ ବସ୍ତି । ବିନିବାବାଙ୍କର ତୀକ୍ଷ୍‌ଣ ବୃଦ୍ଧି ଓ ଦୂରଦର୍ଶିତା ଏବଂ ମଉଜବେଗର ସିଦ୍ଧହସ୍ତ ଏବଂ କର୍ମକୁଶଳତାରେ ଯୋଜନା ଆଗେଇ ଚାଲିଛି । ବର୍ମାର ସେବାଧାମରେ ଥିବା ବିଭିନ୍ନ ଅନୁଷ୍ଠାନର ଘରବାଡ଼ି ଜମି ଜାଗା ବିକ୍ରି ଲବ୍‌ଧ ଧନ ଓ ଅନ୍ୟାନ୍ୟମାନଙ୍କର ସଂଚିତ ଧନକୁ ମୂଳପାଣ୍ଠି କରି ନୂତନ ସେବାଗ୍ରାମରେ ସହଯୋଗ ନୀତିରେ କାମ ଆରମ୍ଭ କରିବାକୁ ଆଉ ଡେରି ରହିଲା ନାହିଁ ।

 

ନୂଆଗାଁର ଲୋକେ ବିଶେଷତଃ ରାଘବାନନ୍ଦ, ସୁଲୋଚନ, ଘନଶ୍ୟାମ ଏବଂ ମୂଲିଆଠାରୁ ମହାଜନ ପର୍ଯ୍ୟନ୍ତ ସମସ୍ତେ ଯଥାଶକ୍ତି ସାହାଯ୍ୟ ଦେଲେ; ପୂର୍ଣ୍ଣ ସହାନୁଭୂତି ଦେଖାଇଲେ ।

 

ବିନିବାବା ଯେ କେବଳ ନୂତନ ବସତିର ଯୋଜନା କରିଥିଲେ ତାହା ନୁହେଁ । ସମଗ୍ର ନୂଆଗାଁ ଜଗନ୍ନାଥପୁର ମୌଜାର ସର୍ବାଙ୍ଗୀନ ଉନ୍ନତି ତାଙ୍କର ବିରାଟ ଯୋଜନାର ଅନ୍ତର୍ଭୁକ୍ତ ଥିଲା ।

 

ଊଣେଇଶ ସତଚାଳିଶ ମସିହା ଅଗଷ୍ଟ ପନ୍ଦର ଭାରତର ସ୍ଵାଧୀନତା ଦିବସ । ଏ ଦିନ ଭାରତ ପକ୍ଷରେ ଏକ ଚିର ସ୍ମରଣୀୟ ଦିବସ । ଏହା ଯାବତଚନ୍ଦ୍ରାର୍କେ ଦେଶର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହି ପବିତ୍ର ଦିବସରେ ନୂତନ ସେବାଗ୍ରାମର ବସତି ଗଠନ କାମ ଶେଷ ହେଲା । ସେହି ପୂଣ୍ୟ ଦିବସରେ ମଧ୍ୟ ଗଠିତ ହେଲା ଏକ ଶୁଭ ଅନୁଷ୍ଠାନ ‘ଉଦୟ ସଂଘ’ ଯାହାର ପ୍ରଧାନ ସୂତ୍ରଧର ବିନିବାବା । ପ୍ରଥମ ଦିନ ସେ ଗ୍ରାମର ଗୋଟିଏ ବଡ଼ ସାଧାରଣ ସଭା ଡକାଇ ଲୋକମାନଙ୍କୁ ବୁଝାଇ କହିଲେ ‘ଭାଇମାନେ, ଅତୀତ କଥା ଭୁଲିଯାଅ । ବର୍ତ୍ତମାନ ଯାହା ଭଲ ତାହା କର । ‘ବର୍ତ୍ତମାନ’ ବି ଆସନ୍ତା କାଲିକୁ ଅତୀତ ଘଟଣାରେ ପରିଣତ ହେବ । ଆଜିଠାରୁ କାଲିପାଇଁ ପ୍ରସ୍ତୁତ ହୋଇ ରୁହ । ଆଶା, ଆକାଂକ୍ଷା, ସାହସ, ଧୈର୍ଯ୍ୟ କାଲି ପାଇଁ ନୂତନ ରୂପରେ ଦେଖାଦେବ ଠିକ୍‌ ଗୁପ୍ତି ମୁଣ୍ଡିଆ ପଛରୁ ଉଦୟ ରବିର ମଧୁର ଛବି ଘେନି ପ୍ରତିଦିନ ନୂତନ ନୂତନ ଉଦ୍ୟମ, ଅଭିନବ ପ୍ରେରଣାରେ ଜୀବନକୁ ତେଜୋମୟ କରିବ । ଏ ମୋର ଅନୁଭୂତି-। ତେଣୁ ସଂଘର ନାମ ହୋଇଛି ଉଦୟ ସଂଘ । ଏହା ସର୍ବୋନ୍ନତିର ଅଗ୍ରଗାମୀ ପ୍ରଭାକର-

 

ପ୍ରଥମେ ଯେଉଁ କର୍ମକର୍ତ୍ତାମାନଙ୍କୁ ନେଇ ଉକ୍ତ ‘ଉଦୟ ସଂଘ’ ଗଠିତ ହେଲା ସେମାନେ ହେଉଛନ୍ତି ମୌଜବେଗ, ଟି. ସାନାୟା, ଜୋନାଥନ ମିଶ୍ର, ଡାକ୍ତର ଦାଶ, ମୁଖ୍ୟ ସେବିକା ଉମା ଦେବୀ, ମେରୀ ମହାନ୍ତି, ବିଦିଆ ଭୋଇ ରାଘବାନନ୍ଦ, ସୁଲୋଚନ, ଘନଶ୍ୟାମ, ଅନାଥ ବନ୍ଧୁ ପ୍ରଭୃତି-। ଦିନକୁ ଦିନ ଉଦୟ ସଂଘରେ ଅନେକ ଯୁବକ, ବୃଦ୍ଧ ମଧ୍ୟ ସଭ୍ୟ ଶ୍ରେଣୀଭୁକ୍ତ ହେଲେ-

 

ଅନାଥା ଶ୍ରମରୁ ଆସିଥିବା ଯୁବକ ଓ ଯୁବତୀମାନଙ୍କୁ ସଂଘର ନିୟମ କଟକଣା ଅନୁସାରେ ଯେ ଯାହା ପାଇଁ ଉପଯୁକ୍ତ ସେମାନଙ୍କୁ ପରସ୍ପର ବୈବାହିକ ସୂତ୍ରରେ ଆବଦ୍ଧ କରି ସେମାନଙ୍କର ନୂଆ ସଂସାର ଗଢ଼ିବାରେ ସୁବିଧା ଦିଆଗଲା । ଛୋଟ ଛୋଟ ଅନାଥ ବାଳକବାଳିକାମାନଙ୍କୁ ସ୍ଥାନୀୟ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷା ଦେବାର ବ୍ୟବସ୍ଥା କରାଗଲା । ଗ୍ରାମରେ ଥିବା ପୁରାତନ ଭଗ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହଟିକୁ ପୁନର୍ବାର ମରାମତି ଓ ସଂପ୍ରସାରଣ କରି ତାହା ଗୋଟିଏ ବାଳକ ଏବଂ ବାଳିକା ମିଶ୍ର ମଧ୍ୟ ବିଦ୍ୟାଳୟରେ ପରିଣତ କରାଗଲା ।

 

ଉଦୟ ସଂଘର ଦ୍ୱିତୀୟ କାର୍ଯ୍ୟ ହେଲା ଗୋଟିଏ ଦାତବ୍ୟ ଚିକିତ୍ସାଳୟ ବସାଇବା । ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ସଂଘର ଗଚ୍ଛିତ ପାଣ୍ଠିରୁ କ୍ରୟ କରାଗଲା ଏବଂ ଜମିଜାଗା ରାଘବାନନ୍ଦ ଏବଂ ସୁଲୋଚନ ଯୋଗାଇ ଦେଇଥିଲେ । ରୋଗୀମାନଙ୍କର ଚିକିତ୍ସା ଏବଂ ସେବା ଶୁଶ୍ରୂଷା କରିବା ପାଇଁ ଡାକ୍ତର ଦାଶ ଏବଂ ମୁଖ୍ୟା ସେବିକା ଉମା ଦେବୀ ସବୁବେଳେ ପ୍ରସ୍ତୁତ ହୋଇ ରହିଥିଲେ । ଚିକିତ୍ସାଳୟର ନାମ ରହିଲା ‘ସ୍ୱର୍ଣ୍ଣମୟୀ ସେବା ସଦନ’ । ସେବା ସଦନ ଗ୍ରାମର ଏବଂ ଆଖପାଖ ଗ୍ରାମମାନଙ୍କର ପ୍ରଭୂତ କଲ୍ୟାଣ ସାଧନ କରିବାରେ ସହାୟତା କଲା । ସେବା ସଦନର ସ୍ୱତନ୍ତ୍ର କମିଟିଙ୍କ ପ୍ରଚେଷ୍ଟାରେ ସମୂହ ଗ୍ରାମର ତଥା ଗ୍ରାମବାସୀଙ୍କର ନାନା ଅସୁବିଧା ଦୂର ହୋଇପାରିଲା । ରାସ୍ତାଘାଟ ସଫା ସୁତୁରା, କୂଅ ପୋଖରୀ ସଫା ଓ ଉଝୁଳା କାମ ବାକି ରହିଲା ନାହିଁ । ଗ୍ରାମରେ ବର୍ଷକୁ ବର୍ଷ କାହାରି ନା କାହାରି ଜ୍ୱର, ଆନ୍ତ୍ରିକ ଜ୍ୱର ଅର୍ଥାତ୍‌ ଟାଇଫଏଡ, ବସନ୍ତ, କଲେରା, ଶିଶୁ ରୋଗ, ସ୍ତ୍ରୀ ରୋଗ, ପ୍ରସୂତୀ ରୋଗରେ ପ୍ରାଣହାନୀ ଘଟୁଥିଲା । ଏହା ବହୁ ପରିମାଣରେ ହ୍ରାସ ହେବାକୁ ଲାଗିଲା । ଯେଉଁମାନଙ୍କର ଜୀବନ ଆଦ୍ୟରୁ ସେବାଭାବରେ ଅନୁପ୍ରାଣିତ, ଜନସେବା ଯେଉଁମାନଙ୍କର ଜୀବନର ଏକମାତ୍ର ବ୍ରତ, ସେମାନଙ୍କ ପକ୍ଷରେ ଏପରି ଜନକଲ୍ୟାଣ କାର୍ଯ୍ୟରେ ସଫଳତା ଲାଭ କରିବା ବିଚିତ୍ର ବା କ’ଣ ? ତା’ପରେ ଡାକ୍ତର ଦାଶ ଥିଲେ ଚିକିତ୍ସା କାର୍ଯ୍ୟରେ ଅମୃତହସ୍ତା ଧନ୍ୱନ୍ତରୀ ଏବଂ ସେବିକା ଉମା ଦେବୀ ଥିଲେ ରୁଗ୍‌ଣ ସେବାରେ ମୂର୍ତ୍ତିମତୀ ଜନନୀ ।

 

ଗୁପ୍ତି ମୁଣ୍ଡିଆ ତଳକୁ ଲାଗିଥିବା ରାଘବାନନ୍ଦଙ୍କ ବିସ୍ତୃତ ଅନାବାଦୀ ଜମି ଆଉ ପଡ଼ିଆ ହୋଇ ରହିଲା ନାହିଁ । ସେତକ ଏବଂ ତା ସାଙ୍ଗକୁ ମଉଜବେଗ୍‌ ଫେରି ପାଇଥିବା ପିତୃପିତା ଅର୍ଜିତ ଆଠ ଏକର ଜମିକୁ ନେଇ ସେବାଗ୍ରାମର ଲୋକେ ଆରମ୍ଭ କରିଦେଲେ କୋଠଚାଷ ସହଯୋଗ ନୀତିର ମିଳିତ ଉଦ୍ୟମରେ ।

 

ତା ପରେ ଚାଲିଲା ଗୁପ୍ତି ମୁଣ୍ଡିଆର ଉନ୍ନୟନ କାର୍ଯ୍ୟ । ରୁକ୍ଷ ଗୁପ୍ତି ମୁଣ୍ଡିଆ ଆଉ ପଡ଼ି ରହିଲା ନାହିଁ ଏକ ନିର୍ଜନ, ଭୀତିପ୍ରଦ, ଶୁଷ୍କ, ପରିତ୍ୟକ୍ତ ଟାଙ୍ଗରା ପାହାଡ଼ ହୋଇ । ହେଲା ଅଳ୍ପଦିନ ମଧ୍ୟରେ ଶାଳ, ଶାଗୁଆନ, କମଳା, କୃଷ୍ଣଚୂଡ଼ା, ବାଂଶ, କଦଳୀ, ପଣସ ଇତ୍ୟାଦି ବୃକ୍ଷାଚ୍ଛାଦିତ ନିକୁଞ୍ଜକାନନ, ପ୍ରୀତିପ୍ରଦ, ସରସ ଓ କୋଳାହଳପୂର୍ଣ୍ଣ ସବୁଜମୟ ସୁବୃହତ ପ୍ରାକୃତିକ ଉଦ୍ୟାନ । ଗୁପ୍ତି ପାହାଡ଼ର ପାଦଦେଶରେ ଥିବା ଚିରସ୍ରୋତା କ୍ଷୁଦ୍ର ଝରଣା ଆଉ ଗୁପ୍ତ ଗଙ୍ଗା ହୋଇ ରହିଲା ନାହିଁ । ନୂଆଗାଁ ଜନସାଧାରଣଙ୍କର କାୟକ୍ଲେଶ, ଶରୀର ଶ୍ରମରେ ଝରଣା ବିସ୍ତୃତ ଓ ଗଭୀର ଭାବରେ ଖନନ କରାଯାଇ ତାହା ଏକ ପ୍ରଚୁର ଜଳରାଶିପୂର୍ଣ୍ଣ, ସୁଦୃଢ଼ ମୃତ୍ତିକା ବନ୍ଧ ବେଷ୍ଟିତ ଜଳଭଣ୍ଡାରରେ ପରିଣତ ହୋଇ ପାରିଛି ଯେଉଁଥିରୁ କି ଜନକଲ୍ୟାଣମୟୀ ସ୍ୱଚ୍ଛ ମନ୍ଦାକିନୀଧାରା ନିତ୍ୟ ପ୍ରବାହିତ ହୋଇ ସନ୍ନିକଟ ଶସ୍ୟକ୍ଷେତ୍ରମାନଙ୍କୁ ରସପ୍ଲାବିତ କରି ହରିତାୟମାନ ମାଧୁରୀରେ ଜନମନପ୍ରାଣ ବିମୋହିତ କରିପାରୁଛି ।

 

ନୂତନ ସେବାଧାମରେ ଗଢ଼ିଉଠିଲା ଏକ ଶ୍ରେଣୀହୀନ ସମାଜ ଯେଉଁଠାରେ କି ନାହିଁ ଧନୀ ନିର୍ଦ୍ଧନର ବିଭେଦ, ହିନ୍ଦୁ, ମୁସଲ୍‍ମାନ, ଇସାଇର ଧର୍ମସାମ୍ପ୍ରଦାୟିକ ମତଭେଦ, ଜାତ୍ୟାଭିମାନ, ବ୍ୟର୍ଥତା, ଉଚ୍ଚନୀଚ ଭାବ, ମର୍ଯ୍ୟଦା ଅମର୍ଯ୍ୟାଦା, ପ୍ରଭୃର ବଡ଼ିମା, ଭୃତ୍ୟର ଦୀନତା, ଗର୍ବୀର ଅହମିକା । ସେବାଗ୍ରାମ ଅଧିବାସୀଙ୍କର ନାହିଁ ବ୍ୟକ୍ତିଗତ ସ୍ୱାର୍ଥନ୍ଧତା ଅଛି ମାତ୍ର ଏକ ଏକାନ୍ନବର୍ତ୍ତୀ ପରିବାରର ଶାନ୍ତି ସୁଖ ସୌଭଗ୍ୟ, ବିଶ୍ୱପ୍ରେମିକତା ।

 

ଏକୋଇଶ

 

ନୂଆଗାଁ ଜଗନ୍ନାଥପୁର ମୌଜାର ପୂର୍ବ ଦିଗରେ ଯେତେବେଳେ ଅରୁଣ ବରଣ ନବୀନ ସୂର୍ଯ୍ୟର ଉଦୟ ହୋଇ ନୂତନ ତେଜରେ ନୂତନ ପର୍ଯ୍ୟାୟରେ ପ୍ରଦୀପ୍ତ ହୋଇ ଉଠୁଛି ସେତେବେଳେ ପଶ୍ଚିମ ଦିଗରେ କାଳିମା ଆବୃତ ଜଗନ୍ନାଥପୁରର ଦିଗ ଭାଗରୁ ଅନ୍ଧତାମମ କ୍ରମଶଃ ଲୁପ୍ତ ହୋଇ ଆସୁଛି । ନବ ତେଜରେ ପୂରାତନ ମ୍ରିୟମାଣ ହୋଇ ପଡ଼ିଛି । ବେଳ ଆସିବ ଯେତେବେଳେ ସମଗ୍ର ଦିଗଭାଗ ସମଗ୍ର ନୂଆଗାଁ ଜଗନ୍ନାଥପୁର ନବୀନ ରୂପ ଧାରଣ କରି ଉଠିବ-। ଏହାର ସୂଚନା ଢେର ଆଗରୁ ମିଳିଲାଣି ।

 

ଏ ପର୍ଯ୍ୟନ୍ତ ମୌଜାର ଦୁଇଟି ସାହୀ ମଧ୍ୟରେ ସଦ୍‍ଭାବ ପୂରାମାତ୍ରାରେ ଆସିନାହିଁ, କାଳବେଳାର ଅବସାନ ଘଟିନାହିଁ । ଏହାର ଉତଥାନ, ଏହାର ପରିବର୍ତ୍ତନ ଅବଶ୍ୟ ନିକଟେଇ ଆସିଲିଣି ଏଥିରେ ସନ୍ଦେହ ନାହିଁ ଏହା ଦୂର ଦୃଷ୍ଟିରେ ଜଣେଇ ଜଣା ।

 

ଯେଉଁଦିନ ରାତିରେ ନୂଆଗାଁ ତୁମୂଳ ଅଗ୍ନିକାଣ୍ଡ ଘଟିଲା ତାର ଠିକ୍‌ ବାସି ଦିନ ପ୍ରେମାନନ୍ଦ ମଠ ଛାଡ଼ି କେଉଁଆଡ଼େ ପଳାଇଛନ୍ତି ତାହା କହି ହେବ ନାହିଁ । ଲୋକ ମୁଖରେ ଭିନ୍ନ ଭିନ୍ନ କଥା ଶୁଣାଯାଉଛି । କିଏ କହୁଛି କାଳେ ଶତ୍ରୁମାନେ ଘର ପୋଡ଼ି ବ୍ୟାପାର ନେଇ ତାଙ୍କୁ କେଶରେ ପକାଇ ଦେବେ ସେ ଭୟରେ କିଛି ସମୟ ପାଇଁ କେଉଁଠାରେ ଲୁଚିଛନ୍ତି ନଚେତ୍‌ ଗଡ଼ପମାରି ଯାଇଛନ୍ତି । କିଏ କହୁଛି ତାଙ୍କର ତୀର୍ଥ କରିଯିବାର ଥିଲା ଯାଇ ପାରିଥାନ୍ତି । କିଏ ବା କହୁଛି ତାଙ୍କର ବଡ ଗୁରୁ ଗୋସେଇଁଙ୍କ ଜରୁରୀ ଡକରା ପାଇଁ ସେ ଚାଲିଯାଇ ଅଛନ୍ତି । ଏପରି ଅନେକ ବିଚାର ଲୋକମାନଙ୍କ ମନକୁ ଆସିଯାଉଛି । କିନ୍ତୁ ପ୍ରକୃତ ଯାହା ଲାଗି ଏ ଘରପୋଡ଼ି କାଣ୍ଡ ହେଲା ସେ ଗୋପରେ ରଜା ହୋଇ ବସିଛି ।

 

ଅନ୍ୟାୟ, ଦୁର୍ନୀତି, ଅସତ୍ୟ, ଅତ୍ୟାଚାରର ତ ଗୋଟାଏ ସୀମା ଅଛି । ଯେତେବେଳେ ତାହା ସୀମା ଲଙ୍ଘନ କରେ ସେତେବେଳ ଅତ୍ୟାଚାରୀର ହୁଏତ ସମୂଳେ ଧ୍ୱଂସ ସାଧିତ ହୁଏ ନତୁବା ତା’ର ଘୋର ଅନୁତାପ ଜାତ ହୋଇ ଜୀବନର ଗତି ସମ୍ପୂର୍ଣ୍ଣ ବଦଳାଇ ଦିଏ । ଅନୁତାପାନଳରେ ଦଗ୍‌ଧ ହୋଇ ଲୁକାୟିତ ବା ମଳିନଗ୍ରସ୍ତ ସଦ୍‌ଗୁଣର ଝଲକ ଜାଜ୍ୱଲ୍ୟମାନ ହୋଇ ଉଠେ । ଏପରି ଦୃଷ୍ଟାନ୍ତର ଅଭାବ ନାହିଁ ।

 

ବାଲ୍ମୀକୀ, ବିଲ୍ୱମଙ୍ଗଳ, ଅଜାମିଳ, ଚଣ୍ଡାଶୋକଙ୍କର ଜୀବନ କାହାଣୀ ଏହାର ଜ୍ଵଳନ୍ତ ନିଦର୍ଶନ । କୁକାର୍ଯ୍ୟରୁ ମଧ୍ୟ ବେଳେବେଳେ ଚେତନାର ଜାଗୃତି ଆସେ । ମନ୍ଦରୁ ଭଲର ସୂଚନା ମିଳେ । କଣ୍ଟା ଗଛରୁ ତ ପୁଣି ସୁନ୍ଦର ଗୋଲାପ ଫୁଲ ଫୁଟି ଉଠେ, ପଙ୍କରୁ ତ ପଙ୍କଜ ବିକଶିତ ହୁଏ-। ଦୁଃଖ, ଦୈନ୍ୟ, ନୈରାଶ୍ୟରୁ ବି ସୁଖ ସମ୍ଭୋଗ ଆଶାର ସଂଚାର ହୁଏ । ଉଆଁସ ପରେ କ୍ରମେ ବିବର୍ଦ୍ଧମାନ ପୂର୍ଣ୍ଣିମାର ସୌନ୍ଦର୍ଯ୍ୟ ପ୍ରତିଭା ହୁଏ । ନିଦ୍ରା ଭଙ୍ଗ ପରେ ଜାଗ୍ରତ ଅବସ୍ଥା ଆସେ-। ମୃତ୍ୟୁହିଁ ଜନ୍ମର ପୂର୍ବାବସ୍ଥା ।

 

ଯେଉଁ କାରଣରୁ ହେଉ ନା କାହିଁକି ପ୍ରେମାନନ୍ଦ ଏ ମଧ୍ୟରେ ନାନା ତୀର୍ଥ ଭ୍ରମଣ କରି, ନାନା ସାଧୁସନ୍ଥଙ୍କ ସଙ୍ଗ ଲାଭ କରି ଛ’ ମାସ ପରେ ଗ୍ରାମକୁ ଫେରି ଆସିଲେ । ତାଙ୍କର ହାବ ଭାବ, ରୀତି ନୀତି, ବେଶ ଭୁଷା, ଚାଲିଚଲଣ, ଖାଦ୍ୟପେୟ, କଥାଭାଷା ସମ୍ପୂର୍ଣ୍ଣ ବଦଳି ଯାଇଛି । ତାଙ୍କ ଜୀବନରେ ଯେପରି କି ଗୋଟାଏ ଘୋର ପରିବର୍ତ୍ତନ ଲକ୍ଷ କରାଯାଉଛି । ଅନୁତାପ, ପ୍ରାୟଶ୍ଚିତ୍ତ ଯେପରି କି ତାଙ୍କର ଲୋଡ଼ା । ସେ ତାଙ୍କର ସାଙ୍ଘାତିକ ତ୍ରୁଟି ବୁଝି ପାରିଛନ୍ତି । ମଠ କର୍ମଚାରୀ ଚାକର ବାକର ଏବଂ ଗ୍ରାମବାସୀଙ୍କ ପ୍ରତି ତାଙ୍କର ଗୋଟାଏ ଶ୍ରଦ୍ଧା ସୌହାର୍ଦ୍ଦ୍ୟ ଭାବ ଜାଗ୍ରତ ହେଲା ପରି ବୋଧ ହେଉଛି । ନାହିଁ ଆଉ ତାଙ୍କର ପୂର୍ବର ଭ୍ରୂକୁଟୀ କୁଞ୍ଚନ, ନାହିଁ ଆଉ ରକ୍ତାକ୍ତ ନେତ୍ର ଚାହାଣୀ । ତାଙ୍କ ମୁଖରେ ଯେପରି କି ପ୍ରତିବିମ୍ବିତ ହୋଇଛି ସାରଲ୍ୟ, ଅକପଟ ହାସ୍ୟ, ବିନୟ ।

 

ତୀର୍ଥାଟନରୁ ଫେରିବାର ଦିନ ଦୁଇ ତିନିଟା ଯାଇଛି କି ନା ପ୍ରେମାନନ୍ଦ ଥରେ ରାତ୍ର ନଅଟା ସମୟରେ ଗୁପ୍ତି ମୁଣ୍ଡିଆର ବିନିବାବାଙ୍କ ଶାନ୍ତି କୁଟୀରରେ ଅଯାଚିତ ଓ ଅପ୍ରତ୍ୟାଶିତ ଭାବରେ ଯାଇ ଉପସ୍ଥିତ ହେଲେ । ଅକାଳେ ମଠ ମହନ୍ତ ବାବାଜି ପ୍ରେମାନନ୍ଦ ଗୋସ୍ୱାମୀଙ୍କୁ ଦେଖି ବିନିବାବା ଟିକିଏ ଆଶ୍ଚର୍ଯ୍ୟ ହେଲେ । ନିଷ୍ଠା, ସାଧୁତା, ବିନୟର ପ୍ରତୀକ, କର୍ମଯୋଗୀ ବିନିବାବା ପ୍ରେମାନନ୍ଦକୁ ଆଦର ସୂଚକ ବାଣୀରେ ସନ୍ତୁଷ୍ଟ କରାଇ ତାଙ୍କ ପାଖରେ ପଡ଼ିଥିବା ମୃଗ ଛାଲ ବନ୍ଧା ଆରାମ ଚୌକିରେ ବସିବାକୁ ଆସନ ଦେଲେ । ସେ ଦୁଇଜଣଙ୍କ ବ୍ୟତୀତ ସେଠାରେ ଅନ୍ୟ କେହି ନଥିଲେ । ବହୁତ ସମୟ ଧରି ସୁଖ ଦୁଃଖ ଏବଂ ନାନାବିଷୟରେ ଆଳାପ ଆଲୋଚନା ହେଲା । ନୂଆଗାଁ ଜଗନ୍ନାଥପୁର ଶାସନ ଗ୍ରାମର ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ନେଇ ନାନାପ୍ରକାର କଥାବାର୍ତ୍ତା ମଧ୍ୟ ଚାଲିଲା । ବିନିବାବା ଥିଲେ ବଡ଼ ମେଳାପୀ । କଥାବାର୍ତ୍ତା ମଧ୍ୟରେ ସରଳଭାବ, ହସ ଉପହାସ, କୌତୁକ, ଏବଂ ଶିକ୍ଷା ଛଳରେ ଗପ, ଉଦାହରଣ ଦେବା ଏବଂ ପରିଶେଷରେ ଗୂଢ଼ଭାବର ଅଭିବ୍ୟକ୍ତ ଦ୍ୱାରା କଥାବାର୍ତ୍ତା ଶେଷ କରିବା ଥିଲା ତାଙ୍କ କଥାବାର୍ତ୍ତାର ମୌଳିକତା । ଲୋକ ଚିହ୍ନି ସେ କଥାବାର୍ତ୍ତା କରନ୍ତି । ପିଲାଙ୍କ ସଙ୍ଗେ ପିଲା, ଯୁବକଙ୍କ ସଙ୍ଗେ ଯୁବକ ଏବଂ ପ୍ରୌଢ଼ଙ୍କ ସହିତ ପ୍ରୌଢ଼ ପରି କଥାବାର୍ତ୍ତା କରନ୍ତି । ସମୟୋପଯୋଗୀ, ଦରକାରୀ, ଦୈନନ୍ଦିନ ଜୀବନ ନିର୍ବାହରେ ସାହାଯ୍ୟ ହେଲାଭଳି ବିଷୟମାନ କହି ଅବତାରଣା କରି ଲୋକମାନକୁ କିଣି ପାରନ୍ତି । ଏ ସବୁ ହେଲା ତାଙ୍କ ଆଦର୍ଶ ଜୀବନର ବୈଶିଷ୍ଠ୍ୟ ।

 

କେତେକ ମାମୁଲି ସାଧାରଣ ବିଷୟରେ ପ୍ରଶ୍ନୋତ୍ତର କରି ସାରିଲାପରେ ବିନିବାବା ଏବଂ ପ୍ରେମାନନ୍ଦଙ୍କ ମଧ୍ୟରେ ଧର୍ମ ଏବଂ ଜୀବନଦର୍ଶନ ବିଷୟରେ ଆଲୋଚନା ଚାଲିଲା ।

 

ବିନବାବା—ତେବେ ତୁମେ କେଉଁ କେଉଁ ସ୍ଥାନ ବୁଲି ଦେଖିଲ, ଏବଂ ସେଠାରୁ କି କି ଶିକ୍ଷା ଲାଭ କରି ତୃପ୍ତି ଲାଭ କଲ ।

 

ପ୍ରେମାନନ୍ଦ—ଅବଶ୍ୟ ଏ ମଧ୍ୟରେ ମୁଁ କାଶୀ, ବୃନ୍ଦାବନ ମଥୁରା ଅଯୋଧ୍ୟା, ବଦ୍ରିନାଥ, କଲିକତା, ଗୟା ଦ୍ଵାରକା ରାମେଶ୍ୱର, ପୁରୀ ପ୍ରଭୃତି ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁବିଧା ପାଇଲି । ହେଲେହେଁ କେଉଁଠାରେ ମନରଦ୍ୱନ୍ଦ ମେଣ୍ଟାଇ ପାରିଲି ନାହିଁ ।

 

ବିନବାବା—ହଁ ତା ହୋଇପାରେ । ମନରେ ପବିତ୍ରତା ନ ଜନ୍ମିଲେ ତୀର୍ଥ, ବ୍ରତ, ଉପାସନା କରି ବିଶେଷ ଲାଭ ହେବ ନାହିଁ । ତା ସାଙ୍ଗକୁ ହୃଦୟର ଆବେଗ, ପରମାତ୍ମାଙ୍କ ପ୍ରତି ନିଷ୍କପଟ ଶ୍ରଦ୍ଧା, ଏକାନ୍ତ ଈଶ୍ୱର ଭକ୍ତି ଏବଂ ଅନୁରାଗ ନ ଜନ୍ମିଲେ ତୀର୍ଥାଟନ ବା ଶାସ୍ତ୍ରଜ୍ଞାନ ଫଳପ୍ରଦ ହୋଇ ନ ପାରେ । ସେଥିପାଇଁ ଆମର ଭାଗବତାକାର ଯଥାର୍ଥ ଗାଇଛନ୍ତି ।

 

‘ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ’ ମହନ୍ତ ତୁମର ବୟସ କେତେ-?

 

ପ୍ରେ— ବର୍ତ୍ତମାନ ପଇଁତ୍ରିଶ ପୁରିଯାଇ ଛତିଶ ଚାଲୁଛି ।

 

ବିନବାବା—ଓଃ, ତୁମେ ବର୍ତ୍ତମାନ ଯୁବକ, ତୁମର ପୌଢ଼ତ୍ୱ ପୁରାପୁରି ଆସି ନାହିଁ । ଜୀବନରେ ଅନୁଭୂତିର ଢେର ବାକି ରହିଛି । ଯୌବନ, ଧନ, ସମ୍ପତ୍ତି, ପ୍ରଭୃତ୍ୱ, ଅବିବେକିତା ଏ ସବୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଅନିଷ୍ଟର କାରଣ । ଯେଉଁ ଠାରେ ଏ ଚାରୋଟି ଯାକର ଏକମାତ୍ର ସମାବେଶ ସେଠାରେ ସବୁପ୍ରକାର ଅନର୍ଥର ସୃଷ୍ଠି ହେବା ନିଶ୍ଚିତ ଏହା ନୀତି ଶାସ୍ତ୍ର କହୁଛି । ତୁମେ ଏ ଚାରୋଟି ମୋହରେ ପଡ଼ି ଛଟ ପଟ ହେଉଛି ।

 

ପ୍ରେମାନନ୍ଦ—ଆପଣ ଯା କହିଲେ ତା ମୁଁ ବେଶ ବୁଝି ପାରୁଛି । ତେବେ ସେହି ମୋହ ଅନ୍ଧକାର ଦୂର ହେବ କିପରି ସେଥିପାଇଁ ନାନା ସ୍ଥାନ ବୁଲି ବୁଲି ମୋର କୌଣସି ଲାଭ ହେଲାନାହିଁ ବାବା ।

 

ବିନବାବା—ତାର ସୂକ୍ଷ୍ମ ଉପାୟ ତୁମେ ଅବଲମ୍ବନ କରି ନିଶ୍ଚୟ ଶାନ୍ତି ପାଇବ ।

 

ପ୍ରେମାନନ୍ଦ—ଉପାୟ ବତାଇ ଦିଅନ୍ତୁ । ଆପଣଙ୍କୁ ଉପଦେଶ ମୁଁ ନିତଶୀରରେ ଧାରଣ କରିବାକୁ ପ୍ରସ୍ତୁତ ।

 

ବିନବାବା—ତୁମେ ପ୍ରକୃତରେ ପ୍ରସ୍ତୁତ ହୋଇଆସିଛ ?

 

ପ୍ରେମାନନ୍ଦ—ଆଜ୍ଞା ହଁ ।

 

ବିନବାବା—ତୁମେ ନିଜକୁ ନିଆଁରେ ଝାସ ଦେଇପାରିବ । ଅଗ୍ନି ପରୀକ୍ଷା ଦେଲେ ଉପାୟ ଆପେ ଆପେ ମିଳିଯିବ ।

 

ପ୍ରେମାନନ୍ଦ— (ଟିକିଏ ବିବ୍ରତ, ଅନ୍ୟ ମନସ୍କ ଏବଂ ଭୀତତ୍ରାସ୍ତ ହୋଇ) କିଛି ବୁଝି ପାରୁନାହିଁ ବାବା ।

 

ବିନବାବା—ଅଗ୍ନିରେ ପୋଡ଼ି ହୋଇ ମରିବା କଥା ମୁଁ କହୁନାହିଁ । ତା’ ହେଲେ ତ ଆତ୍ମହତ୍ୟା ହେବ ଯାହାକି ତୁମକୁ ଉଦ୍ଧାର କରିବା ପରିବର୍ତ୍ତେ ମହାଗୌରବ, ଘୃଣ୍ୟ ନରକ ଆଡ଼କୁ ଟାଣିନେବ ।

 

ପ୍ରେମାନନ୍ଦ—ତେବେ ।

 

ବିନବାବା—ଅନୁତାପାନଳ କଥା ମୁଁ କହୁଛି, ଅନୁତାପ କର ଅଜ୍ଞାନ ବଶତ ହେଉ ବା ଜ୍ଞାତ ସାରରେ ହେଉ ତୁମର ପୂର୍ବକୃତ ଦୁର୍ନୈତିକ କାର୍ଯ୍ୟ କଳାପ ପାଇଁ ଘୋରତର ଅନୁଚାପ କରି ଅନ୍ତରର ଅନ୍ତରତମ ପ୍ରଦେଶରୁ କ୍ରନ୍ଦନର ଉତ୍ସପ୍ରବାହିତ କରାଇ ଦର୍ଶନେନ୍ଦ୍ରିୟ ଅର୍ଥାତ୍‌ ବେନି ନୟନରୁ ପ୍ରବଳ ଅଶ୍ରୁସ୍ରୋତ ବୁହାଇ ରଖ ତେବେ ତୁମର ପ୍ରାଣ ପବିତ୍ର ହେବ, ଜୀବନ ସାର୍ଥକ ହେବ । ପାରିବ ତ !

 

ପ୍ରେମାନନ୍ଦ—ପାରିବି ।

 

ବିନବାବା—ମୋ କଥାରେ ତୁମର ବିଶ୍ୱାସ ଆସୁଛି ।

 

ପ୍ରେମାନନ୍ଦ—ମୋର ପୂର୍ଣ୍ଣ ବିଶ୍ୱାସ । ଆପଣ କହିବା କଥା ମୁଁ କେତେଟା ଅନୁଭବ କରିଛି । ତା’ କରି ନ ଥିଲେ ମନରେ ଅନୁତାପ ନ ଜନ୍ମିଥିଲେ ମୁଁ ଆଜି ଆପଣଙ୍କ ପାଖକୁ ଆସିଥାନ୍ତି କାହିଁକି ? ଲୌକିକ ମତରେ ଆପଣ ଯେଉଁ ଦଳର ନେତୃତ୍ୱ ନେଇଛିନ୍ତି ସେମାନେ ମୋର ବିରୁଦ୍ଧ ଦଳ ଏହା ଆପଣଙ୍କୁ ଉତ୍ତମରୂପେ ଜଣା । ଶତ୍ରୁ ଯଦି ଆପେ ଆପେ ଆସି ଶରଣାପନ୍ନ ହୁଏ ତେବେ କଣ ସେ ଉପଯୁକ୍ତ ବ୍ୟବହାର ପାଇବା ହକଦାର ନୁହେଁ ?

 

ବିନବାବା—ଉତ୍ତମ । ତୁମେ ବର୍ତ୍ତମାନ ଅନୁତପ୍ତ । ହେଲେ ତୁମର ହୃଦୟାକାଶ ପୂର୍ଣ୍ଣମାତ୍ରାରେ ପାପ, ସନ୍ଦେହ ଅବିଶ୍ୱାସ ରୂପକ ଘନତିମିରାଚ୍ଛନ୍ନ । ମନମଧ୍ୟରେ କଳୁଷ କଳାମେଘର ଉଦୟ ହୋଇ ଚିଦାକାଶକୁ ଘୋଡ଼ାଇ ରଖୁଛି । ତୁମେ ହୃଦୟାକାଶରେ ନିତ୍ୟ, ସତ୍ୟ, ପୂତ ପରମବ୍ରହ୍ମର ଉଜ୍ୱଳ ଜ୍ୟୋତିର ସନ୍ଧାନ କର ।

 

ଈଶ୍ୱର ସମସ୍ତ ପ୍ରାଣୀର ହୃଦୟ ଦେଶରେ ବାସ କରନ୍ତି । କାଷ୍ଠ, ପାଷାଣ, ତରୁତୃଣ, ଅଦ୍ଧଉର୍ଦ୍ଧ୍ୱ, ଆକାଶ ପାତାଳ, ସ୍ୱର୍ଗ ମର୍ତ୍ତ୍ୟ, ହେମ୍‌ମେ, ତୁମମେ ଖମ୍‌ମେ ଏପରି ସବୁଠାରେ ବିଦ୍ୟମାନ ଅଛନ୍ତି । ସର୍ବନ୍ତ୍ର ଈଶ୍ୱରାନୁଭୁତି କରିପାରିଲେ ସବୁଆତ୍ମା ଆତ୍ମା ସଙ୍ଗେ ମିଳାଇ ପାରିଲେ, ସାଧାରଣ କଥାରେ ସବୁ ଲୋକଙ୍କ ମନ ସହିତ ନିଜ ମନର ମେଳ କରାଇପାରିଲେ ତୁମର ଐଶ୍ୱରିକ ଜ୍ଞାନର ବିକାଶ ହୋଇ ପାରିବ ।

 

ପ୍ରେମାନନ୍ଦ—ଉପାୟ ବତାଇ ଦିଅନ୍ତୁ ବାବା !

 

ବିନବାବା—ବେଶ । ପ୍ରକୃତରେ ଅନୁତପ୍ତ ହେବାକୁ ହେଲେ ଶିଶୁଙ୍କପରି ସରଳ, ନିଷ୍କପଟ, ବିଶ୍ୱାସୀ, ସତ୍ୟାଗ୍ରାହୀ ଏବଂ କୌତୁହଳୀ ହେବାକୁ ପଡ଼ିବ । ତୁମର ପୂର୍ବକୃତ ପାପ ସବୁ ପ୍ରକାଶ କଲେ ମନରେ ସତ୍ୟର ସ୍ଥାନ ପ୍ରତିଷ୍ଠିତ ହେବ । ଏ ସବୁ କରିପାରିବ ବୋଲି ମୁଁ ଆଶା କରୁଛି ।

 

ପ୍ରେମାନନ୍ଦ—ଚେଷ୍ଟା କରିବା ପାଇଁ ମୁଁ ଦୃଢ଼ ସଂକଳ୍ପ । ଆଜି ଘଡ଼ିଏ ପାଇଁ ଆପଣଙ୍କ ସଙ୍ଗଲାଭ କରି ମୋର ମନରୁ ଅନେକ ସନ୍ଦେହ ଦୂରକୁ ଦୂରକୁ ଭୂତ, ଛାଡ଼ିଲାପରି ପଳାଇ ଯାଉଛି । ମୁଁ ଆପଣଙ୍କ ପାଖରେ ମୋର ଅତୀତ ଜୀବନର ସମସ୍ତ ଘଟଣା ଖୋଲି କହିବ । ମୋତେ ଆପଣ ଆଶ୍ରୟ ଦିଅନ୍ତୁ ମୋତେ ରକ୍ଷା କରନ୍ତୁ ।

 

ବିନବାବା—ପୁଣି ଶୁଣ । ଅନୁତାପ ପରେ ଆତ୍ମସମର୍ପଣ ଦ୍ୱାରା ସତ୍ୟଶାନ୍ତି, ସଚ୍ଚିଦାନନ୍ଦ ବିଗ୍ରହର ଅନୁଭୂତି ଆସିବ । କିନ୍ତୁ ତା କେବଳ କଳ୍ପନାମୟ ହୋଇ ରହିବ । ଯଦି କର୍ମମୟ ଜୀବନରେ, ବାସ୍ତବ ଜୀବନ କ୍ଷେତ୍ରରେ କାର୍ଯ୍ୟତଃ ଦେଖାଇ ନ ଦିଆଯାଏ ତେବେ ପୂର୍ଣ୍ଣାନନ୍ଦ ଲାଭ ହୋଇପାରିବ ନାହିଁ । ଜନକଙ୍କ ପରି ମହାମହା ଋଷିଙ୍କୁ ତ କର୍ମମାଧ୍ୟମ ଗତି କରିବାକୁ ପଡ଼ିଥିଲା ।

 

ପ୍ରେମାନନ୍ଦ—ଆପଣ ଯେଉଁ କର୍ମ କରିବାକୁ ଆଦେଶ ଦେବେ ମୁଁ ତାହା ଯଥାଶକ୍ତି ପାଳନ କରିବାକୁ ପ୍ରସ୍ତୁତ ଅଛି ।

 

ବିନବାବା—କର୍ମର ସଜ୍ଞା, ତାର ଶ୍ରେଣୀ ବିଭାଗ ଏସବୁ କରିବା ପାଇଁ ମୋର ବେଳ ନାହିଁ କି ତୁମର ସେ ସବୁ ଜାଣିବାର ବର୍ତ୍ତମାନ ସମୟ ଆସି ନାହିଁ । ତେବେ ମୋଟାମୋଟି ଏତିକି କରିବା ଦରକାର । ନିସ୍ୱାର୍ଥପର ଭାବରେ ସତ୍ୟପଥ ଅନୁସରଣ କରିବାକୁ ହେବ, ସଦାଚରଣ ଦ୍ୱାରା ସତ୍‌ସଙ୍ଗରେ ଯୋଗ ଦେଇ ଶୁଦ୍ଧ ନିର୍ମଳ ଜ୍ଞାନ ଲାଭ କରି, ଜୀବର ମଙ୍ଗଳ, ଜନସେବା ଜନକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରି, ଜନତା ଜନାର୍ଦ୍ଦନ, ଦରିଦ୍ର ନାରାୟଣଙ୍କର ସେବାରେ ନିଜକୁ ଆତ୍ମହରା କରାଇବାକୁ ପଡ଼ିବ । ତାହାହିଁ କାମ୍ୟ, ତାହାହିଁ କରଣୀୟ ।

 

ପ୍ରେମାନନ୍ଦ—ମୁଁ ଆପଣଙ୍କ ଗୁଢ଼ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରସ୍ତୁତ ଅଛି । ମୋତେ ଆଶା ଦିଅନ୍ତୁ ।

 

ବିନବାବା—ହଁ, ତା’ କରିବା ପୂର୍ବରୁ ତୁମକୁ କେତେକ ନୀତି ନିୟମ ପାଳନ କରିବାକୁ ହେବ । ଶୃଙ୍ଖଳାର ବହିର୍ଭୂତ ହେଲେ କାର୍ଯ୍ୟର ଅଗ୍ରଗତିରେ ଯଥେଷ୍ଟ ସନ୍ଦେହ ରହିଛି । ଉଦୟ ସଂଘର ସଭ୍ୟମାନଙ୍କର ପରାମର୍ଶରେ ତୁମକ ସଂଘଭୁକ୍ତ କରାଯିବ । ଏ ବିଷୟ ମୁଁ ତୁମକୁ ଠିକ୍‌ ସମୟରେ ଜଣାଇ ଦେବି ।

 

ବିନବାବା—ଯାହାହେଉ ମୁଁ ଆପଣଙ୍କର ଏହି ଉଦୟ ସଂଘର ଶରଣ ପଶୁଛି ।

 

ଏହିପରି କିଛି ସମୟ କଥାବାର୍ତ୍ତା କରି ପ୍ରେମାନନ୍ଦ ବିନିବାବାଙ୍କ ଆଶ୍ରମରୁ ବିଦାୟ ନେଇ ମଠାଭିମୁଖେ ଫେରିଲେ । କିଛିଦିନ ଅତିବାହିତ ହେଲା ।

 

ସେବାଗ୍ରାମ ଓ ଉଦୟ ସଂଘର ପ୍ରତିଷ୍ଠା ଦିନରୁ ଏବଂ ସଂଘର ବିବିଧ ଲୋକହିତକର କାର୍ଯ୍ୟକଳାପ ଫଳରେ ଜଗନ୍ନାଥପୁର ଗ୍ରାମବାସୀମାନଙ୍କ ମଧ୍ୟରେ ତିକ୍ତତା ଢେର କମି ଆସିଲା । ‘ପାର୍ବତୀ ହତ୍ୟା’ ମୋକଦ୍ଦମାରେ ନୂଆ ଗାଁ ଲୋକେ ନିର୍ଦ୍ଦୋଷରେ ଖଲାସ ହେଲେ । ସେମାନେ ତିଆଡ଼ିଙ୍କ ବିରୁଦ୍ଧରେ ମାନହାନୀ ଖେସରା ମୋକଦ୍ଦମା ଦାୟର କରିଥିଲେ । ତାହା ମଧ୍ୟ ନିଷ୍ପତି ହୋଇସାରିଛି । ହାକିମଙ୍କ ରାୟ ଅନୁସାରେ ଆରତ ତିଆଡ଼ିଙ୍କଠାରୁ ଜରିମାନା ସ୍ୱରୂପ ଆଦାୟ ହୋଇଥିବା ଏକ ହଜାର ଟଙ୍କା ନୂଆଁଗାଁ ଲୋକେ ଆଣି ଉଦୟ ସଂଘର କୋଠାପାଣ୍ଠିରେ ଅମାନତ ଦେଇଛନ୍ତି । ସର୍ତ୍ତ ରହିଛି କୌଣସି ଗବେଷଣାମୂଳକ ତଥ୍ୟ ବା ନୂତନ ଉଦ୍ଭାବନ ପାଇଁ ଉକ୍ତ ପୁରସ୍କାର ବଣ୍ଟନ କରାଯିବ । ଏବେ କେତେଦିନ ହେବ ଦୁଇ ସାହି ମଧ୍ୟରେ କୌଣସି ତକରାଳ, ମାଲିମକଦ୍ଦମା କି ମନୋମାଳିନ୍ୟ ନାହିଁ ।

 

ଏ ମଧ୍ୟରେ ସଂଘର କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ ବଡ଼ ମଠମହନ୍ତ ପ୍ରେମାନନ୍ଦ ତାଙ୍କର ରକ୍ଷିତା ମୃତମାତାର ପୁତ୍ର ଅନାଥବନ୍ଧୁ ନାମରେ ଆଠ ଏକର ଔଲ ନମ୍ବର ଜମି ଦାନପତ୍ର ଦଲିଲ ରେଜିଷ୍ଟ୍ରୀ କରାଇ ଦେଲେ । ଠାକୁରଙ୍କର ସେବାପୂଜା ପାଇଁ ଆବଶ୍ୟକ ଜମି ରଖି ମଠର ଅବଶିଷ୍ଟ ସମସ୍ତ ସମ୍ପତ୍ତି ଉଦୟ ସଂଘ ମାର୍ଫତ ଦେଇ ବିନିବାବାଙ୍କ ଗୁପ୍ତିମୁଣ୍ଡିଆ ଶାନ୍ତି ଆଶ୍ରମରେ ରହି ଅଧିକାଂଶ ସମୟ ଶାସ୍ତ୍ରଲୋଚନା, ଗୀତାପାଠ, ଈଶ୍ୱରୋପାସନା ଏବଂ ସେବା କାର୍ଯ୍ୟରେ ଲାଗିଲେ ।

 

ବାଇଶି

 

ବଗୁଲି, ବଗୁଲି—ବଗୁଲିଆ, ହେ ବଗୁଲିଆ’ ବୋଲି ତିଆଡ଼ିଏ ସ୍ୱର ଲମ୍ବାଇ ଡାକ ଛାଡ଼ିଲେ କାହିଁ କେହି ଶୁଣିବାକୁ ନାହାନ୍ତି । ସାରା ରାତି ଅନିଦ୍ରା ରହି ବଗୁଲିକୁ ପାହାନ୍ତାକୁ ଟିକିଏ ନିଦ ଆସିବାରୁ ସେ ବାରିଖଞ୍ଜା ପଟାଟା ଉପରେ ଗାମୁଛା ବିଛେଇ ବାଁ ହାତଟାକୁ ତକିଆରୂପେ ବ୍ୟବହାର କରି ନିଘୋଡ଼ ନିଦରେ ଶୋଇଯାଇଛି । ତିଆଡ଼ିଏ ଡାକିଲେ ସେ ଶୁଣୁଛି କେଉଁଠୁ ? ସେତେବେଳକୁ ପ୍ରାୟ ସକାଳ ସାଢ଼େ ସାତ ବାଜି ଗଲାଣି । କିଛିକ୍ଷଣପରେ ବଗୁଲି ଚଟପଟ ଉଠି ପଡ଼ିଲା । ପାହାନ୍ତା ଆଡ଼କୁ ନିଦ ହୋଇଥିଲା । ପାଟିରେ ପାନଖିଲଟା ଜାକି ଶୋଇ ଯାଇଥିଲା । ଉଠିଲାବେଳକୁ ପାନପିକ ଓ ବୋଳଗୁଡ଼ାକ ଓଠ ଗାଲ ପାଖକୁ ବହି ଆସି ଶୁଖି ଯାଇଛି । ଦୁଇ ଆଖି କୋଣରେ ନେନ୍ଧ୍ରା ଗୁଡ଼ାକ ଲାଗି ରହିଛି । ସେ ହଠାତ୍‌ ଉଠିଆସି ‘ଏ ଆଉ ମଣିଷକୁ ଶୁଆଇ ଦେବେ ନାହିଁ, ମଣିଷ ରାତି ଅନିଦ୍ରା ହୋଇ ବେମାର ହୋଇଯିବ’ ଏହିପରି ଗୁଣୁ ଗୁଣୁ ହୋଇ ଯାଇ ତିଆଡ଼ିଙ୍କ ଶୋଇଲା ଖଟ ପାଖରେ ଠିଆ ହୋଇପଡ଼ି କହିଲା, ‘କ’ଣ କହୁଚ ସାଆନ୍ତେ ?’ ‘ଅଧୁଆ ମୁହଁ ମୋ ଆଗରେ ଦେଖା ନା’ କହି ତିଆଡ଼ିଏ ବଗୁଲିଆକୁ ଶୋଧନଟାଏ ଦେଲେ । ବଗୁଲିଆ ଝଟପଟ୍‌ ଯାଇ କୂଅରୁ ନୋଟାଏ ପାଣି କାଢ଼ି ପକାଇ ଭଲରୂପେ କୁଳୁକୁଞ୍ଚା ଏବଂ ମୁହଁ ଆଖି ଧୋଇନେଲା । ତାପରେ ତିଆଡ଼ିଙ୍କ ପାଖରେ ଚୁପ୍‍ ହୋଇ ଠିଆ ହେଲା ।

 

ତିଆଡ଼ି—ତୋତେ ପରା କହିଥିଲି, ବଡ଼ି ଭୋରରୁ ଉଠି ଟିକିଏ ଡାକ୍ତରକୁ ଡାକି ଆଣିବୁ-। ଔଷଧ ତ ସରିଲାଣି । ଆଉ କଣ ଦବେଇ ଖାଇବାକୁ ହେବ ବୁଝିବା କଥା ।

 

ବଗୁଲିଆ ଅଳସ ଭାଙ୍ଗିବାର ଭଙ୍ଗି କରି ଉତ୍ତର ଦେଲା, ଡାକ୍ତର ବାବୁ କାଲି ନିଜେ କହିଛନ୍ତି ଏବେ ଆସିବା ପାଇଁ । ମୋ ଯିବାର ଦରକାର ନାହିଁ ।’’

 

ଏହା କହି ବଗୁଲି ତିଆଡ଼ିଙ୍କୁ ଦାନ୍ତପାଣି କରାଇ ଦେଇ ବାସି ବିଛଣା ବଦଲାଇ ଦେଲା । ତା ପରେ ଗୋଟିଏ ପାଚିଲା କମଳାଲେମ୍ବୁ ଚୋପା ଛଡ଼ାଇ କୋଲାଏ କୋଲାଏ ତିଆଡ଼ିଙ୍କ ହାତକୁ ବଢ଼ାଇ ଦେଲା । ତା’ପରେ ଯାଇଁ ଘରଝଡ଼ା, ଦୁଆରଓଳା, ବାସନ ମଜା ପ୍ରଭୃତି ଅନ୍ୟାନ୍ୟ ଘର କାମରେ ଲାଗି ପଡ଼ିଲା ।

 

କିଛିକ୍ଷଣ ପରେ ଡାକ୍ତର ଦାଶ ପୂର୍ବକଥିତମତେ ରୋଗୀ ଦେଖିବାକୁ ଆସିଲେ । ତିଆଡ଼ିଙ୍କ ଦାଣ୍ଡରେ ପହଞ୍ଚି ଦେଖନ୍ତି ତ ଏ ପର୍ଯ୍ୟନ୍ତ ଦାଣ୍ଡ କବାଟ ଫିଟି ନାହିଁ । ସେ କିଛି ସମୟ ଠିଆ ହୋଇ ରହିଲେ । ଅବଶ୍ୟ ତିଆଡ଼ି ବୁଢ଼ାଙ୍କୁ ଚିକିତ୍ସା କଲାଦିନରୁ ଡାକ୍ତର ଦାଶ କେବେ ତାଙ୍କ ଘରକୁ ଆସି ନ ଥିଲେ ।

 

ତିଆଡ଼ିଏ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଟିକିଏ ଭଲ ହେବା ପରେ ଘରକୁ ଆସିଲେ ଭାରି । ତେଣୁ ଡାକ୍ତର ବାବୁଙ୍କର ତିଆଡ଼ିଙ୍କ ଘରଠାକୁ ଆସିବା ଆବଶ୍ୟକ ନ ଥିଲା । ତିଆଡ଼ି କାହିଁକି ଖବର ଦେବାରୁ ସେ ଆଜି ତାଙ୍କୁ ଦେଖିବାକୁ ଆସିଛନ୍ତି । ଡାକ୍ତରଖାନାରେ ଚିକିତ୍ସା କଲାଦିନରୁ ତିଆଡ଼ିଙ୍କ ପ୍ରତି ଡାକ୍ତରଙ୍କର ମମତା ମଧ୍ୟ ଢେର ବଢ଼ିଛି ।

 

ତିଆଡ଼ିଙ୍କ ଦାଣ୍ଡଦୁଆର ଚାନ୍ଦିନି ଉପରେ ଠିଆ ହୋଇ ଡାକ୍ତର ଦାଶ ମନ ମଧ୍ୟରେ କେତେ କଥା ଭାବି ଯାଉଛନ୍ତି । ତାଙ୍କର ବାଲ୍ୟ ସ୍ମୃତି ଜାଗି ଉଠୁଛି । ସେ ଭାବୁଛନ୍ତି, ଯେଉଁ ଦାଣ୍ଡ, ଯେଉଁ ପିଣ୍ଡାରେ ସେ ପାଞ୍ଚବର୍ଷରୁ ପନ୍ଦର ବର୍ଷ ବୟସ ହେବା ପର୍ଯ୍ୟନ୍ତ ସୁଖସ୍ୱାଚ୍ଛନ୍ଦ୍ୟରେ କଟାଇଥିଲେ, ଯେଉଁଠାରେ କେତେ ପିଲାଙ୍କ ମେଳରେ ବସି ଚାନ୍ଦିନୀ ଉପରେ ଧୂଳିଘର କରି ଖେଳୁଥିଲେ ସେହି ସ୍ଥାନ ଠିକ୍‌ ସେହିପରି ଅଛି । ଆଜି ସେ ଅପରିଚିତ ଭାବରେ ବାହାରେ ଠିଆ ହୋଇ ଚାହିଁ ରହିଛନ୍ତି କେହି ଲୋକ ଆସିଲେ ଘର ଭିତରକୁ ଖବର ଦେବେ । ସେ ଘର ଭିତରେ ପ୍ରବେଶ କରିବାକୁ ସଂକୋଚ ବୋଧ କରୁଛନ୍ତି । ତାଙ୍କର ଆଜି ଯେପରି କି ଏ ଘରେ କିଛି ଅଧିକାର ନାହିଁ ।

 

ଅନେକ ଥର ଡାକ୍ତର ଦାଶ ଭାବିଥାନ୍ତି ନିଜକୁ ଆଉ ଅଧିକ କାଳ ଆତ୍ମଗୋପନ କରି ନ ରଖି ତିଆଡ଼ିଙ୍କୁ ନିଜେ ନିଜେ ଯାଇ ପରିଚୟ ଦେଇ ପକାଇବେ, କ୍ଷୁବ୍‌ଧ ପ୍ରାଣକୁ ଟିକିଏ ସାନ୍ତ୍ୱନା ଦେବେ । କିନ୍ତୁ ପରମୁହୂର୍ତ୍ତରେ ପୁଣି ମନର ସେ ଆବେଗ ସ୍ୱତଃ ବାଧାପ୍ରାପ୍ତ ହୁଏ । ଆଜି କାହିଁକି ଯେ ତାଙ୍କ ମନର ବ୍ୟାକୁଳତା ବେଶୀ ବଢ଼ୁଛି ତାହା ସେ ନିଜେ ମଧ୍ୟ କିଛି ଭାବି ସ୍ଥିର କରିପାରୁ ନାହାନ୍ତି । ସକାଳ ନଅଟାବେଳକୁ ସମୟ ଦେଇ ସେ ଆଠଟାବେଳକୁ ଆସି ତିଆଡ଼ିଙ୍କ ଦାଣ୍ଡଦୁଆରେ ଠିଆ ହୋଇଛନ୍ତି ଅଧଘଣ୍ଟାଏ କାଳ ତଳକୁ ମୁହଁ ପୋତି । ଘରର ମାୟା ମମତା ପୁଣି ତାଙ୍କୁ ଟାଣି ଆଣିଛି ଅତି ଉଦ୍‌ବେଗରେ, ଯେପରି କି ସବୁକଥା ସେ ବାପା ମାଙ୍କ ଆଗରେ ସଙ୍ଗେ ସଙ୍ଗେ ଖୋଲି କହିଦେବେ ଓ ସେମାନଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କ୍ଷମା ଓ ଆଶୀର୍ବାଦ ଭିକ୍ଷା କରିବେ । ଡାକ୍ତର ଦାଶ ସେ ପର୍ଯ୍ୟନ୍ତ ଜାଣି ନ ଥିଲେ ତାଙ୍କର ପୋଷିଲା ମା ବହୁଦିନରୁ ଇହଜଗତ ଛାଡ଼ି ଚାଲି ଯାଇଛନ୍ତି ବୋଲି ।

 

ଶେଷକୁ ସେ ଆଉ ଅଧିକ ସମୟ ଅପେକ୍ଷା ନ କରି କବାଟରେ ହାତ ବାଡ଼େଇ ଡାକିଲେ, ‘ବେହେରା-ବେହେରା—ଏ ବେହେରା’ । ଡାକ ଶୁଣି ବଗୁଲିଆ ଆସି ଧଡ଼୍‌କରି ଦାଣ୍ଡର ଯାଉଁଳି କବାଟ ଫିଟାଇ ଦେଇ ଦେଖେ ତ ଠିଆ ହୋଇଛନ୍ତି ବଡ଼ ଡାକ୍ତର ବାବୁ । ସେ ସଙ୍ଗେ ସଙ୍ଗେ ଦଉଡ଼ି ଯାଇ ତିଆଡ଼ିଙ୍କୁ ଖବର ଦେଲା ‘ସାଆନ୍ତେ, ଡାକ୍ତର ବାବୁ ଘରକୁ ଆସିଛନ୍ତି ।’ ତିଆଡ଼ିଙ୍କର ଖଟରୁ ଓହ୍ଳାଇବାର ଶକ୍ତି ନ ଥାଏ । ତଥାପି ତିଆଡ଼ିଏ ନିଜେ ବିଛଣାରୁ ଉଠିଆସି ଡାକ୍ତରଙ୍କୁ ପାଛୋଟି ନେବାର ବୃଥା ଚେଷ୍ଟା କରିବା ପୂର୍ବରୁ ଡାକ୍ତର ନିଜେ ନିଜେ ଆସି ପହଞ୍ଚିଯାଇ ‘ବାବା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ବିଛଣାରୁ ଉଠିଲେ ଅସୁସ୍ଥ ବୋଧ କରିବେ’ କହି ବିଛଣା ପାଖରେ ବସିଗଲେ ।

 

‘ବାବା’ ଏହି ଅପୂର୍ବ ସମ୍ବୋଧନ ବହୁଦିନ ପରେ ଶୁଣି ତିଆଡ଼ିଙ୍କର ହୃଦୟଯନ୍ତ୍ରର ଅଙ୍ଗେ ଅଙ୍ଗେ ଯେପରି କି ଗୋଟଏ ସ୍ପନ୍ଦନ ଖେଳିଗଲା । ସେ କାନ୍ଦ କାନ୍ଦ ହୋଇ କହି ପକାଇଲେ, ‘ବାବା ଡାକ୍ତର, ତୁ ମୋର ଯେଉଁ ସେବା ଶୁଶ୍ରୂଷା କରିଛୁ ତା ଜନ୍ମକଲା ପୁଅ ବି କରି ପାରି ନଥାନ୍ତା । ଧର୍ମତଃ ତୁ ମୋର ପୁଅ । ମୋତେ ଯେପରି ସାଙ୍ଘାତିକ ନେମୁନିଆ ଧରିଥିଲା ସେବାଗ୍ରାମ ଡାକ୍ତରଖାନାରେ ତୁ ଯଦି ମୋର ଚିକିତ୍ସା ଏବଂ ସେବା କରି ନ ଥାନ୍ତୁ ତାହାହେଲେ ମୁଁ ଆଉ ଏତେବେଳକୁ ଏ ଇହଧାମରେ ନ ଥାନ୍ତି । ଏ ଜରାଜୀର୍ଣ୍ଣ ମାଟି ଶରୀର କେଉଁଦିନଠାରୁ ମାଟିରେ ମିଶିଯାଆନ୍ତାଣି ।

 

ଡାକ୍ତର ତିଆଡ଼ୀଙ୍କ ନାଡ଼ି ଦେଖି ସାରି ଷ୍ଟେଥୋସ୍କୋପରେ ଛାତି ପିଠି ସବୁ ପରୀକ୍ଷା କରି କହିଲେ, ବାବା, ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭଲ ଅଛି, ଆଉ କିଛି ଭୟର ଆଶଙ୍କା ନାହିଁ । ମୋତେ ଡକାଇବାର କିଛି ଆବଶ୍ୟକତା ନ ଥିଲା । ଏପରି କହି ସେଠାରୁ କିପରି ପଳାଇଯିବେ ଭାବିଲେ । କିଛି ଉପାୟ ନ ଦେଖି ମିଛରେ ଗୋଟିଏ ବାହାନା କରି କହିଲେ, ବାବା ମୁଁ ତେବେ ଆସୁଛି । ବହୁତ ବିଳମ୍ବ ହେଲାଣି, ତେଣେ ସେ କାରିସର ରୋଗୀଟା ସେବିକାମାନଙ୍କୁ ବ୍ୟତିବ୍ୟସ୍ତ କରୁଥିବ ।

 

‘କେଉଁ ରୋଗୀ’ ବୋଲି ତିଆଡ଼ିଏ ପଚାରିଲେ । ଡାକ୍ତର ସପନି ମିଶ୍ରଙ୍କ ନାମ ଉଚ୍ଚାରଣ କଲାମାତ୍ରେ ତିଆଡ଼ି କ୍ରୋଧରେ କହି ଉଠିଲେ ସପନା-ସପନା ସେ ମୋର ସର୍ବନାଶ କରିଛି । ମୋର ଘର ସଂସାର ଉଚ୍ଛନ କରିଛି । ମୋ ଜୀବନରେ ଯନ୍ତ୍ରଣା ଅଶାନ୍ତି ସୃଷ୍ଟି କରିଛି ସେହି ସପନା-। ତା’ର ନା ଧରିବାକୁ ମୋର ଜିଭ ଲେଉଟୁ ନାହିଁ । ମୋ ଆଖି ଆଉ ତାକୁ ଦେଖିବାକୁ ଚାହୁ ନାହିଁ-। ସେ ନର୍କ ଯନ୍ତ୍ରଣା ଅନୁଭବ କରୁ ଏ ମୋ ପରି ବୃଦ୍ଧର ଅଭିଶାପ ।

 

ପ୍ରକୃତରେ ତିଆଡ଼ିଏ ଡାକ୍ତରଙ୍କୁ ଡାକି ନଥିଲେ ନିଜକୁ ଦେଖାଇବା ପାଇଁ କିନ୍ତୁ ତାଙ୍କର ମନର କେତେକ ସନ୍ଦେହ ଦୂର କରାଇବା ପାଇଁ, ତିଆଡ଼ିଏ କେତେ ଦିନ ହେବ ନାନାପ୍ରକାର ସ୍ୱପ୍ନ ଦେଖିବା କଥା କହିଲେ । ଗତ ଦୁଇ ରାତି ହେଲା ତାଙ୍କର ସ୍ତ୍ରୀ ତାଙ୍କୁ ସପନରେ ଡାକି କହୁଛନ୍ତି ‘ହରି ତୁମକୁ ଆରୋଗ୍ୟ କରିବ’ ଏଥିରେ ଡାକ୍ତର କହିଲେ ଶରୀର ଓ ମନ ଅସୁସ୍ଥ ରହିଲେ ନାନାପ୍ରକାର ସ୍ୱପ୍ନ ଦେଖାଯାଏ । ସ୍ୱପ୍ନ କେତେବେଳେ ସତ କେତେବେଳେ ମିଛ ହୁଏ ।

 

ତିଆଡ଼ିଙ୍କ ଇଙ୍ଗିତରେ ବଗୁଲି ଚା, ଜଳଖିଆ ସଜାଡ଼ି ଆଣି ଥୋଇଦେଲା । ତିଆଡ଼ିଏ ପୁନରାୟ ବିଛଣାରୁ ଉଠିବାକୁ ବ୍ୟଗ୍ରତା ପ୍ରକାଶ କରି କହି ଉଠିଲେ, ‘ବାବା, ଦେ ଖାଇଦେ । ଏ ପରା ତୋ ଘର ।’

 

‘ତୋ ଘର’ ଏହି ଶବ୍ଦ ଶୁଣି ଡାକ୍ତରଙ୍କ ଦୁଇ ଆଖିରୁ ଦୁଇ ଝଲକା ଉଷ୍ମ ଅଶ୍ରୁ ବୋହି ପଡ଼ିଲା । ଡାକ୍ତର ଖାଇବେ କ’ଣ କୋହ ସମ୍ବରଣ ନ କରି କାନ୍ଦି କାନ୍ଦି ତିଆଡ଼ିଙ୍କ ପାଦ ଦୁଇଟି ଧରି ‘ବାବା, ବାବା’ କହି ମୁଣ୍ଡ ଲଗାଇଦେଲା । ତିଆଡ଼ିଙ୍କ ଭଗ୍ନ ଶରୀରରେ ପ୍ରବଳ ଶକ୍ତିର ସଂଚାର ହୋଇ ଉଠିଲା । ସେ ଏକାବେଳକେ ଉଠି ପଡ଼ି ‘ବାପ ହରିହର’ କହି ଡାକ୍ତରକୁ କୁଣ୍ଡାଇ ପକାଇଲେ ଏବଂ ଭୋ ଭୋ କାନ୍ଦିବାକୁ ଲାଗିଲେ । ପିତା ପୁତ୍ରଙ୍କର ଅପୂର୍ବ ମିଳନ ଦେଖି ବଗୁଲି ବାରିକ ସ୍ତମ୍ଭୀଭୂତ ହୋଇ ରହିଥିଲା । ତାର ମଧ୍ୟ ଦୁଇ ଆଖିରୁ ଦୁଇଧାର ଅଶ୍ରୁ ଝରଝର ହୋଇ ଗଡ଼ି ପଡ଼ିଲା-

 

କିଛିଦିନ ପରେ ବିନିବାବାଙ୍କ ଅନୁମତି ପାଇ ଡାକ୍ତର ଦାଶ ସେବାଗ୍ରାମରୁ ତାଙ୍କର କ୍ୱାଟର ଛାଡ଼ି ନିଜଘରେ ରହିଲେ । ବୃଦ୍ଧ ପିତାଙ୍କର ସେବା ଶୁଶ୍ରୂଷା କରିବାରେ ଲାଗିଲେ । ତିଆଡ଼ିଏ ମଧ୍ୟ ଅଳ୍ପ ଦିନରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ବଡ଼ ସୁଖୀ ହେଲେ । ତାଙ୍କର ଏକାନ୍ତ ଇଚ୍ଛା କିପରି ହରିହରର ମଙ୍ଗଳକୃତ୍ୟ ସମାପନ କରି ସାରିଲେ ତାଙ୍କର କାମ ଶେଷ ହେବ ସେ ଆଖି ବୁଜିବେ । ବୃଦ୍ଧ ଶରୀର, ଘଡ଼ିକ କଥା ଘଡ଼ିକୁ ନାହିଁ । କେତେବେଳେ କେଉଁ କଥା; ତେଣୁ ତିଆଡ଼ିଙ୍କର ଇଚ୍ଛା କିପରି ପୁଅର ବିବାହ କାର୍ଯ୍ୟଟା ଶୀଘ୍ର ହୋଇଯାଉ । କିନ୍ତୁ ହରିହର ସହଜରେ ଧରା ଦେଉନାହିଁ କି ବିବାହ ହେବାକୁ ରାଜି ହେଉ ନାହିଁ । ତିଆଡ଼ିଏ ଅନେକ ଜାଗାରେ ମଧ୍ୟ ପ୍ରସ୍ତାବ ପକେଇଲେଣି । କେଉଁଠି ଘର ଭଲ ତ କନ୍ୟାପାତ୍ରୀ ସୁବିଧା ନୁହେଁ, କେଉଁଠି ପାତ୍ରୀଟି ସୁବିଧା ହେଲେ; ମଧ୍ୟ ଉପଯୁକ୍ତ ଶିକ୍ଷା ନାହିଁ । ତିଆଡ଼ିଏ ମରହଟିଆ ଲୋକ ହେଲେହେଁ ତେଙ୍କର ଅଭିଜ୍ଞତା ତ ଅଛି । ସେ ଆଧୁନିକ ଶିକ୍ଷିତ ଯୁବକମାନଙ୍କ ମତିଗତି ସବୁ ଲକ୍ଷ କରି ପାରିଛନ୍ତି । ସୁତରାଂ ତାଙ୍କର ଇଚ୍ଛା ଭଲ ସ୍ଥାନରେ ପୁଅକୁ ବିବାହ କରାଇବେ ଏବଂ ଯେଉଁଠି କରିବେ ହରିହର ମତ ନେଇ । ଏ ମଧ୍ୟରେ ସେ ଗୋଟିଏ ଭଲପାତ୍ରୀ ପାଇଁ ତାଙ୍କର ପରିଚିତ ଲୋକମାନଙ୍କୁ କହି ରଖିଛନ୍ତି ।

 

ତେଇଶି

 

ହରିହର ଅନେକ ଦିନରୁ ଆସି ନିଜ ଘରେ ରହିଥାଏ । ପ୍ରତିଦିନ ସକାଳୁ ଉଠି ଡାକ୍ତରଖାନାର ଡିଉଟି ସାରି ଘରକୁ ଫେରେ । ହରିହର କେବେ ଭାବି ନ ଥିଲା ଯେ ସେ ପୁଣି ଗାଁକୁ ଫେରିବ । ପୁଣି ତିଆଡ଼ିଏ ତାକୁ ଆଦର କରି ନିଜର ପୁଅ ବୋଲି ସ୍ୱୀକାର କରିବେ । କିନ୍ତୁ ପୁରୁଷର ଭାଗ୍ୟ କେତେବେଳେ ପଥର ତଳେ ତ କେତେବେଳେ ପତର ତଳେ । ତା’ର ମନରେ କେତେ ଭାବି ସୁଖ ଆଶାର କଳ୍ପନା ଖେଳି ଯାଉଛି । ତେଣେ ତାର ପୋଷ୍ୟପିତା ପୁଅର ଘର ସଂସାର କରାଇ ସଂସାରରୁ ତ୍ରାହି ପାଇବେ ବୋଲି ସବୁବେଳେ ଜିଦ୍‌ଧରି ବସୁଛନ୍ତି । ହରିହର ଆଖି ଆଗରେ ଦେଖୁଛି ଅନାଥାଶ୍ରମର କେତୋଟି ଯୁବକ ଯୁବତୀ ଉଦୟ ସଙ୍ଘର ପରାମର୍ଶ କ୍ରମେ ଏବଂ ବିନିବାବାଙ୍କ ନିର୍ଦ୍ଦେଶମତେ ବିବାହ ସୂତ୍ରରେ ଆବଦ୍ଧ ହୋଇ ସେମାନଙ୍କର ନୂଆ ସଂସାର ଗଢ଼ି ବସିଲେଣି । ତିଆଡ଼ିଙ୍କର ବିପୁଳ ସମ୍ପତ୍ତିର ମାଲିକ ସେ । ତା ପକ୍ଷରେ ଘର ସଂସାର କରିବାଟା ନିହାତ୍‌ ଦରକାର । ଅନେକ ଜାଗାରୁ ତା ପାଇଁ ବିବାହ ପ୍ରସ୍ତାବ ଆସୁଛି । ସେ ସବୁ ପ୍ରସ୍ତାବ ନାକଚ କରିଦେଉଛି ।

 

ଯୁଦ୍ଧ କ୍ଷେତ୍ରରୁ ଆନୀତ ହୋଇ ଯେତେବେଳେ ସେ ସେବାଧାମରେ ଚିକିତ୍ସିତ ହେଉଥିଲା ସେତେବେଳେ ସେଠାକାର ମୁଖ୍ୟା ସେବିକା ଉମାଦେବୀଙ୍କ ପ୍ରତି ତାର ଗୋଟାଏ ଆକର୍ଷଣ ଆପେ ଆପେ ଜାତ ହୋଇଥିଲା । ସେବିକାର ସେବା ଶୁଶ୍ରୂଷା ହରିହର ଜୀବନ ଥିବାଯାଏ ଭୁଲି ପାରିବ ନାହିଁ । ସେଥିପାଇଁ ତାର ହୃଦୟ ଅନେକ ଥର ବ୍ୟାକୁଳ ହୋଇ ଉଠିଥିଲା ଏବଂ ଉମାର ପରିଚୟ ନେବାପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲା । ସେବିକା ଉମାର ରୁପ, ଗୁଣ, ସ୍ୱଭାବ ହରିହରକୁ ଅତୀବ ବିମୋହିତ କରି ଦେଇଥିଲା । କିନ୍ତୁ ଯେତେବେଳେ ହରିହର ଜାଣିଲା ଉମାଜାନ ଏକ ମୁସଲ୍‍ମାନ ରମଣୀ ସେଥିରେ ତାର ମନର ଆବେଗ ଏବଂ ଶୂନ୍ୟଶାଳା ନିର୍ମାଣ ଏକାବେଳେକେ ଭାଙ୍ଗି ପଡ଼ିଲା । ଘରଦ୍ୱାର ଛାଡ଼ି, ଜ୍ଞାତି, ବନ୍ଧୁ, କୁଟୁମ୍ବ, ଗାଁ ଘରର ମାୟା ସମ୍ପୂର୍ଣ୍ଣ ପରିତ୍ୟାଗ କରି ସେ ଜନ ସେବାରେ ନିଜର ସାରା ଜୀବନ ନିୟୋଜିତ କରିବ ବୋଲି ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇଥିଲା । ସେବାଧାମର ସଂସ୍କୃତି ମଧ୍ୟରେ ଥାଇ ଶ୍ରେଣୀହୀନ ସମାଜର ଆବେଷ୍ଠନୀ ମଧ୍ୟରେ ନିଜକୁ ରଖି ପାରିଥିଲେ ସେ ଜାତି ପ୍ରତି ମମତା ନ ରଖି ହୁଏତ ଯେ କୌଣସି ଗୋଟିଏ ରମଣୀକୁ ଜୀବନର ସହଚରୀରୂପେ ଗ୍ରହଣ କରି ପାରିଥାନ୍ତା; କିନ୍ତୁ ଆଜି ସେ ଭିନ୍ନ ପରିସ୍ଥିତିରେ ଆସି ଯାଇଛି । ବୃଦ୍ଧ ପିତାଙ୍କର ଆଦେଶ, ଅଭିଳାଷ ଅବମାନନା କରି ସେ ଅକୁଳରୁ ସ୍ତ୍ରୀ ଗ୍ରହଣ କରିବ ବା କିପରି ? ଲୋକେ କ’ଣ ଭାବିବେ ।

 

ସେବିକା ଉମା ପ୍ରତି ହରିହର ଆକୃଷ୍ଟ ହୋଇଥିଲା ସତ; କିନ୍ତୁ ଗାଁକୁ ଫେରି ସେବିକାର ଆଶା ତାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବାକୁ ପଡ଼ିଲା । ହେଲେହେଁ ଉମା ସହିତ ଏକତ୍ର ସେ ବହୁଦିନରୁ କାମ କରି ଆସୁଛି । ଉମା ପ୍ରତି ତାର ଆନ୍ତରିକତା, ଘନିଷ୍ଠତା ଦିନକୁ ଦିନ ବୃଦ୍ଧି ପାଉଛି । ତାର ଯେପରି ମନେ ହେଉଛି ଉମାକୁ ଚିରସଙ୍ଗିନୀ ରୂପେ ନ ପାଇଲେ ତାର ଜୀବନ ନୀରସ ଓ ଦୁଃଖମୟ ହୋଇଯିବ; କିନ୍ତୁ ସମାଜର କଠୋର ନୀତି ନିୟମ ବନ୍ଧନ ବା ସେ ତୁଟାଇ ପାରିବ କିପରି ? ଏପରି ସନ୍ଦେହ ଦୋଳାରେ ତାର ମନ ସବୁବେଳେ ଆନ୍ଦୋଳିତ ।

 

ଅନେକ ଥର ହରିହର ଭାବେ, ସେ ଉମାକୁ ଯାଇ ତାର ମନକଥା କହି ଦିଅନ୍ତି । କିନ୍ତୁ ପାରେ ନା । ସେବାଗ୍ରାମରେ ଯେତେ ଲୋକ ବାସ କରନ୍ତି ସେମାନଙ୍କୁ ବଡ଼ ସଂଯତରେ ରହିବାକୁ ପଡ଼େ । ବିନିବାବାଙ୍କର କଠୋର ଶାସନ ହିଁ ତାର ମୁଖ୍ୟ କାରଣ । ସେ ଯେପରି ନାନା ପ୍ରଲୋଭନ ଏଡ଼ି ନିଜର ଆଦର୍ଶ ନିଷ୍କଳଙ୍କ ଚରିତ୍ର ଗଠନରେ ସକ୍ଷମ ହୋଇଛନ୍ତି ସେ ଚାହାନ୍ତି ତାଙ୍କ ଶାସନରେ ଥିବା ସମସ୍ତ ଯୁବକ ଯୁବତୀ, କିଶୋର କିଶୋରୀଙ୍କୁ ସେ ସେହି ଛାଞ୍ଚରେ ଗଢ଼ିବେ । ତେଣୁ ସେବାଗ୍ରାମରେ ଆଦର୍ଶ ଚରିତ୍ରରୁ ସ୍ଥଳନ ହେବାର ଆଶଙ୍କା ଲେଶ ମାତ୍ର ନାହିଁ ।

 

ସେବାଧାମରେ ଥିବାବେଳେ ହରିହର ଉମା ବସାକୁ ଅନେକ ଥର ଯାଇଥାଏ କାରଣ ପାଖାପାଖି ବସା । ସେ ଆଗେ ଉମା ସାଙ୍ଗରେ ଅବାଧରେ ମିଶି ପାରୁଥିଲା । କିନ୍ତୁ ଯେଉଁ ଦିନଠାରୁ ସେ ତାର ନିଜ ଘରକୁ ଆସିଲାଣି ସେ ସମୟରୁ ସେ କ୍ୱଚିତ୍‌ ଉମା ସାଙ୍ଗରେ ଆଳାପ କରିବାର ସୁବିଧା ପାଏ ।

 

ଥରେ ଅପରେସନ ଥିଏଟରରେ ଉମା ସହିତ ବହୁତ ସମୟ ଆଳାପ କରିବାର ସୁଯୋଗ ମିଳିଲା । ଅପରେସନ ଶେଷ ହେଲା । ସେମାନଙ୍କୁ କେତେ ଘଣ୍ଟା ସମୟ ଅବସର ମିଳିଲା । ଉମାର ଏକାନ୍ତ ଅନୁରୋଧ ରକ୍ଷାକରି ଉଭୟେ ଚାଲିଲେ ଉମା ବସାକୁ ଟିକିଏ ମନଖୁସି (ରିଫ୍ରେଶ) କରିବା ପାଇଁ ଉମା ଚଟାପଟ ଷ୍ଟୋଭଟା ନଗାଇ ଟିକିଏ ଚା କରି ପକାଇଲା । ହରିହରର ତ ଚା ଅଭ୍ୟାସ ନାହିଁ, କିନ୍ତୁ ଭଦ୍ରତା ଖାତିରରେ କପ୍‌ରୁ ଚା’ ତକ ଢକ ଢକ କରି ପିଇ ଦେଲା । ଉଭୟ ବସି ଗପ ଆରମ୍ଭ କଲେ ।

 

ସେବିକା—ଡାକ୍ତର ବାବୁ ମୁଁ ଶୁଣୁଥିଲି ଆପଣଙ୍କର ବିବାହ ନିକଟରେ ହେଉଛି ।

 

ଡାକ୍ତର—ହଁ, ହୋଇପାରେ । ସେଥିରୁ ତୁମକୁ ବା କ’ଣ ମିଳିବ ?

 

ସେବିକା—ଜଣେ ସହକର୍ମିଣୀ ହିସାବରେ ଆନନ୍ଦ ମିଳିବ ନାହିଁ କି ? କିଛି ନ ମିଳିଲେ ଭୋଜିଟାଏ ତ ମିଳିବ ?

 

ଡାକ୍ତର—ହଁ, ଉମା, ତୁମର ଯଦି ଏପରି ବିବାହ ହୁଅନ୍ତା ତୁମେ ଭୋଜି ଦିଅନ୍ତ ନା ?

 

ସେବିକା—ମୋର ବିବାହ ପ୍ରଶ୍ନ ତ ଏକାବେଳେକେ ଉଠୁ ନାହିଁ ।

 

ଡାକ୍ତର—କାହିଁକି ?

 

ସେବିକା—ଆପଣ ସିନା ତିଆଡ଼ିଙ୍କ ପରି ବଡ଼ ଲୋକଙ୍କର ଏକମାତ୍ର ପୁଅ, ବିପୁଳ ସମ୍ପତ୍ତିର ମାଲିକ ହେବ ଆଉ ମୁଁ—’ ।

 

କହୁ କହୁ ଉମାର ଆଖି ଛଳ ଛଳ ହୋଇଗଲା । ସେ ରୁମାଲ ବାହାର କରି ଆଖିର ନୁହ ପୋଛି ପକାଇଲ ।

 

ଡାକ୍ତର—ଛି, ଉମା । କଥା କହୁ କହୁ ତୁମେ ଏପରି କାନ୍ଦି ପକାଉଛ ନା ? ବଡ଼ Sentimental ଅଭିମାନିନୀ ଦେଖୁଛି ତୁମକୁ । ତୁମେ ପରା ସେବିକା । ନିଜେ ଧୈର୍ଯ୍ୟ ହରାଇ ବସିଲେ ସେବା କାର୍ଯ୍ୟ କରିବ କିପରି ?

 

ସେବିକା—ହଁ ଡାକ୍ତର ବାବୁ ସେଟା ମୋର ଦୁର୍ବଳତା ବୋଲି ମୁଁ ସ୍ୱୀକାର କରୁଛି । କିନ୍ତୁ ଅବଳା ଯେ ସ୍ୱଭାବରେ ଦୁର୍ବଳା । ଛାଡ଼ ସେ କଥା । ମୋର ପ୍ରଶ୍ନର ଉତ୍ତର ଦେବାକୁ ଆପଣ ଏତେ ନାରାଜ କାହିଁକି ? ହଁ, ଯେତେହେଲେ ତ ପର କୋଉ ଆପଣାର ରକ୍ତ ସମ୍ପର୍କ ଅଛି ଯେ ।

 

ଡାକ୍ତର—ନା, ନା ଉମା, ତା ନୁହେଁ, ବିଶ୍ୱାସ କର । ମୋର ବିବାହ କଥା ତୁମେ ଯେପରି ଭୁଲିଯିବ ମୁଁ ସେଥିପାଇଁ ଚେଷ୍ଟା କରୁଥିଲି ।

 

ହଁ, ଦୁଇଟି ସ୍ଥାନରୁ ପ୍ରସ୍ତାବ ଆସିଛି । ପ୍ରଥମଟି ହେଉଛି ଭିଞ୍ଜାରପୁର ଶାସନରୁ । ପାତ୍ରୀଟି ସେତେ ପାଠ ଶାଠ ପଢ଼ିନାହିଁ କିନ୍ତୁ ବଡ଼ ଧନୀ ଘରର ପିଲା । ବହୁତ ଦେବା ନେବାର ପ୍ରତିଶ୍ରୁତି, ପ୍ରଲୋଭନ ସେମାନେ ଦେଉଛନ୍ତି । ପାତ୍ରୀଟିର ଗଢ଼ଣ ମନ୍ଦ ନୁହେଁ ରୂପ ଗୌର ବର୍ଣ୍ଣ ।

 

ସେବିକା—ଅପରଟି ।

 

ଡାକ୍ତର—ସେଟି ହେଉଛି କୃଷ୍ଣପୁର ଶାସନ ପେନସନ ପ୍ରାପ୍ତ ଡେପୁଟି କଲେକ୍ଟର ବଳଭଦ୍ର ମିଶ୍ରଙ୍କର କନ୍ୟା । ପାତ୍ରୀଟି ଉଚ୍ଚ ଶିକ୍ଷିତା । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ଏ ବର୍ଷ ଇଂରାଜୀରେ ଅନର୍ସ ରଖି ବି: ଏ: ପାସ୍‌ କରିଛି । ବର୍ଣ୍ଣ ଟିକିଏ ଶ୍ୟାମଳ । ଦେଖିବାକୁ ମଧ୍ୟ ସୁନ୍ଦର କିନ୍ତୁ ତୁମ ପରି ନୁହେଁ ଉମା ।

 

ସେବିକା—ମୁଁ ମୋର ସୌନ୍ଦର୍ଯ୍ୟକୁ ଧିକ୍‌କାର କରେ । ତୁମେ ଅନେକ ସମୟରେ ମୋତେ ଏପରି ଉଲ୍ଲେଖ ଦେଇ ଲଜ୍ଜିତ କରିବା କି ଉଚିତ ଡାକ୍ତର ବାବୁ ?

 

ଡାକ୍ତର—ଉଚିତ କଥା କହିବାରେ ଅନ୍ୟାୟ କଣ ? ଯେଉଁଠାରେ ଏକାଧାରାରେ ରୂପ ଓ ଗୁଣର ସମାବେଶ ହୋଇଛି ସେଠାରେ ପ୍ରଶଂସା କରିବା ତ ସ୍ୱଭାବିକ ।

 

ସେବିକା—ସେ କଥା ଛାଡ଼ନ୍ତୁ । ତେବେ ମୋ ମତରେ ଦ୍ୱିତୀୟ ପ୍ରସ୍ତାବଟି ଭଲ ହୁଅନ୍ତା-

 

ଡାକ୍ତର—ବ୍ୟକ୍ତିଗତ ମତ ଦେବାର ତୁମର ଅଧିକାର ଅଛି ଅବଶ୍ୟ । ତେବେ ମୁଁ ଆଜିକାଲି ଉଚ୍ଚ ଶିକ୍ଷିତା ନାରୀଙ୍କୁ ଆନ୍ତରିକ ଘୃଣା କରେ ।

 

ସେବିକା—କାହିଁକି ? ଉଚ୍ଚ ଶିକ୍ଷା ପାଇବା କଣ ନାରୀର ଅଧିକାର ନାହିଁ ? ଏ କଣ ଉଚ୍ଚ ଶିକ୍ଷାର ଦୋଷ ନା ସମାଜର ଦୋଷ ?

 

ଡାକ୍ତର—ଅଧିକାର, ଥାଇପାରେ ଉମା । କିନ୍ତୁ ଆଜିକାଲି ଉଚ୍ଚ ଶିକ୍ଷା ପାଇଥିବା ଯୁବତୀମାନଙ୍କର ଅବସ୍ଥା କ’ଣ ହେଉଛି ତା’ ତୁମେ ଜାଣିନାହଁ ଉମା । ସଂବାଦପତ୍ରର ପତ୍ରେ ପତ୍ରେ, ନାଟକ ଉପନ୍ୟାସର ଛତ୍ରେ ଛତ୍ରେ କି ଯେ ବ୍ୟଭିଚାର ହେଉଛି ତା କଣ ଜାଣନା ?

 

ସେବିକା—ନାଟକ, ଉପନ୍ୟାସ ସେ ତ ସବୁ କବି କଳ୍ପନା ।

 

ଡାକ୍ତର—ତା’ ହେଲେ ମଧ୍ୟ ସାହିତ୍ୟ ମାଧ୍ୟମରେ ସମାଜର ଚିତ୍ର ରୀତି ନୀତି ବର୍ଣ୍ଣନା କରିବାଟା ତ କବିର କର୍ତ୍ତବ୍ୟ । କାରଣ ସାହିତ୍ୟ ଓ ସମାଜର ଘନିଷ୍ଠ ସମ୍ବନ୍ଧ ରହିଛି ରହିବ ।

 

ସେବିକା—ଅବସର ବିନୋଦ ପାଇଁ ମୁ ମଧ୍ୟ ବେଳେ ବେଳେ ନାଟକ ଉପନ୍ୟାସ ଗଳ୍ପ, କାହାଣୀ ପଢ଼ିଛି । ଉପନ୍ୟାସ ପଢ଼ିବା ମୋର ଟ୍ରେନିଂ ସମୟରେ ଗୋଟାଏ ବଡ଼ ଝୁଙ୍କ୍‌ଥିଲା । ଲାଇବ୍ରେରୀରେ ମଧ୍ୟ ବହୁତ ଓଡ଼ିଆ ପୁସ୍ତକ ରଖାଯାଇଥିଲା । ମୋର କ୍ଷୁଦ୍ର ବୁଦ୍ଧିରେ ମୋର ଯା ଧାରଣା ସେଥିରେ ମୁଁ ଏପରି ନଗ୍ନ ଏବଂ ବାଜେ ଉପନ୍ୟାସ ପଢ଼ିବାର ସପକ୍ଷରେ କେଭେଁ ମତ ଦେବି ନାହିଁ ।

 

ଅନେକ ସମୟରେ ଔପନ୍ୟାସିକ ଏବଂ ନାଟକକାରମାନେ ଉପନ୍ୟାସ ଏବଂ ନାଟକର କାଟ୍‌ତି ପାଇଁ ନାନା ଅପ୍ରାସଙ୍ଗିକ ଏବଂ ବାସ୍ତବ କ୍ଷେତ୍ରରେ ସମାଜରେ ଘଟୁ ନ ଥିବା କଥାର ମିଥ୍ୟା ଅବତାରଣା ମଧ୍ୟ କରିଥାନ୍ତି ।

 

ଡାକ୍ତର—ଏହା ଦ୍ୱାରା କ୍ଷତି କଣ ?

 

ସେବିକା—କ୍ଷତି ଢେର ଅଛି । ଆମ ସାହିତ୍ୟରେ ଉପନ୍ୟାସର ଜନ୍ମ ଅଳ୍ପ କେତେଟା ବର୍ଷ ହେବ । ଫକୀର ମୋହନ, ରାମଶଙ୍କର ଏପରି ଲେଖାର ପ୍ରଥମେ ସୂତ୍ରପାତ କଲେ । ସେମାନଙ୍କର ଲେଖା ଓ ଆଜିକାଲିକା ଲେଖାରେ ଆକାଶ ପାତାଳ ପ୍ରଭେଦ । ସେମାନେ ତ ସମାଜଚିତ୍ର ଅଙ୍କନ କରିବାରେ, ବ୍ୟକ୍ତି ବିଶେଷଙ୍କର ଚରିତ୍ର ଚିତ୍ରଣ କରିବାରେ ଆଦୌ ତ୍ରୁଟି ରଖି ନାହାନ୍ତି । ଭାଷା, ଶୈଳୀ, ଭାବର ଅଭିବ୍ୟକ୍ତି, ଦେଶ କାଳ ବିଚାର କରି ସବୁ ସୁନ୍ଦର ଭାବରେ ସନ୍ନିବେଶ କରି ଅଛନ୍ତି ।

 

ଡାକ୍ତର—ସେପରି ଲେଖାକୁ ଯେ ଆଜିକାଲି ଏ ନବଯୁଗର ଶିକ୍ଷିତ ଯୁବକ ଏବଂ ଶିକ୍ଷିତା ଯୁବତୀ ପସନ୍ଦ କରୁନାହାନ୍ତି ।

 

ସେବିକା—ପସନ୍ଦ ନ କରିବା ସେମାନଙ୍କର ଜ୍ଞାନର ଅଭାବ ଏବଂ ଅଭିଜ୍ଞତାର ଅଭାବ-

 

ଡାକ୍ତର—ଆଜିକାଲି ନୂତନ ଢଙ୍ଗର ରୋମାଣ୍ଟିକ ଉପନ୍ୟାସ ନ ଲେଖିଲେ ସେ ଔପନ୍ୟାସିକ ବୋଲି ସହଜରେ ବିକେଇ ପାରିବ ନାହିଁ ।

 

ସେବିକା—ତେବେ ଆମ ଦେଶ କାଳ ପାତ୍ର ନେଇ ଆମ ସମାଜର ପ୍ରକୃତ ଚିତ୍ର ଦେଲେ ସିନା ହେବ । ଉପନ୍ୟାସ କାଟୁତି ହେବ ବୋଲି ଆମ ସମାଜରେ ଘଟୁ ନ ଥିବା ଘଟଣାର ଚିତ୍ର ବର୍ଣ୍ଣନା କଲେ ଚୋରକୁ ସିଆଣିଆ କଲା ପରି ହେବ । ପିଲାଙ୍କୁ ଯେପରି ଇୟା କରନା, ତା କରନା ବୋଲି କହିଲେ ସେମାନେ କୁତୁହଳର ବଶବର୍ତ୍ତୀ ହୋଇ ତାହା ହିଁ କରିବାକୁ ଆଗଭର ହୁଅନ୍ତି ସେହିପରି ଉପନ୍ୟାସରେ ଆମ ସମାଜରେ ଘଟୁ ନ ଥିବା ଘଟଣାକୁ, ଅନ୍ୟ ଦେଶର, ଅନ୍ୟ ଭାଷାର ଅନୁକରଣରେ ରୂପ ଦେଇ ଲେଖିବାକୁ ଗଲେ ପାଠକପାଠିକାମାନଙ୍କୁ ଭୁଲ ବାଟରେ ନେଇ ଛାଡ଼ି ଦେବାକୁ ହେବ ।

 

ଡାକ୍ତର—ଆମ ସମାଜରେ ଯେ ବ୍ୟଭିଚାର ନ ହେଉଛି ତାହା ତୁମେ ଦମ୍ଭର ସହିତ କହିପାରିବ କି ଉମା ?

 

ସେବିକା—କାଁ ଭାଁ, ଗୋଟାଏ ଅଧେ ଘଟଣାକୁ ଆମେ ସମାଜରେ ଆଦର୍ଶ ବୋଲି ଧରିନେବା ମାନେ ମସ୍ତ ବଡ଼ ଭୁଲ୍‍ କରିବା । ଡାକ୍ତରବାବୁ ଆପଣଙ୍କର ଧାରଣା ଭୁଲ । ଏଥିପାଇଁ ଆପଣ ଉଚ୍ଚଶିକ୍ଷିତା ନାରୀଙ୍କୁ ଦୋଷଯୁକ୍ତା କରିବା ଘୋର ଅନ୍ୟାୟ । ଆପଣଙ୍କର ଯେଉଁ ସମାଜ କଥା କହୁଛ ସେଥିରେ ଥିବା ଅଶିକ୍ଷିତା ନାରୀମାନେ କ’ଣ ସେ ଦୋଷରୁ ପୂରାପୂରି ମୁକ୍ତି ଲାଭ କରିଛନ୍ତି ? ତା କଦାପି ନୁହେଁ ।

 

ଡାକ୍ତର—ଆଦର୍ଶ ଗୃହିଣୀ ନ ହେଲେ ସାଂସାରିକ ଜୀବନ ଦୁଃଖବହ ହୋଇପଡ଼ିବ ।

 

ସେବିକା—ସେ କଥା କେହି ଅସ୍ୱୀକାର କରୁ ନାହିଁ । ଉଚ୍ଚଶିକ୍ଷା ପାଇ ଯେଉଁ ନାରୀ ତାର ସ୍ୱାମୀ, ତା’ର ଗୁରୁଜନମାନଙ୍କୁ ପ୍ରକୃତ ଆନନ୍ଦ ଦେଇପାରିଲା, ତାର ପୁଅ ଝିଅଙ୍କୁ ମଣିଷ ପରି ମଣିଷ ଗଢ଼ି ପାରିଲା ଏବଂ ତାର କ୍ଷୁଦ୍ର ପରିସରରେ ପାରିବାରିକ ସଂସାରଟି ଚଳାଇ ପାରିଲା ସେହି ହେଲା ଆଦର୍ଶନାରୀ । ଆଧୁନିକ ଶିକ୍ଷିତା ନାରୀର ତାହାହିଁ ପ୍ରଧାନ କର୍ତ୍ତବ୍ୟ ହେବା ଦରକାର । ପାଠ ପଢ଼ିଛି ବୋଲି ଗର୍ବ କରିବା, ସ୍ୱାମୀ ସେବାରେ ଅବହେଳା ଦେଖାଇବା, ସନ୍ତାନସନ୍ତତିଙ୍କୁ ଲାଳନପାଳନରେ ତ୍ରୁଟି କରିବା, ଗୁରୁଜନ ମାନଙ୍କର ସେବା କରିବା କିମ୍ବା ଘରର ଅର୍ଥନୈତିକ ପରିସ୍ଥିତିକୁ ସମ୍ଭାଳି କାମ ନ କରିବା ବିଡ଼ମ୍ବନା ମାତ୍ର ।

 

ଡାକ୍ତର—ମୁଁ ଯୁକ୍ତିରେ ତୁମଠାରେ ହାର ମାନୁଛି ଉମାଦେବୀ । ମୁଁ ଆଶାକରେ ତୁମେ ମୋ ବିବାହରେ ସୁଖୀ ହେବ ।

 

ସେବିକା—ନିଶ୍ଚୟ ହେବି । ଡାକ୍ତର ବାବୁ, ତୁମେ ସନ୍ଦେହ କରୁଛ କାହିଁକି ?

 

ଡାକ୍ତର—ମୋର ମୁଣ୍ଡ ଟିକିଏ ବଥାଇଲାଣି ଉମା, ମୁଁ ଯାଉଛି । ପୁଣି ପରେ ଦେଖା ହେବ । ଆଜି ଗପ କରୁ କରୁ ବହୁତ ଡେରି ହେଲାଣି । ସ୍ୟାଡ଼େ ବୁଢ଼ା ଖାଇବାକୁ ଅନାଇ ବସିଥିବେ-

 

କଥାବାର୍ତ୍ତା ଶେଷ କରି ଡାକ୍ତର ହରିହର ଘରକୁ ଫେରିଲା । ଉମା କଥା ସେ ବରାବର ମନରେ ଭାବୁଛି । ଖାଇବାରେ ମଧ୍ୟ ଅନ୍ୟମନସ୍କ ହୋଇ କେତେଟା ଭଜା, ତିଅଣରେ ମଧ୍ୟ ମୋଟେ ହାତ ମାରିବାକୁ ମନେ ନାହିଁ । ହରିହର ମନେ ମନେ ଭାବୁଥାଏ ସେ ଯଦି ଉମାକୁ ଚିରସଙ୍ଗିନୀରୂପେ ପାଇ ପାରନ୍ତା ତେବେ ତା ଜୀବନ ବଡ଼ ସୁଖଶାନ୍ତିରେ କଟନ୍ତା । ବୁଢ଼ା କଣ ଏଥିରେ ଆଦୌ ମଙ୍ଗିବ ? ତେବେ ବୁଢ଼ା ମଙ୍ଗିବା ନ ମଙ୍ଗିବା ପ୍ରଶ୍ନ ପଛ । ଉମାର ମତଟା କଣ ପରିଷ୍କାର ବୁଝିଲେ ସିନା ଯାହା ହୁଅନ୍ତା । ହରିହର ଭାବିଲା ଉମା ପାଖରେ ତ ସେ ଖୁବ୍‌ମନ ଖୋଲାଖୋଲି କରି କଥାବାର୍ତ୍ତା କରିବାର ସୁବିଧା ପାଇଛି । ଦିନେ ରୋକ୍‌ଠୋକ୍‌ତାକୁ ପଚାରି ଦେଲେ ମନରୁ ସନ୍ଦେହ ତୁଟିଯିବ । ତା ପରେ ଅନ୍ୟ ବିଚାର ।

 

ଚବିଶି

 

ଆଜିକି ପ୍ରାୟ ଆଠଦିନ ହେବ, ନୂଆ ଗାଁ ଜଗନ୍ନାଥପୁରରେ କାହାରିକୁ ଫୁର୍‌ସେତ୍‌ ନାହିଁ-। ସମସ୍ତେ ପାଳି ଅନୁସାରେ ଶ୍ରମଦାନ କରି ଯାଉଛନ୍ତି । ଯାହାଦ୍ୱାରା ଯାହା ହେବ ସେ ତା କରି ଚାଲିଛି ଅମ୍ଳାନ ଚିତ୍ତରେ ।

 

ବୁଢ଼ା ବିନିବାବା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗୋଟିଏ ଚୌକିରେ ବସି କାମ ତଦାରଖ କରିବାରେ ବ୍ୟସ୍ତ । କେବଳ ମଝିରେ ମଝିରେ ଟିକିଏ ଟିକିଏ କାଫି ତିଆରି ହୋଇ ଆସୁଛି । କଳାଭବନ ଉଦ୍‌ଘାଟନ ଉତ୍ସବ ପାଳନ କରିବା ପାଇଁ ଆଉ ରହିଲା ଦିନ ଦିଟା । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କାମ ଶେଷ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିଛି । ନୂଆ ଗାଁ ଜଗନ୍ନାଥପୁର ମୌଜାଟି ଜାତୀୟ ସଂପ୍ରସାରଣ ଯୋଜନା ଅଞ୍ଚଳ ଅନ୍ତର୍ଭୁକ୍ତ । କଳାଭବନ ପାଇଁ ଉନ୍ନୟନ ପାଣ୍ଠିରୁ ହଜାର ଟଙ୍କା ସାହାଯ୍ୟ ମିଳିଛି । ଗ୍ରାମବାସୀଙ୍କ ସହଯୋଗ, ଅର୍ଥ ଓ ଶ୍ରମ ଆକାରରେ ପାଞ୍ଚ ହଜାର ଟଙ୍କାର କାମ ମଧ୍ୟ ଦେଖାଇବାକୁ ହେଉଛି । କାମ ଢେର ଆଗେଇ ଗଲାଣି । ଏକରକମ ଶେଷ ଉପରେ । କଳାଭବନର ନୂତନ ହଲର ନିର୍ମାଣ କାର୍ଯ୍ୟ ବହୁଦିନରୁ ଶେଷ ହୋଇ ଯାଇଥିଲା । ଏବେ ପ୍ରଧାନ ଫାଟକର କାର୍ଯ୍ୟରେ ରାଜମିସ୍ତ୍ରୀ ଓ ବିନ୍ଧାଣୀମାନେ ଦିନରାତି ଲାଗିଛନ୍ତି । ସେମାନଙ୍କର କାର୍ଯ୍ୟ ତଦାରଖ ଭାର ଅଛି ଜୋନାଥଙ୍କ ଉପରେ ଯେହେତୁ ସେ ସେବାଗ୍ରାମର ସମସ୍ତ ସର୍ବସାଧାରଣ ଗୃହମାନଙ୍କର ତତ୍ୱାବଧାରକ କର୍ମଚାରୀ । ଫାଟକଟି ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । କଳାଭବନର ସାଜସଜାରେ କେତେକ କର୍ମୀ ଲାଗି ପଡ଼ିଛନ୍ତି । ସ୍ଥାନୀୟ ମଧ୍ୟବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହଲ ସଜାସଜି କରିବାରେ ଲାଗିଛନ୍ତି । ଶ୍ରୀମତୀ ମେରୀ ମହାନ୍ତି ହାତତିଆରି ଚିତ୍ରପଟ, ନାନାପ୍ରକାର ଫଟ, ନୀତିବାକ୍ୟ ସବୁ ହଲ କାନ୍ଥରେ ମାରି ସଜାଇବାରେ ବ୍ୟସ୍ତ ।

 

କଳାଭବନ ପ୍ରାଚୀର ବେଢ଼ା ମଧ୍ୟରେ ଏକ ଉନ୍ମୁକ୍ତ ପଡ଼ିଆରେ ଗୋ କୃଷି ଶିଳ୍ପ ପ୍ରଦର୍ଶନୀ ଖୋଲିବା କାମରେ ମଉଜ ବେଗର ଭୋକ ଶୋଷ ନାହିଁ । ତାକୁ ସାହାଯ୍ୟ କରିବା ପାଇଁ ଟି ସାନ୍ନାୟା, ଅନାଥବନ୍ଧୁ ଓ ଗାଁର ଆଉ କେତେ ଜଣ ଯୁବକ ମଧ୍ୟ ଲାଗି ପଡ଼ିଛନ୍ତି । ତାରି ମଧ୍ୟରେ ଶିଶୁ ମେଳାଟିଏ ଅନୁଷ୍ଠିତ ହେବାର କଥା । ସେ ଭାର ଡାକ୍ତର ଦାଶ ଓ ମୁଖ୍ୟା ସେବିକା ଉମା ଦେବୀଙ୍କ ଉପରେ । ସେବାଗ୍ରାମରେ ଗୋଟିଏ ଶିଶୁରାଇଜ ଅନୁଷ୍ଠାନ ଗଢିବାର ପ୍ରସ୍ତାବ ସଭା ଦିନ ଗୃହୀତ ହେବ । ସ୍ଥାନୀୟ ମଧ୍ୟ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀ ଜନାର୍ଦ୍ଦନ ମଳିକ ଛୋଟ ଛୋଟ ବାଳକ ବାଳିକାମାନଙ୍କର କ୍ରୀଡ଼ା ପ୍ରତିଯୋଗିତା ପାଇଁ ଧାଁ ଧପଡ଼ କରୁଛନ୍ତି ।

 

ଏହି କଳା ଭବନ ସ୍ଥାପନ ପାଇଁ ଆରତ ତିଆଡ଼ି ବୁଢ଼ା ଦୁଃଖିଶ୍ୟାମଙ୍କ ଡିହ ଜମିବାଡ଼ି ଏକ ଏକର ଯାହାକି ଦାନସୂତ୍ରରେ ପାଇଥିଲେ ତା ଏବେ ସ୍ୱେଚ୍ଛାରେ ଛାଡ଼ି ଦେଇଛନ୍ତି ଏବଂ ତା ପାଖକୁ ଆଉ ଚାରି ଏକର ବଡ଼ ମଠ ମହନ୍ତ ଦାନ କରିଥିବାରୁ ଏପରି ପାଞ୍ଚ ଏକର ଜମିରେ କଳାଭବନ ସ୍ଥାପିତ ହୋଇଛି ।

 

କଳାଭବନ ହଲ୍‌ମଧ୍ୟରେ ଅନେକଗୁଡ଼ିଏ ଚାରୁକଳାଖଚିତ ପ୍ରସ୍ତର ମୂର୍ତ୍ତି ସଜ୍ଜିତ ହୋଇ ରଖାଯାଇଛି । ସେଥିମଧ୍ୟରୁ ଅଧିକାଂଶ ଦୁଃଖିଶ୍ୟାମ ମିଶ୍ରଙ୍କ ଭଗ୍ନଗୃହ କାନ୍ଥ, ଖମ୍ବ, ପିଣ୍ଡା ଏବଂ ଡିହରୁ ଉଦ୍ଧାର କରାଯାଇ ରଖାଯାଇଛି । ଚତରା ପୋଖରୀ ପଙ୍କୋଦ୍ଧାର ଓ ଗୁପ୍ତିମୁଣ୍ଡିଆ ତଳ ଝରଣା ଖୋଳା ହେଉଥିବା ବେଳେ ଯେତେଗୁଡ଼ିଏ ପଥର ମୂର୍ତ୍ତି ମିଳିଥିଲା ସେଗୁଡ଼ିକ ମଧ୍ୟ ସଜାଇ ରଖାଯାଇଛି ସେ ମଧ୍ୟରେ ତ୍ରିଭଙ୍ଗଠାଣିରେ ଠିଆ ହୋଇଥିବା ଯେଉଁ ନିଖୁଣ କୃଷ୍ଣ ମୂର୍ତ୍ତି କଳା ଭବନର କେନ୍ଦ୍ର ସ୍ଥଳରେ ରଖାଯାଇଛି ତାହା ବିଶେଷ ଉଲ୍ଲେଖଯୋଗ୍ୟ । ଏହାଛଡ଼ା ଅନ୍ୟ ଗୋଟିଏ ଛୋଟ ବଖୁରୀରେ କୁଟୀର ଶିଳ୍ପର ନମୁନା ସ୍ୱରୂପ ଅନେକ ଦ୍ରବ୍ୟ, ସ୍କୁଲ ଛାତ୍ରଙ୍କର ହାତ ତିଆରି କାଇଁଶ ଡାଲା, ତାଳପତ୍ର ଫଙ୍ଖା, ଚିତ୍ରିତ ସପ ମସିଣା, ମାଟିରେ ସୁନ୍ଦର ପାତ୍ର, ସେବାଧାମ ଅନାଥ ପିଲାମାନଙ୍କର ହାତ ବୁଣା ପାପୋଛ, ସତରଞ୍ଚି, ଆସନି, ଉଲ କାମ ମଧ୍ୟ ସ୍ଥାନ ପାଇଛି । ଗ୍ରାମର ମୁଖିଆ ମୁଖିଆ ଲୋକଙ୍କର ଫଟୋ ସହିତ କେତେଗୁଡ଼ିଏ ପ୍ରାକୃତିକ ଦୃଶ୍ୟର ଚିତ୍ର ମଧ୍ୟ ଟଙ୍କା ଯାଇଛି ।

 

ରାଘବାନନ୍ଦ, ତ୍ରିଲୋଚନ, ଘନ ରଥେ ଓ ଅନ୍ୟାନ୍ୟ ପଞ୍ଚାୟତ ସଭ୍ୟ ଏବଂ ଉଦୟ ସଂଘର ଅନ୍ୟାନ୍ୟ ସଭ୍ୟ ଆପ୍ରାଣ ଚେଷ୍ଟା କରି ଦୁଃଖିଶ୍ୟାମ କଳା ଭବନ ଉଦ୍‌ଘାଟନ ଉତ୍ସବ ପାଇଁ ସବୁମନ୍ତେ ଲାଗି ପଡ଼ିଛନ୍ତି । ଗ୍ରାମର ଯୁବକ ଦଳ ମିଶି ‘ଘର ସଂସାର’ ନାଟକ ଅଭିନୀତ କରିବା ପାଇଁ କଳା ଭବନ ପଡ଼ିଆରେ ପେଣ୍ଡାଲ ସଜାଇବାରେ ବ୍ୟସ୍ତ । ଘନ ରଥେ ଏବଂ ବିଦିଆ ଭୋଇ ଗାଁର ହରିଜନ ଓ ଆଦିବାସୀ ପିଲା କେତୋଟି ଧରି ସେମାନଙ୍କୁ ଘୁମୁରା ବାଦ୍ୟ ମଧ୍ୟରେ ‘ଶୀକାରୀ ନୃତ୍ୟ’ରେ ତାଲିମ କରିବାରେ ଲାଗିଛନ୍ତି । ରାଘବନନ୍ଦ ନିମନ୍ତ୍ରଣ ପତ୍ରଗୁଡ଼ାକ ବିନିବାବାଙ୍କ ଦସ୍ତଖତ କରାଇବାରେ ବ୍ୟସ୍ତ । ସୁଲୋଚନ ଉଦୟ ସଂଘର ବାର୍ଷିକ ବିବରଣୀ ପାଠ କରିବା ପାଇଁ ତାଙ୍କ ଚଷମାଟାର ଭଙ୍ଗା ନାଡ଼ଟା ସଜାଡ଼ି ଅନ୍ୟ ପାଖରେ ଥିବା ନାଡ଼ିରେ ଖଣ୍ଡେ ସରୁ ଟାଣୁଆ ସୂତା ଦଉଡ଼ି ଗୁଡ଼ାଇବାରେ ବ୍ୟସ୍ତ । ତାଙ୍କର ଇଚ୍ଛା କିପରି ଦୁଇ ତିନିଥର ପଇଟ କରିନେଲେ ଯେପରି ସଭାରେ ପଢ଼ିଲା ବେଳକୁ ଆଉ ନ ଝୁଣ୍ଟନ୍ତି ।

 

ଦୁଇ ଦିନ ମଧ୍ୟରେ ସବୁ ଆୟୋଜନ, ସାଜସଜା ଠିକ୍‌ ହୋଇଗଲା । ବିନିବାବା ସବୁଆଡ଼େ ବୁଲି ସବୁ ତନ୍ନତନ୍ନ କରି ଦେଖି ଆସିଲେ । ଯେଉଁଠି ଯାହା ତ୍ରୁଟି ରହିଥିଲା ତା ସୁଧାରିବା ପାଇଁ ସ୍ୱେଚ୍ଛାସେବକମାନଙ୍କୁ ନିର୍ଦ୍ଦେଶ ଦେଇଗଲେ । ଆଜି ରାତି ପାହିଲେ ଆସନ୍ତା କାଲି କଳା ଭବନ ଉଦ୍‌ଘାଟନ ଉତ୍ସବ ସମାରୋହରେ ଅନୁଷ୍ଠିତ ହେବ ।

 

ରାତି ପାହି ଆସିଲା । ଗୁପ୍ତିମୁଣ୍ଡିଆ ତଳୁ ପୂର୍ବ ଦିଗ୍‌ବଳୟରୁ ମନୋରମ ବାଳସୂର୍ଯ୍ୟ ଉଁଙ୍କିମାରି ଉଠିଲେ । ସାରା ଗ୍ରାମ ଆଜି ଆନନ୍ଦ କୋଳାହଳରେ ମାତି ଯାଇଛି । ସମସ୍ତଙ୍କ ମନରେ ହସ । ମନରେ ସ୍ଫୁର୍ତ୍ତି କାହିଁରେ କଣ ।

 

ଠିକ୍‌ ଅପରାହ୍‌ଣ ଦୁଇଟାବେଳକୁ ସଭା ଆରମ୍ଭ ହେବ । ସଭା ପାଇଁ ବାହାରେ ଏକ ସୁନ୍ଦର ଛାମୁଣ୍ଡିଆ କରାଯାଇ ପିପିଲୀର ସୁଦକ୍ଷ ଦରଜୀ ସିଲାଇ ଖୁବ୍‌ ବଡ଼ ଚାନ୍ଦୁଆଟିଏ ଛାମୁଣ୍ଡିଆ ତଳେ ବନ୍ଧା ଯାଇଛି । ପ୍ରାୟ ଏକଘଣ୍ଟା ତିରିଶ ମିନିଟରେ ସଭାପତି ଜିଲା ମାଜିଷ୍ଟ୍ରେଟ ଜିପ୍‌ଗାଡ଼ି ଧରି ପହଞ୍ଚିଲେ । ତାଙ୍କ ସଙ୍ଗରେ ବ୍ଳକ୍‍ ଡେଭେଲୋପମେଣ୍ଟ ଅଫିସର ଏବଂ ଅନ୍ୟ କେତେକ ବିଭାଗୀୟ ବଡ଼ କର୍ମଚାରୀ ମଧ୍ୟ ଆସି ପହଞ୍ଚିଲେ । ଉଦୟ ସଂଘର ସ୍ୱେଚ୍ଛାସେବକମାନେ ଏବଂ ଗ୍ରାମର ପ୍ରଧାନ ପ୍ରଧାନ ପୁରୁଣା ଲୋକ ମିଶି ଖୋଳ କରତାଳ, ହାରମନିୟମ୍‌ ବଜାଇ ସଭାପତିଙ୍କୁ ଏବଂ ଅନ୍ୟାନ୍ୟ ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତିଙ୍କୁ ଗାଁ ମୁଣ୍ଡ ରାସ୍ତା ପାଖରୁ ସଭାମଣ୍ଡପକୁ ପାଛୋଟି ଆଣିଲେ ।

 

ସେତେବେଳକୁ ଗ୍ରାମର ଏବଂ ନିକଟବର୍ତ୍ତୀ ଗ୍ରାମର ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନେ ଯଥା ସ୍ଥାନରେ ଆସନ ଯମାଇ ବସି ରହିଥିଲେ । ଠିକ୍‌ ଅପରାହ୍‌ଣ ଦୁଇଟାରେ ସଭା କାର୍ଯ୍ୟ ଆରମ୍ଭ ହେଲା । ସ୍ଥାନୀୟ ମଧ୍ୟ ବିଦ୍ୟାଳୟର ବଛା ବଛା ବାଳିକା ଛାତ୍ରୀମାନେ ସେବାଗ୍ରାମର ତରୁଣ ପଲ୍ଲୀକବିଙ୍କ ଲିଖିତ ପ୍ରାରମ୍ଭିକ ସଙ୍ଗୀତ ବୋଲି ସାରି ସଭାପତିଙ୍କ ଗଳାରେ ଫୁଲମାଳ ପିନ୍ଧାଇ ଦେଲେ । ସେଠାରୁ ସଭା କାର୍ଯ୍ୟ ଆରମ୍ଭ ହେଲା ।

 

ପ୍ରଥମେ ବିନିବାବା ସଭାପତିଙ୍କୁ ସବିନୟ ଅନୁରୋଧ କଲେ ନୂତନ ନିର୍ମିତ ଦୁଃଖିଶ୍ୟାମ କଳାଭବନ ଉଦ୍‌ଘାଟନ କରିବା ପାଇଁ । ସଭାପତି ମହାଶୟ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ଗହଣରେ କଳାଭବନ ଦ୍ୱାରା ଉଦ୍‌ଘାଟନ କରି ଭିତରେ ତନତନ କରି ଦେଖି ସାରି ପୁଣି ଆସନରେ ଉପବେଶନ କଲେ । ସୁଲୋଚନ ଉଦୟ ସଂଘର ବାର୍ଷିକ ବିବରଣୀ ପାଠ କଲେ । ସଭାପତିଙ୍କ ନିର୍ଦ୍ଦେଶାନୁସାରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ ମଧ୍ୟରୁ ଏବଂ ସମବେତ ଜନତା ମଧ୍ୟରୁ ଜଣ ଜଣ ହୋଇ ନାନା କଥା କହିଲେ । ଶେଷରେ ସଭାପତି ତାଙ୍କର ସଂକ୍ଷିପ୍ତ ଭାଷଣରେ କହିଲେ-

 

‘‘ଭାଇ ଓ ଭଉଣୀମାନେ,

 

ଆଜି ନୂଆଗାଁ ଜଗନ୍ନାଥପୁର ଦୁଃଖିଶ୍ୟାମ କଳାଭବନ ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରିବା ପାଇଁ ଆପଣମାନେ ମୋତେ ଆମନ୍ତ୍ରିତ କରିଥିବାରୁ ମୁଁ ଆପଣମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି । ଉଦୟ ସଂଘ ସମ୍ପାଦକଙ୍କ ପ୍ରଗତି ବିବରଣୀରୁ ମୁଁ ଜାଣିଲି ଯେ ଏହି ଗ୍ରାମଟି ‘ସେବାଗ୍ରାମ’ ନୂତନ ନାମକରଣ ଯଥାର୍ଥ ହୋଇଛି । ମୁଁ ଏଥିରେ ମୋର ପୂର୍ଣ୍ଣ ଅନୁମୋଦନ ଜଣାଉଛି ଏବଂ ସେହି ଅନୁସାରେ ସମସ୍ତ ସରକାରୀ ରେକର୍ଡପତ୍ର ସଂଶୋଧନ କରାଇ ଦିଆଯିବ ।

 

ମାଲି ମୋକଦ୍ଦମା, ଦଙ୍ଗା ହାଙ୍ଗମାରେ ସାରା ଜିଲାରେ ଚହଳ ପକାଇ ଏହି ମୌଜାର ଦୁର୍ନାମ ରଟନା ହୋଇଥିଲା । ବଡ଼ ଆନନ୍ଦର କଥା ଗ୍ରାମର ସମସ୍ତ ମନୋମାଳିନ୍ୟ ଓ ଅବିଶ୍ୱାସ ଦୂର ହୋଇ ଶାନ୍ତି-ପ୍ରୀତିପଦ ବାତାବରଣ ସୃଷ୍ଟି ହୋଇପାରିଛି । ଏଥିପାଇଁ ଗ୍ରାମର ପୁରାତନ ପଞ୍ଚାୟତ ଏବଂ ଉଦୟ ସଂଘ ଅନୁଷ୍ଠାନର ଅଦ୍ୟମ ଚେଷ୍ଟା ପ୍ରଶଂସନୀୟ, ସର୍ବୋପରି ତ୍ୟାଗ ଓ କର୍ମବୀର ବୟୋବୃଦ୍ଧ ବିନିବାବାଙ୍କ ସୁଚିନ୍ତିତ ପରିକଳ୍ପନାର କାର୍ଯ୍ୟକାରିତା ପାଇଁ ମୁଁ ତାଙ୍କୁ ଶତ ଧନ୍ୟବାଦ ଜଣାଉଛି ।

 

ସେବାଗ୍ରାମର ଶିଶୁ, ବାଳକ, ବାଳିକା, ଯୁବକ ଯୁବତୀ, ପୌଢ଼ ପ୍ରୌଢ଼ , ବୃଦ୍ଧ, ବୃଦ୍ଧା, ଧନୀ ନିର୍ଦ୍ଧନ ସମସ୍ତଙ୍କର ଐକ୍ୟ, ସହଯୋଗ, ସମବେତ ଚେଷ୍ଟା ଏବଂ କର୍ତ୍ତବ୍ୟନିଷ୍ଠା ଦ୍ୱାରା ଯେଉଁ ଅପ୍ରତ୍ୟାଶିତ ସଫଳତା ହାସଲ ହୋଇଛି ତାହା ପଡ଼ୋଶୀ ଗ୍ରାମମାନଙ୍କରେ ଆଦର୍ଶ ହୋଇ ରହିବ ଏଥିରେ ସନ୍ଦେହ ନାହିଁ । ମୋର ଆଶା ‘ସେବାଗ୍ରାମ’ କ୍ରମୋନ୍ନତି ପଥରେ ଅଗ୍ରଗତି କରି ଆମର ପଲ୍ଲୀବହୁଳ ଦେଶକୁ ପ୍ରେରଣା ଦେବାରେ ଯଥେଷ୍ଟ ସାହାଯ୍ୟ କରିପାରିବ ।

 

ପୁନଶ୍ଚ ସେବାଗ୍ରାମରେ ଆପଣମାନେ ଯେଉଁ ଶ୍ରେଣୀହୀନ ସମାଜ ଗଠନର ପରିକଳ୍ପନା କରି କାର୍ଯ୍ୟାରମ୍ଭ କରିଛନ୍ତି ତାହା ଯେପରି ପୂର୍ଣ୍ଣାଙ୍ଗ ହୋଇ ପାରିବ ସେଥିପାଇଁ ମୁଁ ଆପଣମାନଙ୍କୁ ଏକାନ୍ତ ଅନୁରୋଧ କରେ ।

 

ଗ୍ରାମର ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗୀୟ ଦୁଃଖିଶ୍ୟାମ ମିଶ୍ରଙ୍କର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଆଜି ଏହି କଳାଭବନ ସ୍ଥାପନ କରିବା ଦ୍ୱାରା ଆପଣମାନେ ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଦେଖାଇବା ସଙ୍ଗେ ସଙ୍ଗେ ବୀର ପୂଜାର ନିଦର୍ଶନ ଦେଖାଇ ପାରିଛନ୍ତି । ପ୍ରଗତି ବିବରଣୀରୁ ଜଣାପଡ଼େ କଳାଭବନରେ ସଂରକ୍ଷିତ ମୂର୍ତ୍ତିଗୁଡ଼ିକ ଅଧିକାଂଶ ତାଙ୍କର ଭଗ୍ନଗୃହର ଅଂଶ ମାତ୍ର । ଦୁଃଖିଶ୍ୟାମଙ୍କର ମୃତ୍ୟୁ ହୋଇଥିଲେହେଁ ସେ ଆଜି ଜୀବିତ । ତାଙ୍କର କୀର୍ତ୍ତି ଚିରନ୍ତନ । ଆଜି କଳାଭବନର କେନ୍ଦ୍ର ସ୍ଥାନରେ ସଜ୍ଜିତ ହୋଇ ରଖାଯାଇଥିବା, ମୁଗୁନିପଥର ନିର୍ମିତ ଅସାମାନ୍ୟ କାରୁ ଖୋଦିତ ଶ୍ୟାମସୁନ୍ଦର ମୂର୍ତ୍ତି ତାହା ପ୍ରମାଣିତ କରିଦେଉଛି । ଆମ ଜାତିର ଐତିହ୍ୟ, ସଂସ୍କୃତି, କଳା ଓ ସାହିତ୍ୟରେ ହିଁ ସନ୍ନିବେଶିତ ହୋଇ ଆସିଛି । ସେଥିପାଇଁ ଆମ ମାତୃଭୂମିର ନାମ ହୋଇଛି ଉତ୍କଳ ଯାହା କି ଚଉଷଠୀ ପ୍ରକାର କଳା ବିଦ୍ୟାରେ ସମଗ୍ର ଭାରତରେ ଉଚ୍ଚସ୍ଥାନ ଲାଭ କରିଥିଲା । ଆଜି ଆପଣମାନେ ଅତୀତର କଳାପ୍ରେମୀ ପୂର୍ବପୁରୁଷମାନଙ୍କର ଉପଯୁକ୍ତ ଦୟାଦ ରୂପେ ଯେଉଁ କଳା ଓ ସୌନ୍ଦର୍ଯ୍ୟର ପିପାସା ରଖି କାର୍ଯ୍ୟରେ ଆଗେଇଛନ୍ତି ତାହା ଆମ ଦେଶର ଭାବୀ ଭବିଷ୍ୟତ ବଂଶଧର ଶିଶୁ ସମ୍ପ୍ରଦାୟକୁ ଉପଯୁକ୍ତ ପ୍ରେରଣା ଦେବ ଏବଂ ଲଳିତ କଳାର ଅନବଦ୍ୟ ସୃଷ୍ଟି ପଥରେ ଅଗ୍ରସର ହେବାକୁ ସହାୟତା କରିପାରିବ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଏହା ଶିଶୁମେଳାରେ ସଜ୍ଜିତ ହୋଇ ରଖାଯାଇଥିବା ଶିଶୁମାନଙ୍କର ହସ୍ତକୃତ କର୍ମଦ୍ୱାରା ପ୍ରମାଣିତ ହୋଇ ସାରିଛି ।

 

ଆଜିକାର କାର୍ଯ୍ୟକ୍ରମରେ ମୁଁ ଦେଖିବାକୁ ପାଉଛି ଶିଶୁମେଳା, ଶିଶୁରାଇଜ ଅନୁଷ୍ଠାନର ଯୋଜନା, ଗୋକୃଷି ଶିଳ୍ପ ପ୍ରଦର୍ଶନୀ, ଘର ସଂସାର ନାଟକାଭିନୟ, ଶିକାରୀ ନୃତ୍ୟ ପ୍ରଭୃତି କଳାବିକାଶରେ ଆପଣମାନେ ଖୁବ୍‌ଦୂର ଆଗେଇ ମୌଳିକତା ରକ୍ଷା କରିବାରେ ଲାଗିପଡ଼ିଛନ୍ତି । ଉଦୟ ସଂଘର ଉଦୀୟମାନ ଯୁବକବୃନ୍ଦ ଯେଉଁ ଉନ୍ନତ କୃଷି, ଶିଳ୍ପ ଜଳସେଚନ ଯୋଜନାର ବ୍ୟବସ୍ଥା କରି ଆମ ଦେଶର ରାଜନୈତିକ, ଅର୍ଥନୈତିକ, ସାମାଜିକ ଉନ୍ନତିର ମେରୁଦଣ୍ଡ ସ୍ୱରୂପ କୃଷକସମାଜକୁ ଯେଉଁ ଆଦର୍ଶ ଦେଖାଇବାରେ ସକ୍ଷମ ହୋଇଛନ୍ତି ତାହା ବଡ଼ ଗର୍ବର ବିଷୟ, ବାସ୍ତବିକ୍‌ଏହା ନ କରି ପାରିଲେ ଆମର ଦାରିଦ୍ର୍ୟ ଏବଂ ଅଜ୍ଞତା ଦୂର ହୋଇ ପାରିବ ନାହିଁ ।

 

ଡାକ୍ତର ଦାଶ ଏବଂ ମୁଖ୍ୟା ସେବିକା ଉମା ଦେବୀଙ୍କ ଦ୍ୱାରା ପରିଚାଳିତ ଶିଶୁମେଳା ଏବଂ ନାରୀମହଲର କାର୍ଯ୍ୟକ୍ରମ ଭବିଷ୍ୟତ ଆଶାର ସଂଚାର କଲାଣି । ସୁସ୍ଥ, ସବଳ, ଶିକ୍ଷିତ ନାଗରିକ ଗଢିବାର ବେଳ ବର୍ତ୍ତମାନ ଆସିଛି । ଜାତୀୟ ପୁନର୍ଗଠନ କାର୍ଯ୍ୟରେ ଦେଶର ମହିଳାମାନେ ମଧ୍ୟ ଅଧୁନାତନ ଦୁନିଆରେ ଘଟି ଯାଉଥିବା ବିଭିନ୍ନ ବୈପ୍ଳବିକ ପରିବର୍ତ୍ତନରୁ ନିଜକୁ ଅଲଗା ରଖି ପାରିବେ ନାହିଁ । ସୁତରାଂ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଏହି ପରିବର୍ତ୍ତନକୁ ହୃଦୟଙ୍ଗମ କରି ସମାଜରେ ନିଜର ଯଥାର୍ଥ ସ୍ଥାନ ଗ୍ରହଣ କରିବା ଆବଶ୍ୟକ ।

 

ତାପରେ ପ୍ରଗତି ବିବରଣୀରେ ଯେଉଁ ଅଗ୍ନିକାଣ୍ଡ ବିଷୟ ଊଲ୍ଲେଖ କରାଯାଇଛି ତା ପାଠ କରି ମୁଁ ବଡ଼ ବ୍ୟଥିତ ହେଉଛି । ଗୃହଦାହ ହିଁ ଦୁଖିଶ୍ୟାମ ମିଶ୍ରଙ୍କ ପରି ସମାଜସେମୀ କର୍ମୀଙ୍କର ଅକାଳ ମୃତ୍ୟୁ ଏବଂ ନୂଆସାହୀ ଲୋକଙ୍କର ଆର୍ଥିକ କ୍ଷତିର ପ୍ରଧାନ କାରଣ ହୋଇଛି । ବାସ୍ତବିକ୍‌ ଗୃହଦାହ ଆମ୍ଭମାନଙ୍କ ସମ୍ମୁଖରେ ଏକ ବିଷମ ସମସ୍ୟାରୂପେ ଦେଖା ଦେଇଛି । ପ୍ରତିବର୍ଷ ଅଗ୍ନିକାଣ୍ଡ ଫଳରେ ଆମର ଯେଉଁ ବିପୁଳ ଜାତୀୟ କ୍ଷତି ଘଟୁଛି ଏବଂ ଧନ ଜୀବନ ବିପନ୍ନ ହେଉଛି, ସେଥିରୁ କିପରି ରକ୍ଷା ମିଳିବ ଏବଂ ଦକ୍ଷତା ସହିତ ଆକସ୍ମିକ ନିଆଁକୁ ଆୟତ୍ତ କରାଯାଇ ପାରିବ ସେ ବିଷୟରେ ଜନସାଧାରଣଙ୍କ ଗୋଚରାର୍ଥେ ପ୍ରଚାର ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି ।

 

ପରିଶେଷରେ ମୁଁ ଆପଣମାନଙ୍କ କାର୍ଯ୍ୟ କଳାପରେ ଅତିଶୟ ମୁଗ୍‌ଧ ହୋଇ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସଙ୍ଗେ ସଙ୍ଗେ ଆପଣମାନଙ୍କ ପରି ଆଦର୍ଶ ପଲ୍ଲୀମଙ୍ଗଳ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲା ଉନ୍ନୟନ ପାଣ୍ଠିରୁ କୋଡ଼ିଏ ହଜାର ଟଙ୍କା ମଞ୍ଜୁରୀ ପ୍ରତିଶ୍ରୁତ ଦେଉଛି । ତାହା ମାତୃମଙ୍ଗଳ କେନ୍ଦ୍ର, ସଂଘର ସ୍ୱତନ୍ତ୍ର ସଭାଗୃହ ଏବଂ ଗୋଟିଏ ପଲ୍ଲୀପାର୍କ ନିର୍ମାଣ କାର୍ଯ୍ୟରେ ବ୍ୟୟିତ ହେବ ।’’

 

ଏତିକି କହି ସଭାପତି ମହୋଦୟ ଆସନ ଗ୍ରହଣ କଲେ । ଚାରିଆଡ଼ୁ କରତାଳିର ଧ୍ୱନି କମ୍ପି ଉଠିଲା । ତାପରେ ବିନିବାବା ସେବାଗ୍ରାମ ତରଫରୁ ସଭାପତିଙ୍କୁ ଏବଂ ଅନ୍ୟାନ୍ୟ ଦର୍ଶକମାନଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କଲାପରେ ସାଧାରଣ ସଭା ସାଙ୍ଗ ହେଲା-। ତା ସଙ୍ଗେ ସଙ୍ଗେ ଉକ୍ତ ଦିନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ଦିଆଗଲା ।

 

ପଚିଶ

 

‘ମଲା ମର ଏମିତି ପେସେଣ୍ଟ (ରୋଗୀ) ମୁଁ ମୋ ଜୀବନରେ ଦେଖି ନ ଥିଲି’ କହି ସେବିକା ମିସ୍‌ମାଧୁରୀ ହସ୍‌ପିଟାଲ ବାରଣ୍ଡାକୁ ଝଟପଟ୍‌ ଆସି ରୁମାଲଖଣ୍ଡ ବାହାର କରି ଝାଡ଼ି ମୁହଁଟାକୁ ପୋଛି ପକାଇଲା । ଟିକିଏ ବାହାରେ ଠିଆ ହୋଇଛି କି ନାହିଁ ପୁଣି ରୋଗୀ ଡାକ ଛାଡ଼ିଲା, ‘ଏ ମା, ଏ ଝୁଅ, କଣ ହେଲେ ଟିକିଏ ଶୁଣୁଛି’ କହି ପୁଣି ବିକଳ ସ୍ୱରରେ ଡାକିଲା ‘ଏ ନର୍ସପିଲା ମୋତେ ଟିକିଏ ପାଣି ଦେ, ମୋ ତଣ୍ଟି ଶୁଖିଯାଉଛି’ । ମିସ୍‌ମାଧୁରୀ ରାଗରେ ତମ ତମ ହୋଇ ରୋଗୀ ବେଡ଼୍‍ପାଖକୁ ଯାଇଁ ଠିଆ ହୋଇ କହିଲା ‘ଥିରି ହୋଇ ଶୋଇପଡ଼ । ଡାକ୍ତର ମନା କରିଛନ୍ତି ପାଣି ଦେବାକୁ । ବେଶୀ ଥର ପାଣି ପିଇଲେ ଖରାପ ହେବ’ । ଏହା କହି ମାଧୁରୀ ରୋଗୀ ଟେବୁଲ ପାଖରେ ଥୁଆ ହୋଇଥିବା କାଚରୁ ପାନେ ଔଷଧ ମିନିମ୍‌ଗ୍ଳାସରେ ଢାଳିଲା । ‘ଆଁ କର’ ବୋଲି ରୋଗୀକୁ କହିଲା ମାତ୍ରେ ରୋଗୀ ପାଟି ମେଲା କରିଦେଲା । ମାଧୁରୀ ସେ ପାନକ ଔଷଧ ଖୁଆଇ ଦେଇ ପୁଣି ଯାଇଁ ବାରଣ୍ଡାରେ ଠିଆହୋଇ ନର୍ସ ହଷ୍ଟେଲ ଆଡ଼କୁ ଚାହିଁ ରହିଲା । ରାତି କେତେବେଳୁ ପାହିଲାଣି । ବାଁ ହାତରେ ବନ୍ଧା ହୋଇଥିବା ରିଷ୍ଟଓ୍ୟାଚଟାକୁ ଚାହିଁ ଦେଖିଲା ସାତଟା ବାଜିବାକୁ ଆଉ ପନ୍ଦର ମିନିଟ ବାକି ଅଛି । ଭୋର ଛ’ଟା ପର୍ଯ୍ୟନ୍ତ ତାର ଡିଉଟି ଥିଲା । ରିଲିଭିଂ ନର୍ସ ଚପଳାର ଏ ପର୍ଯ୍ୟନ୍ତ ଦେଖା ନାହିଁ । ରାତି ସାଢ଼େ ଗୋଟାଏରୁ ସେ ଡିଉଟିକୁ ଆସିଥିଲା । ପାଞ୍ଚ ଘଣ୍ଟାକାଳ ସେ ଚିଆଇଁ ରହି ରୋଗୀକୁ ଦେଖୁଥିଲା । ତା’ ଆଖିରେ ଟିକିଏ ପଲକ ପକାଇ ପାରିନାହିଁ, ତାକୁ ଭାରି ବେଜାର ଲାଗିଲାଣି । ସେଥିରେ ପୁଣି ବଡ଼ ଜିଦ୍‌ଖୋର ରୋଗୀଟା, ରାତିଯାକ ଚିତ୍କାର କରୁଛି । କଣ ଗୁଡ଼ାଏ ଗୁଣୁଗୁଣୁ ହୋଇ କହୁଛି ସେ ଜାଣେ । ଆଉ ଅଳ୍ପ ସମୟ ପରେ ଚପଳା ହଷ୍ଟେଲରୁ ବାହାରିବାର ଦେଖାଗଲା । ଚପଳା ତାର ନିକଟବର୍ତ୍ତିନୀ ହୁଅନ୍ତେ ମିସ୍‌ମାଧୁରୀ ବିରକ୍ତିବ୍ୟଞ୍ଜକ ସ୍ୱରରେ କହିଲା ‘କିଲୋ, ଚପଳା, ତୋ ଘଣ୍ଟାରେ ସାଢ଼େ ଛ’ଟା କେତେବେଳେ ବାଜେ କି ?

 

ଚପଳା—ଠିକ୍‌ ସାଢ଼େ ଛଟାରେ ।

 

ମାଧୁରୀ—ଓଃ ସମୟଟା ତେବେ ତୋ ହାତରେ, ଘଣ୍ଟା ହାତରେ ନୁହେଁ । ଏତେ ଡେରି କାହିଁକି କଲୁ ?

 

Unknown

ଚପଳା—କ’ଣ ଜାଣି ନାହୁଁ ? କାଲି ପରା କଳାଭବନ ଡିଉଟିରୁ ଆସୁ ଆସୁ ପ୍ରାୟ ରାତି ଦୁଇଟା କି ତିନିଟା ବାଜିଲା । ଦେଇଙ୍କୁ ତ ଆସୁ ଆସୁ ପ୍ରାୟ ଭୋର ହୋଇଥିବ । ମୁଁ ଶୋଉ ଶୋଇ ପଡ଼ିଲି । ଦାନ୍ତ ବି ଘସି ନାହିଁ । ଖାଲି ମୁହଁଟା ଧୋଇ ଦେଇ ଦଉଡ଼ିଛି ତୁ କାଳେ ରାଗୁଥିବୁ ।

 

ମାଧୁରୀ—ତୁମେ ସବୁ କାଲି କଳାଭବନ ଉତ୍ସବ ଦେଖିଲ, ଆମ ଭାଗ୍ୟକୁ ଏଠାରେ ଡିଉଟି ପଡ଼ିଲା, ଯାଇ ପାରିଲି ନାହିଁ ।

 

ଚପଳା—କାହିଁକି ? ଉତ୍ସବ ସରିଲେ ମଧ୍ୟ ପୁଣି ଆଉ ଦୁଇଦିନ ନାଟ ତାମସା ଚାଲିବ । ପ୍ରଦର୍ଶନୀ ଚାଲୁ ରହିବ । ତୋର ତ ଆଜି ଅଫ୍‌ଡିଉଟି ନିଶ୍ଚିନ୍ତରେ ଦେଖିବୁ ଯେ ।

 

ମାଧୁରୀ—ଏଇନେ ତୋ ରୋଗୀର ଚାର୍ଜ (ଭାର) ମୁଁ ଚାଲିଲି ।

 

ଏତିକି କହି ମାଧୁରୀ କିଛି ବାଟ ଚୁପୁଲି ଦିଟା ଘୋସାରି ଘୋସାରି ହଷ୍ଟେଲକୁ ଚାଲିଗଲା । ଚପଳା ଯାଇ ରୋଗୀକୁ ଆଟେଣ୍ଡ (ସେବା) କଲା । ସେ ଯାଇଁ ରୋଗୀ ପାଖରେ ଠିଆ ହୋଇ ଦେଖେ ତ ରୋଗୀ ବିଛଣାଟାରେ ଭଡ଼ାଏ ହଗି ପକାଇଛି । ଦୁର୍ଗନ୍ଧ ଯେ ନାହିଁ ନଥିବା-। ଏପରିକି ପେଟରୁ ଭାତ ବାହାରି ପଡ଼ିବ ସେଠୁଁ ‘ସର–ସର’ ବୋଲି ଡାକ ଛାଡ଼ିଲା ଚପଳା-। ସର ଆସିବାରେ ଡେରିହେଲେ । ସେ ପୁଣି ଡାକ ଛାଡ଼ିଲା ଚପଳା । ସର ଆସିବାରେ ଡେରିହେଲା-। ସେ ପୁଣି ଡାକ ଛାଡ଼ିଲା ଏବଂ ମନକୁମନ କହି ପକାଇଲା ‘ଆସନ୍ତୁ ଆଜି ଉମାଦେଈ, ତାଙ୍କୁ କହି ଏଟାକୁ ଫାଇନ (ଜୋରିମାନ) ନ କଲେ ମୁହଁ ଉପରକୁ ହୋଇ ଯାଉଛି ଡାକ ଶୁଣି ମେହେନ୍ତରାଣୀ ସର ଆସି ରୋଗୀର ବିଛଣା ଉଠାଇ ସାନି ବିଛଣା ପକାଇଦେଲା । ମଇଳା ବିଛଣାଟା ଧୋଇବା ସ୍ଥାନକୁ ନେଇଗଲା ।

 

ଚପଳା ଦେଖିଲା ରୋଗୀ ଗାଢ଼ ନିଦ୍ରାରେ ଶୋଇଯାଇଛି । ଉଁ କି ଚୁଁ ହେଉନାହିଁ । ସେ ଆଉ ରୋଗୀକୁ ଉଠାଇଲା ନାହିଁ । ଟେମ୍ପରେଚର (ଶରୀର ତାପ) ରେକର୍ଡ଼ (ଉଲ୍ଲେଖ) ନକଲେ ଡାକ୍ତର ଧରିବ । ତେଣୁ ଥର୍ମାମିଟରଟା ଝାଡ଼ି ଥିର କରି ରୋଗୀର କାଖତଳେ ଯାକିଧରି ଘଣ୍ଟାକୁ ଅନାଇ ରହିଲା । ଅଧ ମିନିଟ ପରେ କାଢ଼ିଆଣି ଦେଖେତ ୧୦୫ ଡିଗ୍ରୀ ରୋଗୀର ଚେତ୍‌ ନାହିଁ । ଚପଳା ମାସ କେଇଟା ହବ ପାସ କରି କାର୍ଯ୍ୟରେ ଯୋଗ ଦେଇଛି । ତାର ଅଭିଜ୍ଞତା ଆସି ନାହିଁ । ସେ କଣ କରିବ କିଛି ଭାବି ପାରିଲା ନାହିଁ । ଆର ରୁମରେ ଥିବା ତା’ର ଜଣେ ସାଥୀ ନର୍ସ ଜ୍ୟୋସ୍ନାକୁ ରୋଗୀକୁ ଜଗାଇ ଦେଇ ତରତର ହୋଇ ଧାଇଁଲା ମୁଖ୍ୟା ସେବିକାଙ୍କ କ୍ୱାଟର (ବସା)କୁ ।

 

ଉମାଦେଈ ସେତେବେଳକୁ ବିଛଣାରୁ ଉଠୁଥାନ୍ତି । କାରଣ କାଲି କଳାଭବନ ଉତ୍ସବରୁ ଫେରୁ ଫେରୁ ରାତି ହୋଇ ଯାଇଥିଲା । ମୁହଁ ହାତ ଧୋଇନାହାନ୍ତି । ଦାନ୍ତକାଠି ପାଣି କରି ନାହାନ୍ତି-। ଦାଣ୍ଡରେ ଚପଳା ତରଛିଆ ଡାକ ଛାଡ଼ିଲା ‘ଦେଇ ଦେଇ ଗୋ-ଦେଇ’ । ଉମା ଝଟପଟ୍‌ ଉଠି ଆସି କବାଟ ଫିଟାଇ ଦେଖେତ ‘ଚପଳା’ ।

 

ଉମାଦେଈ—କିଲୋ ଚପଳା ତୁ ପରା ସେ କ୍ୟାନ୍‌ସର ରୋଗୀର ଡିଉଟିରେ ଥିଲୁ । କାହିଁକି ଆସିଲୁ କହ ।

 

ଚପଳା—ଦେଇ, ସେ ରୋଗୀର ଅବସ୍ଥା ବଡ଼ ସାଂଘାତିକ । ମୁଁ କ’ଣ କରିବି କିଛି ସ୍ଥିରକରି ନ ପାରି ଜ୍ୟୋସ୍ନାକୁ ଜଗାଇ ଦେଇ ପରାମର୍ଶ କରିବା ପାଇଁ ଦୌଡ଼ି ଆସିଛି ।

 

ଉମାଦେଈ—ଭଲ ନର୍ସ କାମ କରିବୁ ତୁ । ହଉ ହଉ ଯା ମୁଁ ଯାଉଛି ।

 

ଚପଳା ଚାଲିଗଲା । ଉମା ଦେଈ ଚଟାପଟ କାମ ସାରିଦେଇ ସେବିକା ଡ୍ରେସ (ପୋଷାକ) ଟା ପିନ୍ଧି ପକାଇ ରୋଗୀ ପାଖରେ ପହଞ୍ଚିଲେ । ସେତେବେଳକୁ ରୋଗୀ ଟିକିଏ ଆଖି ଫିଟାଇ ଅନାଇଲାଣି । ପାଣି ପିଇବ ବୋଲି ଜିଭ କାଢ଼ି ଇଙ୍ଗିତ ଦେଉଛି । କଥା କହିବାର ଜୁ ନାହିଁ-। ମୁଖ୍ୟସେବିକା ରୋଗୀକୁ ଉତ୍ତମରୂପେ ପରୀକ୍ଷା କରି ଗୋଟିଏ ଇଞ୍ଜେକ୍‌ସନ ଫୋଡ଼ିଦେଲେ ଏବଂ କହିଲେ ୟାକୁ ଶୀଘ୍ର ସେପ୍‌ଟିକ୍‌ ଓ୍ୱାର୍ଡ଼କୁ ଉଠାଇ ନେବାକୁ ହେବ । ମୁଁ ଡାକ୍ତରଙ୍କୁ ଖବର ଦେଇ ପଠାଉଛି । ଏତିକି କହି ସେ ଡାକ୍ତରଖାନା ଅଫିସ ଆଡ଼କୁ ଚାଲିଗଲେ । ଚପଳା ଷ୍ଟ୍ରେଚରବାଲାଙ୍କୁ ଖବର ଦେଲା । ରୋଗୀକୁ ସେପ୍‌ଟିକ୍‌ଓ୍ୱାର୍ଡ଼କୁ ଘୁଞ୍ଚାଇ ଦିଆଗଲା । କିଛିକ୍ଷଣ ପରେ (ଔଷଧ ବ୍ୟବସ୍ଥା) ଲେଖି ଦେଇଗଲେ ଏବଂ ଡିଉଟିରେ ଥିବା ନର୍ସକୁ ଯାହା ଯାହା କରିବାର କଥା ସବୁ କହିଗଲେ । ଅଫିସକୁ ଯାଇ ବିନିବାବାଙ୍କ ପାଖକୁ ଖଣ୍ଡିଏ ଇନ୍‌ଫର୍ମମେସନ ସିଟ୍‌(ସମ୍ବାଦ ଚିଠା) ପଠାଇ ଦେଲେ । ସେଥିରେ ସେ ଲେଖି ଜଣାଇ ଦେଇଥିଲେ-୧୦୭ ନମ୍ବର ରୋଗୀର ଅବସ୍ଥା ସାଙ୍ଘାତିକ । ତା’ ପରେ ତାଙ୍କର ସହକାରୀ ଡାକ୍ତରଙ୍କୁ ଔଷଧ ଦେବାକୁ ପରାମର୍ଶ ଦେଇ ଜଗାଇଦେଲେ । ତା’ ପରେ ଡାକ୍ତର ଦାଶ ଅନ୍ୟ କେତୋଟି ରୋଗୀଙ୍କୁ ଦେଖାଦେଖି କରି ଘରକୁ ଫେରିଲେ ।

 

କଳାଭବନ ଉଦ୍‌ଘାଟନ ଉତ୍ସବ କାଲି ସରିଗଲା । କିନ୍ତୁ ସେବାଗ୍ରାମର ପାଖ ପଡ଼ୋଶୀ ଗ୍ରାମବାସୀ ଓ ଅନ୍ୟାନ୍ୟ ଦର୍ଶକମାନଙ୍କ ଅନୁରୋଧକ୍ରମେ ପ୍ରଦର୍ଶନୀ, ନାଟ, ତାମସା, ଆମୋଦ, ପ୍ରମୋଦ ଆଉ ଦୁଇଦିନ ଚାଲୁ ରଖିବା ପାଇଁ ସଂଘ ତରଫରୁ ଜଣାଇ ଦିଆଗଲା । ଆଜି ପୁଣି ସନ୍ଧ୍ୟା ୭ଟାରେ କଳାଭବନସ୍ଥ ପ୍ରେମାନନ୍ଦ ରଙ୍ଗମଞ୍ଚରେ (ମହନ୍ତ ପ୍ରେମାନନ୍ଦ ଗୋସ୍ୱାମୀଙ୍କ ଦାନରେ ନିର୍ମିତ) ପାଖ ଗାଁ କଲ୍ୟାଣପୁର ପଲ୍ଲୀନାଟ୍ୟସଂଘ ତରଫରୁ ତରୁଣ କବିଙ୍କ ରଚିତ କରୁଣରସାତ୍ମକ ସାମାଜିକ ନାଟକ ‘ପୁନର୍ବିଭା’ ଅଭିନୀତ ହେବାର ସ୍ଥିର ହୋଇଥାଏ ।

 

ଡାକ୍ତର ଦାଶ ବଗୁଲିଆକୁ ଡାକି କହିଲେ, ‘ଦେଖ, ମୁଁ ରାତିରେ ଖାଇବି ନାହିଁ । ଡାକ୍ତରଖାନ କାମ ସାରି ସେଠାରେ ଟିକିଏ ଜଳଖିଆ ଖାଇ ନେଇ ଅଭିନୟ ଦେଖିବାକୁ ଯିବି । ଆସୁ ଆସୁ ବହୁତ ଡେରି ହୋଇପାରେ । ତୁମେମାନେ ମୋତେ ଅପେକ୍ଷା ନ ରଖି ଖାଇନେବ ।’

 

ଡାକ୍ତରଖାନାର କାମ ସାରୁ ସାରୁ ପ୍ରାୟ ସାଢ଼େ ଚାରିଟା ହେଲା । ସେଣେ ଉମା ଜଳଖିଆ ତିଆରି କରି ଅନାଇ ବସିଛି । ଡାକ୍ତର ଦାଶ ତରତର ହୋଇ ଉମା ବସାଆଡ଼େ ଚାଲିଲେ-। ସେ ମନେ ମନେ ଭାବୁଥାନ୍ତି ‘ଆଜି ଉମାଠାରୁ ରୋକ୍‌ଠୋକ୍‌ ଜବାବ ନେଇ ନେବାକୁ ହେବ-

 

ଡାକ୍ତର—ଉମା, excuse me (ମୋତେ କ୍ଷମାକର । ରୋଗୀ ଦେଖିବାକୁ ଯାଇ ସେଠାରେ ବହୁତ ସମୟ ଅଟକି ଗଲି ।

 

ଉମା—ସେପ୍‌ଟିକ୍‌ ଓ୍ୱାର୍ଡ଼ର ରୋଗୀଟା ନା ?

 

ଡାକ୍ତର—ହଁ । କେଶଟା ବଡ଼ ସାଂଘାତିକ । ବଞ୍ଚିବାର ଆଶା ଦେଖା ଯାଉନାହିଁ ।

 

ଉମା—ବଞ୍ଚିକରି ବା’ କଣ କରିବ । ସେ ତ ଏକାବେଳକେ ଅକର୍ମଣ୍ୟ । ମରିଯିବା ହିଁ ଏପରି ରୋଗୀ ପକ୍ଷରେ ଶ୍ରେୟ । କାରଣ ତା’ର ଯେ କି ଯନ୍ତ୍ରଣା ହେଉଛି ଏବଂ ସେ ଯେପରି ବିକଟାଳ ଶବ୍ଦ କରୁଛି ସେଥିରେ ଆମର ଅଳ୍ପବୟସ୍କା ଛାତ୍ରୀ ନର୍ସମାନେ ବଡ଼ ଭୟଭୀତା ହେଉଛନ୍ତି-

 

ଡାକ୍ତର—ତୁମେ ପ୍ରସ୍ତୁତ ହେଲଣି ନା ?

 

ଉମା—ମୁଁ ତ ଆଗରୁ ପ୍ରସ୍ତୁତ । କେବଳ ତୁମେ ଅପ୍ରସ୍ତୁତ ହେଉଛ । ଉମା ଗୋଟିଏ ପ୍ଳେଟ (ଚିନା’ ଥାଳିଆ) ରେ ଜଳଖିଆ ବାଢ଼ି ଦେଇ ଠିଆ ହେଲା ।

 

ଡାକ୍ତର—ମୁଁ କ’ଣ ଏକା ଖାଇବି ଏତେ ? ତୁମେ ଖାଇବ ନାହିଁ କି ?

 

ଉମା—ହଁ, ମୋ ପାଇଁ ରଖିଛି । ସ୍ତ୍ରୀ ଲୋକମାନେ ପଛରେ ଖାଇବା କଥା ।

 

ଡାକ୍ତର—କାହିଁକି ? ଏକ ସମୟରେ ଖାଇଲେ କ’ଣ ଦୋଷ ଲେଖୁଛି, ଘରେ ସିନା ସ୍ତ୍ରୀଲୋକମାନଙ୍କର ସେପରି ଅଭ୍ୟାସ ଥାଏ । ଏଠାରେ କାହିଁକି ?

 

ଉମା—ଏ କ’ଣ ଘର ନୁହେଁ ?

 

ଡାକ୍ତର—ନା, ଏଟା ତୁମର ବସା ।

 

ଉମା—ଓଃ

 

ଡାକ୍ତର—ଆଉ ଡେରି କରନା ଉମା । ଆସ ଏହିତକ ବାଣ୍ଟି ଖାଇ ଦେବା । ମୁଁ ଏତେ ଏକୁଟିଆ ଖାଇ ପାରିବି ନାହିଁ ।

 

ଉମା—ଏଠି କଣ ଭାଇ ବାଣ୍ଟ ପଡ଼ିଛି ? ଏତେ ବଣ୍ଟାବଣ୍ଟି କାହିଁକି ? ମୁଁ ମଧ୍ୟ ମୋର ଖାଇବାର ଆଣୁଛି ।

 

ଏହା କହି ଉମା ତାର ଜଳଖିଆ ପ୍ଳେଟଟା ଆଣି ଟେବୁଲ ଉପରେ ଥୋଇଦେଇ ବସିଲା-। ଦୁହେଁ ଯାକ ଖାଇ ବସିଲେ । ଖାଉଁ ଖାଉଁ ଟିକିଏ ଗପଟପ ଆରମ୍ଭ କରିଦେଲେ ।

 

ଉମା—ଡାକ୍ତର ବାବୁ, ଆଜିକା ଅଭିନୟର ପ୍ଳଟଟା କଣ ?

 

ଡାକ୍ତର—ପ୍ଳଟଟା ବଡ଼ ଚମତ୍କାର । ମୋର ଜଣେ ବାଲ୍ୟବନ୍ଧୁ ତାଙ୍କ ନା ତରୁଣ ପଟ୍ଟନାୟକ । ତାଙ୍କରି ଲେଖା । ନାଟକଟି କରୁଣରସାତ୍ମକ । ନାଟକର ନାମ ‘ପୁନର୍ବିଭା’ । ସମାଜିକ ନାଟକ । ପ୍ଳଟଟି ମୋର ପୂରା ମନେ ନାହିଁ । ବହୁଦିନ ତଳେ କଲିକତାରେ ଦେଖିଥିଲି । ନାଚ ଗୀତର ସମାବେଶ ବଡ଼ ସୁନ୍ଦର ହୋଇଥିଲା । ସେ କଥା ଛାଡ଼, ଦେଖିଲେ ବୁଝିବ । କ୍ଷେତ୍ରେ କାର୍ଯ୍ୟ ବିଧିୟତେ । ବର୍ତ୍ତମାନ—

 

ଉମା—ଆଉ ବର୍ତ୍ତମାନ କ’ଣ ?

 

ଡାକ୍ତର—ମୁଁ ବର୍ତ୍ତମାନ ତୁମ ସଙ୍ଗରେ ଖୋଲା ଖୋଲି ଗୋଟିଏ କଥା କହିବାକୁ ଯାଉଛି-

 

ଉମା—କହୁନ ? ମୁଁ ତ କିଛି ଗୁପ୍ତ କରି ରଖିବାକୁ ଚାହୁଁ ନାହିଁ ।

 

ଡାକ୍ତର—ତୁମେ ମୋତେ ଭଲପାଅ ଉମା ?

 

ଉମା—ପାଇବି ନାହିଁ କାହିଁକି ? ଦୀର୍ଘଦିନ ଗୋଟିଏ ଅନୁଷ୍ଠାନରେ ସାଥୀ ହୋଇ କାମ କଲେ’ । ପର ହେଲେ ବି, ଅଚିହ୍ନା ହେଲେ ମଧ୍ୟ ସ୍ନେହ ମମତା ବଢ଼ିବା ତ ସ୍ୱାଭାବିକ ।

 

ଡାକ୍ତର—ତୁମେ ତୁମର ବିବାହ ବିଷୟରେ କ’ଣ ଭାବିଛ ?

 

ଉମା—ତୁମେ ତୁମର ଘର ସଂସାର କରିବାକୁ ଯେପରି ଭାବୁଛ ସେହିପରି ।

 

ଡାକ୍ତର—ମୁଁ ତୁମକୁ ଜୀବନର ସଙ୍ଗିନୀ ଭାବରେ ପାଇଲେ ନିଜକୁ ଧନ୍ୟ ମନେ କରନ୍ତି-?

 

ଉମା—ମୁଁ ଯେ ମୁସଲ୍‍ମାନ କନ୍ୟା ଏ କଥା ଜାଣିଛ ତ ?

 

ଡାକ୍ତର—ହଁ, ତଥାପି ମୋର ମନରେ ବରାବର ସନ୍ଦେହ ଅଛି ।

 

ଉମା—କେଉଁ ବିଷୟରେ ସନ୍ଦେହ ଅଛି ପ୍ରକାଶ କରି କରୁନାହାନ୍ତି ଡାକ୍ତରବାବୁ ?

 

ଡାକ୍ତର—ଆଚ୍ଛା—ମଉଜବେଗ ତୁମର ଜନ୍ମକଲା ପିତା ନା ?

 

ଉମା—ସେ ମୋର ପାଳକ ପିତା ।

 

ଡାକ୍ତର—(ମନ ଉଲ୍ଲାସରେ) ତେବେ ତୁମର ଜନ୍ମକଲା ପିତା କିଏ ସେ ?

 

ଉମା—ତା ମୁଁ ସଠିକ କହିପାରିବି ନାହିଁ । ମୋର ପାଳକ ପିତାଙ୍କ ମୁଖରୁ ଶୁଣିଛି ଯେ ସେ ମୋତେ ଯେତେବେଳେ ଖୁବ୍‌ କମ୍‌ ବୟସରେମୋତେ କୌଣସି ଦୁର୍ବୃତ୍ତଙ୍କ ହାତରୁ ଉଦ୍ଧାର କରି ସେବାଧାମର ଅନାଥଶ୍ରମରେ ନିଜର ତତ୍ୱାବଧାନରେ ରଖାଇଥିଲେ । ମୋ ପରି କେତେ ଅନାଥ ବାଳକ ବାଳିକାମାନଙ୍କୁ ସେ ଉଦ୍ଧାର କରି ଆଣିଛନ୍ତି । ଏହା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା, ମୋ ପ୍ରତି ତାଙ୍କର ଯେ କାହିଁକି ବିଶେଷ ଶ୍ରଦ୍ଧା, ସ୍ନେହ, ମମତା ଥିଲା ତା ଜାଣେ ନା । ପରେ ସେ ମୋତେ ପାଠଶାଠ ପଢ଼ାଇବା ପାଇଁ ରେଙ୍ଗୁନ ସହରକୁ ପଠାଇଥିଲେ । ଆଉ ଅଧିକ ମୁଁ ଜାଣେ ନା-। ମୋର ପାଳକ ପିତାଙ୍କୁ କିମ୍ବା ବିନିବାବାଙ୍କୁ ପଚାରିଲେ ସେ କହି ପାରନ୍ତି ।

 

ଡାକ୍ତର—ସେମାନଙ୍କୁ ପଚାରିବା ଭଦ୍ରତା ବିରୋଧ ମନେ କରୁଛି । ତା’ ପରେ ବିନିବାବାଙ୍କୁ ତୁମ ସମ୍ବନ୍ଧରେ ପଚାରିବାକୁ ମୋତେ ଭୟ ହେଉଛି । ସେ ଯେପରି କଡ଼ା ଲୋକ ତୁମେ କ’ଣ ଜାଣ ନା ! ତୁମେ ରାଜି ହେଲେ ଉମା ମୁଁ ସମାଜର ସମସ୍ତ ବନ୍ଧନ ତୁଟାଇ ତୁମକୁ ଗ୍ରହଣ କରିବି ।

 

ଉମା—ଏପରି ପ୍ରତିଜ୍ଞା କରିବା ପୂର୍ବରୁ ତୁମର ଉତ୍ତମରୂପେ ବୁଝି ବିଚାର କରିବାର ଅଛି-। ଅନେକ ଶିକ୍ଷିତ ଯୁବକ କ୍ଷଣିକ ମୋହରେ ଯୌବନର ଉଦ୍ଦାମ ପ୍ରେମରେ କେତେ ଯୁବତୀଙ୍କୁ ଆପଣାର କରି ସେମାନଙ୍କୁ ପରିତ୍ୟାଗ କରିଛନ୍ତି । ସେମାନଙ୍କର ସତୀତ୍ୱ ନଷ୍ଟ କରିଛନ୍ତି, ଦାଣ୍ଡର ଭିକାରୁଣୀ କରି ସମାଜରେ ପତିତା କରି ରଖିଛନ୍ତି ।

 

ଡାକ୍ତର—ଉମା, ଡାକ୍ତର ଦାଶକୁ ସେପରି ଅଭିଯୋଗରେ ଅଭିଯୁକ୍ତ କରନା । ତୁମର ଇଚ୍ଛା କ’ଣ ପରିଷ୍କାର କୁହ । ଆଉ କଣ ବାଧା ଅଛି କୁହ ।

 

ଉମା—ନିୟତିର ଇଚ୍ଛା ଥିଲେ ସବୁ ବାଧାବିଘ୍ନ ଦୂର ହୋଇପାରିବ । ତୁମେ ପରା ଅଭିନୟ ଦେଖି ଯିବାପାଇଁ ଏତେ ବ୍ୟଗ୍ର ହେଉଥିଲ ? ବର୍ତ୍ତମାନ ସବୁ ଭୁଲିଗଲ ନା କ’ଣ ?

 

ଡାକ୍ତର—ମୁଁ ଭୁଲି ନାହିଁ । ତୁମେ ସବୁ ଭୁଲାଇ ଦେଇଛ ଉମା । ହେଉ ତେବେ ଶୀଘ୍ର ବାହାରିପଡ଼ । ଲୋକଚକ୍ଷୁରେ ତ ସନ୍ଦେହ ଆଗ ସ୍ଥାନ ପାଏ । ତେଣୁ ତୁମେ ପଛରେ ଆସ, ମୁଁ ଆଗରେ ଯାଉଛି । ଆଜିକାର ଅଭିନୟରେ ଟିକଟର ବ୍ୟବସ୍ଥା ହୋଇଛି । ଟିକଟ ବିକ୍ରୟ ଲବ୍‌ଧ ଅର୍ଥ କଳାଭବନ ପାଣ୍ଠିକୁ ମିଳିବ । ବହୁତ ଦର୍ଶକ ହେବାର ଖୁବ୍‌ ସମ୍ଭାବନା । ଡେରି ନ କରି ତୁମେ ଶୀଘ୍ର ଆସିବା ଉମା ।

 

ଡାକ୍ତର ଦାଶ ଆଗରୁ ଟିକଟ କିଣି ତାଙ୍କ ପାଖରେ ଆଉ ଗୋଟିଏ ସିଟ୍‌(ସ୍ଥାନ) ରିଜର୍ଭ (ଆଗତୁରା କିଣି) କରି ରଖିଥିଲେ । ଅଳ୍ପ ସମୟ ପରେ ସେବିକା ଉମା ଦେବୀ ଆସି ଯଥାସ୍ଥାନରେ ବସିଲେ । ଅଭିନୟ ଆରମ୍ଭ ହୋଇଗଲା । ନାଟକର କରୁଣ ଚିତ୍ର ଦେଖି ଡାକ୍ତର ଓ ସେବିକା ଉମାଙ୍କ ଆଖିରୁ ଅଶ୍ରୁପାତ ଉପକ୍ରମ ହେଉଥିବା ବେଳେ ସେମାନେ ନିଜର ହୃଦୟର ଦୁର୍ବଳତା ବୁଝିପାରି ରୁମାଲରେ ମୁହଁ ପୋଛି ପକାଇଲେ । କାରଣ ପାଖର ଦର୍ଶକମାନେ ଜାଣିପାରିଲେ ସେମାନେ କାଳେ ଅପଦସ୍ଥ ହୋଇ ପଡ଼ିବେ । ଉମା ଆଉ ସେଠାରେ ବେଶୀ ସମୟ ରହିବାକୁ ଚାହୁ ନ ଥିଲା; କିନ୍ତୁ ଡାକ୍ତର ବାବୁ କ’ଣ ଭାବିବେ ବୋଲି ସେ ମଧ୍ୟ ମନକଥା ମନରେ ଚାପି ରଖି ବସିଲା ।

 

ଯେତେବେଳେ ନାଟକ ବର୍ଣ୍ଣିତ ନାୟକ ନାୟିକାଙ୍କର ଦୁଃଖ ବିରହ ଚୂଡ଼ାନ୍ତ ଅବସ୍ଥାରେ ପହଞ୍ଚିଲା, ଠିକ୍‌ ସେତିକିବେଳକୁ ଡାକ୍ତରଖାନାରୁ ଜଣେ କମ୍ପାଉଣ୍ଡର ଆସି ଖବର ଦେଲା ଡାକ୍ତର ଦାଶଙ୍କୁ ଯେ, ଜଣେ ରୋଗୀର ଅବସ୍ଥା ଅତି ଉଦ୍‌ବେଗଜନକ । ସମ୍ବାଦ ପାଇ ଡାକ୍ତର ଦାଶ ସଙ୍ଗେ ସଙ୍ଗେ ଉଠି ବାହାରିଲେ । ମୁଖ୍ୟା ସେବିକା ଉମା ଦେବୀ ମଧ୍ୟ ଯିବାକୁ ଢେର୍‌ ଆଗରୁ ବ୍ୟସ୍ତ ହେଉଥିଲେ । ଡାକ୍ତର ଯିବାର ଦେଖି ସେ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ । ଦର୍ଶକମାନେ ଭାବିଲେ, କେହି ରୋଗୀର ମରଣାପନ୍ନ ଅବସ୍ଥା । ବୋଧହୁଏ ତାକୁ ଆଟେଣ୍ଡ (ଦେଖିବା ପାଇଁ) କରିବାକୁ ଏମାନେ ବାହାରିଲେ ।

 

କମ୍ପାଉଣ୍ଡରଙ୍କ ନିର୍ଦ୍ଦେଶ ଅନୁସାରେ ଡାକ୍ତର ଦାଶ ଚାଲିଲେ ହାସପାତାଳ ସେପ୍‌ଟିକ୍‌ ଓ୍ୱାର୍ଡ଼କୁ । ଯାଇଁ ଦେଖନ୍ତି, ରୋଗୀର ଅବସ୍ଥା ଅତି ସାଙ୍ଘାତିକ । ଏକ ଘଣ୍ଟା ମଧ୍ୟରେ ଶେଷ ହୋଇ ଯାଇପାରେ । ଟେମ୍ପରେଚର ୧୦୬ । ଗୋଟିଏ ଦି’ଟା ଇଞ୍ଜେକ୍‌ସନ ଫୋଡ଼ି ଦିଆଗଲା । କେତେ ମିନିଟ ପରେ ରୋଗୀ ହଠାତ୍‌ ଚିତ୍କାର କରି ଉଠିଲା ।

 

ରୋଗୀ—ଛାଡ଼ି ଦିଅ—ଛାଡ଼ି ଦିଅ । ଏହି ଆସିଲା ଜାହଜ । ଜନାଥ—ଜନାଥ । ମଉଜା—ମଉଜା—ଫେରନା ଫେରନା । କାହିଁ—ମାନୁ ନାହାନ୍ତି—ହସୁଛ—ଥଟ୍ଟା କରୁଛ—ଆଖି ବୁଜିଲେ ବି ଯାଉ ନାହିଁ ! (ଟିକିଏ ରହି) ଯା ବାବା ଫେରି ଚାହୁଁଛ—ମୋତେ ଛୁଅଁନା ।

 

ଡାକ୍ତର—ଚୁପ୍‌ ହୋଇ ଶୋଇ ଯା ।

 

ତା’ର ତ ହୋସ ନ ଥାଏ; ସେ କ’ଣ ଶୁଣିବ ? ଡାକ୍ତର ଗୋଟିଏ ମର୍ଫିଆ ଇଞ୍ଜେକସନ ଫୋଡ଼ିଦେଲେ ନିଦ ହୋଇଯିବ; କିନ୍ତୁ ରୋଗୀ ପୁଣି କିଛିକ୍ଷଣ ପରେ ବାଉଳି ଉଠିଲା, ‘ନା-ନୀ, ନା-ନୀ-ହସ ନା-ଡରା ନା-କନ୍ଦା ନା । ନିଆଁ—ନିଆଁ—ଜଳିଯିବ—ପୋଡ଼ିଯିବ—ଏଇ ସବୁ ଘରେ ଲାଗିଗଲା ।

 

ପୁଣି କାନ୍ଦି କାନ୍ଦି ଉଠିବାକୁ ଉଦ୍ୟତ ହୁଅନ୍ତେ, ଡାକ୍ତର ଜବରଦସ୍ତ ରୋଗୀକୁ ଶୁଆଇ ଦେଲେ; କିନ୍ତୁ ରୋଗୀ କୌଣସିଥିରେ ସ୍ଥିର ନ ହୋଇ ପୁଣି ସ୍ୱର ମେଲାଇ ପ୍ରଳାପ କରିବାକୁ ଲାଗିଲା । କେତେବେଳେ ହସ, କେତେବେଳେ କାନ୍ଦ ।

 

ରୋଗୀ—ଡାକ୍ତର—ଡାକ୍ତର—ଡର—ଡର । ଡରନା—ନା—ନୀ ତୁ ଯା—ମୋ ଆଗରେ ଠିଆ ହୁଅନା—ହଁ—ହଁ-ହସ-ହସ ନା-ନା’ ।

 

ଏହିପରି ସମୟରେ ସେବିକା ଉମା ମଧ୍ୟ ରୋଗୀକୁ ଦେଖିବାକୁ ଆସି ପହଞ୍ଚିଲା । ପୁଣି ରୋଗୀ ବାଉଳି ଚାଉଳି ହୋଇ ଡାକ ଛାଡ଼ିଲା ।

 

ରୋଗୀ—ନାନୀ—ଆସିଗଲା—ସେଇ—ସେଇ—ଅବିକଳ ସେଇ—ତୁ ଯା—ତୁ ଯା-। ଭୂତ, ଭୁତ—ନାନୀ–ନାନୀ । ହତ୍ୟା–ହତ୍ୟା–ରକ୍ଷାକର–ରକ୍ଷାକର–ମୁଁ–ମୁଁ—ମାରିଛି-ମାରିଛି–ନା-ନା-ନାନୀ-ମାରି ନାହିଁ । ଏହିଟି–ଏହିଟି-ମିଛ-ମିଛ-ମୁଁ । ନିଆଁ — ନିଆଁ—ପୋଡ଼ିଗଲି ଜଳିଗଲି-

 

ଏହିପରି ଅସଙ୍ଗତ କଥାଗୁଡ଼ାଏ ବକି ବକି ଶେଷକୁ ରୋଗୀ ତାବଦା ହୋଇ ପଡ଼ିରହିଲା । ଗତ କାଲି ରାତିରେ ଏହିପରି ବାଚଳତା କରି ଭୂତ ଭୂତ ବୋଲି ବୋଲି ଚିତ୍କାର କରୁଥିବା ବିଷୟ ମଧ୍ୟ ଡିଉଟି ଆଟେଣ୍ଡ କରୁଥିବା ନର୍ସ କମ୍ପାଉଣ୍ଡରମାନେ କହିଲେ । କାଲି ଅବବଶ୍ୟ ରୋଗୀର ମଝିରେ ହୋସ୍‌ ଆସିଥିଲା । ସେତେବେଳେ ଗୋଟାଏ ଭୂତ ତାକୁ ମାଡ଼ିବସୁଛି ବୋଲି କହୁଥିଲା ।

 

ଡାକ୍ତର ସେବିକା ବାଳିକାକୁ Novish (ପିଲାଳିଆ) କହି ଗମ୍ଭୀର ହୋଇଗଲେ । କିଛିକ୍ଷଣ ପରେ ରୋଗୀର ସମସ୍ତ ବାଚଳତା ଏକାବେଳେ ବନ୍ଦ ହୋଇଗଲା । ସେ ନୀରବ ନିସ୍ତେଜ ହୋଇ ପଡ଼ି ରହିଲା । ଡାକ୍ତର ନାଡ଼ୀ ଚିପି ଦେଖିଲେ । ନାଡ଼ୀର ସତ୍ତା ଲୋପ ହୋଇଯାଇଛି । ହାତ ଗୋଡ଼ କାଠପରି ଟାଣ ହୋଇଗଲା । ପରେ ପରେ ରୋଗୀର ପ୍ରାଣବାୟୁ ଉଡ଼ିଗଲା ସବୁ ଶେଷ ।

 

ରୋଗୀଟି ଅନ୍ୟ କେହି ନୁହେଁ, ସେବାଗ୍ରାମର ସପନି ମିଶ୍ର । ଡାକ୍ତର ଓ ନର୍ସମାନେ ବହୁତ ଚେଷ୍ଟା ଓ ଚିକିତ୍ସା କରି ମଧ୍ୟ କିଛି ଫଳ ହେଲା ନାହିଁ । ସମସ୍ତେ ବେଡ଼୍‌ ଛାଡ଼ି ଚାଲିଗଲେ ।

 

ଶବ ଉଠାଇବାକୁ ତାର କେହି ଆତ୍ମୀୟ ନଥିଲେ । ଖବର ଦେବା ସତ୍ତ୍ୱେ ସାହି ପଡ଼ିଶାର ଲୋକେ ମଧ୍ୟ କେହି ଭୟରେ ଆସିଲେ ନାହିଁ । ସୁପରିଟେଣ୍ଡେଣ୍ଟଙ୍କ ଆଦେଶରେ ପରଦିନ ସକାଳେ ଡାକ୍ତରଖାନାର ହାଡ଼ିମାନେ ଲସ୍‌କୁ ଦୂର ଶୁଣାନଭୂଇଁରେ ଗହୀରିଆ ଗାତ ଖୋଳି ପୋତିଦେଇ ଆସିଲେ ।

 

ଛବିଶ

 

ପଲ୍ଲୀ ଗ୍ରାମମାନଙ୍କରେ ମାନ୍ଧାତାଙ୍କ ଅମଳରୁ ନାନାପ୍ରକାର ପର୍ବ ପର୍ବାଣି ଅନୁଷିତ ହୋଇ ଆସୁଛି । ଏ ପର୍ଯ୍ୟନ୍ତ ମଧ୍ୟ ସେହି ପରମ୍ପରା ରକ୍ଷା କାଯାଇଛି । ସେହି ଅଭ୍ୟାସ ଲୋକମାନଙ୍କର ସଜୀବ ହୋଇ ରହିଛି । ବିଭିନ୍ନ ସମୟରେ ବିଭିନ୍ନ ବ୍ରତ, ଉପବାସ, ଅଷ୍ଟମୀ, ଜୟନ୍ତୀ ପାଳନ କରାଯାଇ ଆସୁଛି ଗାଁ ମାନଙ୍କରେ ଯେତେଗୁଡ଼ିଏ ପୂଜା ପର୍ବ, ସାମାଜିକ ଯାତ୍ରା ମେଳା, ମହୋତ୍ସବ ପାଳିତ ହୁଏ ତାହା ମଧ୍ୟରେ ଦୋଳ ଦଶରା, ସ୍ନାନଯାତ୍ରା ବା ଶ୍ରୀଗୁଣ୍ଡିଚା ପ୍ରଭୃତି ପ୍ରଦାନ ।

 

ନୂଆ ଗାଁ ଜଗନ୍ନାଥପୁରରେ ବହୁଦିନରୁ ନାନାପ୍ରକାର ପର୍ବପର୍ବାଣି ପାଳନ ହୋଇ ଆସୁଥିଲେ ମଧ୍ୟ ଶ୍ରୀଗୁଣ୍ଡିଚା ଓ ଶିବବିବାହ ଶୀତଳଷଷ୍ଠୀ ଦୁଇଟି ବଡ଼ ଜାକ ଜମକରେ ପାଳିତ ହୁଏ-। ଏଠାରେ ରଥଯାତ୍ରା ଅର୍ଥାତ୍‌ ଶ୍ରୀଗୁଣ୍ଡିଚା ଯେପରି ପାଳିତ ହୁଏ ଆଖାପାଖରେ କୌଣସି ଗ୍ରାମରେ ସେପରି ଦେଖାଯାଏ ନାହିଁ । ଗ୍ରାମରେ ଅନେକ ଦିନରୁ ନାନାପ୍ରକାର ମନୋମାଳିନ୍ୟ ଗଣ୍ଡଗୋଳ, ମାଲିମାମଲା ଚାଲିବା ଦ୍ୱାରା ଏସବୁ ପୂଜାପର୍ବ ଯଥାବିଧି ପାଳିତ ହୋଇ ପାରୁ ନ ଥିଲା-। ଏବେ କେତେଦିନ ହେବ ଗ୍ରାମରେ ଶାନ୍ତି ସ୍ଥାପିତ ହୋଇଥିବାରୁ ଗ୍ରାମବାସୀମାନେ ପୁଣି ସହଯୋଗରେ ପୂର୍ବପରି ସବୁ ଯାନିଯାତ୍ରା ବିଧିମତେ ପାଳନ କରିବାକୁ ଲାଗିଲେ । ଅନେକ ବର୍ଷ ଧରି ଶ୍ରୀଗୁଣ୍ଡିଚା ଯାତ ବନ୍ଦ ହୋଇ ଯାଇଥିଲା । ଏ ବର୍ଷ ମହା ସମାରୋହରେ ପାଳିତ ହୋଇଗଲା-। ଶାସନ ବଡ଼ମଠରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଗୋଟିଏ ରଥରେ ବସି ନୂଆଗାଁରେ ଥିବା ଘନାଥଙ୍କ ଘରପାଖ ଗୁଣ୍ଡିଚା ବାଡ଼ିକୁ ଆସିଲେ । ସେଠାରେ ନଅ ଦିନ ରହଣୀ କରି ବାହୁଡ଼ା ଦଶମୀଦିନ ପୁଣି ମନ୍ଦିରକୁ ଫେରିଲେ । ଗୁଣ୍ଡିଚା ବାଡ଼ିକୁ ଆସିଲାବେଳେ ମାଉସୀ ମା ଦେଉଳ ବାଟରେ ପଡ଼େ-। ମାଉସୀ ମା ଦେଉଳଟି ରାଘବାନନ୍ଦଙ୍କ ଉଆସ ପାଖକୁ । ମାଉସୀ ମା ମନ୍ଦିରର ପରିଚଳନା, ବ୍ୟୟଭାର ରାଘବାନନ୍ଦ ବଳିୟାର ସିଂହଙ୍କ ପୂର୍ବ ପୁରୁଷମାନେ ବ୍ୟବସ୍ଥା କରି ଆସିଥିଲେ । ପୂର୍ବ ପରି ଏବର୍ଷ ମଧ୍ୟ ଜଗନ୍ନାଥ ମାଉସୀ ମା ମନ୍ଦିରରେ ବିଶ୍ରାମ ନେଇଗଲେ । ବହୁତ ଭୋଗରାଗ ବି ହେଲା । ସେ ଦିନର ଭୋଗ ରାଗ ବ୍ୟୟ ବଳିୟାରସିଂହଙ୍କର କରିବାର କଥା-। ପରମ୍ପରାକ୍ରମେ ଉପସ୍ଥିତ ସମସ୍ତ ଦର୍ଶକମରନଙ୍କୁ ଚୁଡ଼ାଘଷା, କଦଳୀଚକଟା ବିତରଣ କରିବାରେ ରାଘବାନନ୍ଦ ପଛାଇଲେ ନାହିଁ । ଏବେ ବହୁ ବର୍ଷପରେ ଗ୍ରାମର ସମସ୍ତ ଲୋକ ସହଯୋଗ କରି ଶ୍ରୀଗୁଣ୍ଡିଚା ଉତ୍ସବ ପାଳନ କରିଅଛନ୍ତି । ସମସ୍ତଙ୍କ ମନରେ ହର୍ଷ ଓ ଆନନ୍ଦ ପୂରି ରହିଛି ।

 

ଜିଲ୍ଲା ଉନ୍ନୟନ ପକ୍ଷରୁ ମିଳିଥିବା କୋଡ଼ିଏ ହଜାର ଟଙ୍କା ମଧ୍ୟରୁ ଗ୍ରାମବାସୀଙ୍କ ଶ୍ରମଦାନରେ ଦୁଇଟି ନୂତନ ଅନୁଷ୍ଠାନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଗୋଟିଏ ହେଉଛି ଗୁଣ୍ଡିଚା ମାତୃମଙ୍ଗଳ କେନ୍ଦ୍ର ଓ ଅନ୍ୟଟି ହେଉଛି ଜାଗୁଳେଈ ପାର୍କ । ଆଜି ଶ୍ରୀଗୁଣ୍ଡିଚା ପରି ଶୁଭ ଦିନରେ ଉଭୟ ଅନୁଷ୍ଠାନର ନୂତନ ଗୃହ ଉଦ୍‌ଘାଟନ ଉତ୍ସବ ଯଥାବିଧି ପାଳନ କରାଯାଇଛି ।

 

ମାତୃମଙ୍ଗଳ କେନ୍ଦ୍ରଟି ନୂଆଗାଁରେ ଅବସ୍ଥିତ । ସେଠାରେ ଦୁଇ ଜଣ ନର୍ସ ସରକାରଙ୍କ ତରଫରୁ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ତରଫରୁ ମଧ୍ୟ ନାନାପ୍ରକାର ଯନ୍ତ୍ରପାତି, ଔଷଧପତ୍ର ଓ କେନ୍ଦ୍ର ଉପଯୋଗୀ ଉପକରଣମାନ ଯୋଗାଇ ଦିଆଯାଇଛି । ଏଠାରେ ସେବାଗ୍ରାମ ଏବଂ ପଞ୍ଚାୟତ ମଧ୍ୟରେ ଥିବା ଅନ୍ୟାନ୍ୟ ଗ୍ରାମର ପ୍ରସୂତୀମାନଙ୍କର ସୁଖପ୍ରସବ ଚିକିତ୍ସା ଓ ସୁଚିକିତ୍ସାର ବନ୍ଦୋବସ୍ତ କରାଯାଇଛି । ଦୁଃଖିଶ୍ୟାମ ମିଶ୍ରଙ୍କର ସ୍ତ୍ରୀ, ଭକ୍ତିପରାୟଣା ଗୁଣବତୀ ସ୍ୱର୍ଗୀୟା ଗୁଣ୍ଡିଚା ଦେବୀଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଉଦୟ ସଙ୍ଘର ପ୍ରସ୍ତାବକ୍ରମେ ଏବଂ ଗ୍ରାମ ଲୋକଙ୍କ ସର୍ବସମ୍ମତିରେ ଏହାର ନାମ ଗୁଣ୍ଡିଚା ମାତୃମଙ୍ଗଳ କେନ୍ଦ୍ର ବୋଲି ନାମିତ ହୋଇଛି ।

 

ତା’ ପରେ ଜାଗୁଳାଈ ପାର୍କ । ପାଠକଙ୍କର ମନେଥିବ ଯେଉଁ ଜାଗୁଳେଈ ଠାକୁରାଣୀଙ୍କ ବେଢ଼ା ଏକ ସମୟରେ ଏକ ଭୀତିପ୍ରଦ ବଣ ଓ ନିର୍ଜ୍ଜନ ସ୍ଥାନ ବୋଲି ବିବେଚିତ ହେଉଥିଲା ତାହା ଏବେ ଏକ ମନୋରମ ଉଦ୍ୟାନରେ ପରିଣତ ହୋଇପାରିଛି । ଗ୍ରାମବାସୀଙ୍କ ସମବେତ ଚେଷ୍ଟା ଏବଂ ପୂର୍ଣ୍ଣ ସହଯୋଗରେ ଗ୍ରାମଦେବତୀ ଜାଗୁଳେଈ ଠାକୁରାଣୀଙ୍କ ଆସ୍ଥାନକୁ ଅଳ୍ପ ସ୍ଥାନ ଛାଡ଼ିଦେଇ ବିସ୍ତୃତ ପଡ଼ିଆ ହଣାମରା, ସଫାସୁତରା କରାଯାଇ ଗୋଟିଏ ଇଟା ପାଚେରୀ ଦ୍ୱାରା ଘେରାଇ ଦିଆଯାଇଛି । ହତା ମଧ୍ୟରେ ନାନାଜାତିର ନାନା ରଙ୍ଗର ବାସନା ଫୁଲଗଛମାନ ଲଗାଯାଇଥିବାରୁ ସ୍ଥାନଟିର ସୌନ୍ଦର୍ଯ ବୁଦ୍ଧି ପାଉଛି । ପାର୍କ ମଧ୍ୟରେ ପିଲାମାନଙ୍କ ପାଇଁ ଦୋଳି, ନାଗର ଦୋଳି ଖଞ୍ଜାଯାଇଛି । ମୁକ୍ତବାୟୁ ସେବନ ଏବଂ ଶ୍ରମ ବିନୋଦନ ପାଇଁ ସ୍ଥାନେ ସ୍ଥାନେ ଇଟା ସିମେଣ୍ଟର ଚୌକି ଓ ବେଞ୍ଚମାନ ତିଆରି କରାଯାଇଛି । ସେବାଗ୍ରାମ ଅଧିବାସୀଙ୍କର ଏକତା, ସହଯୋଗ ଓ ନିଷ୍ଠାପର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉନ୍ନୟନ ବିଭାଗ ସେବାଗ୍ରାମକୁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କରୁଛନ୍ତି । ବ୍ଲକ୍‌ ତରଫରୁ ଜାଗୁଳେଇ ପାର୍କରେ ଗୋଟିଏ ଡାକବାଜି ଯନ୍ତ୍ର ବା ରେଡ଼ିଓ ଖଞ୍ଜାଯାଇଛି । ସେବାଗ୍ରାମର ଏବଂ ନିକଟବର୍ତ୍ତୀ ଗ୍ରାମର ଲୋକେ ଏଠାକୁ ସମୟେ ସମୟେ ଆସି ମନ ଉଲ୍ଲାସ କରି ଫେରୁଛନ୍ତି ।

 

ବଡ଼ ମଠ ଜଗନ୍ନାଥ ବେଢ଼ାକୁ ଛାଡ଼ି ତାର ପାଖରେ ଥିବା ଦୁଇ ଏକରେ ଖାନାବଡ଼ୀ ଭିତରେ ଏକାଂଶରେ ଗୋଟିଏ ବିଶ୍ରାମାଗାର ଏବଂ ବିଶ୍ରାମାଗାର ଏବଂ ଅନ୍ୟାଂବଶରେ ପଲ୍ଲୀ ପ୍ରଗତି ପାଠାଗାର ଖୋଲା ଯାଇଛି । ଅବସର ବେଳେ ବିଶେଷତଃ ସନ୍ଧ୍ୟା ଛ’ଟା ଠାରୁ ରାତ୍ର ନ ଟା ପର୍ଯ୍ୟନ୍ତ ଗ୍ରାମର ବାଳକ, ଯୁବକ, ପୌଢ଼ମାନେ ଆସି ପାଠାଗାରରେ ରଖାଯାଇଥିବା ନାନା ପ୍ରକାର ଧର୍ମଶାସ୍ତ୍ର, ପୁରାଣ, ଗଳ୍ପ, ଉପନ୍ୟାସ, ନାଟକ ଓ ବିବିଧ ପୁସ୍ତକମାନ ଏବଂ ସମ୍ୱାଦପତ୍ର, ମାସିକ ପତ୍ରିକା ପ୍ରଭୃତି ପଢ଼ିବା ପାଇଁ ରୁଣ୍ଡ ହେଉଛନ୍ତି ।

 

ମୋଟ ଉପରେ ଦେଖିବାକୁ ଗଲେ ନୂତନ ସେବାଗ୍ରାମଟି ସହରର ଗୋଟିଏ କ୍ଷୁଦ୍ର ସଂକ୍ଷିପ୍ତ ବୋଲି ମନେ ହେଇଁଛି ।

 

ସତେଇଶ

 

ଏ ବୁଢ଼ା ଭିଖାରୀ ଆଉ ଅନ୍ୟ କେହି ନୁହେଁ । ସେ ହେଉଛନ୍ତି ସେବାଗ୍ରାମର ପିତା, ଆତ୍ମା, ଚାଳକ, ମୁଖ୍ୟ ସଂଯୋଜକ ବୃଦ୍ଧ ବିନିବାବା । ଉଦୟ ସଂଘର ସକ୍ରିୟ- ସଭ୍ୟମାନଙ୍କ ଉପରେ ସେବାଗ୍ରାମର ସମସ୍ତ ପରିଚାଳନା ଭାର ନ୍ୟସ୍ତ କରି ଦେଇ ବୁଢ଼ା ଚାଲିଛି ଭିକ୍ଷା ଝୁଲି ଧରି ଦ୍ୱାରେ ହାରେ, ଗ୍ରାମେ ଗ୍ରାମେ । ଲକ୍ଷ୍ୟ ହେଉଛି ଲୋକଙ୍କ ଶୁଣାଇବ ସତ୍ୟ, ଶାନ୍ତି ପ୍ରଗତିର ବାଣୀ ଏବଂ ତାର ବିନିମୟରେ ସେମାନଙ୍କଠାରୁ ଭିକ୍ଷା କରିବ ପ୍ରେମ, ନିଷ୍ଠା, ସହଯୋଗ । ସ୍ୱେଚ୍ଛାରେ, ଖୋଲ ମନରେ, ସ୍ନେହ ଆଦରରେ ଭକ୍ତି ପ୍ରେମରେ ଯେ ଯାହା ହେଲା ବୁଢ଼ା ତା ଗ୍ରହଣ କରି ଆତ୍ମ ପ୍ରସାଦ ଲାଭ କରିବା ସଙ୍ଗେ ସଙ୍ଗେ ସେମାନଙ୍କର କଲ୍ୟାଣ ପଥ ପରିଷ୍କାର କରିଦେବେ ।

 

ବୁଢ଼ା ଯାଇ ଦିନେ ପହଞ୍ଚିଲା ପୂର୍ବତନ ନୂଆ ଗାଁ ଜଗନ୍ନାଥପୁର ଶାସନ ମୌଜା ଅନ୍ତର୍ଗତ ପାଣ ସାହୀରେ । ଏ ସାହୀଟି ବର୍ତ୍ତମାନ ନୂତନ ସେବାଗ୍ରାମ ଅନ୍ତଭୁକ୍ତ ହେଲେହେଁ ଏ ସାହୀର ବିଶେଷ କିଛି ଉନ୍ନତି ହୋଇ ପାରି ନାହିଁ । ବୁଢ଼ା ଆଜିକାଲି ସବୁ କାମ ଛାଡ଼ି ଲାଗିଛି ଏ ଅନୁନ୍ନତ ଗ୍ରାମବାସୀମାନଙ୍କ ଉନ୍ନତ ଓ ପ୍ରଗତି ପଥରେ । ପ୍ରଥମ ଦିନ ତାଙ୍କ ସାହୀରେ ବୁଢ଼ାକୁ ଦେଖି ପଡ଼ାର ଆବାଳବୃଦ୍ଧବନିତା ଆସି ଫୁଲମାଳ ଦେଇ ପାଛୋଟି ନେଲେ । ସାହୀର ମୁଖିଆ ଲୋକେ ଗୋଟିଏ ଛୋଟିଆ ସଭାର ଆୟୋଜନ କରିଥାନ୍ତି । ଏ ଲୋକମାନଙ୍କୁ ପ୍ରାରମ୍ଭିକ ଉପଦେଶ ଦେବାପାଇଁ ସେବାଗ୍ରାମର ପୁରାତନ କର୍ମୀ ଟି ସାନ୍ନାୟା ଏବଂ ବିଦିଆ ଭୋଇ ଆଗରୁ ପ୍ରସ୍ତୁତ ହୋଇଥିଲେ । ବୁଢ଼ା କେତେ ଉପଦେଶ ଦେଇ ଶେଷରେ ଠିଆ ହୋଇ କହିଲା ‘ହେ ମୋର ହରିଜନ ଭାଇମାନେ ଏ ବୁଢ଼ା ଆସିଛି ତୁମ୍ଭମାନଙ୍କଠାରୁ କିଛି ଭିକ୍ଷା ନେବାପାଇଁ । ଯଦି ଭିକ୍ଷା ଦେବ ତ ସେ ତୁମ ସଙ୍ଗରେ ରହିବ ନଚେତ୍‌ ବିଦାୟ ନେଇ ଫେରିବ ।’ ବୁଢ଼ା କଥା କେହି ବୁଝିପାରିଲେ ନାହିଁ ।

 

ସଭା ମଝିରୁ ଜଣକ ପରେ ଜଣେ ଦୁଇଜଣ କହିଲେ । ସେମାନେ ହେଉଛନ୍ତି କପିଳା ପାଣ ଏବଂ ଫକୀର ବେଗ । ସେମାନେ ଯାହା ଯାହା କହିଲେ ତାର ସାର କଥା ଏହି ‘ଆମେମାନେ ଗରିବ, ଆପଣଙ୍କୁ କିଛି ଦେଇ ନ ପାରୁ । ଆପଣ ଆମ ହାତରୁ କିଛି ଗ୍ରହଣ କରିବା ଠିକ୍‌ ମନେ କରୁନାହୁଁ । ଯେହେତୁ ଆମ୍ଭେମାନେ ସମସ୍ତଙ୍କ ପାଖରେ ଘୃଣ୍ୟ ଓ ନିନ୍ଦିତ । ଆମ୍ଭେମାନ ଅତି ଦୀନଭାବରେ ପ୍ରତିପୋଷିତ ହେଉଛୁ, ଆମ୍ଭେମାନେ ବଡ଼ ଦୁଃଖୀ’ ।

 

ବୁଢ଼ା ତହୁଁ ଆସନରୁ ଉଠିପଡ଼ି ଉତ୍ତର ଦେଲା, ‘ଭାଇମାନେ, ଠିକ୍‌ କହିଛି । ତୁମ୍ଭେମାନେ ଦୁଃଖୀ ତୁମର ଦୁଃଖ ମୋତେ ଦେଇ ଦିଅ । ମୁଁ ତ ସେଇଥିପାଇଁ ଆସିଛି । ତୁମେ ଏ ବୁଢ଼ାକୁ ତୁମର ଦୁଃଖତକ ଦେଇଦେଲେ ସୁଖ ତ ଆପେ ଆପେ ଆସିଯିବ, କାରଣ ଦୁଃଖ ତା ପାଖକୁ ସୁଖ ବରାବର ଲାଗିଛି ।’ ସେମାନେ କିଛି ବୁଝିପାରିଲେ ନାହିଁ । ବୁଢ଼ା ତାପରେ ପୁଣି ସରଳ ଭାବରେ ବୁଝାଇଦେଲା । ‘ତୁମର ଦୁଃଖର କାରଣ, ସମାଜରେ ତୁମର ଲଞ୍ଛିତ ଓ ଅନାଦୃତ ହେବାର କାରଣ ଦୁଇଟି । ସେ ଦୁଇଟିକୁ ଯଦି ତୁମେ ଉତ୍ସର୍ଗ କରିଦିଅ ତେବେ ତୁମେ ସୁଖରେ ରହିବ । ମୁଁ ତୁମଠାରୁ ସେହି ଦୁଃଖ ଭିକ୍ଷା କରିବାକୁ ଆସିଛି । ତୁମେ ମୋ ଆଗରେ ଶପଥ ଘେନିଲେ ମୁଁ ତୁମ ଦୁଃଖ ନେବାକୁ ପ୍ରତିଶ୍ରୂତି ଦେବି ।’

 

ସଭାମଝିରୁ ସମସ୍ୱରରେ ଧ୍ୱନି ଉଠିଲା, ‘ଆମେ ସମସ୍ତେ ପ୍ରସ୍ତୁତ । ବର୍ତ୍ତମାନ ଶପଥ ଘେନିବାକୁ ତିଆରି ଅଛୁ’ । ସେଠୁ ବୁଢ଼ା କହିଲା, ‘ଯେଉଁ କାରଣରୁ ତୁମର ଦୁଃଖର ଉଭାବ ସେ ଦୁଇଟି ହେଉଛି ‘ନିଶାପାନ ଏବଂ ଗୋବଧ’ । ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ହରିଜନ, ଆଦିବାସୀ ଓ ମୁସଲ୍‍ମାନ ଭାଇମାନଙ୍କୁ ମୁଁ ଏକାନ୍ତ ଅନୁରୋଧ କରୁଛି ଆମ ଜାତିର ଆମ ଜୀବନର କଳଙ୍କ ସ୍ୱରୂପ ଏ ଦୁଇଟି କୁଅଭ୍ୟାସ ଓ ହିସାଂବୃତ୍ତି ପରିତ୍ୟାଗ କଲେ ଦୁଃଖ ଦୂର ହୋଇପାରିବ ।

 

ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଅଛନ୍ତି ଯେଉଁମାନେ କି ଓଳିଏ ଦିନେ ଉପାସ ପଛେ ରହିଯାଇ ପାରୁଛନ୍ତି କିନ୍ତୁ ନିଶାପାଣି ଟିକିଏ ନ ଖାଇ ଚଳି ପାରୁ ନାହାନ୍ତି । ଏହା ଆମ ସମାଜର କଳଙ୍କ ସୁତରାଂ ତୁମ୍ଭେମାନେ ତୁମର ପ୍ରତିଜ୍ଞା ପାଳନ କରି ଶପଥ ରକ୍ଷ କରି ଆଜିଠାରୁ ଆଉ ସେ ଦୁଃଖର ପାଖ ମାଡ଼ିବ ନାହିଁ ।

 

ତା’ପରେ ତୁମେମାନେ ଜାଣ ଆମ ଦେଶ ଏକ ଚାଷୀ ମୁଲିଆ ଦେଶ । ଚାଷ ଆମର ପେଶା, ପ୍ରଧାନ ଜୀବିକା । ଆଉ ଚାଷ କିରିବାକୁ ହେଲେ ଆମର ପ୍ରଦାନ ସହାୟ ହେଉଛନ୍ତି ଗୋ ଜାତି ସେମାନେ ଆମର ‘ମା’ । ଆମର ୠଣ ଯେପରି ପୁଅ ନାତି ଶୁଝି ପାରନ୍ତି ନାହିଁ ସେହିପରି ଗୋ ଜାତିର ଉପକାର ଆମେ କୃଷକ ଶୁଝି ପାରିବା ନାହିଁ । ମା’ ର ସେବା ଯେପରି ସବୁଠାରୁ ବଡ଼ ଧର୍ମ, କୃଷକ ପକ୍ଷରେ ଗୋ ସେବା ସେହି ପରି । କିନ୍ତୁ ଭାଇ, ଆଜି ଆମର ଦୁର୍ଦ୍ଦିନ । ଆମ ଦେଶରେ ପ୍ରତ୍ୟହ ସହସ୍ର ସହସ୍ର ଗୋମାତାଙ୍କୁ ଆମ ଲୋକେ ହତ୍ୟା କରି ମାତୃହତ୍ୟା ପାପ ଅର୍ଜନ କରୁଅଛନ୍ତି । ଆମେ ମା’କୁ ଅବମାନନା କଲେ ଆମର ମଙ୍ଗଳ ହେବ କେଉଁଠ ?

 

ଅଳ୍ପଦିନ ହେବ ସ୍ୱାଧୀନତା ଲାଭ କରିଥିବା ଆମ ଦେଶର ସବୁଠାରୁ ବଡ଼ ସମସ୍ୟା ଖାଦ୍ୟ ଉତ୍ପାଦନ । ପ୍ରଚୁର ଖାଦ୍ୟ ଶସ୍ୟର ଉତ୍ପତ୍ତି ନହେଲେ ଏ ଦେଶର ବିଶାଳ ଜନତା ବଞ୍ଚି ରହିବ କିପରି ? ବିଶେଷଜ୍ଞମାନେ କହୁଛନ୍ତି ଆଉ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ପୃଥିବୀର ଲୋକସଂଖ୍ୟା ବର୍ତ୍ତମାନ ସଂଖ୍ୟାର ଦୁଇଗୁଣ ହୋଇଯିବ । ତେଣୁ ଯାହାଦ୍ୱାରା ଆମେ ପ୍ରଚୁର ଖାଦ୍ୟଶସ୍ୟ ଉତ୍ପାଦନ କରି ପାରିବା ସେହି ଗୋଜାତି ପ୍ରତି ଆମର ମହାନ୍‌ କର୍ତ୍ତବ୍ୟ ଅଛି । ସେଥିପାଇଁ ଆମ ଦେଶରେ ସ୍ୱାଧୀନତା ଲାଭ ହେବା ପରେ ପରେ କେତେ ଦିନ ହେବ ଗୋ ସମ୍ୱର୍ଦ୍ଧନା ସପ୍ତାହ ପାଳନ କରାଯାଉଛି । ଗୋପୂଜା କିଛି ନୂଆ କଥା ନୁହେଁ, ଗୋ ମାତାର କୋଟି କୋଟି ରୁମ ମୂଳରେ କୋଟି କୋଟି ଦେବତା ଅଛନ୍ତି । ଏହାର ଅର୍ଥ ମୋଟାମୋଟି ଏହି ଯେ କୋଟି କୋଟି ଲୋକଙ୍କର ପ୍ରାଣ ବଞ୍ଚାଇବ ଆମର ଏହି ଗୋଜାତି । ଆମ ଶାସ୍ତ୍ର ଏବଂ ସାମାଜିକ ପ୍ରଥାନୁସାରେ ଗୋପାଷ୍ଟମୀ, ବଳଭଦ୍ର ପୂଜା ଦ୍ୱାରା ଆମେ ଗୋଜାତିଙ୍କୁ ସମ୍ମାନ ଦେଖାଇ ଆସୁଛେଁ । ଗାଈଗୋରୁ, ମେଷ ପ୍ରଭୃତି କିପରି ଶ୍ରୀକୃଷ୍ଣ ଏବଂ ଯୀଶୁଖ୍ରୀଷ୍ଟଙ୍କର ପ୍ରିୟ ସାଥୀ ତୁମେ ଶୁଣିଥିବ । ଆମ ଦେଶର ଗୋଶାଳା ଏବଂ ପିଞ୍ଜରା ପୋଲ ମାନ ଧର୍ମକ୍ରିୟାରୂପେ ଦାତବ୍ୟ ଅନୁଷ୍ଠାନ ଭଳି ଚଳି ଆସୁଛି ସତ । କିନ୍ତୁ ଏ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରି ସୁଦୃଢ଼ ଅର୍ଥନୈତିକ ଭିତ୍ତି ଉପରେ ଗୋ ମହିଷାଦି ଗୃହପାଳିତ ପଶୁମାନଙ୍କର ଉନ୍ନତି ବିଧାନ କରିବାକୁ ହେବ ।

 

ଆଜି ତୁମ୍ଭେମାନେ ଏ କୁପ୍ରଥା, ଏ କୁଅଭ୍ୟାସ ତ୍ୟାଗକରି ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିବାରୁ ମୁଁ ତୁମ୍ଭମାନଙ୍କୁ କଲ୍ୟାଣ କରୁଛି । ତୁମର ଦୁଃଖ ଅତି ଶୀଘ୍ର ଦୂର ହୋଇ ପାରିବ ବୋଲି ପ୍ରତିଶ୍ରୁତି ଦେଉଛି ।’

 

ସଭା ଭଙ୍ଗ ହେଲା । ସମସ୍ତେ ଯେଝା କାମରେ ଗଲେ ।

 

ଅଳ୍ପ ଦିନପରେ ଦେଖାଗଲା, ହରିଜନ ଓ ମୁସଲ୍‍ମାନ ସାହିର ଲୋକେ ନିଶାପାନ ଏକାବେଳକେ ପରିତ୍ୟାଗ କଲେ । ଗୋ ବଧ ମଧ୍ୟ ପୂରାମାତ୍ରାରେ ବନ୍ଦ ହୋଇଗଲା । ସାହିର ହରିଜନ ଏବଂ ମୁସଲ୍‍ମାନମାନଙ୍କ ମଧ୍ୟରୁ କେତେକ ମୁଖ୍ୟ ଯୁବକ, ଲୋକ ଉଦୟ ସଂଘର ସଭ୍ୟ ଶ୍ରେଣୀ ଭୁକ୍ତ ହେଲେ । ସଂଘର ପ୍ରଚେଷ୍ଟାରେ ଏହି ସାହିରେ ଗୋଟିଏ ଗୋରକ୍ଷଣୀ ସଭାଗୃହ ଓ ଗୋଶାଳା ନିର୍ମାଣ କରାଗଲା । ବର୍ଷକୁ ବର୍ଷ ଗୋ ସମ୍ୱର୍ଦ୍ଧନା ଉତ୍ସବ ପାଳିତ ହେଲା ସଙ୍ଘର ଉଦ୍ୟୋକ୍ତମାନଙ୍କର ଆବେଦନ ଫଳରେ ସେବାଗ୍ରାମର ଏ ବସ୍ତିରେ ଗୋ ସେବା ଓ ଗୋ ଚିକିତ୍ସା ପାଇଁ ସରକାରଙ୍କର ଉନ୍ନୟନ ବିଭାଗ ତରଫରୁ ଜଣେ ପଶୁଡାକ୍ତର ନିଯୁକ୍ତ ହେଲେ । ସେବାଗ୍ରାମ ତଥା ନିକଟବର୍ତ୍ତୀ ଗ୍ରାମମାନଙ୍କରେ ଆଗପରି ଗୋ ମଡ଼କ, ଫାଟୁଆ, ଶାହାଣା, ଝିମା ପ୍ରଭୃତି ରୋଗ ଆଉ ଦେଖା ହେଲା ନାହିଁ । ଗୋ ମଡ଼କରେ ଏ ଗାଁରୁ ଆଗେ ଯେପରି ଗୋରୁ, ଗାଈ, ମଇଁଷି ପଟପାଟ ମରି ଯାଉଥିଲେ ତାହା କ୍ରମଶଃ ବନ୍ଦ ହୋଇଗଲା ।

 

ଗୁପ୍ତି ମୁଣ୍ଡିଆର ପାବ ଦେଶରେ ଗୋଟିଏ ସର୍ବସାଧାରଣ ଗୋ ପାଳନ ଏବଂ ଦୁଗ୍‌ଧ ସରବରାହ କେନ୍ଦ୍ର ଖୋଲାଗଲା । ସରକାରଙ୍କ ତରଫରୁ ହରିଆନା ଏବଂ ସିନ୍ଧି ଗାଈ କେତୋଟି ଅଣାଗଲା । ଆମ ଦେଶୀ ଗାଈ ମଧ୍ୟ ରହିଲେ । ସେଠାରେ କୃତ୍ରିମ ପ୍ରଜନନ କେନ୍ଦ୍ରଟିଏ ଖୋଲାଯାଇ ଉତ୍କଷ୍ଟ ଧରଣର ଛଡ଼ା ବାଛୁରୀ ଗ୍ରାମଲୋକଙ୍କୁ ସୁବିଧାରେ ଯୋଗାଇ ଦିଆଗଲା ।

 

ହରିଜନ ସାହିର ପିଲାମାନେ ଉତ୍ସାହିତ ହୋଇ ଗ୍ରାମର ପ୍ରାଇମେରୀ ଓ ମଧ୍ୟ ବିଦ୍ୟାଳୟରେ ପାଠ ପଢ଼ିବାକୁ ଆସିଲେ । ସ୍ଥାନୀୟ ମଧ୍ୟ ବିଦ୍ୟାଳୟର ଶିକ୍ଷକମାନଙ୍କ ଦ୍ୱାରା ନୈଶ ବିଦ୍ୟାଳୟଟିଏ ଖୋଲାଯାଇ ପ୍ରୌଢ଼ମାନଙ୍କୁ ସାମାଜିକ ଶିକ୍ଷା ଦିଆଗଲା, ସାକ୍ଷର କେନ୍ଦ୍ର କେତୋଟି ଖୋଲାଗଲା ।

 

ଗ୍ରାମରୁ ମଦ୍ୟପାନ ଓ ଗୋ ହତ୍ୟା ପୁରାପୁରି ବନ୍ଦ ହୋଇଗଲା ଆରୁଣୀପଦାରେ ଥିବା ଅସଂଖ୍ୟ ଖଜୁରି ଗଛରୁ ଗୁଡ଼ି ତିଆରି କରାଗଲା ।

 

ହରିଜନ ସାହିର ବାଳକ ବାଳିକା ବିନା ଆପତ୍ତିରେ ଗ୍ରାମର ଅନ୍ୟାନ୍ୟ ପିଲା ସହିତ ଏକତ୍ର ବସି ପାଠ ପଢ଼ିଲେ । ମଧ୍ୟାହ୍ନ ଭୋଜନରେ ଏକାଠି ବସି ଖିଆପିଆ କଲେ । ହରିଜନପଡ଼ାର ରାସ୍ତା ଘାଟ ଘର ବାରି ସବୁ ସଫାସୁତରା ହୋଇଗଲା । ଗାଁ ଲୋକେ ହରିଜନମାନଙ୍କୁ ଆଗପରି ଆଉ ଘୃଣାକଲେ ନାହିଁ । ସେମାନେ ଅବାଧରେ ଗ୍ରାମର ଲୋକଙ୍କ ସଙ୍ଗେ ସବୁ କଥାରେ କାନ୍ଧକୁ କାନ୍ଧ ମିଳାଇ ଗ୍ରାମର ମଙ୍ଗଳ କାର୍ଯ୍ୟରେ ନୂତନ ଉତ୍ସାହରେ ଲାଗି ପଡ଼ିଲେ ।

 

ଗ୍ରାମରୁ ନିଶାନିବାରଣ ଏବଂ ଗୋହତ୍ୟା ବନ୍ଦ କରି ସାରି ବୁଢ଼ା ଭିକାରୀ ଚାଲିଲା ଅନ୍ୟ ଦୁଇ ସାହି ନୂଆଗାଁ ଓ ଶାସନକୁ । ସେବା ଗ୍ରାମର ନାନାବିଧ ଉନ୍ନତିମୂଳକ ଯୋଜନା କାର୍ଯ୍ୟ ଚଳାଇବାକୁ ଅର୍ଥର ଅଭାବ ଅନାଟନ ଅନୁଭୂତ ହେଲା । ବିଶେଷ ଭାବରେ ଦାତ୍ୟବ୍ୟ ଚିକିତ୍ସାଳୟର ଖର୍ଚ୍ଚ ବଢ଼ି ବଢ଼ି ଚାଲିଲା ।

 

ନୂଆସାହି ଓ ଜଗନ୍ନାଥପୁର ଶାସନ ସାହିରେ କେତୋଟି ମଧ୍ୟବିତ୍ତ ଘର ଛାଡ଼ିଦେଲେ ଅଧିକାଂଶଙ୍କର ସେତେ ବେଶୀ ଜମିବାଡ଼ି ନ ଥିଲା । ମୌଜାରେ ଥିବା କୁଲ ଜମିର ବାରଅଣା ଥିଲା ବଡ଼ ମଠ ମହନ୍ତ ଏବଂ ଆରତ ତିଆଡ଼ିଙ୍କର । ବୁଢ଼ା ଭିକାରୀର ଅନୁରୋଧ ଏଡ଼ି ପାରିବ କିଏ ? ସେ ତ କିଛି ନିଜପାଇଁ ଭିକ୍ଷା କରୁନାହାନ୍ତି । ଯାହା କରୁଛନ୍ତି ସବୁ ଗ୍ରାମର ସମୂହ କଲ୍ୟାଣ ପାଇଁ । ବୁଢ଼ାକଥାରେ ମୁଗ୍‌ଧ ହୋଇ ଗରିବ ଲୋକେ ଆଗଭର ହୋଇ ବାହାରି ପଡ଼ିଲେ । କିଏ ଗୁଣ୍ଠେ, କିଏ ଦିଗୁଣ୍ଠ, କିଏ ଚାରିଗୁଣ୍ଠ, କିଏ ଅଧ ଏକରେ, କିଏ ଏକରେ ଏପରି ଜମିଦାନ କରିବାର ପ୍ରତିଶ୍ରୁତି ଦେଲେ ଏବଂ ଅଳ୍ପ ଦିନ ମଧ୍ୟରେ ରେଜିଷ୍ଟ୍ରି ଦାନ ପତ୍ର ସଂଘ ଅଫିସରେ ସମର୍ପି ଦେଲେ । ଏମାନଙ୍କ ଦେଖାଦେଖି ଧନୀ ଲୋକେ ଆଉ କି ନ ଦେଇ ରହି ପାରନ୍ତି । ହରିହରର ଅନୁରୋଧ କ୍ରମେ ତିଆରି ବୁଢ଼ା କେବଳ ପନ୍ଦର ଏକର ଜମି ନିଜ ପାଇଁ ରଖି ଅନ୍ୟ ଜମି ସବୁ ବୁଢ଼ା ଭିକାରୀକୁ ଦାନ କରିଦେଲେ । ବଡ଼ ମଠ ମହନ୍ତ କେବଳ ମଠର ଯାନିଯାତ୍ରା, ଦେବର୍ଚ୍ଚନା ପାଇଁ ଯେତିକି ଜମି ଆବଶ୍ୟକ ସେତିକି ରଖି ଅବଶିଷ୍ଟ ସବୁ ଜମି ଗ୍ରାମର କୋଠଫଣ୍ଡକୁ ବହୁତ ଆଗରୁ ଦାନ କରି ଦେଇଥିଲେ । ଉଦୟସଂଘ ହାତରେ ବହୁତ ଜମି ଆସିଗଲା ।

 

 

ଅଠେଇଶ

 

ପଲ୍ଲୀବହୁଳ ଆମଦେଶର ଶତକଡ଼ା ପଞ୍ଚସ୍ତରୀ କି ଅଶୀଭାଗ ଲୋକ ଗରିବ ଚାଷୀ । ସୁତରାଂ ଦେଶର ଓ ଜାତିର ମେରୁଦଣ୍ଡ ସ୍ୱରୂପ ଏହି ବିପୁଳ ଚାଷୀ ମୂଲିଆ ଜନତାର ଆର୍ଥିକ ତଥା ଅର୍ଥନୈତିକ ଉନ୍ନତି ନହେଲେ ଦେଶରେ ସ୍ୱାଧୀନତାର ମୂଲ୍ୟ ରହିବ ନାହିଁ । ସମସ୍ତେ କିପରି ପେଟପୁରା ଖାଇବେ, ଶୀତତାପ ସହ୍ୟ କରିବା ପାଇଁ ଭଲଖଣ୍ଡେ ପିନ୍ଧିବେ ତାହା ହେଲା ଅସଲ କଥା । ସେବାଗ୍ରାମର ଆର୍ଥିକ ଉନ୍ନତି କାମନା କରି ଉଦୟ ସଂଘ ଚାଳିଛି ଅଗ୍ରଗତିରେ । ବର୍ତ୍ତମାନ ଉଦୟ ସଂଘ ମାରଫତରେ ସେବାଗ୍ରାମର ଭାଗ ଜମି ଛାଡ଼ିଦିଆ ଯାଇଛି । ପଡ଼ିଆ ଜମି ଉଠିଆ କରିବା, ଅକର୍ମଣ ଜଙ୍ଗଲଜମି ସଫା କରିବା, ପୁରାତନ ଜଙ୍ଗଲ ସଂରକ୍ଷଣ ଓ ନୂତନ ଜଙ୍ଗଲ ପ୍ରସ୍ତୁତ କରିବା, ଚାଷ ଜମି ସାରସୋତ କରିବା କାର୍ଯ୍ୟ ଚାଲିଲା ଜୋରସୋରରେ । ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର କୋଠଚାଷ କମିଟି ମଧ୍ୟ ଗଠନ କରାଗଲା । ସେଥିରେ ସଭାପତି ରହିଲେ ବୁଦ୍ଧ ମୌଜବେଗ, ଉପସଭାପତି ସୁଲୋଚନ । ଆରତ ତିଆଡ଼ି, ପ୍ରେମାନନ୍ଦ, ଘନରଥେ ଏବଂ ଅନ୍ୟାନ୍ୟ ମୁଖ୍ୟ ଚାଷୀମାନେ ଏହି କମିଟିର ପ୍ରଧାନ ପ୍ରଧାନ ସଭ୍ୟ ରହିଲେ । ମାସକୁମାସ କୋଠଚାଷ କମିଟିର ବୈଠକ ଚାଲିଲା । ଚାଷ ବିଷୟରେ ମୌଜବେଗର ଅଭିଜ୍ଞତା ବହୁତ ବେଶୀ । ସେ ରେଙ୍ଗୁନରେ ଚାଷ କରୁଥିଲା ବେଳେ ଜଣେ ଆଦର୍ଶ କୃଷକ ହିସାବରେ ବେଶ ଖ୍ୟାତି ଅର୍ଜନ କରିପାରିଥିଲା । ସେଠାରେ ସେ ଜାପାନୀ ପ୍ରଣାଳୀରେ ଚାଷ କରିବା ଜାଣିଥିଲା । ଆହୁରି ମଧ୍ୟ ଆଧୁନିକ ଧରଣର କଳଲଙ୍ଗଳ ଓ କୃଷି ସମ୍ୱନ୍ଧୀୟ ବୈଜ୍ଞାନିକ ଯନ୍ତ୍ରପାତିର ବ୍ୟବହାର ବିଷୟରେ କିଛି କିଛି ଅଭିଜ୍ଞତା ଅର୍ଜନ କରି ପାରିଥିଲା । ବର୍ତ୍ତମାନ କୋଠ ଚାଷ ବା ସହଯୋଗ ଚାଷର ସମସ୍ତ ଭାର ସମସ୍ତ ତତ୍ତ୍ୱ ମୌଜବେଗକୁ ନେବାକୁ ପଡ଼ିଲା । ସରକାରଙ୍କ କୃଷି ବିଭାଗ ଯଥେଷ୍ଟ ସାହାଯ୍ୟ ଏବଂ ଉପଦେଶ ଦେଲେ । ଚତରା ପୋଖରୀ ଏବଂ ଗୁପ୍ତିଝର ଜଳଭଣ୍ଡାର ଜଳସେଚନ ବ୍ୟବସ୍ଥାରେ ଖୁବ୍‌ କାମରେ ଆସିଲା ।

 

କମିଟି ତରଫରୁ ଲୋକଙ୍କ ଚେଷ୍ଟାରେ ସବୁ ଗୃହସ୍ଥଙ୍କ ବାଡ଼ିରେ ଆଦର୍ଶ ଗୋବର ଖାତ, ସବୁଜସାର ଯଥେଷ୍ଟ ପରିମାଣରେ ତିଆରି କରାଗଲା । କୋଠଚାଷ କମିଟି ସେ ସବୁ କିଣି ନେଇ ସେବାଗ୍ରାମର କୋଠ ଜମିରେ ଲଗାଇଲେ । ଯେଉଁ ୠତୁରେ ଯେଉଁ ଫସଲ ସମ୍ଭବ ତାହା କରାଯାଇପାରିଲା । ଆଗପରି ଲୋକେ ଖରା ଚାରିମାସ ଆଳସ୍ୟରେ ନ ବସି ଏବେ ନିଜ ନିଜ ବିଲ ବାଡ଼ିରେ ଜଳ ମଡ଼ାଇ ନାନାପ୍ରକାର ଖରାଦିନିଆ ଫସଲ ମଧ୍ୟ ଉଠାଇଲେ । ପ୍ରତ୍ୟେକଙ୍କ ବାଡ଼ି ବଗିଚା, ବିଲ, ବିଭିନ୍ନ ୠତୁଜ ରବିଶସ୍ୟ, ଫଳ, ସାକସବଜିରେ ଶୋଭା ପାଇଲା । ଅଭାବଗ୍ରସ୍ତ, ଭୂମିହୀନ, ଦିନ ମଜୁରିମାନଙ୍କୁ ସେମାନଙ୍କର ଭରଣପୋଷଣ ପାଇଁ ସାମୟିକ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ କାମ ମଧ୍ୟ ଯୋଗାଇ ଦିଆଗଲା । ସେବାଗ୍ରାମର ସମସ୍ତ ଶ୍ରମିକ କୋଠଚାଷ କାର୍ଯ୍ୟରେ ଖଟି ଉପଯୁକ୍ତ ମଜୁରୀ ପାଇ ସୁଖରେ ଚଳିଲେ । ଶ୍ରମିକର ଅଭାବ ପଡ଼ିବାରୁ ନିକଟବର୍ତ୍ତୀ ଗ୍ରାମର ଶ୍ରମିକମାନେ ମଧ୍ୟ ସମୟେ ସମୟେ ଖଟିକରି ମୂଲ ପାଇଲେ । ମୋଟ ଉପରେ ସେବାଗ୍ରାମରେ କେହି ବେକାର ହୋଇ ରହିଲେ ନାହିଁ । ସେବାଗ୍ରାମର ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନର ବ୍ୟୟ ଯାଇ ପ୍ରଦର୍ଶନୀ ଖୋଲାଯାଇଥିଲା । ସେଥିରେ ପ୍ରଧାନତଃ ଉତ୍କଷ୍ଟ ହାତତନ୍ତ ବୁଣା ଧୋତି, ଶାଢ଼ି, କନା, ଗାମୁଛା, ପରଦା ତେଲ ପେଡ଼ିବାର ନୂତନ ହାତହତିଆର, ଘଣା, ବିଭିନ୍ନ ରକମର ମାଛ ଧରା ଜାଲ, ବଜା, ଖାଳେଇ ପ୍ରଦର୍ଶିତ ହୋଇଥିଲା । ନାରୀମହଲର ରୁମାଲ, ଝାଡ଼ଣ, କାରପେଟ କାମ, ଉଲର୍‌ ସ୍ୱେଟର, ଗୋଞ୍ଜି, ମଫଲର, କମ୍ପଟ୍‌, କଣ୍ଡେଇ, ତାଳପତ୍ର ଓ କାଇଁଶର ପଙ୍ଖା, ପାଛିଆ, ବ୍ୟାଗ, ହରିଜନ ସହଯୋଗ ସମତିର ବେତ ବାଉଁଶ ତିଆରି ପେଡ଼ି, ପେଟରା ବ୍ୟାଗ୍‌ ମୋଡ଼ା, ଚୌକି, ସୋଫା ପ୍ରଭୃତି ଉତ୍କଷ୍ଟ ଧରଣର ହୋଇଥିବାରୁ ପୁରସ୍କାରମାନ ଦିଆଯାଇଥିଲା ।

 

ସହଯୋଗ ମେଳାର ସାଧାରଣ ସଭାରେ ସରକାରଙ୍କ କୋ-ଅପରଟିଭ ବିଭାଗର ରେଜିଷ୍ଟ୍ରାର ମହୋଦୟ ସଭାପତିତ୍ୱ କରି ଅନେକ ଉପଦେଶ ଦେଇଥିଲେ ଏବଂ ବିଭିନ୍ନ ଶିଳ୍ପୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ସଭାପତି ମହୋଦୟ ବିଭିନ୍ନ ସହଯୋଗ ସମିତିମାନଙ୍କୁ ଯଥାର୍ଥ ସରକାରୀ ସାହାଯ୍ୟ ମିଳିପାରିବ ବୋଲି ପ୍ରତିଶ୍ରୁତି ଦେଲେ । ଆମୋଦ ପ୍ରମୋଦ ମଧ୍ୟରେ ସେବା ଗ୍ରାମର ସହଯୋଗ ମେଳା ମହୋତ୍ସବ ଶେଷ ହେଲା ।

 

କେତେଦିନ ପରେ ରେଜିଷ୍ଟ୍ରାର ମହୋଦୟ ତାଙ୍କର ହାତ ପାଣ୍ଠିରୁ ପାଁଶ ଟଙ୍କା ଉଦୟ ସଂଘ ସମ୍ପାଦକଙ୍କ ଉକ୍ତ ଟଙ୍କା ବିଭିନ୍ନ ସହଯୋଗ ସମିତିର ସମ୍ପାଦକମାନଙ୍କୁ ଦିଆଗଲା । ସେଥିରେ ସେମାନେ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା କୁଟୀର ଶିଳ୍ପ କେନ୍ଦ୍ର ମାନ ପରିଭ୍ରମଣର କରି ଦେଖି ଆସିବାର ସୁବିଧା ପାଇଲେ ।

 

ସେବାଗ୍ରାମର ସବୁ ଅବସ୍ଥାରେ ଲୋକମାନଙ୍କୁ ଜୀବିକା । ଉପାର୍ଜନ କ୍ଷମ କାମ ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଗଲା । ଉଭୟ ସଂଘଙ୍କ ଉଦ୍‌ବୃତ୍ତ ଧାନଶସ୍ୟ ଗୋଟିଏ ବଡ଼ ଶସ୍ୟଗୋଲା କରି ରଖାଗଲା ଭବିଷ୍ୟତରେ ଝଡ଼ି, ବଢ଼ି ମରୁଡ଼ିରେ ଲୋକଙ୍କୁ ସାହାଯ୍ୟ ଦେବା ପାଇଁ ବର୍ଷ କେଇଟା ମଧ୍ୟରେ କୋଠାଚାଷ କମିଟି ହାତରେ ଯଥେଷ୍ଟ ଧାନଶସ୍ୟ ଜମା ହେବାର ଦେଖାଗଲା ।

 

ସେବାଗ୍ରାମ ଲୋକଙ୍କର ପ୍ରଧାନ ପେଶା ହେଲା ଚାଷ । ତା’ ସାଙ୍ଗକୁ ଆଉ କିଛି ଉପଜୀବିକା ତ ଦରକାର । ସୁତରାଂ ଉଦୟ ସଂଘ ଏ ବିଷୟରେ ମଧ୍ୟ ଉପଯୁକ୍ତ ଯୋଜନା କରିବାରେ ତ୍ରୁଟି କଲା ନାହିଁ । ସଙ୍ଗେ ସଙ୍ଗେ କାମ ଆରମ୍ଭ ହୋଇଗଲା । ଗାଁ ଲୋକେ ପାଞ୍ଚ ଦଶ ଏକମେଳ ହୋଇ କୋଠଫଣ୍ଡରୁ ଖୁବ୍‌ ଅଳ୍ପ ସୁଧରେ ଟଙ୍କା ଧାନ କରଜ ନେଲେ । ସମବାୟ ସମିତିମାନ ଗଠନ କରି ବିଭିନ୍ନ ବ୍ୟବସାୟ ଏବଂ ଗୃହଶିଳ୍ପର ଉତ୍ତରୋତ୍ତର ଉନ୍ନତି କରିବାରେ ଲାଗିଗଲେ । ତନ୍ତୁବାୟ, ତୈଳକାର, ମତ୍ସ୍ୟଜୀବୀ, ଖଜୁରୀଗୁଡ଼ ସମିତି ଓ ଅନ୍ୟାନ୍ୟ ଷ୍ଟୋରମାନ ଆଶାତୀତ ଭାବରେ କାମ ଦେଖାଇଲା ।

 

କିଛିଦିନ ବିତିଲା । ବିନିବାବାଙ୍କ ଉପଦେଶମତେ ଗୋଟିଏ ବଡ଼ ଧରଣର ସହଯୋଗ ମେଳା ଅନୁଷ୍ଠିତ ହେଲା । କେଉଁ କମିଟି କି କି କାମ କରିଛି କେତେ ଲାଭ ବା କ୍ଷତି ହେଲା ସେ ସବୁ ବିଷୟର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ଦୁଃଖିଶ୍ୟାମ କଳାଭବନରେ ଏଥିପାଇଁ ଯେଉଁ ସହଯୋଗ ମେଳା ବସିଲା ସେଥିରେ ସେବାଗ୍ରାମ ଏବଂ ପାଖ ଗାଁର ଉତ୍ସାହୀ ଓ ଆଗ୍ରହୀ ଲୋକେ ଯୋଗଦେଲେ । ସାଧାରଣ ସଭା ଶେଷ ହେଲା ପରେ ବିଭିନ୍ନ ସହଯୋଗ ସମିତି ପକ୍ଷରୁ ମେଳା ସ୍ଥାନରେ ଗୋଟିଏ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଡ଼ ଚାଳଘରଟିଏ କରି ପଚାଶଟି ଢିଙ୍କି ବସାଗଲା । ସେଠାରେ ସେବାଗ୍ରାମର ଅସହାୟ, ବୟସ୍କା ଶ୍ରମିକ ଶ୍ରେଣୀର ବିଧବା ସ୍ତ୍ରୀମାନଙ୍କୁ ଚାଉଳକୁଟା କାମରେ ଲଗାଇ ଦେବାରୁ ସେମାନେ ଶ୍ରମ କରି ପ୍ରତିପୋଷିତ ହୋଇପାରିଲେ । ସେବାଗ୍ରାମର ଢିଙ୍କିକୁଟା ଚାଉଳ ଓଡ଼ିଶାର ବଡ଼ ବଡ଼ ସହରମାନଙ୍କରେ ଆଦୃତ ହେଲା ।

 

ଅଣତ୍ରିଶ

 

‘ବଗୁଲିଆ, ବଗୁଲିଆ’ ବୋଲି ଡାକ ଛାଡ଼ିଲେ ହରିହର ଦାଣ୍ଡ ଚାନ୍ଦେନିରେ ଠିଆ ହୋଇ-। ଭୀଷଣ ଗରମ ପଡ଼ିଛି । ଏପରି ଗରମ ଯେ ଘର ଭିତରେ ରହି ହେଉନାହିଁ । ଟିକିଏ ବିଶ୍ରାମ ନେବାପାଇଁ ହରିହର ଘରକୁ ଆସିଥିଲା, ଡାକ୍ତରଖାନା ଡିଉଟି ସାରି । କିନ୍ତୁ ଘର ଭିତରେ ବେଶୀ ସମୟ ରହି ପାରିଲା ନାହିଁ । ସାରାଦିନ ତାକୁ ଖଟିବାକୁ ପଡ଼ିଛି । କାରଣ ସେବାଗ୍ରାମ ହାସପାତାଳର ଚିକିତ୍ସା ଓ ସୁନାମ ଶୁଣି ଦୂରଗ୍ରାମରୁ କଲେରା ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରବିବାର ଥିବାରୁ ହରିହର ସଅଳ ଆସିଛି ବିଶ୍ରାମ ନେବା ଉଦ୍ଦେଶ୍ୟରେ ।

 

ବଗୁଲିଆ ଭିତରେ ଖଞ୍ଜାରେ ଥିଲା । ଡାକ ଶୁଣି ଆସିଲା । ଆସିଲା ମାତ୍ରେ ହରିହର କହିଲା, ‘ଯା ମୋ ବଙ୍କୁଲି ବାଡ଼ିଟା ଆଣି ଦେ । ମୁଁ ଟିକିଏ ବାହାରେ ବୁଲି ଆସେ । ଫେରିବାରେ ଡେରି ହୋଇପାରେ ।’ ବଗୁଲି ସଙ୍ଗେ ସଙ୍ଗେ ବାଡ଼ିଟା ଆଣି ଦେଲା । ହରିହର ଦାଣ୍ଡ ବୈଠକଖାନର ଆଲନାରୁ ପତଳା ମଖମଲ କମିଜଟି ଗଳାଇ ଦେଇ ଅନ୍ୟମନସ୍କ ଭାବରେ କାବୁଲୀ ସ୍ୟାଣ୍ଡଲ୍‌ (ଚଟି) ଦିଟା ଗୋଡ଼ରେ ଭର୍ତ୍ତିକରି ଦେଲା । ବଙ୍କୁଲୀ ବାଡ଼ିଟି ଶୂନ୍ୟରେ ବୁଲାଇ ଜାଗୁଳାଈ ପାର୍କ ଆଡ଼କୁ ଚାଲିଲା । ଯାଇଁ ବସିପଡ଼ିଲା ପାର୍କର ଏକ କୋଣରେ ଥିବା ସିମେଣ୍ଟ ବେଞ୍ଚ ଉପରେ । କ୍ରମେ ପାର୍କରୁ ଗହଳି ଭାଙ୍ଗିଲା । ଏକୁଟିଆଟା ବସିବା ପାଇଁ ଭଲ ଲାଗୁ ନ ଥାଏ । କ’ଣ କରିବ ! ଉମା କହୁଥିଲା ସନ୍ଧ୍ୟାବେଳକୁ ନିଶ୍ଚୟ ବୁଲି ଆସିବା ପାଇଁ; କିନ୍ତୁ ପ୍ରାୟ ସାତଟା ବାଜିବାକୁ ବସିଲାଣି । ସେବିକାର ଦେଖା ନାହିଁ । ଆଉ ଅଧଘଣ୍ଟାଏ ବସିବ ବୋଲି ସ୍ଥିର କଲା ।

 

ଅଳସ ମନରେ ତୁଚ୍ଛାଟାକୁ ବସି ରହିଲେ ମନରେ ନାନା ରକମ କୁଚିନ୍ତା କନ୍ମେ । ହରିହରର ତାହା ହିଁ ହେଲା । ସେ ଅଳ୍ପ କେତେ ଦିନ ହେବ ଡାକ୍ତରଖାନାରେ ଭୂତର ଆବିର୍ଭାବ ବିଷୟ ଶୁଣୁଛି । ସେ ଭାବିଲା, ‘ଦୁନିଆରେ ସତେ କଣ ଭୂତ ପ୍ରେତ ଅଛନ୍ତି ? ସେ ତ ଯୁଦ୍ଧ ଭୂଇଁରେ ଏକୁଟିଆ ବୁଲୁଛି । କେତେ ପାହାଡ଼, ଜଙ୍ଗଲ ଶ୍ମଶାନ ଅନ୍ଧାର ରାତିରେ ବୁଲିଛି । ଦିନେ ହେଲେ ତ ଭୂତ କି ପ୍ରେତ କିଛି ଦେଖି ନାହିଁ । ଡାକ୍ତରଖାନାରେ ଯେଉଁ ନର୍ସ ଓ କମ୍ପାଉଣ୍ଡରମାନେ ରାତି ଡିଉଟିରେ ରହୁଛନ୍ତି, ସେମାନେ କୁଆଡ଼େ କୁହାକୋହି ହେଉଛନ୍ତି ଯେ ଏବେ କେତେ ଦିନ ହେଲା ଗୋଟାଏ ଭୂତ ସେପ୍‌ଟିକ୍‌ ଓ୍ୱାର୍ଡ଼କୁ ବରାବର ଆସୁଛି ଅଧରାତି ପରେ । ଅବଶ୍ୟ ତା ଆଗରେ କେହି ସାହସ କରି କହୁ ନଥିଲେ ହେଁ ସେ ପରସ୍ପରରେ ଶୁଣିବାକୁ ପାଉଛି । ସପନ ମିଶ୍ର ମରିବା ଦୁଇ ଦିନ ପୂର୍ବରୁ ଭୂତ ଦେଖି ଡରୁଥିଲା । ଆହୁରି ମଧ୍ୟ ଡାକ୍ତରଖାନାର ବୁଢ଼ା ମେହେନ୍ତର ଶମ୍ଭୁଆ ରାତି ଆଠଟାରେ ସେପଟିକ୍‌ ଓ୍ୱାର୍ଡ଼ ପାଖରେ ଦେଖିଲା ସେ ରୁମ୍‌ର ବାରଣ୍ଡାରୁ ଗୋଟାଏ ଛାୟା କ୍ରମେ ଦୀର୍ଘକାୟ ହୋଇ ପାଖ ଡେଙ୍ଗା ଆମ୍ୱ ଗଛ ଦେହରେ ମିଶି ଉଭେଇ ଗଲା । ସନ୍ଧ୍ୟାହେଲେ ଡାକ୍ତରଖାନାରେ ଗୋଟାଏ ଭୂତ ଆସି ବୁଲୁଛି ବୋଲି ଗାଁ ଯାକ ଖବର ହୋଇଗଲାଣି । ଗାଁର କେତେକ ଲୋକ ଏଥିରେ କେତେ ଆଲୋଚନା କରୁଛନ୍ତି । କିଏ କହୁଛି ଏ କଥା ସତ, କିଏ କହୁଛି ମିଛ । କିଏ କହୁଛି ପୁରୀ କ୍ଷେତ୍ରରେ ଗୁଣ୍ଡିଚା ବାଡ଼ିରେ ବରାବର ବାବନା ଭୂତ ଥାଏ । ରଥଯାତ୍ରା ବେଳେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ । ବାହୁଡ଼ା ସରିଲେ ପୁଣି ଆସି ଗୁଣ୍ଡିଚା ବାଡ଼ିରେ ଆଶ୍ରୟ ନିଏ । କେହି କେହି ଗପ କରନ୍ତି ରଥଯାତ୍ରା ବନ୍ଦ ଥିବାରୁ ଘନରଥଙ୍କ ଘର ପାଖ ଗୁଣ୍ଡିଚା ବାଡ଼ିରେ ଗୋଟାଏ ଭୂତ ଆଶ୍ରା କରିଥିଲା । ଏ ବର୍ଷ ରଥଯାତ୍ରା ରୀତିମତ ହେବା ଫଳରେ ଭୂତ ସେଠାରୁ ପଳାଇ ଆସି ଏବେ ଡାକ୍ତରଖାନାରେ ବୁଲୁଛି ।

 

ହରିହର କେବେ ନିଜେ ଭୂତପ୍ରେତ ନ ଦେଖିଥିଲେ ହେଁ ତାର ପୂରାମାତ୍ରାରେ ଅବିଶ୍ୱାସ ହେଉନାହିଁ । ସେ ପରଲୋକ ତତ୍ତ୍ୱ ବିଷୟ କେତେକ ବହିରେ ପଡ଼ିଥିଲା । ସେଥିରୁ ସେ ଜାଣିଥିଲା, ପରଲୋକ, ପ୍ରେତ ଲୋକ ଏପରି ସବୁ ଅଛି । ଯଦି ପିତୃଲୋକ ଅଛି ବୋଲି ଶାସ୍ତ୍ରରେ ସିଦ୍ଧାନ୍ତ କରାଯାଇଛି ତେବେ ପ୍ରେତଲୋକ ବା ନ ଥିବ କାହିଁକି ? ପରଲୋକ ତତ୍ୱବିତ୍‌ମାନେ ମଧ୍ୟ କହନ୍ତି, ଯେଉଁ ଲୋକର ସାଂସାରିକ ବାସନା ବଦ୍ଧମୂଳ ହୋଇ ରହିଥାଏ ସେହି ବାସନା ପୂରଣ ରହିବାରେ ଜୀବ ସହଜରେ ମୁକ୍ତି ଲାଭ କରେ ନାହିଁ କି କୌଣସି ସ୍ଥଳ ଶରୀର ଧାରଣ କରିପାରେ ନାହିଁ । ସେ ସୂକ୍ଷ୍ମ ଶରୀରରେ ବାୟୁମଣ୍ଡଳରେ କିଛି କିଛି ଦିନ ବୁଲୁଥାଏ । କାମନା ପୂର୍ଣ୍ଣ ହେଲେ ସେ ହୁଏତ ପୁନର୍ବାର କୌଣସି ଯୋନିରେ ଜନ୍ମଗ୍ରହଣ କରେ । ପାପୀ, କୁକର୍ମୀ, ବିଶ୍ୱାସଘାତକ, ହତ୍ୟାକାରୀଙ୍କୁ ବେଶି ଦିନ ପ୍ରେତ ରୂପରେ ଭ୍ରମଣ କରିବାକୁ ପଡ଼େ । ଯେଉଁମାନେ ସାଧୁ, ସଚ୍ଚରିତ୍ର, ଧର୍ମପ୍ରାଣ ସେମାନେ କ୍ରମେ କ୍ରମେ ଉଚ୍ଚ ସ୍ତରକୁ ଗତି କରନ୍ତି; ସୁତରାଂ ଏବେ ଡାକ୍ତରଖାନାରେ ଯେଉଁ ଭୂତ ଆବିର୍ଭାବ ଗୁଜବ ଉଠିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ହରିହର ଭାବି ପାରୁନାହିଁ

 

ରୋଗୀ ସପନି ମିଶ୍ରର ମୃତ୍ୟୁର ଅବ୍ୟବହିତ ପୂର୍ବରୁ ହରିହର ତା’ର ଯେଉଁ ପ୍ରଳାପ ବାଣୀ ଶୁଣିଲା ସେଥିରେ ମଧ୍ୟ ତାର ମନରେ ଗୋଟାଏ ସନ୍ଦେହ ଉପୁଜିଛି ପ୍ରକୃତରେ ଦୁଃଖିଶ୍ୟାମ ମାଷ୍ଟ୍ରଙ୍କର ଝିଅ ପାର୍ବତୀକୁ ହତ୍ୟା କରାଯାଇଛି କି ନା ? ଏ ବିଷୟରେ ଉଦୟ ସଂଘର ‘ବ୍ରହ୍ମବିଦ୍ୟା ସମାଜ’ ଗଭୀର ଗବେଷଣା କରି ବିନିବାବାଙ୍କ ପାଖରେ ଏକ ରିପୋର୍ଟ ତର୍ଜମା ପାଇଁ ପେସ କରିଛନ୍ତି । ସେମାନଙ୍କର ହରିହର ଶୁଣିଛି ଯେ ପାର୍ବତୀ ହତ୍ୟା ଘଟଣା ମିଥ୍ୟା । ଏହାର ସତ୍ୟତା ଜାଣିବା ପାଇଁ ବିନିବାବାଙ୍କ ନିର୍ଦ୍ଦେଶରେ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ଯେ ଯଦି କେହି ବ୍ୟକ୍ତି ‘ପାର୍ବତୀ’ ମୃତ ବା ଜୀବିତ ଅବସ୍ଥାର ସନ୍ଧାନ ଆଣିଦିଏ ତାକୁ ଏକ ହଜାର ଟଙ୍କା ପୁରସ୍କାର ଦିଆଯିବ । ସଂଘର ନିୟମାନୁସାରେ ଅବିବାହିତ ଯୁବକ ସଭ୍ୟମାନେ ସଂଘର ବିନାଅନୁମୁତିରେ ବିବାହ କରିପାରିବେ ନାହିଁ । ‘ପାର୍ବତୀ ଅନୁସନ୍ଧାନ କମିଟି’ ଶେଷ ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ମୁଖ୍ୟା ସେବିକା ସଙ୍ଗରେ ହରିରରର ବିବାହ ପ୍ରସ୍ତାବ ଆଣିବା ମଧ୍ୟ ସମ୍ଭବପର ନୁହେଁ । ସେ ପୁଣି ଗୁପ୍ତ ଖବର ପାଇଛି ଯେ ପାର୍ବତୀ ତାର କୌଣସି ଆତ୍ମୀୟ ପାଖରେ ଥିବାର ସନ୍ଦେହ କରାଯାଉଛି-। ଉଦୟ ସଂଙ୍ଘର କର୍ତ୍ତୃପକ୍ଷଙ୍କର ଇଚ୍ଛା ପାର୍ବତୀର ସନ୍ଧାନ ମିଳେଇ ସେମାନେ ହରିହର ସଙ୍ଘ ନିୟମ ଲଙ୍ଗନ କରି ପାରିବ ନାହିଁ । ତା’ ହେଲେ ମଧ୍ୟ ହରିହର ଭାବୁଛି ପାର୍ବତୀ ଯଦି ବଞ୍ଚିଥାଏ ତେବେ ସେ ଯେ ସତୀ ସାଧ୍ୱୀ ହୋଇ ରହିଥିବ ସେଥିରେ ବା ଠିକଣା କଣ ? ସେ ଅତି ଛୋଟବେଳେ ତାକୁ ଦେଖିଥିଲା । କେବଳ କ୍ଷୀଣ ସ୍ମୃତି ତାର ଅଛି । ତାର ରୂପ କିପରି, ତାର ଗୁଣ କିପରି ଏସବୁ ନ ଜାଣି ତାକୁ ଯଦି ବାଧ୍ୟ କରାଯାଏ ସେ କ’ଣ କରିବି କିଛି ଠିକ୍‌ କରି ପାରୁନାହିଁ । ହୁଏତ ଦରକାର ପଡ଼ିଲେ ସେବାଗ୍ରାମ ପରିତ୍ୟାଗ କରି ତାକୁ ପୁଣି କେଉଁ ଅନିର୍ଦ୍ଦିଷ୍ଟ ସ୍ଥାନକୁ ପଳାଇଯିବାକୁ ପଡ଼ିବ-। ଏହିପରି ନାନା ସନ୍ଦେହ, ଭାବନା ହରିହର ମନକୁ ଆନ୍ଦୋଳିତ କରିବାକୁ ଲାଗିଲା ।

 

ହରିହର ରିଷ୍ଟଓ୍ୟାଚକୁ ଟର୍ଚ୍ଚମାରି ଦେଖିଲା ଆଠଟା ପଇଁଚାଳିଶ ହୋଇଗଲାଣି । ପାର୍କରେ ଆଉ କେହି ନାହାନ୍ତି । ତା’ ଛଡ଼ା ମନରେ ଟିକିଏ ଭୟ ଜାତ ହେଲା । ସେ ଭାବିଲା—ଉମା ବୋଧହୁଏ କ’ଣ ଶୁଣି ରାଗରେ ଆସିଲା ନାହିଁ । ସେ ଜାଗୁଳାଈ ପାର୍କରୁ ବାହାରି ଘରକୁ ଫେରିବ କ’ଣ ଚାଲିଲା ସିଧାସଳଖ ଉମା କ୍ୱାଟର ଆଡ଼େ । ସେତେବେଳକୁ ରାତି ନଅଟା ପାଖାପାଖି ହୋଇଯାଇଥିଲା । ହରିହର ଯାଇ ଉମାର ଦାଣ୍ଡ କବାଟରେ ଦୁଇଥର ହାତ ମାରିଲା । କେହି ନ ଶୁଣିବାରୁ ଝିଞ୍ଜିରଟିକୁ ଦୁଇଥର ହଲାଇ ଦେଲା । ଝଣ୍‌ ଝଣ୍‌ ଶବ୍ଦ ଶୁଣି ଉମା ଆସି କବାଟ ଫିଟାଇ ଦେଖେ ତ ଡାକ୍ତର ଦାଶ । ଉମା ଅନ୍ୟାନ୍ୟ ଦିନ ପରି ଡାକ୍ତରଙ୍କୁ ତାର ବୈଠକ ଘରକୁ ନ ଡାକି ସେହି ଦାଣ୍ଡଘରେ ଠିଆ ଠିଆ କହିଲା ।’ ଡାକ୍ତର ଦାଶ, ସଙ୍ଘର ନିୟମ ଲଙ୍ଘନ କରିବା ଆପଣଙ୍କ ପରି ଦାୟିତ୍ୱସମ୍ପନ୍ନ ଜଣେ ଉଚ୍ଚକର୍ମଚାରୀଙ୍କ ପକ୍ଷରେ ଉଚିତ ହୋଇଛି କି ?

 

ଡାକ୍ତର ଦାଶଙ୍କ ମୁଖମଣ୍ଡଳ ସଙ୍ଗେ ସଙ୍ଗେ ମଳିନ ହୋଇପଡ଼ିଲା ।

 

ଡାକ୍ତର—Excuse me (କ୍ଷମା କର) ଉମା, ମୁଁ ଜାଣେ ବାବାଙ୍କଠାରୁ ଅନୁମତି ନ ଆଣି ସେବିକାଙ୍କ କ୍ୱାଟରକୁ ସନ୍ଧ୍ୟା ଆଠଟା ପରେ କୌଣସି ଲୋକ ଯାଇ ପାରିବେ ନାହିଁ । କିନ୍ତୁ—

 

ଉମା—କିନ୍ତୁ ଆଉ କ’ଣ ? ଆପଣଙ୍କୁ ଶୀଘ୍ର ଏ ସ୍ଥାନ ଛାଡ଼ିଯିବାକୁ ହେବ ।

 

ଡାକ୍ତର—ଉମା, ତୁମେ ବୋଧହୁଏ ରାଗ କରିଛ ? ନୋହିଲେ ଏପରି ଅଭିମାନିଆ କଥା କହନ୍ତି କାହିଁକି ?

 

ଉମା—ମୋର କେତେକ ସାଙ୍ଗ ସେବିକାମାନେ କହନ୍ତି ଯେ ତୁମର ବଗୁଲିଆ ଚାକର ତମକୁ ଲଗାଇ ମୋ ନାଁରେ କେତେ ମିଥ୍ୟା ଗୁଜବ ଉଠାଇଛି, ଏକଥା ‘ବାବା’ (ବିନିବାବା)ଙ୍କ କାନକୁ ଗଲେ ମୋର ଦାନାପାଣି ରହିବ ନାହିଁ । ଏପରି ମୁଁ ମଧ୍ୟ ବିଶ୍ୱସ୍ତସୂତ୍ରରୁ ଜାଣିପାରିଛି ଯେ, ତୁମର ପିତା ତୁମ ପାଇଁ ଅନ୍ୟ କେଉଁଠି ଗୋଟିଏ ଜାତିଷ୍ଠ କନ୍ୟାପାତ୍ରୀ ଠିକ୍‌ କରି ସାରିଛନ୍ତି । ଏପରି ସ୍ଥଳେ ଆପଣଙ୍କର ଏଠାକୁ ଆସିବା ନିହାତ୍‌ ଅନ୍ୟାୟ ।

 

ଡାକ୍ତର—ସବୁ ମିଥ୍ୟା ଉମା—ମୋର ମତ ଏ ପର୍ଯ୍ୟନ୍ତ କେହି ଲୋଡ଼ି ନାହାନ୍ତି । ମୁଁ କାହାରିକୁ କିଛି କହି ନାହିଁ ।

 

ଉମା—ତା’ପରେ ମଧ୍ୟ ମୁଁ ଶୁଣୁଛି ଯେ ପାର୍ବତୀ ନାମ୍ନୀ କୌଣସି ବାଳିକାକୁ ତୁମ ସଙ୍ଗେ ବିବାହ ଦେବାର ନାନାପ୍ରକାର ଯୋଗାଡ଼ ଓ ମସୁଧା ଚାଲିଛି ।

 

ଡାକ୍ତର—ପାର୍ବତୀ ବିଷୟ ? All concuetion [ସବୁ ମିଛ] । ଏ ସବୁ ବିଷୟ ମୁଁ କିଛି ଜାଣେ ନା । ମୋତେ ବିଶ୍ୱାସ କରୁ ନାହିଁ ଉମା ?

 

ଉମା—ନା ମୁଁ ତୁମକୁ ପୂରାପୂରି ସନ୍ଦେହ କରେ ।

 

ଡାକ୍ତର—ତେବେ କ’ଣ ମୋତେ ତୁମେ ନିରାଶ କରିବାକୁ ଚାହୁଛ ?

 

ଉମା—ନା, ତୁମେ ମୋତେ । ଏଣିକି ଡାକ୍ତରଖାନାର କାମ ବ୍ୟତିରେକେ କୌଣସି ବ୍ୟକ୍ତିଗତ ବା ଘରୋଇ ବିଷୟ ମୁଁ ଆପଣଙ୍କ ସଙ୍ଗେ ଆଲୋଚନା ଚାହେ ନା ମୋର ଅନୁରୋଧ ଏ ଘରକୁ ଆପଣ ଯେପରି ଭବିଷ୍ୟତରେ ଆଉ ନ ଆସନ୍ତି । ମାନ ସମ୍ମାନ ମୋର ବି ଅଛି ।

 

ଡାକ୍ତର—‘ହେଉ, ମୁଁ ଯାଉଛି ?’ କହି ଡାକ୍ତର ଦାଶ ଭଗ୍ନ ହୃଦୟରେ ଗୁହାଭିମୁଖେ ଫେରିଲେ ।

 

ଉମା କବାଟ ବନ୍ଦ କରି ଝରକା ବାଟେ ଡାକ୍ତରଙ୍କ ଗତି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଅନାଇ ରହିଲା ।

 

ରାତିଯାକ ଉମାର ଆଖିରେ ପଲକ ପଡ଼ିଲା, ନାହିଁ । ସେ ବିଛଣାରୁ ଉଠି କଇଁ କଇଁ ହୋଇ କାନ୍ଦିଲା । ଭାବିଲା ଡାକ୍ତର ଦାଶଙ୍କୁ ଏପରି କଡ଼ା କଥା କହିବା ତାର ବଡ଼ ଭୁଲ୍‍ ହୋଇଛି । ପର କଥା ଶୁଣି, ଉଡ଼ା ଖବର ପାଇ ସେ ଡାକ୍ତର ଦାଶଙ୍କ ଉପରେ ଅଭିମାନ କଲା କାହିଁକି ? ଉମାର ମନ ବଡ଼ ଅସ୍ଥିର ହୋଇ ପଡ଼ିଲା । ଭାବିଲୁ ଡାକ୍ତରଙ୍କ ଘର ଅଳ୍ପ ପାଖରେ ହୋଇଥିଲେ ସେ ସେହିକ୍ଷଣି ଯାଇଁ କ୍ଷମା ମାଗି ଆସନ୍ତା । କ’ଣ କରିବ ? ନାଚାର ହୋଇ ତକିଆରେ ମୁହଁମାଡ଼ି କାନ୍ଦିବାକୁ ଲାଗିଲା । କେତେ ସନ୍ଦେହ, ସନ୍ତାପ, ଭାବନା ମନରେ ଆସି ଜଳ ବୁଦ୍‌ବୁଦ୍‌ ପରି ମିଳେଇ ଗଲା । କେତେବେଳକୁ ନିଦ ଆସିଲା ଜାଣି ପାରିନାହିଁ । ରାତି ପାହିଲା ।

 

ତିରିଶ

 

ସେବା ଗ୍ରାମର ସବୁ ଳୋକଙ୍କ ମଧ୍ୟରେ ବୟସରେ ବଡ଼ସଦେଇ ମାହାନ୍ତି ବୁଢ଼ା । ତାକୁ ପଞ୍ଚାଅଶୀ ବରଷ ଉମର ହେଲାଣି । ବୁଢ଼ାର ଅଣ୍ଟା ନଇଁ ପଡ଼ିଥିଲେ ହେଁ ଏବେ ତେଲ ଚିକିଣିଆ ବଙ୍କୁଲି ବାଉଁଶ ବାଡ଼ଟିଧରି କୋଶେ ପାଞ୍ଚପା ଯିବା ଆସିବା କରିବାର ସାହସ ମଧ୍ୟ ବୁଢ଼ାର ଅଛି । ବୁଢ଼ା ନସର ପସର ହୋଇ ପୁଳାଏ ଚୂନପତ୍ର ପାଟିରେ ଯାକି ଡାକ୍ତରଖାନା ହତାଭିତରେ କେଜାଣି କାହିଁକି ଏ ପାଖରୁ ସେପାଖ ସେପାଖରୁ ଏପାଖ ଏପରି କେତେଥର ଯିବା ଆସିବା କରୁଛି ସେ ଜାଣେ । ଗୋଡ଼ ଟିକିଏ ଘୋଳିହୋଇ ପଡ଼ିଲେ ଡାକ୍ତରଖାନା ପିଣ୍ଡାରେ ବସି ପଡ଼ୁଛି । ଡାକ୍ତରଖାନାରେ ସମସ୍ତେ ଯିଏ ଯେଝା କାମରେ ବ୍ୟସ୍ତ । କିଏ ବା ବୁଢ଼ାକୁ ପଚାରିବ । ବୁଢ଼ା ବି କାହାରିକୁ କିଛି କହୁନାହିଁ । ଅନୁମାନ ହେଉଛି ଯେପରି ସେ କାହାକୁ ମନେ ମନେ ଖୋଜୁଛି । କେତେଆଡ଼େ ବୁଲି ଶେଷକୁ ଯାଇଁ ପ୍ରସୂତି ଭବନ ଘରଭିତରକୁ ଯିବା ରାସ୍ତାରେ ବାରଣ୍ଡା କରକୁ ବସି ପଡ଼ିଲା । ବସି କରି କେତେବେଳେ ଘର ଭିତରକୁ ଅନାଇ ରହୁଛି ତ କେତେବେଳେ କୋଠାଘରର କଡ଼ିଗୁଡ଼ାକ ନିରୀକ୍ଷଣ କରି ଚାହୁଁଛି । କେତେବେଳେ ଆଙ୍ଗୁଠିରେ ବସିଥିବା ପାଖସ୍ଥାନକୁ ଝାଡ଼ି ଦେଉଛି । ଡାକ୍ତର, ନର୍ସମାନେ ଆପଣା ଆପଣା କାମରେ ସେଇ ବାଟଦେଇ କେତେଥର ଗଲେଣି । ବୁଢ଼ା ସେଇଠି ବସିଛି । କେହି ହେଲେ ଟିକିଏ ପଚାରୁ ନାହାନ୍ତି ବୁଢ଼ା କଣ ଚାହୁଛି । ମୁଖ୍ୟା ସେବିକା କୌଣସି ରୋଗିଣୀର ଚିକିତ୍ସା ନେଇ ସେଇବାଟେ ତିନି ଚାରି ଥର ଗଲେଣି । ବୁଢ଼ାଟାକୁ ଏକଜାଗାରେ ଚିନ୍ତାକୁଳ ମନରେ ବସିଥିବାର ଦେଖି ଶେଷଥର ତା ସାମନାରେ କିଛି ସମୟ ଠିଆହୋଇ ବୁଢ଼ାକୁ ପଚାରିଲେ କଣ କହୁଚୁ ବୁଢ଼ା କାହାକୁ ଖୋଜୁଛୁ ? ବହୁତ ବେଳୁଁ ତ ଏଠି ବସିଥିବାର ମୁଁ ଲକ୍ଷ୍ୟ କରୁଛି ବୁଢ଼ା କଅଁଳ ସ୍ୱରରେ ଉତ୍ତର ଦେଲା, ‘ହଁ ମା, ଝିଅକୁ ଦେଖିବାକୁ ଆସିଥିଲି । ଭଲରୂପେ ଦେଖା ଚାହାଁ କଲି । ବୁଢ଼ା ଲୋକତ । ଟିକିଏ ବସିଯାଇଛି ଯିବି ତା’ ହେଉ ହେଉ, କହି ସେବିକା ଉମା ଦେବୀ ନିଜକାମରେ ଗଲେ । ସେ ମନରେ ଭାବିଲେ କେତେ ଜନାନା ରୋଗିଣୀ ଅଛନ୍ତି କାହାର ବୁଢ଼ାବାପ କି ଅଜା ହୋଇଥିବେ ।

 

ବୁଢ଼ା କିଛିକ୍ଷଣ ପରେ ଡାକ୍ତରଖାନା ହତାରୁ ବାହାରି ଚାଲିଲା କଳାଭବନ ଆଡ଼େ । କଳାଭବନ ହଲ ଭିତରେ ପଶି କାନ୍ଥରେ ଟଙ୍ଗା ହୋଇଥିବା ସବୁ ଚିତ୍ର ଫଟ ନିରୀକ୍ଷଣ କରି ଦେଖିବାକୁ ଲାଗିଲା । କେତେ ସମୟ ସେଠାରେ ବୁଲାଚଲା କରି ଘରକୁ ଫେରିଲା । ସେତେବେଳକୁ ପ୍ରାୟ ପାଞ୍ଚଟା କି ସାଢ଼େ ପାଞ୍ଚଟା ସମୟ ହେବ । ତରବରରେ ଗାମୁଛାଟା ପାଲଟି ବାଁ ହାତ ନେଡ଼ିରେ ଟିକିଏ ଚୂନ ମାରିଦେଇ ବାଇଙ୍ଗିଣୀ ପତ୍ର ମେଞ୍ଚାଏ ରଗଡ଼ି ପତ୍ର ପାଗଟାଏ କଲା-। ବାହାର ପାଣି କରିବାକୁ ବାହାର ପଡ଼ିଲା ।

 

ସୂର୍ଯ୍ୟ ମା କୋଳକୁ ଯିବା ପାଇଁ ଅସ୍ତ ପାହାଡ଼ର ପଛପଟକୁ ଗଲେଣି । ଅସ୍ତ କିରଣ ଚତରା ପୋଖରୀ ଓ ଗୁପ୍ତିଝର ଜଳଭଣ୍ଡାର ଉପରେ ପଡ଼ି ଜକ ଜକ ଦିଶୁଛି । ଗାଈଆଳ ଟୋକାଗୁଡ଼ାକ ଗାଈ, ମଇଁଷି, ମେଣ୍ଡା ଛେଳିଙ୍କୁ ଘରକୁ ଫେରାଉଛନ୍ତି । ବଗ, ଗେଣ୍ଡାଳିଆ, କାଉ ସବୁ ବସାମୁହାଁ ହୋଇ ଉଡ଼ି ପଳାଉଛନ୍ତି । ରାଧାମୋହନ ଜୀଉ ଏବଂ ଗୁପ୍ତେଶ୍ୱର ମନ୍ଦିରର ସନ୍ଧ୍ୟା ଆରତୀର ବାଦ୍ୟଧ୍ୱନି ଠିକ୍‌ ସ୍କୁଲ ରୁଟିନ ଘଣ୍ଟା ବାଜିଲା ପରି ବାଜିଉଠିଲା ଏବଂ କିଛିକ୍ଷଣ ପରେ ବନ୍ଦ ହୋଇଗଲା । ସୃଷ୍ଟି ଆରମ୍ଭରୁ ଏହିପରି ଦିନ ଦିନ ଧରି କେତେ ଉଦୟ କେତେ ଅସ୍ତ ଯେ ଗଲାଣି ତା’ର କଳନା ନାହିଁ । ଏହି ଉଦୟ ଅସ୍ତ ସଙ୍ଗରେ ମଧ୍ୟ ପ୍ରତ୍ୟେକ ଲୋକର ଜୀବନର ଗତିପଥରେ କେତେ ଉଦୟ ଅସ୍ତ, ଉନ୍ନତି ଅବନତି, ଦୁଃଖ ସୁଖ, ଭଲ ମନ୍ଦ, ହସ କାନ୍ଦ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହୁଛି ତାହ ଖୁବ୍‌ କମ୍‌ ଲୋକଙ୍କର ଅନୁଭୂତିକୁ ଆସେ ।

 

ଉଦୟ ସଂଘର ପ୍ରତି ମାସ ଶେଷରେ ପୂର୍ଣ୍ଣିମାକୁ ବୈଠକ ବସେ । ଆଜି ବିନିବାବାଙ୍କ ଆଦେଶମତେ ସଂଘର କେତେକ ବିଶିଷ୍ଟ ସଭ୍ୟଙ୍କୁ ନେଇ ଗୋଟିଏ ଜରୁରୀ ଗୁପ୍ତ ବୈଠକ ଡକାଯାଇଛି । ରାତ୍ର ପ୍ରାୟ ଆଠଟା ହେବ । ଗୁପ୍ତିମୁଣ୍ଡିଆ ଉପରେ ବିନିବାବାଙ୍କ ଆଶ୍ରମର ଗୋଟିଏ କ୍ଷୁଦ୍ର କୋଠରୀରେ ସେ ବସି କେତୋଟି ଲୋକଙ୍କ ସଙ୍ଗେ ଖୁବ୍‌ ଗମ୍ଭୀର ଭାବରେ ନାନାକଥା ପଚରା ଉଚରା ଲଗାଇଛନ୍ତି । ସଭ୍ୟମାନେ ନାନାପ୍ରକାର ପ୍ରଶ୍ନ, ପରିପ୍ରଶ୍ନ କରିବାରେ ବ୍ୟସ୍ତ କରି ପକାଉଛନ୍ତି । ସଭ୍ୟମାନେ ହେଉଛନ୍ତି, ଜୋନାଥନ ମିଶ୍ର, ସେବାଧାମ ବ୍ରହ୍ମବିଦ୍ୟା ସମିତିର ସମ୍ପାଦକ, ମୌଜ ବେଗ, ଯୋଜନା କମିଟି ସଭାପତି, ରାଘବାନନ୍ଦ; ଅର୍ଥ କମିଟି ସଭାପତି, ଘନଶ୍ୟାମ ରଥ; ସାଂସ୍କୃତିକ ପରାମର୍ଶଦାତା କମିଟିର ସମ୍ପାଦକ ସୁଲୋଚନ, ଯୋଜନା କମିଟି ଯୁଗ୍ମ ସମ୍ପାଦକ । କାମ ଆରମ୍ଭ ହେଲା । ଖୁବ୍‌ ଖୋଲାଖୋଲି ଏବଂ ଘରୋଇ ଭାବରେ ଆଲୋଚନା କରାଗଲା ।

 

ପ୍ରଥମେ ବିନିବାବା ଆଲୋଚନା ଆରମ୍ଭରେ ସେବାଗ୍ରାମର ଦୁଇଟି ବ୍ୟକ୍ତି ସ୍ୱର୍ଗୀୟଟି ସାନ୍ନାୟା ଏବଂ ସପନି ମିଶ୍ରଙ୍କର ମୃତ୍ୟୁର ଶୋକ ପ୍ରସ୍ତାବ ଆଗତ କଲେ । ପ୍ରଥମ ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହେଲା । କିନ୍ତୁ ଦ୍ୱିତୀୟ ପ୍ରସ୍ତାବଟି ଅନୁମୋଦନ କରିବା ପାଇଁ ରାଘବାନନ୍ଦ ଓ ଘନରଥ ଆପତ୍ତି ଉଠାଇଲେ । ସେମାନେ କହିଲେ ଯେ ଗ୍ରାମର ଅବନତ ଯାବତୀୟ ଅନିଷ୍ଟ ଓ ଅସଦ୍‌ଭାବ ସୃଷ୍ଟିର ମୂଳ କାରଣ ସପନି ମିଶ୍ର । ତାପରି ଜଣେ ଟାଉଟର, ଦୃଷ୍ଟ, ପାପିଷ୍ଟ, ବିଶ୍ୱାସଘାତକ ଲୋକର ଆତ୍ମା କେବେ ସଦ୍‌ଗତି ପାଇବ ନାହିଁ । ତେଣୁ ଏ ପ୍ରସ୍ତାବ ଗୃହୀତ ନ ହେଉ । ବହୁତ ତର୍କ ବିତର୍କ ଚାଲିଲା । ଶେଷରେ ବିନିବାବା ସେମାନଙ୍କୁ ଉପଦେଶ ଛଳରେ କେତେ ଗଳ୍ପର ଉଦାହରଣ ଦେଇ କହିଲେ, ‘ଆମର ଶ୍ରେଣୀହୀନ ସମାଜର ସଂସ୍କାର କରିବାକୁ ହେଲେ ସମସ୍ତଙ୍କର ମନ, ହୃଦୟ, ବିଚାର ଏବଂ ଜୀବନ ସ୍ତର ବଦଳାଇବାକୁ ହେବ । ଆମେ ପାପକୁ ଘୃଣା କରିବା ଉଚିତ କିନ୍ତୁ ପାପୀକୁ ଘୃଣା କରିବା ଠିକ୍‌ ନୁହେଁ । ପାପୀକୁ ସତ୍‌ପଥ ଆଡ଼କୁ ଟାଣି ଆଣିବାହିଁ କର୍ତ୍ତବ୍ୟ ।’ ପରିଶେଷରେ ସମସ୍ତେ ଠିଆ ହୋଇ ସ୍ୱର୍ଗତଃ ଟି. ସାନ୍ନାୟା ଏବଂ ସପନି ମିଶ୍ରଙ୍କ ଆତ୍ମାର ସଦ୍‌ଗତି ପାଇଁ ପରାୟର ପରମେଶ୍ୱର ନିକଟରେ ନୀରବରେ କ୍ଷମା ପ୍ରାର୍ଥନା କରିଥିଲେ । ତାପରେ ଉପସ୍ଥିତ ସଭ୍ୟମାନେ ନିଜ ନିଜର ମନ୍ତବ୍ୟ ପ୍ରକାଶ କଲେ ।

 

ଜୋନାଥନ—‘ପରଲୋକତତ୍ୱ’ ବିଷୟରେ ଯେଉଁ ଗବେଷଣା କରାଯାଇଛି ତାହା ମୁଁ ଲିଖିତ ପ୍ରବନ୍ଧ ଆକାରର ଦାଖଲ କରୁଛି । ତେବେ ମୋର ସିଦ୍ଧାନ୍ତ ଆପଣମାନଙ୍କୁ ଜଣାଇ ଦେବାକୁ ଚାହେ ଯେ ଡାକ୍ତରଖାନାରେ ଆବିର୍ଭୂତ ହେଉଥିବା ଭୂତ ସପନି ମିଶ୍ରଙ୍କର ପ୍ରେତାତ୍ମା ଏଥିରେ ସନ୍ଦେହ ନାହିଁ । ପ୍ରବନ୍ଧଟି ପଢ଼ିଲେ ସବୁ ବିଷୟ ଉତ୍ତମରୂପେ ଜାଣିପାରିବେ । ଏତିକି କହି ଜୋନାଥନ ବସି ପଡ଼ିଲେ ।

 

ତା’ପରେ ଘନରପଥେ ଉଠି ତାଙ୍କର ରିପୋର୍ଟ ପାଠ କରିସାରି ବିନିବାବାଙ୍କୁ କହିଲେ, ‘ସଂଘର ନିର୍ଦ୍ଦେଶ ମତେ ସେବା ଗ୍ରାମରେ ପରମ୍ପରା ରକ୍ଷା କରି ସକଳ ପ୍ରକାର ପର୍ବପର୍ବାଣି ମେଳା ମହୋତ୍ସବ, ସଭା ସମିତି, ଆମୋଦ ପ୍ରମୋଦ, କ୍ରୀଡ଼ା କଉତୁକ ଯଥାବିଧି ପାଳିତ ହେଉଛି । କେବଳ ପିତୃପିତାମହ ପୂର୍ବାଚାର୍ଯ୍ୟମାନଙ୍କ ଅମଳରୁ ଗ୍ରାମରେ ଯେଉଁ ‘ଶିବବିବାହ ଶୀତଳ ଷଷ୍ଠୀ’ ଉତ୍ସବ ପାଳନ ହୋଇ ଆସୁଥିଲା ତାହା କେତେ ଦିନ ହେବ ବନ୍ଦ ରହିଛି । ମୁଁ ବାବାଙ୍କୁ ଅନୁରୋଧ କରେ ଉକ୍ତ ଉତ୍ସବ ଏବର୍ଷଠାରୁ ପୁନର୍ବାର ଆର୍‌ବ୍‌ଧ ହୋଇ ମହା ସମାରୋହରେ ପାଳନ କରାଯାଉ । ଶିବବିବାହ ତିଥି ଆଉ ଅଳ୍ପ ଦିନ ଅଛି । ଏଥିପାଇଁ ଶୀଘ୍ର ବ୍ୟବସ୍ଥା ହେବା ଦରକାର । ଏତିକି କହି ରଥେ ଆପଣେ ବସି ପଡ଼ିଲେ । ତାପରେ ରାଘବା ନନ୍ଦ ଉଠି କହିଲେ ।

 

ରାଘବ—ଆମର ସଂଘର ଯାବତୀୟ ଆୟବ୍ୟୟ ହିସାବ କିତାବ ସବୁ ମାସିକ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚିତ ହୋଇଯାଇଥିବା ବିଷୟ ଆପଣ ଜାଣନ୍ତି । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ବିଭାଗରୁ ମିଳିଥିବା ସାହାର୍ଯ୍ୟ ବ୍ୟତୀତ ସମସ୍ତ ଖର୍ଚ୍ଚ ଯାଇ ଆମ କୋଠ ପାଣ୍ଠିରେ ଦଶ ହଜାର ଏକସ୍ତରୀ ନଅଣା ଅଢ଼େଇ ପଇସା ବଳକା ହୋଇଛି । ବ୍ୟୟ ବାବାଦରେ ଯେତେ ଖର୍ଚ୍ଚ ଦେଖ ଯାଇଛି ସେଥିରୁ କେବଳ ଦୁଇଟି କାର୍ଯ୍ୟକାରୀ ହୋଇ ପାରିନାହିଁ । କେବଳ ହିସାବ ଫର୍ଦ୍ଦ ଠିକ୍‌ କରିବାକୁ ସେପରି କରାଯାଇଛି । ପ୍ରଥମ ଖର୍ଚ୍ଚଟି ହେଉଛି ‘ପାର୍ବତୀ ହତ୍ୟା ଅନୁସନ୍ଧାନ’ ପୁରସ୍କାର ବାବଦ ଏବଂ ଦ୍ୱିତୀୟଟି ଶିଳ୍ପ ସମବାୟ ସମିତି ସମ୍ପାଦକମାନଙ୍କ ପରିଭ୍ରମଣ ବାବଦ୍‌ କୋ-ଅପରେଟିଭ ରେଜିଷ୍ଟ୍ରାରଙ୍କ ପ୍ରଦତ୍ତ ପାଁଶ ଟଙ୍କା । ଏ ଦୁଇଟି ବାବଦ ଟଙ୍କା ଶୀଘ୍ର ବ୍ୟୟିତ ହେବା ପାଇଁ ମୁଁ ଅନୁରୋଧ କରୁଛି । ରାଘବାନନ୍ଦ ତାଙ୍କର ରିପୋର୍ଟ ଦାଖଲ କର ନିଜ ସ୍ଥାନରେ ବସି ପଡ଼ିଲେ ।

 

ତା’ପରେ ମୌଜ ବେଗ ବିଭିନ୍ନ ଯୋଜନା କିପରି ଆଶାନୁରୂପ ଭାବରେ ସଫଳତା ହାସଲ କରିଛି ତାହା ବଖାଣ କରି ପରି ଶେଷରେ କହିଲେ, ‘ସେବାଗ୍ରାମରେ ଆହୁରି ଯଥେଷ୍ଟ କାମ କରିବାର ଅଛି । ଆମେ ପ୍ରଥମ ପାଞ୍ଚବର୍ଷ ମଧ୍ୟରେ ଯାହା କରି ପାରିଛେଁ ତାହା ଆମ ପକ୍ଷରେ ଏବଂ ଆମ ଗ୍ରାମର ପରିସ୍ଥିତି ଦୃଷ୍ଟିରେ ଯଥେଷ୍ଟ ହୋଇଛି ବୋଲି ମୋର ମନେ ହୁଏ । ମୁଁ ବାବାଙ୍କୁ ଅନୁରୋଧ କରେ ଯେ ଉଦୟ ସଂଘର ପୁନର୍ଗଠନ କରାଯାଉ, ଏବଂ ଏଥିପାଇଁ ଉପଯୁକ୍ତ ଯୁବକ କର୍ମୀମାନଙ୍କୁ ବାଛି କାର୍ଯ୍ୟଭାର ଦେବାପାଇଁ ପୂର୍ଣ୍ଣ ସୁଯୋଗ ଦିଆଯାଉ । ଆମ୍ଭମାନଙ୍କ ପରି ପୁରାତନ ବୟୋବୃଦ୍ଧ ଲୋକେ ସକଳ ସଂଗଠନ କାର୍ଯ୍ୟରୁ ଅବ୍ୟାହତ ନିଅନ୍ତୁ । ସେମାନେ କେବଳ ଲୋକଶିକ୍ଷା, ସେମାନଙ୍କର ନୈତିକ ତାର ଜାଗୃତି ପାଇଁ ଏହି ସେବାଗ୍ରାମର କ୍ଷୁଦ୍ର ବେଷ୍ଟନୀ ମଧ୍ୟରେ ନ ରହି ସେମାନଙ୍କର ଅନୁଭୂତି, ଅଭିଜ୍ଞତା ସ୍ୱରୂପ ଆଦର୍ଶ ଆଶା ବାଣୀ ଶୁଣାନ୍ତୁ । ପ୍ରଚାର କରନ୍ତୁ ଗ୍ରାମେ, ଗ୍ରାମେ, ନଗରେ ନଗରେ ଦେଶେ ଦେଶେ । ତାହା ନ କଲେ ପୁରାତନ କର୍ମୀମାନେ କ୍ଷମତାର ମୋହରେ ପଡ଼ି ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ କରିପାରିବେ ନାହିଁ । ବ୍ୟକ୍ତିଗତ ଲାଭ, ଲୋଭ, ସ୍ୱାର୍ଥ, ଅଭିମାନ, ଆତ୍ମମର୍ଯ୍ୟାଦାରେ ନିଜର ହରାଇ ବସିବେ ଏବଂ ଭାବୀ ଯୁବକ କର୍ମୀମାନଙ୍କୁ ସୁବିଧା ସୁଯୋଗରୁ ବଞ୍ଚିତ କରିବେ । ଅବଶ୍ୟ ଉଦୟ ସଂଘର ଘଟ ପରିବର୍ତ୍ତନ ହେଲେ ମଧ୍ୟ ସଂଘର ପୂର୍ବତନ ସଭ୍ୟମାନଙ୍କର ଆଦର୍ଶ ଅନୁସରଣ ଓ ଉପଦେଶ ଶିରୋଧାର୍ଯ୍ୟ କରି ଦେଶ କାଳ ପାତ୍ର ବିବେଚନାରେ ଗ୍ରାମର ସର୍ବବିଧ ଜନକଲ୍ୟାଣ କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିବାକୁ ସେମାନେ ଭୁଲିବେ ନାହିଁ । ଜାତି ଧର୍ମ ନିର୍ବିଶେଷରେ ସମାନ ସୁବିଧା ସୁଯୋଗ ଦେବାର ବ୍ୟବସ୍ଥାକୁ ଭୁଲି ଯିବାକୁ ହେବନାହିଁ । ଗ୍ରାମର ସମସ୍ତ ଭୂ-ସମ୍ପତ୍ତି ଗ୍ରାମବାସୀଙ୍କ ସହଯୋଗରେ କୋଠଚାଷ ବା ସମବାୟ ଚାଷ କରାଯାଇ ଆବଶ୍ୟକତାନୁସାରେ ବଣ୍ଟନ କରାଗଲେ ସଂଘର ଯେ ମହତ୍‌ ଉଦ୍ଦେଶ୍ୟ ‘ଶ୍ରେଣୀହୀନ ସମାଜ ଗଠନ’ ତାହା କେବଳ କଥାରେ ନୁହେଁ, କାର୍ଯ୍ୟରେ ପ୍ରମାଣ କରି ବାହାର ଦୁନିଆକୁ ଦେଖାଇ ଦେବାକୁ ହେବ ।’

 

ଏତିକି ସୂଚନା ଦେଇ ମୌଜ ବେଗ୍‌ ବସି ପଡ଼ିଲେ । ଆଲୋଚନା ଶେଷ ହେବାବେଳକୁ ସେବାଗ୍ରାମର ହଜାରେ ଚାନ୍ଦ ଦେଖିଥିବା ବୁଢ଼ା ସଦେଇ ମହାନ୍ତି ବାଡ଼ି ଠୁକୁରୁ ଠୁକୁରୁ କରି ସେଠାରେ ଆସି ପହଞ୍ଚିଲେ । ବୁଢ଼ା ଚାଖଣ୍ଡେ ଲମ୍ୱର ଦୁଇ ଖଣ୍ଡ ତାଳପତ୍ରରେ ଲେଖନରେ ଲେଖିଥିବା ଗୁପ୍ତ ସମ୍ୱାଦ ସର୍ବସମ୍ମୁଖରେ ବିନିବାବାଙ୍କ ହାତକୁ ବଢ଼ାଇ ଦେଲା । ବିନିବାବା ସମସ୍ତଙ୍କୁ ବିଦାୟ ଦେଲେ । ବୁଢ଼ା ସଦେଇ ମହାନ୍ତିଙ୍କୁ ଡାକି ପାଖରେ ବସାଇଲେ । କେତେବେଳଯାଏ ଗୋପନରେ କଥାବାର୍ତ୍ତା କଲେ । ଶେଷକୁ ସଦେଇ କହିଲା, ‘ତାଙ୍କ ବାପାଙ୍କ ଅମଳରୁ ମୁଁ ଭାଗଚାଷୀ ଥିଲି । ସେ ଘରେ ମୋର ଯିବା ଆସିବା, ଖିଆପିଆ, ନାନା କାରବର କରିଥିଲି । ବହୁଦିନ ଧରି ପନିକିକଟା ଚିହ୍ନଟ ଯେ କେଉଁ ଗୋଡ଼ର ବୋଲି ଆପଣ ମୋତେ ଜେରା କଲାପରି ପଚାରିଲେ ତାହା ଯେତେ ଦୂର ମନେ ରଖିଛି ବାଁ ନଳୀ ଗୋଡ଼ର ।’

 

ସଦେଇ ଯିବାକୁ ଉଦ୍ୟତ ହେବାରୁ ବିନିବାବା ଖୁବ୍‌ ତାକିଦ୍‌ କରି କହିଲେ ‘ଦେଖ ସଦେଇ ଭାଇ, ଏହାଁ ତୁମ ମୋ ଛଡ଼ା ଆଉ କେହି ଯେପରି ନ ଜାଣନ୍ତି କାରଣ ହଠାତ୍‌ ଗୁପ୍ତ ରହସ୍ୟ ଉଦ୍‌ଘାଟନ ହେବାଦ୍ୱାରା ଆମର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତିରେ ବାଧା ଜନ୍ମିବ ।’

 

‘ମୁଁ କ’ଣ ପିଲାଛୁଆ ହୋଇଛି ବାବା’ କହି ସଦେଇ ମହାନ୍ତି ବୁଢ଼ା ଦଣ୍ଡବତ କରି ଘରକୁ ଫେରିଗଲା । ବିନିବାବା ତାଙ୍କର ନିତ୍ୟକର୍ମ ସାରି ଆଗାମୀ ପାଞ୍ଚବର୍ଷ ପାଇଁ ଗୋଟିଏ ନୂତନ ଧରଣର ଆଦର୍ଶ ପରିକଳ୍ପନା ଚିନ୍ତା କରିବାକୁ ଲାଗିଲେ ।

 

ଏକତିରିଶ

 

ସେବାଗ୍ରାମରେ ପୂର୍ଣ୍ଣ ଶାନ୍ତି, ସନ୍ତୋଷ, ସଦ୍‌ଭାବ ସ୍ଥାପିତ ହୋଇଅଛି ବର୍ଷ ପାଞ୍ଚ ସାତଟାରେ । ପରସ୍ପର ପ୍ରତି ସ୍ନେହ, ମମତା, ସହାନୁଭୂତି ଦେଖାଇବାରେ କାହାରି ତ୍ରୁଟି ପରିଲକ୍ଷିତ ହେଉ ନାହିଁ । ଯେ ଥିଲା କାଲି ଅପାର ଶତ୍ରୁ ସେ ଆଜି ପରମ ମିତ୍ରରେ ପରିଗଣିତ ହୋଇଛି । ପର ଆଜି ଆପଣା ହୋଇ ପାରିଛି । ଅନ୍ଧବିଶ୍ୱାସୀ ଆଜି ସଂସ୍କୃତିର ଚକ୍ଷୁ ପାଇଛି, ଲୋକଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇଛି । ସେବାଗ୍ରାମର ସମସ୍ତ ବାସିନ୍ଦା କିଛି ନା କିଛି ବୃତ୍ତିଗତ ଶିଳ୍ପ ବ୍ୟବସାୟ ନେଇ ବ୍ୟସ୍ତ । ଶ୍ରମିକ ଶ୍ରେଣୀ ସେବାଗ୍ରାମର କୋଠଚାଷରେ ଏକ ପରିବାରର କର୍ତ୍ତା ଅଧୀନରେ କାର୍ଯ୍ୟ କରୁଛନ୍ତି । ନ୍ୟାୟ ଓ ସତ୍ୟ ପଥରେ ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବାକୁ ହୋଇଛି । ଆମ ଜାତିର ପିତା ବାପୁଜୀଙ୍କର ପରିକଳ୍ପିତ ରାମରାଜ୍ୟର ନମୂନା କାର୍ଯ୍ୟତଃ ଦେଖାଇ ଦେବାରେ ସେବାଗ୍ରାମର ଅଧିବାସୀ ଆଜି ସକ୍ଷମ ସେହି ବିନିବାବାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ନୈତିକତା, ସାହସ, ଧୈର୍ଯ୍ୟ, ଅପୂର୍ବତ୍ୟାଗ ଏବଂ ଦୂରଦୃଷ୍ଟିର ପ୍ରଭାବ ଓ ପରିଚଳନାରେ ଆଉ ଏଣିକି ଅବଶିଷ୍ଟ କାର୍ଯ୍ୟ ଗ୍ରାମର ଭାବି ନେତା ଯୁବକ ସମ୍ପ୍ରଦାୟର ।

 

ହୃଦୟରୁ ପୂର୍ବ ବୈରଭାବ ସମ୍ପୂର୍ଣ୍ଣ ପୋଛି ଦେଇ ଏବେ କେତେ ଦିନ ହେବ ଘନରଥେ ଆରତ ତିଆଡ଼ିଙ୍କ ଘରକୁ ପାଞ୍ଚ ସାତ ଥର ଯାଇ ମନ ଖୋଲାଖୋଲି କଥାବାର୍ତ୍ତା ହୋଇ ଆସିଲେଣି ସେ କଳେବେଳେ ତିଆଡ଼ିଙ୍କୁ ମଙ୍ଗାଇ ଦେଇଛନ୍ତି; କିନ୍ତୁ ହରିହର ଯେ ଏକାବେଳକେ ନାରାଜ କରିବାକୁ । ଘନରଥେ ଯେଉଁ ପ୍ରସ୍ତାବଟି ଆଣିଛନ୍ତି ତାହା ସମସ୍ତଙ୍କର ପସନ୍ଦ ହୋଇଛି । କନ୍ୟାଟିର ରୂପ, ଗୁଣ, ସ୍ୱଭାବରେ କିଛି ବାଛିବାରେ ନାହିଁ । ଶତ୍ରୁ ହେଲେ ମଧ୍ୟ ଖୁଣି ପାରିବ ନାହିଁ । ପାତ୍ରୀଟି ଭବପୁର ବୃଦ୍ଧ ଜମିଦାର ପ୍ରଭାବଶାଳୀ ନଗନ୍ଦ୍ର ବାବୁଙ୍କର ଏକମାତ୍ର କନ୍ୟା । ତିଆଡ଼ିଏ ଘନରଥଙ୍କୁ ନିର୍ଭର ଜବାବ ଦେଇଛନ୍ତି ଯେ ପୁଅ ଯଦି ରାଜି ହୁଏ ସେ ଏହି ସ୍ଥାନ ଛଡ଼ା ଅନ୍ୟ ପ୍ରସ୍ତାବ ଗ୍ରହଣ କରିବେ ନାହିଁ । ତିଆଡ଼ିଙ୍କ ସଙ୍ଗେ କଥା ପକ୍‌କା କରି ରଥେ ଫେରିଲେ ଘରକୁ ।

 

ବଗୁଲିଆ ବାରିକଠାରୁ ହରିହର କେତେକ ଖବର ପାଇ ନୀରବରେ ରହିଛି, କାହାରିକୁ କିଛି କହୁ ନାହିଁ । ତେଣେ ସେବିକା ଉମା ତା ଉପରେ ରାଗ ଓ ଅଭିମାନ କରି ଅଳ୍ପ କେତେ ଦିନ ହେବ କଥା ପଦେ ବି ହୁ ନାହିଁ । ହରିହର ଭାବୁଛି, ବୃଦ୍ଧ ପିତାଙ୍କୁ ତାଙ୍କର ଜୀବନର ଶେଷ ସମୟରେ ଅସନ୍ତୁଷ୍ଟ କରାଇ ଉମା ପରି ଜନୈକ ଅଜ୍ଞାତକୁଳଶୀଳା ବିଜାତୀୟ ଲୋକଦ୍ୱାରା ପାଳିତା ସେବିକା ପ୍ରତି ଆକୃଷ୍ଟ ହେବା କେତେଦୂର ସମୀଚୀନ ହେବ ! ସେ ପୁଣି ଭାବୁଛି ତା ପରି କେତେ ଶିକ୍ଷିତ ଯୁବକ ଯୌବନସୁଲଭ ଚପଳତା ବଶତଃ କେତେ ରମଣୀଙ୍କ ପ୍ରେମରେ ପଡ଼ି ମଙ୍ଗଳାକାଂକ୍ଷୀ ପିତା ମାତା ଆତ୍ମୀୟ ସ୍ୱଜନଙ୍କ କଥାକୁ ଏଡ଼ି ନିଜ ଇଚ୍ଛାରେ ନିଜର ସଂସାର ଗଢ଼ିବାକୁ ଯାଇ ଭବିଷ୍ୟତ ଦୁଃଖମୟ କରିଛନ୍ତି । ଏପରି ଜ୍ୱଳନ୍ତ ନିଦର୍ଶନର ଅଭାବ ନାହିଁ । ପିତାମାତା ବା ଆତ୍ମୀୟମାନେ ପୁତ୍ରର ଭବିଷ୍ୟତ ସୁଖ ଏବଂ ମଙ୍ଗଳ ପାଇଁ ଭାବନ୍ତି, ମନ୍ଦ ପାଇଁ ନୁହେଁ । ବୃଦ୍ଧ ପିତା ଭବପୁର ଜମିଦାରଙ୍କ କନ୍ୟା ବିଷୟରେ ସମ୍ପୂର୍ଣ୍ଣ ଏକମତ ହୋଇ ନିର୍ଭର ଜବାବ ଦେଇ ସାରିଲେଣି-

 

ହରିହର ତାର ମାନସର ନିଭୃତ କୋଣରେ ସବୁ ବିଷୟର ବିଶ୍ଳେଷଣ ସଂଶ୍ଳେଷଣ କରି ଏକ ଶେଷ ସିଦ୍ଧାନ୍ତରେ ପହଞ୍ଚି ସାରିଛି । ତାକୁ ସେବିକା ଉମାରୁ ଆଶା ସଂପୂର୍ଣ୍ଣ ପରିତ୍ୟାଗ କରିବାକୁ ହେବ । ସେବିକା ସହିତ ଯେଉଁ ଶେଷ ସାକ୍ଷାତ ଓ କଥାବାର୍ତ୍ତା ହୋଇଥିଲା ସେଥିରେ ସେ ମର୍ମାହତ ହୋଇଛି । ପିତାଙ୍କ ନିକଟରେ ଘନ ରଥେ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେ ତାଙ୍କୁ ସର୍ବାନ୍ତଃକରଣରେ ଅନୁମୋଦନ କରିନେବ ଏବଂ ତାର ସ୍ୱୀକୃତ ଜଣାଇଦେବ । ପୁଣି ତାର ଶୁଭ ବିବାହ ଉପଲକ୍ଷେ ସେବିକାକୁ ନିମନ୍ତ୍ରିତ କରି ସେ ପାଇଥିବା ଅପମାନର ପ୍ରତିଅପମାନ ଓ ପ୍ରତିଶୋଧ ନିଶ୍ଚୟ ଦେବ ।

 

ଏହିପରି ଚିନ୍ତାମଗ୍ନ ହୋଇ ହରିହର ନିଜର ଦାଣ୍ଡ ବୈଠକ ଖାନାରେ ବସିଥିବାବେଳେ ଉଦୟ ସଂଘର ସେକ୍ରେଟେରୀଙ୍କ ଠାରୁ ଖଣ୍ଡେ ପତ୍ର ଘେନି ଗୋଟିଏ ଲୋକ ଆସି ପହଞ୍ଚିଲା । ଖାମ୍‌ ଖଣ୍ଡିକ ଖୋଲ ଚିଠି ଖଣ୍ଡ ପଢ଼ି ଜାଣିଲା ଯେ ଉଦୟ ସଂଘର ଏକ ଜରୁରୀ ବୈଠକ ସନ୍ଧ୍ୟା ଆଠଟାରେ ସେବାଗ୍ରାମ ସାଧାରଣ ସଭାଗୃହରେ ଅନୁଷ୍ଠିତ ହେବ । ସଂଘର ସମସ୍ତ ସଭ୍ୟ, ବିଭିନ୍ନ କର୍ମଚାରୀ ଓ ସେବାଗ୍ରାମର ଅନ୍ୟାନ୍ୟ କେତେକ ବିଶିଷ୍ଟ ଲୋକେ ଏଥିରେ ଯୋଗ ଦେବେ । ହରିହର ପତ୍ରବାହକକୁ ଆଗ ବିଦାୟ କରିଦେଲା । କିଛି ସମୟ ପରେ ସେ ତାର ନୂଆ ପୋଷାକ ପିନ୍ଧି ସଭାରେ ଯୋଗ ଦେବାକୁ ବାହାରିଲା ।

 

ଆଜି ସଭାରେ ଗ୍ରାମର ବହୁତ ଲୋକ ଆସି ଯୋଗ ଦେଇଛନ୍ତି । ଡାକ୍ତର ଦାଶ ହସ୍‌ପିଟାଲ ବାଟ ଦେଇ କେତୋଟି ରୋଗୀଙ୍କୁ ଦେଖି ଟିକିଏ ଡେରିରେ ପହଞ୍ଚିଲେ । ବସିବା ସ୍ଥାନ ସବୁ ପୂର୍ଣ୍ଣ ହୋଇଯାଇଛି । ସେ କେଉଁଠି ବସିବେ ଭାବି ଟିକିଏ ଇତସ୍ତତଃ ହୋଇ ପଡ଼ିଲେ । ମୁଖା ସେବିକା ଉମା ପାଖ ଚୌକିରେ ବସିଥିବା ନର୍ସ ପିଲାଟି ଉଠିଯିବାରୁ ଡାକ୍ତର ଦାଶ ସେଠି ପାଇଁ ବସିଲେ । ଉମା ପାଖକୁ ଲାଗି ବସିଥିଲେ ମଧ୍ୟ ସେ ଉମା ଆଡ଼କୁ ଆଦୌ ଅନାଉ ନାହାନ୍ତି । ଉମା ମୁହଁରେ ହାସ୍ୟ ଓ ଆନନ୍ଦର ଛବି ଫୁଟି ଉଠୁଛି ।

 

ସଭା ଆରମ୍ଭ ହେଲା । ସଭାପତି ବିନିବାବା ଉଠିକରି ସଭାର ଉଦ୍ଦେଶ୍ୟ ସମସ୍ତଙ୍କୁ ବୁଝାଇ ସାରିଲା ପରେ କହିଲେ, ‘ସେବାଗ୍ରାମର ସଂସ୍କୃତି କମିଟିର ପ୍ରସ୍ତାବ ଅନୁସାରେ ଗ୍ରାମର ପୁରାତନ ଉତ୍ସବ ‘ଶିବ ବିବାହ ଶୀତଳଷଷ୍ଠୀ’ ମହାସମାରୋହରେ ପାଳନ କରିବା ପାଇଁ ସ୍ଥିର ହୋଇଛି । ଆପଣମାନେ ଆଜି ବହୁ ସଂଖ୍ୟାରେ ଏ ସଭାରେ ଯୋଗ ଦେଇଥିବାରୁ ଏହି କାର୍ଯ୍ୟରେ ଯେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଅଛି ତା ପ୍ରମାଣିତ ହୋଇ ସାରିଛି । ବର୍ତ୍ତମାନ ଯେଉଁମାନଙ୍କ ଉପରେ ଯେଉଁ କାର୍ଯ୍ୟଭାର ଦିଆଯିବ ସେମାନେ ତାହା ଖୁବ୍‌ ନିଷ୍ଠା ଓ ତତ୍ପରତାର ସହିତ ସମ୍ପାଦନ କଲେ ଉତ୍ସବଟି ସର୍ବାଙ୍ଗସୁନ୍ଦର ହୋଇ ସେବାଗ୍ରାମର ସୁନାମ, ପ୍ରଶଂସା ସ୍ଥାୟୀ କରାଇବ । ବହୁତ କର୍ମୀ । ଏହି କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିଥିବାରୁ ଆମେ ଆଶା କରୁଛୁ କାହାରିକୁ ବେଶୀ ଧନ୍ଦି ହେବାକୁ ପଡ଼ିବ ନାହିଁ । ମୋର ଏକାନ୍ତ ଅନୁରୋଧ, ସମସ୍ତେ ନିଜ ନିଜ କର୍ତ୍ତବ୍ୟରେ ଦୃଢ଼ତା ଅବଲମ୍ୱନ କରିବେ । ଉତ୍ସବ ଆଉ ଦିନ ପାଞ୍ଚଟା ମାତ୍ର ରହିଲା । କାର୍ଯ୍ୟରେ ଅଗ୍ରସର ହେବାପାଇଁ କାର୍ଯ୍ୟସୂଚୀର ଫର୍ଦ୍ଦ ବର୍ତ୍ତମାନ ସମସ୍ତଙ୍କୁ ଦିଆଯାଉଛ ।’’ ସଭାପତିଙ୍କୁ ଧନ୍ୟବାଦ ଦେବା ପରେ ସଭା କାମ ଶେଷ ହେଲା । ସଂଯୁକ୍ତ ସ୍ୱେଚ୍ଛାସେବକମାନେ କାର୍ଯ୍ୟକ୍ରମ ଫର୍ଦ୍ଦ ଖଣ୍ଡେ ଖଣ୍ଡେ ନେଇ ଯେଝା ବାଟରେ ଗଲେ ।

 

ବାଟରେ ଆସିଲା ବେଳେ ଡାକ୍ତର ଦାଶ ମୁହଁ ଶୁଖାଇ ଉମାକୁ କଥା ନ କହୁଥିବାର ଲକ୍ଷ୍ୟ କରି ଉମା ଉପରେ ପଡ଼ି ପଚାରିଲା, ‘ଡାକ୍ତର ଦାଶ, ଆପଣଙ୍କ ଉପରେ ବଡ଼ ସହଜ କାମ ଦିଆଯାଇଛି । କେବଳ ଭଦ୍ରବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଏବଂ ଆଗନ୍ତୁକ ଦର୍ଶକମାନଙ୍କୁ ସଭା ସ୍ଥାନରେ ବସାବସି କରାଇବା’

 

ଡାକ୍ତର ଦାଶ ବିରକ୍ତିବ୍ୟଞ୍ଜକ ମୁଖଭଙ୍ଗୀ କରି ଉମା ଆଡ଼କୁ ଟିକିଏ ବଙ୍କେଇ ଚାହିଁ ଦେଲେ ଏବଂ ‘Mind your own business’ (ନିଜ କଥା ନିଜେ ଭାବ) କହି ସଙ୍ଗେ ସଙ୍ଗେ ମୁହଁ ଫେରାଇ ନେଲେ ।

 

ଉମା ଡାକ୍ତର ଦାଶଙ୍କ ବିରକ୍ତିଭାବକୁ ମନରେ ଆଦୌ ସ୍ଥାନ ନ ଦେଇ ତାର ସ୍ୱଭାବ ସୁଲଭସହାସ୍ୟ ବଦନରେ ଉତ୍ତର ଦେଲା ‘Thank you Doctor’ (ଧନ୍ୟବାଦ ଡାକ୍ତର) ।

 

ଉଭୟେ ନିଜ ନିଜ ବାସ ସ୍ଥାନକୁ ଚାଲିଗଲେ । ଡାକ୍ତର ଦାଶଙ୍କ ମନରେ କ୍ରୋଧ ଏବଂ ଅଭିମାନ ପୂରା ମାତ୍ରାରେ ଥିଲା ସତ କିନ୍ତୁ ସେ କ୍ଷଣିକ ଦୃଷ୍ଟିରେ ଉମାର ସେହି ଚନ୍ଦ୍ରମୁଖର ଉଜ୍ୱଳ ଆଭା ତାଙ୍କୁ କେବେ ଏତେ ସୁନ୍ଦର ଦେଖାଯାଇ ନଥିଲା । ପୂର୍ଣ୍ଣ ଯୌବନା ଶ୍ରୀସମ୍ପନ୍ନା ଉମାର ଚାହାଣୀ, ମୁଖମଣ୍ଡଳ, ଅଙ୍ଗ ପ୍ରତ୍ୟଙ୍ଗର ସୌଷ୍ଠବ, ଧୀର ମନ୍ତରଗତି ଡାକ୍ତର ଦାଶଙ୍କ ମନକୁ ସେତେବେଳେ ଏତେଦୂର ଆକୃଷ୍ଟ ଏବଂ ପ୍ରଭାବିତ କଲା ଯେ ସେ ଏକାଥରକେ ବିଚଳିତ ହୋଇପଡ଼ିଲେ । କିନ୍ତୁ ଉପାୟ ନାହିଁ; ସେ ମନକୁ ଟାଣ କରିବାକୁ ଚେଷ୍ଟା କଲେ ।

 

ଆଜି ଶିବ ବିବାହ । ସମସ୍ତ ନିଜ କର୍ତ୍ତବ୍ୟ, କାର୍ଯ୍ୟରେ ବ୍ୟସ୍ତ । ହରିହର ନାମ ତାଲିକା ଦେଖି ନିମନ୍ତ୍ରଣ ଖାମ ଉପରେ ନାମଗୁଡ଼ିକ ଲେଖିଦେଇ ସାଇକେଲ ଖଣ୍ଡିକ ଧରି ନିଜେ ସମସ୍ତଙ୍କୁ ବାଣ୍ଟିଦେଇ ଆସିଲା । ଟିକିଏ ଉବେଳା ହୋଇଯାଇଥିବାରୁ ଗଣ୍ଡାଏ ଖାଇଦେଇ ବିଶ୍ରାମ ନେଲା । ପୁଣି ସନ୍ଧ୍ୟାବେଳକୁ ସଭା ମଣ୍ଡପର ସାଜସଜ୍ଜା ତତ୍ତ୍ୱାବଧାନ କରିବାକୁ ପଡ଼ିବ ।

 

ମଧ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଡାକ୍ତରଖାନାର କେତେକ କମ୍ପାଉଣ୍ଡର ଓ ନର୍ସ ସାଧାରଣ ସଭାମଣ୍ଡପ ଏବଂ ଶିବ ବିବାହ ଉପଲକ୍ଷେ ବିଭାବେଦୀ ସାଜସଜ୍ଜାରେ ଲାଗିପଡ଼ିଥାନ୍ତି ।

 

ଉମାର ସାଥୀ ନର୍ସ କଳ୍ପନା କୁମାରୀ ଚାଙ୍ଗୁଡ଼ିରେ ଚାଙ୍ଗୁଡ଼ିଏ ସଜଫୁଲ ସଂଗ୍ରହ କରି ମୁଖ୍ୟା ସେବିକାଙ୍କ ବସାରେ ପହଞ୍ଚିଲା । ଉମା ଟିକିଏ ବ୍ୟସ୍ତତା ପ୍ରକାଶ କରି କହିଲା ‘କଳ୍ପନା, ତୁ ଏତେ ଡେରିରେ ଫୁଲ ଘେନି ଆସୁଛୁ ନା ? କେତେ ଠାକୁରଙ୍କ ପାଇଁ ମାଳ ଗୁଛାଯିବ । ମୁଁ କେମନ୍ତି ଏତେଗୁଡ଼ାଏ ମାଳ ଏକୁଟିଆ ଗୁଛିବି କହିଲୁ । ତୁ ଟିକିଏ ସାହାର୍ଯ୍ୟ କରିବୁ ନାହିଁ ?

 

କଳ୍ପନା—ମୋ କାମ ମୋତେ ବଳେଇଚି । ସାହାଯ୍ୟ କରିବି କିପରି ? ବେଦୀ ଉପରେ ଚିତା ପକାଇବା ଭାର ମୋ ଉପରେ । ତୁମର ଅନୁରୋଧ ରକ୍ଷା କରି ୟା ବାରି ତା ବାରି ଖୋଜି ଖୋଜି ଏ ଫୁଲତକ ଆଣି ଦେଇଛି ସେଇ ଯଥେଷ୍ଟ । ତୁ ଖାଲି ଘର ଭିତରେ ବସି ବସି ନା ନେବୁ ଭାବିଛି । ‘ମାରେ ସିପେଇ ନା ସରଦାର’ ।

 

ଆଚ୍ଛା ଏ ସଜ ପଦ୍ମଫୁଲତକ କେଉଁଠୁ ଆସିଲା ମ ! ମୁଁ ତ କାହିଁ ଖୋଜି ଖୋଜି ପାଇ ନଥିଲି ।

 

ଉମା—ତୋ ଉପରେ କଣ ନିର୍ଭର କରି ବସିଥିଲି ଭାବିଛୁ କଳ୍ପନା ! ଏତକ ଆଣିଛୁ ମାନସ ସରୋବରରୁ ।

 

କଳ୍ପନା—ଓଃ ଆଜି ମନଟା ତ ତୋର ଭାରି ଖୁସି ଦେଖୁଛି ।

 

ଉମା—ଆଉ କ’ଣ କାନ୍ଦିବି ତୋ ପରି ତୁ ଯେତେବେଳେ ଶାଶୁ ଘରକୁ ଆସିଲୁ ସେ ଦିନ । ଯା ଯା ତୋ କାମ ତୁ କର ମୋ କାମ ମୁଁ କରିବି ।

 

କଳ୍ପନା ଦୌଡ଼ି ଘରୁ ବାହାରକୁ ପଳାଇ ଆସିଲା ସେଣେ ତାକୁ ମଣ୍ଡପ ସାଜସଜ୍ଜାରେ ଯୋଗ ଦେବାକୁ ହେବ ବୋଲି ।

 

ମଉଜବେଗ ଓ ସୁଲୋଚନ କଳାଭବନ ସଜାଇବାରେ ଲାଗି ପଡ଼ିଛନ୍ତି । ପ୍ରତି ଘରଦ୍ୱାର ସାମନାରେ ତୋରଣ, କଦଳୀ ଗଛ, ପୂର୍ଣ୍ଣକୁମ୍ଭମାନ ଯଥାବିଧି ସଜାଇବାରେ ସେବାଗ୍ରାମର ଲୋକେ ଲାଗି ପଡ଼ିଛନ୍ତି । ଗାଁ ମୁଣ୍ଡର ଆରଣୀପଦା ପଡ଼ିଆରେ ଟିକିଏ ଦୂରକୁ ଆତସବାଜି, ବାଣ ରୋଷନୀର ଆୟୋଜନ ନିଜେ ରାଘବାନନ୍ଦଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ।

 

ରାଧାମୋହନ ଜୀଉଙ୍କ ରୋଷଘରେ ଅନ୍ୟଗ୍ରାମରୁ ଆସିଥିବା ସ୍ୱେଚ୍ଛାସେବକ ଏବଂ ଆଗନ୍ତୁକ ଭଦ୍ରବ୍ୟକ୍ତିମାନଙ୍କ ପାଇଁ ଖନ୍ଦା ଚାଲିଛି ଗଙ୍ଗୁ ପଣ୍ଡା ଏବଂ ପ୍ରେମାନନ୍ଦଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ।

 

ଗୁପ୍ତେଶ୍ୱର ମନ୍ଦିର ବେଢ଼ାରେ ଘନ ରଥେ ଦୋସଡ଼ାଟା ଅଣ୍ଟାରେ ଗୁଡ଼ାଇ ପାକଲା ଗାମୁଛଟା କାନ୍ଧରେ ପକାଇ ପୂଜକ ପଣ୍ଡା ସାଙ୍ଗରେ ସଜ୍ଜିତ ପାଲଙ୍କିରେ ଗୁପ୍ତେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ଗୌରୀଙ୍କ ବେଶ ସଜାଇବାରେ ଲାଗି ପଡ଼ିଛନ୍ତି । ତିଆଡ଼ି ବୁଢ଼ା ଆମ୍ୱକସିଆ ଶୁକ୍ଳପାଟ ଯଥା ପିନ୍ଧି ଚଦରଖଣ୍ଡ ମୋଡ଼ିମାଡ଼ି ବେକରେ ପକାଇ ଚଅଁର ଧରି ଠିଆ ହୋଇଛନ୍ତି ଶୋଭାଯାତ୍ରା ଆରମ୍ଭ ହେଲେ ପାଲିଙ୍କିର ପାଖେ ପାଖେ ଚାଲି ଚଅଁର ପକାଇବେ । ହରିଜନବସ୍ତିର ନୂତନ ବିଗୁଲ ଓ ବ୍ୟାଣ୍ଡ ପାଟି ଏବଂ ଡେମ୍ପ ନାଗରା ବାଜା ଦଳ ଆସି ଗୁପ୍ତେଶ୍ୱରଙ୍କ ସିଂହ ଦରଜା ପାଖରେ ବାଦ୍ୟ ବଜାଇବା ସୁର କରି ଦେଲେଣି କପିଳ ବେହେରା ମହୁରୀରେ ‘ନେତି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ’ ଛନ୍ଦଟା ପକାଇଥିବାରୁ ଗାଁର କେତେକ ପିଲା ମାଇପେ ସେଠି ରୁଣ୍ଡ ହୋଇ ଯାଇଛନ୍ତି ।

 

ମାଉସୀମା ଦେଉଳ ବେଢ଼ା ରାସ୍ତା ପାଖରେ ସୁଲୋଚନଙ୍କ ତାଲିମ ନଦିଆ ସଂକୀର୍ତ୍ତନ ଦଳ’ନିତାଇ ଗୌର ମଧୁର ମିଳନ ଜୟ ଆମାଦେର ରାଧା ରମଣ’ ଗାଇ ଗାଇ ଉଦ୍ଦଣ୍ଡ ନୃତ୍ୟରେ ବିଭୋର ହୋଇ ପଡ଼ୁଛନ୍ତି ।

 

ଜାଗୁଳେଈ ପାର୍କ ପାଖରେ ଫକୀରବେଗ ଏବଂ ଅନାଥବନ୍ଧୁ ସେବାଗ୍ରାମର ବଛା ବଛା ଭେଣ୍ଡିଆ ପିଲାଙ୍କର ପଟାଖେଳ, ବାଡ଼ି ବନାଉତ ବୁଲା ଖେଳ କରାଉଛନ୍ତି ।

 

ଶିବ ବିବାହ ଶୋଭାଯାତ୍ରା ଗୁପ୍ତେଶ୍ୱର ମନ୍ଦିରରୁ ବାହାରି ରାଧାମୋହନ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଗତି କରିବ ତା’ ପରେ ସେଠାରୁ ଫେରି ସେବାଗ୍ରାମର ସାଧାରଣ ସଭାମଣ୍ଡପ ପାଖରେ ବିଶେଷଭାବେ ସଜ୍ଜିତ ବେଦୀପୀଠ ପାଖରେ ସମସ୍ତ ହେବ । ତା’ପରେ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ ଯଥାବିଧିରେ ପାଳିତ ହେବ ।

 

ଜ୍ୟେଷ୍ଠ ମାସ ଶିବ ଚତୁର୍ଥୀ ତିଥି । ଠିକ୍‌ ଶୁକ୍ଳ ଚତୁର୍ଥୀ ଜହ୍ନ ଯେପରି ଆକାଶରେ ଉଠିଲା, ଶୋଭାଯାତ୍ରା ମହା ଆଡ଼ମ୍ୱରରେ ବାହାରି ଗ୍ରାମର ଏମୁଣ୍ଡରୁ ସେମୁଣ୍ଡ ଯାଏ ଚାଲିଲା । ବାଦ୍ୟସାଙ୍ଗରେ ଖୋଳ, କରତାଳ, ଗିନି, ହାରମନିୟମ ଘଣ୍ଟା ମାଦଳ ଶଙ୍ଖ ତୁରୀ ଭେରୀ ବାଜି ଉଠିଲା । ଗ୍ରାମର ଭେଣ୍ଡିଆ ପିଲା ଶିବ ଗୌରୀଙ୍କ ପାଲିଙ୍କି କାନ୍ଧରେ ଥୋଇ ନନା ଭଙ୍ଗିରେ ଗୋଡ଼ମାନ ପକାଇ ଚାଲିଥାନ୍ତି । ଗ୍ରାମର ମଝିଦାଣ୍ଡରେ ଲୋକମାନେ ଡାଲାରେ ମାଳା ଫୁଲ ଚନ୍ଦନ ଦେଇ ପୂଜା କରି ଯାଉଛନ୍ତି । ସୁବାସିତ ଚନ୍ଦନ ଓ ଅତରପାଣି ଝରା ଦେହରୁ ଦର୍ଶନ ଓ ଶୋଭାପାତ୍ରୀଙ୍କ ଉପରେ ଛିଞ୍ଚି ହୋଇପଡ଼ୁଛି । ଆରଣୀ ପଦାରୁ ଫୁଟୁଥିବା ବମ୍ୱାଜୀ, ତୋପବାଜି କାଠଚିତ୍ର, ଆକାଶମଲ୍ଲୀ ଫୁଟି ଚତୁର୍ଦ୍ଦିଗ କମ୍ପାଇ ଦେଉଛି । ଏହିପରି ମହାଆନନ୍ଦ କେଳାହଳ ମଧ୍ୟରେ ଶିବ ଗୌରୀଙ୍କ ପାଲିଙ୍କି ବିଭାବେଦୀ ପାଖରେ ପହଁଚିଲା । ଘନରଥଙ୍କ ଅନୁରୋଧକ୍ରମେ ସେବାଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧ ବ୍ରାହ୍ମଣ ଆରତବନ୍ଧୁ ତିଆଡ଼ି ଶିବଙ୍କ ତରଫରୁ ଏବଂ ‘ବିନିବାବା’ ଗୌରୀଙ୍କ ପକ୍ଷରୁ ବର ଓ କନ୍ୟା କର୍ତ୍ତା ହୋଇ ନିର୍ଦ୍ଦିଷ୍ଟ ଶୁଭମୂହର୍ତ୍ତରେ ବିବାହକାର୍ଯ୍ୟ ସମ୍ପନ୍ନ କଲେ ।

 

ଆନୁଷ୍ଠାନିକ ଭାବରେ ତିଆଡ଼ି ମହାଶୟଙ୍କୁ ଆଜିର ଶିବ ବିବାହ ସାଧାରଣ ସଭାରେ ସଭାପତି ମନୋନୀତି କରିବାକୁ ତିଆଡ଼ିଏ ପ୍ରଫୁଲ୍ଲଚିତ୍ତରେ ସଭା ମଧ୍ୟରେ ଉପବେଶନ କଲେ । ଉପସ୍ଥିତ ଜନତା ମଧ୍ୟରୁ କରତାଳି ଉଠି ଚତୁର୍ଦ୍ଦିଗ କମ୍ପାଇ ଦେଲା । ତା’ପରେ ବିନିବାବା ଉଠିକରି କହିଲେ—

 

‘‘ମାନନୀୟ ସଭାପତି, ଭାଇ ଓ ଭଉଣୀମାନେ, ଆଜି ବାସ୍ତବିକ୍‌ ବଡ଼ ଆନନ୍ଦର ଦିନ । ସେବ ଗ୍ରାମର ଇତିହାସରେ ଏ ଶିବ ବିବାହ ଦିନଟି ସବୁଦିନ ପରି ସ୍ମରଣୀୟ ହୋଇ ରହିବ । ଉଦୟ ଉଦୟ ସଂଘର ପ୍ରଶଂସିତ କାର୍ଯ୍ୟକୁ ଆପଣମାନେ ସମସ୍ତେ ଅନୁମୋଦନ କରିଥିବାରୁ ମୁଁ ସଂଘ ତରଫରୁ ସମସ୍ତଙ୍କୁ ଆନ୍ତରିକ ସ୍ନେହ, ଶ୍ରଦ୍ଧା ଓ ଧନ୍ୟବାଦ ଅର୍ପଣ କରୁଛି । ବର୍ତ୍ତମାନ ସଂଘର ଘଟ ପରିବର୍ତ୍ତନର ଆବଶ୍ୟକତା ଉପଲବ୍‌ଧ କରାଯାଉଛି । ଆମ୍ଭମାନଙ୍କ ପରି ବୃଦ୍ଧ ଓ ବୟସାଧିକ କର୍ମୀମାନଙ୍କୁ ଅବ୍ୟାହତି ଦେଇ ଭବିଷ୍ୟତ କାର୍ଯ୍ୟ କରିବା ପାଇଁ ନୂତନ ଯୁବକ କର୍ମୀମାନେ ଆଗଭର ହୁଅନ୍ତୁ । ସମସ୍ତଙ୍କ ସହଯୋଗ, ସଦିଚ୍ଛା ଓ ନିଷ୍ଠା ପରତାରେ ଆଜିର ଶୁଭାନୁଷ୍ଠାନ ସମ୍ଭବ ହୋଇଥିବାରୁ ମୁଁ ସଂଘ ତରଫରୁ ସମସ୍ତଙ୍କୁ ଆଉଥରେ ଆନ୍ତରିକ ଧନ୍ୟବାଦ ଦେଉଛି । ସଙ୍ଗେ ସଙ୍ଗେ ଘୋଷଣା କରିବାକୁ ଚାହେ ଯେ ସେବାଗ୍ରାମରେ ସବୁଠାରୁ ବୟୋଜ୍ୟେଷ୍ଠ ଭାଇ ସଦେଇ ମାହାନ୍ତିଙ୍କୁ ‘ପାର୍ବତୀ’ର ଅନୁସନ୍ଧାନ କରି ଗୁପ୍ତଧନ ଉଦ୍ଧାର କରିଥିବାରୁ ସଂଘ ତରଫରୁ ଘୋଷିତ ଏକସହସ୍ର ଟଙ୍କା ପୁରସ୍କାର ତାଙ୍କୁ ପ୍ରଦାନ କରାଗଲା । ଏହା ସାଧାରଣ ସଭା ଅନୁମୋଦନ କରନ୍ତୁ-।’ ଜନତା ମଧ୍ୟରୁ ତୁମୁଳ କରତାଳି ବାଜିଉଠିଲା ।

 

ତା’ପରେ ସଦେଇ ମାହାନ୍ତି ବୁଢ଼ା ବଙ୍କୁଲିବାଡ଼ି ଖଣ୍ଡିକ ଉପରେ ଦୁଇହାତ ଭରାଦେଇ କମ୍ପିତ କଣ୍ଠରେ କହିଲେ, ‘ଭାଇମାନେ, ମୁଁ ଚଉରାଣୀ କି ପଞ୍ଚାଶୀ ବରଷର ବୁଢ଼ା । ଆପଣମାନେ ମୋତେ ଅବିଶ୍ୱାସ କରନ୍ତୁ ନାହିଁ । ଯେଉଁ ଗୁପ୍ତ ରହସ୍ୟ ଉଦ୍‌ଘାଟନ କରିଛି ତାହା ଚାହିଁଲେ ବିଶ୍ୱାସ ଯୋଗ୍ୟ ପ୍ରମାଣ ସହ ଆପଣମାନଙ୍କ ସମ୍ମୁଖରେ ଥୋଇଦେଇ ପାରିବି ।

 

ଉଦୟ ସଂଘ ଏଥିପାଇଁ ମୋତେ ଯେଉଁ ହଜାରେ ଟଙ୍କା ପୁରସ୍କାର ଦେଉଅଛନ୍ତି ମୁଁ ସେଥି ସକାଶେ ସଂଘକୁ ଧନ୍ୟବାଦ ଦେଉଛି ଓ ଆଶୀର୍ବାଦ କରୁଛି । ସଂଘର ଅନୁଗ୍ରହରୁ ମୋର କିଛି ଅଭାବ ନାହିଁ, ମୁଁ ମରିବାକୁ ମାଟି ଖୋଜିଲିଣି । ମୋର ଅର୍ଥ ଲୋଭ ଆଦୌ ନାହିଁ । ଅର୍ଥ ବା ମୋର କ’ଣ ହେବ ବୁଢ଼ାର ପେଟଟା କେତେ ବା ଖାଇବ । ପୁଅର ପିତୃଭକ୍ତି, ନାତିମାନଙ୍କର ସ୍ନେହ ସୋହଗରେ ମୋର ପେଟ ପୂରି ରହିଛି । ମୁଁ ସେବାଗାଁର ବାଳକ ବାଳିକାମାନଙ୍କୁ ନିଜର ପୁଅ ଝିଅ ନାତି ନାତୁଣି ପରି ମନେ କରେ । ଆଜି ଯେଉଁ ପୁରସ୍କାର ମୋତେ ଆପଣ ଦେଇଛନ୍ତି ତାହା ସେହି ପୁଅଝିଅଙ୍କ ଲାଗି । ମୋର ଅନୁରୋଧ, ସେହି ଅର୍ଥରେ ଏହି ‘ଶିବବିବାହ’ ଉପଲକ୍ଷେ ଯେଉଁ ତିନିଦିନ ଧରି ମେଳା ମହୋତ୍ସବ ହେବ ସେଥିରେ ପିଲାମାନଙ୍କୁ ମିଠେଇ ବଣ୍ଟାଯାଉ । ଶିବଙ୍କର ପ୍ରସାଦ ସମସ୍ତେ ପାଆନ୍ତୁ । ଉପସ୍ଥିତ ଜନତା ଓ ସଭାପତିଙ୍କ ସମ୍ମତି ପାଇଲେ ମୁଁ ଲୁଚାଇ ରଖିଥିବା ଗୁପ୍ତଧନ ଆପଣମାନଙ୍କ ହାତରେ ସମର୍ପଣ କରିବି ।’

 

ଏହି ସମୟରେ ଜନତା ମଧ୍ୟରୁ ‘ସାଧୁ ସାଧୁ’ ଶବ୍ଦ କମ୍ପି ଉଠିଲା । ସଭାପତି ଅନୁମତି ଦେଲେ । ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଚକିତ କରାଇ ବୁଢ଼ା ଯାଇ ନିକଟରେ ସୁନ୍ଦର ଶାଢ଼ିଟିଏ ପିନ୍ଧି ବସିଥିବା ସେବିକା ଉମା ଦେବୀଙ୍କୁ ହାତଧରି ସଭାପତିଙ୍କ ପାଖରେ ଠିଆ କରାଇ ଦେଲା ।

 

ତିଆଡ଼ି—ପାର୍ବତୀ— ମା ମୋର’ ବିନମ୍ରବଦନା ଲଜ୍ଜାବତୀ ସେବିକା ଉମାଙ୍କୁ କୋଳକରି ପକାଇଲେ ।

 

ବିନିବାବା—ଆଉ ଆସ ହରିହର (ହରିହର ହାତ ଟାଣିଆଣି) ଆଜି ଏ ଶିବ ବିବାହରେ ସେବାଗ୍ରାମର ଜୀବନ୍ତ ହରପାର୍ବତୀଙ୍କର ବିବାହ ଜନତା ଜନାର୍ଦନଙ୍କ ସମ୍ମୁଖରେ ସମ୍ପନ୍ନ ହେଉ ।

 

ବିପୁଳ ହର୍ଷ କୋଳାହଳ ମଧ୍ୟରେ ଗୁପ୍ତେଶ୍ୱରଙ୍କ ବିଜୟ ପ୍ରତିମା ଚନ୍ଦ୍ରଶେଖର ଏବଂ ଗୌରୀଙ୍କ ପାଖରେ ପାର୍ବତୀ ଓ ହରିହରଙ୍କର ହାତଗଣ୍ଠି ପଡ଼ିଲା । ତା’ପରେ ଜନତା ହରିହର ଓ ପାର୍ବତୀଙ୍କୁ ଅନ୍ୟ ଗୋଟିଏ ପାଲଙ୍କିରେ ବସାଇ ଦୁଃଖିଶ୍ୟାମ କଳା ଭବନକୁ ମହାସମାରୋହରେ ନେଇଗଲେ । ସେଠାରେ ନବଦମ୍ପତି ଶ୍ୟାମସୁନ୍ଦରଙ୍କ ପାଦତଳେ ପଡ଼ି ଆଶୀର୍ବାଦ ଘେନିଲେ ।

 

ଶୀତଳଷଷ୍ଠୀ ପର୍ଯ୍ୟନ୍ତ ହରିହର ଓ ପାର୍ବତୀଙ୍କ ବିବାହ ଉପଲକ୍ଷେ, ଉତ୍ସବ, ଆମୋଦ ପ୍ରମୋଦ, ପଂକ୍ତି ଭୋଜନ ପ୍ରଭୃତି ଚାଲିଲା । ତା’ ପରେ ପରେ ସେବାଗ୍ରାମର ଗଣଭୋଟରେ ନୂତନ ଉଦୟ ସଂଘର ଘଟପରିବର୍ତ୍ତନ ହେଲା । ସଂଘର ସ୍ଥାୟୀ ଆଜୀବନ ସଭାପତି ଓ ସମ୍ପାଦିକ ରହିଲେ ହରିହର ଓ ପାର୍ବତୀ ।

Image